ଲାରେ ଲାପା ଲାରେ ଲାପା ଡାକେ ଠେକୁଆ

କୋଉ ବି ଜିନିଷକୁ ବେଶୀ ଦିନ ସଫା ନ କଲେ ତା ଉପରେ ଧୂଳି ଜମିଯାଏ। ଲୁହାରେ ଧୀରେ ଧୀରେ କଳଙ୍କି ଲାଗିଯାଏ। ସେମିତି ମନରେ ବି ଧୂଳି ବସେ, କଳଙ୍କି ଲାଗେ ଆଉ ସମୟ ଗଡ଼ିବା ସାଙ୍ଗରେ ମନ ଉପରେ ପରଳଟିଏ ବସିଯାଏ। ସାଧାରଣ ଭାଷାରେ କହିବାକୁ ଗଲେ ଧୀରେ ଧୀରେ ମଣିଷର ମନରେ ପୁରୁଣା କଥାର ଜାଗା ନୂଆ କଥା ସବୁ ନେଇଯାଏ। ମନ ପୁରୁଣା କଥା ସବୁ ଭୁଲିବାକୁ ଲାଗେ। କିନ୍ତୁ ପ୍ରଶ୍ନ ହେଲା ମଣିଷ ସତରେ ଭୁଲେ ନା ମନ ଉପରେ ଧୂଳି ଜମି ଯାଇଥାଏ? ଆଉ ସେଇ ଧୂଳିକୁ ସଫା କରିବାକୁ ହେଲେ କଣ କରିବାକୁ ହୁଏ। ତା’ରି ଉପରେ ନେଇ ଆଜିର ଲେଖାଟି।

ସାନ ଥିଲାବେଳେ ସନ୍ଧ୍ୟା ସମୟରେ ଲାଇନ କଟିଗଲେ ଆମର ଆରମ୍ଭ ହେଇଯାଉଥିଲା ଅନ୍ତାକ୍ଷରୀ। “ଲାରେ ଲାପା ଲାରେ ଲାପା ଡାକେ କୋଇଲି। କୋଇଲିର ଡାକ ଶୁଣି ଉଠିପଡ଼ିଲି।” ଆଗରୁ ଏଇଟା ଗାଇ ଅନ୍ତାକ୍ଷରୀ ଆରମ୍ଭ କରୁଥିଲୁ। ଟିଭି ଦେଖି ଟିକେ ହିନ୍ଦୀ ଷ୍ଟାଇଲ ଶିଖିଲା ପରେ ଗାଉଥିଲୁ “ବେଠେ ବେଠେ କ୍ୟା କରେ କରନା ହେ କୁଛ କାମ। ଶୁରୁ କରୋ ଅନ୍ତାକ୍ଷରୀ ଲେକେ ପ୍ରଭୁ କା ନାମ।” ଆଉ ତାପରେ ଆରମ୍ଭ ଛୁଟୁଥିଲା ହିନ୍ଦୀ ଆଉ ଓଡ଼ିଆ ଗୀତର ସ୍ୱର। ତେବେ ମିଛ କହିବିନି। ଆମେ ବେଶି ହିନ୍ଦୀ ଗୀତ ହିଁ ଗାଉଥିଲୁ। ସେତେବେକେ ଶାହରୁଖ ଖାନ ଆଉ ଆମିର ଖାନ ଜର ଭାରି ଜୋରରେ ଧରିଥାଏ। ଥରେ ଥରେ ସନ୍ଧ୍ୟାରେ ଲମ୍ବା ସମୟ ଯାଏଁ ଲାଇନ କଟୁଥିଲା। ସେଇଦିନ ଗୁଡିକରେ ହିନ୍ଦୀ ଗୀତ ସରି ସରିଆସିଲା ବେଳକୁ ଓଡ଼ିଆ ଗୀତଗୁଡିକ ଆସି ଆମକୁ ରକ୍ଷା କରୁଥିଲେ। ତାପରେ ହାରି ଯାଉଥିବା ଦଳ ଭଗବାନଙ୍କୁ ପ୍ରାର୍ଥନା କରୁଥିଲେ କେମିତି ଲାଇନ ଶୀଘ୍ର ଆସିଯିବ। ଆଉ ଭଗବାନ ବି ତାଙ୍କ କଥା ଶୁଣିଲା ଭଳି ଲାଇନ ଚାଲି ଆସୁଥିଲା। ତାପରେ?? ଆଉ ତାପରେ ଆମେ ବଡ଼ ହେଇଗଲୁ। ଆମ ସରକାର ବି କର୍ମଠ ହେଇଗଲେ। ଲାଇନ କଟିବା ଧୀରେ ଧୀରେ କମିଗଲା। ଆଉ ଯଦି ବି କଟିଲା ତାହେଲେ ବି ଘରେ ଘରେ ଇନଭଟର ଲାଗି ଯାଇଥିଲା। ଆମେ ଅନ୍ଧାରରେ ଆଉ ବସୁ ନଥିଲୁ। ତାପରେ ଆସିଲା ବିପ୍ଳବକାରୀ ମୋବାଇଲ ଫୋନ୍। ପିକନିକ ଗଲେ ବି ଲୋକେ ମୋବାଇଲରେ ବ୍ୟସ୍ତ ରହିଲେ। ଖାଲି ସମୟରେ କରିବାକୁ ବହୁତ କିଛି ଥିଲା। ଆଉ ଅନ୍ତାକ୍ଷରୀ ଖେଳିବାକୁ ନା ଥିଲା ସମୟ ନା ଥିଲା ଇଛା!!

ତେବେ ବହୁତ ଦିନ ପରେ, କହିବାକୁ ଗଲେ ପ୍ରାୟ ବାର ତେରବର୍ଷ ପରେ ମତେ ଦିନେ ପୁଣି ସୁଯୋଗ ମିଳିଲା ସେଇ ବିଗତ ଦିନକୁ ଫେରିଯିବାର। ଅନ୍ତାକ୍ଷରୀ ଖେଳିବାର। ନିଜ ଫଟା ଢୋଲ ସ୍ୱରରେ ଆଗରୁ ଗୀତ ବୋଳିବାରେ କିଛି ଲାଜ ଲାଗୁନଥିଲା।କିନ୍ତୁ ଏବେ ଚାକିରୀ ବାକିରୀ କରି ମିଛ ଇଗୋ ପାଳିଲା ପରେ ଗୀତଗାଇବା ଟିକେ କଷ୍ଟ ଥିଲା। କିନ୍ତୁ ଧୀରେ ଧୀରେ ଚାଲିଲା ଗୀତର ଗାଡି ବାଦାମବାଡ଼ି। ଧୂଳିକୁ ଟିକେ ପୋଛାହେଲା। କଳଙ୍କିରେ ତେଲ ମରା ହେଲା। ଗୋଟିଏ ପରେ ଗୋଟିଏ ଗୀତ ବାହାରିଲେ ମନର ପେଡିରୁ ଆଉ ମୁଁ ନିଜେ ବି ଆଶ୍ଚର୍ଯ୍ୟ ହେଇଗଲି।

ଆଉ ସେତିକି ବେଳକୁ ମୁଁ ଲକ୍ଷ୍ୟ କଲି ବାର ତେର ବର୍ଷ ପରେ ବି ଆମେ ଆଜିର ଅନ୍ତାକ୍ଷରୀରେ ସେଇ ଗୀତ ସବୁ ହିଁ ଗାଉଥିଲୁ ଯେଉଁ ଗୀତଗୁଡିକୁ ଗାଇ ଆମେ ବଡ ହେଇଥିଲୁ। ସେଇ ‘ନ’ରେ ପକଉଥିଲୁ, ‘ଲ’ରେ ପକଉ ଥିଲୁ, ‘ଠ’ରେ ପକଉଥିଲୁ କାରଣ ଏଇ ସବୁ ଶବ୍ଦରେ କମ ଗୀତ ଥିଲା। ଦଶବର୍ଷ ପୂର୍ବରୁ, ଦଶବର୍ଷ ପରେ ବି। ‘ତ’ରେ ସେଇ ‘ତୁଝେ ଦେଖା ତୋ ୟେ ଜାନା ସନମ’ ଆଉ ‘ର’ ରେ ‘ରାହ ମେ ଉନସେ ମୁଲାକାତ ହୋ ଗୟି’। ଆଶ୍ଚର୍ଯ୍ୟର କଥା ଯେ ଆମେ ସାନ ଥିଲାବେଳେ ଘରେ ଖାଲି ଟିଭି ଥିଲା ଆଉ ଥିଲା ଗୋଟେ ଟେପ ରେକର୍ଡ଼ର। କ୍ୟାସେଟଵାଲାକୁ ଦିଆହଉଥିଲା ଗୀତଲିଷ୍ଟ। ହେଲେ
ସବୁବେଳେ ଗୀତଶୁଣା ବି ହେଇ ପାରୁନଥିଲା। କେତେବେଳେ କେମିତି। ସ୍କୁଲ, ଟ୍ୟୁସନ, ପରୀକ୍ଷା କେତେ କଣ ଥିଲା। ଆଉ ଆଜି?? ଟିଭି, ଫୋନ୍, ଆଇପଡ଼, ଏମପିଥ୍ରୀ ପ୍ଲେୟାର କେତେକଣ!! କାନରେ ଚବିଶ ଘଣ୍ଟା ଇୟରଫୋନ୍। ଫୋନରେ ଗୀତ ଶୁଣିବାକୁ, ଦେଖିବାକୁ ଆଉ ଡାଉନଲୋଡ଼ କରିବାକୁ ହଜାରେ ଏପ।

କିନ୍ତୁ ମଜାର କଥା ଅନ୍ତାକ୍ଷରୀରେ ଆଜିକା ଦିନର ଗୋଟିଏ ବି ଗୀତ ମନେ ପଡୁନଥିଲା। ସେଇ ସେଇ ପୁରୁଣା ଗୀତ। ବହୁତ ଚେଷ୍ଟା କରୁଥିଲୁ ନୂଆ ଗୀତ ଗାଇବାକୁ। ହେଲେ ସେଇ ଗୀତର ଧାଡିଗୁଡା ହିଁ ମନେ ପଡୁନଥିଲା ଯେଉଁ ଗୀତଗୁଡାକୁ ଆମେ ଦିନସାରା ଶୁଣୁଥିଲୁ। ଆଉ ସେଇ ଗୀତଗୁଡା ହିଁ ଆମେ ଗାଇ ଚାଲିଥିଲୁ ଯେଉଁ ଗୀତଗୁଡା ଆମେ ବିଗତ ଦଶବର୍ଷରେ କଦବା କ୍ଵଚିତ ଶୁଣିଥିଲୁ। କିନ୍ତୁ ଏହା ସତ ଯେବେ ବି ଶୁଣିଥିଲୁ ହାତ ପାଦ ସେଇ ଗୀତର ତାଳେ ତାଳେ ନାଚି ଉଠିଥିଲା ଆଉ ମନ ବି ଉଡି ଯାଇଥିଲା କେଉଁ ଏକ ପୁରୁଣା ଅଫେରନ୍ତା ଗଳିକୁ।

ସେଇ ପୁରୁଣା ଗୀତଗୁଡିକୁ ଗାଇବା ସମୟରେ ମୁଁ ବୁଝିପାରିଲି କେମିତି ସମୟ ସାଙ୍ଗରେ ତାଳ ଦେଇ ଚାଲିବା ଭିତରେ ଗୀତ ଶୁଣିବା ବଢି ଯାଇଛି କିନ୍ତୁ ଗୀତ ଗାଇବା ଆମେ ପୁରାପୁରି ଭୁଲି ଯାଇଛୁ। ନ ଭୁଲିଥିଲେ ବୋଧେ ନୂଆ ଗୀତଗୁଡା ବି ସେମିତି ଓଠକୁ ଆସି ଯାଉଥାନ୍ତା ଯେମିତି ପନ୍ଦର କୋଡିଏବର୍ଷ ତଳର ପୁରୁଣା ଗୀତ ଗୁଡା ଆପଣାଛାଏଁ ଆସି ଯାଉଛି। ପୁରା ଘୋଷି ହେଇଯାଇଛି। ଯେମିତି ଘୋଷିହେଇଥାଏ ୧୨ କ ଯାଏଁ ପଣିକିଆ ଆଉ ସବୁ ସ୍କୁଲ ସାଙ୍ଗଙ୍କ ନାଁ ସାଙ୍ଗରେ ଟାଇଟଲ। ସେଇଠି ମୁଁ ବୁଝିପାରିଲି ଏବେ ବି ମନରେ କେବଳ ଟିକିଏ ଧୂଳି ବସିଯାଇଛି, ଟିକେ କଳଙ୍କି ଲାଗିଯାଇଛି କିନ୍ତୁ ତାକୁ ସଫା କରିବା କିଛି କାଠିକର ପାଠ ନୁହେଁ। ସେଥିପାଇଁ ପୁଣି ନିଜ ଫଟା ସ୍ୱରରେ ଗୀତ ଗାଇବାକୁ ପଡିବ, ଅନ୍ତାକ୍ଷରୀ ପାଇଁ ସାଙ୍ଗ ଯୋଗାଡ଼ କରିବାକୁ ପଡିବ, ସେଇ ପୁରୁଣା ଗଳିକୁ ଫେର ଫେରିବାକୁ ପଡିବ। କାରଣ ଆଜିର ନୂଆ “ମୁଁ” କୁ ଚିହ୍ନିବାକୁ ହେଲେ ମଝି ମଝିରେ ସେଇ ଗତକାଲିର ପୁରୁଣା ‘ମୁଁ’ ସାଙ୍ଗରେ ବି ଭେଟ କରିବା ନିହାତି ଦରକାର। ନିହାତି!! ନୁହେଁ କି?? ‘କ’ ରେ!!! “କିତାବେ ବହତ ସି ପଢିହୋଙ୍ଗି ତୁମନେ, ମଗର କୋଇ ଚେହେରା ଭି ତୁମନେ ପଢ଼ା ହେ????…..”

One Reply to “ଲାରେ ଲାପା ଲାରେ ଲାପା ଡାକେ ଠେକୁଆ”

  1. ଆଜିର ଏଇ ଦ୍ରୁତଗତିରେ ଚାଲିଥିବା ଜୀବନଚର୍ଯ୍ୟା ରେ ବେଳେ ବେଳେ ଥକ୍କା ମାରି ବସି ନିଶ୍ୱାସ ଗଣୁ ଗଣୁ ଗଲା ସମୟକୁ ମନେ ପକାଇବାର ଅଦ୍ଭୁତ ଓ ସ୍ୱପ୍ନିଳ ପ୍ରୟାସ।ଉପସ୍ଥାପନା ପାଇଁ ଅଭିନନ୍ଦନ।

Leave a Reply