କହିଲେ କହିବ କହୁଛି

ଗତ ନଭେମ୍ବର ୨୭ ତାରିଖରେ ପଞ୍ଜାବର ଚଣ୍ଡୀଗଡ଼ରେ ୨୧ ବର୍ଷୀୟ ଏକ ଯୁବତୀଙ୍କ ସାଙ୍ଗରେ ଗଣବଳାତ୍କାର ଭଳି ଏକ ଦୁଃଖଦ ଘଟଣା ଘଟିଯାଇଛି। ନିଜ ଷ୍ଟେନୋଗ୍ରାଫି କ୍ଲାସସାରି ରାତି ୭.୪୫ରେ ନିଜ ହଷ୍ଟେଲକୁ ଫେରିଲା ବେଳକୁ ଏକ ଅଟୋରେ ବସିବା ପରେ ସେଇ ଅଟୋରେ ଆଗରୁ ବସିଥିବା ଦୁଇଟି ବ୍ୟକ୍ତି ଓ ଅଟୋ ଡ୍ରାଇଭର ଦ୍ୱାରା ଏକ ନିଛାଟିଆ ସ୍ଥାନରେ ଝିଅଟି ବଳତ୍କାରର ଶିକାର ହେଇଥିଲା । ଆଉ ତାପରେ ଡିସେମ୍ବର ୩ ତାରିଖରେ ୟାକୁ ନେଇ ଆଉ ଗୋଟିଏ ରାଜନୈତିକ ଝଡ଼ ଉଠିଛି ଯେତେବେଳେ ଚଣ୍ଡୀଗଡ଼ର ସାଂସଦ ଶ୍ରୀମତୀ କିରଣ ଖେର କହିଛନ୍ତି, “ସେଇ ଝିଅଟିକୁ ଟିକିଏ ସତର୍କ ହେବାର ଥିଲା। ପୂର୍ବରୁ ଦୁଇଜଣ ଲୋକ ବସିଥିବା ଅଟୋଟିରେ ଝିଅଟିକୁ ଚଢ଼ିବାର ନଥିଲା।” ଏଇ କଥାଟିକୁ ନେଇ ବିପକ୍ଷ ଦଳ ବର୍ତ୍ତମାନ ଏକ ବଡ଼ ବିବାଦ ଆରମ୍ଭ କରିଛନ୍ତି। ପୁଣି ତଥାକଥିତ ନାରୀବାଦୀ (feminist) କାର୍ଯ୍ୟକର୍ତ୍ତାମାନେ କହିଛନ୍ତି ଯେ ପୀଡିତାଙ୍କୁ ନେଇ ଏମିତି ଏକ ମତାମତ ଦେବା ଶ୍ରୀମତୀ ଖେରଙ୍କ ପକ୍ଷେ ଅତ୍ୟନ୍ତ ଅସମ୍ମାନଜନକ। ସେମାନଙ୍କ କହିବା ଅନୁସାରେ ସବୁଥର ଭଳି ଏଥର ମଧ୍ୟ ବଳାତ୍କାରର ମୂଳ କାରଣ ରୂପେ ପୀଡ଼ିତାଙ୍କୁ ଦୋଷ ଦିଆଯାଉଛି। ଶ୍ରୀମତୀ ଖେରଙ୍କୁ ଏବେ ଅନାଧିକାର ଚର୍ଚ୍ଚା କରୁଥିବା ପଡ଼ୋଶୀଘର ମାଉସୀଙ୍କ ସାଙ୍ଗରେ ତୁଳନା କରାଯାଉଛି।

ଏଇ ନିବନ୍ଧରେ ମୁଁ ଏଇ ଘଟଣାଟିର ରାଜନୈତିକ ଦିଗଟିକୁ ଦେଖୁନାହିଁ ବରଂ ଏହାକୁ ଏକ ସାଧାରଣ ମଣିଷର ନିତିଦିନିଆ ଘଟଣା ହିସାବରେ ଦେଖୁଛି । ଆଠ ଦଶବର୍ଷ ତଳର କଥା । ମୋ ମହିଳା ବନ୍ଧୁ ନିଜ କର୍ମକ୍ଷେତ୍ରରୁ ଫେରୁଥାଏ । ଅନ୍ଧାର ହେଇ ଆସୁଥାଏ । ଆଉ ସେଥିରେ ଝିପିଝିପି ବର୍ଷା ଆରମ୍ଭ ହେଇଗଲା । ତେଣୁ ଘରକୁ ଆସିବା ପାଇଁ ସେ ବାଟରେ ଗୋଟିଏ ଶେୟାର ଅଟୋ ନେଲା । ଭିତରେ ଆଗରୁ ଦୁଇଜଣ ଲୋକ ବସିଥାନ୍ତି । ମୋ ବନ୍ଧୁ ସେଇ ଅଟୋରେ ବସିପଡିଲା। କିଛି ସମୟ ପରେ ଅନ୍ଧାରର ସୁଯୋଗ ନେଇଁ ସେଇ ଦୁଇଜଣ ଲୋକ ମୋ ବନ୍ଧୁ ସାଙ୍ଗରେ ଅସଦାଚରଣ କଲେ। ଅଟୋ ଡ୍ରାଇଭର ବି ମିଶିଥାଏ ବୋଧେ ସେ କିଛି କହିଲାନି । ତାପରେ ମୋ ବନ୍ଧୁ ଜୋରରେ ପାଟି କଲା। ସେଥିପାଇଁ ଅଟୋଵାଲା ଗାଡି ଅଟକେଇ ଦେଲା। ବନ୍ଧୁ ଜଣକ ଅଟୋରୁ ବାହାରି ଆସୁଆସୁ ଅଟୋବାଲା ଜୋରରେ ଗାଡିନେଇ ଚାଲିଗଲା। ଆମେ ଘରଭଡା ନେଇ ମିଶିକି ରହୁଥାଉ। ବନ୍ଧୁ ଜଣକ ଘରକୁ ଆସି ଆମକୁ ସବୁ କହିଲା। କହିବା ବାହୁଲ୍ୟ ତା ପାଖରେ ସେଇ ଅଟୋର କିଛି ନମ୍ବର ନଥିଲା ଅଭିଯୋଗ କରିବାକୁ। ପ୍ରଥମେ ଆମେ ତାକୁ ସାନ୍ତ୍ବନା ଦେଲୁ। ଦ୍ଵିତୀୟରେ ଆମେ ତାକୁ କହିଲୁ, “ତୁ ଏତେ ଅନ୍ଧାରରେ ସେଇ ଲୋକଗୁଡା ବସିଥିବା ଅଟୋରେ କାହିଁକି ବସିଲୁ!!!” ବନ୍ଧୁଟି ମୋର ଭବିଷ୍ୟତରେ ସେଇ ଭୂଲ ଆଉ କେବେ କରିନାହିଁ। ଯେତେବେଳେ ଛୁଆଟିଏ ବାହାରେ ଖାଲିପାଦରେ ବୁଲେ ଆଉ ତା ଗୋଡ଼ରେ କଣ୍ଟା ଫୁଟିଯାଏ ସେତେବେଳେ ଛୁଆଟିର ମା’ କଣ୍ଟା କାଢ଼ିବା ପରେ ତାକୁ ଗାଳି କରି କୁହେ, “ତତେ କେତେଥର କହିଛି ଚପଲ ପିନ୍ଧି ଖେଳିବା ପାଇଁ। କାହିଁକି ଖାଲି ପାଦରେ ବୁଲୁଥିଲୁ?” ଯେତେବେଳେ ଛୁଆଟି ନିଆଁରେ ଖେଳୁଖେଳୁ ନିଜ ହାତ ପୋଡିଦିଏ ମା’ଟି ତାକୁ ଗାଳିକରି କୁହେ ଯେ, “କେତେଥର ତତେ ମନା କରିଛି ନିଆଁରେ ନ ଲାଗିବା ପାଇଁ।”

କହିବାର ତାତ୍ପର୍ଯ୍ୟ ଏଇଆ ଯେ ଆଗରୁ କେବେ ଗୋଡ଼ରେ କଣ୍ଟା ନ ଫୋଡି ହେଇଥାଇପାରେ କି ଆଗରୁ ହାତ ନିଆଁରେ ନ ପୋଡି ହେଇଥାଇପାରେ କିନ୍ତୁ ୟା ମାନେ ନୁହେଁ ଜଣେ ତା’ ପାଇଁ ସତର୍କତା ଅବଲମ୍ବନ କରିବା ଛାଡ଼ିଦେବ। ବିମାନରେ ଗଲାବେଳକୁ ବି ବିମାନ କର୍ମଚାରୀଗଣ ବାରମ୍ବାର ଆପଣଙ୍କୁ ନିଜ ସୁରକ୍ଷା ସମ୍ବନ୍ଧରେ ଅବଗତ କରେଇଥାନ୍ତି। କିନ୍ତୁ ବଳାତ୍କାର ଏଭଳି ଏକ ସମ୍ବେଦନଶୀଳ ବିଷୟ ଯେଉଁଠି ଝିଅଟିଏକୁ ସତର୍କତା ଅବଲମ୍ବନ କରିବାକୁ କହିଲେ ନାରୀବାଦୀମାନେ ଏହାକୁ ନାରୀର ଅପମାନ ବୋଲି ଭାବନ୍ତି। ଦୁଃଖର ବିଷୟ କି ଆଜିର ତାରିଖରେ ଯଦି ଆପଣ କାହାକୁ କୌଣସି ବିଷୟରେ ସତର୍କ ରହିବାକୁ କୁହାଗଲେ ପ୍ରଥମେ ସେ ଆପଣଙ୍କୁ ରକ୍ଷଣଶୀଳ ଓ କୁସଂସ୍କାରଗ୍ରସ୍ତ ବୋଲି ଡାକେ। ପଚାରେ ଯେ, “ମୁଁ କଣ ପିନ୍ଧିବି, ମୁଁ କଣ କରିବି, ମୁଁ କୁଆଡେ ଯିବି, କାହା ସାଙ୍ଗରେ ଯିବି ସେ କଥା କହିବାକୁ ତୁମେ କିଏ??” ହୁଏତ ସତ। କିନ୍ତୁ ବଳାତ୍କାର ଭଳି ଘଟଣା ସତର୍କତା ଅବଲମ୍ବନ କଲେ ବି ହେଇପାରେ ବା ନ କଲେ ବି ହେଇପାରେ। କିନ୍ତୁ ତା ମାନେ ନୁହେଁ ଯେ ଯଦି ଜଣେ ତୁମେ ସତର୍କ ରହିଥିଲେ ଭଲ ହେଇଥାନ୍ତା ବୋଲି କହୁଛି ସେ କହୁଛି ତୁମେ ହିଁ ବଳାତ୍କାରର ମୂଳ କାରଣ। ଏଭଳି ଏକ ମନ୍ତବ୍ୟର ମାନେ ଏଇଆ ବି ନୁହେଁ ଯେ ଅପରାଧୀର କିଛି ଦୋଷ ନାହିଁ ବା ଦୋଷୀକୁ ଦଣ୍ଡ ମିଳିବ ନାହିଁ।

ଦୁଇ ତିନିବର୍ଷ ପୂର୍ବେ ଉବର କାରରେ ଝିଅଟିଏ ଡ୍ରାଇଭର ଦ୍ୱାରା ବଳତ୍କାରର ଶିକାର ହେଇଥିଲା। ଯଦି ଆପଣ ସେଇ ବଳତ୍କାରର ପରିସ୍ଥିତି ଦେଖିବେ ଆପଣ ଜାଣିପାରିବେ ଯେ ଆମେ ଆମ ସୁରକ୍ଷାକୁ କେତେ ଖାମଖିଆଲରେ ଗ୍ରହଣ କରିନେଇଛୁ। ସେଦିନ ଉଚ୍ଚଶିକ୍ଷିତ ତଥା ଚାକିରିଆ ଝିଅଟି ରାତି ୩ଟା ପର୍ଯ୍ୟନ୍ତ ସାଙ୍ଗଙ୍କ ସହ ପାର୍ଟି କରିଛି। ତାପରେ ନିଶାରେ ଥିବାବେଳେ ଉବର କାର ବୁକ୍ କରିଛି। ତାପରେ କାରରେ ଛୋଟ ଡ୍ରେସପିନ୍ଧି ନିଶାରେ ଶୋଇପଡିବା ସମୟରେ ସେ ବଳତ୍କାରର ଶିକାର ହେଇଛି। ଏଇଠି ବହୁତ ଲୋକ କହିବେ ରାତିରେ ପାର୍ଟି କରିବା କିଛି ଖରାପ ନୁହେଁ। ଆଜିକାଲିର ଝିଅମାନେ ମଦ ପିଇବା ଖରାପ ନୁହେଁ କି ଛୋଟ ଡ୍ରେସ ପିନ୍ଧିବା ଖରାପ ନୁହେଁ। ମୁଁ ବି ମାନୁଛି। ଖରାପ ନ ହେଇପାରେ। କିନ୍ତୁ ପ୍ରଶ୍ନ ହେଉଛି ସେମିତି ନିଶାଗ୍ରସ୍ତ ଅବସ୍ଥାରେ ଅଧରାତିରେ ଗୋଟିଏ ଶିକ୍ଷିତ/ଅଶିକ୍ଷିତ ଡ୍ରାଇଭରଠାରୁ ଭଦ୍ରାମୀ ଆଶା କରିବା ଜଣେ ଶିକ୍ଷିତ ଝିଅପକ୍ଷେ କେତେ ଦୂର ଯୁକ୍ତିଯୁକ୍ତ। ବଳାତ୍କାର ପାଇଁ ପୁଅଟିଏକୁ ଦୋଷ ଦେବା ସହଜ କିନ୍ତୁ ଯଦି ଆପଣ ନିଜେ ନିଜ ସୁରକ୍ଷା ପ୍ରତି ଜାଗରୁକ ନୁହେଁ ତେବେ ଆପଣ ଜଣେ ଅଜଣା ବ୍ୟକ୍ତିଠୁ ଆପଣଙ୍କ ସୁରକ୍ଷା କେମିତି ଆଶା କରିବେ?? ଯେତେବେଳେ ଆଜି ଝିଅଟିଏ ନିଜ ଘର ଭିତରେ ନିଜେ ସୁରକ୍ଷିତ ନାହିଁ ସେତେବେଳେ ଜଣେ କେମିତି ଭାବିପାରିବ କି ମୋ ସୁରକ୍ଷାର ଦାୟିତ୍ୱ ମୋର ନୁହେଁ ବରଂ ଏଇ ସମାଜର ଓ ମୁଁ ଆଖିବୁଜି ଏଇ ସମାଜ ଉପରେ ବିଶ୍ୱାସ କରିବି।

ଆମେ ବୁଝି ରଖିବା ଦରକାର ଯେ ଆଜି ଆମେ ଗୋଟିଏ ନିଖୁଣ ବା “ୟୁଟୋପିଅନ” ସମାଜରେ ରହୁନାହିଁ। ଆମେ ନିଜେ ଯେତେ ଉଚ୍ଚଶିକ୍ଷିତ ହେଲେ ମଧ୍ୟ ଆମେ ମାନସିକ ସ୍ଥରରେ ଏକ ସୁସ୍ଥ ସମାଜକୁ ଜନ୍ମ ଦେଇପାରିନାହୁଁ। ବହୁତ ଭୁଲ ଭଟକା ରହିଛି ଆମ ଭିତରେ। ଏଇ ସତ୍ୟତାକୁ ଉପଲବ୍ଧି ନ କରି ଆଖିବନ୍ଦ କରି ଏକ ସୁନ୍ଦର ସମାଜର କଳ୍ପନା କରିବା ମୂର୍ଖାମୀ ଛଡା ଆଉ କିଛି ହେଇନପାରେ। ଏକ ସୁସ୍ଥ ସମାଜ ତିଆରି କରିବାପାଇଁ ପ୍ରଥମେ ଏଇ ସତ୍ୟକୁ ସ୍ୱୀକାର କରିବାକୁ ହେବ ଯେ ଆମ ସମାଜ ମାନସିକ ସ୍ଥରରେ ବିକାରଗ୍ରସ୍ତ ଆଉ ସେଥିପାଇଁ ଆମକୁ ପ୍ରତି କ୍ଷେତ୍ରରେ ସତର୍କତା ଅବଲମ୍ବନ କରିବାକୁ ହେବ। ଆଉ ଏଇ ସତ୍ୟକୁ ସ୍ୱୀକାର କରିବା ମାନେ ନୁହେଁ ଯେ ଆପଣ ରୁଢିବାଦୀ ବା ୟାର ମାନେ ଏଇଆ ବି ନୁହେଁ ଯେ ସମାଜର ପ୍ରତ୍ୟେକ ପୁରୁଷ ଜଣେ ଜଣେ ଅପରାଧୀ। କିନ୍ତୁ ଏଇ ସତ୍ୟକୁ ସ୍ୱୀକାର କରିପାରିଲେ ଏହାର ମାନେ ଏଇଆ ନିଶ୍ଚିତ ଯେ ଆପଣଙ୍କ ଭିତରେ ନାରୀବାଦ ଓ ପୁରୁଷବାଦର ଅନାଵଶ୍ୟକ କଳହରୁ ଉପରକୁ ଉଠି ଏକ ସଠିକ୍ ଜୀବନ ବଞ୍ଚିବାର ବ୍ୟବହାରିକ ଜ୍ଞାନର ଆଦୌ ଅଭାବ ନାହିଁ । ତେଣୁ ବର୍ତ୍ତମାନ ଆମେ ଜାଣିରଖିବା ଦରକାର ଯେ ସେ ପୁଅ ହେଉ ବା ଝିଅ ହେଉ ନିଜ ସୁରକ୍ଷା ପ୍ରତି ସତର୍କ ରହିବା ପ୍ରତିଟି ନାଗରିକର ପ୍ରଥମ ଦାୟିତ୍ୱ ଆଉ ଏଇ ଦାୟିତ୍ୱକୁ ତୁଲେଇବାରେ ନାରୀବାଦ ବା ପୁରୁଷବାଦର କୌଣସି ଭୂମିକା ନାହିଁ।

4 Replies to “କହିଲେ କହିବ କହୁଛି”

  1. Ramakanta pradhan says: Reply

    Madam I completely agree with your thinking. The way you describe it is admirable.

  2. Kirtiranjan paul says: Reply

    It’s right mam I agree with you
    Ahara nbabakalabara kaba haba madam ?

    1. Thank you so much 🙂

Leave a Reply