ସ୍ୱାଧୀନତା

ବହୁତ ପାଠ ପଢି ବଡ କମ୍ପାନୀରେ ଗୁଡ଼ାଏ ପଇସା କମାଉଥିବା ସ୍ଵାଧୀନଚେତା ଝିଅ ମାନିନୀ। ଖୋଲା ଆକାଶରେ ଉଡିବା ପାଇଁ ତା ଜନ୍ମ। ଗୋଟାଏ ବଗିଚାରୁ ଆଉ ଗୋଟାଏ ବଗିଚାକୁ ପ୍ରଜାପତି ଭଳି ଘିରି ଘିରି ହେଇ ଘୁରି ବୁଲିବା ତା ଅଭ୍ୟାସ। ସାଙ୍ଗସାଥି, ପାର୍ଟିପିକନିକ, ମଜାମଜଲିସରେ ଭରପୁର ତା ଜୀବନ। ହେଲେ ବାହାଘର ପରେ?? କିଏ ଦବ ଏଇ ସ୍ୱାଧୀନତା?? ଏମିତି ଖୋଲା ଜୀବନ?? ସାଙ୍ଗମାନଙ୍କଠୁ ଶୁଣୁଥିଲା ବାହାଘରପରେ କେମିତି ସବୁ ବଦଳି ଯାଏ। ବହୁତ ଡର ଥିଲା ମାନିନୀ ମନରେ। ହେଲେ ସ୍ୱାଧୀନଙ୍କ ସହ ବାହାଘର ଠିକ ହେଲାପରେ ମାନିନୀର ସବୁ ଡ଼ରଭୟ କୁଆଡେ ଉଭେଇ ଯାଇଥିଲା। ସ୍ୱାଧୀନ ଯେମିତି ନିଜ ନାଆଁକୁ ସାର୍ଥକ କରୁଥିଲେ। ସେ ବି ସେଇ ମୁମ୍ବାଇରେ ରହୁଥିଲେ। ଯେତେବେଳେ ମାନିନୀ ନିଜ ଅତୀତ ବିଷୟରେ କହିବାକୁ ଚାହିଁଲା, ସ୍ୱାଧୀନ କହିଥିଲେ, “ମୋର ତୁମ ଅତୀତ ବିଷୟରେ କିଛି ଜାଣିବାର ନାହିଁ। ଅତୀତ ହେଲା ଅତୀତ। ଆଉ ତୁମ ଅତୀତର ଆମ ବର୍ତମାନରେ କିଛି ସ୍ଥାନ ନାହିଁ।” ଖୁସିରେ କୁରୁଳି ଉଠିଥିଲା ମାନିନୀ। ଯେତେବେଳେ ସେ ନିଜ ଖୋଲା ମିଜାଜ ଆଉ ସ୍ୱାଧୀନଚେତା ମନ ବିଷୟରେ ସ୍ୱାଧୀନଙ୍କୁ କହିଥିଲା, ସେ ଉତ୍ତର ଦେଇଥିଲେ, “ବାହାଘର ମାନେ ଜେଲ ଯିବା ନୁହେ ମାନିନୀ। ତୁମେ ବାହାଘର ପୁର୍ବରୁ ଯେମିତି ଥିଲ ବାହାଘର ପରେ ବି ସେମିତି ରହିବ। ଏମିତିରେ ବି ଆମେ ବାହାଘରର ସପ୍ତାହେ ପରେ ଭୁବନେଶ୍ୱରରୁ ମୁମ୍ବାଇ ଚାଲିଯିବା। ସେଠି ଆଉ କେହି ନଥିବେ ତୁମ ଉପରେ ଅଙ୍କୁଶ ଲଗେଇବାକୁ। ମାନିନୀର ମନ ଘେରାଏ ନାଚିଗଲା। ସ୍ୱାଧୀନଙ୍କୁ ପାଇ ଯେମିତି ତା ଜୀବନ ସାର୍ଥକ ହେଇଛି। ବାହାଘର ହେଇଗଲା ଆଉ ବାହାଘରର ସାତଦିନ ପରେ ସେମାନେ ମୁମ୍ବାଇରେ। ଶନିବାର ରାତିରେ ମାନିନୀର ସାଙ୍ଗର ଜନ୍ମଦିନ ପାର୍ଟି ଥାଏ। ଫେରୁ ଫେରୁ ରାତିଅଧ ହବ। ସ୍ୱାଧୀନ କହିଲେ ତାଙ୍କର ଅଫିସ କାମ ଅଛି। ଘରୁ କାମ କରିବେ। ହେଲେ ମାନିନୀର ପାର୍ଟିକୁ ଯିବାରେ କିଛି କଟକଣା ନାହିଁ। ମାନିନୀ ପାର୍ଟି ପାଇଁ ପ୍ରସ୍ତୁତ ହେବାକୁ ଲାଗିଲା। ଆଉ ଜଣେ ସାଙ୍ଗ ଆସି ତାକୁ ନେଇଯିବ ତା’ କାରରେ। ମେକଅପ୍ ସାରି ସ୍ୱାଧୀନଙ୍କୁ ଦେଖାଇବାକୁ ଆସିଲା। ସ୍ୱାଧୀନ ତାଙ୍କ ଲାପଟପ୍ ରେ ବ୍ୟସ୍ତ। ମାନିନୀ ଧୀରେ ଧୀରେ ଆସି ତାଙ୍କ ପଛରେ ଠିଆହେଲା। ଦେଖିଲା ସ୍ୱାଧୀନ ଫେସବୁକରେ ଏକାସାଙ୍ଗେ ତିନୋଟି ଝିଅ ସାଙ୍ଗରେ ଚାଟିଂରେ ବ୍ୟସ୍ତ। ତା ମୁଣ୍ଡ ଗୋଳମାଳ ହେଇଗଲା। ସେ ସିଧା ସ୍ୱାଧୀନଙ୍କ ଆଗକୁ ଆସି ଠିଆହେଇ ପଚାରିଲା, “କିଏ ଏଇ ଝିଅଗୁଡା??” ସ୍ୱାଧୀନ ତା ମୁହଁକୁ ସିଧା ଚାହିଁ ଉତ୍ତର ଦେଲେ, “ଦେଖ ମାନିନୀ, ଯଦି ମୁଁ ତୁମ ସ୍ୱାଧୀନତାରେ ବିଲକୁଲ ବି ବାଧା ଦେଉନାହିଁ ତାହେଲେ ମୁଁ ଆଶା କରିବି ଯେ ତୁମେ ବି ମୋ ସ୍ୱାଧୀନତାରେ କେବେ ବାଧା ହେବନାହିଁ।” ଏତିକି କହି ସ୍ୱାଧୀନ ପୁଣି ନିଜ ଚାଟିଂରେ ବ୍ୟସ୍ତ ହେଇଗଲେ। ମାନିନୀ ସେମିତି ସେଇଠି ଠିଆ ହେଇରହିଲା। ସେ ଏଇ ଘରେ ରହି ସ୍ୱାଧୀନଙ୍କ ସ୍ୱାଧୀନତାରେ ବାଧା ହବ ନା ଘର ବାହାରକୁ ଯାଇ ନିଜ ସ୍ୱାଧୀନତାକୁ ଉପଭୋଗ କରିବ ଠିକ୍ କରି ପାରୁନଥିଲା।

Leave a Reply