ହେ ବସନ୍ତ ତୁମେ… ଆସିଗଲା ପରେ

ବସନ୍ତ ପଞ୍ଚମୀର ଦିନ ହେଲା ବୁଦ୍ଧିବିଦ୍ୟା ପ୍ରଦାୟିନୀ ମା’ ସରସ୍ବତୀଙ୍କର ପୂଜାର ଦିନ | ପାଠ ପଢୁଆ ପିଲାମାନେ ମା’ଙ୍କ ପୂଜା କରି ନିଜପାଇଁ ମାଗିନିଅନ୍ତି ଆଶୀର୍ବାଦ | କବି, ଲେଖକ ଓ କଳାକାରମାନେ ମା’ଙ୍କୁ ମାଗି ନିଅନ୍ତି କଳା ଓ ସାହିତ୍ୟର ଆରାଧନା କରିବାପାଇଁ ଶକ୍ତି ଓ ସାଧନ | ଏଇ ଦିନଟି ବସନ୍ତ ଋତୁର ଆଗମନର ସୂଚନା ଦିଏ ଓ ଏଇ ଦିନଟିରେ ସାନପିଲାଙ୍କର ଖଡିଛୁଆଁ ମଧ୍ୟ ହୁଏ | ଭାରତର ଅନେକ ରାଜ୍ୟ ଯେପରିକି ରାଜସ୍ଥାନ, ମହାରାଷ୍ଟ୍ର ଓ ପଞ୍ଜାବରେ ଆଜିକା ଦିନରେ ଗୁଡ଼ି ମଧ୍ୟ ଉଡ଼ାହୁଏ | ଅନେକ ରାଜ୍ୟରେ ଝିଅମାନେ ସୁନ୍ଦର ହଳଦିଆ ପୋଷାକ ପିନ୍ଧି ବସନ୍ତ ଋତୁକୁ ସ୍ୱାଗତ କରନ୍ତି |

ତେବେ ବସନ୍ତ ପଞ୍ଚମୀ ଦିନଟିର ଆଉ ଏକ ସୁନ୍ଦର ଦିଗ ରହିଛି ଯାହା ଧୀରେ ଧୀରେ ଜନ ମାନସପଟରୁ ଲିଭିଲିଭି ଆସୁଛି | ୯୦ ଦଶକର କଥା ଯଦି ମନେ ପକେଇପାରିବେ ତେବେ ଦେଖିବେ ସେଇ ସମୟ ପର୍ଯ୍ୟନ୍ତ ଅନେକ ବିବାହ ହେଉଥିଲା ବସନ୍ତ ପଞ୍ଚମୀ ତିଥିରେ | କାରଣ ପ୍ରାଚୀନ ଭାରତରେ ଆରମ୍ଭ ହେଇ ଆଧୁନିକ ଭାରତୀୟ ସମାଜରେ ମଧ୍ୟ ବସନ୍ତ ପଞ୍ଚମୀ ଦିନଟିକୁ ପାଳନ କରାହଉଥିଲା ପ୍ରେମ ଦିବସ ରୂପରେ |

ମତ୍ସ୍ୟ ପୁରାଣ ଓ ଶିବ ପୁରାଣ ଅନୁଯାୟୀ ଏଇ ପ୍ରଥାଟି ସେତେବେଳେ ଆରମ୍ଭ ହେଇଥିଲା ଯେତେବେଳେ ମହାଦେବ ସେତେବେଳେ ନିଜ ପ୍ରଥମ ପତ୍ନୀ ସତୀଙ୍କୁ ହରେଇ ଦୁଃଖରେ ମ୍ରିୟମାଣ ହେଇପଡ଼ିଥିଲେ | ମହାଦେବ ବର୍ଷବର୍ଷ ଧରି ତପସ୍ୟାରେ ମଗ୍ନ ରହିଲେ | ସେତିକିବେଳେ ଦେବୀ ସତୀ ପୁଣିଥରେ ଧରାପୃଷ୍ଠରେ ପାର୍ବତୀ ରୂପରେ ଜନ୍ମ ନେଲେ | ସେ ଶିବଙ୍କ ପ୍ରେମରେ ପଡି ତାଙ୍କୁ ପତି ରୂପେ ପାଇବାକୁ କଠୋର ତପସ୍ୟା କଲେ | ତେବେ ଶିବଙ୍କ ତପସ୍ୟା ଭଙ୍ଗ ହେଲାନାହିଁ | ସେତିକିବେଳେ ତାରକାସୁର ତିନିଲୋକରେ ପ୍ରବଳ ଉତ୍ପାତ କରୁଥିଲା | ତେବେ ତାରକାସୁରକୁ ବରପ୍ରାପ୍ତ ହେଇଥିଲା ଯେ ସେ ଶିବଙ୍କ ସନ୍ତାନ ଦ୍ୱାରା ହିଁ ବଧ ହେଇପାରିବ ଆଉ ଶିବଙ୍କର କୌଣସି ସନ୍ତାନ ନଥିଲା | ଏଣୁ ତାରକାସୁରର କାହାପ୍ରତି ଭୟ ନଥିଲା | ଯେହେତୁ ତାରକାସୁରର ବଧ ଓ ସୃଷ୍ଟିର ରକ୍ଷାହେତୁ ଶିବ ଓ ପାର୍ବତୀଙ୍କର ମିଳନ ଅନିବାର୍ଯ୍ୟ ଥିଲା ପ୍ରେମର ଦେବତା କାମଦେବଙ୍କ ପାଖକୁ ଗଲେ ଅନ୍ୟ ଦେବତାମାନେ | ଆଉ ଅନ୍ୟ କିଛି ଉପାୟ ନ ଦେଖି ସେମାନେ କାମଦେବଙ୍କୁ ଅନୁରୋଧ କଲେ ମହାଦେବଙ୍କ ଉପରେ ପ୍ରେମବାଣ ପେଷିବା ପାଇଁ | ଯଦିଓ କାମଦେବ ମହାଦେବଙ୍କ କ୍ରୋଧ ସମ୍ପର୍କରେ ଅବଗତ ଥିଲେ ତଥାପି ସୃଷ୍ଟି ରକ୍ଷା ସକାଶେ ସେ ମହାଦେବଙ୍କ ଉପରେ କାମବାଣ ପେଶିଲେ | ଶେଷରେ ବାଣ କାଟୁ କଲା ଓ ମହାଦେବ ଆଖି ଖୋଲିଲେ | ସାମ୍ନାରେ ତପସ୍ୟାରତ ଥିଲେ ପାର୍ବତୀ | ସୁନ୍ଦରୀ ପାର୍ବତୀଙ୍କ ଉପରେ ଆଖି ପଡିଲା କ୍ଷଣି ତାଙ୍କ ପ୍ରେମରେ ପଡିଲେ ମହାଦେବ | ଦେବତା ମାନେ ଶାନ୍ତିର ନିଶ୍ୱାସ ମାରିଲେ |

ତେବେ ମହାଦେବ କିଛି କ୍ଷଣରେ ଜାଣିପାରିଲେ ଏହା ପଛର ରହସ୍ୟ | କ୍ରୋଧରେ ସେ ନିଜ ତୃତୀୟ ନୟନ ଖୋଲିଲେ | ସେଇ ନୟନର ଅଗ୍ନିରେ ଭସ୍ମ ହେଲେ କାମଦେବ | ତାଙ୍କ ଧର୍ମପତ୍ନୀ ରତିଦେବୀ ସେଠି ପହଂଚି କାନ୍ଦିବାକୁ ଲାଗିଲେ | ତେବେ ଦେବୀ ପାର୍ବତୀଙ୍କ ଅନୁରୋଧରେ ପୁଣି ଜୀବନଦାନ ପାଇଲେ କାମଦେବ ଆଉ ସେଇ ଦିନଟି ଥିଲା ବସନ୍ତ ପଞ୍ଚମୀର ଦିନ |

ସେଇଦିନଠାରୁ ବସନ୍ତ ପଞ୍ଚମୀ ଦିନଟି ପ୍ରେମର ଦିବସ ରୂପେ ମାନ୍ୟତା ପାଇଛି | ସେଇଦିନଟି ଶିବ ପାର୍ବତୀଙ୍କ ପ୍ରେମକୁ ଉତ୍ସର୍ଗୀକୃତ ଓ ସେଇ ଦିବସଟିର ପ୍ରତୀକ ରୂପେ ପୂଜା ପାଆନ୍ତି ସ୍ୱୟଂ ପ୍ରେମ ଦେବତା କାମଦେବ ଓ ତାଙ୍କ ଧର୍ମପତ୍ନୀ ରତିଦେବୀ | ଏଇ ଦିନଟିକୁ ମଦନ ପଞ୍ଚମୀ ମଧ୍ୟ କୁହାଯାଏ ଯେହେତୁ କାମଦେବଙ୍କର ଅନ୍ୟନାମ ହେଲା ମଦନ | କୁହାଯାଏ ଏଇ ଦିନଟିରେ କାମଦେବ ସାରା ପୃଥିବୀ ତଥା ପୃଥିବୀବାସୀଙ୍କ ଭିତରେ ପ୍ରେମ, ପ୍ରଣୟ, ଆବେଗ ଓ ଆସକ୍ତିର ଭାବନା ଜାଗୃତ କରିଥାଆନ୍ତି ଯାହା ଫଳରେ ପୃଥିବୀରେ ଏକ ପୁନଃ ନବୀକରଣର ଆରମ୍ଭ ହୁଏ | କୁହନ୍ତି ଏଇ ଦିନରେ କାମଦେବ ଓ ଦେବୀ ରତିଙ୍କର ପୂଜା କଲେ ବୈବାହିକ ଜୀବନ ସୁଖମୟ ରୁହେ | ଆଉ ଏକ ଆଶ୍ଚର୍ଯ୍ୟର ବିଷୟରେ ଏଇ ଦିନଟିରେ ନଅଟି ସାରା ଗ୍ରହ ଯିଏ ଯେଉଁ ସ୍ଥାନରେ ବି ଥାଆନ୍ତୁ ନା କାହିଁକି ଏଇ ଦିନଟି ବିବାହ ପାଇଁ ସର୍ବକୃଷ୍ଟ ବୋଲି ବିବେଚିତ ହୁଏ | ଏଇ ଦିନଟି ପାଇଁ ପାଞ୍ଜି ଦେଖିବାକୁ ପଡେନାହିଁ |

ତେବେ ଆଧୁନିକତା ସହ ତାଳ ଦେଇ ଭାରତ ମଧ୍ୟ ଆଗେଇ ଚାଲିଛି ଆଉ ପଛରେ ରହିଯାଇଛି ଆମର ପୁରୁଣା କଥା ପୁରୁଣା ପ୍ରଥା ଓ ପୁରୁଣା ପରମ୍ପରା | ନବେ ଦଶକରୁ ପାଶ୍ଚାତ୍ୟ ସଭ୍ୟତାର ଅନୁକରଣରେ ଭାରତୀୟ ସମାଜ ମଧ୍ୟ ‘ଭାଲେଣ୍ଟାଇନ ଡେ’କୁ ପ୍ରଣୟ ଦିବସ ରୂପେ ମାନିବାକୁ ଲାଗିଲେ | ଏଣୁ ଧୀରେ ଧୀରେ ବସନ୍ତ ପଞ୍ଚମୀ ଦିନର ମହନୀୟତାକୁ ଲୋକେ ଭୁଲିବାରେ ଲାଗିଲେ | କାମଦେବଙ୍କ ପ୍ରେମବାଣର ସ୍ଥାନ ନେଇଗଲା ‘କ୍ୟୁପିଡ’ର ପ୍ରେମତୀର | ଏପରିକି ଆଜିର ଯୁବପିଢ଼ି ଏଭଳି ଏକ ଭାରତୀୟ ପ୍ରେମ ଦିବସର ଅସ୍ତିତ୍ବ ସମ୍ପର୍କରେ ଅବଗତ ନୁହନ୍ତି | ପୁଣି ‘ଭାଲେଣ୍ଟାଇନ ଡେ’ର ଲୋକପ୍ରିୟତା ହେତୁ ଅନେକ ଲୋକ ଏବେ ବସନ୍ତ ପଞ୍ଚମୀ ପରିବର୍ତ୍ତେ ଫେବୃଆରୀ ୧୪ରେ ବିବାହ କରିବାକୁ ପସନ୍ଦ କରୁଛନ୍ତି |

ତେବେ ସତକଥା ହେଲା ପ୍ରେମ ପାଇଁ କିଛି ଦିବସର ଦରକାର ନୁହେଁ | ପ୍ରେମ ଦିବସ ସବୁଦିନ ପାଳନ କରାଯାଇପାରେ | ସେ ବସନ୍ତ ପଞ୍ଚମୀ ହଉ କି ଭାଲେଣ୍ଟାଇନ ଡେ ହଉ | ତଥାପି ଶିବ ପାର୍ବତୀଙ୍କ ପ୍ରେମକୁ ମନେ ପକେଇ, ଦେବୀ ରତି ଓ କାମଦେବଙ୍କ ତ୍ୟାଗକୁ ମନେ ପକେଇ ଆମ ନିଜର ଭାରତୀୟ ପ୍ରେମ ଦିବସରେ ଆମେ ଆଶା କରିପାରିବା ଯେ ଦୁନିଆର ସମସ୍ତ ବ୍ୟକ୍ତି ପରସ୍ପରକୁ ପ୍ରେମ କରନ୍ତୁ | ପ୍ରେମରେ ରୁହନ୍ତୁ ଆଉ ସାରା ଦୁନିଆରେ ପ୍ରେମ ବାଣ୍ଟିଚାଲନ୍ତୁ |

Leave a Reply