ଧାନବିଲ ଖସଖସ

ମୁଁ ରାଜନୈତିକ ପୋଷ୍ଟ କରେନି | ଏ କଥା ପ୍ରାୟ ମତେ ସବୁବେଳେ ପଢ଼ୁଥିବା ପାଠକ ପାଠିକା ମାନେ ଜାଣନ୍ତି | ମୋର ନିଜସ୍ୱ ଗୋଟିଏ ମତ ଅଛି ଆଉ କିଛି ନେତା ଓ ନେତ୍ରୀ ଅଛନ୍ତି ଯାହାଙ୍କୁ ମୁଁ ଭଲ ପାଏ ଓ ସମର୍ଥନ କରେ | ତେବେ ସେସବୁ କଥା ମୁଁ ଫେସବୁକରେ ଲେଖେ ନାହିଁ କାରଣ ମୁଁ ଦେଖିଚି ଯେଉଁଠି ରାଜନୈତିକ ପୋଷ୍ଟ ହୁଏ ସେଇଠି ସକାରାତ୍ମକ ଠାରୁ ନକାରାତ୍ମକ ଲୋକ ଓ କମେଣ୍ଟର ଦୌରାତ୍ମ୍ୟ ଅଧିକା | ତେଣୁ ମୁଁ ସେ ସବୁ କାରବାରରୁ ନିଜକୁ ଦୂରରେ ରଖେ |

ଏଇ କିଛିଦିନ ତଳେ ଆମ ଓଡିଶା ତଥା ଭାରତର ସାଧାରଣ ନିର୍ବାଚନ ସରିଛି ଆଉ ସେଇଥିପାଇଁ ମୁଁ ମଝି ମଝିରେ ଛୋଟମୋଟ ମଜାଳିଆ ଜିନିଷ କିଛି ଲେଖିଛି | ନହେଲେ ମୁଁ ନା ରାଜନୀତିକୁ ନେଇ ନିଜ ମୁଣ୍ଡରେ ଚାଷ କରେ ନା କାହାକୁ ମୋ ମୁଣ୍ଡରେ ଚାଷ କରେଇବାକୁ ଦିଏ | କିନ୍ତୁ ଆଜି ମୁଁ ଏଠି ଯାହା ଲେଖୁଛି ତାହା ରାଜନୀତି ସାଙ୍ଗରେ ହୁଏତ ଟିକିଏ ସଂଶ୍ଲିଷ୍ଟ କିନ୍ତୁ ରାଜନୀତିର ଭାଗମାପ ଠାରୁ ମାନବିକତାର ଭାଗମାପ ଏଠି ଅଧିକା ବୋଲି ମୁଁ ଭାବୁଛି | ତେଣୁ ଏଇଟି ଆଜି ଏଠି ପୋଷ୍ଟ କରୁଛି | ପୁଣି ମୁଁ ମୋ ଲେଖାରେ ଇଂରାଜୀ ଶବ୍ଦ ପ୍ରାୟତଃ ନ ବ୍ୟବହାର କରିବାକୁ ଚେଷ୍ଟା କରିଥାଏ | କିନ୍ତୁ ଏଇ ଲେଖାରେ ମୁଁ ଅନେକ ଇଂରାଜୀ ଶବ୍ଦ ଜାଣିଶୁଣି ବ୍ୟବହାର କରିଛି ନିଜ ଭାବନାକୁ ବଖାଣିବା ପାଇଁ | ଭୁଲ ଥିଲେ କ୍ଷମା ଦେବେ |

କାଲି ଆମ ନୂଆ ସରକାରଙ୍କ ଶପଥ ଗ୍ରହଣ ସାରି ଯାଇଛି | ସୋସିଆଲ ମିଡ଼ିଆରେ ଏବେ ଧୀରେ ଧୀରେ ସବୁ ଶାନ୍ତ ପଡିବ ଆଉ କ୍ରିକେଟ ନେଇଯିବ ନିର୍ବାଚନର ସ୍ଥାନ | ଏଣୁ ମୁଁ ଏଇ ସମୟଟିକୁ ବାଛିଚି ଏଇ ପୋଷ୍ଟ କରିବାକୁ ଯେତେବେଳେ ଜିନିଷ ଗୁଡିକ ଧୀରେଧୀରେ ଥଣ୍ଡା ପଡି ଆସୁଛି ଆଉ ମଧ୍ୟ ଥଣ୍ଡା ଅଛି ଲୋକଙ୍କ ମୁଣ୍ଡ (ବାହାରର ପଚାଶ ଡିଗ୍ରୀ ଖରା ସତ୍ତ୍ୱେ) |

କିଛିଦିନ ହେଲେ ଫେସବୁକ ଆଉ ଟ୍ୱିଟରରେ ଦେଖୁଚି ଅନେକ ରାଜନୈତିକ “Troll” | ଗୋଟିଏ ଦଳ ଅନ୍ୟ ଦଳକୁ କରୁଛି | ଗୋଟିଏ ନେତାର ସମର୍ଥକ ଆଉ ଜଣେ ନେତାର ସମର୍ଥକଙ୍କୁ troll କରି ଚାଲିଛନ୍ତି | ସେଇ ଭିତରେ ମୁଁ ଦେଖିଲି ଜଣେ ନାରୀ ନେତ୍ରୀଙ୍କର ଅଜସ୍ର troll | ତାଙ୍କ ଶିକ୍ଷାଗତ ଯୋଗ୍ୟତାର troll, ତାଙ୍କ ଭାଷାର troll, ତାଙ୍କ ବିଜୟର troll ଆଉ ଅବଶେଷରେ ତାଙ୍କ ଗୀତର troll | ଆଜ୍ଞା ହଁ | ଆପଣ ଜାଣି ସାରିଥିବେ ମୁଁ କାହା କଥା କହୁଛି | ଆସ୍କାର ନବ ନିର୍ବାଚିତା ବିଜେଡି ସାଂସଦ ଶ୍ରୀମତୀ ପ୍ରମିଳା ବିଷୋୟୀଙ୍କ ବିଷୟରେ |

ହଁ, କିଛି ଦିନ ତଳେ ତାଙ୍କ ବିରୁଦ୍ଧରେ ଅନେକ troll ଦେଖିଲି | ସମସ୍ତେ ତାଙ୍କୁ ନେଇ ଜୋକ୍ କରୁଥିଲେ, ସେ ଏମିତି ଖସଖସ ଗୀତ ଗାଇଲେ ସଂସଦରେ କିଭଳି ପରିସ୍ଥିତି ସୃଷ୍ଟି ହେବ ସେ କଥା କଳ୍ପନା କରୁଥିଲେ | ଅନେକ ବି ଲାଜରେ ସଢ଼ି ଯାଉଥିଲେ ତାଙ୍କ ରୂପଭେକ ଦେଖି | ଅନେକ କହିଥିଲେ ଓଡିଶାର ମୁଖ୍ୟମନ୍ତ୍ରୀ ଓଡ଼ିଆ ଜାଣିନାହାନ୍ତି ଆଉ ଏଇ ନେତ୍ରୀ ହିନ୍ଦୀ ଆଉ ଇଂରାଜୀ ଜାଣିନାହାନ୍ତି | ବଡ଼ ଅଜବ ଏ ସରକାର | ତାଙ୍କୁ ହଠାତ ଏତେ ବଡ଼ ଦାୟିତ୍ୱ ଦେବାର ନଥିଲା | କଥାଗୁଡା କିଛି ମିଛ ନୁହେଁ | ସବୁ କଥା ସତ | କିନ୍ତୁ ପ୍ରଶ୍ନ ହେଲା ଯଦି ବି ଏ କଥା ସତ ହୁଏ ତାହେଲେ ବି କାହିଁକି ଏତେ ଅପମାନଜନକ troll ତାଙ୍କ ବିରୁଦ୍ଧରେ? କାହିଁକି? କଣ କେବଳ ଏଥିପାଇଁ ଯେ ଆମେ କମ୍ପ୍ୟୁଟର କି ଫୋନରେ ସ୍କ୍ରିନ ପଛପଟେ କିଛି ବି କହିଦେଇ ଲୁଚି ହେଇଯାଏ ଆଉ ସାମ୍ନାରେ କହିଲେ ଗାଲରେ ଚଟକଣୀଟିଏ ବସିବାର ସମ୍ଭାବନା ଥାଏ?

ଆଉ ପୁଣି ପ୍ରଶ୍ନ ହେଲା କାହାର troll ଆମେ ଏଠି କରୁଛେ? କେଉଁ ଅପରାଧୀର? କେଉଁ ଆତଙ୍କବାଦୀର? ନା | ଏ troll ହଉଚି ଜଣେ ଗାଉଁଲି ମହିଳାଙ୍କ ପାଇଁ ଯିଏ ପାଞ୍ଚ ବର୍ଷ ବୟସରେ ବିବାହ କରି ମଧ୍ୟ ନିଜ ଭାଗ୍ୟ ନିଜେ ଗଢ଼ିଛନ୍ତି | ଯିଏ ଗତ ୧୮ ବର୍ଷ ହେଲା ଗାଁର ପୀଡିତ ମହିଳା ମାନଙ୍କ ପାଇଁ କାମ କରୁଛନ୍ତି | ନିଜ ଗ୍ରାମର ମହିଳା ମାନଙ୍କର ସଶକ୍ତିକରଣ କରିଛନ୍ତି | ଖାଲି ମହିଳାମାନଙ୍କ ନୁହେଁ ଗ୍ରାମର ପରିବେଶ ତଥା ଶିଶୁ ସୁରକ୍ଷା ପାଇଁ ମଧ୍ୟ ଯିଏ ନିସ୍ଵାର୍ଥପର ଭାବେ କାର୍ଯ୍ୟ କରି ଆସୁଛନ୍ତି |

ଯିଏ ମହିଳା ସଶକ୍ତୀକରଣର ଏକ ଜ୍ୱଳନ୍ତ ଉଦାହରଣ ତାଙ୍କର troll ପୁଣି କରୁଛନ୍ତି ଅନେକ ଛଦ୍ମ ନାରୀବାଦୀ ପୁରୁଷ ଓ ନାରୀ ଯାହାକ ପାଇଁ “ନାରୀ ସଶକ୍ତିକରଣ” ଓ “ନାରୀବାଦ”ମାନେ ହେଲା “ବାହାରକୁ ଯାଇ ଚାକିରୀ କରିବା”, “ନିଜ ଇଚ୍ଛାରେ ବୁଲିବା” ଓ “କେହି ସେମାନଙ୍କୁ ସେମାନେ କଣ ପିନ୍ଧିବେ ସେଇଟା ନ କହିବା” | ନିଜ ପରିବାର ଛଡା ବାହାରେ ଗୋଟିଏ ଦୁନିଆ ଅଛି ବୋଲି କେବେ ଭାବୁନଥିବା, ବ୍ୟାଙ୍କଲୋନ ନେଇ ସହରରେ ଘରଟିଏ କରିବା ଆଉ ନିଜ ପିଲାକୁ ଇଂରାଜୀ ମିଡ଼ିଅମ ସ୍କୁଲରେ ପଢେଇବା ଛଡା ଆଉ କିଛି ସ୍ବପ୍ନ ନ ଦେଖୁଥିବା ଲୋକଙ୍କଠୁ ଆଉ କିଛି ଆଶା କରିବା ବି ବୃଥା |

ଆଜିକାଲି ଫେସବୁକରେ ଝିଅମାନଙ୍କୁ ମୁଁ ଫୋଟୋ ଶେୟାର କରିବା ଦେଖିଚି ଯେଉଁଠି ଲେଖା ହେଇଥାଏ, “ଆମର ପିରିଅଡସ ହେଉଛି ଆମେ ଗ୍ରେଟ୍ ଆମେ ବାହାଘର ଘର ପରେ ବାପଘର ଛାଡି ଶାଶୂଘରକୁ ଯାଉଛି ଆମେ ଗ୍ରେଟ୍, ଆମେ ଛୁଆ ଜନ୍ମ କରୁଚୁ ଆମେ ଗ୍ରେଟ୍” | ହସ ଲାଗେ ସେଗୁଡା ଦେଖିଲେ | ତୁମେ ତ ପ୍ରକୃତି ଆଉ ସଂସାରର ନିୟମକୁ ପାଳୁଛ | ଏଥିରେ ନିଜେ ଏତେ କ୍ରେଡିଟ୍ ନେବାର କଣ ଅଛି? କ୍ରେଡିଟ୍ ସେତେବେଳେ ନେବ ଯେତେବେଳେ ଏସବୁ କରିବା ସାଙ୍ଗରେ ତୁମେ ଅନ୍ୟ କେଉଁ ଅବହେଳିତ ମହିଳାକୁ ତୁମେ ସଶକ୍ତ କରିବ, ଅଚିହ୍ନା ଭୋକିଲା ଶିଶୁ ମୁହଁରେ ଆଧାର ଦେବ, ଆଉ ତା’ପରେ କହିବ ଆମେ ଗ୍ରେଟ୍ | କିନ୍ତୁ ସେଭଳି ସ୍ତ୍ରୀଲୋକ କେବେ ନିଜ ଫଟୋ ଫେସବୁକରେ ଛାଡିକି କୁହନ୍ତିନି ଆମେ ଗ୍ରେଟ୍ କାରଣ ସେମିତି କରିବାକୁ ତାଙ୍କ ପାଖରେ ଇଚ୍ଛା ନଥାଏ କି ନଥାଏ ସମୟ | ନା ନିଜର ବଡେଇ ପାଇଁ ଆଉ ନା ଆଉ କାହାକୁ ଟ୍ରଲ କରିବାକୁ | ସେଥିପାଇଁ ହିଁ ବୋଧହୁଏ ପ୍ରମିଳା ବିଶୋୟୀ ଭଳି ସ୍ତ୍ରୀଲୋକ କାହା trollର ଜବାବ ଦେଇ ନାହାନ୍ତି ଆଜିଯାଏଁ |


ମୁଁ ଭାବୁଛି ଏସି ଘରେ ରହି, ଦାମୀ ମୋବାଇଲରେ ଏଇ ଗ୍ରାମୀଣ ମହିଳାଙ୍କ ପ୍ରତି କଟାକ୍ଷ କରୁଥିବା ପ୍ରତିଟି ବ୍ୟକ୍ତି ନା କେବେ ପୀଡିତ ବା ଅବହେଳିତ ମହିଳା ବା ଶିଶୁଙ୍କ ପାଇଁ ନା କେବେ କାମ କରିଛି ନା କେବେ ବୁଝିଛି ମହିଳା ସଶକ୍ତିକରଣର ପ୍ରକୃତ ଅର୍ଥ କଣ | ଯଦି ସେ ସେତିକି ଜାଣିଥାନ୍ତା ତାହେଲେ ମହିଳା ମାନଙ୍କ ପାଇଁ କାମ କରୁଥିବା ଜଣେ ନାରୀକୁ ସୋସିଆଲ ମିଡ଼ିଆରେ ଏମିତି ଅପମାନ ହଉନଥାନ୍ତା | ଯାହାଙ୍କୁ ନାରୀବାଦର ଏକ ଆଦର୍ଶ ରୂପେ ଗ୍ରହଣ ରୂପେ ଗ୍ରହଣ କରିବା କଥା ତାଙ୍କର ଧାନବିଲ ଖସଖସ ଉପରେ ଏଭଳି ହସୁନଥାନ୍ତେ | ଆଉ ଯେଉଁମାନେ ଆଜି ଶ୍ରୀମତୀ ବିଶୋୟୀଙ୍କ ଉପରେ ହସୁଛନ୍ତି ମୋର ପୁରା ବିଶ୍ୱାସ ଯଦି ସେମାନଙ୍କୁ ହଜାର ହଜାର ଜନତା ଆଗରେ ବିଶୋୟୀଙ୍କ ଭଳି ଭାଷଣ ଦେବାକୁ କୁହାଯାଏ ତାହେଲେ ତାଙ୍କ ପାଟିରେ ନିଶ୍ଚୟ ବେଙ୍ଗ ପଶିଯିବ |

କହିବା ବାହୁଲ୍ୟ ଶ୍ରୀମତୀ ବିଶୋୟୀ ନିଜେ ବିଜେଡି ନେତ୍ରୀ ହେଇ ଥିବାରୁ troll କରୁଥିବା ଲୋକ ପ୍ରାୟ ବିଜେପି ତଥା ଅନ୍ୟାନ୍ୟ ଦଳର ସମର୍ଥକ ଥିଲେ | ମୁଁ ଭଲ ଭାବରେ ଜାଣେ ଯଦି ସେ ବିଜେପି ସଦସ୍ୟ ହେଇଥାନ୍ତେ ତାହେଲେ ଅନେକ ଅନ୍ଧ ବିଜେପି ସମର୍ଥକ ତାଙ୍କୁ ନିର୍ଦ୍ୱନ୍ଦରେ ଜଣେ ଦେବୀରେ ପରିଣତ କରିଦେଇଥାନ୍ତେ | (ମୁଁ ନିଜେ ଜଣେ ବିଜେପି ସମର୍ଥକ, ଆରଏସଏସରେ କାମ କରିଛି, ଶିଶୁ ମନ୍ଦିରର ଛାତ୍ରୀ) | କିନ୍ତୁ ଆରମ୍ଭରେ ମୁଁ କହିଛି ଏହା ଏକ ରାଜନୈତିକ ପୋଷ୍ଟ ନୁହେଁ ବରଂ ମାନବିକତା ପାଇଁ ଏକ ପୋଷ୍ଟ |

ଶ୍ରୀମତୀ ବିଶୋୟୀଙ୍କ ଜଣେ ନେତ୍ରୀ ହିସାବରେ ଠିକ ଆଉ ଜଣେ ସାଂସଦ ହିସାବରେ ହୁଏତ ଠିକ ନ ହେଇ ପାରନ୍ତି | ତେବେ କଥା ହଉଚି ନିର୍ବାଚନ ସରିଯାଇଛି ଆଉ ଆସ୍କାବାସୀ ତାଙ୍କୁ ନିଜ ସାଂସଦ ରୂପରେ ବାଛିଛନ୍ତି | ବର୍ତ୍ତମାନ ଆସ୍କାବାସୀଙ୍କ ପାଖରେ ସେ ଉତ୍ତରଦାୟୀ ଓ ଆସ୍କାବାସୀ ଉତ୍ତରଦାୟୀ ନିଜ ପାଖରେ ନିଜ ନିର୍ଣ୍ଣୟ ପାଇଁ | ବାକି ମାନଙ୍କର ଏଥିରେ ମୁଣ୍ଡବ୍ୟଥା ହବାର କିଛି କାରଣ ନାହିଁ |

ଏବେ ପ୍ରମିଳା ବିଶୋୟୀଙ୍କୁ ସମୟ ଦିଆଯାଉ | ଦେଖାଯାଉ ସେ ଏଇ ଗୁରୁ ଦାୟିତ୍ୱକୁ କିଭଳି ସମ୍ପାଦନା କରୁଛନ୍ତି | ଭାଷାର ସମସ୍ୟାକୁ ସେ କେମିତି ଏଡାଉଛନ୍ତି | ନବୀନବାବୁ ନିଜ ଆଡୁ ତାଙ୍କୁ କି ଭଳି ଭାବେ ସାହାଯ୍ୟ କରୁଛନ୍ତି | ଆସ୍କାବାସୀ ତାଙ୍କୁ ତାଙ୍କ କାମ ପାଇଁ ପ୍ରଶ୍ନ ପଚାରନ୍ତୁ, କୈଫିୟତ ମାଗନ୍ତୁ | ସେମିତି କଲେ ହିଁ ଗଣତନ୍ତ୍ର ଆଉରି ସୁଦୃଢ ହୁଏ | କିନ୍ତୁ ଏଭଳି ସୋସିଆଲ ମିଡ଼ିଆରେ ଏଭଳି ଅପମାନଜନକ troll କଲେ କିଛି ଲାଭ ହୁଏ ନାହିଁ | ଖାଲି ଜଣା ପଡେ ଯେ ଶହଶହ ମୁହଁରେ ହସ ଫୁଟେଇ ପ୍ରମିଳା ବିଶୋୟୀ ଭଳି ତୃତୀୟ ଶ୍ରେଣୀ ପାସ ସ୍ତ୍ରୀଲୋକ ପ୍ରକୃତରେ ଶିକ୍ଷିତ ଆଉ ଆମ ଭଳି troll କରି ଅନ୍ୟର ଅପମାନ କରୁଥିବା ଲୋକ ଉଚ୍ଚଶିକ୍ଷା ପାଇ ମଧ୍ୟ କେତେ ଅଶିକ୍ଷିତ!!

Leave a Reply