ଧରମ ପୁଅ

ବହୁତ ଦିନ ତଳର କଥା | ରସପୁର ଗାଁରେ ଗୋଟିଏ ସ୍ୱାମୀ ସ୍ତ୍ରୀ ରହୁଥିଲେ | ବାହାଘରର ବହୁତ ଦିନ ଯାଏଁ ତାଙ୍କର କିଛି ଛୁଆପିଲା ହଉ ନଥାଏ | ସ୍ୱାମୀ ସ୍ତ୍ରୀଙ୍କ ମନ ଭାରି ଦୁଃଖ | ତେବେ ଆର ସାହି ମାଉସୀର କଥାଶୁଣି କିଛି ଚେରମୂଳି ଆଣି ଖାଇଲା ସ୍ତ୍ରୀଟି | ସତକୁ ସତ ଚାରି ସପ୍ତାହ ପରେ ତା’ର ଦିନ ଗଡ଼ିଲା | ନ’ ମାସକୁ ତା କୋଳ ପୂରଣ କରି ଗୁଲୁଗୁଲିଆ ପୁଅଟେ ଜନମ ହେଲା | ଦେଖିବାକୁ ଗୋରା ତକତକ | ଗାଲ ପୁଚୁକା ପୁଚୁକା | ଚିପିଦେଲେ ଶିରାଗୁଡା ଝରି ପଡିବ କି ଆଉ? ବାପାମାଙ୍କର ଆଖିର ମଉଡମଣି | ଏକୋଇର ବଳା ବିଷିକେଶନ | ମା ନିଜ କୋଳରୁ ଘଡ଼ିକ ପାଇଁ ତାକୁ ଛାଡୁ ନଥାଏ |  ଦେଖୁଦେଖୁ ଚନ୍ଦ୍ରକଳା ପରି ବଢି ଚାଲିଥିଲା ଛୁଆଟି | ବାପାମାର ଗେହ୍ଲା ଆଦରରେ | ଅତି ଗେଲବସରର ବୋଲି ନାଁ ଦିଆଗଲା ଗୋଲୁ |

ତେବେ ଏପଟେ ଚେରମୂଳି ତା’ ରଙ୍ଗ ଦେଖେଇଲା | କିଛିଦିନ ପରେ ସ୍ତ୍ରୀର ପୁଣି ମାସ ଗଡ଼ିଲା | ପେଟ ଫୁଲିଲା | ଆଠ ମାସ ପରେ ଜନମ ନେଲା କଳା କିଟିକିଟି ଝିଅଟିଏ | ତା’ ରୂପ ଦେଖି ବାପାମା’ର ଟିକିଏ ମନଉଣା ହେଲା | ଆଖପାଖ ଲୋକ ତାକୁ ଦେଖି ଫୁସଫାସ ହେଲେ ଅଂଗାରରେ ପୋଡିହେଲା ରକମ ଦିଶୁଛି ଝିଅଟି | ନିଜ ନିଜ ଭିତରେ ତାକୁ ଡାକିଲେ ପୋଡି | ଆଠ ମାସରେ ଜନମ ନେଇଥିବାରୁ ଅତି ରୋଗୀଣା ଥିଲା ଛୁଆଟି | ଏଣୁ ବାପାମା ତାକୁ ଅଧିକ ଯତନରେ ରଖିଲେ | ମା ଅଧିକ ସମୟ ଏବେ ବିତଉଥିଲା ପୋଡି ସାଙ୍ଗେ | କେବେ କେମିତି ହିଁ ସମୟ ମିଳୁଥିଲା ଗୋଲୁକୁ ଗେହ୍ଲା କରିବାକୁ |

ଆଗରୁ ରାଜକୁମାର ଭଳି ରହୁଥିଲା ଗୋଲୁର ମଇଳା ଜାମା ପାଲଟେଇ ଦେବାକୁ ବି ମା’ର ଆଉ ସମୟ ନଥିଲା | ସେମିତି ଧୂଳି ଧୂସରିତ ହେଇ ବାଲିରେ ଖେଳୁଥିଲା ଗୋଲୁ | ଗୋଲୁର ଅବସ୍ଥା ଦେଖି ପଡିଶା ଘରର ସ୍ତ୍ରୀଲୋକର ହୃଦୟ ସହିଲା ନାହିଁ | ତା’ର ଛୁଆପିଲା ନାହିଁ | ସେ ମନେମନେ ଭାବିଲା ଏଡ଼େ ଗୁଲୁଗୁଲିଆ ପୁଅକୁ ଏତେ ହତାଦର!!! ନାଇଁ ନାଇଁ.. ହେଇ ପାରିବନି | ସେ ନିଜେ ଦଉଡି ଯାଇ କୋଳେଇ ନେଲା ପୁଅଟିକୁ | ଦେହରୁ ଧୂଳି ଝାଡିଦେଲା | ଝାଳ ପୋଛିଦେଲା | ମୁଣ୍ଡବାଳ ସଜାଡି ଦେଲା | ଗୋଲୁ ତାକୁ ଦେଖି ନିଜ ଠେକୁଆ ପରି ଦାନ୍ତ ଦେଖେଇ ହସିଦେଲା |

ଏଣିକି ପ୍ରାୟ ଦିନ ଗୋଲୁ ଘରକୁ ଆସେନି | ସେଇ ପଡିଶା ଘରେ ରହିଯାଏ | ସେଠି ଖାଇପିଇ ଆଉରି ମୋଟେଇଲାଣି ସେ | ଗୋଲୁର ମା’ ବି ଖୁସି | ଯା ହଉ ଗୋଲୁ ପାଇଁ ଆଉ ଚିନ୍ତା କରିବାକୁ ପଡ଼ିବନି | ଗୋଲୁ ଏବେ ଇସ୍କୁଲ ବି ଗଲାଣି | ତେବେ ଗୋଲୁର ବାପା ଥରେ ଥରେ ଗୋଲୁ କଥା ଭାବେ | ଗୋଲୁର ମା’କୁ କୁହେ, “ପଡିଶା ଘରେ କାଇଁ ସବୁବେଳେ ଛାଡୁଚୁ ପିଲାଟିକୁ?? ଆଗକୁ ଯଦି କିଛି ଅସୁବିଧା ହୁଏ?” ଗୋଲୁର ମା’ କୁହେ, “ମୋ ଅବସ୍ଥା ତ ଦେଖୁଛ | ଦୁଇଟି ପିଲାର ଯତନ ନବାକୁ ମୋ ଦେହରେ ବଳ କାଇଁ? ସେଇଠି ଯଦି ସେନେହ ସରାଗ ପାଇ ବଢୁଛି ସେ ତାହେଲେ କ୍ଷତି କଣ? ଆଉ ଏମିତିରେ ବି ହାତୀ ବଣରେ ଥିଲେ ବି ରାଜାଙ୍କର!!! ଏଇଥି ପାଇଁ ଏତେ ବ୍ୟସ୍ତ ହବାର କଣ ଅଛି?” ଏତିକି କହି ଗୋଲୁ ମା’ ପୋଡିକୁ କ୍ଷୀର ଖୁଏଇବାରେ ଲାଗିଯାଏ | ଗୋଲୁ ବାପା ଚୁପ ରହେ |

ହେଲେ ଧୀରେଧୀରେ ପୋଡି ବି ଆଉ ଆଗଭଳି ଆଦର ଯତନ ପାଇଲା ନାହିଁ | କାହିଁକି ନା ଏବେ ମା କୋଳକୁ ଆସି ଯାଇଥିଲେ ଆଉରି ପଲେ ଛୁଆ | ପ୍ରତିବର୍ଷ ଗୋଟିଏ ନୂଆ ଭାଇ କି ଭଉଣୀର ଆଗମନ ହଉଥିଲା ତାଙ୍କ ଘରେ | ସବୁଠୁ ସାନ ଯିଏ ସିଏ ସବୁଠୁ ଅଧକ ଆଦର ପାଉଥିଲା | ପୋଡି ଉପରୁ କାଳୀ ହେଲେ କଣ ହବ ମନରୁ ଭାରି ଗୋରୀ ଥିଲା | ଘର ଗୋଟାକର କାମ କରୁଥିଲା | ଭାଇ ଭଉଣୀଙ୍କ ଯତ୍ନ ନଉଥିଲା | ଆଉ ଗୋଲୁ ସବୁବେଳେ ପଡିଶା ଘରେ ରହୁଥିଲା | ଖାଲି ରାତିରେ ଶୋଇବାକୁ ଘରକୁ ଆସୁଥିଲା | ପ୍ରଥମାଷ୍ଟମୀରେ ନୂଆ ଲୁଗା ପିନ୍ଧୁଥିଲା ଆଉ ପୁଣିଥରେ ନିଜ ଧରମ ମା ପାଖକୁ ପଳଉଥିଲା |

ଏତେ ଗୁଡିଏ ଛୁଆଙ୍କୁ ପାଠ ପଢେଇବାକୁ ଗୋଲୁ ବାପା ମା’ ପାଖରେ ସମ୍ବଳ ନଥିଲା | ସେମାନେ ଦିନସାରା ନଙ୍ଗଳା ହେଇ ଏପଟେ ସେପଟେ ବୁଲୁଥିଲେ | ହେଲେ ଏପଟେ ପଡିଶା ଘର ସ୍ୱାମୀସ୍ତ୍ରୀ ଗୋଲୁକୁ ଧଳା ଫରଫର ୟୁନିଫର୍ମ ପିନ୍ଧେଇ ଇଂରାଜୀ ଇସ୍କୁଲ ପଠେଇବେ ବୋଲି ମନସ୍ଥ କଲେ | ଗୋଲୁ ବାପାମା ଏଇଟା ଶୁଣି ଖୁସି ହେଲେ | ଭାବିଲେ ହଉ ଯାଉ | ଆମର ହିଁ ନାଁ ହବ | ଆମର ତ ପଇସା ନାହିଁ | ଏଇ ପିଲାଟି ହେଲେ ମଣିଷ ହେଇଯାଉ | ଯାହା ହେଲେ ବି ହାତୀ…….!!! ଗୋଲୁ ଏଣିକି ଚକଚକିଆ ଡ୍ରେସପିନ୍ଧି ସ୍କୁଲ ଗଲା | ଫଟଫାଟ ଇଂରାଜୀ କହିଲା | ଇସ୍କୁଲରେ ଫାଷ୍ଟ ହେଲା | ବାହାରେ ଲୋକ ତାକୁ ଜାଣିଲେ | ଏଇଟା ଦେଖି ଗୋଲୁ ବାପାମା ଏପଟେ ଖୁସି ହେଲେ ଆଉ ତାଙ୍କ ଛାତି ଫୁଲି ଉଠିଲା ଗର୍ବରେ |

ଶେଷରେ ଗୋଲୁକୁ ଷୋହଳ ବର୍ଷ ହେଲା | ସେ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଦେଲା | ପୁରା ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କଲା | ପଡିଶା ଘର ସ୍ୱାମୀ ସ୍ତ୍ରୀ କଥାହେଲେ ଆମେ ପିଲାଟିକି ଆଜି ଏତିକି ବାଟ ଆଣିଛେ | କାଲିକି ସେ ନିଶ୍ଚୟ କିଛି ବଡ଼ କାମ କରିବ | ଆମେ ଗଛରେ ପାଣି ଦବୁ ହେଲେ ତା ବାପାମା କାଲିକି ଫଳ ଖାଇବେ | ନାଇଁ ହେଇ ପାରିବନି | କଥା ଆଗକୁ ବଢିବା ପୂର୍ବରୁ ଏବେଠୁ କିଛି ଫଇସଲା ହେବ ଦରକାର | ଏଣୁ ପରଦିନ ପଡିଶା ଘର ସ୍ୱାମୀ ସ୍ତ୍ରୀ ଯାଇ ଗୋଲୁ ବାପାମାକୁ କହିଲେ ବହୁତ ହେଲା ଧରମ ପୁଅ | ଏଥର ଆମେ ଗୋଲୁକୁ ନିଜ ପୋଷ୍ୟ ପୁତ୍ର କରିନେବୁ ଲେଖାପଢ଼ା କରିକି  | ଏକଥା ଶୁଣି ଗୋଲୁ ବାପାମା ଉପରେ ଚଡକ ପଡିଲା | ଏମିତି ସୁନାପୁଅକୁ ସେମାନେ ନେଇଯିବେ? ଦୁଇ ଘର ଭିତରେ କଜିଆ ଆରମ୍ଭ ହେଲା | ସକାଳୁ ସଞ୍ଜଯାଏଁ ଦୁଇ ଘର ପରସ୍ପରକୁ ଶୋଧିବାକୁ ଲାଗିଲେ | ଗାଁ ଲୋକ କାନରେ ହାତ ଦେଲେ |

ଶେଷରେ ଗାଁରେ ନିଶାପ ବସିଲା | ଲୋକେ କହିଲେ, ସେମାନେ କେବେ ଗୋଲୁ ବାପାମାକୁ ଗୋଲୁର ଯତ୍ନ ନେବା ଦେଖି ନାହାନ୍ତି | ତା’ ବାପାମା ସବୁବେଳେ ଅନ୍ୟ ଛୁଆଙ୍କ ପଛରେ ଲାଗିଛନ୍ତି | ଅନ୍ୟ ପକ୍ଷରେ ପଡିଶା ଘର ସ୍ୱାମୀ ସ୍ତ୍ରୀଙ୍କ ଆଦର ଯତ୍ନ ପାଇଁ ହିଁ ଆଜି ଗୋଲୁର ସାରା ରାଜ୍ୟରେ ଆଜି ନାଁ ହେଇଛି | କିଛି ଲୋକ କହିଲେ, ସେମିତି କେମିତି ହବ? ଜନ୍ମ କଲା ବାପାମା ହିଁ ସବୁକିଛି | ଗୋଲୁର ବାପାମା ଏକଥା ଶୁଣି ଖୁସି ହେଲେ | ସେତେବେଳେ ଆଉ ଦଳେ ଆସି କହିଲେ, ଖାଲି ଜନ୍ମ କଲେ କଣ କିଏ ବାପାମା ହେଇ ଯାନ୍ତି? ତାଙ୍କର ଆଦର ଯତ୍ନ ବି ନବା ଦରକାର! ଆଉ ତାଙ୍କର ତ ଆଉରି ପଲେ ପିଲା ଅଛନ୍ତି | ସେମାନଙ୍କୁ ଭଲରେ ବଢ଼ାନ୍ତୁ! କିଛି ନହେଲେ ସେ ପୋଡି ତ ଚାଲାକ ଚତୁର ଝିଅ | ଏତିକି ବେଳେ ଆଉ ଦଳଟେ ଆସି କହିଲେ, ଯଦି ସତରେ ସେମାନେ ବାପାମା ତାହେଲେ ସେମାନେ ଦେଇ ଦିଅନ୍ତୁ ଗୋଲୁକୁ ପଡିଶା ଘରକୁ | ସେଇଠି ଭଲରେ ବଢ଼ୁ ସେ | ସେଥିରେ କଣ ଅଛି!! କଥାରେ ଅଛି ପରା ହାତୀ…..!!!

ଏମିତି ଟଣାଓଟରାରେ ଗୋଲୁ ସ୍କଲାରସିପ ପାଇଁ କଲେଜ ପଢିଲା | କୋଚିଂ ନେଇ ଆଇଏଏସ ଦେବ ଏଇ ବର୍ଷ | ତେବେ ଏବେ ବି ଗୋଲୁକୁ ନେଇ ଗାଁରେ ଟଣା ଓଟରା | ନ୍ୟାୟ ନିଶାପ ଏବେ ବି ଚାଲିଛି | ଏବେ ବି ପଂଚାୟତ ବସୁଛି | ହେଲେ କେବେ ଏଇ କଥାର ଫଇସଲା ହେଇ ପାରିନି ଯେ ସେ କାହାର ପୁଅ!! ତା’ ବାପାମାର ନା ପଡୋଶୀ ଘରର!!  ହେଲେ ସେ ଯାହା ହଉ ତାଙ୍କ ଗାଁରେ ଗୋଟିଏ କଥା ବଦଳିଛି | ତାଙ୍କ ଗାଁରେ ଏବେ କେହି ଛୁଆ ନିଜ ପଡୋଶୀ ଘରକୁ ଖେଳିବାକୁ ବୁଲିବାକୁ ଯାଆନ୍ତିନି | କୋଉ ଛୁଆକୁ ପଡୋଶୀ ଘର ସ୍ତ୍ରୀ ଗେଲ କରିଦେଲେ ଛୁଆଟିର ମା ଆସି ତାକୁ ଡାହାଣୀ ଚିରୁଗୁଣୀ କହି ଶୋଧି ଦେଇଯାଏ | ସମସ୍ତେ ନିଜ ନିଜ ଛୁଆକୁ ନିଜ ଘର ଭିତରେ ରଖନ୍ତି ଯେମିତି ପଡୋଶୀ ଘରର ଛାଇ ବି ତା’ ଉପରେ ପଡିବ ନାହିଁ | ଆଉ କେହି ଯଦି ଭୁଲରେ ବି କୁହେ ହାତୀ ବନରେ ଥିଲେ ବି ରାଜାର ତାହେଲେ ସେମାନେ ତାକୁ ଏମିତି ପିଟନ୍ତି ଯେ ଗୋଟିଏ ବି ମାଡ଼ ତଳେ ପଡ଼େନି | ମୁଁ ସେମିତି ଥରେ କହିଦେଇଥିଲି ବୋଲି ଆଜି ଯାଏଁ ବିଛଣାରୁ ଉଠି ପାରୁନି |

(ଏଇ ଗପର ଓଡିଶା ଆଉ ପଶ୍ଚିମ ବଙ୍ଗ ଭିତରେ ରସଗୋଲାକୁ ନେଇ ଚାଲିଥିବା ଗଣ୍ଡଗୋଳ ସହ କିଛି ସମ୍ପର୍କ ନାହିଁ )

11 Replies to “ଧରମ ପୁଅ”

  1. Chittaranjan sahoo says: Reply

    ବହୁତ ସୁନ୍ଦର ରଚନା। ଆପଣଙ୍କର ପ୍ରତ୍ୟେକ ଲେଖାରୁ ବହୁତ କିଛି ଶିଖିବାକୁ ମିଳୁଛି। ବହୁତ ବହୁତ ଧନ୍ୟବାଦ ମ୍ୟାମ

    1. Thank you so much 🙂

  2. Aswini Kumar Sahu says: Reply

    ନକହି ନକହି ଦିଦି ବହୁତ କଥା କହିଯାଉଛନ୍ତି!!!

    1. Thank you so much 🙂

  3. Wow mam nice story.Bt what golu say????…. This is just like Lord krishn story…..in which d argument has no conclusion….it’s great mam☺️

    1. Thank you so much 🙂

  4. Nice story mam🤩

    1. Thank you so much 🙂

  5. ସୁନ୍ଦର ଉପସ୍ଥାପନା l ନମସ୍ତେ l

    1. Thank you so much 🙂

Leave a Reply