ବେଳହୁଁ ଥାଅ ସାବଧାନ

Video Cameras monitoring the underground pedestria

ଭାରତରେ ସେକ୍ସ ସ୍କ୍ୟାଣ୍ଡଲ କିଛି ନୂଆ ନୁହେଁ | ରାଜନୀତିଜ୍ଞ, ପ୍ରଭାବଶାଳୀ ଲୋକଙ୍କର ଏଭଳି ସିଡ଼ି, ଡିଭିଡି ଉଣା ଅଧିକେ ପ୍ରାୟ ଦେଖିବାକୁ ମିଳେ | ତେବେ କିଛି ବର୍ଷ ଧରି ସାଧାରଣ ଜନତା ଏହାର ବହୁଳ ଭାବରେ ଶିକାର ହେବାର ଦେଖା ଯାଇଛି | ଝିଅମାନଙ୍କର ଅଗୋଚରରେ ପାର୍କରେ, ହୋଟେଲରେ, ବାଥରୁମରେ, ଶପିଂ ମଲର ଟ୍ରାୟଲ ରୁମରେ ତାଙ୍କର ଅଶାଳୀନ ଭିଡିଓ ଶୁଟିଂ କରି ତାକୁ ଇଣ୍ଟରନେଟରେ ଛାଡିବା ଏକ ନିୟମିତ ଘଟଣା ପରି ପ୍ରତୀତ ହୁଏ | ପୁନଶ୍ଚ ବର୍ତ୍ତମାନ କଲେଜ ଛାତ୍ରଛାତ୍ରୀ ତଥା ଯୁବକ ଯୁବତୀଙ୍କର ବ୍ୟକ୍ତିଗତ ଓ ଅନ୍ତରଙ୍ଗ ମୁହୂର୍ତ୍ତ ଗୁଡିକ ଏମଏମଏସ ରୂପରେ ବାହାରକୁ ଆସିବା ଯେମିତି ଏକ ନିତିଦିନିଆ ପ୍ରସଙ୍ଗ ହେଇଗଲାଣି |

ସ୍ମାର୍ଟଫୋନ ଓ କ୍ୟାମେରା ଫୋନର ଆଗମନ ପରେ ଆମର ବ୍ୟକ୍ତିଗତ ଏକାନ୍ତତାର ଉଲଘଂନ ହେବା କେହି ବି ଅସ୍ବୀକାର ନ କରିପାରେ | ଅହେତୁକ ପ୍ରାଦ୍ୟୋଗିକୀ ଉତ୍କର୍ଷ (technological advancement) ହେତୁ ଯେକୌଣସି ଜାଗାରେ କାହାରି ଫଟୋ ଉଠେଇବା ବା କାହାର ଭିଡିଓ ନେଇଯିବା ଏବେ ବାଁ ହାତର ଖେଳ | ଏଣୁ ଏଭଳି ଏମଏମଏସ ପୀଡିତା/ ପୀଡିତଙ୍କ ପାଇଁ ସାମାଜିକ ଅପମାନ ତଥା ତିରସ୍କାରର କାରଣ ହେଇଥାଏ | ସମାଜ ଦ୍ୱାରା ସେମାନେ ନିର୍ବାସିତ ହେଇଥାନ୍ତି | ଅନେକ ସମୟରେ ଦୁର୍ବଳ ମାନସିକତାର ବଶବର୍ତ୍ତୀ ହେଇ ପୀଡିତା/ ପୀଡିତ ଆତ୍ମହତ୍ୟା କରିବାକୁ ବି ପଛେ ନଥାନ୍ତି |

ଆମେ ଯେତେ ମହିଳା ସଶକ୍ତିକରଣର ନାରା ଦେଲେ ବି ଏ କଥା ସତ ଯେ ଆମେ ଏବେ ବି ଏଭଳି ଏକ ସମାଜରେ ରହିଛୁ ଯେଉଁଠି ଅନେକ ସମୟରେ ନାରୀର ଶରୀରକୁ ଏକ ଯୌନିକ ବସ୍ତୁ (sexual object) ଭାବରେ ଦେଖାଯାଏ | ଯଦି କୌଣସି ଝିଅଟିଏ ସାଙ୍ଗରେ ଏଭଳି କିଛି ଅଘଟଣ ଘଟେ ତେବେ ସମସ୍ତେ ଝିଅଟିକୁ ପ୍ରଶ୍ନିଳ ଆଖିରେ ଦେଖନ୍ତି; ପୁଅକୁ ନୁହେଁ | ପୁଅଟି କିଛି ଦିନପରେ ନିଜ ସହଜ ହେଇ ନିଜ ଜୀବନରେ ଆଗକୁ ବଢିଯାଏ | କିନ୍ତୁ ଥରେ ଥରେ ଗୋଟିଏ ଝିଅପାଇଁ ଜୀବନ ସେଇଠି ସ୍ଥିର ହେଇ ରହିଯାଏ | ସେ ଆଗକୁ ବଢିବାକୁ ଚାହିଁଲେ ବି ତା ଚାରିପାଖର ସମାଜ ତାକୁ ଆଗକୁ ବଢିବାକୁ ଦିଏନି |

ତେବେ ବର୍ତ୍ତମାନ ଆସିବା ଏକ ଗୁରୁତ୍ୱପୂର୍ଣ ବିଷୟକୁ | ବିବାହୋତ୍ତର ବା ବିବାହପର ଦୈହିକ ସମ୍ପର୍କ ହେଲା ଏକ ପ୍ରତ୍ୟେକ ବ୍ୟକ୍ତିଙ୍କ ବ୍ୟକ୍ତିଗତ ବିଷୟ | ଆମେ ଏଠି ଏହାର ନୈତିକ ଔଚିତ୍ୟ ବିଷୟରେ କଥା ହେଉନାହୁଁ | କିନ୍ତୁ ଏସବୁ ସମ୍ପର୍କର ଭିଡିଓ ଚିତ୍ରଣ କରିବା କଣ ବୁଦ୍ଧିମତ୍ତାର ପରିଚୟ? ଯେତେବେଳେ ଆମେ ଟିଭି ଆଉ ଖବର କାଗଜ ଖୋଲିଲେ ସେକ୍ସ ସ୍କ୍ୟାଣ୍ଡଲ ବିଷୟରେ ଖବର ଦେଖୁ ସେତେବେଳେ ଆମେ କାହିଁ ଭାବି ପାରୁନା ଯେ କାଲି ଆମ ସାଙ୍ଗରେ ବି ଏମିତି କିଛି ହେଇପାରେ | ଜଣେ ଯାହାକୁ ଯେତେ ବି ଯାହାକୁ ଭଲ ପାଉଥାଉ ବା ତା ଉପରେ ବିଶ୍ୱାସ ରଖିଥାଉ କିନ୍ତୁ ନିଜ ଅନ୍ତରଙ୍ଗ ସମ୍ପର୍କରେ ଫୋନ ବା କ୍ୟାମେରାର ପ୍ରବେଶ ନିଷେଧ କରିବା ଆଜିର ପ୍ରଥମ ଆବଶ୍ୟକତା | ମଣିଷର ମନ କେବେତେବେଳେ ବି ବଦଳି ପାରେ | ଯଦି ଆପଣଙ୍କ ସାଥି ତଥାପି ଏମିତି ଭିଡିଓ ପାଇଁ ବାଧ୍ୟ କରେ ତେବେ ଆପଣଙ୍କୁ ଏଭଳି ବ୍ୟକ୍ତି ସହ ନିଜ ସମ୍ପର୍କ ବିଷୟରେ ଆଉଥରେ ଭଲଭାବେ ଚିନ୍ତା କରିବା ଦରକାର |

ପୁନଶ୍ଚ ଭିଡିଓ କଲ କରୁଥିଲେ ସେଥିରେ ମଧ୍ୟ ଏଭଳି କୌଣସି କାର୍ଯ୍ୟରେ ଲିପ୍ତ ନ ରହିବା ଜରୁରୀ | ସେଇ ମୁହୂର୍ତ୍ତ ଗୁଡିକ ଯେ ରେକର୍ଡିଙ୍ଗ ନ ହେଉଥିବ ସେ କଥା କିଏ କହିପାରେ? ପୁଣି ଆମେ ମାନେ ରଖିବା ଦରକାର ଯେ ବହୁତ ସମୟରେ ଏହି ଭିଡିଓ ପରବର୍ତ୍ତୀ ସମୟରେ ବ୍ଲାକମେଲ, ପ୍ରେମ ପ୍ରତିଶୋଧ ଏମିତି ଅନେକ ଅପରାଧ ପାଇଁ ମଧ୍ୟ ଉପଯୋଗ କରାଯାଇଥାଏ | ଏହାଛଡା ଫଟୋ ବା ଭିଡିଓ ଡିଲିଟ କରିଦେଲେ ମଧ୍ୟ ଆଜିକାଲି ଟେକ୍ନୋଲୋଜି ଦ୍ୱାରା ସେସବୁ ଫେରିପାଇବା ସହଜ ହେଇଗଲାଣି | ପୁଣି ଫୋନ ଆଉ କ୍ୟାମେରାକୁ ଆରାମରେ ହ୍ୟାକ ବି କରି ହଉଛି | ଏଣୁ ଏସବୁ ବ୍ୟାପାରରେ ନିଜର ମୁଣ୍ଡ ଖର୍ଚ୍ଚ କରି ବିପଦକୁ ଏଡେଇବା ହେଲା ବୁଦ୍ଧିମାନର କାମ |

ଆଜିର ଆଧୁନିକ ଯୁଗରେ ଆମ ଜୀବନରେ ସହଜରେ ପ୍ରବେଶ କରିବାକୁ ଟେକ୍ନୋଲୋଜି ଯେତେବେଳେ ସବୁ ବ୍ୟବସ୍ଥା କରିଦେଇଛି ସେତେବେଳେ ଏଇଭଳି ପରିସ୍ଥିତି ଏଡେଇବା ପାଇଁ ଆମକୁ ସାବଧାନତା ଅବଲମ୍ବନ କରିବା ଦରକାର | ପେନ, ପେନ ଡ୍ରାଇଭ, ବ୍ୟାଟେରୀ ନଥିବା ଫୋନ, ଏଭଳି କିଛି ବି ହିଡେନ କ୍ୟାମେରା ହେଇପାରେ | ଫୁଲଦାନୀ, ଅଧଖୋଲା ଥିବା ଆଲମାରୀ ବା ଥାକ, ଛାତ ସବୁକୁ ଦୁଇ ଦୁଇଥର ଚେକ କରିବା ଦରକାର | କୌଣସି ନୂଆ ଜାଗାକୁ ଗଲେ ଏଇ ସବୁ ସତର୍କତାକୁ ଅନୁଗମନ କରିବା ନିହାତି ଜରୁରୀ | ଏଇ ଛୋଟ ଛୋଟ ଜିନିଷକୁ ଭଲରେ ଅନୁଧ୍ୟାନ କଲେ ହୁଏତ ଭବିଷ୍ୟତରେ ବଡବଡ ଅସୁବିଧାକୁ ଏଡେଇ ଦିଆ ଯାଇପାରେ |

ଏହାଛଡା ସାଧାରଣ ଜନତା ସବୁବେଳେ ଏଭଳି ସେକ୍ସ ସ୍କ୍ୟାଣ୍ଡଲ ତଥା ଏମଏମଏସକୁ ସମାଲୋଚନା କଲେ ମଧ୍ୟ ଯଦି ଏଭଳି କିଛି ଘଟଣା ଘଟେ ତାହେଲେ ନିଜ ନିଜ ଭିତରେ ମେସେଜରେ, ହ୍ବାଟଶେପରେ ସେଇ ଭିଡିଓ କ୍ଲିପିଙ୍ଗ ଶେୟାର କରି ତାକୁ ଆଉରି ଅଧିକା ଭାଇରାଲ କରିଥାନ୍ତି | ଆମରି ଭଳି ଲୋକଙ୍କ ପାଇଁ ସେଇ ଭିଡିଓ ଗୁଡା ଆଉରି ଅଧିକ ଲୋକଙ୍କ ପାଖରେ ପହଞ୍ଚେ | ଏକଥା ନ୍ୟୁଜ ଚ୍ୟାନେଲ ଗୁଡା ଉପରେ ମଧ୍ୟ ଲାଗୁ | ଏଣୁ ଏଭଳି ଘଟଣାରେ ଆମେ ମଧ୍ୟ ପରୋକ୍ଷରେ ଦୋଷୀ | ସେଥିପାଇଁ ଏଭଳି କିଛି ସେକ୍ସ ସ୍କ୍ୟାଣ୍ଡଲ ହେଲେ ଆମେ ମଧ୍ୟ କଥିତ ଏମଏମଏସ କ୍ଲିପକୁ ନିଜ ମିତ୍ର ମଣ୍ଡଳୀ ଭିତରେ ସଂକ୍ରମିତ ନ କରେଇବା ପାଇଁ ନିଜକୁ ନିଜେ କଥା ଦେଇପାରିବା | ହେଇପାରେ ଏହା ଆମର ଏକ ନଗଣ୍ୟ ଅଭିଦାନ | କିନ୍ତୁ ମାନସିକ ସ୍ତରରେ ଏକ ସ୍ଵସ୍ଥ ସମାଜ ଗଠନରେ ଏହା ଭବିଷ୍ୟତ ପାଇଁ ଆମର ନିଜସ୍ୱ ଯୋଗଦାନ ରୂପେ ଗଣା ହେବ |

ଶେଷରେ କହିରଖେ ବିଜ୍ଞାନ ହେଲା ନିଆଁ ଭଳି | ଏହାକୁ ଠିକ ଭାବେ ବ୍ୟବହାର କରିପାରିଲେ ସେ ଆମ ବନ୍ଧୁ | କିନ୍ତୁ ଟିକେ ଅସାଵଧାନ ହେଲେ ସେ ଆମକୁ ଜଳେଇ ଛାରଖାର କରିଦେଇପାରେ | ତେବେ ଯଦିଓ କେଉଁ ଏକ ଦୁର୍ବଳ ମୁହୂର୍ତ୍ତରେ ଭୁଲ ହେଇଯାଇଛି ଆଉ ଏଭଳି ଏକ ବିବାଦୀୟ ପରିସ୍ଥିତିରେ ଆମେ ଫସି ଯାଇଛେ ତେବେ ଏହା ଜାଣିରଖିବା ଦରକାର ଯେ ଏହା ଆମ ଜୀବନର ଅନ୍ତ ନୁହେଁ | ଆଇନର ସାହାଯ୍ୟ ନେଇ ଦୋଷୀକୁ କଠୋର ଦଣ୍ଡ ଦେବାକୁ ଚେଷ୍ଟା କରିବା ଦରକାର | କିନ୍ତୁ ଆମେ ଏଇଟା ମଧ୍ୟ ବୁଝିବା କଥା ଯେ ଜୀବନର ମୂଲ୍ୟ ଏଭଳି ଘଟଣା ଗୁଡିକଠାରୁ ଆଉରି ବହୁତ ଉଚ୍ଚରେ | ଅବଶ୍ୟ ଏହା କହିବା ସହଜ ଆଉ କାମରେ କରିବା କଠିନ କିନ୍ତୁ ତଥାପି ନିଜ ପରିବାର ଆଉ ଶୁଭଚିନ୍ତକଙ୍କ ସମର୍ଥନ ଦ୍ୱାରା ଜଣେ ପୀଡିତା/ପୀଡିତ ଏହି କଷ୍ଟସାଧ୍ୟ ସମୟକୁ ପାର କରି ନିଶ୍ଚିତ ଭାବେ ଆଗକୁ ବଢ଼ିପାରିବ |

Leave a Reply