
– ତୁ ଯାଉଛୁ?
– ହଁ |
– ତୁ ତ କହିଥିଲୁ ସବୁଦିନ ପାଇଁ ରହିବୁ ବୋଲି?
– ସେତେବେଳେ ଜାଣି ନଥିଲି |
– କଣ ଜାଣି ନଥିଲୁ?
– ଯେ ମତେ କାଲି କେହି ଜଣେ ଆସି ଏଠୁ ନେଇଯିବ ବୋଲି |
– ତାହେଲେ ମୋ ସାଙ୍ଗେ କାଇଁ ଆସୁଥିଲୁ?
– ମୁଁ ତୋ ସାଙ୍ଗରେ ଆସୁଥିଲି ନା ତୁ ମୋ ସାଙ୍ଗରେ ଆସୁଥିଲୁ?
– ତୁ ଡ଼ରିଲୁ ବୋଲି ମୁଁ ତୋ ସାଙ୍ଗେ ଆସିଲି |
– ହଁ ତତେ ହିଁ ତ ଡ଼ରୁଥିଲି |
– ମତେ କାଇଁ ଡରୁଥିଲୁ?
– ତୁ ଜାଣିନୁ ମୁଁ ତତେ କାଇଁ ଡରୁଥିଲି?
– ମୁଁ କଣ ତତେ ଡରଉଥିଲି କି?
– ତୁ ଡରଉନଥିଲୁ ହେଲେ ଲୋକଙ୍କ କଥା ଶୁଣି ଡର ଲାଗୁଥିଲା |
– କାଇଁକି?
– ତୋ ପାଇଁ ବୋଲି ସେ ଗାଁ ମୁଣ୍ଡରୁ ଏଇ ରାସ୍ତା ଯାଏଁ କେହି ମଣିଷ ଦିଶୁନଥିଲେ |
– ଲୋକଙ୍କର କଣ ଅଛି? ସେମାନେ ତ ଡରେଇବେ |
– ସେଇଟା ସତ | ହେଲେ ସେଇପାଇଁ ମୋର ତୋ ସାଙ୍ଗେ ଦେଖା ହେଇଗଲା |
– ହେଲେ ମତେ କଣ ମିଳିଲା?
– ତତେ କଣ ମିଳିଥାନ୍ତା?
– ତୁ!
– ତୁ ଏତେ କାଇଁ ଭାବୁଥିଲୁ?
– ମୁଁ ଭାବିନି | ତୁ ଭାବିବାକୁ ଦେଲୁ |
– ମୁଁ କେତେବେଳେ ଭାବିବାକୁ ଦେଲି?
– ନହେଲେ ମୋ ସାଙ୍ଗେ ସବୁଦିନ ଚାଲୁଥିଲୁ କାଇଁକି?
– କହିଲି ପରା ତୁ ଡରୁଥିଲୁ ବୋଲି |
– ହେଲେ ତୁ କାଇଁ ଆସିଲୁ ମୋ ପାଖକୁ?
– ତତେ ସେମିତି ଡରିବା ଦେଖି ପାରିଲିନି |
– ଉମମ! ଭାରି ଦୟାଳୁଟିଏ ତ ତୁ!
– ଅନ୍ୟଙ୍କ ପାଇଁ ନୁହେଁ | ତେବେ ତୋ ପାଇଁ |
– ଅନ୍ୟଙ୍କ ପାଇଁ କାଇଁ ନୁହେଁ?
– ସେମାନେ ସବୁ ବଦମାସ |
– ଆଉ ମୁଁ?
– ତୁ ତ ସୁନାନାକୀ |
– ତୋର ଏଇ କଥାଗୁଡା ଶୁଣିବାକୁ ଭଲ ଲାଗେ |
– ଏଇ କଥାସବୁ ଶୁଣିବାପାଇଁ ମୋ ସାଙ୍ଗରେ ଆସୁ ନା?
– ହଁ | ଏଇଟା ପୁରା ସତ ନହେଲେ ବି କିଛି ମାତ୍ରାରେ ସତ?
– ଆଉ ପୁରା ମାତ୍ରାରେ କଣ ସତ?
– ଏଇଆ ଯେ ତୋ ସାଙ୍ଗରେ ଚାଲିଲେ ମତେ ଭଲ ଲାଗେ |
– କାଇଁକି?
– କେତେ ଥର କହିଛି କାଇଁକି ତଥାପି ପଚାରୁଚୁ?
– ମତେ ତୋ ଉତ୍ତର ଶୁଣିବାକୁ ଭଲ ଲାଗେ |
– ହଉ ଶୁଣେ | କାରଣ ତୁ ଅନ୍ୟମାନଙ୍କଠୁ ଅଲଗା |
– ଅନ୍ୟ ମାନଙ୍କଠୁ ମାନେ?
– ମାନେ ମଣିଷ ମାନଙ୍କଠୁ |
– ସେଦିନ ସେଇ ପିଲାମାନେ ଅନ୍ଧାର ଦେଖି ତତେ ହଇରାଣ କରିବା ମୁଁ ଦେଖି ପାରିଲିନି |
– ଆଉ ସେଥିପାଇଁ ସେଦିନ ସେ ପିଲାମାନଙ୍କୁ କି ହଇରାଣ କରିଛୁ ତୁ |
– ସେଦିନ ତାଙ୍କ ଭାଗ୍ୟ ଭଲ ଥିଲା ବଂଚିଗଲେ |
– ତା’ ପରଠୁ ମୁଁ ବସରୁ ଓହ୍ଲେଇଲା ପରେ ମତେ ଏଇ ରାସ୍ତାରେ ଆଉ ତୁ ଏକୁଟିଆ ଆସିବାକୁ ଦଉନି |
– ଦେଇନି କି ଦେବିନି |
– କି ଆଉ ତତେ ଦେବାକୁ ପଡ଼ିବନି |
– କାଇଁ ମନେ ପକେଇ ଦଉଛୁ ସେଇକଥା ସବୁବେଳେ |
– ମନେ ପକେଇଦେଲେ ତୁ ମତେ ଶୀଘ୍ର ଭୁଲି ଯାଇପାରିବୁ |
– ତମେ ମଣିଷ ମାନେ ଭାରି ସ୍ୱାର୍ଥପର |
– ଆଉ ତୁ? ତୁ ବି ତ ମଣିଷ…
– ଥିଲି | ଆଉ ନୁହେଁ | ଏମିତି ହିଁ ଭଲ ଅଛି |
– ହଉ | ଯଦି ଭଲ ଅଛୁ ତାହେଲେ ଖୁସିରେ ବି ରହିବୁ |
– ତୁ ରହିବୁ ଖୁସିରେ?
– ରହିବାକୁ ଚେଷ୍ଟା କରିବି |
– ଅନ୍ଧାରରେ ଡ଼ରିବୁନି?
– ନାଁ ଡ଼ରିବିନି |
– ସତରେ?
– ଡ଼ରିବିନି | ଆଉ ଯଦି ଡରିବି ମୁଁ ଜାଣିଚି ତୁ ସେଠି ବି ଯାଇ ପହଂଚିଯିବୁ |
– ମତେ ଚିହ୍ନିଗଲୁଣି ତାହେଲେ |
– ଏତେ ଦିନ ହେଲା ମୋ ସାଙ୍ଗରେ ଆସୁଛୁ ତତେ ଚିହ୍ନିବିନି |
– ଆଉ କଣ ଜାଣିଚୁ ମୋ ବିଷୟରେ?
– ଆଉ କିଛି ଜାଣେ କି ନାଇଁ ସେକଥା ପରେ | ହେଲେ ମୁଁ ଚାଲିଗଲା ପରେ ଆଉ ଗୋଟେ ଲୋକ ଖୋଜିନବୁ ସାଙ୍ଗରେ ଚାଲିବା ପାଇଁ |
– କାଇଁକି?
– ମୁଁ ତତେ ଏକୁଟିଆ ଦେଖି ପାରିବିନି |
– ଆଉ ସିଏ କଣ ତୋ ଭଳି ଥିବ?
– କେଜାଣି! ତତେ ଖୋଜିବାକୁ ହବ |
– ସେ ବି ତୋ ଭଳି ମତେ ଦେଖି ଡରିବନି?
– ସେଇଟା କହି ପାରିବିନି | ହେଲେ ଏତିକି କହିପାରିବି ଯେ ତତେ ଯିଏ ଜାଣିନବ ସିଏ ତତେ ଆଉ କେବେ ଡରିବନି |
– ଯା! ଏମିତି କହନି | ମୁଁ କାନ୍ଦି ପକେଇବି |
– ତୁ ପ୍ରତିଶୃତି ଦେଇଥିଲୁ ତୁ କାଂଦିବୁନି ବୋଲି |
– ହେଲେ ତୁ ଯାଉଛୁ |
– ହେଲେ ବି ତୁ କାଂଦିବୁନି |
– ହେଇ ତୋ ଘର ଆସିଗଲା |
– କାଲିଠୁ ତତେ ଆଉ ମତେ ଛାଡିବାକୁ ଆସିବାକୁ ପଡ଼ିବନି |
– ଆଉ ଥରେ ଯଦି କହିଥିବୁ ଦେଖିବୁ ମୁଁ କଣ କରିବି |
– କଣ କରିବୁ?
– କିଛି ନାହିଁ | ତତେ ଖାଲି ଆଖିଭରି ଥରେ ଦେଖିବି |
– ହଉ ଦେଖିନେ |
– ତାକୁ କହିବୁ ତତେ ହଇରାଣ କରିବନି |
– ସେ ମତେ ହଇରାଣ କଲେ ତା’ର କଣ ହବ ସେଇଟା ମୁଁ ଜାଣିଚି |
– ଜାଣିଚୁ ଯଦି କହିଦେବୁ |
– ହଉ |
– ଶୁଣିଲୁ |
– କହ |
– ମୁଁ ଯଦି ତୋ ଭଳି ହେଇଥାନ୍ତି ତୁ ମୋ ସାଙ୍ଗେ ସବୁଦିନ ପାଇଁ ରହିଥାନ୍ତୁ?
– ନା |
– ନା?
– ତୁ ମୋ ଭଳି ନୁହେଁ ବୋଲି ମୁଁ ତତେ ଏତେ ଭଲ ପାଏ |
– ସତରେ ତୁ ଭଲ ପାଉ?
– ହଁ | ତୁ ଏବେ ଯା |
– ମତେ ଯିବାକୁ କହୁଚୁ?
– ହଁ |
– ତୁ ସତରେ ଭାରି ସ୍ୱାର୍ଥପର | ଆଗ ତୁ ଭିତରକୁ ଯା |
– ନା |
– ଆଗ ତୁ ଭିତରକୁ ଯା | ତା’ପରେ ମୁଁ ଯିବି |
– ତୁ ନଗଲେ ମୁଁ ଘର ଭିତରକୁ ଯାଇପାରିବିନି |
– ସତରେ ମୁଁ ଚାଲିଯିବି?
– ଯା |
– ତୋ ଆଖିରେ ସେଇଟା କଣ ଚକଚକ ହଉଚି?
– ସେ ମୋ ଆଖିର ଚମକ |
– ହେଲେ ମତେ ସେଇଟା ଲୁହ ଭଳି କାଇଁ ଦିଶୁଚି?
– କାଇଁକି ନା ତୋ ଆଖି ଖରାପ | ତୁ କଣା |
– ଆଉ ତୁ ମିଛେଇ | ହଉ ଯାଉଛି |
ଏତିକି କହି ବ୍ରହ୍ମ ରାକ୍ଷସଟି ଉଡିଯାଇ ଗାଁମୁଣ୍ଡ ବରଗଛ ଓହଳରେ ଝୁଲି ପଡିଲା ଆଉ ଝିଅଟି ଓଦା ଆଖିନେଇ ପଶିଲା ନିଜ ଘର ଭିତରକୁ |