ପରିବାର ବାହାରେ ପରିବାରଟିଏ

ଏଇ ଲେଖାଟି ପୋଷ୍ଟ କରୁକରୁ ସପ୍ତାହେ ଡେରି ହେଇଗଲା | ଟ୍ରାଭେଲ କରୁଥିଲି | କାଲି ଖରାଛୁଟିର ଶେଷଦିନ ଥିଲା | ଏଣୁ ଆଜି ପୋଷ୍ଟ କଲି | ତେବେ ବିଶ୍ୱାସ କରନ୍ତୁ ମୋ ଭାବନା ଏବେ ବି ସେମିତି ଅଛି ଯେମିତି ଏଇ ଦିନଟିରେ ଥିଲା |

ଆଜ୍ଞା ହଁ | ସେଇ ଦିନଟି ଥିଲା ୨୧ ମେ | ମଙ୍ଗଳ ବାର | ହଠାତ ଦିନ ଦିପହରେ ଠିକ୍ ହେଲା ମୁଁ ମୋର କିଛି ପାଠକ ପାଠିକାଙ୍କୁ ଭେଟିବି | ଯେଉଁମାନେ ମୋ ବହି “ଆନିର ରୋଷେଇଘର” ନବାକୁ ଚାହିଁବେ ତାଙ୍କୁ ମୋ ହସ୍ତାକ୍ଷର ସହ ମିଳିବ ଉପନ୍ୟାସଟି | ଆଉ ସମୟ ଥିଲା ଦିନ ୨.୩୦- ୫.୩୦ ଭିତରେ | କାମର ଗହଳିରେ ଏଇ କିଛିଟି ମୁହୂର୍ତ୍ତ ହିଁ ଥିଲା ମୋ ପାଖରେ ମୋ ପାଠକମାନଙ୍କୁ ଦେବାକୁ |

ସତ କହୁଛି ମତେ ଯଦି କେହି ଗରମ ତାୱା ଭଳି ଜଳୁଥିବା ଭୁବନେଶ୍ୱର ସହରରେ ମେ ୨୧ ତାରିଖରେ ଦିନ ୨.୩୦ ରେ ଦେଖା କରିବାକୁ ଡାକିଥାନ୍ତା ମୁଁ ତାକୁ ପାଗଳ ବୋଲି ଆଖ୍ୟା ଦିଅନ୍ତି | ହଁ… ପାଗଳ ହିଁ ତ ମୁଁ | ଟିକେ ପାଗଳ ନହେଲେ ଲେଖି ହୁଏନି ଯେ!! ହଁ କଣ କହୁଥିଲି? ହଁ… କହୁଥିଲି ଯେ ତାକୁ ମୁଁ ପାଗଳ ବୋଲି ଆଖ୍ୟା ଦେଇଥାନ୍ତି | ତେଣୁ ଯଦିଓ ତରତର ହେଇ ବାହାରିଲି ପୁରା ୧୦୦% ନିଶ୍ଚିତ ଥିଲି କେହି ଆସିବେନି ବୋଲି | ଯଦିଓ ଆସିବେ ତାହେଲେ ସେଇ ୫.୧୫ ପରେ ଟିକିଏ ଖରା କମିଲେ କେହି ଯଦି ଆସିପାରେ ତ ଆସିପାରେ | ଓଲାରେ ଆସୁଆସୁ ବନ୍ଧୁଙ୍କର ଫୋନ ଆସିଲା ଶୀଘ୍ର ଆସିବାକୁ | ଜଣେ ପାଠକ ଅପେକ୍ଷା କରିଛନ୍ତି ମୋର ସାଇନ୍ ଥିବା ବହି ନବାକୁ | ଆଶ୍ଚର୍ଯ୍ୟ ହେଲି | ଏଇ ୪୫ ଡିଗ୍ରୀ ଖରାରେ ପୁଣି ଜଣେ ଆସିଛନ୍ତି ବହି ନବାକୁ? ସେ ବି ଓଡ଼ିଆ ବହି? କୁହନ୍ତି ଓଡ଼ିଆ ବହି ପରା ଲୋକ ପଢ଼ନ୍ତିନି? ପୁଣି ଯଦିଓ ପଢ଼ନ୍ତି ୟାଠୁ ତାଠୁ ମାଗିକି | ତାହେଲେ କିଏ ସେ?

ଓଲା ଭାଇନାଙ୍କୁ ଶୀଘ୍ର ଗାଡି ଚଳେଇବାକୁ କହି ପହଂଚିଲି ମୋ ଲକ୍ଷ୍ୟସ୍ଥଳରେ | ସତକୁ ସତ ଜଣେ ସାର ଅପେକ୍ଷା କରିଥିଲେ ମତେ | ଡହଡହ ଖରାରେ ଅଫିସର ଖାଇବା ଛୁଟିରେ ଆସିଛନ୍ତି ବହି ନବାପାଇଁ | ମନ ଭିତରଟା କେମିତି ଗୋଟିଏ ହେଇଗଲା | ସେ ଯେମିତି ଅନେକ ସାରା ଭାବନାର ସମିଶ୍ରଣ | ଖୁସି, ଆଶ୍ଚର୍ଯ୍ୟ, ଉଦ୍ଦୀପନା, କୃତଜ୍ଞତା ଏମିତି ଅନେକ ଭାବନା ଖେଳି ଚାଲିଥିଲା ମନରେ |

ତାପରେ ଜଣେ ଜଣେ କରି ଆସି ଅନେକ ଜଣ ବହି ନେଲେ | କିଛି ପାଠକଙ୍କ ଫଟୋ ମୁଁ ଏଇ ପେଜ୍ ରେ ଅପଲୋଡ଼ କଲି | କିଛି ପାଠକଙ୍କ ଫଟୋ ତାଙ୍କରି ଫୋନରେ ରହିଗଲା | ଆଉ ଭିଡ ସକାଶେ କିଛି ପାଠକଙ୍କ ସାଙ୍ଗରେ ଫଟୋ ନେଇ ହେଲାନାହିଁ | ତେବେ ଏଇ ଫଟୋ ନବା ବଡ କଥା ନଥିଲା… ବଡ ଥିଲା ମୋ ପ୍ରିୟ ପାଠକ ପାଠିକା ମାନଙ୍କ ସାଙ୍ଗରେ କିଛି ସମୟ ଅତିବାହିତ କରିବା ଆଉ ତାଙ୍କଠୁ ତାଙ୍କ ବିଷୟରେ କିଛି ସୁନ୍ଦର କଥା ଶୁଣିବା |

ହଁ ଏମିତିରେ ମୁଁ ସବୁବେଳେ ଗପ କୁହେ ଏଇ ପେଜରେ | କିନ୍ତୁ ସେଇଦିନ ମୁଁ ଅନେକଙ୍କ ପାଖରୁ ତାଙ୍କ ବିଷୟରେ ଗପ ଶୁଣିଥିଲି | ସତ କହିବାକୁ ଗଲେ ମତେ ବିଶ୍ୱାସ ହଉନଥିଲା ଯେ ଏତେ ଅଳ୍ପ ଅବଧିର ସୂଚନା ସତ୍ତ୍ୱେ ଅନେକ ପାଠକ ନିଜ ଲଞ୍ଚ ବ୍ରେକରେ ଆସିଥିଲେ ବହି ନେବାପାଇଁ | ଜଣେ ପାଠିକା ନିଜ ୮ ମାସର ପୁଅକୁ ନିଜ ସ୍ୱାମୀଙ୍କ ଦାୟିତ୍ୱରେ ଛାଡି ଆସିଥିଲେ ବହି ନବାପାଇଁ | ଆଉ ଜଣେ ପାଠିକା ନିଜ ବସ୍ ଙ୍କୁ କହି ନିଜ କାମ ଶୀଘ୍ର ଆସିଥିଲେ ବହିଟିକୁ ପାଇବା ପାଇଁ | ଆଉ ଜଣେ ପାଠିକା ଚନ୍ଦ୍ରଶେଖରପୁରରୁ ନିଜ ସାନପୁଅକୁ ଧରି ଦୁଇ ଘଣ୍ଟା ଅଟୋରେ ଯାତ୍ରା କରି ପହଂଚିଥିଲେ ବହିଟି ନବାକୁ | ଆଉ ଜଣେ ପାଠକ ନିଜ ସାନ ଭାଇଙ୍କୁ ପଠେଇଥିଲେ ଯିଏ ସୁଦୂର କଟକରୁ ଆସି ବହିଟିକୁ ନେଇଥିଲେ ନିଜ ଭାଇଙ୍କ ପାଇଁ | ଆଉ ଜଣେ ସାନଭାଇ ରସଗୋଲା ନେଇ ପହଂଚିଥିଲେ ତା’ ଅପା ପାଇଁ | ପୁଣି କିଛି ପାଠିକା ଆଉ ପାଠକ ଆସିଥିଲେ ଅଫିସରେ ନିଜ କାମ ସାରି… ମୁଁ ସେଠୁ ଫେରି ଆସିବାର ବାସ କିଛି ସମୟ ପୂର୍ବରୁ | ଏମିତି ଅଛି ଆଉରି ପାଠକଙ୍କ ଅନେକ କଥା | ସବୁ ଏଠି ଲେଖି ପାରୁନି | ତେବେ ଏମିତି ଅନେକ କଥା ହୃଦୟରେ ସବୁଦିନ ପାଇଁ ସାଇତି ହେଇ ରହିଗଲା ଆଉ ମନଟା କୃତଜ୍ଞତାରେ ଭରି ଉଠିଥିଲା |

କିଛି ମଜା କଥା ବି ଘଟିଗଲା ସେଇଠି | ଦୁଇ ତିନିଟା ଜଣ ପାଠକ ପାଠିକା ଜଣକ ପରେ ଜଣେ ପଚାରିଲେ ଆପଣ କଣ ସୁଲଗ୍ନା ମ୍ୟାଡ଼ାମ? ମୁଁ କହିଲି ହଁ | ସେମାନେ ହସିକି କହିଲେ ଆପଣ ଏତେ ସାନ ଦିଶୁଛନ୍ତି | ଆମେ ଯେମିତି ଭାବିଥିଲୁ ସେଇଠୁ ଆଉରି ଦଶ ବର୍ଷ କମ୍ ଲାଗୁଛନ୍ତି | ମୁଁ ହସିଲି | ପଚାରିଲି- ଏଇ କଥାଟି ମୁଁ ପଜିଟିଭରେ ନେବି ନା ନେଗେଟିଭରେ | ଯା ହଉ ସେମାନେ କହିଲେ ପଜିଟିଭରେ |

ପୁଣି ଜଣେ ପାଠିକା କହିଲେ ମ୍ୟାଡ଼ାମ ମୁଁ ବିଶ୍ୱାସ କରି ପାରୁନି ମୁଁ ଆପଣଙ୍କୁ ଆଜି ନିଜ ଆଖିରେ ଦେଖୁଚି ବୋଲି | ଆଉ ଜଣେ ପାଠିକା କହିଲେ ମ୍ୟାଡ଼ାମ ଆଜି ମୋ ଜୀବନର ଗୋଟେ ବଡ଼ ସ୍ବପ୍ନ ସାକାର ହେଲା | ମୁଁ ତାଙ୍କ କଥାଶୁଣି ଆଶ୍ଚର୍ଯ୍ୟ ହେଲି | ମୁଁ ତ କିଛି ବି ସେମିତି ବଡ଼ କାମ କରିନାହିଁ | ଓଲଟା ଥରେ କିଏ ଜଣେ ମତେ କୋଉ ଗୋଟେ ବଡ ଇଂରାଜୀ ଲେଖିକା ସାଙ୍ଗରେ ତୁଳନା କରିଦେଇଥିଲେ ଆଉ ମୁଁ ତାକୁ ଏଇଠି ମୋ ଉପନ୍ୟାସର ଫିଡବ୍ୟାକ ସାଙ୍ଗରେ ପୋଷ୍ଟ କରି ଦେଇଥିଲି ବୋଲି ଜଣେ (ବିମୁଗ୍ଧ) ପାଠକ ମତେ ଚୋରଚଣ୍ଡାଳ କହି ଗାଳି ଦେବାକୁ ପଛେଇ ନଥିଲେ |

ଭାବୁଥିଲି ତାହେଲେ ଏଇ ପାଠକପାଠିକା ମାନେ ଯେଉଁମାନେ ମତେ ଭେଟିବାକୁ ଆସିଛନ୍ତି ସେମାନେ କାହିଁକି ମତେ ଭଲ ପାଉଛନ୍ତି? କାହିଁ ମତେ ସମସ୍ତେ ଏତେ ନିଜର ନିଜର ଲାଗୁଛନ୍ତି? ସେତେବେଳେ ଆଉ ଜଣେ ପାଠିକା ସତେ ଯେମିତି ମୋ ପ୍ରଶ୍ନର ଉତ୍ତର ଦେଇ ଦେଇଥିଲେ | ସେ କହିଥିଲେ, “ମାଡାମ, ଆମେ ପାଠକମାନେ ଆପଣଙ୍କର ଏତେ ଗପ ପଢିଛୁ ଆଉ ଏତେ ଥର ପଢିଛୁ ଯେ ଆପଣ ନିଜକୁ ଯେତିକି ଚିହ୍ନିଥିବେ ଆମେ ଆପଣଙ୍କୁ ତା’ଠୁ ଅଧିକା ଚିହ୍ନିଛୁ |”

ସେତେବେଳେ ମୁଁ ବୁଝି ପାରିଥିଲି ତାଙ୍କ କଥାଟି ଅକ୍ଷର ଅକ୍ଷର ସତ | ଯଦିଓ ମୁଁ ଏଇ ସମସ୍ତ ପାଠକ ପାଠିକାଙ୍କୁ ପ୍ରଥମ ଥର ପାଇଁ ଦେଖୁଥିଲି ତେବେ ସେମାନଙ୍କୁ ମୁଁ ଆଗରୁ ବହୁତ ଥର ଭେଟି ସାରିଥିଲି ଆଉ ସେମାନେ ବି ମତେ ଅନେକ ଥର ଭେଟି ସାରିଥିଲେ ମୋ ଲେଖା ମାଧ୍ୟମରେ | ମୋ ଗଳ୍ପ ମାଧ୍ୟମରେ | ଆଉ ଖାସ ସେଇଥି ପାଇଁ ପ୍ରଥମ ଥର ପାଇଁ ଦେଖାହବା ସତ୍ତ୍ୱେ କେହି ମତେ ଅଜଣା ବା ଅପରିଚିତ ଲାଗିନଥିଲେ | ଓଲଟା ଆମେ ଯେତେବେଳେ ମିଶିଥିଲୁ ଏମିତି ଲାଗିଥିଲା ଯେମିତି ନିଜର ପରିବାରର କାହାକୁ ମିଶୁଛି ଅନେକ ଦିନ ପରେ | ଏମିତି ଲାଗିଥିଲା ଯେମିତି ନିଜ ଘରର କେହି ଜଣେ ଆସିଛି ମତେ ଭେଟିବାକୁ |

ବହି ବିକ୍ରୀ ତ ଲାଗି ରହିବ | ଯାହାକୁ କିଣିବାର ଥିବ ସେ ନେବେ ଆଉ ଯାହାକୁ କିଣିବାର ନଥିବ ସେ ନେବେନି | ତେବେ ତା’ଠୁ ବଡ଼ କଥା ହେଲା ଏଇ ସମ୍ପର୍କ ରହିବା… ଜଣେ ଲେଖିକା ଆଉ ପାଠକ ପାଠିକା ଭିତରେ | ଏଇ କଥାର କିଛିଦିନ ପରେ ମତେ ଜଣେ ପ୍ରକାଶକ ଫୋନରେ ପଚାରିଲେ- “ସୁଲଗ୍ନା, ଓଡ଼ିଆ ବହି ସବୁ ଏତେ କମ୍ ବିକ୍ରୀ ହଉଚି ତାହେଲେ ତମ ବହି କାହିଁକି ଏତେ ବିକ୍ରୀ ହଉଚି?” ମୁଁ ଉତ୍ତର ଦେଲି- “ସାର, ବୋଧହୁଏ ମୁଁ ସରଳ ଭାଷାରେ ଲେଖୁଛି ସେଥିପାଇଁ |” ସେ କହିଲେ- “ନାଁ, ତୁମେ ଯେତିକି ସରଳ ଭାଷାରେ ଲେଖୁଛ ଲୋକେ ଆଉରି ସରଳ ଭାଷାରେ ଲେଖୁଛନ୍ତି ଏବଂ ଆଉରି ଭଲ ବି ଲେଖୁଛନ୍ତି | ତଥାପି ତୁମର ବହି ହିଁ କାଇଁ ଏତେ ବିକ୍ରୀ ହଉଚି?” ସେତେବେଳେ ମୁଁ କହିଲି- “ବୋଧହୁଏ ସାର ଏଇଥିପାଇଁ ଯେ ମୁଁ ମୋ ପାଠକ ପାଠିକାଙ୍କୁ ପାଠକପାଠିକା ରୂପେ ନ ଦେଖି ନିଜ ଘରଲୋକଙ୍କ ଭଳି ଦେଖୁଚି ଆଉ “ନାଲିଚୁଡା”ଠୁ “ଆନିର ରୋଷେଇଘର” ଯାଏଁ ଆଜି କାଇଁ ଆମେ ପରସ୍ପରର ହାତ କେବେ ଛାଡିନୁ |” ମୋର ଏଇ ଉତ୍ତରଟି ବୋଧେ ପ୍ରକାଶକଙ୍କୁ ପସନ୍ଦ ଆସିଲା | କହିଲେ- “ହଁ ବୋଧେ ଏଇଆ ହିଁ କାରଣ |” ଏତିକି କହି ସେ ଫୋନ ରଖିଲେ ଆଉ ମୁଁ ମନେ ମନେ ଧନ୍ୟବାଦ ଦେଲି ଠାକୁରଙ୍କୁ ମତେ ମୋ ପରିବାର ବାହାରେ ଆଉରି ଏମିତି ଗୋଟିଏ ବିରାଟ ପରିବାର ଦେଇଥିବାରୁ | ଧନ୍ୟବାଦ ଦେଲି ଏଇ ଜୀବନରେ ମତେ ଆପଣ ମାନଙ୍କ ଭଳିଆ ପରିବାର ସଦସ୍ୟ ମିଳି ଥିବାରୁ | ପୁଣି ହାତଯୋଡ଼ି କାଳିଆକୁ ପ୍ରାର୍ଥନା କଲି ଏଇ ପରିବାରର ସ୍ନେହ ମମତା ଆଉ ଆଶୀର୍ବାଦ ଯେମିତି ସଦା ସର୍ବଦା ମୋ ଉପରେ ବରଷୁଥାଉ ଆଉ ମୁଁ ଏଥିରୁ କେବେ ଯେମିତି ବଂଚିତ ନ ହୁଏ | #ଧନ୍ୟବାଦ #ଜୟଜଗନ୍ନାଥ #ଜୟକଳା

Leave a Reply