ରଜାପୁଅ ଆଉ ବାଇଅସୁରୁଣୀକଥା

ଅନେକ ଦିନ ତଳର କଥା। ସୁମେଧ ବୋଲି ଗୋଟିଏ ରାଜ୍ୟ ଥିଲା। ସେଇ ରାଜ୍ୟରେ ବିକ୍ରମକେଶରୀ ବୋଲି ଜଣେ ଦୟାଳୁ ରାଜା ଥିଲେ। ତାଙ୍କର ବହୁତ ଧନସମ୍ପତ୍ତି ଥିଲା। ଆଉ ବି ଥିଲା ବହୁତ ହାତୀ, ଘୋଡା ଆଉ ସୈନ୍ୟସାମନ୍ତ। କିନ୍ତୁ ରାଜାଙ୍କର ଜୀବନରେ କେବଳ ଗୋଟିଏ ଦୁଃଖ। ବାହାଘରର ବହୁବର୍ଷ ପରେ ବି ରାଣୀ ମା’ ଡାକ ଶୁଣିନଥିଲେ। ବହୁତ ଲୋକ ରାଜାଙ୍କୁ ଆଉ ଗୋଟିଏ ବିବାହ କରିବାକୁ ଉପଦେଶ ଦେଇଥିଲେ। କିନ୍ତୁ ରାଜା ରାଣୀଙ୍କୁ ବହୁତ ଭଲପାଉଥିଲେ। ସେଥିପାଇଁ ସେ କାହାରି କଥା ଶୁଣି ନଥିଲେ। ରାଣୀ ନିଜେ ଜଣେ ବଡ଼ ଶିବଭକ୍ତ ଥିଲେ। ସେ ଦିନରାତି ଶିବଙ୍କୁ ଡାକୁଥିଲେ ଛୁଆଟିଏ ପାଇଁ। ରାଜାଙ୍କ ସହ ମିଶି ସେ ଅନେକ ପୂଜାପାଠ କଲେ। ବ୍ରାହ୍ମଣ, ପୁରୋହିତ ଆଉ ଗରିବଙ୍କୁ ବହୁତ ଦାନପୁଣ୍ୟ କଲେ। ଶେଷରେ ଶିବଙ୍କ ଧ୍ୟାନଭଙ୍ଗ ହେଲା। ରାଣୀଙ୍କ କୋଳପୂର୍ଣ କରି ଚନ୍ଦ୍ରଉଦିଆ ପୁଅଟିଏ ଜନ୍ମ ହେଲା। ରାଜାରାଣୀ ଭାରି ଖୁସି। ପୁଅର ନାଁ ଦେଲେ ସୁହାସ। ସବୁବେଳେ ମୁହଁ ତା’ର ହସହସ।

king-and-queen-riding-on-elephant-PX20_l

ସମୟ ବା କାହାକୁ ଅପେକ୍ଷା କରେ! ରଜାପୁଅ ଦିନକୁ ଦିନ ଶଶିକଳାପରି ବଢି ଚାଲିଲା। ହେଲେ କେବେ କେବେ ରାତିରେ ରଜାପୁଅ ଚିତ୍କାର କରି କାନ୍ଦିଉଠେ। ସପନରେ ଦେଖେ ଯୋଡିଏ ନୀଳଆଖି। ଆଖିରୁ ବାହାରୁଥାଏ ନାଲି ହଳଦିଆ ଭୟଙ୍କର ରଡନିଆଁ। ରଜାପୁଅ ସିଝିଯାଏ ସେ ନିଆଁରେ। ତା’ ଦେହରୁ ଭୟରେ ଝାଳ ବୋହିଯାଏ। ସେ ରଡିଛାଡି ଉଠିପଡ଼େ। ରଜାପୁଅ ଚିତ୍କାର ଶୁଣି ରଜାରାଣୀ ଦଉଡି଼କି ଆସନ୍ତି। କଣ ହଉଚି ପୁଅକୁ!! ରାଜବଇଦଙ୍କୁ ଡାକରା ଯାଏ। ବଇଦ କୁହନ୍ତି ରଜାପୁଅ ଦେହ ଭଲ। କିନ୍ତୁ ମନ ଭଲ ନାହିଁ। ତାଙ୍କୁ ଏକୁଟିଆ ଏକୁଟିଆ ଲାଗୁଚି। ଏମିତି ଗୋଟେ ସମୟରେ ରଜାପୁଅ ସାଙ୍ଗେ ଦେଖାହୁଏ ମନ୍ତ୍ରୀପୁଅର। ସେମାନେ ସଙ୍ଗାତ ବସନ୍ତି। ତାପରେ ଧୀରେଧୀରେ ପୁରା ଜୀବନ ଦିଆନିଆ ସାଙ୍ଗ। ଯାହା ବି କରନ୍ତି ଏକା ସାଙ୍ଗରେ। ଦିନେ ଦେଖା ନ ହେଲେ ତାଙ୍କ ଦିନ ଅଚଳ। କିଏ କାହାକୁ ଛାଡି ରହିବାର ନାହିଁ। ରଜାପୁଅକୁ ରାତିରେ ଆଉ ସେ ଭୟଙ୍କର ସପନ ବି ଆସେନି।

ବଡହେଲାପରେ ରଜାପୁଅକୁୁ ରୂପଵାନ, ଗୁଣବାନ, ବଳବାନ ଆଉ ପ୍ରଜାବତ୍ସଳ ଭାବେ ସବୁ ଲୋକ ଜାଣିଲେ। ରାଜାଙ୍କୁ ଶାସନ କାମରେ ବି ସାହାଯ୍ୟ କରେ ରଜାପୁଅ। ରାଇଜସାରା ଲୋକଙ୍କ ମୁହଁରେ ରଜାପୁଅର ଭୁରି ଭୁରି ପ୍ରଶଂସା।

ଦିନେ ରାଜା ବିକ୍ରମକେଶରୀ ନିଜ ସଭାରେ ବସି କିଛି ଆଲୋଚନା କରୁଛନ୍ତି ଦୂତ ଆସି ଖବର ଦେଲା ଯେ ନିକର୍ଣ୍ଣ ରାଜ୍ୟର ରାଜା ସୁମେଧଉପରେ ଆକ୍ରମଣ କରିଛନ୍ତି। ବିକ୍ରମକେଶରୀ ଏପଟୁ ଯୁଦ୍ଧ ଡାକରା ଦେଲେ। ରାଜାଙ୍କ ସାଙ୍ଗରେ ରଜାପୁଅ। ରଜାପୁଅ ଆଗରେ କିଏ ବା କେମିତି ଛିଡା ହୁଅନ୍ତା! ଏମିତି ବଳଶାଳୀ ପୁରୁଷ କେହି ଆଖି ଫିଟିଲା ଦିନରୁ ଦେଖି ନଥିଲେ। ରଜାପୁଅ ସମସ୍ତଙ୍କୁ ମାରି ଗଡେଇଦେଲା। ତା’ ତେଜ ଦେଖି ଶତ୍ରୁସବୁ ଛତ୍ରଭଙ୍ଗ ଦେଲେ। ନିକର୍ଣ୍ଣର ରାଜା ଯୁଦ୍ଧକ୍ଷେତ୍ରରେ ଜୀବନ ଦେଲେ। ନିକର୍ଣ୍ଣରଜାର ପୁଅ ନିଜ ଜୀବନ ବଞ୍ଚେଇ ରଣଭୂମିରୁ ପଳାୟନ କଲା। ରଜାପୁଅର ସାହସିକତାର କାହାଣୀ ଦେଶବିଦେଶକୁ ବ୍ୟାପିଲା। ସମସ୍ତେ ରଜାପୁଅକୁ ବାହା ବାହା କଲେ। (କ୍ରମଶଃ)

ରଜାପୁଅ ଆଉ ବାଇ ଅସୁରୁଣୀକଥା (୨)

mural-painting-udaipur-rajasthan-7896931

ରଜାପୁଅର ସାହାସିକତାର କାହାଣୀ ଦେଶବିଦେଶକୁ ବ୍ୟାପିଲା। ବହୁତ ରଜା ନିଜ ଝିଅପାଇଁ ରଜାପୁଅ ପାଇଁ ପ୍ରସ୍ତାବ ପଠେଇଲେ। ରଜାପୁଅକୁ ସବୁ ରାଜଝିଅର ଚିତ୍ର ଦେଖାହୁଏ। ହେଲେ ରଜାପୁଅକୁ କୋଉ ବି ଚିତ୍ର ପସନ୍ଦ ନୁହେଁ। କେହି ବି ଝିଅ ତା’ ମନକୁ ପାଇଲେନି। କାହାକୁ ବି ବାହା ହବାକୁ ସେ ମଙ୍ଗିଲା ନାହିଁ। ରଜାରାଣୀ ମନଦୁଃଖରେ ସବୁ ପ୍ରସ୍ତାବକୁ ନାହିଁ କରୁଥାନ୍ତି। ଭାବୁଥାନ୍ତି କଣ କରିବେ! ରଜାପୁଅ କିନ୍ତୁ ତା’ର ସବୁ ସମୟ ଶାସନ କଥା ବୁଝିବାରେ ବିତାଉଥାଏ। ତାକୁ ସାହାଯ୍ୟ କରେ ମନ୍ତ୍ରୀପୁଅ।

ଦିନେ ରଜାପୁଅ ମନ୍ତ୍ରୀପୁଅକୁ ବୋଇଲା, “ସଙ୍ଗାତ, ବହୁତ ଦିନ ହେଲା ପାରିଧିକୁ ଯାଇନେ। ରାଇଜ କଥା ବୁଝିବୁଝି ଥକା ଲାଗିଲାଣି। ଟିକେ ଜଙ୍ଗଲ ଆଡୁ ବୁଲିଦେଇ ଆସିବା କି?” ମନ୍ତ୍ରୀପୁଅ ବୋଇଲା, “ବଢିଆ ପ୍ରସ୍ତାବଟିଏ ଦେଲ ସଙ୍ଗାତ। କାଲି ସକାଳ ପହରୁ ବାହାରିଯିବା ତାହେଲେ।” ପରଦିନ ସକାଳୁ ସକାଳୁ ଦୁଇ ସଙ୍ଗାତ ନିଜ ନିଜ ଘୋଡାରେ ବସି ପାରିଧିକୁ ବାହାରିଲେ। ଜଙ୍ଗଲ କଥା ନା! କିଛି ବି ହେଇପାରେ! ରାଜା କେତେଜଣ ସୈନିକଙ୍କୁ ତାଙ୍କ ସାଙ୍ଗରେ ପଠେଇଲେ। କେତେ ନଈନାଳ ଆଉ ପାହାଡ଼ପର୍ବତ ପାରିହେଇ ସେମାନେ ଜଙ୍ଗଲରେ ପହଞ୍ଚିଲେ। ରଜାପୁଅ ଭାରି ସାହସୀ। ଅନେକ ଭୟଙ୍କର ବଣଜନ୍ତୁ ଶିକାର କଲା। ମନ୍ତ୍ରୀପୁଅ ବି କିଛି କମ୍ ନୁହଁ। ପାଞ୍ଚଦିନ ଆନନ୍ଦରେ କଟିଗଲା। ମଉଜ ମଜଲିସ ହେଲା। ରାଜ୍ୟକୁ ଫେରିବା ସମୟ ହେଇଗଲା।

ଫେରିବାବେଳକୁ ସୈନିକମାନଙ୍କୁ ରାଜ୍ୟକୁ ପଠେଇ ଦେଇ ଦୁଇ ସଙ୍ଗାତ ଆଉରି ଟିକେ ବୁଲିବାପାଇଁ ମନ ବଳେଇଲେ। ବୁଲୁବୁଲୁ ଉତ୍ତର ଦିଗ ଆଡ଼କୁ ମାଡିଗଲେ। କିଛିବାଟ ଗଲା ଉତ୍ତାରୁ ଦେଖିଲେ ଦେବୀ ମନ୍ଦିରଟିଏ। ପାଖରେ ପଦ୍ମପୋଖରୀଟିଏ। ପୋଖରୀ ଚାରିପଟେ ଫୁଲଫଳର ସୁନ୍ଦର ବଗିଚା। ରଜାପୁଅ ଆଉ ମନ୍ତ୍ରୀପୁଅ ସେଇ ବଗିଚାରେ ଥକା ମେଣ୍ଟେଇବାକୁ ବସିଛନ୍ତି କି ନାହିଁ ମନ୍ଦିର ଭିତରୁ ଅପୂର୍ବ ସୁନ୍ଦରୀ ଝିଅଟିଏ ବାହାରିଲା। ତା’ ରୂପରେ ଆଖି ଝଲସି ଉଠୁଛି। ସତେ ଯେମିତି ଡେଣାକଟା ପରୀଟିଏ। ଏଇ ମର୍ତ୍ତ୍ୟଲୋକରେ ପୁଣି ଏମିତି ସୁନ୍ଦରୀ!! ତା’ ରୂପ ଦେଖି ରଜାପୁଅର ଆଖି ତା’ଠାରେ ଲାଖି ରହିଲା। ପଲକ ପଡୁ ନଥାଏ। ଝିଅଟି ହାତରେ ଭୋଗଥାଳି। ଝିଅଟି ସାଙ୍ଗରେ ଦୁଇଟି ସଖି। ଜଣଙ୍କ ହାତରେ ଫୁଲ ଚାଙ୍ଗୁଡିଟିଏ।

ସଖୀଙ୍କ ସାଙ୍ଗରେ ମନ୍ଦିରରୁ ବାହାରି ଯାଉଯାଉ ଝିଅଟି ବି କନ୍ଦର୍ପସମ ରଜାପୁୁଅ ଆଡକୁ ଟିକିଏ ଆଡ଼ ଆଖିରେ ଚାହିଁଦେଇଗଲା। ଓଠ କଡରେ ସରୁ ହସଟିଏ ବି ଲାଖି ରହିଥାଏ। ଝିଅଟି ନିଜ ସଖୀଙ୍କ ସାଙ୍ଗରେ ସେଠୁ ଚାଲିଗଲା ପରେ ରଜାପୁଅର ହୋସ୍ ଆସିଲା। ଏତେବେଳ ଯାଏଁ ସେ ଯେମିତି ଅଲଗା କେଉଁ ଦୁନିଆ ରେ ଥିଲା। ତାପରେ ରାଜପୁଅର ମନ ଆଉ କି ଥୟ ଧରି ରୁହେ? ତାକୁ ତ ପ୍ରେମ ନିଶା ଧରିଛି। ସେ ଖାଲି ବାଉଳିଚାଉଳି ହେଲା। ଝିଅଟିର ନାଁ, ଗାଁ ଆଉ ଠିକଣା ଜାଣିବାକୁ ସେ ପୁରା ବ୍ୟସ୍ତ ହେଇପଡିଲା। ସେ ମନ୍ତ୍ରୀପୁଅକୁ କହିଲା, “ସଙ୍ଗାତ, ସେ ଝିଅ କିଏ ଟିକେ ଖବର ନିଅ। ନହେଲେ ମୁଁ ଜୀବନ ହାରିଦେବି ଜାଣିଥାଅ।” ମନ୍ତ୍ରୀପୁଅ ରଜାପୁଅ କଥା ଶୁଣି କଣ ଉତ୍ତର ଦବ ଜାଣିପାରିଲାନି। (କ୍ରମଶଃ)

ରଜାପୁଅ ଆଉ ବାଇ ଅସୁରୁଣୀ କଥା (୩)

da3e7538dd3ffd320cd13e908cf5981b

ଝିଅଟି ଚାଲିଗଲା ପରେ ରଜାପୁଅର ହୋସ୍ ଆସିଲା। ତାପରେ ତା’ ମନ ଆଉ କି ଥୟ ଧରି ରୁହେ? ମନ୍ତ୍ରୀପୁଅକୁ କହିଲା, “ସଙ୍ଗାତ, ଏଇ ଝିଅ କିଏ ଟିକିଏ ବୁଝ। ନହେଲେ ଆଜି ମୁଁ ମୋ ଜୀବନ ହାରିବି।” ମନ୍ତ୍ରୀପୁଅ କହିଲା, “ସଙ୍ଗାତ ତୁମେ ବୁଝିବା ଶୁଝିବା ଲୋକ ହେଇ ଏମିତି କାଇଁ ହଉଛ? ଥୟ ଧର ଟିକେ।” ରଜାପୁଅ କହିଲା, “ସଙ୍ଗାତ ହେ। ସେଇ ଝିଅଟି ଆଜି ମୋ ମନ ଚୋରି କରି ନେଇଛି। ତାକୁ ନ ପାଇଲେ ମୋ ଜୀବନ ଧିକ୍।” ମନ୍ତ୍ରୀପୁଅ କହିଲା, “ହଉ ସଙ୍ଗାତ ରୁହ। ମତେ ଦୁଇଦିନ ସମୟ ଦିଅ। ମୁଁ ବୁଝିକି କହୁଚି।” ରଜାପୁଅ ମୁଣ୍ଡ ଟୁଙ୍ଗାରି ଦେଇ ସେଇ ଝିଅର ଭାବନାରେ ହଜିଗଲା।

ମନ୍ତ୍ରୀପୁଅ ଅନୁସନ୍ଧାନ କରି ଜାଣିବାକୁ ପାଇଲା ଯେ ଏଇ ଝିଅ ଏମିତି ସେମିତି ସାଧାରଣ ଝିଅ ନୁହେଁ। ସେ ହେଲା ପଡ଼ୋଶୀ କନକରାଜ୍ୟର ରାଜାଙ୍କର ଗୋଟିଏ ବୋଲି ଗେହ୍ଲାଝିଅ। ରାଜଜେମା ପଦ୍ମିନୀ। ରୂପ ଯେମିତି, ନାଁ ବି ସେମିତି! ରଜାପୁଅକୁ ଏଇ ସୁଖବରଟି ଦେଇଦିଆଗଲା। “ପଦ୍ମିନୀ, ମୋ ପଦ୍ମିନୀ।” ରଜାପୁଅ ବିଭୋର ହେଇ କହିଲା, “ସଙ୍ଗାତ! ମୁଁ ରାଜକୁମାରୀ ସାଙ୍ଗରେ ଏକାନ୍ତରେ ଭେଟ କରିବାକୁ ଚାଁହୁଛି। କିଛି ଉପାୟ କର।” ମନ୍ତ୍ରୀପୁଅ ବୁଦ୍ଧି ଲଗେଇଲା।

ପାଖ ଗାଁର ମାଲୁଣୀ ବୁଢ଼ୀ ସବୁଦିନ ଜେମା ପାଖକୁ ଯାଏ ଫୁଲଦବାକୁ। ତାକୁ ଦାୟିତ୍ୱଟା ଦେଲେ ହବ। ତାକୁ କିଛି ହାତଗୁଞ୍ଜା ଦେଇ ତାଆରି ହାତରେ ରଜାପୁଅର ସନ୍ଦେଶ ପଠେଇଲା ମନ୍ତ୍ରୀପୁଅ। ଜେମାକୁ ଏକୁଟିଆ ପାଇ ମାଲୁଣୀ ବୁଢ଼ୀ ତା’ ହାତରେ ଚିଠି ଧରେଇଦେଲା। “ପ୍ରେମ ସନ୍ଦେଶ ଆସିଛି ଜେମା,” ଏତିକି କହି ଲୁଗାକାନି ମୁହଁରେ ଦେଇ କିରିକିରି ହେଇ ହସିଲା ମାଲୁଣୀ। ନିଆଁଟା ଦୁଇପଟରେ ଲାଗିଥିଲା ବୋଧେ। ଜେମା ଚିଠି ପଢି ଘଡ଼ିଏ ଘିରିଘିରି ହେଇ ନାଚିଗଲା। ମୁହଁରେ ହସ ଖେଳୁଥାଏ। ସେ ରଜାପୁଅକୁ ଭେଟିବାକୁ ହଁ କଲା।

ତା’ ପରଦିନ ଗୋଟିଏ ବିଶ୍ୱସ୍ତ ଦାସୀକୁ ଧରି ଜେମା ଆସିଲା ରଜାପୁଅକୁ ଦେଖା କରିବାକୁ ସେଇ ଦେବୀମନ୍ଦିର ପାଖକୁ। ବଗିଚାରେ ଜେମା ଆଉ ରଜାପୁଅ ପାଖାପାଖି। ରଜାପୁଅ ଜେମାର ଦୁଇହାତ ଧରି କହିଲା, “ତୁମକୁ ଦେଖିବା ଦିନଠୁ ମୋର ମନ ଆଉ ମୋର ହେଇ ନାହିଁ। ମୋର ନିଦ ଭୋକଶୋଷ ସବୁ କୁଆଡେ ଉଡିଯାଇଛି। ତମେ ମୋ ପ୍ରେମକୁ ସ୍ୱୀକାର କର। ଯଦି ମତେ ବିବାହ ପାଇଁ ଯୋଗ୍ୟ ଭାବୁଛ ତାହେଲେ କପଟ ନ ରଖି ନିଜ ମନକଥା ମତେ କହିଦିଅ।”

ଜେମା ରଜାପୁଅର ଆଖିରେ ଆଖି ମିଶେଇ କହିଲା, “ଯୁବରାଜ, ମୁଁ ବି ଆମର ସେଇ ପ୍ରଥମ ଦେଖାରୁ ଆପଣଙ୍କର ହେଇ ସାରିଛି। ଦିନରାତି ମୋର ଆପଣଙ୍କ କଥା ଭାବିଭାବି ଯାଉଛି। କିନ୍ତୁ!” ଏତିକି କହି ଜେମା ଚୁପ୍ ରହିଗଲା। “କିନ୍ତୁ, କିନ୍ତୁ କଣ ରାଜକୁମାରୀ?” ରଜାପୁଅ ପଚାରିଲା। “କିନ୍ତୁ ମତେ ପାଇବାକୁ ହେଲେ ଆପଣଙ୍କୁ ପ୍ରଥମେ ମୋ ପିତାଙ୍କ ପାଖକୁ ପ୍ରସ୍ତାବ ପଠେଇବାକୁ ହବ। ମୋର ଏଥିରେ କିଛି କହିବାର କି କରିବାର ନାହିଁ। ତେଣିକି ମୋ ପିତା ଯାହା ଭାବିବେ ସେ କରିବେ।” ଏତିକି କହି ଜେମା ମୁଣ୍ଡ ତଳକୁ କରିଦେଲା। “ଓଃ! ବାସ୍ ଏଇ କଥା ତ! ମୁଁ ଆଜି ହିଁ ତାହେଲେ ମୋ ପିତାଙ୍କ ସହ କଥାବାର୍ତ୍ତା କରୁଛି।” ଏତିକି କହି ରଜାପୁଅ ଜେମାକୁ ଚାହିଁ ହସିଦେଲା। ଜେମା ପ୍ରତିବଦଳରେ ହସିଲା ନିଶ୍ଚିତ କିନ୍ତୁ ମନ ଭିତରେ ସେ ଆଉ କିଛି ଭାବୁଥିଲା ନିଶ୍ଚିତ। (କ୍ରମଶଃ)

ରଜାପୁଅ ଆଉ ବାଇ ଅସୁରୁଣୀ କଥା (୪)

2_1455103783

ରଜାପୁଅ ରଜାଝିଅକୁ ଶୀଘ୍ର ଭେଟିବବୋଲି ପ୍ରତିଶ୍ରୁତିଦେଇ ମନ ଆନନ୍ଦରେ ଘରକୁ ଫେରିଲା। ରାତିରେ ଆଉ ତାକୁ ନିଦ ନାହିଁ। ଆଖି ବନ୍ଦକଲେ ଜେମା। ଆଖି ଖୋଲିଲେ ଜେମା। ସବୁଆଡେ ଏବେ ତାକୁ ଖାଲି ରାଜଜେମାର ସୁନ୍ଦୁରିଆ ମୁହଁ ଦିଶେ। ଜେମାର ମଲ୍ଲିଫୁଲିଆ ହସ ମନେପଡେ। ତା’ଠାରୁ ଦୂରରେ ରହିବା ଯେ ଏତେ କଷ୍ଟ!! ଉଫ୍! ନିଜ ପିତାଙ୍କ ସହ ସେଇଦିନ କଥା ହବ ବୋଲି କହିଥିଲେ ମଧ୍ୟ ରଜାପୁଅ ମନରେ ଟିକେ ଡର। ମଝିରେ ଦୁଇ ତିନିଥର ପୁଣି ମନ୍ଦିରପାଖରେ ଲୁଚାଛପା ଦେଖାହେଲା ରାଜଜେମା ସହ। ହେଲେ ସେତିକି ଦେଖାରେ କି ମନ ପୁରେ? ରଜାପୁଅ ଦିନଯାକର ବ୍ୟସ୍ତତାରେ ବି ସବୁଦିନ ମାଲୁଣୀବୁଢ଼ୀ ହାତରେ ପ୍ରେମସନ୍ଦେଶ ପଠେଇବାକୁ ଭୁଲେନାହିଁ। ଜେମା ବି ତା’ର ସବୁ ପ୍ରେମପତ୍ରର ଉତ୍ତର ଦିଏ। ଜେମାର ଉତ୍ତର ପାଇବାକୁ ରଜାପୁଅ ଚାତକ ଭଳି ଚାହିଁରହେ। ଏମିତି ଦିନାକେତେ ଚାଲିଲା। ରଜାପୁଅ ତାପରେ ଭାବିଲା ଆଉ ଡେରି କରି ଲାଭ ନାହିଁ। ପିତାମାତାଙ୍କୁ ଏ ସମ୍ଭନ୍ଧରେ ଯେତେ ଶୀଘ୍ର ଜଣେଇଦେବା ଭଲ। ଯାହାକିଛି କରିବେ ସେଇମାନେ ହିଁ ତ କରିବେ। ରଜାପୁଅ ଭଲ ସମୟଟିଏ ଦେଖି ପିତାମାତାଙ୍କୁ ସବୁ କଥା କହିଲା।

ରାଜାରାଣୀ ପୁଅଠୁ ସବୁକଥା ଶୁଣିଲେ। ଏତେଦିନ କଥାଟି ଲୁଚେଇ ରଖିଥିବାରୁ ରାଣୀ ଟିକିଏ ପୁଅ ଉପରେ ଅଭିମାନ ବି କଲେ। କିନ୍ତୁ ଏତେ ଦିନପରେ ପୁଅ ମନକୁ କିଏ ଗୋଟେ ପାଇଚି। ସେ ବାହାହବାକୁ ମନ କରିଛି। ଏତେ ଦିନକେ ପ୍ରାସାଦରେ ଯୋଡ଼ାମହୁରୀ ବାଜିବ। ଏଇଆଭାବି ରାଜାରାଣୀଙ୍କମନ କୁଣ୍ଢେମୋଟ ହେଇଗଲା। ପ୍ରାସାଦ ଉତ୍ସବ ମୁଖର। କନକରାଜ୍ୟର ରାଜାଙ୍କ ପାଖକୁ ପୁଅର ପ୍ରସ୍ତାବ ପଠାଗଲା। ମହାମନ୍ତ୍ରୀ ଆଉ ରାଜପୁରୋହିତ ଗଲେ ରଜାପୁଅର ପ୍ରସ୍ତାବ ନେଇ। ରଜାପୁଅର ସାହସିକତାର କାହାଣୀନେଇ ଖଣ୍ଡମଣ୍ଡଳ ଉଠୁଛି ପଡୁଛି। ତାକୁ ଜ୍ୱାଇଁ କରିବାକୁ ରାଜାଙ୍କ ଭିତରେ ବାଡ଼ିଆପିଟା। ଏମିତି ଜ୍ୱାଇଁଖଣ୍ଡେ ପାଇ କେହି ବି ରାଜା ଗର୍ବରେ ଫାଟିପଡିବ। କେହି ବା କାଇଁକି ମନା କରିବ??

କିନ୍ତୁ ସେମିତି କିଛି ହେଲାନି। ମନ୍ତ୍ରୀ ଆଉ ପୁରୋହିତ ମୁହଁ ଶୁଖେଇ ଫେରିଲେ। କନକରାଜା କୁଆଡେ ଏଇ ବାହାଘର ପାଇଁ ରାଜି ନୁହେଁ। ମନା କରିଦେଲେ। ରଜାପୁଅ ଆଶ୍ଚର୍ଯ୍ୟ ହେଇଗଲା। ରଜାପୁଅର ଆଶ୍ଚର୍ଯ୍ୟଟା ଦୁଃଖରେ ବଦଳିଲା ଆଉ ଦୁଃଖ ଯାଇ ରାଗରେ। ସେ ରାଗରେ ନିଆଁବାଣ ହେଲା। ମନ୍ତ୍ରୀପୁଅକୁ ଡ଼ାକରା ହେଲା। ମନ୍ତ୍ରୀପୁଅ ଆସିଲା।

ରଜାପୁଅ କହିଲା, “ସଙ୍ଗାତ, ଶୀଘ୍ର ପ୍ରସ୍ତୁତ ହୁଅ। କନକରାଜ୍ୟ ଉପରେ ଆକ୍ରମଣ କରିବା। ପଦ୍ମିନୀକୁ ଉଠେଇ ଆଣିବି ମୁଁ। କନକରାଜାର ସାହସ କେମିତି ହେଲା ପଦ୍ମିନୀକୁ ମୋ ସାଙ୍ଗେ ବିଭାଘର ପାଇଁ ମନା କରିବାକୁ?? ଶୀଘ୍ର ସୈନ୍ୟସାମନ୍ତକୁ ପ୍ରସ୍ତୁତ ହବାକୁ କୁହ।” ମନ୍ତ୍ରୀପୁଅ କହିଲା, “ଥୟ ଧର ସଙ୍ଗାତ। ତୁମେ ଯାହା ଭାବୁଚ କଥାଟା ସେଇୟା ନୁହେଁ। ସତକଥାଟା ଲୁଚା ହେଇଚି ତମଠୁ।” ରଜାପୁଅ କହିଲା, “କି କଥା କହୁଚ ସଙ୍ଗାତ? କଣ ହେଇଛି?” ମନ୍ତ୍ରୀପୁଅ କହିଲା, “ସଙ୍ଗାତ ମୁଣ୍ଡଟି ରହିଲେ କହିବି।” ରଜାପୁଅ ବୋଇଲା, “ତୁମେ କି ଆମ ପ୍ରଜା? ତୁମେ ହେଲ ମୋ ସଙ୍ଗାତ। ନିଡ଼ରରେ କୁହ କଣ ହେଇଛି।” ମନ୍ତ୍ରୀପୁଅ ବୋଇଲା, “କନକରାଜା ବିଭାଘର ପାଇଁ ମନା କରିନାହାନ୍ତି। ସେ ଗୋଟିଏ ସର୍ତ୍ତ ରଖିଛନ୍ତି। ଆଉ ସେଇ ସର୍ତ୍ତରେ ଆପଣଙ୍କ ପିତାମାତା ରାଜି ନୁହଁନ୍ତି”। ରଜାପୁଅ ଘଡିଟେ ଥମହେଇ ମନ୍ତ୍ରୀପୁଅକୁ ଚାହିଁଲା। ତାପରେ ପଚାରିଲା, “ସର୍ତ୍ତ?? ଏମିତି କି ପ୍ରକାରର ସର୍ତ୍ତ ସଙ୍ଗାତ?” ମନ୍ତ୍ରୀପୁଅ କହିଲା, “ହଉ କହୁଚି। ମନଦେଇ ଶୁଣ।” (କ୍ରମଶଃ)

ରଜାପୁଅ ଆଉ ବାଇଅସୁରୁଣୀ କଥା (୫)

img_3167

ମନ୍ତ୍ରୀପୁଅ କହିଲା, “କନକରାଜ୍ୟ ରାଜାଙ୍କର ଗୋଟିଏ ସର୍ତ୍ତ ଅଛି। ସେଇ ସର୍ତ୍ତ ଯିଏ ପୁରଣ କରିବ ସେଇ କେବଳ ରାଜଜେମାକୁ ବିଭା ହବ।” “କି ସର୍ତ୍ତ ସଙ୍ଗାତ?,” ରଜାପୁଅ ପଚାରିଲା। ମନ୍ତ୍ରୀପୁଅ କହିଲା, “କନକ ରାଜ୍ୟକୁ ବେପାର କରିବାପାଇଁ ଦେଶବିଦେଶରୁ ବହୁତ ବେପାରୀ ଆସନ୍ତି। ବେପାରୀମାନେ କନକପୁରୀକୁ ଆସିବାପାଇଁ ଜଙ୍ଗଲ ଭିତରଦେଇ କେବଳ ଗୋଟିଏ ମାତ୍ର ରାସ୍ତା। ସେଇ ଜଙ୍ଗଲ ଭିତରେ ଏବେ କୁଆଡୁ ଆସି ଅସୁରୁଣୀଟିଏ ମହାଉପଦ୍ରଵ କରୁଛି। ତା’ ନାଁ କୁଆଡେ ବାଇଅସୁରୁଣୀ। ବହୁତ ଭୟଙ୍କର। ଚେହେରା ବିକଟାଳ। ଯିଏ ସେଇ ରାସ୍ତାରେ ଯାଉଛି ବାଇଅସୁରୁଣୀ ତାକୁ କୁଆଡେ ମାରିଦଉଛି। ବଡ଼ବଡ଼ ଗଛକୁ ଗୋଟିଏ ହାତରେ ଉପାଡି ଲୋକଙ୍କ ଉପରକୁ ଫୋପାଡୁଛି। ଲୋକଙ୍କୁ ଶୂନ୍ୟରେ ଶୂନ୍ୟରେ ଟେକିନେଇ ପାହାଡ ଉପରୁ ଫିଙ୍ଗି ଦଉଛି। ପଶୁପକ୍ଷୀ ବି ତା’ଠୁ ପାର୍ ପାଇ ପାରୁନାହାନ୍ତି। ଶୁଣିଲା ଲୋକ କୁହନ୍ତି ସେ କୁଆଡେ ଏମିତି ଚିତ୍କାର କରେ ଯେ କାନରୁ ରକ୍ତ ବାହାରିଯାଏ। ତା’ ଡ଼ରରେ ଆଉ କଉ ବି ବେପାରୀ କନକପୁରୀ ଆସୁନାହାନ୍ତି। କନକରାଜ୍ୟକୁ ବହୁତ କ୍ଷତି ସହିବାକୁ ପଡ଼ିଲାଣି। ପୁଣି ପ୍ରଜାଙ୍କ ମନରେ ବି କୋକୁଆ ଭୟ। ଯଦି ଅସୁରୁଣୀ କେବେ ଜଙ୍ଗଲ ଛାଡି ରାଜ୍ୟ ଭିତରକୁ ପଶିଆସିବ?? ପ୍ରଜାମାନେ ଡରିଡରି ଜୀବନ କାଟୁଛନ୍ତି। ସେଇଥିପାଇଁ କନକରାଜା ସର୍ତ୍ତ ରଖିଛନ୍ତି ଯେ ଯେଉଁ ପୁରୁଷ ବାଇଅସୁରୁଣୀକୁ ମାରି ତା’ ଆଖି ତାଡି ଆଣି ରାଜାଙ୍କୁ ଦବ, ରାଜା ତା’ ସାଙ୍ଗେ ନିଜ ଝିଅ ପଦ୍ମିନୀକୁ ବାହା ଦେବେ।” ଏତିକି କହି ମନ୍ତ୍ରୀପୁଅ ଦୀର୍ଘନିଶ୍ୱାସଟିଏ ମାରିଲା।

ରଜାପୁଅ ମନ୍ତ୍ରୀପୁଅ କଥା ଶୁଣି ବହୁତ ହସିଲା। “ଓହୋ ଏଇ କଥା! ଏଇଟା ବା କି ବଡ କଥା?? ମୁଁ ଆଜି ହିଁ ବାହାରିଯିବି ଅସୁରୁଣୀକୁ ମାରିବା ସକାଶେ। ତାକୁ ମାରି ପଦ୍ମିନୀକୁ ନିଜର କରିବି।” ରଜାପୁଅ କଥା ଶୁଣି ମନ୍ତ୍ରୀପୁଅ କହିଲା, “ସଙ୍ଗାତ ହେ। ମାନୁଚି ତୁମେ ବହୁତ ସାହସୀ। ତୁମଭଳି ବୀରପୁରୁଷ ମିଳିବା ଏଇ ତ୍ରିଭୁବନରେ ମିଳିବା କଷ୍ଟକର। କିନ୍ତୁ ଇଏ ମଣିଷ ନୁହେଁ ଅସୁରୁଣୀ। ୟାକୁ ମାରିବାକୁ ଯିବା ଯାହା ମରଣ ମୁହଁକୁ ଯିବା ସେଇଆ। ବହୁତ ରାଜପୁତ୍ର ପଦ୍ମିନୀକୁ ପାଇବା ପାଇଁ ସେଇ ଅସୁରୁଣୀ ସାଙ୍ଗରେ ଲଢ଼ିବାକୁ ଯାଇଛନ୍ତି। କିନ୍ତୁ ସେମାନେ କେବେ ଫେରିକି ଆସିନାହାନ୍ତି। ଲୋକେ ତାଙ୍କ ମଲାଦେହ ପଛରେ ଜଙ୍ଗଲରୁ ପାଇଛନ୍ତି। କାହା ଦେହ ନିଆଁରେ ପୋଡ଼ିଯାଇଛି ତ କାହାର ହାତଗୋଡ କାଟି ଦିଅ ହେଇଚି। କାହାର ମୁଣ୍ଡରେ ପୁଣି ପଥର ଛେଚା ହେଇଛି। ଲୁଗାପଟାରୁ ଚିହ୍ନଟ ହେଇଚି ସେ କଉ ରାଇଜର ରାଜକୁମାର। ସେଇ ଅସୁରୁଣୀ ଖାଲି ଅସୁରୁଣୀ ନୁହେଁ ପୁରା ପାଗେଳୀଟିଏ ବି। ତା’ର ଦୟାମୟା ବୋଲି କିଛି ନାହିଁ।” ରଜାପୁଅ କହିଲା, “ସଙ୍ଗାତ, ହୁଏତ ତୁମେ ଯାହା କହୁଚ ସତ ହେଇପାରେ। ଅସୁରୁଣୀ ମତେ ମାରିଲେ ବି ମରିବି ଆଉ ପଦ୍ମିନୀକୁ ନ ପାଇଲେ ବି ମୁଁ ମରିବି। ହେଲେ ପଦ୍ମିନୀକୁ ପାଇବା ପାଇଁ ତା’ ପିତାଙ୍କ ସର୍ତ୍ତ ମାନି ଅସୁରୁଣୀସାଙ୍ଗେ ଯୁଦ୍ଧ କରିବାରେ ଗୋଟିଏ ରାଜପୁତ୍ରର ସମ୍ମାନ ଅଛି। ଆଉ ମୋର ପୁରା ବିଶ୍ୱାସ ସଙ୍ଗାତ କି ସେଇ ଅସୁରୁଣୀର ମୃତ୍ୟୁ କେବଳ ମୋ ହାତରେ ହିଁ ଲେଖା ହେଇଛି। ମତେ ତୁମର ସଦିଚ୍ଛା ଆଉ ଶୁଭେଚ୍ଛା ଦରକାର। ଭାବୁଛି ତୁମେ ମୋ ମନକଥା ବୁଝି ମତେ ସହଯୋଗ କରିବ। ମତେ ଯଥାଶୀଘ୍ର ଏଠୁ ବାହାରିବାକୁ ହବ।” ମନ୍ତ୍ରୀପୁଅ ରଜାପୁଅର କଥାର ଜୋର ଦେଖି ଆଉ କିଛି କହିବା ଉଚିତ ମଣିଲାନି। (କ୍ରମଶଃ)

ରଜାପୁଅ ଆଉ ବାଇଅସୁରୁଣୀ କଥା (୬)

17883618_411321065908850_3002689587502780045_n

ରଜାପୁଅ ବାଇଅସୁରୁଣୀକୁ ମାରିବାକୁ ଯିବା କଥାଟା ଶେଷକୁ ରାଜାରଣୀଙ୍କ କାନକୁ ଗଲା। ସେମାନେ ଦଉଡି଼ ଦଉଡି଼ ରଜାପୁଅ ପାଖକୁ ଆସିଲେ। ରାଣୀ କାନ୍ଦବୋବାଳି ଛାଡିଲେ। କହିଲେ, “ତୁ ଆମର ଏକୋଇର ବଳା ବିଶିକେଶନ। ଆମର ପାକଳ ବୟସରେ ଶିବଦୟାରୁ ପ୍ରାପତ ହେଇଚୁ। ତତେ ଆମେ କେମିତି ସେଇ ବୁଢ଼ୀ ଅସୁରୁଣୀ ମୁହଁକୁ ଠେଲିଦବୁ? ସରଗ ପାତାଳ ଆମେ ଖେଦି ଯିବୁ। ତତେ କନକରାଜା ଝିଅଠୁ ଆଉରି ସୁନ୍ଦରୀ ଜେମା ଖୋଜିଆଣି ଦବୁ। ତୁ କିନ୍ତୁ ସେଇ ଅସୁରୁଣୀ ପାଖକୁ ଯିବା କଥା ମୁହଁରେ ଧରନା ପୁଅ।”

ରାଜା ବିକ୍ରମକେଶରୀ ବି ପୁଅକୁ ବହୁତ ବୁଝେଇଲେ। ରଜାପୁଅ ପୁଅ କିନ୍ତୁ ନଛୋଡବନ୍ଧା। ସେ ବି ନିଜ ପାରୁପର୍ଯ୍ୟନ୍ତ ରାଜାରାଣୀଙ୍କୁ ମନେଇବାରେ ଲାଗିଲା। ଜେମା ପଦ୍ମିନୀଠି ମନ ଲାଗିଛି। ତାକୁ ଯେମିତି ହେଲେ ପାଇବାର ଅଛି। ନିଜର କରିବାକୁ ଅଛି। ରଜାପୁଅ ଆଜିଯାଏଁ ବାପମାଙ୍କୁ କିଛି ମାଗିନି ନିଜପାଇଁ। ଜୀବନରେ ପ୍ରଥମଥର ପାଇଁ କିଛି ଜିନିଷ ପାଇଁ ଜିଦ କରିଛି। ସେଇଟା ନ ମିଳିଲେ ଜୀବନ ହାରିବ। କୌଣସି ସୁନ୍ଦରୀ ଝିଅକୁ କେବେ ଆଖିକୁ ଉଠେଇ ଚାହିଁ ନଥିବା ରଜାପୁଅ ପ୍ରଥମଥର ପାଇଁ କୌଣସି ନାରୀ ପାଇଁ ଜୀବନ ଦବାକଥା କହୁଛି। ପ୍ରଥମ ପ୍ରେମ! ଭାରି ଭୟଙ୍କର ରୋଗ! କିଏ ବା କଣ କରିବ ଏଠି? ଗେହ୍ଲାପୁଅର ଏଇ ଜିଦ ଦେଖି ରାଜାରାଣୀ ଆଉ କଣ କରିବେ! ମନଦୁଃଖରେ ଶେଷରେ ହଁ ମାରିଲେ। କନକରାଜାଙ୍କ ପାଖକୁ ଖବର ପଠାହେଲା। କନକରାଜା ଶୁଣି ବହୁତ ଖୁସି ହେଲେ। ରଜାପୁଅ ପାଇଁ ବିଜୟର ଶୁଭେଚ୍ଛା ବାର୍ତ୍ତା ପଠେଇଲେ।

ମାଲୁଣୀ ହାତରେ ରାଜଜେମା ପାଖକୁ ସନ୍ଦେଶ ପଠାହେଲା। ନିଜ ପିତମାତାଠୁ ବିଦାୟ ନେଇ ରଜାପୁଅ ଜେମାକୁ ଦେଖା କରିବାକୁ ଗଲା ସେଇ ଦେବୀ ମନ୍ଦିରପାଖକୁ। ଜେମାର ଆଖି କାନ୍ଦିକାନ୍ଦି ଗେଣ୍ଡା ପରି ଫୁଲିଯାଇଥାଏ। ମୁହଁ ନାଲି। ରଜାପୁଅର ହାତଧରି ଜେମା କହିଲା, “ମୋଅରି ପାଇଁ ଆଜି ଏଡେ ବଡ଼ ବିପଦକୁ ଆଦରି ନବାକୁ ବସିଛ ରାଜକୁମାର। ମତେ ଯାହା ମରଣ କାହିଁକିି! ତମେ ବୀରପୁରୁଷ। କିନ୍ତୁ ଆଜି ପର୍ଯ୍ୟନ୍ତ କୌଣସି ରଜାପୁଅ ସେଇ ଅସୁରୁଣୀଠୁ ବଞ୍ଚିକି ଫେରିନାହାନ୍ତି। ସେଥିପାଇଁ ମତେ ବହୁତ ଡର ଲାଗୁଛି।” ଏତିକି କହି ଜେମା ସୁଉଁସୁଉଁ ହେଇ ପୁଣି କାନ୍ଦିବାକୁ ଲାଗିଲା। ରଜାପୁଅ ଜେମାଆଖିର ଲୁହ ପୋଛିଦେଲା। କହିଲା, “ସେତିକି ଥାଉ ପଦ୍ମିନୀ। ମୋ ରାଣ ଆଉ ତୁମ ଆଖିରୁ ଯେମିତି ଲୁହ ନ ଗଡେ। ଏବେ କାନ୍ଦିବ ସେ ଅସୁରୁଣୀ। ବୁକୁ ଫଟେଇ। ତାକୁ ମାରି ତା ଆଖିତାଡି ତମ ପାଦତଳେ ଦେବି। ତାପରେ ତୁମକୁ ସବୁଦିନ ପାଇଁ ନିଜର କରିନେବି।” ଏତିକି କହି ରଜାପୁଅ ଜେମାକୁ ଦେଖି ହସିଦେଲା। ଜେମା ଓଠରେ ବି କ୍ଷୀଣ ହସଟିଏ ଖେଳିଗଲା। ତାପରେ ରଜାପୁଅ କହିଲା, “ଜେମା, ମୁଁ ଏଠୁ ଗଲେ ମତେ ତୁମକଥା ବହୁତ ମନେ ପଡିବ।” ଜେମା ନିଜ ଉତ୍ତରୀୟ ଚିରି ସେଇ କପଡ଼ାଟିକୁ ରଜାପୁଅ ହାତରେ ବାନ୍ଧିଦେଲା କହିଲା, “ମୋ କଥା ମନେ ପଡିଲେ ଏଇଟାକୁ ଦେଖିବ। ଏଇଟା ମୋ ପ୍ରେମ। ଏଇଟା ଯେବେ ଯାଏଁ ତୁମ ହାତରେ ବନ୍ଧାଥିବା ଭାବିବ ମୁଁ ବି ତୁମ ସାଙ୍ଗେସାଙ୍ଗେ ଅଛି। ମୁଁ ପ୍ରାର୍ଥନା କରିବି ତୁମେ ଯଥାଶୀଘ୍ର ବିଜୟୀ ହେଇ ଫେର।”

ଏହାପରେ ରଜାପୁଅ ଜେମାଠୁ ମନଦୁଃଖରେ ବିଦାୟ ନେଲା। ମନ୍ତ୍ରୀପୁଅ ତାକୁ ଅପେକ୍ଷା କରିଥାଏ। ମନ୍ତ୍ରୀପୁଅ କହିଲା, “ସଙ୍ଗାତ, ମତେ ସାଙ୍ଗରେ ଆସିବାକୁ ଦିଅ।” ରଜାପୁଅ କହିଲା, “ନାହିଁ ସଙ୍ଗାତ। ଏଇଟା ମୋ ଯୁଦ୍ଧ। ମତେ ଲଢିବାକୁ ଦିଅ। ତୁମେ ଏଠି ମୋ ପିତାମାତାଙ୍କୁ ଟିକେ ଦେଖୁଥିବ। ବିଚରା ଏକୁଟିଆ ଛଟପଟ ହେବେ।” ମନ୍ତ୍ରୀପୁଅ ହଁ ମାରିଲା। ଦୁଇ ସଙ୍ଗାତ କୁଣ୍ଢାକୁଣ୍ଢି ହେଲେ। ରଜାପୁଅ ଘୋଡାରେ ବସିଲା। ମନ୍ତ୍ରୀପୁଅକୁ ଥରେ ଚାହିଁଦେଇ ରଜାପୁଅ ଘୋଡାକୁ ଆଗକୁ ଛୁଟେଇଲା। ମନ୍ତ୍ରୀପୁଅ ଚାହିଁରହିଥାଏ। ଧୀରେଧୀରେ ରାଜପୁଅ ଆଉ ତା ଘୋଡା ଆଖିରୁ ଅପସରି ଗଲେ। (କ୍ରମଶଃ)

ରଜାପୁଅ ଆଉ ବାଇଅସୁରୁଣୀ କଥା (୭)

ଅଗନାଅଗନି ବନସ୍ତ। ରଜାପୁଅ ଘୋଡା ଛୁଟେଇ ଚାଲିଛି ଆଗକୁ। ମନ୍ତ୍ରୀପୁଅ ବାଇଅସୁରୁଣୀର ଗୁମ୍ଫା ଠିକଣା ଆଣିକି ଦେଇଛି। ସେଇ ଠିକଣାରେ ଆଗେଇ ଚାଲିଛି ରଜାପୁଅ। ଅସୁରୁଣୀକୁ ମାରିବାପାଇଁ ଉପାୟ ଚିନ୍ତା କରୁଛି ରଜାପୁଅ। ଅସୁରୁଣୀ ଜଙ୍ଗଲରୁ ଶିକାର କରି ତା ଗୁମ୍ଫାକୁ ଫେରେ। ସେଇ ଫେରିବା ବାଟରେ ଛକି ରହିବ ରଜାପୁଅ। ଅସୁରୁଣୀ ଠିକ ଗୁମ୍ଫା ପାଖାପାଖି ହେଲାବେଳକୁ ତା ଛାତିକୁ ଲକ୍ଷ୍ୟକରି ଅମୋଘ ବାଣ ବିନ୍ଧିବ। ସେଇ ବାଣଟି ଅସୁରୁଣୀର ଛାତି ଚିରି ତା ପିଠିଆଡୁ ବାହାରିବ। ଆଜି ପର୍ଯ୍ୟନ୍ତ ଏଇ ଅମୋଘ ବାଣରୁ ବଡବଡ ଦେବତା ଶୂରବୀର ବି ବର୍ତ୍ତିକି ଯାଇ ପାରିନାହାନ୍ତି। ଆଉ ଇଏ ତ ଛାର ଅସୁରୁଣୀଟିଏ।

ଏମିତି ଯୋଜନା କରି କରି ରଜାପୁଅ ସେମିତି ବଢିଚାଲିଥାଏ ଆଗକୁ। ମଝି ମଝିରେ ଜଙ୍ଗଲ ଭିତରେ ବିଶ୍ରାମ ନଉଥାଏ। ସାଥିରେ ଆଣିଥିବା ଖାଦ୍ୟ ଖାଉଥାଏ। ରାତିରେ ଗଛରେ ଚଢି ଶୋଇପଡେ। ତଳେ ଘୋଡାଟିକୁ ବାନ୍ଧିଦେଇଥାଏ। ଏମିତି ଚାଲୁଚାଲୁ ଚାରିଦିନ ଚାରିରାତି ପାର୍ ହେଇଗଲା।

ପଞ୍ଚମଦିନ ରଜାପୁଅ ଚାଲିଛି ହଠାତ ତାକୁ ଶୋଷ ଲାଗିଲା। ପାଖରେ ଥିବା ପାଣି ସେତେବେଳକୁ ସରିଗଲାଣି। ଆଖପାଖରେ ନଦୀ ପୋଖରୀ କିଛି ବି ଦେଖାଯାଉନି। ରଜାପୁଅ ଆଉରି ଆଗକୁ ବଢ଼ିଲା। ଦେଖିଲା ଜଙ୍ଗଲର ଏଇପଟକୁ ପଶୁପକ୍ଷୀ ବି ଦେଖା ଯାଉନାହାନ୍ତି ବେଶୀ। ଗଛଲତାଗୁଡା ବି କାଇଁକି କେଜାଣି ଶୁଖିଲା ଶୁଖିଲା ଦେଖାଯାଉଛନ୍ତି। ସତେଜତା ନାହିଁ ତାଙ୍କ ଭିତରେ। ଭାରି ଶୁନଶାନ୍ ଲାଗୁଛି ଜାଗାଟି। ଆଗକୁ ଆଗକୁ ରଜାପୁଅ ଦେଖିଲା ଜଙ୍ଗଲ ଭିତରେ ମଣିଷ ମୁଣ୍ଡ, କଙ୍କାଳ, ପଶୁପକ୍ଷୀଙ୍କ ହାଡଗୁଡାକ ଏପଟେ ସେପଟେ ପଡିରହିଛି। ବାଘ କଙ୍କାଳଠୁ ଆରମ୍ଭ କରି ସାପର କଣ୍ଟାଯାଏଁ ସବୁ ସେଇଠି। ରଜାପୁଅ ଟିକିଏ ସତର୍କ ହେଇଗଲା। ଲାଗୁଛି ସେ ଠିକ ରାସ୍ତାରେ ଅଛି। ଅସୁରୁଣୀ ଗୁମ୍ଫା ବୋଧେ ଆଖପାଖରେ।

ରଜାପୁଅ ତା ମୁଣିରୁ ମାନଚିତ୍ରଟି ବାହାର କରିଦେଖିଲା। ହଁ, ପୁରା ଠିକ୍ ବାଟରେ ଅଛି ସେ। ଗୁମ୍ଫା ଅଛି ଟିକିଏ ଆଗକୁ। କିନ୍ତୁ ଭୀଷଣ ଶୋଷ। ଘୋଡା ବି ପାଣି ପିଇବ ପିଇବ ହଉଛି। କିନ୍ତୁ ଏଠି ପାଣି କଉଠି ମିଳିବ? କୁଆଡେ କିଛି ଯେ ଦେଖାଯାଉନି! ଖୋଜିଖୋଜି ଶେଷରେ ରଜାପୁଅ ଗୋଟିଏ ଛୋଟିଆ ନାଳ ପାଖରେ ପହଞ୍ଚିଲା। କିନ୍ତୁ ନାଳଟି ପୁରା ଶୁଖିଲା।

ରଜାପୁଅ ମନଦୁଃଖରେ ଶୁଖିଲା ନାଳଟିକୁ ଚାହିଁଲା। ହଠାତ ଦେଖିଲା ନାଳ ଭିତରେ ପଥରଟିଏ ହଲଚଲ ହଉଛି। ରଜାପୁଅ ସେଇ ଚାଲୁଥିବା ପଥରଟିକୁ ଅପଲକ ନୟନରେ ଦେଖିବାକୁ ଲାଗିଲା। ପଥରଟି କିଛି ସମୟ ପାଇଁ ସ୍ଥିର ହେଇଗଲା। ତାପରେ ପୁଣି ହଲଚଲ ହେଲା। ରଜାପୁଅ ପଥରଟିକୁ ନିଜ ଡାହାଣ ହାତରେ ଉଠେଇନେଇ ବାଁ ହାତ ପାପୁଲିରେ ରଖିଲା। ହଠାତ ଦେଖିଲା ପଥରଟିର ଛୋଟିଆ ମୁଣ୍ଡଟିଏ। ରଜାପୁଅ ଚମକି ପଡିଲା। ତାପରେ ଭଲରେ ଦେଖିଲା ସେଇଟା ପଥର ନୁହେଁ ଛୋଟିଆ କଇଁଛଟିଏ। ରଜାପୁଅ ଆଶ୍ଚର୍ଯ୍ୟ ହେଲା। ଆଖପାଖରେ ଗୋଟିଏ ବୋଲି ଜୀବଜନ୍ତୁ ନାହିଁ। କାଉ କି କୋଇଲି ନାହାନ୍ତି। ଆଉ ଶୁଖିଲା ନାଳ ଭିତରେ ଏଇ ଛୋଟିଆ କଇଁଛଟି?? (କ୍ରମଶଃ)

ରଜାପୁଅ ଆଉ ବାଇଅସୁରୁଣୀ କଥା (୮)

17904241_414956672211956_131024211031009689_n

“ମତେ ମାରନି। ମତେ ମାରନି।” କହିଲା କଇଁଛଟି। ରଜାପୁଅ ଚମକି ପଡିଲା। ଆରେ ଏଇ କଇଁଛଟି କେମିତି କଥା କହୁଛି? ରଜାପୁଅ ପଚାରିଲା , “ତମେ କିଏ”? କଇଁଛ କହିଲା, “ମୁଁ କଥାକୁହା କଇଁଛ।” ରଜାପୁଅ ଆମୋଦିତ ହେଲା।

ତାପରେ ରଜାପୁଅ ତାକୁ ପଚାରିଲା, “ତମେ ଏଠି କଣ କରୁଛ?” କଇଁଛ କହିଲା, “ଏଇଠି ମୋର ବାପାମା ଆଉ ପୁରା ପରିବାର ଥିଲେ। କିନ୍ତୁ ଯେବେଠୁ ବାଇଅସୁରୁଣୀ ଏଇ ଜଙ୍ଗଲକୁ ଆସିଲା ସେବେଠୁ ତା ଉପଦ୍ରବରେ ଏଠିକାର ସବୁ ଜୀବଜନ୍ତୁ ମରିଗଲେ। ସେ ସବୁ ନଦୀନାଳକୁ ବିଷାକ୍ତ କରିଦେଲା। ମୋ ଘରଲୋକ ବି ସବୁ ମରିଗଲେ। ମୁଁ ସେଇଦିନୁ ଏଇ ପଥର ଭିତରେ ଲୁଚିରହିଛି।”

ତାପରେ କଇଁଛ ପଚାରିଲା, “ତମେ କିଏ? ରୂପ ଆଉ ବେଶଭୂଷାରୁ ତ କୋଉ ରାଇଜର ରାଜକୁମାର ଭଳି ଦିଶୁଛ!” ରଜାପୁଅ କହିଲା, “ହଁ, ଠିକ ଚିହ୍ନିଚ। ମୁଁ ସୁମେଧ ରାଜ୍ୟର ରାଜକୁମାର।” ରଜାପୁଅ କଥା ଶୁଣି କଇଁଛ ପଚାରିଲା, “ତମେ ତାହେଲେ ଏଇ ନିର୍ଜନ ବନକୁ କାଇଁ ଆସିଛ ରାଜକୁମାର। ଜୀବନକୁ ଲୋଭ ନାହିଁ କି ତୁମର? ଦିନ ଥିଲା ଏଇ ଜଙ୍ଗଲରେ ବି ଲୋକ ଗହଗହ ହଉଥିଲେ। ଆଉ ଏବେ କୁଆଟିଏ ବି ରାବୁନି। କିନ୍ତୁ ତୁମେ କାଇଁ ଆସିଲ? ସେ ବାଇଅସୁରୁଣୀ ହାତରେ ପଡିଲେ ଆଉ ରକ୍ଷା ନାହିଁ।”

କଇଁଛ କଥାଶୁଣି ରଜାପୁଅ କହିଲା, “ସେ ବାଇଅସୁରୁଣୀର ଆଜି ମୋ ହାତରୁ ରକ୍ଷା ନାହିଁରେ କଇଁଛପୁଅ। ତାକୁ ମାରିବି ଆଉ ତା’ ଆଖି ତାଡି ଆଣିବି ମୁଁ।” ତାପରେ ସେ କଇଁଛକୁ ନିଜର ଆଉ ଜେମା ପଦ୍ମିନୀର କାହାଣୀ ଶୁଣେଇଲା। ସବୁଶୁଣି କଇଁଛ କହିଲା, “ହଉ ରାଜକୁମାର, ମତେ ତାହେଲେ ତୁମ ସାଙ୍ଗରେ ନେଇଯାଅ। ମୁଁ କେବେ ନା କେବେ ତୁମକୁ ନିଶ୍ଚୟ ସାହାଯ୍ୟ କରିବି।”

କଇଁଛର କଥା ସରିଛି କି ନାହିଁ ଦୂରରୁ ଗୋଟିଏ କିଳିକିଳା ରଡି ଶୁଭିଲା। ଆଉ ବି ଶୁଭିଲା ଧପ୍ ଧପ୍ ଶବ୍ଦ ଯେମିତି କି କିଏ ଜଣେ ଜୋରରେ ଜୋରରେ ପାଦ ପକେଇ ଚାଲିଛି। ରଜାପୁଅ କଇଁଛକୁ ପଚାରିଲା, “ଏଇଟା କି ଶବ୍ଦ?” କଇଁଛ ଉତ୍ତର ଦେଲା, “ଏଇଟା ବାଇଅସୁରୁଣୀର ବିକଟାଳ ରଡି। ସିଏ ବୋଧେ ଶିକାର ସାରି ଗୁମ୍ଫାକୁ ଫେରୁଛି।” ରଜାପୁଅ ଏହା ଶୁଣି ସତର୍କ ହେଇଗଲା। ୟା ମନେ ନିଜ କାମ ଏବେ ଆରମ୍ବ କରିବାକୁ ହବ।

ରଜାପୁଅ କଇଁଛକୁ ପଚାରିଲା, “ବାଇଅସୁରୁଣୀର ଗୁମ୍ଫା ତାହେଲେ ଆଖପାଖରେ ଅଛି ନା?” କଇଁଛ କହିଲା, “ହଁ, ରାଜକୁମାର। ଏଇ ଜଙ୍ଗଲ ଭିତରେ ଉତ୍ତର ଦିଗକୁ ଟିକିଏ ଭିତରକୁ ଗଲେ ବାଇଅସୁରୁଣୀର ଗୁମ୍ଫାଟି ପଡିବ। ଟିକେ ସତର୍କ ହେଇଥିବ। ଏଇଟା ତା’ର ଫେରିବା ବେଳ।” ରଜାପୁଅ କହିଲା, “ହଉ ମୁଁ ଖିଆଲ ରଖିବି। ଆଉ ତମକୁ ଏବେ ମୁଁ ମୁଣିରେ ରଖିଲି। ଆରାମରେ ଶୋଇପଡ।” ଏତିକି କହି କଇଁଛଟିକୁ ରଜାପୁଅ ନିଜ କୁର୍ତ୍ତାମୁଣିରେ ପକେଇଦେଲା। ତାପରେ ସେ ଘୋଡା ଛୁଟେଇ ଉତ୍ତର ଦିଗକୁ ମାଡିଗଲା। ଟିକିଏ ଆଗକୁ ଯାଇଛି କି ନାହିଁ ସେ ଦେଖିଲା ସାମ୍ନାରେ ବିରାଟକାୟ ଭୟଙ୍କର ଗୁମ୍ଫାଟିଏ। (କ୍ରମଶଃ)

ରଜାପୁଅ ଆଉ ବାଇଅସୁରୁଣୀ କଥା (୯)

17952445_414873942220229_221489823477813124_n

ଉତ୍ତର ଦିଗକୁ ଟିକିଏ ଭିତରକୁ ଯାଇଛି କି ନାହିଁ ରଜାପୁଅ ଦେଖିଲା ସାମ୍ନାରେ ବିରାଟକାୟ ଭୟଙ୍କର ଗୁମ୍ଫାଟିଏ। ରଜାପୁଅ ପଛପଟ ଜଙ୍ଗଲରେ ନିଜ ଘୋଡାଟିକୁ ଲୁଚେଇଦେଲା। ଘୋଡାକୁ ଠିକ୍ ପ୍ରଶିକ୍ଷଣ ମିଳିଛି। ରଜାପୁଅକୁ କିଛି ହେଇଗଲେ ତା ଘୋଡାଟି ନିଶ୍ଚୟ ସେଠୁ ପଳାୟନ କରିପାରିବ। ଘୋଡାଟିକୁ ଟିକେ ଆଉଁସି ଦେଇ ରଜାପୁଅ ସେଠୁ ଚାଲିଗଲା। ତାପରେ ନିଜେ ଟିକିଏ ଆଗକୁ ଯାଇ ଗୋଟିଏ ଗଛ ଉପରେ ଚଢ଼ିଗଲା।ଅଣ୍ଟାରେ ଲାଗିଥିଲା ତାର ଗୋଟିଏ ଶାଣିତ ଖଣ୍ଡା। ଖଣ୍ଡାଟିକୁ ଥରେ ପରୀକ୍ଷା କରି ଦେଖିନେଲା ସେ। ତାପରେ ନିଜ ଧନୁଶରକୁ ପ୍ରସ୍ତୁତ କରି ଗଛଟିରେ ଲୁଚିକି ରହିଲା। ଅସୁରୁଣୀ ଉପରକୁ ପ୍ରହାର କରିବାକୁ ସେ ଏବେ ପୁରା ତିଆର।

ସନ୍ଧ୍ୟା ହେଇଆସୁଥାଏ। ରଜାପୁଅ ଶୁଣିଲା ପୁଣି ସେଇ ଧପ୍ ଧପ୍ ଶବ୍ଦ। ଧୂଳି ଉଡୁଛି। ରଜାପୁଅ ଦେଖିଲା ବଣଭିତରୁ ଦୋହଲି ଦୋହଲି ଆସୁଛି ଅସୁରୁଣୀଟିଏ। ଅତ୍ୟନ୍ତ ଭୟଙ୍କର ଚେହେରା। ମୁଣ୍ଡରେ ଘଞ୍ଚ ଜଙ୍ଗଲ ଭଳି ମେଞ୍ଚାଏ ଜଟ। ବେକରେ ହାତରେ ହାଡର ମାଳା। ଆଖି ରଡ଼ନିଆଁ ଭଳି ନାଲିନାଲି। ହାତରେ ଏଡ଼େଏଡ଼େ ନଖ। ଦେଖିଦେଲେ ଲୋକେ ମୂର୍ଚ୍ଛା ଯିବେ। ବଡ଼ବଡ଼ ପାଦ ପକେଇ ହଲିହଲି ଆସୁଛି ସେ। ଗୋଟିଏ ଥର ପାଦ ପକେଇଲେ ପୁରା ସଂସାରଟା ଦୋହଲି ଯାଉଛି ଯେମିତି।

ରଜାପୁଅ ତା’ର ବାଣ ସଜାଡ଼ିଲା। ତୀରକୁ ଧନୁରେ ଯୋଖିଲା ସେ। ନିଜ ଆରାଧ୍ୟ ଦେବୀଙ୍କ ନାମ ମନରେ ସ୍ମରଣ କଲା। ଦେଖିଲା ଅସୁରୁଣୀ ପାଖକୁ ପାଖକୁ ଆସିଲାଣି। ରଜାପୁଅ ଅସୁରୁଣୀର ଛାତିକୁ ଲକ୍ଷ୍ୟକରି ବାଣ ଭେଦିଲା। ବାଣ ଯାଇ ସିଧା ଲାଗିଲା ଅସୁରୁଣୀର ଛାତିରେ। ଛାତିଟା ଚିରିଦେଲା ବୋଧେ। କିଳିକିଲା ରଡି ଛାଡି ଭୂଇଁ ଉପରେ ପଡିଗଲା ଅସୁରୁଣୀ। କିଛିସମୟ ଛାତିକୁ ଧରି ଛଟପଟ ହେଲା ସେ। ତାପରେ ଆଉ ହଲଚଲ ନ ହେଇ ପଡ଼ିରହିଲା ସେ। କାଠଗଣ୍ଡିଟିଏ ଭଳି।

ବହୁତ ସମୟ ଯାଏଁ ଅସୁରୁଣୀ ଆଉ ହଲିଲାନି। ମରିଗଲା ବୋଧେ। ରଜାପୁଅ ଶାନ୍ତିରେ ନିଶ୍ୱାସ ମାରିଲା। କିଛିସମୟ ଗଛ ଉପରେ ଅପେକ୍ଷା କଲା। ତାପରେ ଧୀରେ ଧୀରେ ଗଛ ଉପରୁ ଓହ୍ଲେଇ ତଳକୁ ଆସିଲା। ନିଜ ଘୋଡାକୁ ଯାଇ ପଛପଟ ଜଙ୍ଗଲରୁ ନେଇ ଆସିଲା। ପୁଣି ଅସୁରୁଣୀର ଆଖି ତାଡିବାର ଅଛି। ଆଖିନେଇ ଘୋଡା ଉପରେ ବସି ପାର୍ ହେଇଯିବ ସେ। ପଦ୍ମିନୀର ପାଦ ତଳେ ଭେଟିଦେଵ ଆଖି ଯୋଡିକ। ଆଉ ତାପରେ ଜନ୍ମ ଜନ୍ମାନ୍ତରପାଇଁ ପଦ୍ମିନୀ ତାର।

ରଜାପୁଅ ଅଣ୍ଟାରୁ ତା ଖଣ୍ଡାଟା ବାହାର କଲା। ଧୀରେଧୀରେ ଅସୁରୁଣୀ ପାଖକୁ ଗଲା। ତଥାପି ସତର୍କ ଥାଇ ଲକ୍ଷ୍ୟ କରୁଥାଏ କାଳେ ଜୀବନ ଥିବ ଅସୁରୁଣୀର! କିନ୍ତୁ କାହିଁ ନାହିଁ ତ! କୁଆଡୁ ଟିକେ ବି ହଲଚଲ ହବାର ନାହିଁ ସେ। ଶେଷରେ ଅସୁରୁଣୀ ପାଖରେ ପହଞ୍ଚିଲା ରଜାପୁଅ। ତା ଛାତିରେ ଏବେ ବି ଲାଖି ରହିଛି ତୀରଟି। ଅସୁରୁଣୀକୁ ଭଲରେ ଚାହିଁଲା ରଜାପୁଅ। ଅସୁରୁଣୀର ଆଖି ତାଡିବ ଏବେ ସେ ନିଜ ଖଣ୍ଡାମୁନରେ। ଖଣ୍ଡା ଉଠେଇଲା ରଜାପୁଅ। (କ୍ରମଶଃ)

ରଜାପୁଅ ଆଉ ବାଇଅସୁରୁଣୀ କଥା (୧୦)

ଅସୁରୁଣୀକୁ ଭଲରେ ଚାହିଁଲା ରଜାପୁଅ। ଅସୁରୁଣୀର ଆଖି ତାଡିବ ଏବେ ସେ ନିଜ ଖଣ୍ଡାମୁନରେ। ଖଣ୍ଡା ଉଠେଇଲା ରଜାପୁଅ। “ଧପ୍।” ହଠାତ୍ ଖୋଲିଗଲା ବାଇଅସୁରୁଣୀର ଆଖି।

ରଜାପୁଅ ଚମକି ପଡିଲା। ଅସୁରୁଣୀଟି ଗୋଟିଏ ହାତରେ ଚପକିନି ଧରିଲା ରଜାପୁଅର ଖଣ୍ଡା ଆଉ ଗୋଟିଏ ହାତରେ ରଜାପୁଅର ବେକ। ତାପରେ ସେ ଖଣ୍ଡାଟିକୁ ଜୋରରେ ଟାଣିନେଲା ରଜାପୁଅ ହାତରୁ ଆଉ ଫୋପାଡ଼ି ଦେଲା ଦୂରକୁ। ତାପରେ ସେ ରଜାପୁଅର ବେକକୁ ଜୋରରେ ଚିପି ଧରିଲା। ଧୀରେ ଧୀରେ ତଳୁ ଉଠି ଠିଆହେଲା ଆଉ ରଜାପୁଅକୁ ବି ଫିଙ୍ଗିଦେଲା ଦୂରକୁ। ତାପରେ ନିଜ ଛାତିରୁ ତୀରଟିକୁ କାଢି ଦୁଇଖଣ୍ଡ କରିଦେଲା ଅସୁରୁଣୀ।

ରଜାପୁଅ ଦେହରେ ଜୋରରେ ଆଘାତ ଲାଗିଲା। ମୁଣ୍ଡରେ ବି ବାଜିଲା। ତଥାପି ରଜାପୁଅ କଷ୍ଟେମଷ୍ଟେ ଠିଆହେଲା। ଦେଖିଲା କିଛି ଦୂରରେ ତା’ ଖଣ୍ଡାଟି ପଡିଛି। ରଜାପୁଅ ଦଉଡି ଯାଇ ଖଣ୍ଡା ଉଠେଇଲା ଆଉ ଠିଆହେଲା ଅସୁରୁଣୀ ସାମ୍ନାରେ। ଅସୁରୁଣୀ ରଜାପୁଅକୁ ଦେଖି ହାହା ହେଇ ଅଟ୍ଟହାସ୍ୟ କଲା। ତାପରେ ହାତ ବଢ଼େଇ ରଜାପୁଅକୁ ଧରିବାକୁ ଚେଷ୍ଟାକଲା। କିନ୍ତୁ ଏଥର ରଜାପୁଅ ସତର୍କ। ବହୁତ ଚେଷ୍ଟାସତ୍ତ୍ୱେ ରଜାପୁଅକୁ ଧରି ପାରିଲାନି ଅସୁରୁଣୀ।

ଅସୁରୁଣୀ ପୁଣି ହାତ ବଢ଼େଇଲା ରଜାପୁଅ ଆଡକୁ। ରଜାପୁଅ ଖଣ୍ଡାରେ ହାଣି ଅସୁରୁଣୀର ବାହୁରେ ଖଣ୍ଡିଆ କରିଦେଲା। ଅସୁରୁଣୀ ରାଗିଯାଇ କିଳିକିଳା ରଡି ଛାଡିଲା ପୁଣି। ରାଗରେ ଆଗକୁ ବଢିଗଲା ଅସୁରୁଣୀ ଆଉ ଟାଣି ଆଣିଲା ରାଜାପୁଅର ଖଣ୍ଡା। ତାକୁ ଧରି ଦୁଇଖଣ୍ଡ କରିଦେଲା। ତାପରେ ସେ ରଜାପୁଅର ବେକକୁ ଧରିବାକୁ ଗଲା। ରଜାପୁଅ ଅସୁରୁଣୀର ଦୁଇହାତ ଧରି ପକେଇଲା। କିଛି ସମୟ ପର୍ଯ୍ୟନ୍ତ ଦୁଇଜଣଙ୍କ ମଧ୍ୟରେ ଧସ୍ତାଧସ୍ତି ଚାଲିଲା। କାହାରି ବଳ କାହାଠୁ କମ ନୁହେଁ। ଦୁହେଁ ଦୁହିଁଙ୍କୁ ଛାଡୁନଥାନ୍ତି।

କିଛି ସମୟ ଯାଇଛି କି ନାହିଁ ଅସୁରୁଣୀ ଜୋରରେ ବଳ ଲଗେଇ ରଜାପୁଅକୁ ଟାଣିଆଣି ପକେଇଦେଲା ତଳେ। ରଜାପୁଅ ମୁଣ୍ଡରେ ଫେର୍ ଆଘାତ ଲାଗିଲା। କିନ୍ତୁ ସେ ଉଠି ଠିଆହେଲା ଆଉ ଖୋଜିଲା ତା ଧନୁଶର। ସେଇଟା ତା କାନ୍ଧରୁ ଖସି କିଛି ଦୂରରେ ପଡିଥିଲା। ରଜାପୁଅ ଦଉଡି଼ ଯାଇ ତା’ର ଧନୁଶର ଗୋଟେଇଲା ଆଉ ତୀର ଯୋଖିଲା ଧନୁରେ। ଏଥର ଅସୁରୁଣୀଟି ମରିବା ନିହାତି ଜରୁରୀ। ଛାତିରେ ତ ବାଜିଥିଲା ତୀରଟି! ତଥାପି କେମିତି ବଞ୍ଚିଗଲା କେଜାଣି ଅସୁରୁଣୀଟି! ଏଥର ଆଉ ନୁହେଁ। ଏବେକୁ ସେ ମରିବ ହିଁ ମରିବ।

ଏଇଆ ମନରେ ଭାବି ରଜାପୁଅ ଧନୁ ଉଠେଇ ଲକ୍ଷ୍ୟକଲା ଅସୁରୁଣୀ ଆଡକୁ। ଦେଖିଲା ଅସୁରୁଣୀ ଆସି ସାମ୍ନାରେ। ମୁହଁରେ ତା’ର କ୍ରୁର ହସଟିଏ। ଆଉ ନୁହେଁ! ଏଇ ହିଁ ସମୟ! ରଜାପୁଅ ଠିକ୍ ତା’ ଆଡ଼କୁ ତୀର ମାରିଲା ବେଳକୁ ଜଳି ଉଠିଲା ଅସୁରୁଣୀର ଆଖି। ତା ନାଲି ପଟଳରେ ନୀଳନୀଳ ଯୋଡିଏ ଭୟଙ୍କର ଆଖି ଆଉ ସେଇ ଆଖିରୁ ଅଚାନକ ବାହାରି ଆସିଲା ନାଲିନାଲି ରଡନିଆଁ। ଜିଭ ଲହଲହ କରି। ରଜାପୁଅ ଚମକି ପଡିଲା। ଆଖିପିଛୁଳାକେ ସେଇ ନିଆଁରେ ଛିଟିକି ପଡିଲା ସେ। ଜଳିଉଠିଲା ଭଳି ଲାଗିଲା ପୁରା ଦେହ। ସିଝିଗଲା ମୁହଁ। କଉଠି ଦେଖିଛି ଏମିତି ଦୃଶ୍ୟ? ଏଇଟା ତ ନୂଆ ନୁହେଁ ରଜାପୁଅ ପାଇଁ!! ରଜାପୁଅ ଉଠିବାକୁ ଚେଷ୍ଟା କଲା। କିନ୍ତୁ ସେ ଆଉ ଉଠି ପାରିଲାନି। ଦେହ ତା’ର ନିସ୍ତେଜ ହେଇଗଲା। ଆଖିକୁ ସବୁ ଝାପସା ଦେଖାଗଲା। ରଜାପୁଅ ସେଇଠି ପଡ଼ିରହିଲା ଆଉ ତାପରେ କଣ ହେଲା ତା’ର କିଛି ମନେ ନାହିଁ। (କ୍ରମଶଃ)

ରଜାପୁଅ ଆଉ ବାଇଅସୁରୁଣୀ କଥା (୧୧)

ରଜାପୁଅ ଆଖିକୁ ସବୁ ଝାପସା ଦେଖାଗଲା। ରଜାପୁଅ ସେଇଠି ପଡ଼ିରହିଲା ଆଉ ତାପରେ କଣ ହେଲା ତା’ର କିଛି ମନେ ନାହିଁ।

ଆଖି ଖୋଲିଲା ବେଳକୁ ରଜାପୁଅ ଦେଖିଲା ସେ ଗୋଟିଏ ଅନ୍ଧାରୁଆ ଗୁମ୍ଫା ଭିତରେ। କାନ୍ଥରେ ମଶାଲ ଜଳୁଛି। ସେ ନିଜେ ଭୁଇଁରେ ପଡିରହିଛି। ହାତରେ ଗୋଡ଼ରେ ବେକରେ ଶକ୍ତ ଲୁହାର ମୋଟା ବେଡି। ସେ କଉଠି ଅଛି?

ରଜାପୁଅ ପୂର୍ବକଥା ମନେ ପକେଇବାକୁ ଚେଷ୍ଟାକଲା। ହଠାତ ତା’ର ମନେ ପଡିଗଲା ନୀଳନୀଳ ଭୟଙ୍କର ଆଖି ଆଉ ସେଥିରୁ ବାହାରୁଥିବା ହୁତହୁତ୍ ନିଆଁ!! ଏଇ ସ୍ୱପ୍ନ ତ ସେ ସାନବେଳେ ଦେଖୁଥିଲା। ରାତିର ନିଶାର୍ଦ୍ଧ ପହରରେ। ଆଉ କିଳିକିଳେଇ ହେଇ ଚିତ୍କାର କରି ଉଠି ପଡୁଥିଲା। କିନ୍ତୁ ବହୁତ ଦିନ ହେଲା ଏଇ ସ୍ୱପ୍ନଟି ତ ସେ ଆଉ ଦେଖୁନଥିଲା। ହେଲେ ଆଜି? ଆଜି କଣ ସେଇ ଭୟଙ୍କର ସ୍ୱପ୍ନଟି ସତ ହେଇ ସତରେ ତା ସାମ୍ନାରେ??

ରଜାପୁଅ ଉଠିକି ନିଜ ଜାଗାରେ ବସିଲା। ତାପରେ ସେ ନିଜ ହାତ ଆଉ ଗୋଡର ବେଡିକୁ ଟାଣିବାକୁ ଲାଗିଲା। ବହୁତ ଟାଣ ଆଉ ଶକ୍ତ। ସେଥିରୁ କି ରଜାପୁଅ ମୁକୁଳି ପାରେ? “କିଏ ଅଛ? କିଏ ମତେ ଶୁଣି ପାରୁଛ?” ରଜାପୁଅ ଡାକ ଦେଲା। କିନ୍ତୁ କେହି କୁଆଡେ ଦିଶୁନାହାନ୍ତି। ରଜାପୁଅ ପୁଣି ଡାକ ପାରିଲା। କେହି ଶୁଣିଲେନି। ରଜାପୁଅ ବହୁତ ହାଲିଆ ହେଇ ଯାଇଥାଏ। ଗୋଡହାତଗୁଡା ଶିକୁଳିରେ ଜାବୁଡି ହେଇ ଫୁଲିଯାଇଥାଏ। ରଜାପୁଅକୁ ବହୁତ କଷ୍ଟ ହଉଥାଏ। ସେ ପୁଣି ଆଖିବୁଜି ସେଇ ଭୁଇଁରେ ଗଡିପଡିଲା।

କିଛି ସମୟ ପରେ ରଜାପୁଅ ଅନୁଭବ କଲା ତା’ ଗୋଡ଼ ଧରି କିଏ ଗୋଟେ ଟାଣୁଛି। ରଜାପୁଅ ଆଖି ଖୋଲିଲା। ତା ଗୋଡ଼ ପାଖରେ ବସିଛି ବାମନ ଅସୁରଟିଏ। ମୁଣ୍ଡରେ ଦୁଇଟି ଶିଙ୍ଗ। ମୁଣ୍ଡରେ ଜଟା। ବାଇଅସୁରୁଣୀ ଭଳି ୟାର ବି ହାତଗୋଡ ବେକରେ ହାଡର ମାଳ। ପାଟିରେ ଲମ୍ବାଦାନ୍ତ ଆଉ ନଖ ବଡ଼ବଡ଼। ରଜାପୁଅ ତାକୁ ଦେଖି ଚମକି ପଡିଲା।

ବାମନ ଅସୁରର ଆର ହାତରେ ଗୋଟିଏ ଥାଳି। ଥାଳିରେ ଖାଇବା ଜିନିଷ। ଅସୁରଟି ରଜାପୁଅ ପାଖରେ ଥାଳିଟି ଥୋଇଦେଇ କହିଲା, “ଉଠିପଡ଼। ଖାଇଦିଅ ଏଇଟା।” ରଜାପୁଅ ଉଠିକି ବସିଲା। ଆଶ୍ଚର୍ଯ୍ୟ ହେଇ ତାକୁ ଚାହିଁ ପଚାରିଲା, “ତମେ କିଏ?” ଅସୁରଟି ଉତ୍ତର ଦେଲା, “ମୋ ନାଁ ବାମାସୁର। ରଜାପୁଅ ପଚାରିଲା, “ମତେ ଏଠିକି କିଏ ଆଣିଛି ଆଉ ବାନ୍ଧିକି କାହିଁ ରଖିଛି?” ବାମାସୁର ହାହା ହେଇ ଅଟ୍ଟହାସ୍ୟ କଲା। ତାପରେ କହିଲା, “ସେଇଟା ତ ବାଇଅସୁରୁଣୀ କହିବେ ତୁମକୁ କାଇଁକି ବାନ୍ଧିକି ରଖିଛନ୍ତି ବୋଲି। ଆମେ ତ ଖାଲି ସେବକ। କିନ୍ତୁ ଏତିକି ଜାଣିରଖ କି ବଳୀ ଦେବା ପୂର୍ବରୁ ଆମେ ଆମ ଶିକାରର ବହୁତ ଭଲରେ ଯତ୍ନ ନଉ।” ଏତିକି କହି ବାମାସୁର ପୁଣି ହାହା ହେଇ ହସିବାକୁ ଲାଗିଲା।

ଏତିକିବେଳକୁ ସେଇ ବନ୍ଦୀଶାଳକୁ ପଶିଲା ବାଇଅସୁରୁଣୀ। ତା ସାଙ୍ଗରେ ଥାଏ ଆଉ ଗୋଟିଏ ଛୋଟିଆ ଅସୁରୁଣୀ। ରୂପ ଭେକ ବାଇଅସୁରୁଣୀ ଭଳି। ରଜାପୁଅ ସେମାନଙ୍କୁ ଦେଖି ଆଶ୍ଚର୍ଯ୍ୟ ହେଲା। ଏତେଗୁଡ଼େ ଅସୁର ଆଉ ଅସୁରୁଣୀ ଏଇ ଗୁମ୍ଫା ଭିତରେ? ଆଉରି କେତେଜଣ ଅଛନ୍ତି କେଜାଣି! କାଇଁ ଏଇମାନଙ୍କ ବିଷୟରେ ତାକୁ ଆଗରୁ ତ କିଛି କୁହା ହେଇନଥିଲା! (କ୍ରମଶଃ)

ରଜାପୁଅ ଆଉ ବାଇଅସୁରୁଣୀ କଥା (୧୨)

unnamed

ରଜାପୁଅ ବାଇଅସୁରୁଣୀ, ଛୁଆସୁରୀ ଆଉ ବାମାସୁରକୁ ଦେଖି ଆଶ୍ଚର୍ଯ୍ୟ ହେଲା। ଏତେଗୁଡ଼େ ଅସୁର ଆଉ ଅସୁରୁଣୀ ଏଇ ଗୁମ୍ଫା ଭିତରେ? ଆଉରି କେତେଜଣ ଅଛନ୍ତି କେଜାଣି!

ବାଇଅସୁରୁଣୀ ଆସି ରଜାପୁଅ ସାମ୍ନାରେ ଠିଆହେଲା। କିଛି ସମୟ ସେ ରଜାପୁଅକୁ ଚାହିଁରହି ତାପରେ ହାହା ହେଇ ହସିଲା। ରଜାପୁଅ ତାକୁ ହସିବା ଦେଖି ରାଗିଗଲା। ପଚାରିଲା, “ମତେ ଏଠି କାଇଁକି ରଖିଛୁ? କରିବୁ ଯଦି ଯୁଦ୍ଧ କର ମୋ ସାଙ୍ଗେ। ଖୋଲିଦେ ମୋ ବେଡି।”

ବାଇଅସୁରୁଣୀ ପୁଣି ହସିଲା। କହିଲା, “ତତେ ଯୁଦ୍ଧରେ ହରେଇକି ହିଁ ତ ବନ୍ଦୀ ବନେଇଛି। ଆଉ କି ଯୁଦ୍ଧ କରିବୁ ତୁ? ମୋ ନିଆଁକୁ ଦେଖି ସାନପିଲାଙ୍କ ଭଳି ମୂର୍ଚ୍ଛା ଗଲୁ ତୁ। ଆଉ କି ସାହସୀ ତୁ ଯେ ଯୁଦ୍ଧ କରିବି ତୋ ସାଙ୍ଗେ! ତୁ ତ ଛୁଆଟେ। ଗାଲ ଚିପିଲେ ବୋଧେ କ୍ଷୀର ବାହାରିଆସିବ।” ଏଇଆ କହି ବାଇଅସୁରୁଣୀ ରଜାପୁଅର ଗାଲକୁ ଚିପିଦେଲା। ତାପରେ ବାଇଅସୁରୁଣୀ ଛୁଆସୁରୀ ଆଉ ବାମାସୁର ଏକା ସାଙ୍ଗରେ ଖୁବ୍ ଜୋରରେ ହସିଉଠିଲେ।

ଏମାନଙ୍କର ହସ ଦେଖି ରଜାପୁଅ ବହୁତ ଜୋରରେ ରାଗିଗଲା। ସେ ତା’ର ସେଇ ଶିକୁଳିବନ୍ଧା ହାତରେ ବାଇଅସୁରୁଣୀର ବେକକୁ ଚପକିନି ଧରିଲା। ଅସୁରୁଣୀ ତା ହାତକୁ ଛଡେଇବାରେ ଲାଗିଲା। ବାମାସୁର ଆଉ ଛୁଆସୁରୀ ବି ବାଇଅସୁରୁଣୀକୁ ଛଡେଇବାରେ ଲାଗିଥାନ୍ତି ରଜାପୁଅ କବଳରୁ। ରଜାପୁଅ ଆଉରି ଜୋରରେ ତା’ ବେକକୁ ଚିପି ଧରିଲା। ଯେତେ ବଳ ଅଛି ସବୁ ପ୍ରୟୋଗ କରିକି। ବାଇଅସୁରୁଣୀର ନିଶ୍ୱାସ ରୁନ୍ଧି ହେଇଯାଉଥାଏ। ସେ ପ୍ରାଣ ବିକଳରେ ନିଜ ବଡ଼ବଡ଼ ନଖଗୁଡିକୁ ରଜାପୁଅର ହାତରେ ଗଳେଇ ଦେଲା। ତା ନଖ ରଜାପୁଅର ହାତ ଭିତରେ ଗଳି ମାଂସ ବାହାର କରିଦେଲା। ତା ହାତରୁ ରକ୍ତ ଟପ୍ ଟପ୍ ହେଇ ଗଳିପଡୁଥାଏ। ରଜାପୁଅ ଯନ୍ତ୍ରଣାରେ ଚିତ୍କାର କରିଉଠିଲା। କିନ୍ତୁ ତଥାପି ସେ ବାଇଅସୁରୁଣୀର ବେକ ଛାଡୁନଥାଏ।

ତାପରେ ଛୁଆସୁରୀ ଆଉ ବାମାସୁର ବାଇଅସୁରୁଣୀକୁ ଜୋରରେ ଟାଣିଟାଣି ରଜାପୁଅଠୁ ଅଲଗା କରିଦେଲେ। ବାଇଅସୁରୁଣୀ ରାଗରେ ଜଳୁଥାଏ। ଦାନ୍ତ କାମୁଡି କହିଲା, “ଦେଖ୍ ମୁଁ ଏବେ ତୋର କଣ କରୁଛି!” ଛୁଆସୁରୀ ତାକୁ ଟାଣିକି ବାହାରକୁ ନେଇଗଲା। ବାଇଅସୁରୁଣୀ ବାହାରି ଯାଉଯାଉ ଛୁଆସୁରୀକୁ କହିଲା, “ୟାକୁ ମୁଁ ଆରାମରେ ନୁହେଁ ଏମିତି କଷ୍ଟ ଦେଇଦେଇ ମାରିବି ଯେ ତା ଆତ୍ମା ବି କମ୍ପି ଉଠିବ। ସେ ଆଉଥରେ ମଣିଷ ଜନ୍ମ ନବାକୁ ଡରିବ।”

ଏପଟେ ରଜାପୁଅ ରାଗରେ ଫଁ ଫଁ ହେଇ ଚଟାଣରେ ବସିପଡିଲା। ବାମାସୁର ତାକୁ କିଛି ସମୟ ଚାହିଁ କଣ ଭାବିଲା କେଜାଣି କହିଲା, “ଯାହା କଲ ତମେ। ଏବେ ନର୍କଠୁ ବି ଅଧିକ ଯନ୍ତ୍ରଣା ଭୋଗିବ ଏଠି। ହଉ ଖାଇଦିଅ ଟିକିଏ।” ଏତିକି କହି ସେ ରଜାପୁଅ ଆଡକୁ ଖାଇବା ଥାଳିଟା ବଢେଇଦେଲା। ରଜାପୁଅ ରାଗିକି ଚାହିଁଲା ବାମାସୁର ଆଡକୁ। ତାପରେ ଖାଇବା ଥାଳିକୁ ଠେଲିଦେଇ ରାଗିକି କହିଲା ,”ମୁଁ ଖାଇବିନି କିଛି। ତମେ ଯାଅ ଏଠୁ।” ବାମାସୁର ସେଇଠି ବସି ରହିଲା। ରଜାପୁଅ ପାଟିକଲା, “କହିଲି ପରା ଯାଅ। ଶୁଭୁଲାନିି କି?” ବାମାସୁର ତା ରାଗ ଦେଖି ଖାଇବାଥାଳିଟି ଉଠେଇ ନେଇ ସେଠୁ ଚାଲିଗଲା। (କ୍ରମଶଃ)

ରଜାପୁଅ ଆଉ ବାଇଅସୁରୁଣୀ କଥା (୧୩)

ରଜାପୁଅ ସେଦିନ ରାତିରେ କିଛି ଖାଇଲାନି। ବାମାସୁର ତାକୁ ଖାଇବାକୁ କହିଲରୁ ସେ ତା ଉପରେ ପାଟିକଲା। ତା’ ରାଗ ଦେଖି ବାମାସୁର ସେଠୁ ଉଠି ଚାଲିଗଲା। ତା’ ପରଦିନ ସକାଳୁ ରଜାପୁଅ ଉଠିଲା। ଦେହ ନିସ୍ତେଜ ନିସ୍ତେଜ ଲାଗୁଥାଏ। ଦୁଇଦିନ ହେଲା କିଛି ଖାଇନି। ଦେହରୁ ରକ୍ତ ବି ବୋହି ଶୁଖିଯାଇଛି। ରଜାପୁଅ ଆଖି ଖୋଲି ଚାହିଁଲା।

ହଠାତ ତାର ନିଜ କୁର୍ତ୍ତିମୁଣିରେ ଥିବା କଇଁଛ କଥା ମନେପଡିଲା। ବିଚରା ବଞ୍ଚିଛି ନ ନାହିଁ। କଣ ଯେ ଅବସ୍ଥା ହେଇଥିବ ତା’ର! ରଜାପୁଅ ନିଜ ମୁଣିରେ ହାତ ପୁରେଇ କଇଁଛଟିକୁ କାଢିଲା। ହଲଚଲ ହଉନି ସେ। ବିଚରା! ମରିଗଲା ବୋଧେ। କିନ୍ତୁ ଏ କଣ! ହଠାତ୍ ନିଜ ଖୋଳପାରୁ ମୁଣ୍ଡକାଢି କଇଁଛ ରଜାପୁଅକୁ ଚାହିଁଲା। କହିଲା, “ରାଜକୁମାର, କେତେ କଷ୍ଟ ସହିଲଣି ତମେ! କଷ୍ଟ ହଉଛି ମତେ ଦେଖି।” ରଜାପୁଅ ମୁହଁରେ ଶୁଖିଲା ହସଟିଏ ଖେଳିଗଲା।

କଇଁଛ ପୁଣି ମୁହଁ ଖୋଲିଲା ଆଉ କହିଲା, “ରଜାପୁଅ ମୁଁ ତୁମର କି ସାହାଯ୍ୟ କରିବି କୁହ।” ରଜାପୁଅ କହିଲା, “ତମେ ମତେ କେମିତି ସାହାଯ୍ୟ କରିପାରିବ କଇଁଛପୁଅ? ମତେ ମୋ ସଙ୍ଗାତ ପାଖକୁ ସନ୍ଦେଶ ପଠେଇବାର ଅଛି। ତୁମେ କଣ ଯାଇପାରିବ?” କଇଁଛ କହିଲା, “ରଜାପୁଅ ତୁମେ ମୋ କଚ୍ଛପ ଗତି ଦେଖି ଡରିଯାଉଛ କି? ମୁଁ କଥାକୁହା କଇଁଛ। ଆଉ ସେମିତି ମୋ ଗତି କଉ ଚଢେଇ କି ଘୋଡା ଭଳି ନହେଲେ ବି ଅଲଗା କଇଁଛଙ୍କ ଭଳି ଏତେ ଧୀର ନୁହେଁ। ମୁଁ ତୁମ ସନ୍ଦେଶ ନେଇ ତୁମ ସଙ୍ଗାତଙ୍କୁ ଯେତେ ଶୀଘ୍ର ପାରେ ଦେବାକୁ ଚେଷ୍ଟା କରିବି। ତୁମେ ସନ୍ଦେଶଟି ଲେଖି ମତେ ଜଲଦି ଦିଅ।”

ରଜାପୁଅ କଇଁଛ କଥା ଶୁଣି ବହୁତ ଖୁସି ହେଲା। ସେ ନିଜ ନୀଳକୁର୍ତ୍ତା ଚିରି ସେଥିରେ ନିଜ ରକ୍ତରେ ସନ୍ଦେଶ ଲେଖିଲା ମନ୍ତ୍ରୀପୁଅକୁ। ତାପରେ ତାକୁ କଇଁଛ ଦେହରେ ବାନ୍ଧିଦେଲା। କଇଁଛକୁ ନିଜ ରାଜ୍ୟର ଆଉ ମନ୍ତ୍ରୀପୁଅ ଘରର ଠିକଣା ବତେଇଲା। କଇଁଛ ଛୁଆଟି କାରାଗାର ଦ୍ୱାରର ତଳବାଟ ଦେଇ ଧୀରେଧୀରେ ସେଇ ଜାଗାରୁ ଅପସରି ଗଲା। ରଜାପୁଅ ଦୀର୍ଘ ନିଶ୍ୱାସଟେ କଇଁଛର ଯିବା ବାଟକୁ ଚାହିଁ ରହିଲା। ଭଗବାନଙ୍କୁ ପ୍ରାର୍ଥନା କଲା କି କଇଁଛ ଛୁଆଟି ବାଟରେ କାହା ହାତରେ ନ ପଡୁ। ବିଶେଷ କରି ଏଇ ଅସୁର ଅସୁରୀଦଳଙ୍କ ହାତରେ!

ସେଦିନ ସକାଳୁ କଇଁଛପୁଅ ସେଠୁ ବାହାରିଯିବାର କିଛି ସମୟ ପରେ ବାଇଅସୁରୁଣୀ ଆସି ପହଞ୍ଚିଲା କାରାଗାରରେ। ଆଜି ସେ ଏକୁଟିଆ। ବାମାସୁର ଆଉ ଛୁଆସୁରୀ ନାହାନ୍ତି ସାଙ୍ଗରେ। ବାମାସୁର ଆଉ ଛୁଆସୁରୀ ବର୍ତ୍ତମାନ ରଜାପୁଅକୁ ମାରିବାର ବ୍ୟବସ୍ଥା କରୁଛନ୍ତି। କିଛି ସମୟ ପରେ ସେଇ ଦୁଇଜଣ ଆସି ରଜାପୁଅକୁ ନେଇଯିବେ। ତାପରେ ଗୋଟିଏ ଗୋଟିଏ କରି ତା’ର କାନ, ନାକ, ଆଙ୍ଗୁଠି, ହାତଗୋଡ ସବୁ କଟାହବ। କଟିଥିବା ଜାଗାରେ ଲଙ୍କାଗୁଣ୍ଡ ବୋଳାହବ। ରଜାପୁଅ ଚିତ୍କାର କରି କାନ୍ଦିବ। ମତେ ମାରିଦିଅ ବୋଲି ଗୁହାରୀ କରିବ। ବାଇଅସୁରୁଣୀ କିନ୍ତୁ ତାକୁ ମାରିବନି। ହସିହସିକା ମଜା ଦେଖିବ। (କ୍ରମଶଃ)

ରଜାପୁଅ ଆଉ ବାଇଅସୁରୁଣୀ କଥା (୧୪)

17952445_414873942220229_221489823477813124_n

ରଜାପୁଅକୁ ମାରିବା ପୂର୍ବରୁ ବାଇଅସୁରୁଣୀ ଆସିଲା ତା ବନ୍ଦୀଶାଳକୁ। ବନ୍ଦୀଶାଳର ଦୁଆର ପାଖରେ ଠିଆହେଇ ଅଣ୍ଟାରେ ଦୁଇହାତ ଦେଇ ଠିଆହେଇ କହିଲା, “ତୁ କିଏ ମୁଁ ଜାଣିନି। ଆଉ କାହିଁକି ଏଠିକି ଆସିଥିଲୁ ମୁଁ ଜାଣିନି। କିନ୍ତୁ ଏଇଟା ଜାଣିଛି ଯେ ତୁ ତୋ ଜୀବନର ସବୁଠୁ ବଡ ଭୁଲ କଲୁ ଏଠିକି ଆସିକି। ଆଉ ତୁ ପଚାରୁଥିଲୁ ନା ତତେ କାଇଁ ବାନ୍ଧିକି ରଖିଛି? କାଇଁକିନା ତୁ ଏକମାତ୍ର ବୀର ଯିଏ ମୋ ସାଙ୍ଗରେ ଏତେ ସାହସରେ ଲଢେଇ କରିଛି। ସେଇଥି ପାଇଁ ତତେ ନେଇକି ଆସିଲି। ଆଉ କିଛିଦିନ ବଞ୍ଚିଯିବୁ ବୋଲି। ନହେଲେ ତତେ ସେଇଠି ମାରିଦେଇଥାନ୍ତି ସେଦିନ। ତେଣୁ ଭାବେନା ମୁଁ ତତେ ଛାଡିଦେବି ବୋଲି। ମରିବା ତ ତୋର ନିଶ୍ଚିତ।”

ରଜାପୁଅ ତା ବସିବା ଜାଗାରୁ ଠିଆହେଇଗଲା। ତାପରେ ଅସୁରୁଣୀକୁ ଚାହିଁ ସେ କହିଲା, “ଥରେ ମୋ ହାତଗୋଡ ଖୋଲି କି ଦେଖେ। ତାପରେ ଜାଣିବୁ ଆଜି କିଏ କାହାକୁ ଛାଡିବ ଆଉ କିଏ କାହାକୁ ରଖିବ।” ବାଇଅସୁରୁଣୀ ତା’ କଥାଶୁଣି ହସିଲା। ତାପରେ ତା’ ପାଖକୁ ଆସି କହିଲା, “ଏଇ କଥା ତୁ ପ୍ରଥମ ଦିନରୁ କହି ଆସୁଛୁ ଆଉ ମୁଁ ଶୁଣିଆସୁଛି। କିନ୍ତୁ କାଲିଠୁ ତୁ ଆଉ କିଛି ବି କହିବା ପରିସ୍ଥିତିରେ ନଥିବୁ। ଗତ କାଲିଥିଲା ତୋ ଜୀବନର ଶେଷ ରାତି। ଆଉ ଏଇଟା ହେଲା ତୋ ଜୀବନର ଶେଷ ସକାଳ। ତୁ ଏଇ ବନ୍ଦୀଶାଳରୁ ବାହାରିବାକୁ ଭାରି ବିକଳ ହଉଥିଲୁ ନା ! ଆଜି ତତେ ମୁକ୍ତ କରିଦେବି ମୁଁ। ଆଉ ଖାଲି ଏଇ ବନ୍ଦୀଶାଳରୁ ନୁହେଁ ଏଇ ମଣିଷ ଜୀବନରୁ ମୁକ୍ତି ପାଇଯିବୁ ତୁ।”

ଏତିକି କହି ଅସୁରୁଣୀ ହାହା ହେଇ ହସିଲା। ବାଇଅସୁରୁଣୀ ସେମିତି ହାହା ହେଇ ହସୁଛି ସେ କଣ ଗୋଟିଏ ଦେଖିଲା ତା ହସଟା ହଠାତ୍ ବନ୍ଦ ହେଇଗଲା। ଏଇଟା କଣ? ଏଇଟା କାହା ଚିତ୍ର? କିଏ କରିଛି ଏଇଟା? ବାଇଅସୁରୁଣୀ ବନ୍ଦୀଶାଳର କାନ୍ଥପାଖକୁ ଆସି ଚିତ୍ରଟିକୁ ନିରେଖିକି ଦେଖିଲା।

କାଲି ରାତିସାରା ଡେରି ପର୍ଯ୍ୟନ୍ତ ଅନିଦ୍ରା ରହିଛି ରଜାପୁଅ। ରହି ରହି ମନେ ପଡିଛି ପଦ୍ମିନୀ। ନିଜ ହାତରୁ ବହୁଥିବା ରକ୍ତକୁ ରଙ୍ଗ କରି ଆଉ ନିଜ ଆଙ୍ଗୁଠିକୁ ତୁଳୀ କରି ରଜାପୁଅ ଆଙ୍କିଛି ଜେମା ପଦ୍ମିନୀର ଚିତ୍ର। ପଦ୍ମିନୀର ସେ ଋଷି ମନଲୋଭା ରୂପ। ମୃଗନୟନୀ ସେ, ଢଳଢଳ ଟଣାଟଣା ଆଖି, ତିଳଫୁଲ ଭଳି ନାସିକା ଗୋଲାପ ପାଖୁଡା ଭଳି ଓଠ। ପରୀଟିଏ ସତେ ଯେମିତି।

ବହୁତ ସମୟଯାଏଁ ଚିତ୍ରଟିକୁ ଦେଖିଲା ବାଇଅସୁରୁଣୀ। ମନ ଭିତରେ ସତେ ଯେମିତି ତାର ଅସରନ୍ତି ଭାବନା। ତାପରେ ସେ ଛୁଇଁଲା ଚିତ୍ରଟିକୁ। ପୁଣି ଧୀରେ ଧୀରେ ଆଉଁସିଲା ତାକୁ ଯେମିତି ସେ କଅଁଳିଆ ଛୁଆଟିଏକୁ ଆଉଁସୁଛି। ସ୍ନେହରେ, ପ୍ରେମରେ ନା ଆଉ କିଛି !! ରଜାପୁଅ ଆଶ୍ଚର୍ଯ୍ୟ ହେଇଗଲା ଅସୁରୁଣୀର ଏଇ ରୂପ ଦେଖି। ଅସୁରୁଣୀର ଆଖିରେ ଲୁହଭଳି କିଛି ଢଳଢଳ ହଉଛି କି? ଇଏ କି ଅପୂର୍ବ କଥା!

କିନ୍ତୁ ରଜାପୁଅ ଆଉ କିଛି ଭାବିବା ବା ବୁଝିବା ପୂର୍ବରୁ ଅସୁରୁଣୀର ସେଇ ଆଖିଲୁହ ପରିଣତ ହେଲା କ୍ରୋଧର ନିଆଁ ରେ। ପ୍ରଥମେ ଅସୁରୁଣୀ ସେଇ କାନ୍ଥରେ ଥିବା ଚିତ୍ରଟିକୁ ନିଜ ବଡ଼ବଡ଼ ନଖରେ ରାମ୍ପୁଡି ପକେଇଲା। ତାପରେ ସେ ଏମିତି କିଳିକିଳା ରଡ଼ିଟିଏ ଛାଡିଲା ଯେ ରଜାପୁଅକୁ ମନେହେଲା ଯେମିତି ତା କାନରୁ ରକ୍ତ ବାହାରିଯିବ। ତାପରେ ବାଇଅସୁରୁଣୀ ଦୁମଦୁମ ହେଇ ସେଇ ବନ୍ଦୀଶାଳରୁ ବାହାରିଗଲା। ରଜାପୁଅ ତା ଯିବାବାଟକୁ ଆଶ୍ଚର୍ଯ୍ୟ ହେଇ ଚାହିଁରହିଲା। (କ୍ରମଶଃ)

ରଜାପୁଅ ଆଉ ବାଇଅସୁରୁଣୀ କଥା (୧୫)

ବନ୍ଦୀଶାଳରୁ ଦୁମଦୁମ ହେଇ ବାହାରିଯାଇ ବାଇଅସୁରୁଣୀ ତା ଗୁମ୍ଫା ଭିତରେ ଗୋଟିଏ କୋଠରୀ ସାମ୍ନାରେ ଯାଇ ପହଞ୍ଚିଲା। ଛୁଆସୁରୀ ତା ପଛେ ପଛେ ଦଉଡି଼ଯାଇ ତାକୁ ପଚାରିଲା, “କଣ ହେଇଛି। କଣ ହେଇଛି। ମତେ କୁହ।” କିନ୍ତୁ ବାଇଅସୁରୁଣୀ ତାକୁ କିଛି ଉତ୍ତର ନ ଦେଇ ସେଇ କୋଠରୀ ଭିତରେ ପଶି କବାଟ କିଳିଦେଲା। ଛୁଆସୁରୀ କବାଟକୁ ଧଡ଼ଧଡ଼ କଲା। କିନ୍ତୁ ଭିତରୁ ଆଉ କିଛି ପ୍ରତିକ୍ରିୟା ନ ଦେଖି ସେ ବାମାସୁରକୁ ଡାକିବାକୁ ଚାଲିଗଲା।

ଭିତରେ ପଶିଗଲା ପରେ ବାଇଅସୁରୁଣୀ କୋଠରୀ ଭିତରେ ଥରେ ନଜର ବୁଲେଇଲା। କେତେଦିନ ପରେ ଆଜି ଆସିଛି ସେ ଏଇ କୋଠରୀକୁ। ଅନାବନା ଜିନିଷରେ ଭର୍ତ୍ତି ହେଇରହିଛି କୋଠରୀଟି। ବୁଢିଆଣି ଜାଲ ସବୁଆଡେ। ଧୀରେ ଧୀରେ ଆଗକୁ ବଢ଼ିଲା ସେ। ସାମ୍ନାରେ କିଛି ଗୋଟେ ଜିଣିଷକୁ ଢଙ୍କା ହେଇଛି କଳାରଙ୍ଗର କପଡ଼ାରେ। ତା ସାମ୍ନାରେ ଠିଆହେଲା ବାଇଅସୁରୁଣୀ। ହାତ ଉଠେଇ ଟାଣିଦେଲା କପଡ଼ାଟିକୁ।

ସାମ୍ନାରେ ବିରାଟକାୟ ଦର୍ପଣଟିଏ। ଦର୍ପଣରେ ଦିଶିଗଲା ଅସୁରୁଣୀକୁ ନିଜ ବିକଟାଳ ମୁହଁ। ଭୟଙ୍କର। ମୁଣ୍ଡ ଜଟ। ଶାଣିତ ନଖ ଆଉ ଦାନ୍ତ। ଅସୁରୁଣୀର ଆଖି ପୁଣି ଜଳିଉଠିଲା। ସେ ରାଗରେ ଦାନ୍ତ କଡ଼ମଡ଼ କଲା। ନିଜ ହାତକୁ ମୁଠା କଲା ଆଉ ଦର୍ପଣକୁ ଗୋଟିଏ ବିଧା ମାରିଲା। ଝଣଝଣ କରି ଦର୍ପଣର କାଚପୁରା ଚୁନା ହେଇ ଖସିଗଲା। ଅସୁରୁଣୀର ହାତକଟି ରକ୍ତ ବାହାରିଲା। ତାପରେ ଅସୁରୁଣୀ ପୁଣି ସେଇ କୋଠରୀର ଦରଜା ଖୋଲି ତୀଵ୍ରଗତିରେ ବାହାରିଗଲା।

ଦରଜା ପାଖରେ ଠିଆହେଇଥାନ୍ତି ଛୁଆସୁରୀ ଆଉ ବାମାସୁର। ସେମାନଙ୍କ ଆଡକୁ ନ ଚାହିଁ ଗୁମ୍ଫା ଛାଡି ବାଇଅସୁରୁଣୀ ବାହାରକୁ ଚାଲିଗଲା। କିଛି ସମୟ ପରେ ସେମାନେ ଶୁଣିବାକୁ ପାଇଲେ ବାଇଅସୁରୁଣୀର କିଳିକିଳା ରଡି। ତାପରେ ପୁଣି ଶୁଣିଲେ ବଡ ବଡ ଗଛ ଓପଡାହେଇ ଫୋପାଡିବାର ଶବ୍ଦ। ଅସୁରୁଣୀର ଉତ୍ପାତରେ ପୁରା ଜଙ୍ଗଲଟି ସେଦିନ ଉଠୁଥାଏ ପଡୁଥାଏ।

ଛୁଆସୁରୀ ଆଉ ବାମାସୁର ଦଉଡି଼ ଦଉଡି଼ ରଜାପୁଅ ପାଖକୁ ଗଲେ। ଛୁଆସୁରୀ ରାଗିକି ପଚାରିଲା ରଜାପୁଅକୁ, “ହଇରେ ତୁ ନିଶ୍ଚୟ କିଛି କହିଛୁ ଆମ ଅସୁରୁଣୀକୁ? କହ ତୁ କଣ କହିଛୁ?” ରଜାପୁଅ ଉତ୍ତର ଦେଲା, “ମୁଁ କାହିଁକି ତାକୁ କିଛି କହିବି? ସେ ନିଜେ ନିଜେ ଏମିତି ପାଗେଳୀଭଳି ହଉଛି। ବାମାସୁର କହିଲା, “ସେ ତ ତମକୁ ଭେଟିବାକୁ ଆସିଥିଲେ ଏଠିକି। ଆଉ ତାପରେ ହିଁ ସେ ଏମିତି ହଉଛନ୍ତି। ତା ମାନେ ତୁମେ ହିଁ କିଛି କହିଛ। ସତ କୁହ।”

ରଜାପୁଅ କାନ୍ଥରେଥିବା ଚିତ୍ର ଆଡକୁ ଆଙ୍ଗୁଠି ଦେଖେଇ କହିଲା, “ଏଇ ଚିତ୍ରଟିକୁ ଦେଖ। ୟାକୁ ହିଁ ଦେଖି ତମ ବାଇଅସୁରୁଣୀ ସତକୁ ସତ ବାଇ ହେଇଯାଇଛି।” ଛୁଆସୁରୀ ଆଉ ବାମାସୁର ସେଇ ଚିତ୍ରଆଡକୁ ଚାହିଁଲେ। କାନ୍ଥରେ ପଦ୍ମିନୀର ଅପ୍ସରୀସମ ଝଲମଲ ମୁଖମଣ୍ଡଳ। ଗାଲରେ ବାଇଅସୁରୁଣୀର ଆମ୍ପୁଡା ଚିହ୍ନ। ଚନ୍ଦ୍ରରେ ଦାଗ ସଦୃଶ। ସେଇ ଚିତ୍ରଟିକୁ ଦେଖି ଛୁଆସୁରୀ ଆଉ ବାମାସୁର ନିଜ ନିଜ ଭିତରେ ଦେଖାଦେଖି ହେଲେ। ତାପରେ ସେମାନେ ରଜାପୁଅ ସାଙ୍ଗରେ ଆଉ କିଛି କଥାବାର୍ତ୍ତା ନ କରି ସେଇ ବନ୍ଦୀଶାଳରୁ ବାହାରିଗଲେ। (କ୍ରମଶଃ)

ରଜାପୁଅ ଆଉ ବାଇଅସୁରୁଣୀ କଥା (୧୬)

ସେଦିନ ରାତିରେ ବାହାରକ ୁଯାଇ ଆଉ ଫେରିଲାନି ବାଇଅସୁରୁଣୀ। ରାତିସାରା ତାର ଫେରିବା ବାଟକୁ ଚାହିଁକି ବସିଥାନ୍ତି ଛୁଆସୁରୀ ଆଉ ବାମାସୁର। ଦିନସାରା ଜଙ୍ଗଲରେ ବୁଲୁଥାଏ ଅସୁରୁଣୀ। ତା ତଣ୍ଟିଫଟା ଚିତ୍କାର ଶୁଣିପାରୁଥାନ୍ତି ସେମାନେ। କିନ୍ତୁ ଗୁମ୍ଫାକୁ ଫେରୁ ନ ଥାଏ ସେ।

ରାତିରେ ରଜାପୁଅ ପାଖକୁ ଖାଇବାନେଇ ଗଲା ବାମାସୁର। ଚୁପଚାପ୍ ଖାଇବା ରଖିଦେଲା ତଳେ। ସବୁଦିନ ରଜାପୁଅକୁ କିଛି ନା କିଛି ହାଡ଼ଜଳା କଥା କହି ରଗେଇଦିଏ ବାମାସୁର। ଆଜି କିନ୍ତୁ ସେ କିଛି କହିଲାନି। ମନଦୁଃଖରେ ଥାଏ ବୋଧେ। ରଜାପୁଅ ତା ମୁହଁକୁ ଚାହିଁଲା। ତାପରେ ବାମାସୁର ଫେରି ଯାଉଯାଉ ରଜାପୁଅ ତାକୁ ପଚାରିଲା, “ମତେ ଆଜି ଟିକଟିକ୍ କରି କାଟିକି ମାରିବ ପରା! କୁଆଡେ ଗଲା ତମ ବାଇଅସୁରୁଣୀ?” ବାମାସୁର ରଜାପୁଅ ଆଡକୁ ଦେଖିଲା ଥରେ। ତାପରେ କିଛି ନ କହି ସେଠୁ ଫେରିଗଲା। ରଜାପୁଅ ବୁଝିଗଲା ବାଇଅସୁରୁଣୀ ଫେରିନି। କିନ୍ତୁ କାହିଁକି ଫେରିନି ସେଇଟା ତାର ଅବୁଝା ରହିଗଲା।

ରଜାପୁଅ ଦୀର୍ଘ ନିଶ୍ୱାସଟେ ଛାଡି ତଳେ ବସିପଡିଲା। କଇଁଛପୁଅ କେତେ ଦୂର ପହଞ୍ଚିଲା କେଜାଣି! କେବେ ଦବ ସନ୍ଦେଶ ମନ୍ତ୍ରୀପୁଅକୁ?? ପଦ୍ମିନୀର ମୁହଁଟି ମନେ ପଡିଗଲା ରଜାପୁଅର। ହା ପଦ୍ମିନୀ!! ରଜାପୁଅ ନିଜ ହାତକୁ ଚାହିଁଲା। ହାତରେ ବନ୍ଧା ହେଇଛିି ପଦ୍ମିନୀର ଉତ୍ତରୀୟ। ପଦ୍ମିନୀର ପ୍ରେମର ପ୍ରତୀକ। କେମିତି ଥିବ ସେ? କେବେ ଦେଖିବ ରଜାପୁଅ ପୁଣି ପଦ୍ମିନୀର ମଲ୍ଲିଫୁଲିଆ ହସ!

ତା ପରଦିନ ବାମାସୁର ପୁଣି ଖାଇବାନେଇ ଆସିଲା। ତାକୁ ରଜାପୁଅ ପାଖରେ ତଳେ ଥୋଇଦେଲା। ସେ ଫେରି ଯାଉଯାଉ ରଜାପୁଅ ତାକୁ ପଚାରିଲା, “କଣ ତମ ବାଇଅସୁରୁଣୀ ଏଯାଏଁ ଫେରିନାହାନ୍ତି?” ବାମାସୁର ତାକୁ ଚାହିଁ ମୁଣ୍ଡ ହଲେଇ ନାହିଁ କଲା। ରଜାପୁଅ ବାମାସୁରକୁ କହିଲା, “ଟିକିଏ ଆସି ଏଠି ବସ। ବାମାସୁର ଟିକିଏ ସମୟ ରଜାପୁଅକୁ ଚାହିଁଲା। ତାପରେ ଆସି ତା’ ପାଖରେ ବସିପଡିଲା।
ଠିକ୍ ସେତିକିବେଳକୁ ବହୁତ ଦୂରରୁ ଅସୁରୁଣୀର ଅତି ଜୋରରେ ଚିତ୍କାର ଶୁଭିଲା। ବାମାସୁର ବାହାରପଟକୁ ଚାହିଁଲା। ରଜାପୁଅ ପଚାରିଲା, “କଣ ହେଇଛି ବାଇଅସୁରୁଣୀର? କାଇଁକି ଏମିତି ହଉଛି ସେ?” ବାମାସୁର ବୋଧେ କିଛି କହିବାକୁ ଯାଉଥିଲା। କିନ୍ତୁ ସେତିକି ବେଳକୁ ଛୁଆସୁରୀ ସେଠିଆସି ପହଞ୍ଚିଗଲା ଆଉ ବାମାସୁରକୁ ତା’ ସାଙ୍ଗରେ ଯିବାକୁ ଇସାରା କଲା। ବାମାସୁର ଉଠିପଡ଼ିଲା ବସିବା ଜାଗାରୁ। ବାମାସୁର ଆଉ ଛୁଆସୁରୀ ସେଠୁ ବାହାରି ଚାଲିଗଲେ।

ରଜାପୁଅ ନିଜ ହାତକୁ ଚାହିଁଲା। କିଛି କାରଣ ନ ଥାଇ ସେ ବାମାସୁରକୁ ନିଜ ପାଖରେ ବସିବାପାଇଁ କହିନଥିଲା। ବାମାସୁରର ଅନ୍ୟମନସ୍କତାର ସୁଯୋଗ ନେଇ ସେ ତା ପାଖରୁ ତା ଶାଣିତ ଛୁରୀଟି ଚୋରୀ କରିନେଇଥିଲା। ଏବେ ରଜାପୁଅ ହାତରେ ଚକ୍ ଚକ୍ କରୁଥିଲା ଛୁରୀଟି। ଖଣ୍ଡାଠାରୁ ବି ଧାରୁଆ। ବାସ୍। କେବଳ ଗୋଟିଏ ସୁଯୋଗର ଆବଶ୍ୟକ। ଗୋଟିଏ ଦିନ କଟିଗଲା।

ତା’ ପରଦିନ ରାତିରେ ବାହାରେ ତୁମ୍ବି ତୋଫାନ। ଭୀଷଣ ଝଡ଼ ଆଉ ବର୍ଷା ଲାଗିରହିଛି। ତଥାପି ବାଇଅସୁରୁଣୀ ଫେରିନି। ଛୁଆସୁରୀ ଆଉ ବାମାସୁର ତା ବାଟ ଚାହିଁଚାହିଁ ଶେଷରେ ଶୋଇପଡିଛନ୍ତି। ବହୁତ ବ୍ୟସ୍ତ ବିବ୍ରତ ସେମାନେ। ଆଉ ଖୁସିର ବିଷୟ ରଜାପୁଅ ପାଇଁ ଯେ ସେଇ ରାତିରେ ବାମାସୁର ନିଜ ବ୍ୟସ୍ତତା ଯୋଗୁଁ ବନ୍ଦୀଶାଳରେ ତାଲା ଦେବାକୁ ଭୁଲିଯାଇଛି। ରଜାପୁଅ ଜାଣିଲା ଏଇଟା ହିଁ ପ୍ରକୃଷ୍ଟ ସମୟ। (କ୍ରମଶଃ)

ରଜାପୁଅ ଆଉ ବାଇଅସୁରୁଣୀ କଥା (୧୭)

ସେଇ ରାତିରେ ବାମାସୁର ନିଜ ବ୍ୟସ୍ତତା ଯୋଗୁଁ ବନ୍ଦୀଶାଳରେ ତାଲାଦେବାକୁ ଭୁଲି ଯାଇଛି। ରଜାପୁଅ ଦେଖିଲା ଏଇଟା ହିଁ ପ୍ରକୃଷ୍ଟ ସମୟ। ପ୍ରଥମେ ସେ ସେଇ ଶାଣିତ ଛୁରୀରେ ନିଜ ଶିକୁଳି ଗୁଡିକୁ କାଟିବାରେ ଲାଗିଲା। କିଛି ସମୟର ପରିଶ୍ରମ ପରେ ଶିକୁଳି ଗୁଡିକ କଟିକି ଛିଣ୍ଡିଗଲା। ତାପରେ ରଜାପୁଅ ଉଠି ଠିଆହେଲା। ଛୁରୀଟିକୁ ନିଜ ଅଣ୍ଟାରେ ଖୋସିଲା। ତାପରେ କାରାଗାରର ଦରଜା ଖୋଲି ବାହାରକୁ ବାହାରିଗଲା।

ଛୁଆସୁରୀ କି ବାମାସୁର କେହି ଦେଖା ଯାଉନାହାଁନ୍ତି। ନିଜ ନିଜ କକ୍ଷରେ ଶୋଇ ପଡିଛନ୍ତି ବୋଧେ। ଭଲ ହେଲା। ନହେଲେ ରଜାପୁଅ ହାତରେ ଆଜି ପ୍ରାଣ ହାରିଥାନ୍ତେ ନିଶ୍ଚିତ। ତାପରେ ରଜାପୁଅ ତା ଘୋଡାଟିକୁ ଖୋଜିବାକୁ ଲାଗିଲା। ବାମାସୁର କହୁଥିଲା କଉଠି ଗୋଟିଏ ତା ଘୋଡାକୁ ନେଇ ରଖିଛନ୍ତି ବୋଲି। ତାକୁ ଉଦ୍ଧାର କରିବାକୁ ହବ। ରଜାପୁଅ ତାକୁ ସବୁଆଡେ ଖୋଜିଲା। କଉଠି ପାଇଲାନି।

ସେମିତି ଖୋଜୁ ଖୋଜୁ ହଠାତ ରଜାପୁଅ ଦେଖିଲା ଗୁମ୍ଫାପଛକୁ ପାଳଘରଟିଏ। ରଜାପୁଅ ସେଇ ଘର ଭିତରକୁ ପଶିଲା। ଭିତରେ ରଜାପୁଅର ଘୋଡା। ଘୋଡାଟି ରଜାପୁଅକୁ ଦେଖି ମୁଣ୍ଡ ହଲେଇଲା। ରଜାପୁଅକୁ ତାକୁ ଦେଖି ହସିଦେଲା ଆଉ ତା ମୁହଁକୁ ଆଉଁସିଦେଲା। ରଜାପୁଅ ଘୋଡାକୁ ସେଠୁ ଫିଟେଇ ବାହାରକୁ ଆଣିଲା। ତାପରେ ଘୋଡ଼ା ଉପରେ ବସି ସେଇ ଜାଗାରୁ ବାହାରିଗଲା।

ରଜାପୁଅର ଘୋଡା ଆଗକୁ ଛୁଟୁଥାଏ। ରଜାପୁଅ ମନରେ ବିଭିନ୍ନ ଚିନ୍ତା। ଆସିଥିଲା ସେ ବାଇଅସୁରୁଣୀକୁ ମାରିବାକୁ। ନିଜ ଜୀବନ ସେ ବଞ୍ଚେଇ ଦେଇଛି ସତ। କିନ୍ତୁ ବାଇଅସୁରୁଣୀକୁ ମାରି ତା ଆଖି ନ ତାଡିବା ପର୍ଯ୍ୟନ୍ତ ପଦ୍ମିନୀ ସାଙ୍ଗରେ ତା ମିଳନ ଅସମ୍ଭବ। ତେଣୁ ଏବେ ସେ ଉପାୟ କରିବ କେମିତି ମାରିବ ବାଇଅସୁରୁଣୀକୁ। ଏବେ ତା ବିଷୟରେ କିଛି କିଛି ଜାଣିଗଲାଣି ସେ। ତାକୁ ବଳରେ ନୁହେଁ ନିଜ ବୁଦ୍ଧିରେ କାବୁ କରିବାକୁ ହବ।

ଏମିତି ଭାବି ଭାବି ଆଗକୁ ବଢୁଛି ରଜାପୁଅ ହଠାତ୍ ଦେଖିଲା ତା ଘୋଡାଟି କେମିତି ଅସ୍ତବ୍ୟସ୍ତ ହେଇପଡୁଛି। ତାପରେ ତା ଘୋଡାଟି କଉଠି ଝୁଣ୍ଟି ହେଇପଡିଲା ଭଳି ବଡ଼ ଜୋରରେ ମୁହଁମାଡି ପଡିଗଲା। ରଜାପୁଅ ବି ଛିଟିକିଯାଇ ପଡିଗଲା ତଳେ।

ରାତିର କିଟିକିଟି ଅନ୍ଧାର। ମୁହଁକୁ ମୁହଁ ଦିଶୁନି। କେହି କୁଆଡେ ଦିଶୁନାହାନ୍ତି। ରଜାପୁଅ କିଛି ବୁଝିପାରିଲାନି କଣ ହଉଛି। ହଠାତ ତା ସାମ୍ନାରେ କିଏ ଗୋଟେ ଉଡିକି ଆସିଲା। ରଜାପୁଅ ଚମକି ପଡିଲା। ଧଳା ଅଶରୀରୀ ପ୍ରାଣୀଟିଏ। ଅଣ୍ଟାତଳକୁ ଲାଞ୍ଜଟିଏ ଲମ୍ବି ଯାଇଛି। ଆଖି ଜାଗାରେ ଦୁଇଟି କଳା କଳା ଗାତ। ପାଟି ଜାଗାରେ ଗୋଟିଏ ଗାତ। ଭୟଙ୍କର ଦିଶୁଛି। ରଜାପୁଅ ଜାଣିପାରିଲା ଇଏ ପିଶାଚ। ସେତିକି ବେଳକୁ ଆଉ ତିନୋଟି ପିଶାଚ ଉଡ଼ିଆସି ରଜାପୁଅକୁ ଘେରିଗଲେ।

ରଜାପୁଅ ଅଣ୍ଟାରୁ ସେଇ ଶାଣିତ ଖଣ୍ତାଟି କାଢିଲା। ପିଶାଚଟି ପ୍ରଥମେ ରଜାପୁଅକୁ ଆକ୍ରମଣ କଲା। ହାତରେ ଯେମିତି ସେମାନଙ୍କର କୋଉ ଅଦୃଶ୍ୟ ଧାରୁଆ ଖଣ୍ଡା। ରଜାପୁଅ ପଛକୁ ଘୁଞ୍ଚିଗଲା। ତଥାପି ରଜାପୁଅର କାନ୍ଧରେ ବାଜିଲା। କାନ୍ଧପାଖରେ ଟିକିଏ କଟି ରକ୍ତ ପିଚପିଚ୍ ବହାରିପଡ଼ିଲା। ରଜାପୁଅ ପାଲଟା ଆକ୍ରମଣ କଲା। କିନ୍ତୁ ସେମାନେ ଅଶରୀରୀ। ତାଙ୍କୁ ବା କେମିତି ଆଘାତ କରିବ ରଜାପୁଅ। ଏବେ କେବଳ ଆତ୍ମରକ୍ଷା କରିବାର ବେଳ। (କ୍ରମଶଃ)

ରଜାପୁଅ ଆଉ ବାଇଅସୁରୁଣୀ କଥା (୧୮)

unnamed (2)

ପିଶାଚ ଗୁଡିକ ଅଶରୀରୀ। ତାଙ୍କୁ ବା କେମିତି ଆଘାତ କରିବ ରଜାପୁଅ। ଏବେ କେବଳ ଆତ୍ମରକ୍ଷା କରିବାର ବେଳ। ପିଶାଚ ଗୁଡିକ ପୁଣି ରଜାପୁଅ ଉପରେ ଆକ୍ରମଣ କରିବାକୁ ଲାଗିଲେ। ଭାଗ୍ୟକୁ ସେତେବେଳକୁ ବର୍ଷା ଝଡ଼ ଟିକିଏ ଛାଡ଼ିଆସିଥାଏ। ରଜାପୁଅ ଚାରିଆଡକୁ ଦେଖିବାକୁ ଲାଗିଲା ଭଲରେ। ଏବେ କିଛି କିଛି ଦେଖାଯାଉଛି ଅନ୍ଧାରସତ୍ତ୍ୱେ।

ରଜାପୁଅ ପିଶାଚଗୁଡିକର ସବୁ ଆଘାତରୁ ନିଜକୁ ବଞ୍ଚେଇବାକୁ ଚେଷ୍ଟା କଲା। କିନ୍ତୁ ତାପରେ ଗୋଟିଏ ପିଶାଚ ରଜାପୁଅର ଗୋଡ ଉପରେ ପ୍ରହାର କଲା। ରଜାପୁଅର ଗୋଡକଟି ରକ୍ତ ବାହାରିଲା। ରଜାପୁଅ ତଳେ ପଡ଼ିଗଲା। ପୁଣି ଗୋଟିଏ ପିଶାଚ ଆସି ରଜାପୁଅକୁ ଆଘାତ କରିବାକୁ ଯାଉଛି ହଠାତ୍ ପୁଣି ଜୋରରେ ପବନ ବୋହିବାକୁ ଲାଗିଲା। ତାପରେ କଉଠି ଗୋଟିଏ ବିଜୁଳି ଶବ୍ଦ ହେଇ ନିଆଁ ଦେଖାଗଲା।

ସମସ୍ତେ ସେଇ ନିଆଁ ଆଡକୁ ଦେଖିଲେ। ପୁଣି ଉଡି ଆସିଲା ନିଆଁଝୁଲ। ନାଲିନେଳି ହଳଦିଆ ରଡନିଆଁ। ମାଡିଆସିଲା ସେଗୁଡା ପିଶାଚମାନଙ୍କ ଆଡକୁ। ପିଶାଚ ଗୁଡିକ ଛିନଛତ୍ର ଏପଟେ ସେପଟେ ଉଡିକି ପଡିଲେ। ତିନୋଟି ପିଶାଚ ଭସ୍ମ ହେଇଗଲେ ସେଇ ନିଆଁରେ। ଗୋଟିଏ ଉଡିକି ଚାଲିଗଲା। ରଜାପୁଅ ଦେଖିଲା ସାମ୍ନାରେ ଝୁଲି ଝୁଲି ଆସୁଛି ବାଇଅସୁରୁଣୀ। ଆଖିରୁ ତାର ବାହାରି ଆସୁଛି ନିଆଁ। ରଜାପୁଅ ଉଠିକି ଠିଆହେଲା। ଆଗରେ ଠିଆ ହେଇଛି ଅସୁରୁଣୀ।

ରଜାପୁଅ ଅସୁରୁଣୀକୁ କିଛି କହିବାକୁ ଯାଉଛି ହଠାତ ଉଡିଆସିଲା ଚତୁର୍ଥ ପିଶାଚଟି। ବାଇଅସୁରୁଣୀର ବେକକୁ ଜୋରରେ ଆଘାତ କଲା। ଅସୁରୁଣୀର ବେକଅଧା କଟି ରକ୍ତ ବାହାରିଲା ପିଚପିଚ୍। ଅସୁରୁଣୀ ଚିତ୍କାର କରିଉଠିଲା। ରଜାପୁଅ କିଛି ବୁଝିବା ପୂର୍ବରୁ ପିଶାଚ ତା ଆଡ଼କୁ ମାଡିଗଲା। ରଜାପୁଅକୁ ସେ ଆଘାତ କରିବାକୁ ଯାଉଛି ବାଇଅସୁରୁଣୀ ତାକୁ ତା ଆଖିନିଆଁରେ ଭସ୍ମ କରିଦେଲା। ଆଉ ତାପରେ ନିଜେ କଟାଗଛ ଭଳି ତଳେ ପଡିଗଲା।

ରଜାପୁଅ ଆସିଲା ବାଇଅସୁରୁଣୀ ପାଖକୁ। ଆଗରୁ ଥରେ ବି ଅସୁରୁଣୀ ଏମିତି ପଡିଥିଲା। ଏଥର ବି ଛଳ କରୁନି ତ ଅସୁରୁଣୀ? ରଜାପୁଅ ସତର୍କ ହେଲା। ଭଲରେ ଦେଖିଲା ଅସୁରୁଣୀକୁ। ଧଇଁସଇଁ ହଉଛି ସେ ତଳେ ପଡି। କଷ୍ଟ ହଉଛି ତାକୁ। ମରିବ ନିଶ୍ଚୟ ସେ ଏବେ। କିଛି ସମୟ ଭିତରେ। ଭଲ ତ! ସେଇଆ ହିଁ ତ ଚାହେଁ ରଜାପୁଅ। ରଜାପୁଅ ହାତରେ ଚକଚକ୍ କରୁଛି ଛୁରୀ। ଏଇଟା ହିଁ ତା ଆଖି ତାଡି ନବାର ସବୁଠୁ ଉଚିତ୍ ସମୟ। ଏମିତିରେ ବି ସେ ମରିଯିବ କିଛି ସମୟରେ।

“ଧପ୍”। ପୁଣି ଆଖି ଖୋଲିଲା ଅସୁରୁଣୀ। ରଜାପୁଅ ଟିକିଏ ପଛକୁ ଘୁଞ୍ଚିଗଲା। କିନ୍ତୁ ନା! ଅସୁରୁଣୀର ଆଖିରେ ନା ଥିଲା ସେଦିନର ଛଳ ନା ଥିଲା କପଟ ଆଉ ନା ଥିଲା କ୍ରୋଧର ଅଗ୍ନିବର୍ଷା। ଖାଲି ଥିଲା କଷ୍ଟ ଆଉ ଯନ୍ତ୍ରଣା। ବିକଳରେ ଚାହିଁଥିଲା ଅସୁରୁଣୀ ରଜାପୁଅକୁ।

ରଜାପୁଅ ହାତରୁ ଖସି ପଡ଼ିଲା ଛୁରୀଟି। ନାଁ ଥାଉ। ସେ ତାଡି ପାରିବନି ଆଖି। ଏମିତିରେ ଯଦି ବାଇଅସୁରୁଣୀ ମରିଯାଏ ସେ ବାହା ହେଇପାରିବ ପଦ୍ମିନୀକୁ। ଆଖି ତାଡିନବାର କିଛି ଯଥାର୍ଥତା ନାହିଁ। ସେ ଚେଷ୍ଟା କରିବ କନକରାଜାଙ୍କୁ ବୁଝେଇବାପାଇଁ। ସେ ବୁଝିଯିବେ ନିଶ୍ଚୟ। ରଜାପୁଅ ଅସୁରୁଣୀକୁ ସେଇଠି ଛାଡି ନିଜ ଘୋଡାପାଖକୁ ଗଲା। ତାପରେ ଥରେ ଅସୁରୁଣୀକୁ ଚାହିଁ ଦେଇ ଘୋଡା ପିଠିରେ ବସିଲା ଆଉ ଆଗକୁ ମାଡିଗଲା। ଅସୁରୁଣୀ ରହିଗଲା ପଛରେ। (କ୍ରମଶଃ

ରଜାପୁଅ ଆଉ ବାଇଅସୁରୁଣୀ କଥା (୧୯)

unnamed (3)

ରଜାପୁଅ ଘୋଡା ପିଠିରେ ବସିଲା ଆଉ ଆଗକୁ ମାଡିଗଲା। ଅସୁରୁଣୀ ରହିଗଲା ପଛରେ। କିନ୍ତୁ ରଜାପୁଅର ବିବେକ କାହିଁକି କେଜାଣି ଏଇ କଥାରେ ଜମା ବି ସହମତ ହେଇ ପାରୁନଥିଲା।

ଆଜି ରଜାପୁଅ ଜୀବନର ବୋଧେ ଶେଷ ରାତି ଥିଲା। ଆଜି ଯେ ସେ ପିଶାଚ ହାତରେ ପ୍ରାଣ ଦେଇଥାନ୍ତା ସେଇଟା ତାକୁ ଅଜଣା ନୁହେଁ। ବାଇଅସୁରୁଣୀ ଆସି ତା ଜୀବନ ରକ୍ଷା କଲା। କିନ୍ତୁ ତା ଜୀବନ ରକ୍ଷା କରିଥିବା ପ୍ରାଣୀକୁ ଏମିତି ଜଙ୍ଗଲ ଭିତରେ ମରିବାପାଇଁ ଛାଡିଆସିବା ଗୋଟିଏ ରାଜପୁତ୍ର କ୍ଷେତ୍ରରେ କେତେ ଦୂର ଯୁକ୍ତିଯୁକ୍ତ? ଆଜିଯାଏଁ ସେ ପାଇଥିବା ଶିକ୍ଷାଦୀକ୍ଷା କଣ ତାକୁ ଏଇଆ ଶିଖେଇଛି?

କିନ୍ତୁ ତାପରେ ବାଇଅସୁରୁଣୀ ଯଦି ବଞ୍ଚିଯାଏ ତାହେଲେ କଣ ହବ? ପଦ୍ମିନୀ! କଣ ହବ ପଦ୍ମିନୀର?? ସେଇ ଅସୁରୁଣୀକୁ ମାରିବା ପାଇଁ ହିଁ ତ ସେ ଏତେ କଷ୍ଟକରି ଜଙ୍ଗଲକୁ ଆସିଥିଲା। ସେଇଥିପାଇଁ ହିଁ ତ ଏତେଦିନ ଧରି ବନ୍ଦୀର ଜୀବନଟିଏ ଜିଇଁଥିଲା ସେ। ଆଉ ଅପେକ୍ଷା କରୁଥିଲା କେବେ ସୁଯୋଗ ମିଳିବ ଆଉ ସେ ବାଇଅସୁରୁଣୀକୁ ମାରି ତା ଆଖି ତାଡ଼ିନବ। ତାହେଲେ? ତାହେଲେ କାହିଁକି ଆଜି ଏତେ ଅସଞ୍ଜମସରେ ପଡିଯାଇଛି ସେ। କାହିଁକି ଆଜି ଏତେ ଭୁଲ ଠିକ ଦେଖୁଛି ସେ?

ଗୋଟିଏ ରଜାପୁଅ ହେଇ ବାଇଅସୁରୁଣୀକୁ ଆଜି ଏମିତି ମରୁଥିବା ଅବସ୍ଥାରେ ଛାଡି ଚାଲିଗଲେ ମଲାପରେ ନିଜ ପିତୃପୁରୁଷଙ୍କୁ ମୁହଁ ଦେଖେଇପାରିବ ତ ସେ? ଏପରି ପରିସ୍ଥିତିରେ ତା ପାଇଁ ପ୍ରେମ ବଡ ନା ମାନବିକତା?? ମାନବିକତା କି? ନହେଲେ ତା ଭଳି ଗୋଟିଏ ମାନବ ଭିତରେ ଆଉ ବାଇଅସୁରୁଣୀଭଳି ଗୋଟିଏ ରାକ୍ଷସୀ ଭିତରେ କି ତଫାତ ରହିବ?

ରଜାପୁଅ ଘୋଡା ବୁଲେଇଲା। କିଛି ସମୟ ଘୋଡା ଛୁଟେଇଲା ପରେ ସେ ପହଞ୍ଚିଲା ସେଇ ଜାଗାରେ ଯେଉଁ ଜାଗା କିଛି ସମୟ ପୂର୍ବରୁ ଗୋଟିଏ ରଣକ୍ଷେତ୍ରରେ ପରିଣତ ହେଇଥିଲା। ରଜାପୁଅ ଦେଖିଲା ବାଇଅସୁରୁଣୀ ଏବେ ବି ପଡିଛି ସେଇଠି। ରଜାପୁଅ ଘୋଡ଼ାରୁ ଓହ୍ଲେଇ ତା ପାଖକୁ ଗଲା। ଧକଉଛି ଅସୁରୁଣୀ। ଜୀବନ ଯାଇନି ଏବେ ବି। କିନ୍ତୁ ଆଖି ତା’ର ବନ୍ଦ। ରଜାପୁଅ କଷ୍ଟେମଷ୍ଟେ ଅସୁରୁଣୀକୁ ନିଜ ହାତରେ ଟେକିଲା। ତାକୁ ବୋହିନେଇ ନିଜ ଘୋଡା ଉପରେ ଲଦିଲା ଆଉ ବାଇଅସୁରୁଣୀର ଗୁମ୍ଫା ଅଭିମୁଖେ ଘୋଡା ଛୁଟେଇଲା।

କିଛି ସମୟ ପରେ ଗୁମ୍ଫା ଆଗରେ ପହଞ୍ଚିଲା ରଜାପୁଅ। ଘୋଡ଼ାରୁ ଓହ୍ଲେଇଲା। ତାପରେ ଅସୁରୁଣୀକୁ ଘୋଡ଼ାରୁ କାଢି ନିଜ କାନ୍ଧ ଉପରେ ଲଦି ଗୁମ୍ଫା ଭିତରେ ପଶିଲା। ଗୁମ୍ଫାଦ୍ୱାରରେ ବହୁତ ଜୋରରେ ଖଡ଼ଖଡ଼ ଶବ୍ଦ କଲା। ଛୁଆସୁରୀ ଆଉ ବାମାସୁର ଦଉଡି଼ ଆସିଲେ। ସେତେବେଳକୁ ସେମାନେ ରଜାପୁଅ ଫେରାର ହେଇଯାଇଥିବା ଜାଣି ସାରିଥିଲେ। ତାକୁ ଧରିବାପାଇଁ ସେମାନେ ଦଉଡି଼ ଆସୁଥିବା ବେଳକୁ ତା କାନ୍ଧରେ ରକ୍ତାକ୍ତ ବାଇଅସୁରୁଣୀକୁ ଦେଖି ସେମାନେ ଅବାକ୍ ହେଇଗଲେ। ରଜାପୁଅର ଦେହସାରା ବି ରକ୍ତାକ୍ତ ଆଉ ଖଣ୍ଡିଆ ଖାବରା।

ରଜାପୁଅ ତାଙ୍କୁ ଦେଖି କହିଲା, “ଅସୁରୁଣୀର ଚିକିତ୍ସାର କିଛି ବ୍ୟବସ୍ଥା କର। ନଚେତ ସେ ମରିଯିବ।” ଛୁଆସୁରୀ ଆଉ ବାମାସୁର ପାଖେ ଆଉ କିଛି ପଚାରିବାର ସମୟ ନଥିଲା। ସେମାନେ ତରତର ହେଇ ବାଇଅସୁରୁଣୀକୁ ରଜାପୁଅ କାନ୍ଧରୁ ଟେକିନେଲେ ତା କକ୍ଷକୁ ଆଉ ତାକୁ ତା ପଥର ବିଛଣା ଉପରେ ଶୁଏଇଦେଲେ। ରଜାପୁଅ ତାଙ୍କ ଯିବାବାଟକୁ ଚାହିଁ ରହିଲା। (କ୍ରମଶଃ)

ରଜାପୁଅ ଆଉ ବାଇଅସୁରୁଣୀ କଥା (୨୦)

unnamed (3)

ଛୁଆସୁରୀ ଆଉ ବାମାସୁର ତରତର ହେଇ ବାଇଅସୁରୁଣୀକୁ ରଜାପୁଅ କାନ୍ଧରୁ ଟେକିନେଲେ ତା କକ୍ଷକୁ ଆଉ ତାକୁ ତା ପଥର ବିଛଣା ଉପରେ ଶୁଏଇଦେଲେ। ରଜାପୁଅ ସେଇଠି ଥକିଯାଇ ବସିପଡିଲା। ଦେହଯାକ ଯନ୍ତ୍ରଣା ତାର।

ଛୁଆସୁରୀ ସାଙ୍ଗେ ସାଙ୍ଗେ ଯାଇ ଚେରମୂଳି ବାଟିଆଣି ବାଇଅସୁରୁଣୀ ବେକରେ ଲଗେଇଦେଲା। ବହୁତ ରକ୍ତ ବୋହିଯାଇଥାଏ ସେତେବେଳକୁ। ବାମାସୁର ତା ହାଡ଼ଛୁଞ୍ଚିରେ ଚମଡାସୂତା ଲଗେଇ ଅସୁରୁଣୀର ବେକ ସିଲେଇ କରିଦେଲା। ରକ୍ତ ବୋହିବା ବନ୍ଦ ହେଇଗଲା ଅସୁରୁଣୀ ବେକରୁ। ସେ ସେତେବେଳକୁ ବି ଅଚେତ ହେଇ ପଡିଥାଏ। ଛୁଆସୁରୀ ତାକୁ ସେକ ଦେଉଥାଏ।

ଧୀରେ ଧୀରେ ଅସୁରୁଣୀକୁ ଜର ଆସିବା ଆରମ୍ଭ ହେଲା। ଗୋଡ ପାଖେ ବାମାସୁର ବସିଥାଏ। ଛୁଆସୁରୀ ତା ମୁଣ୍ଡରେ ପାଣିକନା ଦେଲା। କିଛି ସମୟ ପରେ ତା ଜର ଓହ୍ଲେଇଗଲା। ଛୁଆସୁରୀ ବାଇଅସୁରୁଣୀ ଉପରେ ବାଘ ଚମଡାର ଚାଦରଟିଏ ଢାଙ୍କି ସେଠୁ ବାହାରକୁ ଚାଲିଆସିଲା। ବାମାସୁର ତା ପଛେ ପଛେ ଥାଏ।

କକ୍ଷ ବାହାରକୁ ଆସିବା କ୍ଷଣି ଦୁହିଁଙ୍କର ନଜର କକ୍ଷ ବାହାରେ ଆଖିବୁଜି ବସିଥିବା ରଜାପୁଅ ଉପରେ ପଡ଼ିଲା। ରଜାପୁଅର କାନ୍ଧରୁ ଆଉ ଗୋଡରୁ ରକ୍ତ ବାହାରି ଶୁଖି ଯାଇଥାଏ। ଏତେଦିନ ବନ୍ଦୀଶାଳରେ ବେଡିରେ ବାନ୍ଧିହେଇ ରହିଥିବା ଯୋଗୁଁ ତା ହାତଗୋଡର ଶିରା ସବୁ ଫୁଲିକି ନେଳି ପଡିଯାଇଥାଏ। ଦେଖିଲେ ରଜାପୁଅ ମୂର୍ଚ୍ଛା ଯାଇଛି ସେଇଠି।

ବାମାସୁର ତାକୁ ପଚାରିଲା, “ଆମେ ରଜାପୁଅକୁ ପୁଣି ଥରେ ବନ୍ଦୀ ବନେଇବା କି?” ଛୁଆସୁରୀ କହିଲା, “ନା ଥାଉ। ସିଏ ଆଜି ଆମ ମାଲିକାଣୀର ଜୀବନ ବଞ୍ଚେଇଛି। ଆଉ ତାକୁ ଚାଲିଯିବାର ଥିଲେ ସିଏ ସେଇଠୁ ପଳେଇଥାନ୍ତା। ଏଠିକି ପୁଣି କାଇଁ ଆସିଥାନ୍ତା? ଆମେ ଏବେ ତା ଜୀବନ ବଞ୍ଚେଇବା କଥା।”

ଏତିକି କହି ଛୁଆସୁରୀ ପୁଣି ଭିତରକୁ ଯାଇ କିଛି ଚେରମୂଳି ବାଟିକି ଆଣିଲା। ସେଇ ଓଷଦକୁ ସେ ବାମାସୁରକୁ ଦେଇ ତା କକ୍ଷକୁ ଚାଲିଗଲା। ବାମାସୁର ରଜାପୁଅକୁ ନିଜ କାନ୍ଧରେ ଟେକି ତାକୁ ଅନ୍ୟ ଏକ କକ୍ଷକୁ ନେଇଗଲା। ସେଇଠି ସେ ରଜାପୁଅର ଖଣ୍ଡିଆକୁ ସିଲେଇ କରି ଚେରମୂଳି ବଟା ଲଗେଇଦେଲା। ଅନ୍ୟଦିନ ହେଇଥିଲେ ଆଉ ରଜାପୁଅ ଅଚେତ ନ ହେଇଥିଲେ ସେ ଆଉ ବାମାସୁର ୟା ଭିତରେ କିଛି କଥା କଟାକଟି ନିଶ୍ଚୟ ହେଇଥାନ୍ତେ କିନ୍ତୁ ସେଦିନ ରଜାପୁଅର ଅବସ୍ଥା ଦେଖି ବାମାସୁର ମନରେ ପ୍ରଥମ ଥର ପାଇଁ ଦୟା ଉଦ୍ରେକ ହେଲା।

ବାମାସୁର ମଝି ମଝିରେ ଆସି ରଜାପୁଅକୁ ଦେଖିଦେଇ ଯାଉଥାଏ। ସନ୍ଧ୍ୟାବେଳକୁ ରଜାପୁଅର ହୋସ ଆସିଲା। ବାମାସୁର ରଜାପୁଅକୁ ଆସି ପଚାରିଲା କେମିତି ଲାଗୁଛି ବୋଲି। ରଜାପୁଅକୁ ଟିକିଏ ଭଲ ଲାଗି ଆସୁଥାଏ। ବାମାସୁର କହିଲା ଯଦି ଯଦି ରଜାପୁଅ ଚାହେଁ ତାହେଲେ ସେ ଧୁଆଧୁଇ ହେଇ ସଫାସୁତୁରା ହେଇପାରିବ।

ରଜାପୁଅ ବହୁତ ଦିନପରେ ଗାଧୁଆପାଧୁଆ କରି ସଫା ସୁତୁରା ହେଲା। ଗୁମ୍ଫା ଭିତରର ଦୃଶ୍ୟ ଆଉ କକ୍ଷସବୁ ଦେଖି ତାକୁ ଆଶ୍ଚର୍ଯ୍ୟ ଲାଗୁଥାଏ। ପୁରା ମଣିଷମାନଙ୍କ ଭଳି ସବୁ ଜିନିଷ ନହେଲେ ବି ରାକ୍ଷସମାନେ ଏମିତି ଗୋଟିଏ ଜୀବନ ଜିଉଁଥିବେ ବୋଲି ରଜାପୁଅ କେବେ ଭାବି ନଥିଲା। ଅସୁର ଅସୁରୁଣୀଙ୍କ ଦୁନିଆ ପୁରା ଅଲଗା ବୋଲି ସେ ଭାବିଥିଲା।

ଗାଧେଇସାରି ଫେରିଲାବେଳକୁ ସେ ଦେଖିଲା ଖାଇବାଥାଳି ଥୁଆ ହେଇଛି। ରଜାପୁଅ ଖାଇ ସାରିଲା ବେଳକୁ ତାକୁ ବହୁତ ଜୋରରେ ନିଦ ମାଡିଆସିଲା। ଏତେ ଦିନର ଶ୍ରମ ଆଉ କ୍ଳାନ୍ତିରେ ସେ ବିଛଣାରେ ପଡୁପଡୁ ଆଖି ବୁଜିଦେଲା। କେତେଦିନ ପରେ କେଜାଣି ସେ ଏତେ ଶାନ୍ତିରେ ଶୋଇଥିବ!! ଏମିତି କେତେ ସମୟ ସେ ଶୋଇଛି ସେ ନିଜେ ବି ଜାଣିପାରିଲାନି। (କ୍ରମଶଃ)

ରଜାପୁଅ ଆଉ ବାଇଅସୁରୁଣୀ କଥା (୨୧)

17904241_414956672211956_131024211031009689_n

ଏପଟେ ସୁମେଧ ରାଜ୍ୟକୁ ଏତେଦିନ ଧରି ରଜାପୁଅ ଫେରିଲାନି। ରାଜାରାଣୀ ବ୍ୟସ୍ତ। କିଛି ଖବର ଅନ୍ତର ମିଳୁନି। ପୁଅ ବଞ୍ଚିଛି କି ନାହିଁ ବି ସେମାନେ ଜାଣି ପାରୁନାହାନ୍ତି। କିଛି କିଛି ଲୋକ ଭିତରେ ଭିତରେ କୁହାକୁହି ହଉଛନ୍ତି ରଜାପୁଅ ବୋଧେ ଅସୁରୁଣୀ ହାତରେ ପ୍ରାଣଦେଲା। କିଛି ଲୋକ କାନ୍ଦ ବୋବାଳି ବି ଛାଡିଲେଣି। ମନ୍ତ୍ରୀପୁଅ ସବୁ ଶୁଣୁଛି। କିନ୍ତୁ କଣ କରିବ ଜାଣି ପାରୁନି। ଏପଟେ ସଙ୍ଗାତ ରାଣ ପକେଇ ଯାଇଛି। ରାଣକୁ ଭାଙ୍ଗି ସେ ଯାଇପାରିବନି ଜଙ୍ଗଲକୁ।

ସେଦିନ ସୁମେଧ ରାଜ୍ୟରେ ରାତି ଅଧରେ ସମସ୍ତେ ଗାଢ଼ ନିଦରେ ଶୋଇପଡ଼ିଥାନ୍ତି ରାଜ୍ୟ ଉପରେ ଆକ୍ରମଣ ହେଲା। ରାଜାରାଣୀ ଶୋଇଥିଲେ। ତାଙ୍କୁ ବନ୍ଦୀକରି କାରାଗାରରେ ଭରି ଦିଆଗଲା। ସୁମେଧ ରାଜ୍ୟର ସୈନ୍ୟସାମନ୍ତଙ୍କ ଭିତରୁ କେତେଜଣ ଶତ୍ରୁଙ୍କ ସାଙ୍ଗରେ ହାତ ମିଳେଇଥିଲେ। ନହେଲେ ସୁମେଧର ସୈନ୍ୟଙ୍କୁ ହରେଇବା କାଠିକର ପାଠ। କିନ୍ତୁ ରଜାପୁଅର ଅନୁପସ୍ଥିତି ବି ସୁମେଧର ମନୋବଳ ଅଧା ଭାଙ୍ଗି ଦେଇଥିଲା। ଆଉ ୟାର ସୁଯୋଗ ନେଇ ଆକ୍ରମଣ କରିଥିଲା ନିକର୍ଣ୍ଣର ଯୁବରାଜ ଚନ୍ଦ୍ରଭଞ୍ଜ ଯିଏ ଯୁଦ୍ଧରୁ ରଜାପୁଅ ହାତରୁ ନିଜ ଜୀବନ ବଞ୍ଚେଇ ପଳାୟନ କରିଥିଲା। ମନ୍ତ୍ରୀ ଆଉ ମନ୍ତ୍ରୀପୁଅକୁ ଶାସନ ପଦବୀରୁ ବିତାଡିତ କରାଗଲା। ଚନ୍ଦ୍ରଭଞ୍ଜର ତାଣ୍ଡବଲୀଳାରେ ସୁମେଧରେ ସତକୁ ସତ କୋକୁଆ ଭୟ ଖେଳିଗଲା।

ମନ୍ତ୍ରୀପୁଅ ମନଦୁଃଖରେ ବସିଥାଏ ତା ପ୍ରାସାଦର ଜଳାଶୟ ପାଖରେ। ସଙ୍ଗାତ କଥା ବହୁତ ମନେ ପଡୁଥାଏ। କଣ କରିବ? କେମିତି ଖବର ଦବ? କେମିତି ଜଣେଇବ ସୁମେଧର ବିପତ୍ତି ବିଷୟରେ ରଜାପୁଅକୁ? ଏମିତି ବସି ଭାବୁଥାଏ ମନ୍ତ୍ରୀପୁଅ ଶୁଣିଲା କିଛି ଗୋଟିଏ ଶବ୍ଦ ଶୁଭୁଛି। ସେ ଚାରିଆଡେ ଦେଖିଲା କେହି କୁଆଡେ ନାହାନ୍ତି।

ପୁଣି ଶୁଣିଲା ଶବ୍ଦ। କିଏ ଗୋଟିଏ ଡାକୁଛି ମନ୍ତ୍ରୀପୁଅ ମନ୍ତ୍ରୀପୁଅ। ସିଏ ଆଶ୍ଚର୍ଯ୍ୟ ହେଲା। ତାପରେ ହଠାତ୍ ତଳକୁ ଚାହିଁଲା। ଦେଖିଲା ତା ଗୋଡ଼ ପାଖରେ ଗୋଟିଏ ପଥର ହଲଚଲ ହଉଚି। ଆରେ ପଥରଟି କୁଆଡୁ ଆସିଲା? ଆଉ ହଲଚଲ କେମିତି ହଉଛି? ସେ ତଳକୁ ହାତ ବଢ଼େଇ ପଥରଟିକୁ ଉଠେଇନେଲା। ଆରେ ଇଏ ତ ପଥର ନୁହଁ କଇଁଛ ଛୁଆଟେ!! ଆଉ ୟା ଦେହରେ କଣ ଗୋଟିଏ ବନ୍ଧା ହେଇଛି?

“ମନ୍ତ୍ରୀପୁଅ, ମନ୍ତ୍ରୀପୁଅ,” ଡାକିଲା କଇଁଛ। ଆଶ୍ଚର୍ଯ୍ୟ ହେଇଗଲା ମନ୍ତ୍ରୀପୁଅ। “ଆରେ ତମେ କିଏ ଆଉ କଥା କେମିତି କହୁଛ”? ସେ ପଚାରିଲା। “ମୁଁ ହେଲି କଥାକୁହା କଇଁଛ ଆଉ ରଜାପୁଅର ସାଙ୍ଗ,” କହିଲା କଇଁଛଟି। “ରଜାପୁଅ? ତୁମେ କେମିତି ଜାଣିଲ ମୋ ସଙ୍ଗାତଙ୍କୁ?” ପଚାରିଲା ମନ୍ତ୍ରୀପୁଅ। କଇଁଛ ତାପରେ ସବୁକଥା କହିଲା ମନ୍ତ୍ରୀପୁଅକୁ। ମନ୍ତ୍ରୀପୁଅ କଇଁଛ ଦେହରୁ ରଜାପୁଅର ସନ୍ଦେଶ ଖୋଲି ପଢିଲା।

ରଜାପୁଅ ଅସୁବିଧାରେ ଅଛି। ତାକୁ ସାହାଯ୍ୟ ପାଇଁ ଲୋଡୁଛି। ଯେମିତି ହେଲେ ତାକୁ ସାହାଯ୍ୟ କରିବାକୁ ମନ୍ତ୍ରୀପୁଅକୁ ବାହାରିବାକୁ ପଡିବ। ରାଜାରାଣୀଙ୍କୁ ଆଉ ଜେମା ପଦ୍ମିନୀକୁ ଏଇ ଖୁସି ଖବରଟା କେମିତି ଦବ ଯେ ରଜାପୁଅ ବଞ୍ଚିଛି? କିନ୍ତୁ ସେ କରିପାରିବନି। ଚନ୍ଦ୍ରଭଞ୍ଜର ଗୁପ୍ତଚର ସବୁଆଡେ। ଥାଉ। ରଜାପୁଅକୁ ଭଲରେ ଭଲରେ ଫେରେଇ ଆଣିଲେ ସବୁ ଜାଣିବେ। ଏଇଆ ଭାବି ମନ୍ତ୍ରୀପୁଅ ମୁହଁରେ ଗୋଟିଏ ହସ ଖେଳିଗଲା। ସେ କଇଁଛଟିର ପିଠି ଆଉଁସି ଦେଇ ତାକୁ ଜଳାଶୟ ଭିତରେ ଛାଡିଦେଲା। ନିଜେ ଘର ଭିତରକୁ ଯାଇ ପ୍ରସ୍ତୁତ ହେଲା। ପିତାମାତାଙ୍କୁ ସତ ନ କହି କହିଲା ବୁଲିବାକୁ ଯାଉଛି। ତାପରେ ତାଙ୍କଠୁୁ ବିଦାୟ ନେଇ ନିଜ ଘୋଡାରେ ଚଢ଼ି ଛୁଟିଗଲା ଜଙ୍ଗଲ ଭିତରକୁ। (କ୍ରମଶଃ)

ରଜାପୁଅ ଆଉ ବାଇଅସୁରୁଣୀ କଥା (୨୨)

ଏତେ ଦିନର ଶ୍ରମ ଆଉ କ୍ଳାନ୍ତିରେ ରଜାପୁଅ ବିଛଣାରେ ପଡୁପଡୁ ଆଖି ବୁଜିଦେଲା। କେତେଦିନ ପରେ କେଜାଣି ସେ ଏତେ ଶାନ୍ତିରେ ଶୋଇଥିବ!! ଏମିତି କେତେ ସମୟ ସେ ଶୋଇଛି ସେ ନିଜେ ବି ଜାଣିପାରିଲାନି। ହଠାତ କିଛି ଶବ୍ଦଶୁଣି ରଜାପୁଅର ନିଦ ଭାଙ୍ଗିଗଲା। ରଜାପୁଅ ନିଜ କକ୍ଷରୁ ବାହାରି ବାହାରକୁ ଗଲା। ଦେଖିଲା ଅସୁରୁଣୀ କକ୍ଷରୁ କଥାବାର୍ତ୍ତା ଶୁଭୁଛି।

ରଜାପୁଅ ବାଇଅସୁରୁଣୀର କକ୍ଷ ଭିତରକୁ ଗଲା। ଗୋଡ଼ରେ କ୍ଷତ ତାର। ଠିକରେ ଚାଲିପାରୁନି। ତଥାପି କଷ୍ଟରେ ଯାଇ ଦେଖିଲା ଅସୁରୁଣୀର ଚେତା ଫେରିଲାଣି। ସେ ଏବେ ଟିକେଟିକେ ଧୀର ସ୍ୱରରେ କଥାବାର୍ତ୍ତା କରିପାରୁଛି। ରଜାପୁଅ ଅସୁରୁଣୀ ପାଖକୁ ଗଲା। ଅସୁରୁଣୀ ତାକୁ ଚାହିଁଲା। କିନ୍ତୁ କିଛି କହିଲାନି। କିଛି ସମୟ ତାକୁ ଚାହିଁ ତାପରେ ସେ ମୁଣ୍ଡ ବୁଲେଇ ସେପଟକୁ ଚାହିଁଲା। ରଜାପୁଅ ନିଜ କକ୍ଷକୁ ଫେରିଆସିଲା।

ସେମିତିରେ ପୁଣି ଦୁଇଦିନ ଚାଲିଗଲା। ରଜାପୁଅର ଦେହ ଭଲ ହେଇନାହିଁ ପୁରା। ସେ ତଥାପି ଯିବ ବୋଲି କହିଲାରୁ ବାମାସୁର ଆଉ ଛୁଆସୁରୀ ତାକୁ ଯିବାକୁ ଦେଇନାହାନ୍ତି। କିନ୍ତୁ ବାଇଅସୁରୁଣୀ ତା ସାଙ୍ଗେ କଥା କହୁନାହିଁ। ରଜାପୁଅ ଭାବିଲା ଆଜି ଯାଇ ପୁଣି ଦେଖାକରିବ ଅସୁରୁଣୀକୁ। ସେ ଏତିକି ଭାବିଛି କି ନାହିଁ ବାମାସୁର ଆସି ତାକୁ କହିଲା ବାଇଅସୁରୁଣୀ ରଜାପୁଅକୁ ଭେଟିବାକୁ ଚାହୁଁଛି।

ରଜାପୁଅ ବାଇଅସୁରୁଣୀର କକ୍ଷକୁ ଗଲା। ବାଇଅସୁରୁଣୀ ତା’ ବିଛଣାବାଡରେ ଅଣ୍ଟାଭରା ଦେଇ ଅଧଶୁଆ ଅବସ୍ଥାରେ ବସିଛି। ରଜାପୁଅକୁ ଦେଖି ସେ ତାକୁ ଭିତରକୁ ଆସିବାକୁ ଠାରିଲା। ତାପରେ ସେ ତାକୁ ନିଜ ବିଛଣାରେ ବସିବାକୁ ଇଶାରା ଦେଲା। ରଜାପୁଅ ବସିଲା। “ତୁ ମତେ ସେଦିନ ତୋ ଘୋଡାରେ ବୋହି ଏଠିକି ନେଇକି ଆସିଲୁ। ମୋ ଜୀବନ ବଞ୍ଚେଇଲୁ। ଧନ୍ୟବାଦ ତତେ।” ରଜାପୁଅକୁ ଚାହିଁ ଧୀର ସ୍ୱରରେ କହିଲା ବାଇଅସୁରୁଣୀ। ରଜାପୁଅ କହିଲା, “ତୁ ବି ତ ମୋ ଜୀବନ ବଞ୍ଚେଇଲୁ ସେ ପିଶାଚ ପାଖରୁ।” ଅସୁରୁଣୀ କିଛି କହିଲାନି। ଖାଲି ମୁଣ୍ଡ ଟିକିଏ ହଲେଇଲା। ମୁହଁରେ ତାର ହାଲକା ହସଟିଏ।

ରଜାପୁଅ ତାପରେ ପଚାରିଲା, “ତୋ ଦେହ କେମିତି ଅଛି ଏବେ?” ଅସୁରୁଣୀ କହିଲା, “ହଁ ଭଲ ଅଛି।” ତାପରେ ପଚାରିଲା, “ତୁ କଣ କଉ ରାଇଜର ରାଜକୁମାର? ରୂପରୁ ତ ସେମିତି ଲାଗୁଛୁ। ମତେ ମାରିବାକୁ ଆସିଥିଲୁ କି ତୁ?” ରଜାପୁଅ ଏଇ ପ୍ରଶ୍ନର କେମିତି ଉତ୍ତର ଦବ ଜାଣିପାରିଲାନି। ପ୍ରଥମ ପ୍ରଶ୍ନର ଉତ୍ତରରେ ସେ କହିଲା, “ମୁଁ ସୁମେଧ ରାଜ୍ୟର ରାଜକୁମାର ସୁହାସ।” ତାପରେ ସେତିକି କହି ସେ ଚୁପ ରହିଲା। ଅସୁରୁଣୀ ଫେର୍ ତାକୁ ପଚାରିଲା, “ଆଉ ମୋ ଦ୍ଵିତୀୟ ପ୍ରଶ୍ନର ଉତ୍ତର ଦେଲୁନି ତ? ହଁ ହଁ ମୁଁ ବୁଝିଗଲି। ବହୁତ ରାଜକୁମାର ଏମିତି ମତେ ମାରିବା ପାଇଁ ଆସି ମୋ ହାତରେ ଜୀବନ ଦେଇଛନ୍ତି। ତୁ ବି ଜୀବନ ଦେଇଥାନ୍ତୁ ଯଦି ସେଦିନ…”। ସେତିକି କହି ଚୁପ ହେଇଗଲା ଅସୁରୁଣୀ।

ତାକୁ ପୁଣି ମନେପଡିଗଲା ସେଦିନ ସକାଳର କଥା। କାନ୍ଥରେ ସୁନ୍ଦରୀ ରାଜକୁମାରୀର ଚିତ୍ର! ପୁଣି ଆଖି ନାଲିନାଲି ହେଇଗଲା ଅସୁରୁଣୀର। ହାତଗୁଡା ମୁଠାମୁଠା ହେଇଗଲା। ବାଇଅସୁରୁଣୀ ପୁଣି ରାଗରେ ଦାନ୍ତକୁ କାମୁଡି ପକେଇଲା। ଚିତ୍କାର କଲା। ରଜାପୁଅ ଠିଆ ହେଇଗଲା। ଛୁଆସୁରୀ ଦଉଡ଼ିକି ଆସିଲା। ରଜାପୁଅକୁ ସେଠୁ ବାହାରିଯିବାକୁ କହିଲା। ରଜାପୁଅ ସେଠୁ ବାହାରିଗଲା। ମନେ ମନେ କହିଲା, “ବାଇ ମାନେ ସତରେ ବାଇ। ଆଜି ଜାଣୁଛି କାହିଁକି ତା ନାଁ ବାଇଅସୁରୁଣୀ।ସତରେ ପାଗେଳୀଟେ।” (କ୍ରମଶଃ)

ରଜାପୁଅ ଆଉ ବାଇଅସୁରୁଣୀ କଥା (୨୩)

18057719_420055581702065_921014712309738495_n

ରଜାପୁଅ ବାଇଅସୁରୁଣୀର କୋଠରୀରୁ ବାହାରିଗଲା। ମନେ ମନେ କହିଲା, “ବାଇ ମାନେ ସତରେ ବାଇ। ଆଜି ଜାଣୁଛି କାହିଁକି ତା ନାଁ ବାଇଅସୁରୁଣୀ। ସତରେ ପାଗେଳୀଟେ।” ତାପରେ ଆଉ ତିନିଦିନ ବିତିଗଲା। ରଜାପୁଅ ଏବେ ସୁସ୍ଥ। ବାଇଅସୁରୁଣୀ ବି ସୁସ୍ଥ ହେଇଆସିଲାଣି। ଦୁହିଁଙ୍କ ଭିତରେ ଆଉ ଦେଖାହେଇନି ଏଇ ଭିତରେ। ସେଦିନ ସକାଳୁ ରଜାପୁଅ ଭାବିଲା ଆଜି ନହେଲେ ସେ ସୁମେଧ ପାଇଁ ବାହାରିଯିବ। ସେଇଆ ଭାବି ସେ ଠିଆହୋଇଛି କି ନାହିଁ ଛୁଆସୁରୀ ଆସି ଡାକିଲା ରଜାପୁଅକୁ। କହିଲା କି ବାଇଅସୁରୁଣୀ ଡାକୁଛି ରଜାପୁଅକୁ। ରଜାପୁଅ ଯିବ କି ନାହିଁ ଭାବିଲା। ତାପରେ ମନେ ମନେ କହିଲା, “ହଉ ଯାଏଁ। ପାଗେଳୀଟା ତ। ଏମିତିରେ ତ ଆଜି ମୁଁ ଚାଲିଯିବି।”

ତାପରେ ରଜାପୁଅ ଗଲା ବାଇଅସୁରୁଣୀ ପାଖକୁ। ବାଇଅସୁରୁଣୀ ବିଛଣାରୁ ଉଠି ଠିଆହେଲା। କହିଲା, ବସେ। ସେଇଦିନ ପାଇଁ ମୁଁ ଦୁଃଖିତ। ଏତେ ଦିନ ଆମର ବନ୍ଦୀ ହେଇଥିଲୁ। ଆଜିଠୁ ଆମର ଅତିଥି ହେଲୁ। ମୋ ଜୀବନ ବଞ୍ଚେଇଛୁ। ଆମକୁ ତୋର ଅତିଥି ସତ୍କାର କରିବାକୁ ଦେ।” ରଜାପୁଅ କହିଲା, “ମୁଁ କିନ୍ତୁ ଭାବୁଥିଲି ଆଜି ଚାଲିଯିବି ବୋଲି।” ବାଇଅସୁରୁଣୀ କହିଲା, “ହଁ ଚାଲିଯିବୁ। ତତେ ଆମେ ରଖିବୁନି। ବାସ୍ ତିନିଦିନ ରହିଯା। ଆମେ ତୋ ଅତିଥି ସତ୍କାର କରିଦେଉ।” ରଜାପୁଅ ଅସୁରୁଣୀକୁ ଚାହିଁଲା। ଚାହାଣୀ ତାର ଏବେ ନରମ ଲାଗୁଛି। ଆଗର ସେଇ ରାଗ ଆଉ ନାହିଁ।

ରଜାପୁଅ ତାକୁ ଚାହିଁ ପଚାରିଲା, “ତୁ ମତେ ସେଦିନ କାହିଁକି ବଞ୍ଚେଇଲୁ? ମତେ ତ ତୁ ମାରିପାରିଥାନ୍ତୁ! ଅସୁରୁଣୀ କିଛି କହିଲାନି। ତାପରେ ଅସୁରୁଣୀ ରଜାପୁଅକୁ ଚାହିଁ ପଚାରିଲା, “ତୁ ବି ତ ମତେ ସେଦିନ ମାରି ମୋ ଆଖିତାଡି ନେଇଯାଇ ପାରିଥାନ୍ତୁ! କାଇଁ ତୁ ବି ସେମିତି କଲୁନି? ରଜାପୁଅ ଅସୁରୁଣୀ କଥା ଶୁଣି ଆଉ କିଛି କହିଲାନି। ଦୁହେଁ କିଛି ସମୟ ଯାଏଁ ଚୁପ ହେଇ ବସିଲେ।

ତାପରେ ଅସୁରୁଣୀ ରଜାପୁଅର ହାତରେ ବନ୍ଧା ହେଇଥିବା ଉତ୍ତରୀୟର ଅଂଶକୁ ଦେଖି କହିଲା, “ଏଇଟା ତୋର ନୁହେଁ ପରି ଜଣା ପଡୁଛି। କାହାର ଏଇଟା?” ରାଜାପୁଅ ସେଇ ଉତ୍ତରୀୟ କୁ ଆଉଁସିଲା ଆଉ କହିଲା, “ଏଇଟା ପଦ୍ମିନୀର?” ଅସୁରୁଣୀକୁ ଦେହରେ ବୋଧେ କିଛି ଚମକ ଲାଗିଲା। ସେ ପୁଣି ଅସ୍ତବ୍ୟସ୍ତ ହେଇଗଲା। କିନ୍ତୁ ଏଥର ସେ ରାଗିଲାନି କି ରଜାପୁଅକୁ ଆଉ କିଛି କହିଲାନି। ପଚାରିଲା ଖାଲି, “କିଏ ପଦ୍ମିନୀ?”

ରଜାପୁଅ ତାପରେ ତା କାହାଣୀ କହିଲା. କେମିତି ସେ ପଦ୍ମିନୀକୁ ଭେଟିଲା। କେମିତି ତାକୁ ଭଲ ପାଇଲା। କେମିତି ତାକୁ ବାହା ହବାକୁ ମନ କଲା। କେମିତି ତା ବାହାଘର ପ୍ରସ୍ତାବ ଗଲା। କିନ୍ତୁ ସେତିକି କହି ରଜାପୁଅ ରହିଗଲା। ଅସୁରୁଣୀକୁ ସେ କେମିତି କହିବ ଯେ ତାକୁ ହିଁ ମାରିବାକୁ ସେ ଏତେ ଦୂର ଆସିଥିଲା ବୋଲି। କିନ୍ତୁ ଅସୁରୁଣୀ ବୋଧେ ବୁଝିଗଲା। କିଛି କହିଲାନି ରଜାପୁଅକୁ। ଖାଲି ଗୋଟିଏ ଶୁଖିଲା ହସ ଦେଲା।

ସେତେବେଳେକୁ ଛୁଆସୁରୀ ଆସିଲା ବାଇସୁରୁଣୀ ଆଉ ରଜାପୁଅକୁ ଖାଇବାକୁ ଡାକିବା ପାଇଁ। ସମସ୍ତେ ସେଠୁ ଓହ୍ଲେଇ ତଳକୁ ଚାଲିଗଲେ। ଅସୁରୁଣୀ ସେଦିନ ରଜାପୁଅକୁ ତାଙ୍କ ସାଙ୍ଗରେ ବସି ଖାଇବାକୁ କହିଲା। ଖାଇବସିଥିବା ବେଳେ ହଠାତ୍ କାଉଟିଏ ଆସି ଗୁମ୍ଫା ଭିତରେ ଉଡିଲା। କାଉ ମୁଣ୍ଡରେ ବି ଦୁଇଟି ଛୋଟିଆ ଶିଙ୍ଗ। ତା’ ଗଳାରେ କଣ ଗୋଟିଏ ଝୁଲୁଛି। (କ୍ରମଶଃ)

ରଜାପୁଅ ଆଉ ବାଇଅସୁରୁଣୀ କଥା (୨୪)

ସେତେବେଳେକୁ ଛୁଆସୁରୀ ଆସିଲା ବାଇସୁରୁଣୀ ଆଉ ରଜାପୁଅକୁ ଖାଇବାକୁ ଡାକିବା ପାଇଁ। ସମସ୍ତେ ସେଠୁ ଓହ୍ଲେଇ ତଳକୁ ଚାଲିଗଲେ। ଅସୁରୁଣୀ ସେଦିନ ରଜାପୁଅକୁ ତାଙ୍କ ସାଙ୍ଗରେ ବସି ଖାଇବାକୁ କହିଲା। ସେମାନେ ଖାଇବସିଥିବା ବେଳେ ହଠାତ କାଉଟିଏ ଆସି ଗୁମ୍ଫା ଭିତରେ ଉଡିଲା। ତା’ ମୁଣ୍ଡରେ ବି ଛୋଟିଆ ଦୁଇଟି ଶିଙ୍ଗ। ତା’ ଗଳାରେ କଣ ଗୋଟିଏ ଝୁଲୁଛି। ବାଇଅସୁରୁଣୀ କାଉଟିକୁ ଦେଖି ଖୁସି ହେଇ କହିଲା, “ଆରେ ଆରେ କାକସୁର ଆସିଛି। ୟା ମାନେ ବୁଢ଼ାସୁରଙ୍କ କିଛି ସନ୍ଦେଶ ଅଛି ନିଶ୍ଚିତ।”

କାକସୁର ଆସି ବାଇଅସୁରୁଣୀର ହାତ ଉପରେ ବସିଲା। ବାଇଅସୁରୁଣୀ ତା ଗଳାରେ ଝୁଲୁଥିବା ସନ୍ଦେଶଟିକୁ ଖୋଲି ପଢିବାରେ ଲାଗିଲା। ସନ୍ଦେଶଟିକୁ ପଢିସାରିଲା ପରେ କିନ୍ତୁ ବାଇଅସୁରୁଣୀର ମୁହଁରେ ଥିବା ହସଟି ଲିଭିଗଲା। “କଣ ହେଇଛି?” ପଚାରିଲା ଛୁଆସୁରୀ। “ବୁଢ଼ାସୁର ବିପଦରେ। ମତେ ଡକେଇଛନ୍ତି,” କହିଲା ବାଇଅସୁରୁଣୀ। “ଆମେ ବି ଯିବୁ ସାଙ୍ଗରେ।” ଏକାଥରେ କହି ଉଠିଲେ ଛୁଆସୁରୀ ଆଉ ବାମାସୁର। “ନାଇଁ ନାଇଁ। ତୁମମାନଙ୍କ ଜୀବନ ମୁଁ ବିପଦରେ ପକେଇ ପାରିବିନି। ସେଥିପାଇଁ ମୁଁ ତୁମକୁ ଗୁମ୍ଫା ବାହାରକୁ ବି ଛାଡେନି। ତୁମେ କଣ ଜାଣିନ। ପରିସ୍ଥିତି ଅନୁକୂଳ ହେଲେ ମୁଁ ଆଉ କେବେ ତୁମକୁ ସେଠିକି ନେଇଯିବି,” କହିଲା ବାଇଅସୁରୁଣୀ।

ରଜାପୁଅ ସବୁ ଆଶ୍ଚର୍ଯ୍ୟ ହେଇ ଶୁଣୁଥାଏ। ବାଇଅସୁରୁଣୀର ଛୁଆସୁରୀ ଆଉ ବାମାସୁର ପ୍ରତି ଏତେ ସ୍ନେହ ଦେଖି ସେ ଅଭିଭୂତ ହେଲା। ତାପରେ ରଜାପୁଅ ବାଇଅସୁରୁଣୀକୁ ପଚାରିଲା, “ବୁଢ଼ାସୁର କିଏ? ତୋ ବାପା କି? ଏମିତି କେତେ ଅସୁର ଅସୁରୁଣୀ ଆଉ ଅଛ ଏଠି?” ଅସୁରୁଣୀ କହିଲା, “ସେ ମୋ ବାପା ନୁହଁନ୍ତି। କିନ୍ତୁ ବାପାଙ୍କଠୁ କାହିଁ କେତେ ବଡ଼। ଆଉ ସେ ଏଇ ଜଙ୍ଗଲରେ ରୁହନ୍ତିନି। ତାଙ୍କର ସିଏ ଅନ୍ୟ ଏକ ରାଇଜ।” ରଜାପୁଅ କହିଲା, “ହଉ ତାହେଲେ ତୁ ଏକୁଟିଆ କାଇଁ ଯିବୁ? ମୁଁ ବି ଯିବି ତୋ ସାଙ୍ଗରେ।”

ବାଇଅସୁରୁଣୀ କିଛି ସମୟ ଚୁପ ରହିଲା। କିଛି ଭାବିଲା। ତାପରେ ରଜାପୁଅକୁ ଚାହିଁ କହିଲା, “ହଉ ଠିକ ଅଛି। ମୋ ସାଙ୍ଗରେ ଚାଲ ତାହେଲେ। ମୁଁ ଦେଖେଇବି କେତେ କଣ ଆଉରି ଅଛି ଏଇ ଦୁନିଆରେ। ଯେତିକି ତୁ ଦେଖିଛୁ ସେତିକି ନୁହେଁ। କିନ୍ତୁ ତୁ କଣ ଏତିକି ଦିନ ରହି ପାରିବୁ?”

ରଜାପୁଅ ଭାବିଲା ତା କାମ ତ ତଥାପି ସରିନି ଏଠି। ସେ ଚାଲିଗଲା ପରେ ଅସୁରୁଣୀ ପୁଣି ମଣିଷ ମାରିବା ଆରମ୍ଭ କରିବ। ସେ ଏଠି ଏତେଦିନ ବିତେଇବାର କିଛି ବି ଫଳ ମିଳିବନି। ସେ ବନ୍ଦୀ ଭାବରେ ହଉ କି ଅତିଥି ଭାବରେ ହଉ। ଯାଉ ପଛେ ଆଉ କିଛିଦିନ। ହୁଏତ କିଛି ଫଳ ମିଳିପାରେ। ହୁଏତ ସେଇ ଭିତରେ ସେ ମନେଇ ନବ ବାଇଅସୁରୁଣୀକୁ। ହୁଏତ ସେ ମଣିଷ ମାରିବା ଛାଡିଦବ। ହୁଏତ ଆଜିଯାଏଁ ତାକୁ କେହି ଭଲରେ ବୁଝେଇ ନାହାନ୍ତି। ସେ ବୁଝେଇଲେ କାଳେ ବାଇଅସୁରୁଣୀ ମାନିଯିବ ତା କଥା। ସେ ଆଗରୁ ଯେମିତି ଭାବୁଥିଲା ସତରେ ଅସୁରୁଣୀଟି ସେମିତି ତ ଲାଗୁନି। ଏଇଟା ଭାବି ରଜାପୁଅ ଶେଷରେ ହଁ ମାରିଦେଲା।

ବାଇଅସୁରୁଣୀ ଛୁଆସୁରୀ ଆଉ ବାମାସୁରକୁ କହିଲା କି ସେମାନେ ଯେମିତି ଏଇ କେତୋଟି ଦିନ ଦେଖିଚାହିଁ ଚାଲନ୍ତି। ଗୁମ୍ଫା ଭିତରେ ସବୁ ଖାଇବା ପଦାର୍ଥ ଅଛି। ସେମାନେ ଯେମିତି ଗୁମ୍ଫା ବାହାରକୁ ନ ଯାଆନ୍ତି। ସେ ରଜାପୁଅ ସାଙ୍ଗରେ ଯାଇ ଚାରିଦିନ ଭିତରେ ଫେରିଆସିବ। ତାପରେ ରାଜାପୁଅ ସବୁଦିନ ପାଇଁ ଫେରିଯିବ ତା ରାଜ୍ୟକୁ। (କ୍ରମଶଃ)

ରଜାପୁଅ ଆଉ ବାଇଅସୁରୁଣୀ କଥା (୨୫)

17952445_414873942220229_221489823477813124_n

ବାଇଅସୁରୁଣୀ ଛୁଆସୁରୀ ଆଉ ବାମାସୁରକୁ କହିଲା କି ସେମାନେ ଯେମିତି ଏଇ କେତୋଟି ଦିନ ଦେଖିଚାହିଁ ଚାଲନ୍ତି। ଗୁମ୍ଫା ଭିତରେ ସବୁ ଖାଇବା ପଦାର୍ଥ ଅଛି। ସେମାନେ ଯେମିତି ଗୁମ୍ଫା ବାହାରକୁ ନ ଯାଆନ୍ତି। ସେ ରଜାପୁଅ ସାଙ୍ଗରେ ଯାଇ ଚାରିଦିନ ଭିତରେ ଫେରିଆସିବ। ତାପରେ ରାଜାପୁଅ ସବୁଦିନ ପାଇଁ ଫେରିଯିବ ତା ରାଜ୍ୟକୁ।

ସେଦିନ ସନ୍ଧ୍ୟାରେ ରଜାପୁଅ ଆଉ ବାଇଅସୁରୁଣୀ ବାହାରିଲେ ବୁଢ଼ାସୁରଙ୍କ ରାଇଜକୁ। ବାଇଅସୁରୁଣୀ ନିଜ କୋଠରୀକୁ ଯାଇ ଗୋଟିଏ କଠଉ ଘେନିଆସିଲା। ଗୋଟିଏ ପଟ କଠଉ ନିଜେ ପିନ୍ଧିଲା ଆଉ ଆର ହଳକ ରଜାପୁଅକୁ ଦେଲା ପିନ୍ଧିବାପାଇଁ।

ରଜାପୁଅ ପଚାରିଲା, “ଏଇଟା କଣ?” ବାଇଅସୁରୁଣୀ କହିଲା, “ଏଇଟା ହେଲା ମନପବନ କଠଉ।” ରଜାପୁଅ ପଚାରିଲା, “ଏଇଟା ପିନ୍ଧିଲେ କଣ ହବ?” ବାଇଅସୁରୁଣୀ କହିଲା, “ଏଇଟା ପିନ୍ଧିଲେ ଯୁଆଡେ ଯିବାକୁ ଚାହିଁବ ସିଆଡେ ଆଖି ପିଛୁଳାକେ ଚାଲି ଯାଇପାରିବ। ରଜାପୁଅ ଆଶ୍ଚର୍ଯ୍ୟ ହେଲା। ତାପରେ ପଚାରିଲା, “ଏଇଟା ତୁ କଉଠୁ ପାଇଲୁ?” ବାଇଅସୁରୁଣୀ କହିଲା, “ଏଇଟା ମତେ ବୁଢ଼ାସୁର ଦେଇଛନ୍ତି।”

ତାପରେ ସେ ନିଜ ବାଁ ହାତର ବୁଢାଆଙ୍ଗୁଠିକୁ ଟେକି ରଜାପୁଅକୁ ଦେଖେଇଲା। କହିଲା, “ଏଇ ନଖକୁ ଚାହାଁ।” ରାଜପୁଅ ଦେଖିଲା। “ନଖ ଭିତରେ ଗୋଟିଏ ଅଦ୍ଭୁତ ଦୁନିଆ। ପ୍ରଥମେ କିଛି ଧୂଆଁଧୂଆଁ ପରି ଦେଖାଗଲା। ତାପରେ ଧୀରେଧୀରେ ଗୋଟିଏ ବୁଢା ଅସୁରର ମୁହଁ ଦେଖାଗଲା। ମୁଣ୍ଡରେ ଦୁଇଟି ଶିଙ୍ଗ। ବାଇଅସୁରୁଣୀ କହିଲା, “ଇଏ ହେଲେ ବୁଢ଼ାସୁର। ମୋର ବାପାଙ୍କଠୁ ବି ବଡ ସେ ମୋ ପାଇଁ।” ଏତିକି କହି ବାଇଅସୁରୁଣୀ ଚୁପ ରହିଲା।

ତାପରେ ରଜାପୁଅ ତା ନଖ ଦେଖି କହିଲା, “ତୁ ଏଇଠି କେମିତି ତାଙ୍କୁ୍ ଦେଖିପାରୁଛୁ?” ବାଇଅସୁରୁଣୀ ଉତ୍ତର ଦେଲା, “ଏଇଟା ହେଲା ନଖଦର୍ପଣ। ଏଇଠି ମୁଁ ଯାହା ଚାହିଁବି ଦେଖିପାରିବି। ଏଇଟା ବି ମତେ ବୁଢ଼ାସୁର ଦେଇଛନ୍ତି।” ବାଇଅସୁରୁଣୀ କଥା ଶୁଣି ରଜାପୁଅ କହିଲା, “ତାହେଲେ କଣ ମୁଁ ବି ଯାହାକୁ ଚାହିଁବି ତାକୁ ଏଠି ଦେଖିପାରିବି?” ବାଇଅସୁରୁଣୀ କହିଲା, “ହଁ ନିଶ୍ଚିତ। ତୁ ତାକୁ ମନା ଭିତରେ ଭାବେ ତାପରେ ନଖଦର୍ପଣରେ ଦେଖେ। ସେ ନିଶ୍ଚୟ ଦିଶିବ।”

ତାପରେ ରଜାପୁଅ ପଦ୍ମିନୀ କଥା ମନରେ ଭାବିଲା। ପର ମୁହୂର୍ତ୍ତରେ ନଖଦର୍ପଣରେ ଭିତରେ ପଦ୍ମିନୀର ସୁନ୍ଦର ମୁହଁ। ପଦ୍ମିନୀ ଖୁସିହେଇ ଦଉଡି଼ ଆସି କହୁଛି, “ତୁମେ ଆସିଗଲ?” ରଜାପୁଅ ବହୁତ ଖୁସି ହେଇଗଲା ପଦ୍ମିନୀର ମୁହଁ ଦେଖି। ତାପରେ ପଦ୍ମିନୀର ମୁହଁ ଧୀରେଧୀରେ ଉଭେଇଗଲ ସେଠୁ। ରଜାପୁଅର ମନ କୁଣ୍ଢେ୍ମୋଟ। ସେ ତାପରେ ବାଇଅସୁରୁଣୀ ଆଡ଼କୁ ଚାହିଁଲା। ବାଇଅସୁରୁଣୀ ସେତିକିବେଳକୁ ଅନ୍ୟ କୁଆଡେ ଚାହୁଁଥିଲା। କଣ ଭାବୁଥିଲା କେଜାଣି!

ସେତିକି ବେଳକୁ ଛୁଆସୁରୀ ଆଉ ବାମାସୁର ସେଠି ଆସି ପହଞ୍ଚିଲେ। ବାଇଅସୁରୁଣୀ କହିଲା, “ହଉ। ଆମ ଯିବାବେଳେ ହେଇଗଲା।” ତାପରେ ସେ ଛୁଆସୁରୀ ଓ ବାମାସୁରଠୁ ବିଦାୟ ନେଲା ଆଉ ରଜାପୁଅକୁ କହିଲା ତା ହାତ ଧରିବାପାଇଁ। ରଜାପୁଅ ତା ହାତ ଧରିଲା। ତାପରେ ସେ ଆଉ ରଜାପୁଅ ସେଠୁ ଅଦୃଶ୍ୟ ହେଇଗଲେ। (କ୍ରମଶଃ)

ରଜାପୁଅ ଆଉ ବାଇଅସୁରୁଣୀ କଥା (୨୬)

18057719_420055581702065_921014712309738495_n

ବାଇଅସୁରୁଣୀ ଛୁଆସୁରୀ ଓ ବାମାସୁରଠୁ ବିଦାୟ ନେଲା। ତାପରେ ସେ କିଛି ଅସ୍ତ୍ରଶସ୍ତ୍ର ଦେଲା ରଜାପୁଅକୁ ପାଖରେ ରଖିବାପାଇଁ। ତାପରେ ସେ ରଜାପୁଅକୁ କହିଲା ତା ହାତ ଧରିବାପାଇଁ। ରଜାପୁଅ ବାଇଅସୁରୁଣୀର ହାତ ଧରିଲା। ତାପରେ ସେ ଆଉ ରଜାପୁଅ ସେଠୁ ଅଦୃଶ୍ୟ ହେଇଗଲେ।

ଆଖି ଖୋଲିଲା ବେଳକୁ ରଜାପୁଅ ଦେଖିଲା ସେମାନେ ସମୁଦ୍ର କୂଳରେ ଠିଆ ହେଇଛନ୍ତି। ପଛକୁ ବୁଲି ଚାହିଁଲା ଗୋଟିଏ ବିରାଟ ଗୁମ୍ଫା। ଆଉ ଗୁମ୍ଫାଟି ସତେକି ଯେମିତି ପାତାଳ ଭିତରକୁ ଯାଇଛି। କିନ୍ତୁ ସେମାନେ ଗୁମ୍ଫା ଭିତରକୁ ପଶିଛନ୍ତି କି ନାହିଁ ଦେଖିଲେ ଅନ୍ୟ ଏକ ରାଇଜର ରାକ୍ଷସଗୁଡିକ ବୁଢ଼ାସୁରଙ୍କ ପ୍ରଜା ଉପରେ ଆକ୍ରମଣ କରି ତାଙ୍କୁ ମାରୁଛନ୍ତି। ସେଗୁଡ଼ାକର ଦେହ ପୁରା ନୀଳ ରଙ୍ଗ ଆଉ ଆଖି ଗୁଡିକ ନାଲି ନାଲି। ବଡବଡ ଦାନ୍ତ। ଦେହରେ ବାଘଛାଲି। ହାତରେ ଗଦା।

ବାଇଅସୁରୁଣୀ କହିଲା, “ଏଇଟା ବୋଧେ ସେଇ ବିପଦ ଯାହା କଥା ବୁଢ଼ାସୁର କହୁଥିଲେ।” ଏତିକି କହି ବାଇଅସୁରୁଣୀ ନିଜ ଆଖି ନିଆଁରେ ସେଇ ରାକ୍ଷସ ମାନଙ୍କୁ ଭସ୍ମ କରିବାରେ ଲାଗିଲା। ତା ଦେଖାଦେଖି ରଜାପୁଅକୁ ରାକ୍ଷସ ମାନଙ୍କ ଉପରେ ଆକ୍ରମଣ କରି ତାଙ୍କୁ ମାରିକି ତଳେ ପକେଇଲା। ଏମିତି ସମସ୍ତଙ୍କୁ ମାରି ସେମାନେ ଭିତରେ ପଶିଲେ।

ରଜାପୁଅ ଦେଖିଲା ଗୁମ୍ଫା ଭିତରେ କାନ୍ଥରେ ମଶାଲ। ଟିକିଏ ଭିତରକୁ ଗଲାପରେ ସୁନ୍ଦର ପ୍ରାସାଦଟିଏ। କିନ୍ତୁ ସେଇଠି ବି ଲାଗିଛି ରକ୍ତର ତାଣ୍ଡବଲୀଳା। ରଜାପୁଅ ପୁଣି ଦେଖିଲା ବୁଢ଼ାସୁର ସେଇଠି ଯୁଦ୍ଧ କରୁଛନ୍ତି ଗୋଟିଏ ରାକ୍ଷସ ସାଙ୍ଗରେ। ରାକ୍ଷସଟିର ହାତ ମୋଡି ଶେଷରେ ସେ ତା ପେଟରେ ନିଜ ଭୁଜାଲିଟି ଭୂଷିଦେଲେ। କିନ୍ତୁ ଠିକ ସେତେବେଳକୁ ରଜାପୁଅ ଦେଖିଲା ବୁଢ଼ାସୁରକୁ ଆଉ ଗୋଟିଏ ରାକ୍ଷସ ପଛଆଡୁ ଆକ୍ରମଣ କରିବାକୁ ଆସୁଛି। ବୁଢ଼ାସୁରଙ୍କୁ ନିଶ୍ଚିତ ସେ ମାରିଦେବ। ରଜାପୁଅ ନିଜ ଖଣ୍ଡାଟିକୁ ଫୋପାଡିଲା ରାକ୍ଷସଟିକୁ ଲକ୍ଷ୍ୟ କରି। ରାକ୍ଷସଟିର ମୁଣ୍ଡଟି ତା ଗଣ୍ଡିରୁ ଅଲଗା ହେଇଗଲା।

ସେଇ ରାକ୍ଷସଟି ଶତ୍ରୁପକ୍ଷର ରାଜା ଥିଲା। ସେ ମରିବା ଦେଖି ବାକି ରାକ୍ଷସତକ ଛତ୍ରଭଙ୍ଗ ଦେଲେ। ବୁଢ଼ାସୁର ରଜାପୁଅ ଆଡକୁ ଚାହିଁଲେ। ରଜାପୁଅକୁ ଦେଖି ତାଙ୍କ ମୁହଁରେ ଏକ ହସ ଖେଳିଗଲା। ସେ ଧୀରେଧୀରେ ରଜାପୁଅ ପାଖକୁ ଆସିଲେ। ରଜାପୁଅର କାନ୍ଧକୁ ଧରି କହିଲେ, “ଯାହା ହଉ ଶେଷରେ ତୁମେ ଆସିଗଲ।” ରଜାପୁଅ ଆଶ୍ଚର୍ଯ୍ୟ ହେଇ ତାଙ୍କୁ ପଚାରିଲା, “ଆପଣ ମତେ ଜାଣିଛନ୍ତି କି?” ବୁଢ଼ାସୁର କହିଲେ, “ନାଇଁ ଜାଣିନି। ତେବେ ଏଇଟା ଜାଣିଥିଲି କି ତୁମେ ନିଶ୍ଚୟ ଆସିବ।”

ବାଇଅସୁରୁଣୀ ସେତିକିବେଳକୁ ସେଠି ଆସି କହିଲା, “ହଁ ସେ ତ୍ରିକାଳଦର୍ଶୀ। ସବୁ ଜାଣିପାରନ୍ତି।” ସେତିକିବେଳକୁ ବୁଢ଼ାସୁରଙ୍କ ଘରଲୋକସବୁ ଆସି ବାଇଅସୁରୁଣୀ ଆଉ ରଜାପୁଅକୁ ଘେରିଗଲେ। ଜଣେ ପଚାରିଲା ରଜାପୁଅକୁ ଦେଖେଇ, “ଇଏ କିଏ?” ବାଇଅସୁରୁଣୀ କିଛ ିସମୟ ପାଇଁ ରଜାପୁଅକୁ ଚାହିଁଲା ଆଉ ତାପରେ କହିଲା, “ସେ ମୋ ବନ୍ଧୁ।” ରଜାପୁଅ ଚକିତ ହେଇ ବାଇଅସୁରୁଣୀକୁ ଚାହିଁଲା। ଅସୁରୁଣୀ ମୁହଁ ବୁଲେଇନେଲା। ପାଖରେ ଠିଆହେଇଥିବା ଅସୁର ଅସୁରୁଣୀ ସବୁ ଟିକେ ଟୁପଟାପ୍ ହେଲେ। “ବାଇଅସୁରୁଣୀର ବନ୍ଧୁ ପୁଣି ଗୋଟିଏ ମଣିଷ!!” ବାଇଅସୁରୁଣୀର ମଣିଷ ମାନଙ୍କ ପ୍ରତି ଘୃଣା ସମସ୍ତେ ଜାଣିଛନ୍ତି। ବୁଢ଼ାସୁର ହସିଦେଇ ସମସ୍ତଙ୍କୁ ଚୁପ କରେଇଲେ ଆଉ ବାଇଅସୁରୁଣୀ ଆଉ ରଜାପୁଅକୁ ପ୍ରସାଦ ଭିତରକୁ ନେଇଗଲେ। (କ୍ରମଶଃ)

            ରଜାପୁଅ ଆଉ ବାଇଅସୁରୁଣୀ କଥା (୨୭)

ବୁଢ଼ାସୁର ହସିଦେଇ ସମସ୍ତଙ୍କୁ ଚୁପ କରେଇଦେଲେ ଆଉ ରଜାପୁଅକୁ ଆଉ ବାଇଅସୁରୁଣୀକୁ ପ୍ରାସାଦ ଭିତରକୁ ନେଇଗଲେ। ସେଦିନ ରାତିରେ ସମସ୍ତେ ଯୁଦ୍ଧ ଜିଣିଥିବା ଖୁସିରେ ଆନନ୍ଦ ଉଲ୍ଲାସରେ ମାତିଗଲେ। ବାଇଅସୁରୁଣୀକୁ ସେଇ ପ୍ରାସାଦର ଝିଅ ଅସୁରୁଣୀ ସବୁ ଘେରିଗଲେ ଆଉ ତାକୁ ଟାଣିଟାଣି ନେଇଗଲେ ସେଇ ମାନଙ୍କୁ ସବୁ ସଜେଇଦବା ପାଇଁ ଆଉ ନାଚ ଶିଖେଇଦବା ପାଇଁ। ରଜାପୁଅ ଆଶ୍ଚର୍ଯ୍ୟ ହେଇ ଦେଖୁଥାଏ।

ବାଇଅସୁରୁଣୀ ଅନ୍ୟ ଅସୁରୁଣୀଗୁଡିକୁ ବହୁତ ସୁନ୍ଦର କରି ସଜେଇ ଦେଇଥାଏ। ହେଲେ ନିଜେ ସଜ ହବାକୁ ମଙ୍ଗିଲାନି। ରଜାପୁଅ ଭାବୁଥାଏ ଏଇ ବାଇଅସୁରୁଣୀକୁ ଏତେ ସାଜସଯ୍ୟା ଆସେ। ତାହେଲେ ନିଜେ ସେ କାହିଁକି ଏମିତି କୁରୂପୀ ହେଇ ବୁଲୁଛି? ତାପରେ ସବୁ ଅସୁରୁଣୀମିଶି ନାଚିବାରେ ଲାଗିଲେ। ସେମାନେ ବାଇଅସୁରୁଣୀକୁ ନାଚିବା ପାଇଁ ଭିଡ଼ିଲେ। ହେଲେ ବାଇଅସୁରୁଣୀ ନାଚିବାକୁ ମନା କରିଦେଲା।

ରଜାପୁଅ ଏସବୁ ଦେଖୁଥାଏ। ସେ ବାଇଅସୁରୁଣୀ ପାଖକୁ ଆସିଲା। ତାପରେ ତାକୁ ଚାହିଁ ପଚାରିଲା, “ତୁ ଯାଇକି ନାଚିଲୁନି?” ବାଇଅସୁରୁଣୀ ତାକୁ ନ ଚାହିଁ ଉତ୍ତର ଦେଲା, “ମତେ ନାଚିବାକୁ ଇଚ୍ଛା ନାହିଁ।” ରଜାପୁଅ ହସିଦେଇ ପଚାରିଲା, “ତାହେଲେ ତତେ କଣ କରିବାକୁ ଇଚ୍ଛା?” ବାଇଅସୁରୁଣୀ ଆଉ କିଛି କହିବା ପୂର୍ବରୁ ହଠାତ୍ ବୁଢ଼ାସୁରଙ୍କ ସ୍ୱର ଶୁଣାଗଲା, “ବାଇକୁ ଖାଲି ସବୁବେଳେ ରାଗିକି ଗରଗର ହବାକୁ ଇଚ୍ଛା।” ଏତିକି କହି ବୁଢ଼ାସୁର ହସି ଉଠିଲେ ଆଉ ତାଙ୍କ ପାଖକୁ ଆସି ବସିଲେ। ବାଇଅସୁରୁଣୀ ତାଙ୍କୁ ରାଗରେ ଥରେ ଚାହିଁ ଦୁମଦୁମ ହେଇ ସେଠୁ ପଳେଇଲା। ବୁଢ଼ାସୁର ପୁଣି ଆଉଥରେ ଜୋରରେ ହସିଉଠିଲେ।

“ସେ ଏମିତି ସବୁବେଳେ କାହିଁକି ହୁଏ? କଥା ହଉଥିବ ରାଗିଯିବ। ରାଗିଥିବ ପୁଣି ଶାନ୍ତ ହେଇଯିବ! ଏମିତି କାହିଁକି?” ରଜାପୁଅ ବୁଢ଼ାସୁରଙ୍କୁ ପ୍ରଶ୍ନ କଲା। ବୁଢ଼ାସୁର କହିଲେ, “ସେ ଏମିତି ହିଁ। ତା ରାଗରେ ସ୍ନେହ ଆଉ ସ୍ନେହରେ ହଳାହଳ ବିଷ।” ରଜାପୁଅ ଆଶ୍ଚର୍ଯ୍ୟ ହେଇ ବୁଢ଼ାସୁରଙ୍କୁ ଚାହିଁଲା। ବୁଢ଼ାସୁର ହୋହୋ ହେଇ ହସିଲେ। ରଜାପୁଅ ବି ତାଙ୍କ ସାଙ୍ଗରେ ମିଶି ହସିଲା। ତାପରେ ରଜାପୁଅ ପୁଣି ପଚାରିଲା, “ଆଛା କହିଲେ ଆପଣ ବାଇଅସୁରୁଣୀକୁ କେମିତି ଜାଣିଲେ?”

ବୁଢ଼ାସୁର ଗୋଟିଏ ଦୀର୍ଘନିଶ୍ୱାସ ଛାଡିଲେ। ତାପରେ ସ୍ୱର୍ଗତୋକ୍ତି କଲାଭଳି କହିଲେ, “ଵାଇକୁ ଆଉ କେହି ଦେଖିବା ଆଉ ଜାଣିବା ପୂର୍ବରୁ ମୁଁ ତାକୁ ଦେଖିଥିଲି ଆଉ ଜାଣିଥିଲି। ତାକୁ ଏଠିକି ନେଇକି ଆସିଥିଲି।” ରଜାପୁଅ ପିଇଗଲାଭଳି ବୁଢ଼ାସୁରଙ୍କ କଥା ଶୁଣୁଥାଏ। ପୁଣି ସେ ପଚାରିଲା, “ଆଛା। କଉଠି ଭେଟିଥିଲେ ଆପଣ ବାଇଅସୁରୁଣୀକୁ?” ବୁଢ଼ାସୁର ପୁଣି କିଛି ସମୟ ଚୁପ ରହିଲେ। ରଜାପୁଅ ଭାବିଲା ସେ ଏଇ ପ୍ରଶ୍ନଟି କରି ଠିକ କରିଛି କି ନାହିଁ।

କିନ୍ତୁ କିଛି ସମୟପରେ ବୁଢ଼ାସୁର ମୁହଁ ଖୋଲିଲେ। କହିଲେ, “ଜଙ୍ଗଲ ଭିତରେ ଗୋଟିଏ ପାହାଡ଼ ଖୋଲରେ ପାଇଥିଲି ତାକୁ। ନଖାଇ ନପିଇ ସେଇଠି ପଡିରହିଥିଲେ ବାଇଅସୁରୁଣୀ, ଛୁଆସୁରୀ ଆଉ ବାମାସୁର। ଦେହରେ ବିଷ ଚରି ଯାଇଥିଲା। ମରିବାର ଦ୍ୱାରଦେଶରେ ଥିଲେ। ମୁଁ ସେମାନଙ୍କୁ ଏଇଠିକି ନେଇ ଆସିଲି। ସେମାନେ ସୁସ୍ଥ ହେଲାପରେ ସେମାନଙ୍କୁ ଜଙ୍ଗଲର ସେଇ ଗୁମ୍ଫାରେ ନେଇ ଛାଡିଦେଇ ଆସିଥିଲି। “ଆଛା, ସେମାନଙ୍କୁ ଆପଣ ଏଇଠି କାହିଁକି ଆପଣଙ୍କ ସାଙ୍ଗରେ ରଖିଲେନି?” ପଚାରିଲା ରଜାପୁଅ। ବୁଢ଼ାସୁର ରଜାପୁଅ ଆଡକୁ ଚାହିଁଲେ ଆଉ ଥରେ ବାଇଅସୁରୁଣୀ ଆଡକୁ ଚାହିଁଲେ ଯିଏ ଟିକିଏ ଦୂରରେ ବସି ନାଚୁଥିବା ଅସୁରୁଣୀମାନଙ୍କୁ ଦେଖୁଥିଲା ଆଉ ନିଜ ଭାବନା ରାଇଜରେ ହଜି ଯାଇଥିଲା। (କ୍ରମଶଃ)

ରଜାପୁଅ ଆଉ ବାଇଅସୁରୁଣୀ କଥା (୨୮)

ବୁଢ଼ାସୁର ରଜାପୁଅ ଆଡକୁ ଚାହିଁଲେ ଆଉ ଥରେ ବାଇଅସୁରୁଣୀ ଆଡକୁ ଚାହିଁଲେ ଯିଏ ଟିକିଏ ଦୂରରେ ବସି ନାଚୁଥିବା ଅସୁରୁଣୀମାନଙ୍କୁ ଦେଖୁଥିଲା ଆଉ ନିଜ ଭାବନା ରାଇଜରେ ହଜି ଯାଇଥିଲା।

ରଜାପୁଅ ପୁଣି ପଚାରିଲା, “କୁହନ୍ତୁ। ଆପଣ କାହିଁକି ସେମାନଙ୍କୁ ଏଠି ରଖିଲେନି?” ବୁଢ଼ାସୁର ରଜାପୁଅକୁ ଚାହିଁ କହିଲେ, “ସମସ୍ତଙ୍କର ଗୋଟିଏ ଭାଗ୍ୟ ଥାଏ ରାଜକୁମାର। ଆଉ ବି ଥାଏ କର୍ମଫଳ। ସମସ୍ତଙ୍କୁ ନିଜ ଭାଗ୍ୟଫଳ ଆଉ କର୍ମଫଳ ଏଇଠି ହିଁ ଭୋଗ କରିବାକୁ ହୁଏ। ବାଇଅସୁରୁଣୀର କର୍ମଫଳ ହେଲା ସେଇ ଗୁମ୍ଫା ଆଉ ସେଇ ଗୁମ୍ଫା ହିଁ ଦବ ତାକୁ ତା ଭାଗ୍ୟଫଳ।”

ବୁଢ଼ାସୁର କଥା ଶୁଣି ରଜାପୁଅ ପଚାରିଲା, “ତାହେଲେ ମୁଁ କାହା କର୍ମଫଳ ଭୋଗ କରୁଛି ବୁଢ଼ାସୁର? ମୁଁ ତ କେବେ କାହା କ୍ଷତି କରିନି! ତାହେଲେ ଏତେ ଦିନ ପ୍ରାଣପୀଡ଼ା ଆଉ ପ୍ରିୟଜନଙ୍କଠୁ ଦୂରରେ ରହିବା କଷ୍ଟ କାଇଁ ଭୋଗ କଲି?” ବୁଢ଼ାସୁର ରଜାପୁଅକୁ ଦେଖି ହସିଲେ ଆଉ କହିଲେ, “କିଏ କହିଲା ଆମେ ଖାଲି ନିଜ କର୍ମଫଳ ଭୋଗୁ? ଆମେ ନିଜ ସାଙ୍ଗରେ ଯୋଡ଼ି ହେଇଥିବା ପ୍ରତିଟି ବ୍ୟକ୍ତିର କର୍ମଫଳ ଭୋଗୁ। ଯେତିକି ଅଧିକ ଆସକ୍ତି, ସେତିକି ଅଧିକ କର୍ମଫଳ। ସେତିକି ଅଧିକ ଶୋକ! ଆଉ ଯେତିକି କଷ୍ଟ ମିଳୁଛି ସେତିକି ଖୁସି ବି ହବାକଥା। କାରଣ କର୍ମଫଳର ଋଣ ଶୁଝିଶୁଝି ଯାଉଛି। ତାଠାରୁ ମୁକ୍ତି ମିଳୁଛି।”

ବୁଢ଼ାସୁରଙ୍କ କଥା ଶୁଣି ରଜାପୁଅ ଟିକିଏ ସମୟ ଚୁପ ରହିଲା। ଏମିତି କଥା ତ ସେ କେବେ ନିଜ ଗୁରୁକୂଳରେ ବି ଶୁଣି ନଥିଲା। ତାପରେ ସେ ପଚାରିଲା, “କିନ୍ତୁ ବୁଢ଼ାସୁର, ସେଇ ଦୁଃଖକଷ୍ଟ ଆଉ ଶୋକକୁ କଣ ଆମେ ଏଡେଇ ପାରିବାନି? ବାଇଅସୁରୁଣୀ କହୁଥିଲା ଆପଣ ତ୍ରିକାଳଦର୍ଶୀ। ତାହେଲେ ଆପଣ କାହିଁକି ଶୋକକୁ ଏଡେଇ ଦେଉନାହାନ୍ତି। ହଉ ଅନ୍ୟର କଥା ଛାଡ଼ନ୍ତୁ ଆପଣ ନିଜ ରାଜ୍ୟ ଉପରେ ଆକ୍ରମଣକୁ କାହିଁକି ଏଡେଇ ଦେଲେନାହିଁ?”

ବୁଢ଼ାସୁର ରଜାପୁଅ କଥା ଶୁଣିସାରି ଟିକିଏ କାଶିଲେ। ତାପରେ କଣ୍ଠ ସଫା କରି କହିଲେ, “ରାଜକୁମାର, ଭବିଷ୍ୟତ ଦେଖିପାରେ ବୋଲି ମୁଁ ଯେ ଭବିଷ୍ୟତକୁ ହାତରେ ନେବି ସେଇଟା ଭାବିବା ଠିକ ନୁହେଁ। ନିୟତି ତା ବାଟରେ ଯିବ ହିଁ ଯିବ। ଆମେ ତାକୁ ଖଣ୍ଡନ କରିପାରିବାନି। ଏଠି ସବୁକିଛି ଆଗରୁ ନିର୍ଦ୍ଧାରିତ। ଯାହା ହବା କଥା ସେ ନିଶ୍ଚିତ ହବ। ସବୁ ଜିନିଷର ଗୋଟିଏ ସମୟ ଥାଏ। ଆମେ ଖାଲି ସେଇ ସଠିକ ସମୟର ଅପେକ୍ଷା କରିବା ଦରକାର। ସମୟ ଆସିଲେ ସବୁ ଠିକ ହେଇଯିବ ଆଉ ସମସ୍ତେ ନିଜ କର୍ମ ଅନୁରୂପ ଫଳ ପାଇବେ।

ରଜାପୁଅ ପୁଣି ପଚାରିଲା, “ତାହେଲେ ମୋ ଭାଗ୍ୟ ବି ନିର୍ଦ୍ଧାରିତ କି ବୁଢ଼ାସୁର? କହିଲେ ଦେଖି ଜୀବନରେ ମୁଁ ଯାହା ଚାହୁଁଚି ସେଇଟା ମୁଁ ପାଇବି ନା ନାହିଁ?” ବୁଢ଼ାସୁର ଟିକିଏ ହସିଦେଇ କହିଲେ, “ରାଜକୁମାର, ଜୀବନରେ ସବୁବେଳେ ସତର୍କ ରହିବ ଯେ ତୁମେ ପ୍ରକୃତରେ କଣ ଚାହୁଁଛ ବୋଲି। କାରଣ ଯେଉଁଟା ତୁମେ ଚାହୁଁଛ ସେଇଟା ଯେ ସବୁବେଳେ ତୁମପାଇଁ ଭଲ ହବ ତା’ର କିଛି ମାନେ ନାହିଁ। ତେଣୁ ସବୁବେଳେ ପ୍ରାର୍ଥନା କରିବ ତୁମପାଇଁ ଯେଉଁଟା ଭଲ ସେଇଟା ହିଁ ମିଳୁ ତୁମକୁ।”

“ତାହେଲେ କଣ ମତେ ଯାହା ଦରକାର ସେଇଟା ମୋ ପାଇଁ ଠିକ ନୁହେଁ,” ପଚାରିଲା ରଜାପୁଅ। “ନା ନା, ମୁଁ ସେ କଥା କହିନି। ସେଇଟା ତୁମପାଇଁ ପୁରାପୁରି ଠିକ ବି ହେଇପାରେ। ମୁଁ ଖାଲି କହୁଛି ନିୟତି ସେଇଟା ନିଶ୍ଚିତ କରିସାରିଛି। ଆମେ ଚିନ୍ତା କରି ବ୍ୟସ୍ତ ହେଲେ ନିୟତି ବଦଳିବାର ନାହିଁ। ତେଣୁ ଏଣିକି ଚିନ୍ତା ନ କରି ଟିକେ ମଉଜ କରିଦିଅ।” ଏତିକି କହି ଟିକିଏ ହସିଦେଇ ବୁଢ଼ାସୁର ରଜାପୁଅ ଆଡକୁ ଦ୍ରାକ୍ଷାରସର ପାତ୍ର ବଢେଇଦେଲେ। (କ୍ରମଶଃ)

ରଜାପୁଅ ଆଉ ବାଇଅସୁରୁଣୀ କଥା (୨୯)

18158026_420033898370900_3211565607797892046_n

ଟିକିଏ ହସିଦେଇ ବୁଢ଼ାସୁର ରଜାପୁଅ ଆଡକୁ ଦ୍ରାକ୍ଷାରସର ପାତ୍ର ବଢେଇଦେଲେ। ରଜାପୁଅ ହସିଦେଇ ପାତ୍ରଟି ନେଲା ତାଙ୍କ ହାତରୁ ଆଉ ମୁହଁ ଲଗେଇଲା ସେଇ ପାତ୍ରରେ। କିନ୍ତୁ ମନରେ ତାର ବିଭିନ୍ନ ପ୍ରକାରର ଚିନ୍ତା ଢେ଼ଉ ଖେଳୁଥାଏ।

ପରଦିନ ସକାଳୁ ବୁଢ଼ାସୁର ବାଇଅସୁରୁଣୀକୁ କହିଲେ ରଜାପୁଅକୁ ଚାରିଆଡେ ଟିକେ ବୁଲେଇ ଦବାପାଇଁ। ବାଇଅସୁରୁଣୀ ରଜାପୁଅକୁ ମନପବନ କଠଉରୁ ହଳେ ପିନ୍ଧିବା ପାଇଁ କହିଲା ଆଉ ସେ ନିଜେ ଆର ହଳକ ପିନ୍ଧିଲା। ତାପରେ ରଜାପୁଅ ଆଉ ବାଇଅସୁରୁଣୀ ଉଡ଼ିଗଲେ ଆଉ ଗୋଟିଏ ଅଲଗା ରାଇଜକୁ। ବାଇଅସୁରୁଣୀ ରଜାପୁଅକୁ ଆଖିକୁ ବନ୍ଦ କରିବା ପାଇଁ କହିଲା। ରଜାପୁଅ ଆଖି ବନ୍ଦ କଲା। ତାପରେ କିଛି ସମୟ ପରେ ରଜାପୁଅକୁ ଆଖି ଖୋଲିବାପାଇଁ କହିଲା। ରଜାପୁଅକୁ ଥଣ୍ଡା ଲାଗୁଥାଏ। ରଜାପୁଅ ଆଖି ଖୋଲିଲା।

ଆଖି ଖୋଲିଲା ବେଳକୁ ରଜାପୁଅ ଦେଖିଲା ସେ ସମୁଦ୍ରର ଅଥଳଥଳ ପାଣି ଭିତରେ। କିନ୍ତୁ ସେଠି ବି ମନଲୋଭା ଭିନ୍ନଭିନ୍ନ ରଙ୍ଗର ଭଳିକି ଭଳି ଫୁଲ। ସୁନ୍ଦର ସୁନ୍ଦର ରଙ୍ଗୀନ ମାଛ ଆଉ ବିଭିନ୍ନ ରକମର ଲୋଭନୀୟ ଜଳୀୟ ଜୀବଜନ୍ତୁ। ଭିନ୍ନ ଭିନ୍ନ ରଙ୍ଗର ଛୋଟ ବଡ଼ ପଥର। ମାଛସବୁ ସେଠି କଥାକୁହା। ରଜାପୁଅ ସେଠି ମାଛଙ୍କ ସାଙ୍ଗେ ଖେଳିଲା। ଗୋଟିଏ ରଙ୍ଗୀନ ପଥର ଗୋଟେଇ ନିଜ କୁର୍ତ୍ତି ମୁଣିରେ ରଖିଲା।

ବାଇଅସୁରୁଣୀ ମାଛଟିଏ ପରି ସେଇ ପାଣି ଭିତରେ ଘୁରି ବୁଲୁଥାଏ। ସେ ରଜାପୁଅର ହାତଧରି ତାକୁ ଏକ ସୁନ୍ଦର ଗଛ ପାଖକୁ ନେଇଗଲା। ଗଛଡ଼ାଳରେ ଅନେକ ପକ୍ଷୀ ଗୀତ ଗାଉଛନ୍ତି। ଫଳଫୁଲରେ ଭର୍ତ୍ତି ଗଛଟି ଆଉ ଗଛମୂଳେ ଖେଳୁଛନ୍ତି ଗୁଡିଏ ମତ୍ସ୍ୟକନ୍ୟା। ରଜାପୁଅ ଆଉ ବାଇଅସୁରୁଣୀକୁ ଦେଖି ମତ୍ସ୍ୟକନ୍ୟା ସବୁ ଖିଲଖିଲ ହେଇ ହସିଲେ। ରଜାପୁଅର କାନମୂଳେ ଖୋସିଦେଲେ ସୁନ୍ଦର ଫୁଲଟିଏ। ଅସୁରୁଣୀର ହାତରୁ ବେକରୁ ହାଡ଼ମାଳ ଖୋଲି ଲଗେଇଦେଲେ ସୁନ୍ଦର ଫୁଲର ମାଳା। ତାଙ୍କ ସାଙ୍ଗରେ ଖେଳିବା ପାଇଁ ଡାକିଲେ। ରଜାପୁଅ ଆଉ ବାଇଅସୁରୁଣୀ ଖେଳିଲେ ତାଙ୍କ ସଙ୍ଗେ। ଖେଳିଖେଳି ଥକିଗଲେ। କେତେ ଯେ ସମୟ ସେଠି ଚାଲିଗଲା ସେମାନେ ଜାଣିପାରିଲେନି। ତାପରେ ଅନ୍ଧାର ହବାକୁ ଲାଗିଲା।

ବାଇଅସୁରୁଣୀ ରଜାପୁଅକୁ ନେଇ ସେଠୁ ଯିବାପାଇଁ ବାହାରିଲା ଆଉ ମତ୍ସ୍ୟକନ୍ୟା ମାନଙ୍କଠୁ ବିଦାୟ ନେଲା। ତାପରେ ବାଇଅସୁରୁଣୀ ରଜାପୁଅକୁ ପୁଣି ଆଖି ବନ୍ଦ କରିବାକୁ କହିଲା। ରଜାପୁଅ ଆଖି ବନ୍ଦ କଲା। ତାପରେ ସେ ତାକୁ ଆଖି ଖୋଲିବା ପାଇଁ କହିଲା। ରଜାପୁଅ ଆଖି ଖୋଲିଲା। ସେ ଦେଖିଲା ଏବେ ସେମାନେ ନକ୍ଷତ୍ର ମାନଙ୍କ ଦୁନିଆରେ ଅଛନ୍ତି। (କ୍ରମଶଃ)

ରଜାପୁଅ ଆଉ ବାଇଅସୁରୁଣୀ କଥା (୩୦)

18158026_420033898370900_3211565607797892046_n

ରଜାପୁଅ ଆଖି ବନ୍ଦ କଲା। ଯେତେବେଳେ ସେ ଆଖି ଖୋଲିଲା ସେ ଦେଖିଲା ଏବେ ସେମାନେ ନକ୍ଷତ୍ର ମାନଙ୍କ ଦୁନିଆରେ ଅଛନ୍ତି। ଶୁଭ୍ର ଶ୍ୱେତ ରଙ୍ଗ। ଲାଗୁଛି ଯେମିତି ସବୁଆଡେ ବରଫ କୁଢ଼େଇ ହେଇ ଯାଇଛି। ସମସ୍ତେ ପିନ୍ଧିଛନ୍ତି ସୁନ୍ଦର ସୁନ୍ଦର ଶ୍ୱେତ ବସ୍ତ୍ର।

ସେଇ ଦୁନିଆରେ ଚନ୍ଦ୍ରତାରା ପରୀ ଅପସରୀ ସମସ୍ତେ ଆତଯାତ ହଉଥିଲେ। ସମସ୍ତେ ଦିଶୁଥାନ୍ତି ଚିକଚିକ୍।ସେଇ ନକ୍ଷତ୍ର ରାଇଜରୁ ବାଇଅସୁରୁଣୀ ରଜାପୁଅକୁ ଦେଖେଇଦେଲା ପୃଥିବୀ। ପୃଥିବୀ ଝିଲିମିଲି ଆଲୁଅରେ ଝଲସି ଉଠୁଥାଏ। ନକ୍ଷତ୍ର ରାଇଜରେ ସମସ୍ତେ ନାଚଗୀତରେ ବ୍ୟସ୍ତ ଥାନ୍ତି। ରଜାପୁଅ ଆଉ ବାଇଅସୁରୁଣୀ ଲୁଗା ଓଦା। ତାଙ୍କୁ ଟାଣିନେଇ ନକ୍ଷତ୍ର ରାଇଜର ଲୋକେ ସୁନ୍ଦର ଧଳାଲୁଗା ପିନ୍ଧେଇଦେଲେ।

ରଜାପୁଅ ତାପରେ ସେଠି ତାରା ମାନଙ୍କ ସହ କଥା ହେଲା। ସେମାନଙ୍କୁ ତାଙ୍କ ନାଁ ପଚାରିଲା। ସେମାନେ ବି ରଜାପୁଅକୁ ତା ନାଁ ଗାଁ ଠିକଣା ପଚାରିଲେ। ତାପରେ ସେମାନେ ରଜାପୁଅ ଆଉ ବାଇଅସୁରୁଣୀକୁ ଟାଣିଆଣି ନାଚରେ ମିଶେଇଦେଲେ। ରଜାପୁଅ ଆଉ ବାଇଅସୁରୁଣୀ ହାଲିଆ ହେବାଯାଏଁ ନାଚିଲେ। ରଜାପୁଅ ସେଠି ଚନ୍ଦ୍ରମାକୁ ଭେଟିଲା। ତା ଶୁଭ୍ର ଆଲୁଅରେ ରଜାପୁଅର ଆଖି ଝଲସିଗଲା ଆଉ ମନ ଭରିଗଲା ଏକ ଅଦ୍ଭୁତ ତୃପ୍ତିରେ।

ରଜାପୁଅକୁ ଲାଗିଲା ସେ ଯେମିତି ଏକ କୁହୁକ ଦୁନିଆରେ ବୁଲୁଛି। ଏକ କୁହୁକ କାହାଣୀର ନାୟକ ଯେମିତି ସେ। ସେ ଚନ୍ଦ୍ର ତାରା ସମସ୍ତଙ୍କ ସାଙ୍ଗରେ ନାଚିଲା। ତାପରେ ନାଚିଲା ବାଇଅସୁରୁଣୀ ସାଙ୍ଗରେ। ବାଇଅସୁରୁଣୀର୍ ନାଚ ଦେଖି ସେ ଆଶ୍ଚର୍ଯ୍ୟ ହେଲା। ତାକୁ ପଚାରିଲା, “ତତେ ପରା ନାଚିବାକୁ ଭଲ ଲାଗେନି। ଆଉ ଆଜି ତାହେଲେ କେମିତି ନାଚୁଛୁ?” ତାପରେ ପୁଣି ଯୋଡ଼ିଲା, “ତୁ ତ ଅସୁରୁଣୀ। ଏତେ ସୁନ୍ଦର ନାଚ ତୁ ଶିଖିଲୁ କଉଠୁ?”

ବାଇଅସୁରୁଣୀ ରଜାପୁଅର ପ୍ରଶ୍ନ ଶୁଣି ତା ମୁହଁକୁ ଚାହିଁଲା। କିନ୍ତୁ କିଛି ଉତ୍ତର ଦେଲାନି। ଏମିତି ନାଚିନାଚି ହାଲିଆ ହେଇ ଯିବାପରେ ବାଇଅସୁରୁଣୀ ରଜାପୁଅକୁ ଫେରିଯିବା ପାଇଁ କହିଲା। ରଜାପୁଅକୁ ଜମା ଫେରିବାକୁ ଇଚ୍ଛା ନଥାଏ। କିନ୍ତୁ ବାଧ୍ୟ ହେଇ ସେ ଫେରିଲା। ବୁଢ଼ାସୁରଙ୍କ ପ୍ରାସାଦରେ ପହଞ୍ଚୁ ପହଞ୍ଚୁ ସେଦିନ ଅଧରାତି।

ପରଦିନ ବାଇଅସୁରୁଣୀ ରଜାପୁଅକୁ ବୁଢ଼ାସୁରର ରାଜ୍ୟ ବୁଲେଇବାକୁ ନେଲା। ରଜାପୁଅ ଆଶ୍ଚର୍ଯ୍ୟ ହେଲା ଯେ ବୁଢ଼ାସୁରଙ୍କ ରାଜ୍ୟ ଏକ ଅସୁର ରାଜ୍ୟ ହେଲେ ବି କେହି କାହାକୁ କେବେ ଏଠି ଆକ୍ରମଣ କରନ୍ତି ନାହିଁ। ଏପରିକି ଯେଉଁ ଜନ୍ତୁ ମରିକି ପଡ଼ିଥାଏ ତାକୁ କେବଳ ଖାଆନ୍ତି ଏମାନେ ନଚେତ ଚାଷକରି ଅଥବା ଫଳମୂଳ ଖାଇ ବଞ୍ଚନ୍ତି।

ସେମାନେ ଚାଲିଚାଲି ଗୋଟିଏ ଝରଣା କୂଳରେ ପହଞ୍ଚିଲେ। ବାଇଅସୁରୁଣୀ ସେଠି ବସିପଡିଲା। ଗୋଟିଏ ଠେକୁଆ ସେଇ ବାଟ ଦେଇ ଯାଉଥାଏ। ସେ ଅସୁରୁଣୀକୁ ଦେଖି ଡରିଗଲା। ଅସୁରୁଣୀ କିନ୍ତୁ ଠେକୁଆଟିକୁ ନିଜ ହାତରେ ଉଠେଇ ତାକୁ ଆଉଁସିବାକୁ ଲାଗିଲା। ରଜାପୁଅ ଦେଖିଲା ଏଇଟା ସଠିକ୍ ସମୟ। ଏବେ ହିଁ ସେ ବାଇଅସୁରୁଣୀ ସାଙ୍ଗରେ କଥା ହେଇପାରିବ। ରଜାପୁଅ ବାଇଅସୁରୁଣୀ ପାଖରେ ଯାଇ ବସିପଡିଲା। (କ୍ରମଶଃ)

ରଜାପୁଅ ଆଉ ବାଇଅସୁରୁଣୀ କଥା (୩୧)

18057719_420055581702065_921014712309738495_n

ରଜାପୁଅ ଦେଖିଲା ଏଇଟା ସଠିକ୍ ସମୟ। ଏବେ ହିଁ ସେ ବାଇଅସୁରୁଣୀ ସାଙ୍ଗରେ କଥା ହେଇପାରିବ। ରଜାପୁଅ ବାଇଅସୁରୁଣୀ ପାଖରେ ଯାଇ ବସିପଡିଲା। ତାପରେ ସେ ବାଇଅସୁରୁଣୀକୁ ଚାହିଁ କହିଲା, “ତୋ ମନରେ ତ ଏଠି ସମସ୍ତଙ୍କ ମନରେ ଦରଦ। ତାହେଲେ ସେଇ ଜଙ୍ଗଲକୁ ଯାଇ ସବୁ ଜୀବଜନ୍ତୁଙ୍କୁ ମାରୁଛୁ ତୁ କାହିଁକି? ଆଉ ଯଦି ବା ସେ ଜନ୍ତୁଗୁଡାଙ୍କୁ ମାରିଲୁ ସେ ମଣିଷଗୁଡା ତୋର କି ଦୋଷ କରିଛନ୍ତି? ତାଙ୍କୁ କାହିଁକି କଲବଲ କରି ମାରୁଛୁ?

ବାଇଅସୁରୁଣୀ ଥରେ ରଜାପୁଅ ଆଡକୁ ଚାହିଁଲା ତାପରେ ପୁଣି ମୁହଁ ଫେରେଇନେଲା ଆଉ ଝରଣା ପାଣିକୁ ଦେଖିବାକୁ ଲାଗିଲା। ରଜାପୁଅ ପୁଣି କହିଲା, “ତୁ ତ ମଣିଷ ମାରି ଖାଉନୁ। ତାହେଲେ ସେଗୁଡାକୁ ଜଳେଇ ପୋଡ଼େଇ ହାତ ଗୋଡକାଟି ମୁଣ୍ଡରେ ପଥର ଛେଚି ତତେ କି ମଜା ଲାଗୁଛି? ତୁ ତ ବୁଢ଼ାସୁରଙ୍କୁ ଏତେ ମାନୁଛୁ। ହେଲେ ତାଙ୍କ ରାଜ୍ୟରେ ତ କେହି ଜୀବଟିଏ ବି ମାରୁନାହାନ୍ତି। ତାହେଲେ ତୁ କାହିଁକି ମଣିଷ ମାରି ପାପ ଅର୍ଜୁଛୁ? ସେଇ ମଣିଷ ମାନଙ୍କୁ ନିଜ ରାସ୍ତାରେ ଯିବାକୁ ଦେ। ତୁ ନିଜ ରାସ୍ତାରେ ଯା। ସେମାନେ ତୋ ରାସ୍ତାରେ କେବେବି ଆସିବେନି। ସେଇ ବ୍ୟବସ୍ଥା ମୁଁ କରିଦେବି। କଣ କହୁଛୁ? ମୋ କଥା ଶୁଣିବୁ ନା? ତୁ ମତେ ବନ୍ଧୁ ବୋଲି ଡାକିଚୁ। ବନ୍ଧୁର କଥା ଶୁଣିବୁନି?”

ଏତିକି କହି ରଜାପୁଅ ବାଇଅସୁରୁଣୀ ଆଡ଼କୁ ଚାହିଁଲା। ବାଇଅସୁରୁଣୀ କିନ୍ତୁ କିଛି କହିଲାନି। ଖାଲି ଦୀର୍ଘ ନିଶ୍ୱାସଟିଏ ଛାଡିଲା। ତାପରେ ସେ ବସିବା ଜାଗାରୁ ଠିଆହେଲା। ରଜାପୁଅକୁ ଚାହିଁ କହିଲା, “ବହୁତ ଡେରି ହେଲାଣି। ଏବେ ଏଠୁ ଫେରିବା ଆମେ।” ରଜାପୁଅ ଜାଣିପାରୁନଥିଲା ଅସୁରୁଣୀ ମନରେ କଣ ଚାଲୁଛି। ସେ ତା କଥା ବୁଝିପାରିଲା କି ନାହିଁ ସେଇଟା ବି ଜାଣିପାରିଲାନି ରଜାପୁଅ। ସିଏ ତା ବସିବା ଜାଗାରୁ ଠିଆହେଲା।

ବାଇଅସୁରୁଣୀ ରଜାପୁଅକୁ ଠିଆହବା ଦେଖି ସେଇ ଜାଗାରୁ ଯିବାପାଇଁ ପାଦ ବଢ଼େଇଲା। କିନ୍ତୁ ସେ ଅନ୍ୟମନସ୍କ ଥିଲା କି କଣ ହଠାତ୍ ତା ପାଦ ଖସିଗଲା ଆଉ ରଜାପୁଅ କଣ ହେଇଛି ବୁଝୁ ବୁଝୁ ଅସୁରୁଣୀ ଝରଣା ଭିତରକୁ ଖସିପଡ଼ିଲା। କିନ୍ତୁ ସେ ବଡ କଷ୍ଟରେ ଗୋଟିଏ ମୋଟା ଚେର ଧରି ସେଇଠି ଝୁଲି କି ରହିଲା। ତଳେ ଭୟାନକ ଗଭୀର ଝରଣା। ଆଉ ଝରଣା ଭିତରେ ଭୟଙ୍କର ସାପ ଆଉ କୁମ୍ଭୀର।

ରଜାପୁଅ କହିଲା, “ତୁ ସେଇ ଚେର ଧରିକି ଥା। ମୁଁ ତତେ ବାହାର କରୁଛି ସେଠୁ।” ତାପରେ ରଜାପୁଅ ସେଇଠୁ ଖୋଜିଖୋଜି ଆଉ ଗୋଟିଏ ମୋଟା ଚେର ଆଣି ତାକୁ ଆଉ ଗୋଟିଏ ଚେରରେ ବାନ୍ଧି ଦଉଡି଼ ତିଆରି କଲା। ତାପରେ ତାକୁ ପାଖ ଗଛରେ ଗୋଟିଏ ବାନ୍ଧି ଅସୁରୁଣୀ ପାଖକୁ ପକେଇଲା। ବାଇଅସୁରୁଣୀର ହାତରେ ସେତେବେଳକୁ ଛାଲି ପଡିଯାଇଥାଏ ଆଉ ତାକୁ ବହୁତ କଷ୍ଟ ହଉଥାଏ। ରଜାପୁଅ ଅସୁରୁଣୀକୁ ଦଉଡିଟି ଧରିବାକୁ କହିଲା। ବଡ଼ କଷ୍ଟରେ ଅସୁରୁଣୀ ଦଉଡିଟି ଧରିଲା।

ରଜାପୁଅ ଅସୁରୁଣୀକୁ ଟାଣିଟାଣି ଶେଷରେ ଉପରକୁ ଆଣିଲା। ଉପରକୁ ଆସିଲାପରେ ଅସୁରୁଣୀ ସେଇଠି ପଡିଗଲା। ତାର ଗୋଟିଏ ହାତ କଟି ପିଚପିଚ୍ ରକ୍ତ ବାହାରୁଥାଏ। ରଜାପୁଅ ଆଖପାଖରେ ଦେଖିଲା। କିଛି କୁଆଡେ ନାହିଁ। ତାପରେ ନିଜ ହାତକୁ ଦେଖିଲା। ପଦ୍ମିନୀର ଉତ୍ତରୀୟ। ସେ ଆଗପଛ କିଛି ନ ଭାବି ସେଇ ଉତ୍ତରୀୟଟି କାଢି ବାଇଅସୁରୁଣୀ ହାତରେ ବାନ୍ଧିଦେଲା। ବାଇଅସୁରୁଣୀ ତାକୁ ଆଶ୍ଚର୍ଯ୍ୟ ହେଇ ଦେଖିଲା। ରଜାପୁଅ କିନ୍ତୁ ନିର୍ବିକାର। ତାପରେ ଦୁହେଁ ଚୁପଚାପ ଠିଆ ହେଲେ। ରଜାପୁଅ ପଚାରିଲା, “ତୁ ପ୍ରସାଦ ଯାଏଁ ଚାଲିପାରିବୁ?” ବାଇଅସୁରୁଣୀ ହଁ ମାରିଲା। ତାପରେ ଦୁହେଁ ପ୍ରସାଦ ଆଡକୁ ମୁହେଁଇଲେ। ଆଉ ଦୁହିଁଙ୍କ ଭିତରେ କିଛି କଥାବାର୍ତ୍ତା ନଥିଲା। (କ୍ରମଶଃ)

ରଜାପୁଅ ଆଉ ବାଇଅସୁରୁଣୀ କଥା (୩୨)
17904241_414956672211956_131024211031009689_n
 
ଏପଟେ ମନ୍ତ୍ରୀପୁଅ କଇଁଛଠୁ ରଜାପୁଅର ସନ୍ଦେଶ ପାଇ ଜଙ୍ଗଲରେ ଘୋଡା ଦଉଡେଇ ଦଉଡେଇ ଆସି ବାଇଅସୁରୁଣୀ ଗୁମ୍ଫା ପାଖରେ ପହଞ୍ଚିଲା। ଘୋଡ଼ାରୁ ସତର୍କତାର ସହିତ ଓହ୍ଲେଇଲା ମନ୍ତ୍ରୀପୁଅ। ଦେଖିଲା ଗୁମ୍ଫାର ଦ୍ୱାରଦେଶରେ ବଡ଼ ପଥରଟିଏ। ପଥରଟିକୁ ଠେଲିବାକୁ ଚେଷ୍ଟା କଲା ସେ। ପଥରଟି ବହୁତ ଭାରୀ। ହଲେଇ ବି ପାରିଲାନି ସେ।
 
ତାପରେ ସେ ପାଖରୁ ଆଉ ଗୋଟିଏ ପଥର ଉଠେଇ ଦ୍ୱାରମୁହଁର ପଥରରେ ଢକଢକ୍ କରି ଶବ୍ଦ କରି ବାଡ଼େଇଲା। ତାପରେ ସେଇ ପାଖରେ ଲୁଚିକି ରହିଲା। କିଛି ଶୋରଶବ୍ଦ ହେଲାନି। ମନ୍ତ୍ରୀପୁଅ ପୁଣି ପଥରରେ ସେମିତି ଶବ୍ଦ କଲା ଆଉ ପୁଣି ସେଇଠି ଲୁଚିକି ରହିଲା। ଏଥର କିଛିସମୟ ପରେ ପଥରଟି ହଲଚଲ ହେଲା। କିଏ ଜଣେ ତାକୁ ହଟେଇଲା ଆଉ ବାହାରକୁ ଆସିଲା।
 
ମନ୍ତ୍ରୀପୁଅ ଦେଖିଲା ବାମନ ଅସୁରଟିଏ ବାହାରକୁ ଆସି ଠିଆହେଲା। ଏଣେତେଣେ ଚାହିଁଲା। ମନ୍ତ୍ରୀପୁଅ ସେତେବେଳକୁ ପଛଆଡୁ ଆସି ତାକୁ ଚପକିନି ଧରିଦେଲା। ତାପରେ ତା ବେକରେ ଖଣ୍ଡା ଲଗେଇ କହିଲା, “ଏବେ ଭିତରକୁ ଚାଲେ। ମୁହଁ ଖୋଲିଥିବୁ ଯଦି ତୋ ବେକ ଗୋଟେ ଚୋଟରେ କାଟି ଉଡେଇଦେବି।” ବାମାସୁର ଚୁପଚାପ ଗୁମ୍ଫା ଭିତରକୁ ପଶିଲା।
 
ଗୁମ୍ଫା ଭିତରେ ଅନ୍ଧାର। ମନ୍ତ୍ରୀପୁଅ ଦେଖିଲା ପାଖରେ ଗୋଟିଏ କୋଠରୀ। ମନ୍ତ୍ରୀପୁଅ କାନ୍ଧରେ ଗୋଟିଏ ଦଉଡି଼ ଧରିଥାଏ। ସେ ବାମାସୁରର ହାତ ଆଉ ଗୋଡ ବାନ୍ଧିଦେଲା। ତା ମୁହଁରେ କପଡା ଖଣ୍ଡିଏ ପୁରେଇଦେଲା ଆଉ ତାକୁ ସେଇ କୋଠରୀରେ ବନ୍ଦ କରିଦେଲା। ତାପରେ ସେ ଖଣ୍ଡା ଉଠେଇ ଆଗକୁ ଆଗକୁ ବଢି ଚାଲିଲା। କଉଠି ଅଛି ସେ ବାଇଅସୁରୁଣୀ? କଉଠି ଅଛି ରଜାପୁଅ? ମନ୍ତ୍ରୀପୁଅ ଟିକିଏ ଆଗକୁ ଯାଇଛି କି ନାହିଁ ହଠାତ୍ ମୁଣ୍ଡରେ ଅନୁଭବ କଲା ଗୋଟିଏ ବଜ୍ର ପ୍ରହାର। ମୁଣ୍ଡଟା ତାର କିଲିବିଲି ହେଇଗଲା। ସେ ପଛକୁ ଚାହିଁଲା।
 
ପଛରେ ଗୋଟିଏ ଛୋଟ ଅସୁରୁଣୀ। ହାତରେ ତାର ଲମ୍ବା ଲାଠିଟିଏ। ମୁହଁରେ ବଡ ବଡ ଦାନ୍ତ ଗଜୁରିଛି। ଦେଖିବାକୁ ଛୋଟ କିନ୍ତୁ ବୟସରେ ବଡ ମନେ ହଉଛି ଏଇ ଛୋଟ ଅସୁରୁଣୀଟି। ମନ୍ତ୍ରୀପୁଅକୁ ଓଲଟିବା ଦେଖି ଛୁଆସୁରୀ ହାତରୁ ଲାଠିଟା ଫୋପାଡି ଦେଲା। ମନ୍ତ୍ରୀପୁଅ ତାକୁ ଧରିବାକୁ ହାତ ବଢ଼େଇଲା। ହଠାତ୍ ମନ୍ତ୍ରୀପୁଅକୁ ଆଶ୍ଚର୍ଯ୍ୟ କରି ଛୁଆସୁରୀ ତା ଉପରକୁ ଗୋଟିଏ ଡିଆଁ ମାରିଲା। ମନ୍ତ୍ରୀପୁଅ ପଡିଗଲା। ତା ହାତରୁ ଖଣ୍ଡା ଖସିପଡିଲା।
 
ଛୁଆସୁରୀ ମନ୍ତ୍ରୀପୁଅର ମୁହଁସାରା ତା ତୀକ୍ଷ୍ଣ ନଖରେ ଜୋରରେ ଜୋରରେ ରାମ୍ପୁଡିବାକୁ ଲାଗିଲା। ତାପରେ ସେ ମନ୍ତ୍ରୀପୁଅର ନାକକୁ ଜୋରରେ କାମୁଡ଼ି ଦେଲା। ମନ୍ତ୍ରୀପୁଅ ଯନ୍ତ୍ରଣାରେ ଚିତ୍କାର କରିଉଠିଲା। ସେ ଛୁଆସୁରୀକୁ ନିଜ ଉପରୁ ଠେଲିଦେଲା। ସେତେବେଳକୁ ବାମାସୁର ନିଜ ହାତଗୋଡ ଖୋଲି କୋଠରୀ କବାଟ ଭାଙ୍ଗି ବାହାରେ। ମନ୍ତ୍ରୀପୁଅ ନିଜ ଖଣ୍ଡାକୁ ଖୋଜିଲା।
 
ନିଜ ଖଣ୍ଡାକୁ ଗୋଟେଇଛି କି ନାହିଁ ତା ମୁଣ୍ଡରେ ପୁଣି ବାଜିଲା ଗୋଟିଏ ବଜ୍ର ପ୍ରହାର। ସାମ୍ନାରେ ଛୁଆସୁରୀ। ହାତରେ ତାର ସେଇ ଲାଠିଟି। ମନ୍ତ୍ରୀପୁଅ ଅଚେତ ହଉହଉ ହାତ ବଢ଼େଇ ଛୁଆସୁରୀର ଚୁଟିକୁ ଟାଣିଧରିଲା। ଛୁଆସୁରୀ ପୁଣିଥରେ ମନ୍ତ୍ରୀପୁଅର ହାତକୁ କାମୁଡିଦେଲା। ମନ୍ତ୍ରୀପୁଅ ସେଇଠି ତଳେ ପଡ଼ିଗଲା। ମୁହଁସାରା ତାର ରକ୍ତରେ ଲାଲ। ହାତରୁ ବି ରକ୍ତ ବାହାରିବା ଆରମ୍ଭ କଲା।
 
ଛୁଆସୁରୀ ଆଉ ବାମାସୁର ମନ୍ତ୍ରୀପୁଅକୁ ଟାଣିଟାଣି ନେଇ କାରାଗାରକୁ ନେଇଗଲେ। ସେଠି ସେମାନେ ତାକୁ ବାନ୍ଧୁଛନ୍ତି କି ନାହିଁ ମନ୍ତ୍ରୀପୁଅ ଆଖି ଖୋଲିଲା। ଆଖି ପିଛୁଳାକେ ସେ ଉଠିକି ଠିଆହେଲା ଆଉ ଛୁଆସୁରୀ ଆଉ ବାମାସୁରକୁ ଧକ୍କା ପକେଇଲା। ଛୁଆସୁରୀ ମୂର୍ଚ୍ଛା ଗଲା। ମନ୍ତ୍ରୀପୁଅ ବାମାସୁରକୁ ବାନ୍ଧି ପକେଇଲା। ତାପରେ ଛୁଆସୁରୀକୁ ବାନ୍ଧିଲା।
 
ମନ୍ତ୍ରୀପୁଅ କାରାଗାର କାନ୍ଥରେ ପଦ୍ମିନୀର ଚିତ୍ର ଦେଖି ବୁଝିଗଲା ରଜାପୁଅ ଏଇଠି କଉଠି ଥିଲା। କିନ୍ତୁ ସେ ଏଇଟା ବୁଝିପାରୁନଥିଲା କି ଏବେ ସେ ରଜାପୁଅକୁ କଉଠି ଖୋଜିବ ଆଉ ଏଇ ଛୋଟ ଅସୁରୁଣୀଟି କଣ ସତରେ ବାଇଅସୁରୁଣୀ?? ଏମାନେ କଣ ରଜାପୁଅକୁ ମାରିଦେଇଛନ୍ତି ସତରେ? ସେ ବାମାସୁର ପାଖକୁ ଯାଇ ତାକୁ ଗୋଟିଏ ଚାପୁଡା ମାରିଲା। ତାପରେ ପଚାରିଲା, “ରଜାପୁଅ କାହିଁ? ସତ କହ। ନହେଲେ ତତେ ଏଇଠି ମାରିଦେବି।” ବାମାସୁର ତାକୁ ସବୁ କଥା କହିଲା। କହିଲା ରଜାପୁଅ ଆଉ ଗୋଟିଏ ଦିନରେ ଫେରି ଆସିବ। ମନ୍ତ୍ରୀପୁଅ କହିଲା, “ହଉ ମୁଁ ଗୋଟିଏ ଦିନ ପାଇଁ ଜଗିବି। ଯଦି ରଜାପୁଅ ନ ଫେରେ ତୁ ତାହେଲେ ଜୀବନ ଦେବୁ ମୋ ହାତରେ।” ବାମାସୁର ତା କଥାଶୁଣି ହଉ କହିଲା। (କ୍ରମଶଃ)

ରଜାପୁଅ ଆଉ ବାଇଅସୁରୁଣୀ କଥା (୩୩)

18057719_420055581702065_921014712309738495_n

ସେପଟେ ରଜାପୁଅ ଆଉ ବାଇଅସୁରୁଣୀ ବୁଢ଼ାସୁରଙ୍କଠୁ ବିଦାୟ ନବାକୁ ବାହାରିଲେ। ଆଗ ବାଇଅସୁରୁଣୀ ଗଲା ବୁଢ଼ାସୁରଙ୍କ କୋଠରୀକୁ। ବୁଢ଼ାସୁର ବାଇଅସୁରୁଣୀକୁ କହିଲେ, “ତୁ ଆଉ କିଛି ଦିନ ରହିଯାଉନୁ?” ବାଇଅସୁରୁଣୀ କହିଲା, “ମୁଁ ଯେଉଁ କାମ ପାଇଁ ଆସିଥିଲି ସେଇ କାମ ତ ହେଇଗଲା। ଆଉ ରଜାପୁଅ ବି ତା ରାଇଜକୁ ଫେରିଯିବ। ବହୁତ ଦିନ ହେଲା ସେ ଏଠି ରହିଗଲାଣି। ବୁଢ଼ାସୁର ପଚାରିଲେ, “ଆଉ ତୁ ତାକୁ ଯିବାକୁ ଦେବୁ?”

ବାଇଅସୁରୁଣୀ ବୁଢ଼ାସୁରଙ୍କୁ ଚାହିଁ କହିଲା, “ହଁ, କାହିଁକି ନୁହେଁ?” ବୁଢ଼ାସୁର ତାକୁ ପୁଣି ପଚାରିଲେ, “ରଜାପୁଅ ଚାଲିଗଲେ ତୁ ଖୁସୀ ହବୁ? ବାଇଅସୁରୁଣୀ କହିଲା, “ମୁଁ ଖୁସୀ ହୁଏ ନ ହୁଏ ସେଥିରେ କଣ ଅଛି? କିନ୍ତୁ ଆପଣ ଏସବୁ କାହିଁକି ପଚାରୁଛନ୍ତି?” ବୁଢ଼ାସୁର କହିଲେ, “କାରଣ ମୁଁ ଯାହା ଦେଖିପାରୁଛି ତୁ ଯାଆ ଭିତରେ ରଜାପୁଅକୁ ଭଲପାଇ ବସିଲୁଣି।” ବାଇଅସରୁଣୀ ଇତସ୍ତତଃ ହେଇ କହିଲା, “ମୁଁ କାହିଁକି ରଜାପୁଅକୁ ଭଲ ପାଇବି? ଏଇଟା ମିଛ କଥା।”

ବୁଢ଼ାସୁର କହିଲେ, “ଏଇଟା ମିଛ ହେଲେ ହେଇଥାନ୍ତା। କିନ୍ତୁ ଏଇଟା ସତ। ତୋ ଆଖି ଦେଖି ଯିଏ କେହି କହିଦେବ ସେଇଠି ରଜାପୁଅର ଛବି ଅଙ୍କା ହେଇଛି। କିନ୍ତୁ ଏଇ ରାସ୍ତାରେ ଯିବାର ପରିଣତି ଜାଣିଛୁ ତ? ସେତିକି କଷ୍ଟ କରିପାରିବୁ? ଛାତି ତୋର ପଥର। ମନେଅଛି ତ ତୋର? ତାକୁ ଭଲପାଇଲେ ଅଧା ହୃଦୟ ତୋର ରକ୍ତମାଂସର ହବ କିନ୍ତୁ!” ଏତିକି କହି ବୁଢ଼ାସୁର ବାଇଅସୁରୁଣୀକୁ ଦେଖିଲେ।ବାଇଅସୁରୁଣୀ ମୁହଁ ବୁଲେଇ ନେଲା। “କିନ୍ତୁ ଅଧା ଛାତି ତୋର ପଥର ହେଇ ରହିବ ଆଉ ପ୍ରତିଟି ମୁହୂର୍ତ୍ତ ତୋ ହୃଦୟକୁ ଟିକଟିକ୍ କରି କାଟିବ। ସହି ପାରିବୁ ଏତେ କଷ୍ଟ?”

“ସେମିତି କିଛି ହବନି।” କହିଲା ବାଇଅସୁରୁଣୀ। ପୁଣି କହିଲା, “ଏମିତିରେ ବି ତାର ମୋର ମେଳ ନାହିଁ। ଆଉ ପୁଣି ଉପରୁ ସେ ଆଉ ଜଣକୁ ଭଲ ପାଉଛି।” ବୁଢ଼ାସୁର କହିଲେ, “ସେ ଭଲ ପାଉ। କିନ୍ତୁ ପ୍ରଶ୍ନ ହଉଛି ତୁ କାହାକୁ ଭଲପାଉ।” ଠିକ୍ ସେତିକିବେଳକୁ ରଜାପୁଅ କବାଟରେ ଆସି ଠକ୍ ଠକ୍ କଲା। ବାଇଅସୁରୁଣୀ ଆଉ କିଛି ନ କହି ସେଠୁ ବାହାରିଗଲା। ଗଲାବେଳକୁ ରଜାପୁଅର ମୁହଁକୁ ବି ଚାହିଁଲା ନାହିଁ।

ରଜାପୁଅ ଭିତରକୁ ଆସି ବୁଢ଼ାସୁରଙ୍କୁ ପଚାରିଲା, “ୟାର ପୁଣି କଣ ହେଲା?” ବୁଢ଼ାସୁର କହିଲେ, “କିଛି ନାହିଁ। ରାଗ”। ରଜାପୁଅ ପଚାରିଲା, “କିନ୍ତୁ କାହିଁକି? ଏତେ ରାଗ ତାର କାହିଁକି? ପୁଣି ମଣିଷ ଦେଖିଲେ ଆଉରି ବଢିଯାଉଛି ତା ରାଗ!” ବୁଢ଼ାସୁର କହିଲେ, “ସବୁ କାହିଁକିର କାରଣ ସାଙ୍ଗେ ସାଙ୍ଗେ ମିଳେନି ରାଜକୁମାର। ଥରେ ଥରେ କାରଣଟି ନିଜେ ଖୋଜିବାକୁ ପଡେ। ଆଉ ଥରେ ଥରେ କାରଣଟି ନିଜେ ବାଟ ଖୋଜି ଖୋଜି ତୁମ ପାଖରେ ପହଞ୍ଚେ। ସମୟ ଆସିଲେ ସବୁ ବଳେ ଜଣା ପଡ଼ିଯାଏ। ଖାଲି ଦରକାର ଟିକିଏ ଧୈର୍ଯ୍ୟ। ଅଛି ତୁମର ସେତିକି ଧୈର୍ଯ୍ୟ ରାଜକୁମାର?”

ରଜାପୁଅ ବୁଢ଼ାସୁରଙ୍କ କଥା ବୁଝିବାକୁ ଚେଷ୍ଟା କରୁଥିଲା। କିଛି ବୁଝିଲା ଆଉ କିଛି ଅବୁଝା ରହିଲା। ସେ ଖାଲି ତାଙ୍କୁ ଦେଖି ଟିକିଏ ହସିଦେଲା। ସେତିକିବେଳକୁ ବାଇଅସୁରୁଣୀ ଆସି ରଜାପୁଅକୁ ଡାକିଲା। ଦୁହେଁ ବୁଢ଼ାସୁରଙ୍କଠୁ ବିଦାୟ ନେଲେ। ବାଇଅସୁରୁଣୀ ପୁଣି ରଜାପୁଅକୁ ଆଖି ବୁଜିବାକୁ କହିଲା। ରଜାପୁଅ ଆଖି ବୁଜିଲା। (କ୍ରମଶଃ)

 ରଜାପୁଅ ଆଉ ବାଇଅସୁରୁଣୀ କଥା (୩୪)

17883618_411321065908850_3002689587502780045_n

ରଜାପୁଅ ଆଉ ବାଇଅସୁରୁଣୀ ବୁଢ଼ାସୁରଙ୍କଠୁ ବିଦାୟ ନେଲେ। ବାଇଅସୁରୁଣୀ ରଜାପୁଅକୁ ପୁଣି ଆଖି ବୁଜିବାକୁ କହିଲା। ରଜାପୁଅ ଆଖି ବୁଜିଲା। ଆଖି ଖୋଲିଲାବେଳକୁ ସେମାନେ ବାଇଅସୁରୁଣୀର ଗୁମ୍ଫାରେ ଥିଲେ। ଗୁମ୍ଫାଟି କିନ୍ତୁ ଖାଁ ଖାଁ ଲାଗୁଥିଲା। ବାଇଅସୁରୁଣୀ ମନରେ ଛନକା ପଶିଲା। କୁଆଡେ ଗଲେ ଛୁଆସୁରୀ ଆଉ ବାମାସୁର। ବାଇଅସୁରୁଣୀ ସେମାନଙ୍କୁ ଖୋଜିବାରେ ଲାଗିଲା। ସବୁଆଡେ ଖୋଜିଲା। ସେମାନେ କଉଠି ନାହାନ୍ତି। ରଜାପୁଅ କଣ ଭାବିଲା କେଜାଣି କାରାଗାରଆଡକୁ ଗଲା। ଦେଖିଲା ବାମାସୁର ଆଉ ଛୁଆସୁରୀ ବନ୍ଧା ହେଇ ପଡିଛନ୍ତି କାରାଗାରରେ। ଆଉ ହାତରେ ଖଣ୍ଡାଧରି ଠିଆ ହେଇଛି ମନ୍ତ୍ରୀପୁଅ।

“ସଙ୍ଗାତ, ତୁମେ ଆସିଗଲ!” ରଜାପୁଅ ଖୁସୀରେ ଯାଇ ମନ୍ତ୍ରୀପୁଅକୁ କୁଣ୍ଢେଇ ପକେଇଲା। ମନ୍ତ୍ରୀପୁଅ ବି ରଜାପୁଅକୁ ଦେଖି ବହୁତ ଖୁସୀ ହେଲା। ସେତିକିବେଳକୁ ବାଇଅସୁରୁଣୀ ସେଇଠି ଆସି ପହଞ୍ଚିଲା। ବାମାସୁର ଆଉ ଛୁଆସୁରୀକୁ ଏଇ ଅବସ୍ଥାରେ ଦେଖି ରାଗିଗଲା ସେ। କହିଲା, “କିଏ ଏମାନଙ୍କର ଏଇ ଅବସ୍ଥା କରିଛି?” ରଜାପୁଅ କହିଲା, “ଶାନ୍ତ ହୁଅ ଶାନ୍ତ ହୁଅ। ଇଏ ମୋ ସଙ୍ଗାତ। ମତେ ଖୋଜି ଖୋଜି ଏଇଠି ପହଞ୍ଚିଛି।” ବାଇଅସୁରୁଣୀ ମନ୍ତ୍ରୀପୁଅକୁ ଦେଖିଲା ଟିକେ ଗାରଡେଇ କି। ତାପରେ ଯାଇ ଛୁଆସୁରୀ ଆଉ ବାମାସୁରକୁ ଖୋଲିଲା।

ରଜାପୁଅ ମନ୍ତ୍ରୀପୁଅର ଖଣ୍ଡିଆ ନାକ ଦେଖି ପଚାରିଲା, “ସଙ୍ଗାତ, ତମର ଏଇ ଅବସ୍ଥା କିଏ କରିଛି?” ମନ୍ତ୍ରୀପୁଅ ରାଗିକି ଛୁଆସୁରୀ ଆଡକୁ ଦେଖିଲା। ଛୁଆସୁରୀ ବାଇଅସୁରୁଣୀ ପଛରେ ଯାଇ ଲୁଚିଗଲା। ସମସ୍ତେ ସେଠୁ ବାହାରି ଭିତର କୋଠରୀକୁ ଗଲେ। ଭିତରକୁ ଯିବାପରେ ମନ୍ତ୍ରୀପୁଅ ସୁମେଧ ରାଜ୍ୟର ସବୁକଥା ରଜାପୁଅକୁ କହିଲା। ସେ କହିଲା କେମିତି ନିକର୍ଣ୍ଣ ରାଜ୍ୟର ରାଜକୁମାର ଚନ୍ଦ୍ରଭଞ୍ଜ ରଜାପୁଅର ଅନୁପସ୍ଥିତିର ସୁଯୋଗ ନେଇ ସୁମେଧ ଆକ୍ରମଣ କରିଛି। କେମିତି ସେ ରାଜା ଆଉ ରାଣୀଙ୍କୁ ବନ୍ଦୀ କରିରଖିଛି। ଆଉ ସେ ଏଇଟା ବି କହିଲା ଯେ ସେ ଶୁଣିବାକୁ ପାଇଛି ସେ ସେଠୁ ଆସିବାପରେ ଚନ୍ଦ୍ରଭଞ୍ଜ ସୁମେଧ ରାଜ୍ୟର ସବୁ ସୀମାରେ ପ୍ରହରୀ ଆଉ ଗୁପ୍ତଚର ଜଗେଇଛି। ଯଦି ରଜାପୁଅ ସତରେ ଫେରିଆସେ ତାହେଲେ ସେମାନେ ତାକୁ ଦୁଇଗଡ଼ କରି କାଟିଦେବେ। ରଜାପୁଅ ସବୁ ଶୁଣି କ୍ରୋଧରେ ଫାଟିପଡ଼ିଲା। ସେ ସୁମେଧ ଫେରିଯିବା ପାଇଁ ପ୍ରସ୍ତୁତ ହେଲା।

ବାଇଅସୁରୁଣୀ ନିଜ କୋଠରୀରେ ବସିଥାଏ। ଛୁଆସୁରୀ ତାକୁ ଯାଇ ଖବର ଦେଲା କି ରଜାପୁଅ ଯିବବୋଲି ବାହାରିଛି। ବାଇଅସୁରୁଣୀ କହିଲା, “ହଉ ସେ ଯାଉ।” ଛୁଆସୁରୀ କହିଲା, “ତୁମେ ତାକୁ ଭେଟିବନି ତାକୁ?” ବାଇଅସୁରୁଣୀ କହିଲା, “ନାଇଁ କିଛି ଦରକାର ନାହିଁ। ତୁ ଯା।” ଛୁଆସୁରୀ ଚାଲିଯାଉଥିଲା। ତାପରେ ବାଇଅସୁରୁଣୀ ତାକୁ ଡାକିଲା ଆଉ ତାକୁ କିଛି ଦେଲା।

ଛୁଆସୁରୀ ଯାଇ ରଜାପୁଅକୁ କହିଲା, ଯେ ବାଇଅସୁରୁଣୀ ତାକୁ ଭେଟିପାରିବନି। ରଜାପୁଅ ଆଶ୍ଚର୍ଯ୍ୟ ହେଲା। ଛୁଆସୁରୀ କହିଲା କିନ୍ତୁ ସେ ରଜାପୁଅ ପାଇଁ କିଛି ପଠେଇଛି। ସେ ଗୋଟିଏ ଛୋଟିଆ ବାକ୍ସ ରଜାପୁଅକୁ ଦେଲା। ରଜାପୁଅ ସେଇ ବାକ୍ସକୁ ଖୋଲିଲା। ତା ଭିତରେ ପଦ୍ମିନୀର ଉତ୍ତରୀୟର ଅଂଶଟି ସଫାହେଇ ଭାଙ୍ଗିହେଇ ସାଇତାହେଇ ଥୁଆହେଇଛି। ରଜାପୁଅ ପଚାରିଲା, “ଏଇଟା କଣ?” ଛୁଆସୁରୀ କହିଲା, “ଏଇଟା ଆପଣଙ୍କୁ ଫେରେଇ ଦେଇଛନ୍ତି ସେ। ଆପଣଙ୍କ ପ୍ରେମିକାଙ୍କ ପ୍ରେମର ପ୍ରତୀକ ଇଏ।” ରଜାପୁଅ କହିଲା, “କିନ୍ତୁ ଏବେ ଏଇଟା ମୋ ବନ୍ଧୁତ୍ୱର ପ୍ରତୀକ। ତାକୁ କହିଦିଅ ମୋ ବନ୍ଧୁତ୍ୱର ପ୍ରତୀକ ମୁଁ ଏଇଠି ଛାଡ଼ିକି ଯାଉଛି।”

ଏତିକି କହି ରଜାପୁଅ ଛୁଆସୁରୀର ମୁଣ୍ଡ ଆଉଁସିଦେଲା ଆଉ ବାମାସୁରର ପିଠି ଥାପୁଡ଼େଇ ଦେଲା। ମନ୍ତ୍ରୀପୁଅ ଛୁଆସୁରୀକୁ ଦେଖିଲା। ଛୁଆସୁରୀ ତାକୁ ନାକଟେକି ଜିଭ ଦେଖେଇ ଖତେଇ ହେଲା ଆଉ ମୁହଁ ମୋଡିଲା। ରଜାପୁଅ ଆଉ ମନ୍ତ୍ରୀପୁଅ ଘୋଡାରେ ଚଢିଲେ। ଘୋଡା ଆଗକୁ ଦୌଡ଼ିଲା। ବାଇଅସୁରୁଣୀ ଗୁମ୍ଫା ଭିତରେ ରହି ଘୋଡ଼ାଟାପୁ ଶବ୍ଦ ଶୁଣୁଥାଏ। ସେ ଶବ୍ଦ କ୍ଷୀଣ ହେବା କ୍ଷଣି ତା ଆଖି ଲୁହରେ ଭରିଗଲା। (କ୍ରମଶଃ)

ରଜାପୁଅ ଆଉ ବାଇଅସୁରୁଣୀ କଥା (୩୫)

ରଜାପୁଅ ଚାଲିଗଲା। ବାଇଅସୁରୁଣୀ ଆଜିକାଲି ବହୁତ ଅନ୍ୟମନସ୍କ ରହେ। ଦିନସାରା ଗୁମ୍ଫା ଭିତରେ ପଡିରହେ। ବାହାରକୁ ଆଉ ଯାଏନି। ଶିକାରକୁ ବି ଆଉ ବାହାରେନି। ଛୁଆସୁରୀ ଆଉ ବାମାସୁର ଯାହା ଦିଅନ୍ତି ସେଇଟା ଅଧେଦିନ ଖାଏ ଅଧେଦିନ ସେମିତି ଛାଡିଦିଏ।

18221599_421218861585737_7432510553528481388_n

ଆଜିକାଲି ବାଇଅସୁରୁଣୀ ଛାତିରେ ବି ପ୍ରବଳ ଯନ୍ତ୍ରଣା। ମଝିମଝିରେ ନିଜ ଛାତିକୁ ଧରି ଭୁଇଁରେ କିଲିବିଲି ହେଇ ଗଡିଯାଏ। ଭେଁଭେଁ କି କାନ୍ଦିଉଠେ। ତା ଛାତିଫଟା କାନ୍ଦରେ ସାରା ଜଙ୍ଗଲ ବି ଗୁମୁରି ଉଠେ। ବାମାସୁର ଆଉ ଛୁଆସୁରୀ ମୁହଁ ଚାହାଁଚାହିଁ ହୁଅନ୍ତି। ହେଲେ କଣ ବା କରିପାରିବେ? ଜଙ୍ଗଲରେ ବାଇଅସୁରୁଣୀର ପ୍ରାଦୁର୍ଭାବ ବନ୍ଦ ହେଇଛି କିନ୍ତୁ। ଜୀବଜନ୍ତୁ ଟିକିଏ ଶବ୍ଦ କରୁଛନ୍ତି ଆଜିକାଲି।

ବାଇଅସୁରୁଣୀର ବାଁ ହାତ ନଖଟା ଏବେ ସବୁବେଳେ ରକତ ଜରଜର। ସେ ଯେତେବେଳେ ସେଇ ନଖଦର୍ପଣକୁ ଦେଖେ ତାକୁ ଦେଖାଯାଏ ରଜାପୁଅ। ସେ ନଖଟିକୁ ଲୁଗା କାନିରେ ବାନ୍ଧିପକାଏ। ତଥାପି ଉହୁଁକି ଆସେ ରଜାପୁଅର ମୁହଁ। ବାଇଅସୁରୁଣୀ କଣ କରିବ? ରଜାପୁଅର ମୁହଁ ଚାହିଁଦେଲେ ବଢିଯାଏ ତାର ଛାତିର ଯନ୍ତ୍ରଣା। ଲାଗେ ଛାତିକୁ ଯେମିତି କିଏ ଚିରି ଦଉଛି ଗୋଟିଏ ପଥର ଛୁରୀରେ। କିଲିବିଲି ହେଇଯାଏ ଅସୁରୁଣୀ।

ନିଜ ନଖକୁ ପଥରରେ ଛେଚି ଭାଙ୍ଗିଦିଏ ବାଇଅସୁରୁଣୀ। ଆଙ୍ଗୁଳିରୁ ରକ୍ତ ବାହାରେ। ଛୁଆସୁରୀ ତା ଆଙ୍ଗୁଳିରେ କପଡା ବାନ୍ଧେ। କୁହୁକ ନଖ ସେ। ଗୋଟିଏ ଦିନରେ ପୁଣି ନୂଆ ନଖ କଅଁଳି ଆସେ ତାର। ନୂଆ ନଖରେ ପୁଣି ରଜାପୁଅର ମୁହଁ। ବାଇଅସୁରୁଣୀ ପୁଣି ଛେଚି ଭାଙ୍ଗିଦିଏ ନଖ। ପୁଣି ରକ୍ତର ନଇଁ। ଛୋଟସୁରୀ କହେ ଗୁମ୍ଫା ଛାଡି ଚାଲିଯିବା। କାଳେ ଏଠୁ ଚାଲିଗଲେ ମନ ଭଲ ଲାଗିବ। ବାଇଅସୁରୁଣୀ ମନାକରେ। କିନ୍ତୁ କାଇଁକି ମନାକରେ?ଭାବେ କି କାଳେ ରଜାପୁଅ ତାକୁ ଖୋଜି ଖୋଜି କେବେ ଗୁମ୍ଫାକୁ ଆସିବ? ହେଲେ ରଜାପୁଅ କାଇଁକି ଆସିବ? ସେ ତ ଚାଲିଗଲାଣି ସାତନଇଁ ପାରହେଇ। ତା ରାଜକୁମାରୀ ପାଖକୁ। (କ୍ରମଶଃ)

ରଜାପୁଅ ଆଉ ବାଇଅସୁରୁଣୀ କଥା (୩୬)

ରଜାପୁଅ ଆଉ ମନ୍ତ୍ରୀପୁଅ ଚାଲିଛନ୍ତି ଘୋଡା ଛୁଟେଇ। ସୁମେଧ ରାଜ୍ୟ ପାଖ ହେଇଆସୁଛି। ମନ୍ତ୍ରୀପୁଅ ପୁଣି ମନେପକେଇ ଦେଲା ରାଜ୍ୟ ସୀମାରେ ଅପେକ୍ଷା କରୁଛନ୍ତି ଗୁପ୍ତଚର। ସୁମେଧ ରାଜ୍ୟ ସୀମା ପାଖରେ ଗୋଟିଏ ଜଙ୍ଗଲ। ସେଇ ଜଙ୍ଗଲର ସୀମାରେ କିଛିଦିନ ରହି ରଜାପୁଅ ଆଉ ମନ୍ତ୍ରୀପୁଅ ଯୋଜନା କଲେ। ମନ୍ତ୍ରୀପୁଅର କିଛି ବିଶ୍ୱସ୍ତ ଲୋକ ରାଜ୍ୟ ଭିତରେ। ରଜାପୁଅ ଆଉ ମନ୍ତ୍ରୀପୁଅ କିଛି ଜଙ୍ଗଲୀ ଲୋକଙ୍କ ସହାୟତାରେ ସମ୍ପର୍କ କଲେ ସେଇ ଲୋକଙ୍କ ସାଙ୍ଗରେ।

ରଜାପୁଅ କିଛି ସୈନ୍ୟଙ୍କ ସହିତ ମଧ୍ୟ ସମ୍ପର୍କ କଲା। ସେମାନେ ରାଜା ଆଉ ରଜାପୁଅକୁ ବହୁତ ଭଲ ପାଆନ୍ତି। ସମ୍ମାନ ଦିଅନ୍ତି। ପେଟ ପାଇଁ ଚନ୍ଦ୍ରଭଞ୍ଜର ଦାସ ହେଇକି ଅଛନ୍ତି। ସେମାନେ ରଜାପୁଅ ସହ ହାତ ମିଳେଇଲେ। ସେଦିନ ରାତିରେ ଯୋଜନା ହେଲା। ରାତି ଅଧରେ ସେଇ ସୈନିକମାନେ ନଅର ଦୁଆର ଭିତରୁ ଖୋଲିଦେଲେ। ରଜାପୁଅ, ମନ୍ତ୍ରୀପୁଅ ଅନ୍ୟାନ୍ୟ ସୈନ୍ୟ ନଅର ଭିତରକୁ ପଶି ଆକ୍ରମଣ କଲେ। ଘମାଘୋଟ ଯୁଦ୍ଧ ହେଲା। ଚନ୍ଦ୍ରଭଞ୍ଜ ଶୋଇଥାଏ। ତାକୁ ଧରାହେଇ ଅଣାଗଲା। ତାକୁ ବନ୍ଦୀ ବନେଇଲା ରଜାପୁଅ।

ନିଜ ପିତାମାତାଙ୍କୁ କାରାଗାରରୁ ମୁକ୍ତ କଲା ରଜାପୁଅ। ପିତାମାତା ପୁଅକୁ ଦେଖି ରଙ୍କନିଧି ପାଇଲାଭଳି ହେଲେ। ରାଜ୍ୟ ସାରା ଖୁସିର ଲହରୀ ଖେଳିଗଲା। ଫେରି ଆସିଛନ୍ତି ରଜାପୁଅ। ଫେରେଇ ଆଣିଛନ୍ତି ରାଜ୍ୟର ସ୍ୱାଧୀନତା। ଲୋକ ଜୟ ଜୟକାର କଲେ। ଚନ୍ଦ୍ରଭଞ୍ଜକୁ ଫାଶିରେ ଚଢ଼େଇବାକୁ ଦାବୀ ହେଲା। ଚନ୍ଦ୍ରଭଞ୍ଜ କିନ୍ତୁ ରଜାପୁଅର ଗୋଡ ଧରି କ୍ଷମାଭିକ୍ଷା କଲା। ରାଜା ରଜାପୁଅକୁ କହିଲେ ଚନ୍ଦ୍ରଭଞ୍ଜକୁ କ୍ଷମା ଦେବାପାଇଁ। ରଜାପୁଅ ଚନ୍ଦ୍ରଭଞ୍ଜକୁ କାରାଗାରରେ ରଖିବାକୁ ଆଦେଶ ଦେଲା।

ତାପରେ ରଜାପୁଅ ନିଜ କୋଠରୀକୁ ଆସିଲା। ସାଙ୍ଗରେ ମନ୍ତ୍ରୀପୁଅ। କଥା ପଡିଛି ରଜାପୁଅର ରାଜ୍ୟାଭିଷେ ହବ। ତାପରେ ବାହାଘର। ନୂଆ ରାଣୀ ଆସିବେ ରାଜ୍ୟକୁ। ରଜାପୁଅ କହିଲା, “ସଙ୍ଗାତ ୟା ଭିତରେ ଏତେ ଦିନ ଚାଲିଗଲା।। ଜଣା ବି ପଡିଲାନି ଆଉ ଦିନଗୁଡା ପଳେଇଲା। ବିଶ୍ୱାସ ହଉନି ଏତେ ଦିନ ତାକୁ ଆଉ ଦେଖିନି ବୋଲି। ମନ୍ତ୍ରୀପୁଅ କହିଲା, “ହଁ ସଙ୍ଗାତ। କାଲି ସକାଳୁ ହିଁ ଆମେ ତାକୁ ଦେଖା କରିବାକୁ ଯିବା।” “ରଜାପୁଅ ଉତ୍ସାହିତ ହେଇ କହିଲା, “ସତରେ? ଆମେ କାଲି ଜଙ୍ଗଲକୁ ଯାଉଛେ କି?” ମନ୍ତ୍ରୀପୁଅ ଆଶ୍ଚର୍ଯ୍ୟ ହେଇ କହିଲା, “ଜଙ୍ଗଲକୁ କାହିଁକି? ଆମେ କାଲି କନକ ନଗରୀ ଯାଉଛେ। ଜେମା ପଦ୍ମିନୀକୁ ଭେଟି। ତୁମେ କାହା କଥା ଭାବିଲ?” ରଜାପୁଅ ଇତସ୍ତତଃ ହେଇ କହିଲା, “କାହା କଥା ନୁହେଁ।”

ରାଜାରାଣୀ ପୁଅକୁ ପାଇ ନାହିଁ ନଥିବା ଖୁସୀ। ପୁଅକୁ ସେ ଏତେଦିନ କେମିତି ଥିଲା କଉଠି ଥିଲା ପଚାରିଲେ। ରଜାପୁଅ ତା କାହାଣୀ କହିଲା। ବାଇଅସୁରୁଣୀ କଥା କହିଲା। ଛୁଆସୁରୀ କଥା କହିଲା। ବାମାସୁର କଥା କହିଲା। ବୁଢ଼ାସୁର କଥା କହିଲା। ରାଜାରାଣୀ ଭୋଳ ହେଇ ଶୁଣିଲେ। ଦିନସାରା ସେ ସେଇ କାହାଣୀ କହୁଥାଏ। ରାଣୀ କହିଲେ, “ମତେ ଲାଗୁଛି ତୁ ଯେମିତି ଆମ ମଣିଷ ରାଇଜର ନୁହେଁ ସେଇ ଅସୁର ରାଇଜର ହେଇଯାଇଛୁ।” ରଜାପୁଅ ହସିଲା। ରାଣୀ ବି ହସିଲେ। କହିଲେ, “ସେ ବି ତୋ କଥା ବହୁତ ମନେ ପକାଉଥିବ। ଶୁଖି କଳା କାଠ ପଡିଯାଇଥିବ।” ରଜାପୁଅ ହସିଲା ଆଉ କହିଲା, “ସେ ଏମିତିରେ ବି କଳା ମା। ଆଉ କେତେ କଳା ହବ?” ରାଣୀ ପଚାରିଲେ, “କିଏ ମ? ପଦ୍ମିନୀ କୁଆଡୁ କଳା?” ରଜାପୁଅ ପୁଣି ଚମକିଲା, “ଓହୋ ପଦ୍ମିନୀ!” ରାଣୀ କହିଲେ, “ହଁ, ପଦ୍ମିନୀ। ତୁ କାହା କଥା ଭାବିଲୁ?” ରଜାପୁଅ ଦୀର୍ଘନିଶ୍ୱାସଟିଏ ମାରି କହିଲା, “କାହା କଥା ନୁହେଁ।” (କ୍ରମଶଃ)

ରଜାପୁଅ ଆଉ ବାଇଅସୁରୁଣୀ କଥା (୩୭)

18057719_420055581702065_921014712309738495_n

ପରଦିନ ସକାଳୁ ରଜାପୁଅ ଆଉ ମନ୍ତ୍ରୀପୁଅ କନକନଗରୀ ପାଇଁ ବାହାରିଲେ। ରଜାପୁଅ ଆଜି ବହୁତ ଖୁସୀ ହବାକଥା। ପଦ୍ମିନୀ ପାଇଁ ପାଗଳ ହେଇ ନିଜ ଜୀବନକୁ ବାଜି ଲଗେଇଥିଲା ସେ। ଭାଗ୍ୟବଳରେ ବାଇଅସୁରୁଣୀ ମୁହଁରୁ ରକ୍ଷାପାଇ ଆସିଛି ସେ। କିନ୍ତୁ ମନ୍ତ୍ରୀପୁଅ ତା ସଙ୍ଗାତ ମୁହଁରେ ସେମିତି କିଛି ଖୁସୀ ଦେଖିପାରୁ ନଥିଲା। ଓଲଟି ତା’ ସଙ୍ଗାତ ତାକୁ ବହୁତ ଅନ୍ୟମନସ୍କ ଲାଗୁଥିଲା। ଲାଗୁଥିଲା ଯେମିତି କେଉଁ ଗୋଟିଏ ଭାବନା ରାଇଜରେ ସେ ହଜିଯାଇଛି।

ମନ୍ତ୍ରୀପୁଅ ପ୍ରଥମେ ମୁହଁ ଖୋଲିଲା। ପଚାରିଲା, “ସଙ୍ଗାତ, କଣ ହେଇଛି? ଜଙ୍ଗଲରୁ ଫେରିବା ପରଠୁ ଦେଖୁଛି ତୁମେ କେମିତି ଗୋଟେ ଅଲଗା ଅଲଗା ଲାଗୁଛ। ଆଗର ସେ ସଙ୍ଗାତ ଭଳି ଲାଗୁନ। କଣ ହେଇଛି? ମତେ କୁହ।” ରଜାପୁଅ ମନ୍ତ୍ରୀପୁଅ ଆଡକୁ ଚାହିଁଲା। ତାପରେ କହିଲା, “ନା କିଛି ନୁହେଁ। ମୁଁ ଟିକେ କ୍ଲାନ୍ତ ଅଛି। ବାସ୍ ସେଇ କଥା।” ମନ୍ତ୍ରୀପୁଅ କହିଲା, “ଯଦି ଆଉ କିଛି ନାହିଁ ତାହେଲେ ଭଲ କଥା। ଆଉ ଯଦି ଥାଏ ଦୟାକରି ମତେ ଜଣେଇବ। ମୁଁ ସବୁବେଳେ ତୁମ ଦୁଖସୁଖର ସାଥି। ସେଇଟା ଭୁଲିବନି।” ରଜାପୁଅ ହସିଦେଇ ମନ୍ତ୍ରୀପୁଅକୁ ଚାହିଁ ହଁ ମାରିଲା କିନ୍ତୁ ମନ ଭିତରେ ରଜାପୁଅର ଅନେକ ପ୍ରଶ୍ନ। କାହିଁକି ତା ମନ ଭିତରେ ଏତେ ଦ୍ଵନ୍ଦ? କାହିଁକି ଏଇ ଖୁସୀର ବେଳାରେ ବି ମନ ଭିତରୁ ଖୁସୀ ହେଇପାରୁନି ସେ?? ଆଜି ଏତେ ଦିନପରେ ପଦ୍ମିନୀକୁ ଭେଟିବ ସେ। ଏଇ ଦିନପାଇଁ କେତେ ସ୍ୱପ୍ନ ଦେଖିନି ସେ!! ତାହେଲେ??

ମନ୍ତ୍ରୀପୁଅ ମାଲୁଣୀ ହାତରେ ଖବର ପଠେଇ ପଦ୍ମିନୀକୁ ସେଇ ଦେବୀମନ୍ଦିର ପାଖକୁ ଡକେଇ ଦେଇଥାଏ। ରଜାପୁଅ ଆଉ ମନ୍ତ୍ରୀପୁଅ ସେଠି ପହଞ୍ଚିଲା ବେଳକୁ ପଦ୍ମିନୀ ତାକୁ ଆକୁଳରେ ଅପେକ୍ଷା କରିଥାଏ। ରଜାପୁଅକୁ ଦେଖି ପଦ୍ମିନୀ ଦଉଡି଼ ଆସିଲା। ଖୁସୀ ହେଇ କହିଲା, “ତୁମେ ଆସିଗଲ ରାଜକୁମାର, ତୁମେ ଆସିଗଲ। ମୁଁ କେତେ ଖୁସୀ ସେ କଥା ମୁଁ କହିପାରିବିନି।” ରଜାପୁଅ ପଦ୍ମିନୀର ହାତ ଧରିଲା। ତାକୁ ଦେଖି ହସିବାକୁ ଚେଷ୍ଟା କଲା। କିନ୍ତୁ ମନ ତାର ଗ୍ଲାନିରେ ଭରି ଯାଉଥାଏ। ତାକୁ ଭାରୀ ଦୋଷୀ ଦୋଷୀ ମନେ ହଉଥାଏ।

ପଦ୍ମିନୀ କହିଲା, “ରାଜକୁମାର, ତୁମେ ଅସୁରୁଣୀକୁ ମାରିପାରିଲନି ବୋଲି ମୋ ବାପା ବହୁତ କ୍ରୋଧରେ ଅଛନ୍ତି। ହୁଏତ ସେ ମତେ ଆଉ କେବେ ତୁମ ସାଙ୍ଗେ ଦେଖା କରିବାକୁ ଦେବେନି। ଆଜି ରାତିରେ ମୋ ପିତା ପ୍ରାସାଦରେ ନଥିବେ। ତୁମେ ମୋ ଅନ୍ତପୁରକୁ ଆସିବ। ମୁଁ ଅପେକ୍ଷା କରିଥିବି। ସେଇଠି ଆମେ କଥା ହବା ଆଗକୁ କଣ କରିବା। ବାପା ମୋର ଏବେ ମନ୍ଦିରକୁ ଆସିବାରେ ବି କଟକଣା ଜାରି କରିଛନ୍ତି।” ରଜାପୁଅ ପଦ୍ମିନୀକୁ କଣ ଉତ୍ତର ଦବ ଭାବୁଛି ପଦ୍ମିନୀ ପୁଣି କହିଲା, “ବାପା ଏବେ ବାଇଅସୁରୁଣୀକୁ ମାରିବାକୁ ଆଉ କିଛି ଉପାୟ କରୁଛନ୍ତି। ସେଇଥିପାଇଁ ଆଜି ରାତିରେ କାହା ପାଖକୁ ପରାମର୍ଶ ପାଇଁ ଯାଉଛନ୍ତି।” ପଦ୍ମିନୀ କଥାଶୁଣି ରଜାପୁଅ ଚମକି ପଡିଲା।

“ବାଇଅସୁରୁଣୀକୁ ମାରିବେ? କିନ୍ତୁ କାହିଁକି?” ରଜାପୁଅ ବ୍ୟସ୍ତ ହେଇ ପଚାରିଲା। “ବାଇଅସୁରୁଣୀ ମରିବା କଥାରେ ତୁମେ କାହିଁ ଏତେ ବିଚଳିତ?” ପଚାରିଲା ପଦ୍ମିନୀ। ରଜାପୁଅ କିଛି କହିଲାନି। ଚୁପ ରହିଲା କିଛିସମୟ। (କ୍ରମଶଃ)

ରଜାପୁଅ ଆଉ ବାଇଅସୁରୁଣୀ କଥା (୩୮)

ପଦ୍ମିନୀ କଥାଶୁଣି ରଜାପୁଅ କିଛି କହିଲାନି। ଚୁପ ରହିଲା କିଛିସମୟ। ତାପରେ କହିଲା, “ମୁଁ ତୁମ ପିତାଙ୍କ ସହ କଥା ହବାକୁ ଚାହୁଁଛି।” ପଦ୍ମିନୀ କହିଲା, “ହଁ ତୁମେ କଥା ହେଇପାରିବ। କିନ୍ତୁ ସେ ତୁମର କିଛି କଥା ଶୁଣିବେନି।” ରଜାପୁଅ କହିଲା, “ଠିକ ଅଛି। ମୁଁ ଥରେ ଚେଷ୍ଟା ତ କରେ।” ପଦ୍ମିନୀ କହିଲା, “ହଉ ଠିକ ଅଛି। କିନ୍ତୁ ମୁଁ ରାତିରେ ତୁମକୁ ଅପେକ୍ଷା କରିଥିବି। ଜରୁରୀ କଥା ହବା। ତୁମେ ଯେମିତି ନିଶ୍ଚିତ ଆସ।” ରଜାପୁଅ ମୁଣ୍ଡ ଟୁଙ୍ଗାରିଲା। କହିଲା, “ହଁ ମୁଁ ନିଶ୍ଚିତ ଆସିବି।”

ତାପରେ ପଦ୍ମିନୀ ରଜାପୁଅଠୁ ବିଦାୟ ନେଲା। ରଜାପୁଅ ଆଉ ମନ୍ତ୍ରୀପୁଅ କିଛି ସମୟ ସେଠି ବିଶ୍ରାମ ନେଲେ। ତାପରେ ସେମାନେ କନକ ରାଜାଙ୍କ ପ୍ରାସାଦ ଅଭିମୁଖେ ବାହାରିଲେ। ପ୍ରାସାଦରେ ପହଞ୍ଚି ସେମାନେ ରାଜାଙ୍କୁ ଦେଖା କରିବାର ଅଭିପ୍ରାୟ ଜଣେଇଲେ। ରାଜା ତାଙ୍କୁ ଦରବାରକୁ ଡକେଇଲେ। କନକ ରାଜାଙ୍କୁ ରଜାପୁଅ ସବୁ କଥା କହିଲା। କିନ୍ତୁ ତା କଥା ଶୁଣି କନକ ରାଜା କ୍ରୋଧରେ ଗର୍ଜନ କରିଉଠିଲେ। କହିଲେ, “ତୁମେ ତ୍ରିଭୁବନ ଜୟ କରିଛ ଭାବି ତୁମକୁ ସେଠିକି ପଠେଇଲି। ହେଲେ ତୁମେ ସେ ବାଇଅସୁରୁଣୀକୁ ମାରିପାରିଲ ନାହିଁ? ତାହେଲେ ଏଠିକି ପୁଣି କାହିଁକି ଆସିଛ? ମୋ ସର୍ତ୍ତ କଥା ତ ଜାଣ ତୁମେ। ହଉ ଠିକ ଅଛି। ମୁଁ ଆଉ କାହାକୁ ପଠେଇବି ତାକୁ ମାରିବାକୁ। ରଜାପୁଅ କହିଲା, “କିନ୍ତୁ ମହାରାଜ, ସେ ତ ଆଉ ମଣିଷ ମାରିବନି। ତେଣୁ ତାକୁ ମାରିବା ପାଇଁ ଆପଣ ଆଉ କାହାକୁ ପଠେଇବା କଣ ଦରକାର?” ରାଜା କହିଲେ, “ଗୋଟିଏ ଅସୁରୁଣୀକୁ କାହାର ବିଶ୍ୱାସ? ମତେ କିଛି ନା କିଛି ଏବେ କରିବାକୁ ପଡିବ। ଯେମିତି ହେଲେ ତା ବିନାଶର ରାସ୍ତା ତିଆରି ହବ”।

ରଜାପୁଅ ବ୍ୟସ୍ତ ହେଇ କହିଲା, “କିନ୍ତୁ ବାଇଅସୁରୁଣୀ ତ ଆଉ କାହାକୁ ହଇରାଣ କରିବନି। ତାହେଲେ ତାକୁ ଆଉ ମାରିବେ କାହିଁକି?” କନକ ରାଜା ତାକୁ ରାଗିକି ଚାହିଁଲେ। “ସେ ବାଇଅସୁରୁଣୀ ମରିବ। ଆଉ ତାକୁ କେମିତି ମାରିବାକୁ ହବ ସେଇ କଥା ସେଇକଥା ଏବେ ମୁଁ ବୁଝିବି। ତୁମେ ଯାଇପାର ରାଜକୁମାର।” କନକ ରାଜା ଗର୍ଜନ କରି କହିଲେ। ରଜାପୁଅ କନକ ରାଜାଙ୍କୁ ବହୁତ ବୁଝେଇବାକୁ ଚେଷ୍ଟା କଲା। କିନ୍ତୁ ରାଜା ତା କଥା ନ ଶୁଣି ସେଠୁ ଚାଲିଗଲେ। ରଜାପୁଅର ବିଶ୍ୱାସ ଯେ ବାଇଅସୁରୁଣୀ କେବେ ବି ଆଉ କୌଣସି ମଣିଷ ଉପରେ ଆକ୍ରମଣ କରିବନି। ଆଉ ସେଥିପାଇଁ ସେ ନିଶ୍ଚିତ ନିଜ ଜୀବନ ଦବ। ଆଉ ତା ସାଙ୍ଗରେ ବି ଜୀବନ ହାରିପାରନ୍ତି ଛୁଆସୁରୀ ଆଉ ବାମାସୁର। ନା ନା। ସେ ଏଇଟା କେବେ ହବାକୁ ଦେବନି। ତାକୁ ଯେମିତି ହେଲେ ଜଙ୍ଗଲ ଯିବାକୁ ହବ। ବାଇଅସୁରୁଣୀକୁ ବଞ୍ଚେଇବାକୁ ପଡିବ।

ରଜାପୁଅ ନିଜ ପରବର୍ତ୍ତୀ ପଦକ୍ଷେପ ବିଷୟରେ କିଛି ଚିନ୍ତା କଲା। କିନ୍ତୁ ଏବେ ତା ମୁହଁରେ ଗୋଟିଏ ଅଦ୍ଭୁତ ପ୍ରକାରର ଶାନ୍ତି ଥିଲା। କନକ ରାଜାଙ୍କର ବାଇଅସୁରୁଣୀ ପ୍ରତି ଆକ୍ରମଣ ଉଦ୍ୟମ ତା ମନର ଏକ ବହୁତ ବଡ଼ ଦ୍ଵନ୍ଦର ସମଧାନ କରିଦେଇଥିଲା। ବାଇଅସୁରୁଣୀ ମରିବା କଥା ସେ ଭାବିପାରୁନଥିଲା। ସେ ଜାଣିପାରୁଥିଲା ଯେ ତା ମନ ଏବେ କଣ ଚାହୁଁଛି। କିନ୍ତୁ ପୁଣି ତାକୁ ଏବେ ଦୋଷୀ ଦୋଷୀ ଲାଗୁଥିଲା। ମନଟି ଗ୍ଲାନିରେ ଭରି ଯାଇଥିଲା। ବିଚାରୀ ପଦ୍ମିନୀର ଦୋଷ କଣ? ତାକୁ କାଇଁ ଖାଲିଟାରେ ଦଣ୍ଡ ମିଳିବ? କିନ୍ତୁ କହିବାକୁ ତ ପଡିବ ତାକୁ। ଆଜି ରାତିରେ ଏମିତିରେ ପଦ୍ମିନୀକୁ ଭେଟୁଛି ସେ। ବାଇଅସୁରୁଣୀ ପାଖକୁ ଯିବାପୂର୍ବରୁ ସବୁକଥା ଖୋଲିକି କହିବ ସେ। ତାପରେ ପଦ୍ମିନୀ ଯଦି ତାକୁ କିଛି ଦଣ୍ଡ ଦିଏ ସେ ତାକୁ ସାଦରେ ସ୍ଵୀକାର ବି କରିବ। (କ୍ରମଶଃ)

ରଜାପୁଅ ଆଉ ବାଇଅସୁରୁଣୀ କଥା (୩୯)

ରଜାପୁଅ ବ୍ୟସ୍ତ। ଜଙ୍ଗଲକୁ ଯିବାକୁ ଡେରି ହେଇଯାଉଛି। କିନ୍ତୁ ପଦ୍ମିନୀକୁ ଭେଟିବା ବି ଜରୁରୀ। ରାତି ହବାକୁ ଆଉ କିଛି ସମୟ ବାକି। ଆଉ ତାପରେ ରଜାପୁଅ ପଦ୍ମିନୀକୁ ଭେଟିବାକୁ ଯିବ। ସେତିକିବେଳକୁ ତାଙ୍କ ଦୂତ ଆସି ସେଠି ପହଞ୍ଚିଲା। ସିଏ ଖବର ଦେଲା ଚନ୍ଦ୍ରଭଞ୍ଜ ବନ୍ଦୀଶାଳରୁ ପଳାୟନ କରିଛି। ମନ୍ତ୍ରୀପୁଅ କହିଲା, “ସଙ୍ଗାତ, ତୁମେ ଯାଇ ପଦ୍ମିନୀକୁ ଦେଖା କର। ମୁଁ ଯାଉଛି ଚନ୍ଦ୍ରଭଞ୍ଜକୁ ଖୋଜିବି।” ରଜାପୁଅ କହିଲା, “ହଉ ସଙ୍ଗାତ। ମୁଁ ତାପରେ ଜଙ୍ଗଲକୁ ଚାଲିଯିବି। ତୁମେ ଚନ୍ଦ୍ରଭଞ୍ଜକୁ ପୁଣି କାରାଗାରରେ ପକେଇଦବ। ଏଥର ଆସିଲେ ମୁଁ ତାକୁ ଫାସୀ ଦଣ୍ଡ ଦେବି। ତୁମ ସାଙ୍ଗରେ ଶୀଘ୍ର ଦେଖାହବ।” ମନ୍ତ୍ରୀପୁଅ ତା ସାଙ୍ଗରେ ଜଙ୍ଗଲ ଯିବାକୁ କହିଲା। ରଜାପୁଅ ମନା କଲା। ତାପରେ ନିଜେ ଘୋଡା ଛୁଟେଇଲା ପଦ୍ମିନୀର ପ୍ରାସାଦ ଆଡକୁ।

ପଦ୍ମିନୀ କହିଛି ଆଜି ରାଜା ନାହାନ୍ତି ପ୍ରାସାଦରେ। କିନ୍ତୁ ସୈନିକମାନେ ତାକୁ ପ୍ରସାଦ ଭିତରେ ପଶିବାକୁ ଦେବେନି। ପଦ୍ମିନୀ କହିଛି ପଛପଟ ଦ୍ୱାରରୁ ପଶିବା ପାଇଁ। କାନ୍ଥପଟୁ ଚଢି ସେ ଅନ୍ତପୁରକୁ ପଶିବ। ପଦ୍ମିନୀ ପଛପଟ ଝରକାଟି ଖୋଲା ରଖିଥିବ। ରଜାପୁଅ ଭାବୁଥାଏ କାହିଁକି ଏଇ କାମ କରୁଛି ସେ? ସରଳ ଜିନିଷଟିଏକୁ ଏତେ ଜଟିଳ କରିକରି ଚାଲିଛି ସେ!! ସମସ୍ତଙ୍କ ନଜର ବଞ୍ଚେଇ ରଜାପୁଅ କାନ୍ଥ ଉପରକୁ ଚଢ଼ିଲା। ତାପରେ ଯାଇ ଝରକା ପାଖରେ ପହଞ୍ଚିଲା। ଝରକା ଦେଇ କୋଠରୀ ଭିତରେ ଯାଇ ପହଞ୍ଚିଲା। ପଦ୍ମିନୀର ଅନ୍ତପୁର। ପଦ୍ମିନୀ ଭଳି ସୁନ୍ଦର। କିନ୍ତୁ ପଦ୍ମିନୀ କାହିଁ?? “ଆସିଗଲ ତୁମେ ରାଜକୁମାର?” ପଛଆଡୁ ପଦ୍ମିନୀର କଣ୍ଠସ୍ୱର ଶୁଭିଲା। ରଜାପୁଅ ବୁଲିପଡ଼ିଲା। ହେଇ ତ ପଦ୍ମିନୀ। “ତୁମେ ଆସିଗଲ!” ହସିଦେଇ କହିଲା ପଦ୍ମିନୀ। ରଜାପୁଅ କିଛି କହିପାରିଲାନି। କିନ୍ତୁ ନା ଏଇଟା ହିଁ ସମୟ। ଏବେ ହିଁ ସେସବୁ କହିବ ପଦ୍ମିନୀକୁ । ସବୁ ଅଧ୍ୟାୟ ଏଇଠି ସାରିବ। ଏଇ ମିଛର ଭାର ଆଉ ଅଧିକ ସମୟ ଯାଏଁ ସେ ନିଜ ହୃଦୟ ଉପରେ ନେଇପାରିବନି ସେ। ଏତେ ମିଛ ଅଭିନୟ ଆଉ କରିପାରିବନି ସେ।

“ପଦ୍ମିନୀ,” ଡାକିଲା ରଜାପୁଅ। “ମୁଁ ତୁମକୁ କିଛି କହିବାକୁ ଚାହେଁ।” ପଦ୍ମିନୀ କହିଲା, “ହଁ, ମୁଁ ବି ତୁମକୁ କିଛି କହିବାକୁ ଚାହେଁ। ସେଇଥିପାଇଁ ତୁମକୁ ଏଠିକି ଡାକିଛି।” ରଜାପୁଅ କହିଲା, “ପଦ୍ମିନୀ। ତୁମେ ମତେ ଦୟାକରି କ୍ଷମା କରିଦିଅ। ମୁଁ ଜାଣିନି ଏଇଟା କେମିତି କେତେବେଳେ ଘଟିଗଲା। ମୁଁ ଜାଣିଛି ମୁଁ ତୁମ ମନ ଭାଙ୍ଗିଛି। ମୁଁ ଦୋଷୀ। କିନ୍ତୁ ମୁଁ କଣ କରିବି? ମୁଁ ତୁମକୁ ନୁହେଁ ମୁଁ ବା….” ରଜାପୁଅ ଏତିକି କହିଛି କି ନାହିଁ ପଦ୍ମିନୀ ପଛପଟେ ଗୋଟିଏ ଛାଇ ଦେଖାଗଲା। ରଜାପୁଅ ଚୁପ ହେଇଗଲା।

ପଦ୍ମିନୀ ଆଶ୍ଚର୍ଯ୍ୟ ହେଇ ରଜାପୁଅକୁ ଦେଖୁଥାଏ। ସେଇ ଛାଇଟି ଧୀରେ ଧୀରେ ଆଗକୁ ଆସିଲା। ରଜାପୁଅ ଦେଖିଲା ସିଏ ଗୋଟିଏ ସୈନିକର୍ ପୋଷାକ ପିନ୍ଧିଛି। ମୁହଁରେ ମୁଖା। ସୈନିକଟି ତା ମୁଖା ଖୋଲିଦେଲା। ରଜାପୁଅ ଦେଖିଲା ସୈନିକର ଛଦ୍ମବେଶରେ ଚନ୍ଦ୍ରଭଞ୍ଜ। ରଜାପୁଅ କିଛି କରିବା ପୂର୍ବରୁ ଚନ୍ଦ୍ରଭଞ୍ଜ ପଦ୍ମିନୀକୁ ପଛଆଡୁ କବଜା କରିନେଲା ଆଉ ତା ବେକରେ ଖଣ୍ଡା ଲଗେଇଲା। (କ୍ରମଶଃ)

ରଜାପୁଅ ଆଉ ବାଇଅସୁରୁଣୀ କଥା (୪୦)

ସୈନିକଟି ତା ମୁଖା ଖୋଲିଦେଲା। ରଜାପୁଅ ଦେଖିଲା ସୈନିକର ଛଦ୍ମବେଶରେ ଚନ୍ଦ୍ରଭଞ୍ଜ। ରଜାପୁଅ କିଛି କହିବା ପୂର୍ବରୁ ଚନ୍ଦ୍ରଭଞ୍ଜ ପଦ୍ମିନୀକୁ ପଛଆଡୁ କବଜା କରିନେଲା ଆଉ ତା ବେକରେ ଖଣ୍ଡା ଲଗେଇଲା। କହିଲା, “ରାଜକୁମାର, ଯଦି ତୁ ତୋ ଖଣ୍ଡା ତଳେ ନ ପକାଉ ତାହେଲେ ରାଜକୁମାରୀକୁ ଏବେ ହିଁ ଦୁଇଗଡ କରି କାଟିଦେବି।” ରଜାପୁଅ କହିଲା, “ନା ନା ରାଜକୁମାରୀକୁ ଯେମିତି କିଛି ନ ହୁଏ। ମୁଁ ମୋ ଖଣ୍ଡାଟିକୁ ତଳେ ପକେଇଦଉଛି। ହେଇ ଦେଖ,” ଏତିକି କହି ରଜାପୁଅ ଖଣ୍ଡାଟିକୁ ତଳେ ପକେଇଦେଲା। ସେତେବେଳେ ଚାରିଆଡୁ ଆଉ ଚାରିଟି ସୈନିକ ମାଡ଼ିଆସିଲେ। ଚନ୍ଦ୍ରଭଞ୍ଜ ତାଙ୍କୁ ରଜାପୁଅକୁ ବାନ୍ଧିଦବାକୁ ଇଶାରା କଲା। ସେମାନେ ରଜାପୁଅକୁ ବାନ୍ଧି ପକେଇଲେ।

ଚନ୍ଦ୍ରଭଞ୍ଜ ତଥାପି ପଦ୍ମିନୀ ବେକରେ ଖଣ୍ଡା ଲଗେଇ ରଖିଥାଏ। ରଜାପୁଅ କହିଲା, “ହଉ ଏବେ ତ ତୁ ପଦ୍ମିନୀକୁ ମୁକ୍ତ କରେ।” “ପଦ୍ମିନୀକୁ ମୁକ୍ତ କରିବି?? ହା ହା ହା!! ଆରେ ପଦ୍ମିନୀକୁ ଧରି ରଖିବାପାଇଁ ହିଁ ତ ଏତେ ସାରା ନାଟକ।” ଏତିକି କହି ଚନ୍ଦ୍ରଭଞ୍ଜ ପଦ୍ମିନୀ ବେକରୁ ଖଣ୍ଡାଟି କାଢ଼ିଦେଲା ଆଉ ପଦ୍ମିନୀକୁ ଚାହିଁଲା। ପଦ୍ମିନୀ ବି ଚନ୍ଦ୍ରଭଞ୍ଜକୁ ଚାହିଁ ହସିଦେଲା।

ରଜାପୁଅ ଅବାକ୍ ହେଇ ଚାହିଁଥାଏ। “କଣ ତୁମେ ଆଶ୍ଚର୍ଯ୍ୟ ହେଇଯାଉଛ ରଜାପୁଅ?” ହସିହସି କହିଲା ପଦ୍ମିନୀ। “ତୁମକୁ ସେଇ ଅସୁରୁଣୀ ପାଖକୁ ପଠେଇବା ପାଇଁ ହିଁ ତ ତୁମସାଙ୍ଗେ ଏତେଦିନ ପ୍ରେମର ନାଟକ କରିଥିଲି।” ରଜାପୁଅ ଆଶ୍ଚର୍ଯ୍ୟ ହେଇ କହିଲା, “ଏ କଣ କହୁଛ ପଦ୍ମିନୀ?” ପଦ୍ମିନୀ କହିଲା, “ହଁ। ମୁଁ ଚନ୍ଦ୍ରଭଞ୍ଜଙ୍କୁ ଭଲପାଏ। ଆଉ ତାଙ୍କୁ ହିଁ ସବୁଦିନ ଭଲ ପାଉଥିବି। କିନ୍ତୁ ବାପାଙ୍କର ବାଇଅସୁରୁଣୀକୁ ମାରିବା ସର୍ତ୍ତ ଆମ ବାହାଘର ପାଇଁ କାଳ ହେଲା। ମୁଁ କେବେବି ଚନ୍ଦ୍ରଭଞ୍ଜଙ୍କୁ ସେଇ ଅଶୁଭ ଜଙ୍ଗଲକୁ ଯିବାକୁ ଦେଲିନି।” ସେତିକି କହି ପଦ୍ମିନୀ ଚୁପ ରହିଲା।

ତାପରେ ଚନ୍ଦ୍ରଭଞ୍ଜ କହିଲା, “ଆଉ ଯେତିକି ବେଳକୁ ମୁଁ ପଦ୍ମିନୀକୁ ବାହାହବାକୁ ଉପାୟ କରୁଥିଲି ମୋ ପିତା ତମ ରାଜ୍ୟ ଆକ୍ରମଣ କଲେ ଆଉ ସେଠି ପ୍ରାଣ ହରେଇଲେ। ମତେ ସେଠୁ ପଳାୟନ କରିବାକୁ ପଡିଲା। ଏତେ ଅପମାନ ମୁଁ କେମିତି ସହ୍ୟ କରିଥାନ୍ତି?? ତେଣୁ ମୁଁ ପଦ୍ମିନୀକୁ ନେଇ ନାଟକ ରଚିଲି ତାର ଆଉ ତୋର ପ୍ରେମର। ତା ପ୍ରେମ ଆଉ ସୁନ୍ଦର ରୂପରେ ଭୋଳ ହେଇ ତୁ ଆଗପଛ ନ ଭାବି ଜଙ୍ଗଲକୁ ପଳେଇଲୁ। ତୁ ଯେବେଯାଏ ସୁମେଧରେ ଥାନ୍ତୁ ମୁଁ କେବେ ସୁମେଧ ଆକ୍ରମଣ କରି ପାରିନଥାନ୍ତି। ଆଉ ମୁଁ କେବଳ ଏଇ ସୁଯୋଗର ଅପେକ୍ଷାରେ ଥିଲି।” ଏତିକି କହି ଚନ୍ଦ୍ରଭଞ୍ଜ ଅଟ୍ଟହାସ୍ୟ କଲା।

ରଜାପୁଅ କହିଲା, “ଠିକ କହିଛୁ ତୁ। ଏଇ ସୁନ୍ଦର ରୂପରେ ଭୋଳ ହେଇ ମୁଁ ବହୁତ ବଡ଼ ଭୁଲ କଲି। ଆଉ ମୋ ଭୁଲର ପ୍ରାଯଶ୍ଚିତ ବି କରିବା ମତେ ଭଲରେ ଜଣା। ମୁଁ ତତେ କେବେ ବି ଛାଡିବିନି।” ଏତିକି କହି ରଜାପୁଅ ସୈନିକଗୁଡାଙ୍କ ପାଖରୁ ନିଜକୁ ଛଡେଇବାକୁ ଚେଷ୍ଟା କଲା। ସୈନିକଗୁଡା ତାକୁ ଆଉରି ଜୋରରେ ଧରିରଖିଲେ। ଚନ୍ଦ୍ରଭଞ୍ଜ ପୁଣି କହିଲା, “ତୁ ଶୁଣି ଖୁସୀ ହବୁ ଯେ ସୁମେଧ ଅଧିକାର କରିବାର କିଛିଦିନ ପରେ ମୁଁ ଆଉ ପଦ୍ମିନୀ ସମସ୍ତଙ୍କ ଅଗୋଚରରେ ମନ୍ଦିରରେ ବାହା ହେଇଗଲୁ। କିନ୍ତୁ ମୁଁ ତାକୁ ସୁମେଧ ନେବା ପୂର୍ବରୁୁ ତୁ ଏଠିକି ଫେରିଆସି ପୁଣି ସବୁ ଗଡ଼ବଡ଼ କରିଦେଲୁ। ମତେ ବନ୍ଦୀ ବନେଇଦେଲୁ। ସେଇଥି ପାଇଁ ଆଜି ତତେ ପଦ୍ମିନୀ ହାତରେ ଏଠିକି ଡକେଇଲି। ଆଜି ଏଠି ମୋ ହାତରେ ତୋର ପ୍ରାଣ ଯିବ।” ଏତିକି କହି ଚନ୍ଦ୍ରଭଞ୍ଜ ହା ହା ହେଇ ଅଟ୍ଟହାସ୍ୟ କଲା। (କ୍ରମଶଃ)

ରଜାପୁଅ ଆଉ ବାଇଅସୁରୁଣୀ କଥା (୪୧)

ଚନ୍ଦ୍ରଭଞ୍ଜର କଥା ଶୁଣି ରଜାପୁଅ ରାଗିଗଲା। ଗର୍ଜନ କରି କହିଲା, “ଭୀରୁ ପଳାତକ। ରଜାପୁଅ ହେଇ ସବୁବେଳେ ପଛପଟୁ ପ୍ରହାର କରୁଛୁ? ସାହସ ଅଛି ଯଦି ମୋ ହାତ ଖୋଲି ମୋ ସାଙ୍ଗେ ଯୁଦ୍ଧ କରେ,” ରାଗିଯାଇ କହିଲା ରଜାପୁଅ। “ସେସବୁ କଥାଶୁଣି ମୋର କିଛି ଫରକ ପଡେନା। ତତେ ଏମିତିି ଅବସ୍ଥାରେ ହିଁ ମୁଁ ମାରିବି।,” ଏତିକି କହି ଚନ୍ଦ୍ରଭଞ୍ଜ ଖଣ୍ଡା ଉଠେଇଲା। ସେତିକିବେଳକୁ ରଜାପୁଅ ତାର ଦୁଇ ହାତକୁ ଛଡ଼େଇ ଆଣିଲା ସୈନ୍ୟମାନଙ୍କ ପାଖରୁ। ସୈନ୍ୟମାନେ ତାକୁ ଧରିବାକୁ ଦୌଡ଼ିଆସିଲେ। ସେତିକିବେଳକୁ ଚନ୍ଦ୍ରଭଞ୍ଜ ଉପରକୁ ଝାମ୍ପି ପଡିଲା ମନ୍ତ୍ରୀପୁଅ। ଚନ୍ଦ୍ରଭଞ୍ଜ ହାତରୁ ଖସି ପଡ଼ିଲା ଖଣ୍ଡା। ରଜାପୁଅ ଆଉ ମନ୍ତ୍ରୀପୁଅ ମିଶି ସବୁ ସୈନ୍ୟଙ୍କୁ ମାରିଦେଲେ। ପଦ୍ମିନୀ କଣ କରିବ ଜାଣି ନ ପାରି ଠିଆହେଇଥାଏ।

ରଜାପୁଅ ତଳୁ ଖଣ୍ଡାଟି ଉଠେଇ ପ୍ରହାର କରିବାକୁ ଗଲା ଚନ୍ଦ୍ରଭଞ୍ଜକୁ। ତା ପେଟରେ ଖଣ୍ଡାଟି ଭୁଷିବାକୁ ଯାଉଛି ଚନ୍ଦ୍ରଭଞ୍ଜ ପାଖରେ ଥିବା ପଦ୍ମିନୀକୁ ସାମ୍ନାକୁ ଟାଣିଆଣିଲା। ପଦ୍ମିନୀର ପେଟ ଭିତରେ ଭୁଷି ହେଇଗଲା ଖଣ୍ଡାଟି। ପଦ୍ମିନୀ ଆଶ୍ଚର୍ଯ୍ୟ ହେଇ ଚନ୍ଦ୍ରଭଞ୍ଜକୁ ଦେଖିଲା। ତାପରେ ଭୁଇଁରେ ରକ୍ତ ଜରଜର ହେଇ ଲୋଟିପଡ଼ିଲା। ରଜାପୁଅ ହାତରୁ ଖଣ୍ଡାଟି ଖସିପଡ଼ିଲା। ଚନ୍ଦ୍ରଭଞ୍ଜ ଖସି ପଳେଇବାକୁ ଚେଷ୍ଟା କଲା। ମନ୍ତ୍ରୀପୁଅ ଚନ୍ଦ୍ରଭଞ୍ଜକୁ ଲକ୍ଷ୍ୟକରି ନିଜ ଖଣ୍ଡାଟି ଫିଙ୍ଗିଲା। ଖଣ୍ଡାଟି ଚନ୍ଦ୍ରଭଞ୍ଜର ବେକରେ ଗଳିଗଲା। ଚନ୍ଦ୍ରଭଞ୍ଜ ତଳେ ଟଳିପଡିଲା।

******

ଏପଟେ କନକ ରାଜା ଗୋଟିଏ ଭୟାନକ ଗୁମ୍ଫା ଭିତରେ ପଶିଲେ। ଗୁମ୍ଫା ଭିତରେ ଦୁଇ ଜଣ ତାନ୍ତ୍ରିକ। ରାଜା ପଚାରିଲେ, “ଗୁରୁଭାଇ! ଆଜି ଗୁରୁଜୀ ଉଠିବେ ତ??” ଗୋଟିଏ ତାନ୍ତ୍ରିକ କହିଲା, “ହଁ, କାଲି ମୋ ସ୍ୱପ୍ନରେ ଆସି ଗୁରୁଜୀ ଜଣେଇଲେ ଏଇ କଥା। ସେଥିପାଇଁ ତୁମ ପାଖକୁ ଖବର ପଠେଇଥିଲୁ ଗୁରୁଭାଇ।” କନକ ରାଜା ଖୁସୀ ହେଇଗଲେ। ମୁହଁଟି ତାଙ୍କର ଉଜ୍ଜଳ ଦେଖାଗଲା।

କିଛି ସମୟ ପରେ ଗୁମ୍ଫାର ଗୋଟିଏ କଣରେ କିଛି ହଲଚଲ ହେଲା। ଆଉ କିଛି ଶବ୍ଦ ଶୁଣାଗଲା। ତାନ୍ତ୍ରିକଟି କହିଲା, “ଗୁରୁ ତପସ୍ୟାରୁ ଉଠିପଡିଲେ ବୋଧେ।” ସେମାନେ ସମସ୍ତେ ଶବ୍ଦ ଆସୁଥିବା ଅନ୍ଧାରୁଆ କୋଣକୁ ଗଲେ। ଦେଖିଲେ ଆଖି ଖୋଲି ବସିଛନ୍ତି ତାଙ୍କ ଗୁରୁ। ବାଘଚମର ଆସନ ଉପରେ। କୃଷ୍ଣ ବର୍ଣ। ମୁଣ୍ଡରେ ଜଟା। ଦେଖିବାକୁ ଭୟଙ୍କର। ତିନିଜଣ ଶିଷ୍ୟ ଗୁରୁଙ୍କ ପାଦ ତଳେ ପଡିଗଲେ। ଗୁରୁ ତାଙ୍କୁ ଆଶୀର୍ବାଦ କଲେ।

କନକ ରାଜା ମୁହଁ ଖୋଲିଲେ। କହିଲେ, “ହେ ଗୁରୁଜୀ! ଆପଣ ତପସ୍ୟାରେ ଥିଲେ ବୋଲି ମୋ ପ୍ରତିଶୋଧ ଏବେ ବି ଅଧା ହେଇରହିଛି। ଖାଲି ବାଇଅସୁରୁଣୀ ମୋ ରାଜ୍ୟ ଭିତରକୁ ଆସିପାରିବନି ବୋଲି ମୁଁ ଟିକେ ଶାନ୍ତିରେ ନିଶ୍ୱାସ ନଉଛି।ନହେଲେ ସେ କେବେଠୁ ରାଜ୍ୟ ଭିତରେ ପଶିସାରନ୍ତାଣି। ଆଉ ମୁଁ ବି ଜଙ୍ଗଲକୁ ଯାଇପାରୁନାହିଁ କି ତାକୁ ମାରି ପାରୁନାହିଁ। ଆପଣଙ୍କ ଭଳି ଶକ୍ତି ନାହିଁ ମୋର। ଦୟାକରି ମୋର ଶାପ ଖଣ୍ଡନ କରନ୍ତୁ ଆଉ ବାଇଅସୁରୁଣୀକୁ ମାରିବାରେ ମୋତେ ସାହାଯ୍ୟ କରନ୍ତୁ। ଗୁରୁଜୀ କହିଲେ, “ମୁଁ ସବୁ ଜାଣିଛି ବତ୍ସ। ତୋର ଶାପ ମୁଁ ଖଣ୍ଡନ କରୁଛି। ଏତିକି କହି ସେ ନିଜ କମଣ୍ଡଳୁରୁ କିଛି ପାଣି କାଢି କନକ ରାଜା ଉପରେ ଛିଞ୍ଚିଲେ। ତାପରେ କହିଲେ, “ଏବେ ବାହାର। ଜଙ୍ଗଲକୁ ଯିବା। ବାଇଅସୁରୁଣୀର ବିନାଶ ଏବେ ସୁନିଶ୍ଚିତ। (କ୍ରମଶଃ)

ରଜାପୁଅ ଆଉ ବାଇଅସୁରୁଣୀ କଥା (୪୨)

ପଦ୍ମିନୀ ତଳେ ପଡି ଛଟପଟ ହଉଥାଏ। ତା ପାଖରେ ପଡିଗଲା ଚନ୍ଦ୍ରଭଞ୍ଜ। ପଦ୍ମିନୀ ଥରେ ରଜାପୁଅକୁ ଆଉ ଥରେ ପାଖରେ ପଡିଥିବା ଚନ୍ଦ୍ରଭଞ୍ଜକୁ ଦେଖିଲା। ହଠାତ୍ ପଦ୍ମିନୀର ଧୀରେ ଧୀରେ ରୂପ ବଦଳିବାକୁ ଆରମ୍ଭ କଲା ଆଉ ସେ ଗୋଟିଏ ସାଧାରଣ କନ୍ୟାରେ ପରିଣତ ହେଇଗଲା। ରଜାପୁଅ ଆଉ ମନ୍ତ୍ରୀପୁଅ ଆଶ୍ଚର୍ଯ୍ୟ ହେଇ ତାକୁ ଦେଖୁଥାନ୍ତି। ସେ ରଜାପୁଅକୁ କିଛି କହିବ କହିବ ବୋଲି ହେଲା। କିନ୍ତୁ କିଛି କହିବା ପୂର୍ବରୁ ସେ ଆଖିବୁଜି ଦେଲା। ତାପରେ ଚନ୍ଦ୍ରଭଞ୍ଜ ବି ଆଖି ବୁଜିଲା। ରଜାପୁଅ ଆଣ୍ଠେଇପଡ଼ି ତାକୁ ହଲେଇଲା, “ପଦ୍ମିନୀ ପଦ୍ମିନୀ।” ରଜାପୁଅ ବ୍ୟସ୍ତହେଇ ମନ୍ତ୍ରୀପୁଅକୁ ଦେଖିଲା। ସେମାନେ ବୁଝି ପାରିଲେନି ଏଇ ଝିଅ କିଏ!

ମନ୍ତ୍ରୀପୁଅ କହିଲା, “ସଙ୍ଗାତ ଆମେ ଏଠୁ ଶୀଘ୍ର ବାହାରିଯିବା କଥା । ମତେ ଏଠି କାହିଁ କିଛି ଠିକ୍ ଲାଗୁନି।” ରଜାପୁଅ କହିଲା, “କିନ୍ତୁ ଏଇ ଝିଅ କିଏ? ୟା ରହସ୍ୟ ନ ଜାଣି ଆମେ ଏମିତି କେମିତି ଚାଲିଯିବା?” ମନ୍ତ୍ରୀପୁଅ କହିଲା, “ସଙ୍ଗାତ ସେଇଟା ଭାବିବା ସମୟ ଏଇଟା ନୁହେଁ। ସେମାନେ ତାଙ୍କ ପାପର ଫଳ ପାଇଛନ୍ତି। ମୁଁ ସବୁକଥା ଶୁଣିସାରିଛି। ତେଣୁ ତୁମେ ବେଶୀ କିଛି ଭାବନି। ଆଉ ଏମିତିରେ ମୁଁ ଶୁଣିକି ଆସିଲି କନକ ରାଜା ବାଇଅସୁରୁଣୀ ଉପରେ ଆକ୍ରମଣ କରିପାରନ୍ତି କୋଉ ବି କ୍ଷଣ। ତେଣୁ ଆମେ ଜଙ୍ଗଲରେ ଶୀଘ୍ର ପହଞ୍ଚିବା ଦରକାର।” ରଜାପୁଅ ଏଇ କଥା ଶୁଣି ପୁଣି ବ୍ୟଗ୍ର ଜଣାଗଲା। ତାପରେ ସେ ଥରେ ତଳେ ପଡିଥିବା ଦୁଇ ମୃତ୍ୟୁଦେହକୁ ଦେଖିଦେଇ ସେଇ କୋଠରୀରୁ ବାହାରିଗଲା।

****

18221599_421218861585737_7432510553528481388_n

ସକାଳ ହବ ହବ ହଉଥାଏ। ବାଇଅସୁରୁଣୀ ତା ଗୁମ୍ଫାରେ ପଡିରହିଥାଏ। ଛୁଆସୁରୀ ଆଉ ବାମାସୁର ମନଦୁଃଖ। ବାଇଅସୁରୁଣୀର ଦେହ ଜମା ଭଲନାହିଁ। ଛାତିରେ ପ୍ରବଳ କଷ୍ଟ ହଉଛି ତାର। ରାଣ ପକେଇ ମନା କରିଛି ବୁଢ଼ାସୁରଙ୍କୁ ଡକେଇବାକୁ। ଛୁଆସୁରୀ ଆଉ ବାମାସୁର ତା ପାଖରେ ବସିଛନ୍ତି ଆଉ ତାକୁ ଆଉଁସୁଛନ୍ତି। ସେ ଛାତିକୁ ଚାପି ଧରିଛି ଆଉ ଆଖିରୁ ତାର ଧାରଧାର ଲୁହ ବୋହିପଡୁଛି। ଛୁଆସୁରୀ ଆଉ ବାମାସୁର ବି କାନ୍ଦୁଛନ୍ତି। କଣ କରିବେ କିଛି ଜାଣି ପାରୁନାହାନ୍ତି।

ହଠାତ୍ ବହୁତ ଜୋରରେ ପବନ ବହିଲା।ଲାଗିଲା ଯେମିତି ସମଗ୍ର ପୃଥିବୀ ହଲୁଛି। ହଠାତ୍ ଗୁମ୍ଫା ଭିତରକୁ ପଶିଆସିଲେ ଯମଦୂତ ଭଳି ତିନୋଟି ଭୟଙ୍କର ଲୋକ। ବାଇଅସୁରୁଣୀ ବାମାସୁର ଆଉ ଛୁଆସୁରୀର ଚୁଟି ଟାଣି ତାଙ୍କୁ ଗୁମ୍ଫା ବାହାରକୁ ନେଇଗଲେ। ଗୁମ୍ଫା ବାହାରେ ତିନି ଜଣଙ୍କୁ ପକେଇଦେଲେ। ତାପରେ ବାମାସୁର ଆଉ ଛୁଆସୁରୀକୁ ବାନ୍ଧିଦେଲେ।

ବାଇଅସୁରୁଣୀକୁ ବହୁତ କଷ୍ଟ ହଉଥାଏ। ସେ ସେମିତି ତଳେ ନିଶ୍ଚଳ ଭଳି ପଡିରହିଥାଏ। କଷ୍ଟକରି ଟିକିଏ ଆଖି ଖୋଲି ଦେଖିଲା। ଝାପସା ଦିଶୁଛି। ସାମ୍ନାରେ ଦୁଇଟି ଲୋକ। ଗୋଟିଏ ତାନ୍ତ୍ରିକ ଭଳି ଦିଶୁଛି। ଅନ୍ୟଟି ରାଜା ଭଳି। ସେ ଭଲକି ଦେଖିଲା। ରାଜାକୁ ସେ ଚିହ୍ନିପାରିଲା। ତା ରାଗରେ ହାତକୁ ମୁଠା କଲା। ବଡ଼ କଷ୍ଟରେ ଠିଆ ହେଲା। ଆଉ ରାଜା ଆଡକୁ ମୁହେଁଇଲା। ରାଜା ଆଉ ତାନ୍ତ୍ରିକ ହସିଲେ। ତାନ୍ତ୍ରିକ ଅସୁରୁଣୀ ଆଡକୁ ହାଡର ଗୋଟିଏ ଅସ୍ତ୍ର ଫୋପାଡିଲା। ଅସ୍ତ୍ରଟି ଆସି ଅସୁରୁଣୀର ଛାତିରେ ବାଜିଲା। ଅସୁରୁଣୀ ଚିତ୍କାର କରି ଭୁଇଁରେ ପଡିଗଲା। ତା ଆଖି ଆଗରେ ଅନ୍ଧାର ହେଇଗଲା। କିଛି ଆଉ ଦିଶିଲାନି ତାକୁ। (କ୍ରମଶଃ)

ରଜାପୁଅ ଆଉ ବାଇଅସୁରୁଣୀ କଥା (୪୩)

ଅସ୍ତ୍ରଟି ଆସି ବାଇଅସୁରୁଣୀର ଛାତିରେ ବାଜିଲା। ଅସୁରୁଣୀ ଚିତ୍କାର କରି ଭୂଇଁରେ ପଡିଗଲା। ତା ଆଖି ଆଗରେ ଅନ୍ଧାର ହେଇଗଲା। ତାକୁ ଆଉ କିଛି ଦିଶିଲାନି। ଲାଗିଲା ଯେମିତି ସେ ଏକ ସ୍ବପ୍ନର ଦୁନିଆରେ ଅଛି। କାହାର ଦୁନିଆ ଇଏ?? ଆଗରୁ ଦେଖିଛି କି ସେ?

ସୁନ୍ଦର ପୃଥିବୀ। ସୁନ୍ଦର ପୃଥିବୀରେ ସୁନ୍ଦର ବଗିଚାଟିଏ। ବଗିଚାରେ ସୁନ୍ଦର ଫୁଲ। ଫୁଲ ଉପରେ ସୁନ୍ଦର ପ୍ରଜାପତି। ପାଖରେ ସୁନ୍ଦର ଜଳାଶୟ। ଜଳାଶୟରେ ସୁନ୍ଦର ପ୍ରତିବିମ୍ବଟିଏ। ବସିଛି ସୁନ୍ଦର ଝିଅଟିଏ। ଡେଣାକଟା ପରୀଟିଏ ଅବା! ଏଗାର ବାର ବର୍ଷର। ନିଜ ପ୍ରତିବିମ୍ବକୁ ଦେଖୁଛି। ଦେଖି ଖୁସି ହଉଛି। ତାପରେ ସେ ଉଠି ଠିଆହେଲା। ଫୁଲ ବଗିଚାରେ ବୁଲିଲା। ଗୋଟିଏ ପ୍ରଜାପତିକୁ ଧରି ଗେହ୍ଲା କଲା। ହଠାତ୍ ଦେଖିଲା ପାଖ ଗଛରେ ଧୀରେଧୀରେ ଚାଲୁଛି କଳା ସମ୍ବାଳୁଆଟିଏ। ଛି ଛି! କି ଅସନା। କି ଅସୁନ୍ଦର! ଝିଅଟି ଘୃଣାରେ ନାକ ଟେକିଦେଲା। ଗୋଟିଏ ପଥର ନେଇ ସେଇ ସମ୍ବାଳୁଆକୁ ଛେଚି ଛେଚି ମାରିଦେଲା।

“କଣ କରୁଛ ଜେମା?” କାହା କଣ୍ଠସ୍ୱର ଶୁଭିଲା ପଛଆଡୁ। ଜେମା ବୁଲିଲା।ପଛରେ ରାଜା। “ବାପା, ମୁଁ ଏଇ ସମ୍ବାଳୁଆକୁ ମାରୁଛି।” କହିଲା ଜେମା। “କିନ୍ତୁ କାହିଁକି?” ଆଶ୍ଚର୍ଯ୍ୟ ହେଇ ପଚାରିଲେ ରାଜା। ଜେମା କହିଲା, “କାରଣ ସମ୍ବାଳୁଆ ବହୁତ ଅସୁନ୍ଦର। ମୁଁ ଅସୁନ୍ଦର ଜିନିଷକୁ ଘୃଣା କରେ। ମୋ ସାମ୍ନାରେ ସବୁ ସୁନ୍ଦର ଜିନିଷ ରହିବା ଦରକାର। ମୁଁ ସବୁ ଅସୁନ୍ଦର ଜିଣିଷକୁ ନଷ୍ଟ କରିଦେବି।” ଜେମା କଥା ଶୁଣି ରାଜା ଥରି ଉଠିଲେ। ପୁଅ ନାହିଁ ତାଙ୍କର। କାଲିକି ଏଇ ଝିଅ ତାଙ୍କ ରାଜ୍ୟ ଶାସନ କରିବ। ସିଏ ଏମିତି କଥା କହିଲେ କେମିତି ଚଳିବ?” ରାଣୀ ଯିବାପରେ ଜେମାକୁ ଟିକେ ଅଧିକ ଗେହ୍ଲା କରିଦେଇଛନ୍ତି ବୋଧେ ସେ।

ରାଜାଙ୍କର ଗୋଟିଏ ନିଜ ଭାଇ ଗୋଟିଏ ସାବତ ଭାଇ। ନିଜ ସାନଭାଇ ଆଉ ଭାଉଜ ଘୋଡା ଗାଡ଼ିରେ ଆସୁଥିବା ବେଳେ ଘୋଡ଼ା ନିୟନ୍ତ୍ରଣ ହରେଇ ବସିଲା। ପାହାଡ଼ରୁ ଖସିପଡ଼ି ମୃତ୍ୟୁବରଣ କଲେ ସେମାନେ। ତାଙ୍କର ଗୋଟିଏ ପୁଅ ଆଉ ଗୋଟିଏ ଝିଅ। ରାଜା ତାଙ୍କୁ ନିଜ ପାଖରେ ରଖିଲେ। ଜେମା ଭାରି ଭଲପାଏ ତାଙ୍କୁ। ସେମାନେ କିନ୍ତୁ ଜେମାକୁ ରାଣୀ ଭଳି ଦେଖନ୍ତି। ବହୁତ ସମ୍ମାନ ଦିଅନ୍ତି। ଜେମା ତାଙ୍କୁ ନିଜଠୁ ବି ବେଶୀ ସ୍ନେହ କରେ।

ରାଜାଙ୍କ ସାବତ ଭାଇ ନାଁ ରେ ବହୁତ ୟାଡୁସ୍ୟାଡୁ ଅଭିଯୋଗ ଆସେ। ରାଜା ସାନଭାଇ ଭାବି ତାକୁ କ୍ଷମା କରିଦିଅନ୍ତି। କିନ୍ତୁ ଦିନେ ତା ନାଁରେ କୋଷାଗାର ହେରଫେର କରିବାର ଅଭିଯୋଗ ଆସିଲା। ରାଜା ନିଶାପ କଲେ। ସାବତ ଭାଇ ଦୋଷୀ ସାବ୍ୟସ୍ତ ହେଲା। ରାଜା ତାକୁ ରାଜ୍ୟରୁ ବାହାର କରିଦେଲେ। ସାବତ ଭାଇ ନିଜର ଗୋଟିଏ ବୋଲି ଝିଅକୁ ନେଇ ରାଜ୍ୟଛାଡି ଚାଲିଗଲା। କିଛି ବର୍ଷ ପରେ ସେଇ ସାବତ ଭାଇ ପୁଣି ନିଜ ଝିଅକୁ ନେଇ ରାଜ୍ୟକୁ ଫେରିଲା। ରାଜାଙ୍କ ଗୋଡ ଧରି କ୍ଷମା ମାଗିଲା। ପୁରା ବଦଳି ଯାଇଥାଏ ସେ। ମନଦେଇ ରାଜକାର୍ଯ୍ୟ ଶିଖିଲା। ରାଜା ତାକୁ କିଛିଦିନ ଧରି ଲକ୍ଷ୍ୟ। କଲେ। ଧୀରେଧୀରେ ତା କାମ ଦେଖି ବହୁତ ଖୁସି ହେଲେ। ଜାଣିଲେ ସେ ସତରେ ଆଉ ଆଗଭଳି ନାହିଁ। ବଦଳି ଯାଇଛି। ତାକୁ ପୁଣିଥରେ ଦରବାରରେ ରଖିଲେ। (କ୍ରମଶଃ)

ରଜାପୁଅ ଆଉ ବାଇଅସୁରୁଣୀ କଥା (୪୪)

ଏପଟେ ଜେମା ଦିନକୁ ଦିନ ଆଉରି ସୁନ୍ଦର ହେଇ ବଢିଚାଲିଛି। ପରୀଗୁଡା ବି ତାକୁ ଦେଖି କାଳେ ଈର୍ଷା କରୁଛନ୍ତି। ଜେମା ଆଉ ତା ଭାଇ ଭଉଣୀ ସବୁବେଳେ ଏକା ସାଙ୍ଗରେ ଖେଳନ୍ତି ବୁଲନ୍ତି। ଜେମା ଯେତିକି ସୁନ୍ଦର ହେଇ ହେଇ ଯାଉଛି ମନଟା ତାର ସେତିକି ପଥର। ରାଜା ବହୁତ ବ୍ୟସ୍ତ। ନିଜ ଘରଲୋକ ଛଡା କାହାରି ପାଇଁ ଜେମା ହୃଦୟରେ ଦୟାମାୟା ନାହିଁ। ଆଉ ଖାସ କରି ଅସୁନ୍ଦର ଲୋକଙ୍କ ପାଇଁ।

ନିଜ ସୁନ୍ଦରତାକୁ ନେଇ ଗର୍ବ ତାର ଆକାଶଛୁଆଁ। ଇନ୍ଦ୍ରଚନ୍ଦ୍ର ମାନୁନି ଆଉ ସେ। ଅସୁନ୍ଦର ଆଉ ଅପଙ୍ଗ ଲୋକଙ୍କ ଉପରେ ହସିବା ଯେମିତି ତାର ନିତିଦିନିଆ କଥା। ଆଉ ଏଥିରେ ତା ସାଙ୍ଗ ଦିଅନ୍ତି ତା ଭାଇ ଆଉ ଭଉଣୀ। ରାସ୍ତାଘାଟରେ କୋଉ ଅସୁନ୍ଦର କି ଅପଙ୍ଗ ଲୋକ ଦେଖା ହେଇଗଲେ ତାର ବହୁତ ମଜା ଉଡାନ୍ତି। ତାଙ୍କୁ ଉଠେଇ ଆଣି ପିଟନ୍ତି। କଷ୍ଟ ଦିଅନ୍ତି। ରାଜା ଝିଅର ଗୁଣଗ୍ରାମ ଦେଖି ନିଜ ଭାଗ୍ୟକୁ ଆଦରି ରୁହନ୍ତି। ଭାବନ୍ତି ରାଜକୁମାରୀଙ୍କ ପାଇଁ ଉଦ୍ଦିଷ୍ଟ କେଉଁ ଗୋଟିଏ ଗୁରୁକୂଳ ଆଶ୍ରମକୁ ପଠେଇଦେବେ ତାକୁ। ସେଠିକି ଯାଇ ହିଁ ଠିକ୍ ହବ ଝିଅଟି।

ଦିନେ ରାଜା ଖବର ପାଇଲେ ତାଙ୍କ ପ୍ରାସାଦକୁ ଅଷ୍ଟବକ୍ର ଋଷି ବିଜେ କରୁଛନ୍ତି। ଋଷିଙ୍କର ହଠାତ ଆବିର୍ଭାବ!! କାହିଁ ସେ ତ ଡାକି ନଥିଲେ ତାଙ୍କୁ। ରାଜା ମନେମନେ ଡରିଗଲେ। ଋଷିଙ୍କୁ ଯେମିତି ଜେମା ନ ଦେଖୁ। ଦେଖିଲେ ସେ କଣ ଯେ ନ କରିବ!! ରାଜା ଋଷିଙ୍କୁ ପାଛୋଟି ଆଣିବା ପୂର୍ବରୁ ଜେମା ପହଞ୍ଚିଗଲା ଋଷିଙ୍କ ସାମ୍ନାରେ। ଋଷିଙ୍କ କୁରୂପ ଦେଖି ଜେମା ଆଉ ତା ଭାଇଭଉଣୀ ହସିବାକୁ ଲାଗିଲେ। ଜେମା ତାଙ୍କୁ ଅପମାନ କରି ବହୁତ କଥା କହିଲା। ତାଙ୍କର ଅଙ୍ଗଭଙ୍ଗୀକୁ ନକଲ କଲା। ତାଙ୍କପରି ଛୋଟେଇ ଛୋଟେଇ ଚାଲିଲା। କହିଲା ଏମିତି ଅସୁନ୍ଦର ଲୋକକୁ ବଞ୍ଚିବାର କିଛି ଅଧିକାର ନାହିଁ।

ଅଷ୍ଟବକ୍ର ନିଜର ଏମିତି ଅପମାନ କେବେ ଦେଖି ନଥିଲେ। ସେ କ୍ରୋଧରେ ଜଳି ଉଠିଲେ। ସେ ଜେମାକୁ ଅଭିଶାପ ଦେଲେ, “ଯେଉଁ ସୁନ୍ଦର ରୂପ ପାଇଁ ତୋର ଏତେ ଗର୍ବ ସେଇ ରୂପ ତୋର କୁରୂପରେ ପରିଣତ ହବ କାଲି ରାତି ପାହିଲା କ୍ଷଣି। ଯେଭଳି ଅସୁନ୍ଦର ମନ ତୋର ସେଭଳି ଅସୁନ୍ଦର ଦେହ ହବ ତୋର। ପଶୁଙ୍କଠୁ ବି ହୀନ ଜୀବନ ଯାପନ କରିବୁ। ଯେମିତି ହୃଦୟହୀନା ତୁ ସେମିତି ହୃଦୟ ତୋର ପଥରର ହବ। ତୋର କିଛି ମଣିଷ ପ୍ରକୃତି ନାହିଁ। ସବୁ ପ୍ରକୃତି ଅସୁରୁଣୀର। କାଲି ସକାଳ ପାହିବା କ୍ଷଣି ତୁ ଗୋଟିଏ ଅସୁରୁଣୀରେ ପରିଣତ ହବୁ। ତୋ ସାଙ୍ଗରେ ଏଇ ତୋର ଭାଇ ଭଉଣୀବି ଅପାରଗ ଅସୁର ଅସୁରୁଣୀରେ ପରିଣତ ହେବେ।” ଏତିକି କହି ଋଷି ନିଜ କମଣ୍ଡଳୁରୁ କିଛି ପାଣି ନେଇ ଏମାନଙ୍କ ଉପରେ ଫୋପାଡିଦେଲେ। ଋଷିଙ୍କ ଅଭିଶାପ ଶୁଣି ତିନିଜଣ ଋଷିଙ୍କ ଗୋଡ ତଳେ ପଡିଗଲେ। ବହୁତ କାନ୍ଦିଲେ। କହିଲେ ଆମକୁ କ୍ଷମା କରନ୍ତୁ। ଆମକୁ କ୍ଷମା କରନ୍ତୁ। (କ୍ରମଶଃ)

             ରଜାପୁଅ ଆଉ ବାଇଅସୁରୁଣୀ କଥା (୪୫)

ଋଷିଙ୍କ ଅଭିଶାପ ଶୁଣି ତିନିଜଣ ଋଷିଙ୍କ ଗୋଡ ତଳେ ପଡିଗଲେ। ବହୁତ କାନ୍ଦିଲେ। କହିଲେ ଆମକୁ କ୍ଷମା କରନ୍ତୁ। ଆମକୁ କ୍ଷମା କରନ୍ତୁ। ରାଜା ବି ସେତେବେଳେ ସେଇଠି ପହଞ୍ଚିଲେ। ସବୁ ଶୁଣି ମୁଣ୍ଡ ପିଟିଦେଲେ। ଋଷିଙ୍କ ଗୋଡଧରି ଭୋଭୋ କାନ୍ଦିଲେ।

ଋଷିଙ୍କ ମନ ତରଳିଲା। ସେ କହିଲେ, “ମୋ ଅଭିଶାପ ତ ମୁଁ ଫେରେଇ ପାରିବିନି। ରାଜକୁମାରୀକୁ ତା କର୍ମଫଳ ତ ଭୋଗିବାକୁ ହିଁ ପଡିବ। ଆଉ ଦିନକୁ ଦିନ ତାର ଆସୁରିକ ପ୍ରବୃତ୍ତି ବଢିବାକୁ ଲାଗିବ। ସେ ମଣିଷକୁ ଘୃଣା କରିବା ଆରମ୍ଭ କରିବ। କିନ୍ତୁ ଯେଉଁ ଦିନ ସେ କୌଣସି ମଣିଷ ପାଇଁ ତା ମନରେ ସ୍ନେହ, ଶ୍ରଦ୍ଧା, ଦରଦ, ଆଉ ଭଲ ପାଇବା ଉଦୟ ହେବ ସେତେବେଳକୁ ତା ପଥର ହୃଦୟଟି ଧୀରେଧୀରେ ପୁଣି ରକ୍ତ ମାଂସର ହୃଦୟରେ ପରିଣତ ହବ।

କିନ୍ତୁ ଏଥିପାଇଁ ତାକୁ ବହୁତ କଷ୍ଟ ସହିବାକୁ ପଡିବ। ଯେତେବେଳ ଯାଏଁ ସେଇ ମଣିଷଟି ବି ତାକୁ ଏଇ ଅସୁରୁଣୀ ରୂପରେ ଭଲପାଇ ତା ପ୍ରତି ନିଜ ପ୍ରେମର ନିଦର୍ଶନ ନ କରିବ ସେବେଯାଏଁ ତାର ଅଧା ଛାତି ପଥର ରହି ସେଇ ରକ୍ତ ମାଂସର ଛାତିକୁ କାଟୁଥିବ। ସବୁଦିନ ଗୋଟାଏ ଗୋଟାଏ ଟୋପା ରକ୍ତ ଝରିବ ସେଇ ହୃଦୟରୁ। ଯେଉଁଦିନ ଶେଷ ଟୋପା ରକ୍ତ ଝରିଯିବ ସେଇଦିନ ମରିଯିବ ଅସୁରୁଣୀ। କିନ୍ତୁ ତା ପୂର୍ବରୁ କେଉଁ ମଣିଷ ଯଦି ତା ପ୍ରତି ନିଜ ପ୍ରେମର ନିଦର୍ଶନ କରେ ତାହେଲେ ଅସୁରୁଣୀ ଆଉ ତା ଭାଇ ଭଉଣୀମାନେ ନିଜ ପୂର୍ବ ରୂପ ଫେରିପାଇବେ ଆଉ ଅସୁରୁଣର ହୃଦୟ ପୁଣି ପୁରାପୁରି ରକ୍ତ ମାଂସର ହେଇଯିବ। କିନ୍ତୁ ଏତିକି ଘଟିବା ପୂର୍ବରୁ ଏମାନେ କି ଆଉ କିଏ ଏମାନଙ୍କର ସତ୍ୟ ଆଉ କାହା ଆଗରେ ପ୍ରକାଶ କରିଛି ତାହେଲେ ତା’ର ଶିର ହବ ସ୍କନ୍ଧଚ୍ୟୁତ। ଏତିକି କହି ଋଷି ସେଠୁ ଚାଲିଗଲେ।

ଭୋର୍ ହଉହଉ ଜେମାର ହାତରେ ଲମ୍ବାଲମ୍ୱା ନଖ ଉଠିଲା। ଚୁଟି ସବୁ ଜଟା ହେଇଗଲା। ବାମାସୁର ମୁଣ୍ଡରେ ଶିଙ୍ଗ ଉଠିଲା। ରାଜା ଏସବୁ ଦେଖି ମୂର୍ଚ୍ଛା ଗଲେ। ଜେମା ତା ଭାଇ ଭଉଣୀଙ୍କୁ ନେଇ ସକାଳ ହେବା ପୂର୍ବରୁ ପ୍ରାସାଦରୁ ଜଙ୍ଗଲକୁ ଲୁଚିକି ପଳାୟନ କଲା। ରାଜା ଆଖି ଖୋଲିଲେ। ଆଖି ସାମ୍ନାରେ ତାଙ୍କର ସାନ ଭାଇ। ଭାଇ ସାଙ୍ଗରେ ଗୋଟିଏ ତାନ୍ତ୍ରିକ।

“ହା ହା ହା ଶେଷରେ ଆଜି ରାଜା ମୋ ପାଦ ତଳେ। କେତେ କଣ ନ କରିବାକୁ ପଡିଲା ଏଇ ଦିନ ପାଇଁ!! ୟା ସାନ ଭାଇକୁ ମାରିଲି। ଜଙ୍ଗଲକୁ ଯାଇ ତନ୍ତ୍ରବିଦ୍ୟା ଶିଖିଲି। ୟାର ଦାସ ହେଇ ଖଟିଲି। ଋଷି ଅଷ୍ଟବକ୍ରଙ୍କୁ ଡ଼ାକିଲି ଖାସ୍ ୟା ଝିଅକୁ ଭସ୍ମ କରିଦେବେ ବୋଲି କିନ୍ତୁ ସେ ତ ତାକୁ କେବଳ ଅସୁରୁଣୀ କରି ଛାଡିଦେଲେ। ଯଦି ସେ ପୁଣି କେବେ ଫେରିଆସେ? ନିଜ ସିଂହାସନ ଦାବୀ କରେ ତେବେ?? ତାର ବି କିଛି ଉପାୟ କରିବାକୁ ପଡିବ ଗୁରୁଦେବ।”

ଚିନ୍ତା କରନି ବତ୍ସ। ମୁଁ ତାର ବି ଉପାୟ ରଖିଛି। ଏମିତି ମନ୍ତ୍ର ପଢୁଛି ଯେ ଅସୁରୁଣୀ କେବେ ଏଇ ରାଜ୍ୟ ସୀମା ଡେଇଁ ଏପଟେ ଆସିପାରିବନି। ଆଉ ଜଙ୍ଗଲର ସବୁ ନଦୀ ନାଳରେ ହଳାହଳ ବିଷ ଗୋଳେଇ ଦଉଛି ଯେ ଶୀଘ୍ର ହିଁ ଅସୁରୁଣୀର ମରିବା ଖବର ପାଇବ।” ତାନ୍ତ୍ରିକ କଥା ଶୁଣି ରାଜାର ଭାଇ ବହୁତ ଖୁସି ହେଇଗଲା ଆଉ ତାନ୍ତ୍ରିକର ଗୋଡ ତଳେ ପଡ଼ିଗଲା। (କ୍ରମଶଃ)

ରଜାପୁଅ ଆଉ ବାଇଅସୁରୁଣୀ କଥା (୪୬)

ତାପରେ ରାଜାକୁ ତାଙ୍କ ସାବତ ଭାଇ ଖଣ୍ଡାରେ ମାରିଦେଲା। ତାଙ୍କ ମୃତଦେହକୁ ଲୁଚେଇ ଦେଲା। ତାପରେ ତାନ୍ତ୍ରିକ କହିଲା ସେ ଏବେ ତପସ୍ୟାରେ ବସିବାକୁ ଯାଉଛି। ଉଠୁ ଉଠୁ କେତେ ବର୍ଷ ଲାଗିଯିବ। ସେ ତାକୁ ଯାହା କିଛି ବିଦ୍ୟା ଶିଖେଇଛି ତାକୁ ଦେଖିଚାହିଁ ସେ ଉପଯୋଗ କରିପାରିବ। ଏତିକି କହି ତାନ୍ତ୍ରିକ ସେଠୁ ଚାଲିଗଲା।

ରାଜାଙ୍କ ଭାଇ ଗଲା ଜଙ୍ଗଲକୁ ଅସୁରୁଣୀର ମୃତ୍ୟୁ ଦେଖିବା ପାଇଁ। ଦେଖିଲା ବେଳକୁ ଅସୁରୁଣୀ ଆଉ ତା ଭାଇ ଭଉଣୀଙ୍କୁ ବଞ୍ଚେଇଛି ଗୋଟିଏ ବୁଢ଼ା ଅସୁର। ପାହାଡ଼ ଖୋଲରେ ବିଷାକ୍ତ ପାଣି ପିଇ ପଡ଼ିଥିଲେ ତିନିଜଣ। ବୁଢ଼ାସୁର କିଛି କାମରେ ସେଇ ବାଟଦେଇ ଯାଉଥିଲେ। ବୁଢ଼ାସୁର ତ୍ରିକାଳଦର୍ଶୀ। ତାଙ୍କୁ ଦେଖୁ ଦେଖୁ ସେ ଜାଣିପାରିଲେ କଣ ହେଇଛି। ଅସୁରୁଣୀ ତାଙ୍କୁ କହିଲା, “ମୁଁ ମରିଯିବାକୁ ଚାହେଁ। ମୋ ପାଇଁ ଏଇ ପିଲାମାନେ ବି ଏତେ କଷ୍ଟ ସହିଲେ। ମତେ ଏମିତି ରୂପ ନେଇ ବଞ୍ଚିବାକୁ ଇଚ୍ଛା ନାହିଁ।”

ବୁଢ଼ାସୁର କହିଲେ, “ରୂପରେ କଣ ଅଛି? ଆଜି ଅଛି। କାଲି ନାହିଁ। ନିଜ ଭିତରର ଗୁଣକୁ ଚିହ୍ନିବାକୁ ଚେଷ୍ଟା କରେ। ନିଜ ଆତ୍ମାକୁ ଜାଣିବାକୁ ଚେଷ୍ଟା କରେ। ଦେଖିବୁ ତୋର ବି ଭଲ ବେଳ ବି ଆସିବ। ରୂପର ମୋହରେ ପଡି ଅନ୍ଧ ହେଇଥିଲୁ। ଏବେ ଆଖି ଫିଟିଛି। ନିଜକୁ ଚିହ୍ନେ।” ଏତିକି କହିଲା ବେଳକୁ ବୁଢ଼ାସୁରଙ୍କ ଉପରେ କିଏ ଜଣେ ଆକ୍ରମଣ କଲା।ବୁଢ଼ାସୁର ଦେଖିଲେ ରାଜାର ଭାଇକୁ। ତାକୁ ନିଜ ଯାଦୁ ବିଦ୍ୟାରେ ନିରସ୍ତ୍ର କରିଦେଲେ। ଦୁଇ ଜଣଙ୍କର ବହୁତ ସମୟ ଯାଏଁ ଯୁଦ୍ଧ ଲାଗିଲା। ତାପରେ ବୁଢ଼ାସୁରଙ୍କର ଜୟ ହେଲା ଆଉ ରାଜାଙ୍କ ଭାଇ ସେଠୁ ପଳାୟନ କଲା।

ବୁଢ଼ାସୁର ଜାଣିଲେ ଅସୁରୁଣୀର ଜୀବନ ସୁରକ୍ଷିତ ନୁହେଁ। ତେଣୁ ସେ ମନ୍ତ୍ର ପଢିଲେ ଯାହା ଫଳରେ ରଜାର ଭାଇ ଆଉ କେବେ ଜଙ୍ଗଲକୁ ଆସିପାରିବ ନାହିଁ। ଅସୁରୁଣୀ ଆଉ ତା ପରିବାରକୁ ସେ ନିଜ ଘରକୁ ନେଇ ରଖିପାରିବେ ସବୁଦିନ। କିନ୍ତୁ ଅସୁରୁଣୀର ଭାଗ୍ୟ ଏଇ ପାଖ ଗୁମ୍ଫାରେ ବଦଳିବ। ତାଙ୍କ ଘରେ ନୁହେଁ। ତେଣୁ ସେ ଅସୁରୁଣୀ ଆଉ ତା ଭାଇ ଭଉଣୀଙ୍କୁ ନିଜ ଘରକୁ ନେଇ ସେବା ଶୁଶ୍ରୁଷା କଲେ ଆଉ ସେମାନେ ଭଲ ହେଲାପରେ ତାଙ୍କୁ ଆଣି ଏଇ ଗୁମ୍ଫାରେ ଛାଡିଦେଲେ।

ଏପଟେ ରାଜାର ଭାଇ ପ୍ରାସାଦକୁ ଗଲା। ରାଜାଙ୍କ ଶରୀର ସବୁଦିନ ପାଇଁ ମାଟି ତଳେ ପୋତିଦେଲା। ନିଜ ଝିଅକୁ ଆଣିଲା ଆଉ ପୂଜାରେ ବସିଲା। ପୂଜା ସରିବା ପରେ ସେ ଝିଅକୁ କହିଲା ଆଖି ବନ୍ଦ କରି ବସିବା ପାଇଁ ଆଉ ନିଜେ ବି ଆଖି ବନ୍ଦ କରି ବସିଲା। ଆଖି ଖୋଲିଲା ବେଳକୁ ରାଜାଙ୍କ ରୂପ ନେଇଛି ଆଉ ତା ଝିଅ ଜେମାର ରୂପ। ଝିଅ ପଚାରିଲା, “ବାପା ଇଏ କଣ?” ସେ ଉତ୍ତର ଦେଲା, “ଆଜିଠୁ ମୁଁ କନକରାଜା ଆଉ ତୁ ହେଲୁ ଜେମା ପଦ୍ମିନୀ। ଆଉ ଏଇ କଥା ଯେମିତି ଖାଲି ତୋ ଆଉ ମୋ ଭିତରେ ରୁହେ।” ଝିଅ ପଚାରିଲା, “ତାହେଲେ ଅସଲି ପଦ୍ମିନୀ କାହିଁ?” ନକଲି ରାଜା କହିଲା, “ସେ ମରି ଯାଇଛି।”

ନକଲି ରାଜା ତାପରେ ନିଜର ଆଉ ନିଜ ଝିଅର ମିଛ ମୃତ୍ୟୁ ଖବରକୁ ରାଜ୍ୟସାରା ଡେଙ୍ଗୁରା ପିଟେଇଦେଲା। ସମସ୍ତେ ଜାଣିଲେ ରାଜାଙ୍କ ସାବତ ଭାଇ ଆଉ ତା ଝିଅ ମରିଗଲେ। ଆଉରି ବି ଖବର ପ୍ରଚାର କଲା ଆର ଭାଇର ପୁଅ ଝିଅ ନିଜ ଅଜା ଆଈଙ୍କ ପାଖକୁ ପଳେଇଲେ। ତାଙ୍କୁ ବି ଆଉ କେହି ଖୋଜିଲେନି। ଆଉ ସେ ନିଜେ ଝିଅକୁ ପଠେଇଦେଲା ଗୁରୁକୂଳ ଯାହା ଫଳରେ ଲୋକେ ତା ନୂଆ ବ୍ୟକ୍ତିତ୍ୱକୁ ଜାଣିପାରିବେନି। ଆଉ ସତକୁ ସତ ଗୁରୁକୂଳରୁ ପଦ୍ମିନୀ ନୂଆ ପଦ୍ମିନୀ ହେଇଯାଇଥିଲା ଆଉ ପୁରୁଣା ପଦ୍ମିନୀକୁ ଲୋକେ ଭୁଲିଯାଇଥିଲେ। (କ୍ରମଶଃ)

ରଜାପୁଅ ଆଉ ବାଇଅସୁରୁଣୀ କଥା (୪୭) (ଶେଷଭାଗ)

18157910_421637281543895_7008548245633833651_n

ବାଇଅସୁରୁଣୀ ସ୍ୱପ୍ନରୁ ଉଠିଲା ଭଳି ହଠାତ୍ ଉଠିଲା। ତା ଉପରେ ତାନ୍ତ୍ରିକ ଆଉ ଥରେ ପ୍ରହାର କଲା। ଶେଷ ପ୍ରହାର ବେଳକୁ ତାନ୍ତ୍ରିକ ଉପରକୁ ଡେଇଁଲା ରଜାପୁଅ। ତାନ୍ତ୍ରିକକୁ ବହୁତ ଜୋରରେ ପ୍ରହାର କଲା। ତାନ୍ତ୍ରିକ ମୂର୍ଚ୍ଛା ହେଇ ପଡ଼ିରହିଲା। ମନ୍ତ୍ରୀପୁଅ ନକଲି କନକ ରାଜାକୁ ଧରି ଘୋଷାଡି ଆଣିଲା। ତାକୁ ବହୁତ ଜୋରରେ ପ୍ରହାର କଲା। ସେ ବି ପଡିଗଲା ତଳେ। ତାପରେ ମନ୍ତ୍ରୀପୁଅ ଯାଇ ଛୁଆସୁରୀ ଆଉ ବାମାସୁରକୁ ଖୋଲିଦେଲା। ଛୁଆସୁରୀ ତାକୁ ଦେଖି ଏଥର ହସିଦେଲା। ମନ୍ତ୍ରୀପୁଅ ବି ତାକୁ ଦେଖି ହସିଦେଲା।

ରଜାପୁଅ ବାଇଅସୁରୁଣୀକୁ ଦେଖିଲା। ସେ ତଳେ ପଡି ଧକଉଥାଏ। ତା ହୃଦୟର ରକ୍ତ ସରିବା ପାଇଁ ଆଉ କେଵଳ କିଛି ସମୟ ବାକି ରହିଛି ରଜାପୁଅ ବାଇଅସୁରୁଣୀକୁ କୋଳକୁ ନେଲା। ବାଇଅସୁରୁଣୀ ପୁଣି ଧକଉଥାଏ ଆଉ ଧୀରେ ଧୀରେ ସେ ଆଖି ବୁଜିଦେଲା। ରଜାପୁଅ ଜୋରରେ ଚିତ୍କାର କଲା, “ନାଇଁ ତୁ ଯାଇପାରିବୁନି।”

ଏତିକି ବେଳକୁ ତାନ୍ତ୍ରିକ ଠିଆ ହେଇପଡ଼ିଥାଏ। ସେ ବାଇଅସୁରୁଣୀ ଉପରକୁ ନିଜର ଶେଷ ଆଉ ଅମୋଘ ଅସ୍ତ୍ର ପ୍ରହାର କରିବାକୁ ଯାଉଛି ଦେଖିଲା ତା ଛାତିରେ ଗୋଟିଏ ହାଡର ଶର ଗଳିଗଲା ଆଉ ସେ ଛିଟିକି କି ଯାଇ ଟିକିଏ ଦୂରରେ ପଡିଲା। ରଜାପୁଅ ଦେଖିଲା ବୁଢ଼ାସୁର ଠିଆ ହେଇଛନ୍ତି ଧନୁଶର ଧରି। ତାପରେ ତାନ୍ତ୍ରିକ ଆଖିବୁଜି ଦେଲା।

ରଜାପୁଅ ବାଇଅସୁରୁଣୀକୁ ଫେର୍ ଦେଖିଲା। ବାଇଅସୁରୁଣୀ ଆଉ ଆଖି ଖୋଲୁ ନଥାଏ। ଛୁଆସୁରୀ ଆଉ ବାମାସୁର ତା ପାଖରେ ଆସି କାନ୍ଦୁଥାନ୍ତି। ରଜାପୁଅ ଆଉ ରହିପାରିଲାନି। ବାଇଅସୁରୁଣୀକୁ କୁଣ୍ଢେଇ ଧରି କାନ୍ଦିଲା, “ତୁ ମତେ ଛାଡି କୁଆଡେ ଯାଇପାରିବୁନି। ମୁଁ ତତେ କୁଆଡେ ଯିବାକୁ ଦେବିନି। ମୁଁ ତତେ ବହୁତ ବହୁତ ଭଲପାଏ। ନିଜ ଜୀବନଠୁ ବି ଅଧିକା।” ଏତିକି କହି ରଜାପୁଅ ବାଇଅସୁରୁଣୀ ମୁହଁରେ ଵୋକ ଦେଲା।

ହଠାତ୍ ବହୁତ ଜୋରରେ ବିଜୁଳି ହେଲା। ଘଡଘଡି ଗର୍ଜିଲା। ଆଉ ଗୋଟିଏ ଧଳା ଆଲୁଅ ଆସିଲା ଉପରୁ। ସମସ୍ତଙ୍କ ଆଖି ସେଇ ଆଲୁଅରେ ଖୋସି ହେଇଗଲା। ସେଇ ଆଲୁଅ ବାଇଅସୁରୁଣୀ ଚାରିପଟେ ବୁଲିବାକୁ ଲାଗିଲା। ଆଉ ଧିରେ ଧିରେ ବାଇଅସୁରୁଣୀ ଜାଗାରେ ପଦ୍ମିନୀ ଶୋଇଥିଲା ସେଠି। ଆଉ ଛୁଆସୁରୀ ଜାଗାରେ ସୁନ୍ଦର ଝିଅଟିଏ ଆଉ ବାମାସୁର ଜାଗାରେ ସୁନ୍ଦର ଯୁବକଟିଏ ଠିଆ ହେଇଥାନ୍ତି।

ରଜାପୁଅ ଆଶ୍ଚର୍ଯ୍ୟ ହେଇଗଲା। ପଦ୍ମିନୀ ଆଖି ଖୋଲିଲା। ରଜାପୁଅକୁ ଦେଖି ହସିଲା। ରଜାପୁଅ ଅବାକ ହେଇ ଠିଆ ହେଇପଡ଼ିଲା। ବୁଢ଼ାସୁର ତା ପାଖକୁ ଆସିଲେ। କହିଲେ, “ଆଶ୍ଚର୍ଯ୍ୟ ହୁଅନି ରାଜକୁମାର। ଏଇ ଦେଖ ତୁମ ପଦ୍ମିନୀ। ଶରୀରକୁ ବି ତୁମେ ଭଲ ପାଇଥିଲ ଆଉ ତା ଆତ୍ମାକୁ ବି। ଆଜି ତା ଶରୀର ଆଉ ଆତ୍ମା ଏକ ହେଇଯାଇଛି। ଆଜି ସେ ଗୋଟାପଣେ ତୁମର ହେଇଯାଇଛି। ନିଜ ଭାଗ୍ୟଫଳ ଆଉ କର୍ମଫଳ ସବୁ ଭୋଗ କରିଛି। ମୁଁ ଭାବୁଛି ଆଜି ପଦ୍ମିନୀ ସାଙ୍ଗରେ ତୁମେ ତୁମ ସବୁ ପ୍ରଶ୍ନର ଉତ୍ତର ବି ପାଇଯିବ।” ତାପରେ ବୁଢ଼ାସୁର ରଜାପୁଅକୁ ପଦ୍ମିନୀର କାହାଣୀ କହିଲେ। ରଜାପୁଅ ଯେତିକି ଆଶ୍ଚର୍ଯ୍ୟ ହେଲା ସେତିକି ଖୁସୀ ବି ହେଲା।

ପଦ୍ମିନୀ ଆଉ ରଜାପୁଅ ବୁଢ଼ାସୁରଙ୍କ ଆଶୀର୍ବାଦ ନେଲେ। ପଦ୍ମିନୀ ନିଜ ଭାଇ ଭଉଣୀଙ୍କୁ ଖୁସୀରେ କୁଣ୍ଢେଇ ପକେଇଲା। ରଜାପୁଅ ପଦ୍ମିନୀ ଆଉ ବାକି ସମସ୍ତଙ୍କୁ ନେଇ ନିଜ ରାଜ୍ୟକୁ ଫେରିଲା। ପଦ୍ମିନୀ ନିଜ ପିତାଙ୍କ ମରଶରୀର ଉଦ୍ଧାର କରି ତାର କ୍ରିୟାକର୍ମ କଲା। କିଛିଦିନ କନକ ନଗରୀରେ ଶାସନ କଲା। ତାପରେ ସେ ସେଠି ବାମାସୁର ବନାମ ସୂର୍ଯ୍ୟକାନ୍ତକୁ ରାଜା ଘୋଷିତ କଲା। ତାପରେ ରଜାପୁଅ ଆଉ ପଦ୍ମିନୀର ଧୁମଧାମରେ ବାହାଘର ହେଲା। ମନ୍ତ୍ରୀପୁଅ ଆଉ ଛୁଆସୁରୀ ବନାମ ରତ୍ନାର ବି ବାହାଘର ହେଲା। ବୁଢ଼ାସୁର ତାଙ୍କ ପରିବାର ଧରି ବାହାଘରକୁ ଆସିଲେ। ଏମିତି ଜାକଜକମର ବାହାଘର ଆଗରୁ କେହି କେବେ ଦେଖି ନଥିଲେ। ରଜାପୁଅ ଆଉ ପଦ୍ମିନୀର ଭଲ ପାଇବା କାହାଣୀ ଦୂର ଦୁରାନ୍ତର ଦେଶ ପର୍ଯ୍ୟନ୍ତ ବ୍ୟାପିଲା।

ରଜାପୁଅ ବହୁତ ଦିନ ଧରି ସୁମେଧରେ ସୁଶାସନ କଲା। ପଦ୍ମିନୀ ଆଉ ମନ୍ତ୍ରୀପୁଅ ରଜାପୁଅକୁ ଶାସନରେ ପୁରା ସହଯୋଗ ଦିଅନ୍ତି। ପଦ୍ମିନୀକୁ ରାଣୀ ହିସାବରେ ସୁମେଧରେ ସମସ୍ତେ ବହୁତ ଭଲ ପାଆନ୍ତି। ପଦ୍ମିନୀ ରାଜ୍ୟର ଗରୀବ ଲୋକଙ୍କ ପାଇଁ ଆଉ ଵିଶେଷ କରି ଅପାରଗ ଆଉ ଅପଙ୍ଗ ଲୋକଙ୍କର ବହୁତ ସେବା କରେ। ଲୋକେ ତାକୁ ବହୁତ ଆଦର କରନ୍ତି।

ରଜାପୁଅ ଆଉ ପଦ୍ମିନୀ କୁଆଡେ ବହୁତ ସମୟରେ ଜଙ୍ଗଲ ଆଡକୁ ବୁଲି ଯାଆନ୍ତି ଆଉ ପୁରୁଣା ସମୟକୁ ମନେ ପକାନ୍ତି। ଭାବନ୍ତି ଯାହାସବୁ ଘଟିଗଲା ବାସ୍ତବତା ନା କେବଳ ଗୋଟିଏ ସ୍ୱପ୍ନ। ଶୁଣିଥିଲି ରଜାପୁଅ କୁଆଡେ ପଦ୍ମିନୀକୁ ସବୁବେଳେ ବାଇଅସୁରୁଣୀ ବୋଲି ହିଁ ଡାକେ। ଆଉ ପଦ୍ମିନୀକୁ ବି କେବଳ ଏଇ ଡାକଟା ହିଁ ମନକୁ ପାଏ। କାରଣ ଏଇଟା ତାକୁ ମନେ ପକେଇଦିଏ ଯେ ରଜାପୁଅ ତା ରୂପକୁ ନୁହେଁ ତା ମନକୁ ଭଲ ପାଇଥିଲା। ସତରେ ଏଇ ଛୋଟ ଛୋଟ କଥା ଗୁଡିକ ଜୀବନରେ କେତେ ଜରୁରୀ ସତରେ!! ହଉ ରଜାପୁଅ ଭଲରେ ଥାଉ। ପଦ୍ମିନୀ ବନାମ ବାଇଅସୁରୁଣୀ ଭଲରେ ଥାଉ। ଗପଟି ଏଇଠି ସରୁ। ଏବେ ମୋ କଥାଟି ସରିଲା। ଫୁଲଗଛଟି ମରିଲା। (ସମାପ୍ତ)

(Thank you Mr. Sambeet Das for the images. )

19 Replies to “ରଜାପୁଅ ଆଉ ବାଇଅସୁରୁଣୀକଥା”

  1. ଜିତେନ୍ଦ୍ର says: Reply

    ଏକା ନିଶ୍ୱାସ ରେ ପଢ଼ିଲି।ମୋ ସମୟରେ ୟାଠୁ ଭଲ ଲେଖା କେବେ ପଢିନି।

    1. Thank you so much 😊

    2. Thank you so much for the wonderful words 😊

  2. ଓଡିଆ ସାହିତ୍ୟ ର ପରିବର୍ତନ ସମୟରେ ଏପରି ଲେଖା ଚିନ୍ତା କରିବା ଏବଂ ପାଠକ କୁ ଆକୃଷ୍ଟ କରିବା, ଏକ ଦୁଃସାହସିକ ପଦକ୍ଷେପ। ବିଂଶ ଶତାଦ୍ଦିରେ ଓଡିଆ ସାହିତ୍ୟକୁ ବଞ୍ଚେଇ ରଖିବା ଚେଷ୍ଟା କରୁଥିବ କିଛି ବ୍ୟକ୍ତି ମଧ୍ୟରୁ ଆପଣ ଅନ୍ୟତମ।

    1. Thank you so much sir 😊🙏

  3. satyajit rout says: Reply

    mam mu sabu padhili…last part was awesome…sethipaen wait karithili ete dina jaye…and bht bhala lagila.

  4. monalisha sahoo says: Reply

    eita mor first long story.jouta mte ete vala lagila. really.. hats off to the writer

    1. Thank you so much for the wonderful words 😊😊😍😍

  5. monalisha sahoo says: Reply

    khub sighra mte sabu story padhi bara achhi apanankar… 😊

    1. Thank you so much 😊

  6. Ajaya Ku Sahoo says: Reply

    Awesome story madam 👌
    I never read such a great story. I moved by the story as I’m a character and take it reality. All parts of the story are nice. But finishing is outstanding 👍
    Thank you once again for such a great story 🙏
    Hope I will get a chance to read more story written by you….

  7. SUBRAT KUMAR SAHOO says: Reply

    Wow…!!! Amazing and mysterious story..Thank you so much madam for this story you are so much talented..😊

    1. Thank you so much 🙂

  8. Soumyalagna Sahoo says: Reply

    Apananka nan hela Sulagna mora nan hela Soumyalagna 🙂

    Mu 2 din hela tike tike padhiki aji finally sarili bohut badhia story gote movie b heipariba ara upare.Well narrated. Thank you

    1. Thank you so much 🙂

  9. Manoj Kumar Nayak says: Reply

    ପୂର୍ବରୁ ଅନେକ ଉପନ୍ୟାସ ଓ କ୍ଷୁଦ୍ରଗଳ୍ପ ପଢୁଥିଲି l ଆସ୍ତେ ଆସ୍ତେ ଉପନ୍ୟାସ ପଢି ଶେଷ କରିବା କଷ୍ଟକର ହୋଇଗଲା l ଏପରିକି କ୍ଷୁଦ୍ରଗଳ୍ପ ମଧ୍ୟ ଏକାଥରେ ଶେଷ କରି ପାରେନାହିଁ l ତେଣୁ ମିନି ଗଳ୍ପ ପଢିବାକୁ ବେଶି ପସନ୍ଦ କଲି l ବହୁଦିନ ପରେ ଆଜି ଗୋଟାଏ ଉପନ୍ୟାସ ପଢ଼ିଲି, ତା ପୁଣି ଗୋଟେ ନିଶ୍ଵାସରେ l ଧନ୍ୟବାଦ ଲେଖିକା ମହାଶୟlକୁ l ରାଜାରାଣୀ କାହାଣୀର ଏଇ ସୁନ୍ଦର ଉପସ୍ଥାପନା ଶେଷ ପର୍ଯ୍ୟନ୍ତ ମୋତେ ବିଭିନ୍ନ ଚରିତ୍ର ମାଧ୍ୟମରେ ଧରି ରଖି ପାରିଥିବାରୁ l ଆହୁରି ଆହୁରି ଆପଣ ଲେଖୁଥାନ୍ତୁ, ଶ୍ରୀ ଜଗନ୍ନାଥଙ୍କ ପାଖେ ଏତିକି ପ୍ରାର୍ଥନା l

  10. Manoj Kumar Nayak says: Reply

    ଅନେକ ଉପନ୍ୟାସ ଓ କ୍ଷୁଦ୍ରଗଳ୍ପ ପଢୁଥିଲି l ଆସ୍ତେ ଆସ୍ତେ ଉପନ୍ୟାସ ପଢି ଶେଷ କରିବା କଷ୍ଟକର ହୋଇଗଲା l ଏପରିକି କ୍ଷୁଦ୍ରଗଳ୍ପ ମଧ୍ଯ ବେଳେବେଳେ ଏକାଥରେ ଶେଷ କରି ହୁଏନି l ତେଣୁ ମିନି ଗଳ୍ପ ପଢିବାକୁ ବେଶି ପସନ୍ଦ କଲି l କିନ୍ତୁ ବହୁଦିନ ପରେ ଆଜି ଏମିତି ଏକ ଉପନ୍ୟାସ ପଢିଲି, ସେ ପୁଣି ଗୋଟେ ନିଶ୍ଵାସରେ l ରାଜାରାଣୀ କାହାଣୀ ପିଲା ଦିନେ ଅନେକ ପଢିଛି ଓ ଶୁଣିଛି l କିନ୍ତୁ ଲେଖିକାଙ୍କ ଏଇ ଉପସ୍ଥାପନା ଓ ଶବ୍ଦ ସଂଯୋଜନା ବାସ୍ତବରେ ପ୍ରଶଂସନୀୟ l ଶେଷ ପର୍ଯ୍ୟନ୍ତ ପାଠକଙ୍କୁ ଧରି ରଖିବାରେ ଲେଖିକା ସଫଳ ହୋଇ ପାରିଛନ୍ତି l

    1. Thank you so much 🙂

Leave a Reply