ଲେଉଟା ଚକୁଳି

ହଷ୍ଟେଲରୁ ଯେତେବେଳେ ଘରକୁ ଯାଉଥିଲି, ଫେରିବାଦିନ ବୋଉ ଯେମିତି ହେଲେ ଲେଉଟା ଚକୁଳି ବନଉଥିଲା। ସବୁବେଳେ କୁହେ, “ଲେଉଟା ଚକୁଳି ଖାଇଲେ ଶୀଘ୍ର ଘରକୁ ଫେରିବୁ।” ମୁଁ ହଷ୍ଟେଲ ଛାଡ଼ିଲି, ଚାକିରୀ କଲି ଆଉ ତା’ପରେ ଶାଶୂଘରକୁ ବି ଚାଲିଗଲି। ହେଲେ ଯେବେ ବି ଘରକୁ ଯାଏ, ଫେରିଲାବେଳକୁ ବୋଉ ଓଲଟା ଚକୁଳି ନ ଖୁଆଇ ଛାଡେନି ମୋତେ। ବୋଉର ଓଲଟା ଚକୁଳି ଖାଇ ମୁଁ ଶୀଘ୍ର ଘରକୁ ଲେଉଟେ କି ନାହିଁ ଜାଣେନା। କେବେ ଦୁଇମାସ ପରେ ଘରକୁ ଯାଏ ତ’ କେତେବେଳେ ଛ’ ମାସ ହେଇଯାଏ କାମର ବ୍ୟସ୍ତତା ଯୋଗୁଁ। ହେଲେ ବୋଉ ପାଇଁ ତା’ ଲେଉଟା ଚକୁଳି ଯେମିତି କିମିଆ କାଠିଟିଏ। ବୋଉର ଦେଖାଦେଖି ମୁଁ ବି ଇଏ ଅଫିସଟୁର୍ ରେ ଗଲାବେଳେ ବନେଇଦିଏ ଦୁଇଟା ଖଣ୍ଡେ ଲେଉଟା ଚକୁଳି। ଇଏ ପଚାରନ୍ତି, “ଏଇଟା କଣ?” ମୁଁ କହେ, “କିମିଆ କାଠି। ଖାଇଦିଅ। ଶୀଘ୍ର ଲେଉଟିକି ଆସିବ।” ଇଏ ଶୁଣି କି ହସନ୍ତି। ସେଦିନ ସକାଳୁ ସକାଳୁ ବାପାଙ୍କ ଫୋନ୍ ଆସିଲା। ଜୀବନରେ କାହାକୁ କେବେ ହଇରାଣ କରିନଥିବା ବୋଉ ମୋର ଆଜି ବି କାହାକୁ ହଇରାଣ କରି ନଥିଲା। ରାତିରେ ଶୋଇଥିଲାବେଳେ ହିଁ ଚାଲିଯାଇଥିଲା ସେ। ମୁଁ ପାରାଦୀପରେ ପହଂଚିବାପରେ ବୋଉର ଶେଷକାମ ହେଲା। ଘରେ ପ୍ରବଳ ଗହଳି। ବନ୍ଧୁବାନ୍ଧବ ଭରପୁର। ତିନିଦିନ ହେଇଗଲା। ଆଜି ଫ୍ରିଜରେ ଥିବା ଖାଇବା ଜିନିଷସବୁ ଫୋପଡା ହବ। ମୁଁ ରୋଷେଇ ଘରକୁ ଗଲି। ବୋଉ ବିନା ରୋଷେଇଘରଟା ଖାଁ ଖାଁ। ମାଇଁ ଫ୍ରିଜ ଖୋଲି ଗୋଟେ ଗିନା ଡାଲି ବାହାରକଲେ। ତା’ପରେ ବାହାର କଲେ ଗୋଟେ କଂସା ବିରିଚାଉଳ ଆଣ। ବୋଉ ବୋଧେ ଚକୁଳି ବନେଇବାକୁ ରଖିଥିଲା। ମୁଁ ଚୁପଚାପ ଦେଖୁଥାଏ ସେଇ ଆଣକୁ। ଓଠ ମୋର ଥରୁଥାଏ। ଆଖିର ଲୁହ ଆଉ ବୋଲ ମାନୁ ନଥାଏ। ଭାବୁଥିଲି ବନେଇ ପାରିଥାନ୍ତି ଯଦି ଚକୁଳିଟିଏ ଆଉ ଖୁଏଇ ପାରିଥାନ୍ତି ବୋଉକୁ ମୋର। ସବୁଦିନ ପାଇଁ ମୋତେ ଛାଡ଼ି ଚାଲି ଯାଇଥିବା ମୋ ବୋଉକୁ କାଳେ ଲେଉଟେଇ ଆଣିପାରିଥାନ୍ତା ମୋ ହାତ ତିଆରି ସେଇ ଲେଉଟା ଚକୁଳିଟି!!!

Leave a Reply