ତିରୁପତି ଗପ୨

ତିରୁମାଲାର ସାତୋଟି ପାହାଡମାଳା ଉପରେ ରାଜୁତି କରନ୍ତି ରାଜଧିରାଜ ପ୍ରଭୁ ଭେଙ୍କଟେଶ୍ୱର। ସେ ହେଲେ ଐଶ୍ୱର୍ଯ୍ୟମୟ ଠାକୁର। ସୁନାରେ ତିଆରି ତାଙ୍କ ମନ୍ଦିର। ଆଉ ଠାକୁର ନିଜେ ସୁନାରୂପାରେ ଜୁଡୁବୁଡୁ | ପୁଣି ସେ ଥିଲେ ଦୁନିଆର ସବୁଠୁ ଧନୀ ଠାକୁର। ହେଲେ ଶୁଣିଲି ସାଇବାବା ଏବେ କୁଆଡେ ତାଙ୍କୁ ଟପି ଯାଇଛନ୍ତି ସମ୍ପତ୍ତିରେ। ଆଉ ଫେର ଧାଡିରେ ଅଛନ୍ତି କେରଳରେ ଅବସ୍ଥାପିତ ପ୍ରଭୁ ପଦ୍ମନାଭ ସ୍ୱାମୀ । ତାଙ୍କ ସମ୍ପତ୍ତିର ହିସାବ ହେଇ ପାରୁ ନାହିଁ ଏ ପର୍ଯ୍ୟନ୍ତ । ଆଉ ଆମ କାଳିଆ କଥା କଣ ଆଉ କହିବି? ଶେଷନାଗ ଟିକିଏ ଫଁଫଁ କରିବା ବନ୍ଦ କଲେ ଆମ ଲୋକ ଭିତରେ ପଶି ଦେଖିବେ କଣ ଅଛି ରତ୍ନଭଣ୍ଡାର ଭିତରେ।

ହଉ ତେବେ ମୁଁ କହୁଥିଲି ତିରୁପତି କଥା । ସ୍ଵର୍ଣଦାନ ଆଉ କେଶଦାନ ପାଇଁ ପ୍ରସିଦ୍ଧ ତିରୁପତି। ଲୋକେ ଆସି ହାତରୁ ବେକରୁ ନାକରୁ କାନରୁ ସୁନା କାଢି ସେଠି ଦେଇଦିଅନ୍ତି କୁଆଡେ। ତେବେ ମୁଁ ଏଇ କେଶ କି ସୁନା ବିବାଦ ଭିତରେ ପଶିବାକୁ ଚାହେଁନି। ଯାହାକୁ ସେଇ ବିବାଦ ଦରକାର ସେମାନଙ୍କୁ ‘ପିକେ’ ଆଉ ‘ଓ ମାଇ ଗଡ଼’ ସିନେମା ଦେଖିଦେବାକୁ ଅନୁରୋଧ । ଏମିତି କହିବାକୁ ଗଲେ ମୁଁ ନିଜେ କେବେ ମାନସିକ କରେନି କି କିଛି ଯାଚନା ରଖେନି। ଖୁସିରେ ଯାଏ ଠାକୁରଙ୍କୁ ଦର୍ଶନ କରିବାକୁ | କିଛି ଅଳି ଅର୍ଦ୍ଦଳୀ ନଥାଏ ମୋର | କିନ୍ତୁ ଆଉ କେହି ଠାକୁରଙ୍କୁ ବିଶ୍ୱାସ କରି ବା ଯାଚନା କରି ମାନସିକ ଶାନ୍ତି ପାଉଥିଲେ ମୁଁ ସେଇ ବିଶ୍ୱାସରେ କେବେ କୁଠାରଘାତ ବି କରେନି। ଏଣୁ ଏଠି ମୁଁ ମୋ ବିଚାର ରଖୁଛି ଯାହା ମୁଁ ବୁଝିଛି । ଆଉ ଏହାଦ୍ୱାରା କୌଣସି ଅନ୍ଧବିଶ୍ୱାସକୁ ପ୍ରଶୟ ଦେଉନାହିଁ ।

ସୁନା ଆଉ କେଶ। ଗୋଟିଏ ହେଲା ଭୋଗବାଦର ପ୍ରତୀକ ଓ ଅନ୍ୟଟି ହେଲା ସୌନ୍ଦର୍ଯ୍ୟର ପ୍ରତୀକ। ମଣିଷର ସବୁଠୁ ଗର୍ବ ଏଇ ଦୁଇଟି ଜିଣିଷକୁ ନେଇ। ଆଉ ମଜାର କଥା ପ୍ରଭୁ ଭେଙ୍କଟେଶ୍ୱର ଭକ୍ତଠୁ ନେଇଯାଆନ୍ତି ଏଇ ଦୁଇଟି ଯାକ ଜିନିଷ । କିଛି ଲୋକେ କୁହନ୍ତି ଧନୀ ଠାକୁର ଭକ୍ତଙ୍କଠୁ ପାଇଥିବା ସୁନା ଗଦା ଉପରେ ବସିଛନ୍ତି। ହେଲେ ମୁଁ ଭାବେ ଯିଏ ନିଜେ ସୁନାର ଏକ ହିମାଳୟ ପାହାଡ ତାକୁ ଭକ୍ତ ଦାନ କରିଥିବା କାଣିଚାଏ ସୁନାର କଣ ଦରକାର? ଯିଏ ନିଜେ ଦୁନିଆର ପାଳନ କର୍ତ୍ତା ତାଙ୍କୁ ଭକ୍ତଟିଏ ଦେଇଥିବା ସୁନାରେ କି ଲୋଭ?

ତେବେ ଭଲରେ ବୁଝିବାକୁ ଚେଷ୍ଟା କଲେ ଜାଣିହବ ଯେ ଭଗବାନ ସବୁବେଳେ ପରୀକ୍ଷା କରନ୍ତି ତାଙ୍କ ଭକ୍ତଙ୍କୁ । ସେମାନଙ୍କୁ ଏମିତି ଏକ ପରିସ୍ଥିତିରେ ଆଣି ପକାନ୍ତି ଯେଉଁଠି ଭକ୍ତଟିଏ ହୃଦୟଙ୍ଗମ କରେ ଯେ ନିଜର ପରିବାରର ଖୁସି, ନିଜର ମାନସିକ ଶାନ୍ତି ବା ଶାରୀରିକ ସୁସ୍ଥତା ସାମ୍ନାରେ ସବୁ ଧନସମ୍ପତ୍ତି କେତେ ତୁଚ୍ଛ କେତେ ମୂଲ୍ୟହୀନ। ଅତି ଯତ୍ନରେ ସଞ୍ଚିଥିବା ନିଜ ସୁନାକୁ ଯେତେବେଳେ ଭକ୍ତଟିଏ ଭଗବାନଙ୍କ ଦାନ କରିଦିଏ ସେତେବେଳେ ପ୍ରଭୁ ଭେଙ୍କଟେଶ୍ୱର ଭକ୍ତକୁ ଭୋଗବାଦର ମୋହମାୟାରୁ ଦୂରେଇବାର ଶିକ୍ଷା ଦେଇଥାନ୍ତି। ସେ ପରୋକ୍ଷରେ ଭକ୍ତକୁ ଆସକ୍ତି ପଥରୁ ଅନାସକ୍ତି ପଥକୁ ରାସ୍ତା ଦେଖେଇଥାନ୍ତି। ହେଲେ ଦୁଃଖର କଥା ଯେ ଭକ୍ତମାନେ ଥରେ ନିଜର ମନସ୍କାମନା ପୂରଣ କଲାପରେ ପୁଣିଥରେ ସେଇ ଆସକ୍ତି ପଥରେ ମାଡିଯାଆନ୍ତି। ପୁଣି ଭୋଗବିଳାସର ମୂଷାଦୌଡରେ ସାମିଲ ହେଇଯାନ୍ତି। ଆଉ କହିଲେ ଏଇଥିରେ ଭଗବାନଙ୍କ ବା ଦୋଷ କଣ?

ଏବେ ଟିକିଏ ଚର୍ଚ୍ଚା କରିବା ତିରୁପତିରେ ହେଉଥିବା କେଶଦାନ ସମ୍ପର୍କରେ। ଶାରୀରିକ ସୌନ୍ଦର୍ଯ୍ୟରେ କେଶର ଭୂମିକା ଉଣା ଅଧିକେ ସମସ୍ତେ ଜାଣନ୍ତି। ଆଉ ଏଇକଥା କେହି ମନ କରିବେନି ଯେ ଆଜିକାଲିର ଦେହସର୍ବସ୍ୱ ସମାଜରେ ସମ୍ପର୍କରୁ ଆରମ୍ଭ କରି ଜୀବିକା ପର୍ଯ୍ୟନ୍ତ ସବୁ ସ୍ଥାନରେ ଶାରୀରିକ ସୌନ୍ଦର୍ଯ୍ୟର ଭୂମିକାକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେଇପଡିଛି। ତେବେ ଏଭଳି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ଭକ୍ତଠାରୁ ତା’ର ଅତିପ୍ରିୟ କେଶ ମାଗିନେଇ ପ୍ରଭୁ ଭେଙ୍କଟେଶ୍ୱର ତାଙ୍କ ଭକ୍ତକୁ ଶାରୀରିକ ସୌନ୍ଦର୍ଯ୍ୟର ମୂଲ୍ୟହୀନତା ବିଷୟରେ ଶିକ୍ଷା ଦେଇଥାନ୍ତି। ତାଙ୍କ ଭକ୍ତକୁ ଶାରୀରିକ ସୌନ୍ଦର୍ୟର କ୍ଷଣଭଙ୍ଗୁରତା ବିଷୟରେ ଅବଗତ କରେଇଥାନ୍ତି |

ଏବେ କଥା ହେବା ତିରୁପତିରେ ହେଉଥିବା କେଶଦାନ ଉପରେ ପର୍ଯ୍ୟବେସିତ ଲୋକକଥା ଭିତରୁ ସବୁଠୁ ପ୍ରିୟ ଲୋକକଥା ଉପରେ | ସେଇ ଲୋକକଥାଟି ଏଇଭଳି | ଥରେ ମା ଲକ୍ଷ୍ମୀ ପ୍ରଭୁ ନାରାୟଣଙ୍କ ମୁଣ୍ଡର ଗୋଟିଏ ଜାଗାରେ କେଶ ଉପୁଡି ଯାଇଥିବା ଦେଖି ନିଜ ମୁଣ୍ଡରୁ କେଶ ଉପାଡି ନାରାୟଣଙ୍କ ମୁଣ୍ଡରେ ଲଗେଇ ଦେଇଥିଲେ । ପ୍ରଭୁ ସେତେବେଳେ ନିଦରେ ଥିଲେ। ସେ ନିଦରୁ ଉଠି ଦେଖିଲେ ମା ଲକ୍ଷ୍ମୀଙ୍କ ମୁଣ୍ଡରୁ ରକ୍ତ ବାହାରୁଚି। ତ୍ରିକାଳଦର୍ଶୀ ପ୍ରଭୁ ନାରାୟଣ ସବୁକଥା ଜାଣିପାରିଲେ ଆଉ କହିଲେ- “ମତେ ନିଜର କେଶଦାନ କରି ତୁମେ ମତେ ଋଣୀ କରିଦେଲ ଲକ୍ଷ୍ମୀ | ଆଜିଠୁ ତୁମର ମୋ ଉପରେ ଋଣ ରହିଲା। ତେଣୁ ମୋ ଭକ୍ତମାନେ ମତେ କେଶଦାନ କଲେ ସେଇ କେଶରେ ମୁଁ ତୁମ ଋଣ ଶୁଝିବି।”

ସେଇଦିନଠୁ ନାରାୟଣଙ୍କର ଉଧାର ଶୁଝିବା ସକାଶେ ଭକ୍ତମାନେ ଯୁଗଯୁଗ ଧରି କେଶଦାନ କରୁଛନ୍ତି ପ୍ରଭୁ ଭେଙ୍କଟେଶ୍ୱରଙ୍କୁ ଆଉ ଏଇଥିରୁ ଜଣାପଡେ ଯେ ସେ ଭଗବାନ ହୁଅନ୍ତୁ ବା ସାମାନ୍ୟ ମଣିଷ କିନ୍ତୁ ଜଣେ ସ୍ୱାମୀ ନିଜ ସ୍ତ୍ରୀ ଠାରୁ ନେଇଥିବା ଋଣ ବର୍ଷବର୍ଷଧରି ଶୁଝି ପାରେ ନାହିଁ । ଯେତେବେଳେ ଲକ୍ଷ୍ମୀ ଠାକୁରାଣୀ ନାରାୟଣଙ୍କର ପଦସେବା କରୁଥିବାର ନଜିର ଦେଇ କିଛି ଲୋକ କୁହନ୍ତି ଯେ ସ୍ତ୍ରୀର ସ୍ଥାନ ସ୍ୱାମୀର ପାଦ ନିକଟରେ ସେତେବଳେ ଏଇ ଲୋକକଥା ଆମକୁ ଶିକ୍ଷା ଦେଇଥାଏ ଯେ ଜଣେ ସ୍ତ୍ରୀର ନିଜ ସ୍ୱାମୀ ତଥା ପରିବାର ପାଇଁ ଥିବା ପ୍ରେମ, ତ୍ୟାଗ ଓ ଅନୁରାଗର ଋଣ ପରିଶୋଧ କରିବାକୁ ଜଣେ ସ୍ୱାମୀ ଜନ୍ମଜନ୍ମାନ୍ତର ପାଇଁ ଅକ୍ଷମ। ତେବେ ପୁରୁଷ ପାଠକମାନେ ଏହାକୁ ଏକ ନାରୀବାଦୀ ଲେଖା ବୋଲି ନ ଭାବିବାକୁ ଅନୁରୋଧ। ମୁଁ ଜାଣେ ସମସ୍ତ ପାଠିକା ଏ କଥାରେ ସହମତ ହେବେ ଯେ ପୁରୁଷମାନଙ୍କର ପରିବାର ପ୍ରତି ଅବଦାନ ମଧ୍ୟ ଅତୁଳନୀୟ। ଦୁହେଁ ଯେପରି ସଂସାର ଶଗଡ଼ର ଦୁଇଟି ଚକ | ଗୋଟିଏ ଖସିଗଲେ ଆରଟି ଅଟକି ଯାଏ |

ହଉ କଉଠୁ ନେଇ କଉଠିକି ଗପିଦେଲିଣି | ତେବେ ଏଇଟା ଥିଲା ମୋ ତିରୁପତି ବୁଲା ଆଉ ମୋ ଅନୁଭୂତିର କାହାଣୀ। ଆପଣ ମାନଙ୍କର ବି ସେମିତି ନିଜ ଅନୁଭୂତି ଥିବ ନିଶ୍ଚିତ। ଏଠି ଜଣେଇବାକୁ ଭୁଲିବେନି। ଆଉ କହିରଖେ ଯେ ଏଇଟା କାଲି ଲେଖି ପୋଷ୍ଟ କରିବି ଭାବିଥିଲି | ହେଲେ ଭାରତ କ୍ରିକେଟ ସେମିଫାଇନାଲରେ ହାରିଗଲା ପରେ ସମସ୍ତଙ୍କ ଭଳି ମୁଁ ବି ମାନସିକ ବିଷାଦଗ୍ରସ୍ତ ହେଇଯାଇଥିଲି | ସେଥିପାଇଁ ଆଜି ପୋଷ୍ଟ କଲି | ହଉ ଆଜିର କଥା ଏଇଠି ରଖିବି । ପୁଣି ଶୀଘ୍ର ଦେଖା ହେବ। #ଜୟଗୋବିନ୍ଦା

Leave a Reply