ବୋଉ: ଏକ ଭାବନା

ମା’ ଶବ୍ଦର ଅନେକ ପ୍ରତିଶବ୍ଦ ଅଛି | ପୂର୍ବ ପଶ୍ଚିମ ଆଉ ଉତ୍ତର ଭାରତୀୟ ଭାଷାଗୁଡିକରେ ପ୍ରାୟତଃ ଡାକନ୍ତି ମା, ମାମା, ଅମ୍ମୀ ଆଉ ଦକ୍ଷିଣ ଭାରତରେ ଆମ୍ମା | ଟିକିଏ ଇଂରାଜୀ ପବନ ବାଜିଲେ ପୁଣି ଡକାହୁଏ ମମି, ମମ୍, ମାମା | ପୁଣି ଗେହ୍ଲାରେ କିଏ ଡାକେ ମିମି କି ମାମି ଆଉ କେତେ କଣ | ତେବେ ଏଇ ସବୁ ଶବ୍ଦ ଗୋଟିଏ ପ୍ରାୟତଃ ଏକ ଭଳି ଲାଗେ | ସେଇ ମା’ ଶବ୍ଦର ପ୍ରତିରୂପ ଯାହା |

ତେବେ ଓଡ଼ିଆ କେବଳ ଗୋଟିଏ ଭାଷା ଯେଉଁଠି ମା’ ପାଇଁ ଭିନ୍ନ ଏକ ଶବ୍ଦ ବ୍ୟବହାର ହୁଏ ଯାହା ଏଇ ଶବ୍ଦଠାରୁ ଭିନ୍ନ | ସେଇ ଶବ୍ଦଟି ହେଲା ବୋଉ | ମା’, ମମି କି ବୋଉ ଡାକିଦେଲେ ମା’ପାଇଁ ପ୍ରେମ କମିଯାଏ କି ବଢିଯାଏ ସେ କଥା ନୁହେଁ ତେବେ ବୋଉ ଶବ୍ଦଟି ଶୁଣିଦେଲେ ଆଖି ଆଗରେ ଯେମିତି ନାଚିଯାଏ ନିଚ୍ଛକ ଓଡ଼ିଆ ମା’ର ରୂପଟିଏ | ସୁତା ଶାଢ଼ୀଟିଏ ପିନ୍ଧି ରୋଷେଇଘରେ ତରତର ହେଇ ଶାଗ ଖରଡୁଥିବା ବୋଉ ନହେଲେ କାଳିଆ ଆଗରେ ମୁଣ୍ଡିଆ ମାରି ନିଜ ଛୁଆଙ୍କ ଶୁଭ ମନାସୁଥିବା ବୋଉ ନହେଲେ ଖରାବେଳିଆ ଗୋଡ ଲମ୍ବେଇ ପଡୋଶୀ ଘର ମାଉସୀ ସାଙ୍ଗରେ ଦୁନିଆ ଯାକର ଗପ ଯୋଡ଼ୁଥିବା ବୋଉ | ବୋଉ ହେଉଛି ଏମିତି ଗୋଟିଏ ଶବ୍ଦ ଯାହା ଓଡ଼ିଆ ଭାଷାକୁ ଅନ୍ୟ ସବୁ ଭାଷାଠାରୁ ଅଲଗା କରି ରଖେ | ସୁନ୍ଦର କରି ରଖେ | ଅନନ୍ୟ କରି ରଖେ |

ଆଜିର ନୂଆ ପିଢୀ ଭିତରୁ ହାତଗଣତି ପିଲା ନିଜ ମା’କୁ ବୋଉ ବୋଲି ଡାକନ୍ତି | କାରଣ କିଛି ବି ହେଇପାରେ | ପରିବାରରେ ନ ଶିଖା ଯାଇ ଥାଇପାରେ | ମନରେ ଭାବନା ଆସୁ ଥାଇପାରେ କାଳେ କିଏ ମଫ କହି ଦେବ କି? କାଳେ କିଏ ଗାଉଁଲି ଡାକି ଦବ କି? ଆଉ ସେଇଥିପାଇଁ ବୋଧେ ମମ୍ ମମି ଆଉ ମାମାଙ୍କ ମାରାଥନ ଦୌଡରେ ବୋଉ ଆଜି ପଛରେ |

କହିଲେ ଦେଖି ସହରରେ ରହୁଥିବା କେତେ ପାଠପଢୁଆ ପିଲା ମମି ନ ଡାକି ମା’କୁ ଡାକୁଛନ୍ତି ବୋଉ ବୋଲି? ହାତଗଣତି ବୋଧେ | ଥରେ ଥରେ ଭାବେ ଆମ ପିଢୀ ପରେ ଆଉ କେହି ସତରେ କଣ ନିଜ ମା’କୁ ବୋଉ ବୋଲି ଡାକିବ? କଣ ହବ ଯଦି କାଲିକି ବୋଉ ଡାକଟା ଓଡ଼ିଆ ଭାଷାରୁ ପୁରାପୁରି ଲୋପ ପାଇଯିବ?? କଣ ହେବ ଯଦି ଶହେବର୍ଷ ପରେ ପିଲାଟିଏ ପୁରୁଣା ଓଡ଼ିଆ ଗପଟିଏ ପଢି ପଚାରିବ, “ଏଇ ଗପରେ ବୋଉ ବୋଲି କାଇଁ ଲେଖା ହେଇଚି? ବୋଉର ମାନେ କଣ?” କଣ ଦିଆହେବ ଏଇ ପ୍ରଶ୍ନର ଉତ୍ତର? କଣ ଓଡ଼ିଆ ଅଭିଧାନ ନେଇ ତାକୁ ଦେଖାହବ ବୋଉ ଶବ୍ଦର ମାନେ କଣ?

ନା | ସେମିତି ହେଇ ନ ପାରେ | ଅନ୍ତତଃ ଆଜି ପ୍ରଥମ ଓଡ଼ିଆ ଅଭିଧାନର ଜନକ ପଣ୍ଡିତ ଗୋପୀନାଥ ନନ୍ଦଶର୍ମାଙ୍କ ୧୫୦ତମ ଜନ୍ମ ଜୟନ୍ତୀରେ ପ୍ରାର୍ଥନା କରୁଛି ସେଇ ଦିନ କେବେ ନ ଆସୁ | ବୋଉ ଶବ୍ଦ ସେମିତି ଯୁଗଯୁଗ ସ୍ନେହ ଭରୁଥାଉ ସମସ୍ତଙ୍କ ମନରେ | ବୋଉ ଶବ୍ଦ ସେମିତି ଯୁଗଯୁଗ ଧରି ମମତା ଆଉ କରୁଣା ଭରୁଥାଉ ସମସ୍ତଙ୍କ ହୃଦୟରେ | ବୋଉ ଯୁଗଯୁଗ ଧରି ସେମିତି ଚମକୁଥାଉ | ସ୍ନେହ ଜରଜର ଓଠରେ ସେମିତି ହସୁଥାଉ | କାରଣ ସତ କହିବାକୁ ଗଲେ “ବୋଉ” ଏକ ଶବ୍ଦ ନୁହେଁ ବୋଉ ହେଲା ଏକ ଭାବନା, ଏକ ଆବେଶ!!

Leave a Reply