କେତେ ଗୁରୁତ୍ୱପୂର୍ଣ ଶବରୀମାଲା ବିବାଦ?

ଆଜି ଶବରୀମାଲା ବିବାଦ ପାଇଁ କେରଳ ଜଳୁଛି | କେରଳ ଆଉ ତାମିଲନାଡୁ ରାଜ୍ୟର ସୀମାନ୍ତରେ ରହୁଥିବାରୁ ମୁଁ ସବୁଦିନ ପ୍ରତ୍ୟକ୍ଷ ରୂପେ ଦେଖୁଛି ସାଧାରଣ ଜନତାଙ୍କ ଦୁଃଖ କ୍ରୋଧ ତଥା ଅଭିମାନ | ତେବେ ଆଜିର ରଚନାରେ ମୁଁ ଏଇ ବିବାଦକୁ ତିନୋଟି ଭିନ୍ନ ପରିପ୍ରେକ୍ଷୀରୁ ବିଚାର କରି ନିଜ ମତ ରଖିବାକୁ ଚାହୁଁଛି |

ମୋର ପ୍ରଥମ କାରଣଟି ହୁଏତ ଅନେକ ଲୋକ ଆଗରୁ କହି ସାରିଥିବେ | ତେବେ ମୁଁ ପୁଣିଥରେ ସମସ୍ତଙ୍କୁ ମନେ ପକେଇଦେବାକୁ ଚାହେଁ | ୨୦୧୮ ମସିହା ମେ ମାସ ସୁଦ୍ଧା ସମଗ୍ର ଭାରତରେ ୧୫,୭୮୦ଟି ବଳାତ୍କାର ମାମଲା ପୋଲିସ ପାଖକୁ ଆସିଥିଲା | କେବଳ କେରଳରେ ୨୦୧୮ ରେ ୩୦୮୮ଟି ବଳାତ୍କାର ହେଇଚି ଯା’ମଧ୍ୟରୁ ୧୧୦୧ ଜଣ ପୀଡିତା ହେଲେ ୧୮ବର୍ଷରୁ କମ | କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ନ୍ୟାସନାଲ ଫେମିଲି ହେଲଥ ସର୍ଭେ (NHFS-4) ଦ୍ୱାରା ହେଇଥିବା ସର୍ଭେକ୍ଷଣ ଦ୍ୱାରା ଜଣା ପଡିଛି ଯେ ଭାରତରେ ପ୍ରତି ତିନିଜଣ ମହିଳାଙ୍କ ଭିତରୁ ଜଣେ ଶାରୀରିକ ଓ ଯୌନ ହିଂସାର ଶିକାର ହେଉଛନ୍ତି ଓ ସେ ମଧ୍ୟରୁ ୩୦% ହିଂସା ଘଟୁଛି ତାଙ୍କ ନିଜ ଘରେ |

ଏଇଭଳି ଏକ ଜଟିଳ ପରିସ୍ଥିତିରେ ଆମ ଦେଶରେ ବିବାଦ ଚାଲିଛି ଜଣେ ଭଗବାନଙ୍କ ମନ୍ଦିରକୁ ମହିଳା ମାନେ ପ୍ରବେଶ କରିପାରିବେ କି ନାହିଁ | ସେଥିପାଇଁ ଚାଲିଛି ରାଜ୍ୟ ବନ୍ଦ, ଦେଶ ବନ୍ଦ ଆଉ ଦିନ ଦିନ ଧରି ବିକ୍ଷୋଭ | ମହିଳାମାନଙ୍କୁ ସମାନ ଅଧିକାର ଦେବାପାଇଁ ହରତାଳ | ତେବେ ମୋର ପ୍ରଶ୍ନ ହେଲା ଯେଉଁ ରାଜନୈତିକ ଦଳ ମାନେ ମହିଳାମାନଙ୍କୁ ଶବରୀମାଲାର ଆୟାପ୍ପାନ ମନ୍ଦିରରେ ପ୍ରବେଶ କରେଇବାକୁ ଚାହୁଁଛନ୍ତି ଆଉ ସେଥିପାଇଁ ସାଧାରଣ ଜନତାଙ୍କ ନିତିଦିନିଆ ଜୀବନକୁ ବାଧାପ୍ରାପ୍ତ କରୁଛନ୍ତି ସେମାନେ କଣ ନିଜ ଛାତିରେ ହାତ ରଖି କହିପାରିବେ ଯେ ମହିଳାମାନେ ଏଇ ମନ୍ଦିରକୁ ପ୍ରବେଶ କଲେ ଦେଶରେ ମହିଳାମାନଙ୍କ ବିରୁଦ୍ଧରେ ହେଉଥିବା ସମସ୍ତ ହିଂସା ବନ୍ଦ ହେଇଯିବ | ଦେଶରେ ଘରୋଇ ହିଂସା, ବଳାତ୍କାର ଓ ଅନ୍ୟାନ୍ୟ ଯୌନ ଶୋଷଣର ପରିସମାପ୍ତି ଘଟିବ | ମହିଳା ଓ ପୁରୁଷ ସମାନ ଅଧିକାର ପାଇବେ | ଯଦି ଏହାର ଉତ୍ତର ନା ଦେବେ ଏଇ ବିବାଦକୁ ଏଇଠି ବନ୍ଦ କରାଯାଉ |

ମୋର ଦ୍ଵିତୀୟ କାରଣ କିଛି ପରିମାଣରେ ରାଜନୈତିକ, ଧାର୍ମିକ ତଥା ସାମାଜିକ | ପ୍ରତି ଧର୍ମରେ କିଛି ନା କିଛି ପ୍ରଥା ରହିଛି | ପ୍ରତି ମନ୍ଦିରର ନିଜର ପୌରାଣିକ ଗାଥା ରହିଛି | ଇସଲାମ ଧର୍ମରେ ମହିଳାମାନଙ୍କୁ ମସଜିଦ ଭିତରକୁ ଯିବାକୁ ଅନୁମତି ନାହିଁ | ସେଇଭଳି ଆୟାପ୍ପାନ ମନ୍ଦିର ଭିତରକୁ ଯିବାକୁ ୧୦-୫୦ ବର୍ଷ ବୟସର ମହିଳା ମାନଙ୍କୁ ଅନୁମତି ନାହିଁ | କିନ୍ତୁ ମଜାର କଥା ହେଲା ଏଇ ଇସଲାମିକ ପ୍ରଥା ବିରୁଦ୍ଧରେ ଲଢ଼ୁଛନ୍ତି ହିନ୍ଦୁମାନେ ଓ ଏଇ ହିନ୍ଦୁପ୍ରଥା ବିରୁଦ୍ଧରେ ଲଢୁଛନ୍ତି ମୁସଲମାନମାନେ | ମୁସଲମାନ ମହିଳାମାନେ ମସଜିଦକୁ ନ ଯାଇ ପାରିବା ନିୟମକୁ ହିନ୍ଦୁମାନେ ରୂଢିବାଦୀ ପ୍ରଥା ବୋଲି କହୁଛନ୍ତି | ଏହା ବିରୁଦ୍ଧରେ ଅଖିଳ ଭାରତ ହିନ୍ଦୁ ମହାସଭାର ରାଜ୍ୟ ସଭାପତି ସ୍ୱାମୀ ଦତ୍ତାତ୍ରେୟ ସାଇ ସ୍ୱରୂପ ନାଥ ପିଟିସନ ଦାଏର କରିଛନ୍ତି | ସେମିତି ଶବରୀମାଲା ପ୍ରଥା ବିରୁଦ୍ଧରେ ପିଟିସନଟି ପ୍ରଥମ ଥର ପାଇଁ ୨୦୦୬ରେ ନୌଶାଦ ଅହମଦ ଖାନ (ଯୁବ ଆଇନଜୀବୀ ସଂଘଠନ ସଭାପତି)ଙ୍କ ସଭାପତିତ୍ୱରେ ଦାଏର ହେଇଛି | ମୁଁ ଏଇ ସବୁ ପ୍ରଥାର ସମର୍ଥନରେ ବା ବିପକ୍ଷରେ କହୁନାହିଁ | କିନ୍ତୁ ମୋ ପ୍ରଶ୍ନ ହେଲା ଆମେ କାହିଁକି ସବୁବେଳେ ଅନ୍ୟ ଧର୍ମର ପ୍ରଥା ଉପରେ ଆଙ୍ଗୁଳି ଉଠେଇବାକୁ ଆଗଭର | ଏଭଳି ଚିନ୍ତା ଆମର ନିଜ ଧର୍ମପାଇଁ, ଆମର ନିଜର କୁପ୍ରଥା ପାଇଁ କାହିଁକି କେବେ ଆସେନାହିଁ?

ବର୍ତ୍ତମାନ ଯାଏଁ ଯେତିକି ମହିଳା ଶବରୀମାଲା ମନ୍ଦିରରେ ପଶିବାକୁ ଚେଷ୍ଟା କରିଛନ୍ତି ସେମାନେ ହୁଏତ ହିନ୍ଦୁ ନୁହନ୍ତି (ରେହାନା ଫାତିମା) ନଚେତ ସେମାନେ ସ୍ୱଘୋଷିତ ନାସ୍ତିକ | ବ୍ୟକ୍ତିଗତ ରୂପେ ମୁଁ ଯେତିକି କେରଳୀ ତଥା ତାମିଲ ସ୍ତ୍ରୀଲୋକଙ୍କୁ ଭେଟିଛି ସେମାନଙ୍କୁ ଲାଗୁଛି ଏଇ ବିବାଦ କେବଳ ରାଜନୈତିକ | ସେମାନଙ୍କ ବିଶ୍ୱାସ ଅନୁଯାୟୀ ଶବରୀମାଲା ହେଲା ଏକ ତନ୍ତ୍ରପୀଠ | ପ୍ରଭୁ ଆୟାପ୍ପାନ ହେଲେ ଆଜନ୍ମ ବ୍ରହ୍ମଚାରୀ | ପୁନଶ୍ଚ ୨୦୦୬ରେ ପିଟିସନ କରିଥିବା ଅନ୍ୟ କେତେଜଣ ମହିଳା ଓକିଲ ଏବେ କହିଛନ୍ତି ଯେ ପିଟିସନ କରିବା ସମୟରେ ସେମାନେ ସେଇ ମନ୍ଦିରରେ ହେଉଥିବା ତାନ୍ତ୍ରିକ ପ୍ରଥା ବିଷୟରେ ଅଜ୍ଞ ଥିଲେ | ଏକଥା ଜାଣିଥିଲେ ସେମାନେ ଏଇ ପିଟିସନରେ ହସ୍ତାକ୍ଷର କରିନଥାନ୍ତେ | ତେବେ ଯାହା ହବା କଥା ସେ ହେଇ ଯାଇଛି | ଏବେ ପରସ୍ପରର ଧର୍ମ ଉପରେ ଆଙ୍ଗୁଳି ନିର୍ଦ୍ଦେଶ ନ କରି ଓ ବିବାଦକୁ ରାଜନୈତିକ ରୂପ ନ ଦେଇ ବାସ୍ତବିକତା ଉପରେ ବେଶୀ ନଜର ଦିଆଯାଉ |

ମୋର ତୃତୀୟ କାରଣ ହେଲା “ଲୈଙ୍ଗିକ ସମାନତା” ଉକ୍ତିର ପରିଭାଷା ଓ ବ୍ୟବହାରକୁ ନେଇ | ଯଦି ଶବରୀମାଲା ମନ୍ଦିରକୁ ମହିଳା ମାନଙ୍କ ପ୍ରବେଶ ନିଷେଧ କରାଯାଇଛି ତେବେ ଭାରତରେ ପାଞ୍ଚୋଟି ମନ୍ଦିର ଅଛି ଯାହା ଭିତରକୁ ପୁରୁଷଙ୍କ ପ୍ରବେଶ ନିଷେଧ | କେରଳର ଆତୁକଲ ଭଗବତୀ ମନ୍ଦିର, ଚାକୁଲତାକାବୁ ଭଗବତୀ ମନ୍ଦିର ଓ କନ୍ୟାକୁମାରୀ ମନ୍ଦିର, ରାଜସ୍ଥାନର ପୁଷ୍କର ବ୍ରହ୍ମା ମନ୍ଦିର ଓ ବିହାର ମୁଜାଫରପୁରର ମାତା ମନ୍ଦିରରେ ପୁରୁଷଙ୍କ ପ୍ରବେଶ ନିଷେଧ | ଏହା ବି ଏକ ପ୍ରକାର ତଥାକଥିତ ଲୈଙ୍ଗିକ ଅସମାନତା ନୁହେଁ କି? ଏହା ବିରୁଦ୍ଧରେ ଆମେ ଭବିଷ୍ୟତରେ କିଛି ପ୍ରତିବାଦ ଆଶା କରିପାରିବା କି? ବୋଧହୁଏ ନା | କାରଣ ଏହି ବିରୋଧ ପୁରୁଷଙ୍କ ସ୍ୱାର୍ଥ ପାଇଁ ଉଦ୍ଦିଷ୍ଟ ହେବ ଓ ପୁରୁଷଙ୍କ ପାଇଁ ଲଢ଼ିବାକୁ କେହି ବୋଧହୁଏ ଆଗ୍ରହୀ ନୁହନ୍ତି |

କଥା ହେଲା ଯାହା କୁପ୍ରଥା ସେଗୁଡା ଦିନେ ନା ଦିନେ ବଦଳିଛି | ସତୀଦାହ, ବାଲ୍ୟ ବିବାହ, ଜାତିପ୍ରଥାରେ ପରିବର୍ତ୍ତନ ଆସିଛି ଧୀରେ ଧୀରେ | ଏମିତି ଅନେକ ପ୍ରଥା ଭବିଷ୍ୟତରେ ବି ବଦଳିବ | ତେବେ ବର୍ତ୍ତମାନର ପରିପ୍ରେକ୍ଷୀରେ ସରକାର ଯେଉଁଟା ସାମୁହିକ ବିକାଶ ପାଇଁ ଜରୁରୀ ତା’ ଉପରେ ଧ୍ୟାନନିବେଶ କରନ୍ତୁ | ଜନତାଙ୍କ ଶିକ୍ଷା, ସ୍ୱାସ୍ଥ୍ୟ, ସୁରକ୍ଷା ଉପରେ ନଜର ଦିଅନ୍ତୁ | ନିଜ ଅହଂରେ ଅନ୍ଧ ହେଇ ରାଜନୀତିକୁ ଧର୍ମର ରୂପ ଦେଇ ଭକ୍ତଙ୍କ ଭିତରେ ଅଯଥା କନ୍ଦଳ ସୃଷ୍ଟି ନ କରନ୍ତୁ | ଏପଟେ ଜନତା ବି ନିଜ ଆଖିରୁ ଅଜ୍ଞାନର ପରଦା ହଟେଇ ସତ୍ୟକୁ ଦେଖନ୍ତୁ, ତାକୁ ଅନୁସରଣ କରନ୍ତୁ, ମହିଳାଙ୍କୁ ସମ୍ମାନ ଦିଅନ୍ତୁ ଆଉ ଦେଖିବେ ଆପେ ଆପେ ଏକ ସୁସ୍ଥ ଓ ସୁନ୍ଦର ସମାଜ ଗଢିଉଠିବ |

2 Replies to “କେତେ ଗୁରୁତ୍ୱପୂର୍ଣ ଶବରୀମାଲା ବିବାଦ?”

Leave a Reply