‘ସ’ ମକର

ସେଦିନ ସକାଳୁ ନିଜ ରୁମ ସଫା କରିବା ଆରମ୍ଭ କଲା ଶିଖା | ନୂଆ ସହରକୁ ଶିଫ୍ଟ ହବାର ସମୟ ପାଖେଇ ଆସୁଛି | ଘରେ ଏବେ ବହୁତ କାମ | ଜିନିଷ ସବୁ ପ୍ୟାକ ହବ | ଭଙ୍ଗା ଜିନିଷ ଫୋପଡ଼ା ହବ | ଯେତେ କାମ ସାରିଲେ ବି ନୂଆ କାମ ବଢି ଚାଲିଛି | ନିଜ ଆଲମାରୀ ଖୋଲିଲା ଶିଖା | ଆଲମାରୀରେ ଏତେ ଜିନିଷ ଯେ ଫାଟିବ ଫାଟିବ ହଉଚି | ଆଜି ପୁରା ଖାଲି କରିଦେବ | ଯାହା ଦରକାର ନ ଥିବ କାହାକୁ ଦେଇଦେବ | ତଳ ଥାକ ଆଗ ସଫା କଲା | ଶାଢ଼ୀ ସବୁ ଭାଙ୍ଗିକି ରଖିଲା | କିଛି ପୁରୁଣା ଲୁଗା ବାହାର କଲା କାମବାଲୀକୁ ଦେଇଦେବ ବୋଲି | ତା’ପରେ ମଝି ଥାକ ଅଣ୍ଡାଳୁଛି ହାତରେ ଠକକିନି କିଛି ଗୋଟେ ବାଜିଲା | କଣ ବୋଲି ଟାଣି ଆଣୁଆଣୁ ଦେଖିଲା ତା’ର ସେଇ ସ୍କୁଲ ବେଳର ଛୋଟିଆ ଟିଣବାକ୍ସଟି | ମୁହଁରେ ଟିକିଏ ହସ ଖେଳିଗଲା ଶିଖାର | ଏଇଠି ଥିଲା ତାହେଲେ!! ସେ ଭାବିଛି ଖଟତଳ ଟ୍ରଙ୍କରେ ପୁରେଇ ଦେଇଛି ବୋଲି |

ବାକ୍ସଟି ହାତରେ ନେଇ ଆଉଁସି ଦେଲା ଟିକିଏ ଶିଖା | ତାକୁ ଦେଖିଦେଇ ଅତୀତ ଯେମିତି ଜଳଜଳ ହେଇ ଆଖି ସାମ୍ନାରେ ନାଚିଉଠୁଥିଲା ତା’ର | ଧୀରେଧୀରେ ଖୋଲିଲା ବାକ୍ସର ମୁହଁ | ପ୍ରଥମେ ଆଖିରେ ପଡିଲା ସେଇ କାଳିଆ ପଥର ଯୋଉଟା ସେ ସପ୍ତମ ଶେଣୀ ପିକନିକ ବେଳକୁ ଝରଣାରୁ ଗୋଟେଇ କି ଆଣିଥିଲା | ତା’ ପାଖକୁ ଦୁଇଟି ମୟୁର ପୁଚ୍ଛ | ଏଇଟା ବାପା ଆଣି ଦେଇଥିଲେ କୋଉଠୁ ଗୋଟେ | ତା’ ତଳକୁ କିଛି ହିରୋ ହିରୋଇନଙ୍କ ପୋଷ୍ଟକାର୍ଡ ଗ୍ରିଟିଂକାର୍ଡ | ସାଙ୍ଗମାନେ ଦେଇଥିଲେ ନୂଆ ବର୍ଷରେ | ସେଗୁଡ଼କ କାଢିକି ଦେଖିଲା ଶିଖା | ଶାହରୁଖ, ସଲମାନ, ମାଧୁରୀ | ହସ ଲାଗିଲା ତାକୁ | କେତେ ସିନେମା ପାଗଳ ଥିଲା ସେ | ଆଉ ଏବେ? ଶେଷଥର କେବେ ହଲକୁ ଯାଇଥିଲା ମନେ ବି ନାହିଁ |

ସେଇ କାର୍ଡଗୁଡା ରଖୁରଖୁ ହଠାତ ନଜର ପଡିଲା କାର୍ଡ ତଳେ ରହି ଯାଇଥିବା ଗୋଟିଏ ପଥର ଲଗା ବ୍ରେସଲେଟ ଉପରେ | ରୂପେଲି ରଙ୍ଗର | ତେବେ ଏବେ ପ୍ରାୟ କଳା ପଡିଆସିଲାଣି | ଦୁଇଟି ପଥର ସେଠୁ ଖସି ପଡିଛି | ହେଲେ ବି କେତେ ଆପଣାର ଆପଣାର!! ବ୍ରେସଲେଟଟି ଉଠେଇ ନେଇ ଦେଖିଲା ଶିଖା | କିଏ ଦେଇଥିଲା ତାକୁ ଏଇଟା? ଆରେ ହଁ!! କେମିତି ଭୁଲିବ ସେ? ମକର… ‘ସ’ ମକର ଦେଇଥିଲେ | ତା’ର ପ୍ରିୟର ‘ସ’ ମକର |

ମନେ ପଡିଗଲା ଶିଖାର | ମକର ସଂକ୍ରାନ୍ତିଟା ଭାରି ଜାକଜକମରେ ପାଳନ ହଉଥିଲା ତା’ ସ୍କୁଲରେ | ମା’ ସକାଳୁ ବଢିଆ ମକର ଚାଉଳ ତିଆରି କରିଦଉଥିଲା | ଚାଉଳ, ଚିନି, କ୍ଷୀର, ଦହି, କଦଳୀ, ଛେନା, ଆଖୁ, ଗୋଲ ମରିଚ | ଆଃ!! କି ସ୍ୱାଦ ତା’ର | ଶିଖା ଟିଫିନରେ ତାକୁ ସ୍କୁଲକୁ ନେଇକି ଯାଉଥିଲା | ସ୍କୁଲରେ ସମସ୍ତେ ଏମିତି ମକର ଚାଉଳ ନେଇକି ଆସୁଥିଲେ | ସେଇ ସଵୁ ଚାଉଳକୁ ଗୋଟିଏ ବଡ଼ ଜାଗାରେ ଢାଳିକି ରଖା ହଉଥିଲା | ସକାଳୁ ଫଙ୍କସନ ପରେ ଝିଅମାନେ ସେଇ ମକର ଚାଉଳ ଖୁଆଖୋଇ ହେଇ ମକର ବସୁଥିଲେ |

ସପ୍ତମ ଶ୍ରେଣୀରେ ଏଇଭଳି ଶିଖା ଆଉ ସନ୍ଧ୍ୟା ବସିଥିଲେ ମକର | ସେଇଦିନଠୁ କେହି କାହାକୁ ଆଉ ନା’ ଧରି ଡାକୁ ନଥିଲେ | ଡାକୁଥିଲେ ମକର | ଆଉ ଭୁଲରେ ନାଁ ଧରିଦେଲେ ନିଜ ଡାହାଣ ହାତ କାଣି ଆଙ୍ଗୁଠିକୁ ସାତଥର ଦାନ୍ତରେ ଚୋବେଇ ଦଉଥିଲେ ନିଜେ ପାପର ପ୍ରାୟଶ୍ଚିତ ପାଇଁ | ସବୁ ମକର ସଂକ୍ରାନ୍ତିରେ ପରସ୍ପର ପାଇଁ କିଣୁଥିଲେ ଚୁଡ଼ି, ମାଳି, କ୍ଲିପ, ଟିକିଲି, ନେଲପଲିଶ |

ତେବେ ସନ୍ଧ୍ୟା ଶିଖାର ଏକମାତ୍ର ମକର ନଥିଲା | ମଝିରେ ଶିଖା ରୁବି ଆଉ ବିନିତା ସାଙ୍ଗରେ ମଧ୍ୟ ମକର ବସିଥିଲା | ତେଣୁ କନଫ୍ୟୁଜନ୍ ଦୂର କରିବାକୁ ସେ ଡାକୁଥିଲା ‘ସ’ ମକର, ‘ରୁ’ ମକର ଆଉ ‘ବି’ ମକର | ହେଲେ ‘ରୁ’ ମକର ଆଉ ‘ବି’ ମକର ବେଶୀ ଦିନ ତିଷ୍ଠି ନଥିଲେ | ‘ରୁ’ ମକର ଅଲଗା ସ୍କୁଲକୁ ଚାଲି ଯାଇଥିଲେ ଆଉ ‘ବି’ ମକର ସାଙ୍ଗରେ ଝଗଡା କରି “ମକରଶିପ୍” କାଟିଦେଇଥିଲା ଶିଖା | ଏବେ ଖାଲି ରହି ଯାଇଥିଲେ ‘ସ’ ମକର |

‘ସ’ ମକର ଆଉ ଶିଖା ସବୁଆଡେ ଏକା ସାଙ୍ଗରେ ଯାଉଥିଲେ | ଏକା ସାଙ୍ଗେ ଖେଳୁଥିଲେ | ଏକା ଟ୍ୟୁସନକୁ ବି ଯାଉଥିଲେ | ମକର ବସିବା ପରେ ତାଙ୍କ ବନ୍ଧୁତା ଆଉରି ବଢି ଯାଇଥିଲା | ମକର ସଂକ୍ରାନ୍ତିରେ ଉଭୟ ପରସ୍ପର ସହ ପ୍ରତିଯୋଗିତା କରୁଥିଲେ କିଏ କାହାକୁ ଅଧିକ ଭଲ ଜିନିଷ ଗିଫ୍ଟ ଦେଇ ପାରିବ!! ତେବେ ଶିଖାକୁ ଲାଗୁଥିଲା ଯେ ସବୁବେଳେ ସେ ସେଇ ପ୍ରତିଯୋଗିତାରେ ହରି ଯାଉଥିଲା | ତାକୁ ‘ସ’ ମକର ଦଉଥିବା ଜିନିଷ ସେ ଦେଇଥିବା ଜିନିଷଠୁ ବେଶୀ ଭଲ ଲାଗୁଥିଲା |

ସେଇ ‘ସ’ ମକର ଜୟପୁର ଯିବା ପୂର୍ବରୁ ଶେଷ ମକର ସଂକ୍ରାନ୍ତିରେ ତାକୁ ଅନ୍ୟାନ୍ୟ ଜିନିଷ ସାଙ୍ଗରେ ଏଇ ବ୍ରେସଲେଟଟା ଦେଇ ଯାଇଥିଲେ | ଏଇ ବ୍ରେସଲେଟ ଶିଖାକୁ ଭାରି ଭଲ ଲାଗିଥିଲା | ଦିନାକେତେ ସେ ୟାକୁ ହାତରୁ ଓହ୍ଲେଇ ନଥିଲା | ତେବେ ତା’ କିଛିଦିନ ପରେ ‘ସ’ ମକରଙ୍କ ବାପାଙ୍କର ଟ୍ରାନ୍ସ୍ଫର ହେଇ ଯାଇଥିଲା | ଉଭୟେ ବହୁତ କାନ୍ଦିଥିଲେ ମକର ଗଲା ଆଗ ଦିନ | ପରସ୍ପରକୁ ଚିଠି ଦେବେ ବୋଲି ଯଥା ଦେଇଥିଲେ | ଚିଠି ଦିଆନିଆ ହେଇଥିଲେ ମଧ୍ୟ | ହେଲେ କିଛି ଦିନପରେ ଶିଖା ବାପାଙ୍କର ମଧ୍ୟ ଟ୍ରାନ୍ସ୍ଫର ହେଇଗଲା ଓ ସେଇ ନୂଆ ଆଡ୍ରେସରେ ‘ସ’ ମକରଙ୍କ ଚିଠି ଆଉ କେବେ ଆସି ପହଂଚିଲା ନାହିଁ |

ୟା ଭିତରେ ବହୁତ ଦିନ ଚାଲିଗଲା | ଶିଖା କଲେଜ ପଢିଲା | ବାହାହେଲା | ଆଉ ଏବେ ତା’ ଝିଅ ବି ସ୍କୁଲରେ ପଢ଼ିଲାଣି | ହେଲେ ତା’ର ସ୍କୁଲ ହେଲା ଇଂଲିଶ ମିଡ଼ିଅମ ସ୍କୁଲ | ସେଇଠି ଏମିତି କିଛି ଗାଉଁଲି ମକର ଚାଉଳ ଖୋଆଖୋଇ ହୁଏନାହିଁ | ଏଣୁ ଝିଅର କେହି ମକର ନାହାନ୍ତି |

ତେବେ ନିଜ ମକରକୁ ଭୁଲିନି ଶିଖା | ଏଇ କିଛି ବର୍ଷ ତଳେ ଫେସବୁକ ଆସିଲା ପରେ ‘ସ’ ମକରକୁ ବହୁତ ଖୋଜିଛି ସେ | ହେଲେ ହୁଏତ ‘ସ’ ମକର ଫେସବୁକରେ ନାହାନ୍ତି ଅଥବା ନିଜ ସରନେମ୍ ବଦଳେଇ ଦେଇଛନ୍ତି ବାହାହେଲା ପରେ | ମକର ଏବେ ତା’ ସାଙ୍ଗରେ ନାହାନ୍ତି କିନ୍ତୁ ସେ ଦେଇଥିବା ଏଇ ବ୍ରେସଲେଟଟି ରଖିଛି ନିଜ ପାଖରେ ଶିଖା | କିଏ ଜାଣେ କେବେ ‘ସ’ ମକର ତାକୁ କୋଉଠି ମିଳି ଯାଇପାରନ୍ତି!! ବାଟରେ ଚାଲୁ ଚାଲୁ ତାକୁ ଦେଖା ଦେଇ ପାରନ୍ତି!! କିଏ ଜାଣେ!!!

ବ୍ରେସଲେଟଟି ସେ ପୁଣି ବାକ୍ସଟି ଭିତରେ ରଖିବାକୁ ଯାଉଛି ହଠାତ କିଏ ଜଣେ ଶିଖାକୁ ପଛପଟୁ କୁଣ୍ଢେଇ ପକେଇଲା | କିଏ? ଓଃ… ସ୍ନେହା!! ସେ କେତେବେଳେ ଟ୍ୟୁସନରୁ ଫେରି ଆସିଲା? ଆଉ ଶିଖା କଣ ଘର କବାଟ ଖୋଲା ରଖି ଦେଇଥିଲା କି ଅନ୍ୟମନସ୍କରେ?
ମା’ କାନ୍ଧରେ ଝୁଲି ଝୁଲି ବ୍ରେସଲେଟକୁ ଦେଖି ପଚାରିଲା ସ୍ନେହା- ଏଇଟା କାହାର ମାମା? କିଏ ଦେଇଛି ଏଇଟା?
– ଗୋଟିଏ ଆଣ୍ଟି!! ଉତ୍ତର ଦେଲା ଶିଖା |
– କୋଉ ଆଣ୍ଟି? ତାଙ୍କ ନାଁ କଣ? ପଚାରିଲା ସ୍ନେହା |
– ସନ୍ଧ୍ୟା… ପାଟିରୁ ବାହାରି ପଡିଲା ଶିଖାର | ତେଣିକି ଜୋରରେ ‘ଚୁ’ଟିଏ ମାରି ନିଜ ଡାହାଣ ହାତ କାଣି ଆଙ୍ଗୁଠିକୁ ଦାନ୍ତ ତଳେ ରଖି ସାତଥର ଚୋବେଇ ପକେଇଲା ଶିଖା | ଆଉ ସେତିକି ବେଳକୁ ପାଖରେ ଥୁଆ ହେଇଥିବା ଫୋନରେ ଟିଂ ଟିଂ କରି ଗୋଟେ ମେସେଜ ଆସିଲା | ଶିଖା ଫୋନ ହାତରେ ନେଇ ଦେଖିଲା | ଫେସବୁକରେ ଏକ ଫ୍ରେଣ୍ଡ ରିକୱେଷ୍ଟ ଆସିଥିଲା | ଜଣେ ସନ୍ଧ୍ୟା ପାଖରୁ |

Leave a Reply