ହିସାବ

ଦୁଇମାସ ତଳେ ମାଟ୍ରିମୋନି ସାଇଟଦ୍ୱାରା ମୋ ରୁମମେଟ ସାଗରର ବାହାଘର ରୁବି ସାଙ୍ଗେ ଠିକ ହେଲାପରେ ସାଗର ଆଉ ଇନ୍ଦ୍ରଚନ୍ଦ୍ର ବି ମାନିବାକୁ ନାରାଜ ଥିଲା। ଖାସ କରି ମତେ ଦେଖିଲେ ସେ କଣ ନାଇଁ କଣ ଯେ କହିଯାଉଥିଲା। ସେଦିନ ଲେଖାକୁ ଭେଟି ଘରକୁ ଫେରିବାକ୍ଷଣି ସେ ମତେ ଦେଖି କହିଲା, “ଆସିଗଲ ପ୍ରେମିକ ପ୍ରବର। କଣ ମିଳିବ ସେ ଶୁଖିଲା ପ୍ରେମରୁ? ତାକୁ ଛାଡ। ଆଗକୁ ବଢ଼। ସେଇ ପ୍ରେମକୁ ଖାଲି ପ୍ରେମରେ ହିଁ ରଖ। ବିବାହ ପର୍ଯ୍ୟନ୍ତ ଆଣନି।” ମୁଁ ତା’ କଥା ଶୁଣି ହସିଲି। ସେ କହିଲା, “ଏମିତି ବୋକାଙ୍କ ଭଳି ହସୁଛୁ କଣ? ଜୀବନରେ ଟିକେ ହିସାବ କରିବା ଶିଖେ। ଆଜିକାଲି ଏ ଝିଅଙ୍କ ବାପଗୁଡା ମହାଚାଲାକ ହେଇଗଲେଣି। ପ୍ରେମବିବାହ ବୋଲି ଗୋଟିଏ ସୁୁଟକେଶ ଦେଇ ଝିଅକୁ ବିଦା କରି ଦଉଛନ୍ତି। ତୁ ତ ଏତେ ଦରମା ପାଉଛୁ। ଆରେଞ୍ଜଡ଼ ମେରେଜ କରେ। ମୋ ଭଳିଆ ତୁ ବି କାର ଆଉ ଭୁବନେଶ୍ୱରରେ ଫ୍ଲାଟ ଫ୍ରି ପାଇବୁ। ନହେଲେ ଏଇ ସଫ୍ଟୱେର ଚାକିରୀରେ ଘର ଆଉ ଗାଡି ଇନଷ୍ଟଲମେଣ୍ଟ ଦେଇଦେଇ ଜୀବନ ସରିଯିବ। ଭାତ ଆଳୁଚଟଣୀ ଖାଇ ରହିବୁ।” ସେଦିନ ମୁଁ ସାଗରର କଥାକୁ ହସିକି ଉଡେଇ ଦେଇଥିଲି। କିନ୍ତୁ ସେ ଉଠୁଣୁ ବସୁଣୁ ସବୁବେଳେ ଏଇ କଥାଗୁଡା ମୋ କାନରେ ପକାଉଥିଲା। ଧୀରେଧୀରେ ମତେ ବି ସାଗରର କଥାଗୁଡା ଠିକ ଲାଗିବାକୁ ଲାଗିଲା। ଲେଖା ମଧ୍ୟବିତ୍ତ ପରିବାରର ଝିଅ ଥିଲା। ନିଜ କ୍ଷମତା ବାହାରେ କିଛି ବି ଅଧିକା ଦେବା ତାଙ୍କ ପାଇଁ ଅସମ୍ଭବ ଥିଲା। ମୁଁ ସାଗରର କଥାରେ ଭାସିବାକୁ ଲାଗିଲି। ସାଗର ମୋ ପାଇଁ ମାଟ୍ରିମୋନି ସାଇଟରେ ଆକାଉଣ୍ଟଟିଏ ଖୋଲିଦେଲା ଆଉ ମୁଁ ଧୀରେଧୀରେ ଲେଖାଠୁ ଦୂର ହବାକୁ ଲାଗିଲି। ସାଗର ଯେତେବେଳେ ରୁବିସାଙ୍ଗେ ଫୋନରେ ବ୍ୟସ୍ତ ରହୁଥିଲା ମୁଁ ମାଟ୍ରିମୋନିରେ ଝିଅ ଖୋଜିବାରେ ବ୍ୟସ୍ତ ରହୁଥିଲି। କାର ଆଉ ଫ୍ଲାଟଵାଲା ଝିଅ ତ ଏତେ ସହଜରେ ମିଳିଯାଇ ନଥାନ୍ତା! ସାଗର ମତେ ସବୁବେଳେ ଏଇଆ ବୁଝଉଥିଲା। ଲେଖାକୁ ମୁଁ ୟା ଭିତରେ ଭୁଲି ଯାଇଥିଲି ଆଉ ପୁରା ଦମରେ ମାଟ୍ରିମୋନିରେ ମୋର ଭାବିସ୍ତ୍ରୀକୁ ଖୋଜି ଚାଲିଥିଲି। ଟିକେ ସମୟ ଲାଗୁଥିଲା କିନ୍ତୁ ମୁଁ ଖୁସି ଥିଲି। କିଛିଦିନ ହେଲା ଦେଖୁଥିଲି ସାଗର ବହୁତ ବ୍ୟସ୍ତ ଓ ଅନ୍ୟମନସ୍କ ରହୁଛି। ଆଗର ସେ ହସଖୁସି ଆଉ ତା’ପାଖେ ନାହିଁ। ସେଦିନ ସେ ଅଫିସରୁ ଫେରି ମୋ ପାଖେ ବସିପଡ଼ିଲା ଆଉ କହିଲା, “ମୋ ଘରଲୋକ ଆଉ ରୁବିଘରଲୋକ ଭିତରେ ଗଣ୍ଡଗୋଳ ହେଇଯାଇଚି। ଆମେ ଦୁଇଜଣ ବହୁତ ବୁଝେଇଲୁ। କିନ୍ତୁ ସେମାନେ ବୁଝିବାକୁ ନାରାଜ।ଆମ ବାହାଘର ଭାଙ୍ଗିବାକୁ ବସିଛନ୍ତି।” ମୁଁ ତା’ ପିଠିରେ ହାତ ରଖି ପଚାରିଲି, “ଏବେ କଣ ହବ ତା’ହେଲେ?” ସେ ମତେ ଚାହିଁ କହିଲା, “ମୁଁ ରୁବି ବିନା ରହିପାରିବିନି। ମୁଁ ତାକୁ ମନ୍ଦିରରେ ବାହା ହଉଛି।” ମୁଁ ତା’ କଥା ଶୁଣି ଆକାଶରୁ ପଡିଲି। ତାକୁ ପଚାରିଲି, “ଆଉ ତୋ କାର ଆଉ ଫ୍ଲାଟ?” ସେ କହିଲା, “ଛାଡ଼ ମ ସେ ଘର ଗାଡି। ମତେ ରୁବି ମିଳିଗଲେ ସେଗୁଡାକୁ କିଏ ପଚାରେ!” ମୁଁ ଥମ୍ ହେଇ ଥରେ ସାଗରର ମୁହଁକୁ ଆଉ ଥରେ ପାଖରେ ଥିବା ଟେବୁଲକୁ ଦେଖିଲି। ଟେବୁଲ ଉପରେ କିଛି ସମୟ ପୂର୍ବରୁ ଡାକଵାଲା ଆଣି ଦେଇଥିବା ଲେଖାର ବାହାଘର କାର୍ଡ ମତେ ଜିଭ ଦେଖେଇ ଖତେଇ ହଉଥିଲା।

4 Replies to “ହିସାବ”

  1. Abhoy Prasad Dash says: Reply

    Ha… Ha… Ha… Wonderful.
    Liked it.

    1. Thanks for reading 🙂

  2. Pragyan Priyadarshini Mallick says: Reply

    Ha ha ha sabu bele flat n money kama deini…….

  3. Ajaya Ku Sahoo says: Reply

    Nice story. Everybody should learn the lessons behind the story……..

Leave a Reply