ଲୋକେ ବୋଲିବେ କଣ

ବିବାହ ଏକ ପବିତ୍ର ଅନୁଷ୍ଠାନ | କୁହନ୍ତି ଵିଵାହଟିଏ ସମ୍ପନ୍ନ ହେଲେ ସାତ ପୁରୁଷ ବନ୍ଧୁ ବାନ୍ଧନ୍ତି ଆଉ ଦୁଇଟି ଆତ୍ମା ପରସ୍ପରର ହେଇଯାନ୍ତି ସାତ ଜନ୍ମପାଇଁ | ପୁରୁଣା କାଳରେ ବାହାଘର ହେଲେ ଗାଁ ଲୋକଙ୍କୁ ଭୋଜି ଦେବା ନଜିର ଅଛି | ଖାଇପିଇ ନବବିବାହିତଙ୍କୁ ଆଶୀର୍ବାଦ କରି ଫେରିଯାଉଥିଲେ ସେମାନେ | ତେବେ ସମୟ କ୍ରମେ ଆମ ବିବାହ ପଦ୍ଧତ୍ତିରେ ବିଭିନ୍ନ ପରିବର୍ତ୍ତନ ଆସିଛି | ଆସିବା କଥା ମଧ୍ୟ | ବିନା ପରିବର୍ତ୍ତନରେ କିଏ ବା କେବେ ଆଗକୁ ବଢିଛି? କିନ୍ତୁ ସାମ୍ପ୍ରତିକ ଭାରତୀୟ ବିବାହ ସମାରୋହରେ ଘଟୁଥିବା ଅପବ୍ୟୟତା ଆମ ଭାରତୀୟ ବୈବାହିକ ପଦ୍ଧତ୍ତି ନିଶ୍ଚିତ ରୂପେ ଏକ ପ୍ରଶ୍ନବାଚୀ ସୃଷ୍ଟି କରେ |

ଭାରତର ୨୨% ନାଗରିକ ଦାରିଦ୍ର୍ୟର ସୀମାରେଖା ତଳେ ଥିବାବେଳେ ୨୦୦୪ ମସିହାରେ ସାହାରା କମ୍ପାନୀର ମୁଖ୍ୟ ସୁବ୍ରତ ରାୟ ନିଜେ ଦୁଇ ପୁଅ ବିବାହରେ ସର୍ବମୋଟ ୫୫୨ କୋଟି ଟଙ୍କା ଖର୍ଚ୍ଚ କରିଥିଲେ | ସେହିପରି ୨୦୧୩ ମସିହାରେ ମିତ୍ତଲ ପରିବାର ନିଜ ଝିଅର ବିବାହ ୫୦୫ କୋଟି ଭାରତୀୟ ମୁଦ୍ରା ଖର୍ଚ୍ଚ କରିବାର ନଜିର ରହିଛି | କିନ୍ତୁ ଏଇ ଲେଖାଟି ସମାଜର ଏଇ ପୁଞ୍ଜିପତିଙ୍କ ପାଇଁ ନୁହେଁ ବରଂ ଆମ ଭାରତୀୟ ମଧ୍ୟବିତ୍ତ ପରିବାର ପାଇଁ ଉଦ୍ଦିଷ୍ଟ ଯେଉଁଠି ପିତାମାତା ନିଜ ଜୀବନ ଯାକର ସଞ୍ଚୟ ନିଜ ସନ୍ତାନସନ୍ତତିଙ୍କ ବିବାହରେ ଖର୍ଚ୍ଚ କରିବାରେ ତିଳେମାତ୍ର ପଛଘୁଞ୍ଚା ଦିଅନ୍ତି ନାହିଁ | ଲୋକେ କହିପାରନ୍ତି ବୋହୁ ଯେତିକି ଆଣିଲେ ଘର ପୂରେନି କି ଝିଅକୁ ଯେତିକି ଦେଲେ ଘରୁ ସରେନି | ସରେନି କେମିତି? ନିଶ୍ଚିତ ସରେ | ଏକ ସର୍ବେକ୍ଷଣ ଅନୁସାରେ ଭାରତୀୟ ମାନେ ନିଜ ବିବାହରେ ନିଜ ସାମର୍ଥ୍ୟରୁ ୬ ଗୁଣ ଅଧିକ ଖର୍ଚ୍ଚ କରନ୍ତି | କେବଳ ଏତିକି ନୁହେଁ ୮୦% ମଧ୍ୟବିତ୍ତ ପରିବାର ବିବାହପାଇଁ ବ୍ୟାଙ୍କରୁ ବା ବନ୍ଧୁ ପରିବାରବର୍ଗଙ୍କ ପାଖରୁ କରଜ ମଧ୍ୟ ନେଇଥାନ୍ତି |

ଏଠାରେ ବହୁତ ଲୋକ ଯୁକ୍ତି ବାଢ଼ନ୍ତି ଯେ ବିବାହରେ ଖର୍ଚ୍ଚ କରିବା ଦ୍ୱାରା ସେମାନେ ସମାଜର ଅନେକ ଲୋକଙ୍କ ପାଇଁ ରୋଜଗାର ସୃଷ୍ଟି କରୁଛନ୍ତି | କଥାଟି ସତ ହେଇପାରେ କିନ୍ତୁ ମୁଁ କହି ରଖିବାକୁ ଚାହେଁ ଯେ ବ୍ୟୟ ଓ ଅପବ୍ୟୟ ଭିତରେ ଏକ କ୍ଷୀଣ ସୀମାରେଖା ଅଛି ଏବଂ ଆମେ ସାମ୍ପ୍ରତିକ ବିବାହ ଆୟୋଜନର ସେଇ ଅପଚୟ ଓ ଅପବ୍ୟୟ ଉପରେ ଆଲୋଚନା କରୁଛୁ | ବଜାର ଦର ବଢିବା ସାଙ୍ଗରେ ବର୍ତ୍ତମାନ ବାହାଘରର ଦର ମଧ୍ୟ ବଢିଛି | ୯୦ ଦଶକରେ ଯେତେବେଳେ ୨ ଲକ୍ଷ ଟଙ୍କାରେ ଗୋଟିଏ ମଧ୍ୟବିତ୍ତ ପରିବାର ଝିଅ ବାହାଘର ଜାକଜକମରେ ହେଉଥିଲା ବର୍ତ୍ତମାନ ଲୁଗାପଟା, ଗହଣାଗାଣ୍ଠି, ଆଉ ଭୋଜିଭାତରେ ପ୍ରାୟ ୧୦-୧୫/୨୦ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି | ତା’ଉପରେ ପୁଣି ଏବେ ଆମ ଓଡ଼ିଆ ସମାଜରେ ଧସେଇ ପଶିଛି ଅନେକ ଅତିରିକ୍ତ ଖର୍ଚ୍ଚ ଯେମିତିକି ସଂଗୀତ ପାର୍ଟି, ମେହେନ୍ଦି ପାର୍ଟି, ବ୍ୟାଚେଲର ପାର୍ଟି ଏବଂ ବିବାହୋତ୍ତର ଓ ବିବାହପର ଦାମୀ ଫଟୋଶୁଟ | ଆଜିକା ଦିନରେ ଏକ ନିମ୍ନ ବା ମଧ୍ୟ-ମଧ୍ୟବିତ୍ତ ବିବାହ ଭୋଜିରେ ମଧ୍ୟ ଏତେ ପ୍ରକାରର ଭୋଜନ ହେଇଥାଏ ଯେ ସେଥିରୁ ଅଧେ ଖାଇବା ଜିନିଷ ଚାଖିବାକୁ ଲୋକଙ୍କ ପେଟରେ ବା ପ୍ଲେଟରେ ଜାଗା ନଥାଏ | ଆଗରୁ ଯେଉଁଠି ମଙ୍ଗନରେ ଭାତ ମାଛଝୋଳରେ ଅତିଥିମାନେ ଖୁସି ହେଇ ଯାଉଥିଲେ ତା ସ୍ଥାନ ନେଇଛି ଏବେ ଡିଜେ ନାଚ ଆଉ ବୁଫେ ଭୋଜି |

ବର୍ତ୍ତମାନ ପ୍ରଶ୍ନ ଉଠେ ଏତେ ସବୁ ବ୍ୟୟ ଏତେ ଆଡମ୍ବର ହୁଏ କାହିଁକି ଓ କାହାପାଇଁ? ଏତକ ହୁଏ କେବଳ ଆମର ଲୋକଦେଖାଣିଆ ଗୁଣପାଇଁ, ଲୋକଙ୍କର ବାହାବାହା ନବାପାଇଁ | ଏଥିପାଇଁ ବ୍ୟାଙ୍କରେ ପଛେ ଆମେ ନିଜକୁ ବନ୍ଧା ପକେଇଦେଉ କିନ୍ତୁ ଭାବୁ ଯେ ଯଦି ଆମେ ସମୟ ସହ ତାଳ ଦେଇ ଖର୍ଚ୍ଚ ନ କରିବୁ ତାହେଲେ ଲୋକେ ଆମକୁ କଣ କହିବେ? କିନ୍ତୁ ବାହାଘରଟିଏ ସରିଲା ପରେ ନା କେହି ସେ ଖାଇବାକୁ ମନେ ରଖନ୍ତି ନା ସେ ସାଜସଜ୍ୟା ବା ଆଡ଼ମ୍ବରକୁ | କେବଳ ସେଇ ଗୋଟିଏ ଦିନର ମିଛ ପ୍ରଶଂସା ପାଇଁ ଜୀବନ ଯାକର ପୁଞ୍ଜିକୁ ଆମେ ଦୁଇ ଦିନରେ ଉଡେଇଦେବା ପାଇଁ କୁଣ୍ଠାବୋଧ କରୁନାହୁଁ | ଏଇଟା ବି ଠିକ ଯେ ଏହି ସବୁ ସତ୍ୟକୁ ଉପଲବ୍ଧ କରି ମଧ୍ୟ ବହୁତ ସମୟରେ ସାମାଜିକ ଓ ପାରିବାରିକ ଚାପ ଯୋଗୁଁ ଆମେ ଏହା ବିରୁଦ୍ଧରେ ନିଜ ସ୍ୱର ଉତ୍ତୋଳନ କରିନଥାଉ |

କିନ୍ତୁ ଏଥିରେ ସବୁ ଦୋଷ ପିତାମାତାଙ୍କର ବୋଲି କୁହାଯାଇ ନପାରେ | ଥରେ ଥରେ ପୁଅ ଝିଅମାନେ ନିଜ ଇଚ୍ଛାରେ ପ୍ରତିବେଶ ଓ ପାରିବେଶିକ ଚାପର ବଶବର୍ତ୍ତୀ ହେଇ ନିଜ ବିବାହର ଖର୍ଚ୍ଚ ବଢେଇଥାନ୍ତି | ନିକଟରେ ତାମିଲନାଡୁର ବିଜୟା ଚାନେଲର ଟକ ଶୋ “ନିୟା ନାନା”ରେ କିଛି କଲେଜ ଛାତ୍ରୀ ନିଜ ବିବାହର ଆଡ଼ମ୍ବରକୁ ନେଇ ଅଭିଳାଷ ବ୍ୟକ୍ତ କଲାପରେ ସାରା ତାମିଲନାଡୁରେ ପ୍ରତିବାଦର ସ୍ୱର ଉଠିଥିଲା | ଆଶ୍ଚର୍ଯ୍ୟର କଥା କୌଣସି ପୁଅପକ୍ଷ ନୁହେଁ ବରଂ ଏହି ଛାତ୍ରୀମାନେ ନିଜ ପିତାମାତାଙ୍କଠାରୁ ଦାବି କରିଥିଲେ ନାହିଁ ନଥିବା ଯୌତୁକ | ଘର, ଗାଡି, ଦଶ ଲକ୍ଷ ଟଙ୍କାର ସୁନା, ସମସ୍ତ ଆସବାବପତ୍ର ସହ ସେମାନେ ଇଚ୍ଛାପ୍ରକାଶ କରିଥିଲେ ଯେ ତାଙ୍କ ଭାବୀ ସ୍ୱାମୀ ଗାଡ଼ିରେ ନୁହେଁ ହେଲିକେପ୍ଟରରେ ଆସିବେ ଆଉ ସେଥିପାଇଁ ଝିଅମାନଙ୍କ ପିତାମାତା ଏହି ଖର୍ଚ୍ଚ ବହନ କରିବେ | ଏଣୁ ଏମିତି ଘଟଣାରେ ପିଲାମାନେ ବନ୍ଧୁଗହଣରେ ମିଛ ଆତ୍ମବଡ଼ିମା ଦେଖେଇବା ପାଇଁ ନିଜ ବାପାମାଙ୍କୁ ବଳି ପକାନ୍ତି ନାହିଁ ବୋଲି କହିବା ମିଛ |

ଏଇଟା ସତ ଯେ ବିବାହ ଭଳି ବହୁମୂଲ୍ୟ ମୁହୁର୍ତ୍ତ ଜୀବନରେ ଗୋଟିଏ ଥର ଆସେ | କିନ୍ତୁ ତା ମାନେ ନୁହେଁ ସେଇ ମୁହୂର୍ତ୍ତଟିକୁ କେବଳ ପଇସାର ଅପଚୟ କରି ଉପଭୋଗ କରାଯାଇପାରିବ | ଆଉ ଏଇଟା ବି ମନେରଖିବା ଦରକାର ଯେ ବିବାହ କେବଳ ସେଇ ଗୋଟିଏ ଦିନ ପାଇଁ ନୁହେଁ | ଏହା ଜୀବନ ଯାକର ସମ୍ପର୍କ ଆଉ ସେଇ ଜୀବନର ଚଲାପଥ ପାଇଁ ମଧ୍ୟ ପଇସା ନିତାନ୍ତ ଦରକାର | ବିବାହ ସମୟରେ ଏମିତିରେ ବି ମଧ୍ୟବିତ୍ତ କନ୍ୟାପିତାଟିଏ ନିଜ ଝିଅର ନ୍ୟୁନତମ ଆବଶ୍ୟକତା ପୂରଣ ପାଇଁ ଦେଉଥିବା ଜିନିଷପାଇଁ ପଇସା ଯୋଗାଡ଼ କରୁଥିବାବେଳେ ଆଣ୍ଠେଇ ପଡେ | ଆଉ ବିବାହର ଅଯଥା ବ୍ୟୟବହୁଳ ଆୟୋଜନ ତା ପାଇଁ କେବଳ ବୋଝ ଉପରେ ନଳିତା ବିଡା ହେବା ସାର ହୁଏ |

ଏକ ନିରାଡ଼ମ୍ବର ବିବାହ ଏହି ବିବାହରେ ଅପବ୍ୟୟ ହଉଥିବା ପଇସାର ଅଧା ବି ଯଦି ନବ ଦମ୍ପତ୍ତିଙ୍କ ହାତରେ ଦିଆଯାଏ ତାହେଲେ ଏହା ତାଙ୍କର ଛୋଟବଡ ଘରଖର୍ଚ୍ଚରେ ନିଶ୍ଚିତ ସହାୟକ ହେବ | ଯଦି ପୁଅ ଆଉ ଝିଅଙ୍କ ଘର ଗୋଟିଏ ସହରରେ ବା ଆଖପାଖରେ ଥାଏ ତେବେ ଟିକିଏ ବୁଝାମଣା ଏବଂ ଟିକିଏ ସହଯୋଗ ରଖି ନୂଆ ବନ୍ଧୁ ବାନ୍ଧୁଥିବା ଦୁଇଘର ମିଶି ଯଦି ଗୋଟିଏ ଭୋଜିରେ ନିଜ ଅତିଥିମାନଙ୍କୁ ଡାକି ପାରିବେ | ଏହାଦ୍ୱାରା ଉଭୟ ବରପକ୍ଷ ଓ କନ୍ୟାପକ୍ଷଙ୍କ ଅଯଥା ଅର୍ଥତାଡନା ଲାଘବ ହେବ | ଏଣୁ ପଇସା ଖର୍ଚ୍ଚ ନ କଲେ ଲୋକେ ବୋଲିବେ କଣ ବୋଲି ନ ଭାବି ଆମ ସମାଜର ସାମ୍ପ୍ରତିକ ଯୁବପିଢୀ ଏହି ସମସ୍ୟା ଉପରେ ଆଲୋଚନା କରିବା ଦରକାର ଏବଂ ଏକ ପ୍ରଜ୍ଞାତ୍ମକ ନିଷ୍ପତ୍ତିରେ ଉପନୀତ ହେବା ଆବଶ୍ୟକ | ସେମିତି ହେଲେ ଆମ ସମାଜରେ ଏକ ନିରାଡ଼ମ୍ବର ବିବାହ ପ୍ରଥାର ଆରମ୍ଭ ହେବ ଓ ଏହି ଆର୍ଥିକ ସାମାଜିକ ତଥା ମାନସିକ ସମସ୍ୟାର ସମାଧାନ ନିଶ୍ଚିତ ଭାବରେ ହେଇପାରିବ ବୋଲି ମୋର ବିଶ୍ୱାସ |

Leave a Reply