ମୂଲ୍ୟ

ଭାଇକୁ ବର୍ଷସାରା ଯେତେ ଭଲପାଇଲେ ବି ଯଦି ଯେଉଁଦିନ ତାଙ୍କ ଉପରେ ମୁଁ ସବୁଠୁ ବେଶୀ ରାଗୁଥିଲି ସେଇ ଦିନଟା ଥିଲା ପ୍ରଥମାଷ୍ଟମୀ | ସେଇଟା ଠିକ ରାଗ ତ ନଥିଲା, ଥିଲା ଇର୍ଷା | ମୁଁ ବୁଝି ପାରୁନଥିଲି ବଡ ଆଉ ସାନଙ୍କୁ ନେଇ ଏଇ ପକ୍ଷପାତଟା କାଇଁକି? ସେଇଦିନ ପୋରୁହାଁ ବୋଲି ଭାଇ ଖାଲି ନୂଆ ପିନ୍ଧିବେ କିନ୍ତୁ ମୁଁ ଆଉ ସାନ ଭଉଣୀ ସୋନି ପୁରୁଣା ଡ୍ରେସ ପିନ୍ଧିବୁ ଏଇ କଥାଟି ମୋ ମୁଣ୍ଡରେ ସହଜରେ ପଶୁନଥିଲା | ମୁଁ ଭାବୁଥିଲି କଣ ଏମିତି ବଡ କାମ ସିଏ କରି ପକେଇଛନ୍ତି ଆଗ ଜନ୍ମ ହେଇକି? ମୁଁ ଆଉ ସୋନି ବୋଉ ଆଗରେ ଫେରାଦ ହଉଥିଲୁ ଆଉ ଅଳି କରୁଥିଲୁ ଯେ ଆମ ପାଇଁ ବି ନୂଆ ଡ୍ରେସ ହଉ | କିନ୍ତୁ ବାପାଙ୍କ ସୀମିତ ଦରମାରେ ଆମ ତିନି ଭାଇ ଭଉଣୀଙ୍କ ପାଇଁ ନୂଆ ଡ୍ରେସ କରିବା କଷ୍ଟକର ଥିଲା | ତେଣୁ ମୁଁ ଆଉ ସୋନି ସେଇ ପୁରୁଣା ଲୁଗାପିନ୍ଧି ଖାଲି ଖିରି ଆଉ ନଡିଆ ପୁରଦିଆ ହଳଦୀପତ୍ର ପିଠାଖାଇ ଖୁସି ହଉଥିଲୁ | ଖୁସି ତ ହଉ ନଥିଲୁ ଖୁସି ହବାର ଅଭିନୟ କରୁଥିଲୁ ଯାହା |

ଭାଇ ବି ଆମ ରାଗକୁ ବଢେଇବାରେ କିଛି କମ ସାହାଯ୍ୟ କରୁନଥିଲେ | ନିଜେ ନୂଆ ଲୁଗା ପିନ୍ଧି ଆମ ଆଗରେ ଦଶଥର ଦେଖେଇ ହଉଥିଲେ | “ମୋର ନୂଆ ତମର ପୁରୁଣା”, “ମୋର ନୂଆ ତମର ପୁରୁଣା” “ମୁଁ ବଡ ତମେ ସବୁ ଛୋଟ”, ଏମିତି କହି କହି ଆମକୁ ଆଉରି ଚିଡଉଥିଲେ | ବୋଉ ବି ଭାଇକୁ କିଛି କହି ପାରୁନଥିଲା ଆଉ ଭାଇ ସେଦିନ ଘରର ରାଜା ଭଳି ବ୍ୟବହାର କରୁଥିଲେ | ମୁଁ ତ ତଥାପି ରାଗିମାଗିକି ରହି ଯାଉଥିଲି କିନ୍ତୁ ସୋନି ଥରେଥରେ ଭେଁ ଭେଁ ହେଇ ରଡି ଛାଡୁଥିଲା | ଏମିତି ଚିଡାଚିଡ଼ି ରାଗରୁଷାରେ ବହୁତ ବର୍ଷ ବିତିଗଲା | ତାପରେ ଘରେ ପ୍ରଥମାଷ୍ଟମୀ ପାଳନ ହଉଥିଲା କିନ୍ତୁ ନୂଆ ଲୁଗା ପିନ୍ଧିବାକୁ ଭାଇ ନଥିଲେ | ଭାଇ ଇଂଜିନିଅରିଂ ପଢିବାକୁ ହଷ୍ଟେଲ ପଳେଇଥିଲେ ଆଉ ପ୍ରାୟ ସେଇ ପ୍ରଥମାଷ୍ଟମୀ ସମୟ ବେଳକୁ ତାଙ୍କର ପରୀକ୍ଷା ପଡିଯାଉଥିଲା | ସେଥିପାଇଁ ସେ ଆଉ ଘରକୁ ଆସି ପାରୁନଥିଲେ | ବୋଉ ସକାଳୁ ପୂଜାକରି ତୁଳସୀ ଚଉରାରେ ମୁଣ୍ଡିଆ ମାରୁଥିଲା | ମୁଣ୍ଡିଆ ମାରିସାରି ସେ ଶାଢ଼ୀକାନିରେ ଆଖି ପୋଛୁଥିଲା ଆଉ ଭାଇକୁ ମନେ ପକାଉଥିଲା | ବାପା ନୂଆ ଡ୍ରେସ ଆଉ ହଳଦୀପତ୍ର ପିଠାନେଇ ଭାଇର ହଷ୍ଟେଲକୁ ଯାଉଥିଲେ | ସେତେବେଳେ ଭାଇ ଘରେ ନ ଥାଇକି ବି ପ୍ରମାଣ କରି ଦଉଥିଲେ ଯେ ସେ ହିଁ ଏଇ ଘରର ରାଜା ଆଉ ସବୁଦିନ ରାଜା ହେଇ ରହିବେ |

ଏଥର ବହୁତ ବର୍ଷପରେ ଆମେ ସମସ୍ତେ ପ୍ରଥମାଷ୍ଟମୀରେ ଏକାଠି ହେଇଥିଲୁ | ସୋନିର ବାହାଘର ଥିଲା | ବାହାଘରର ଦୁଇଦିନ ଆଗରୁ ପ୍ରଥମାଷ୍ଟମୀ ପଡିଥିଲା | ବାପା ବଜାରରୁ ଭାଇ ପାଇଁ ନୂଆ ଡ୍ରେସ ଆଣିଥିଲେ | ବୋଉ ସେଦିନ ସକାଳୁ ଭାଇଙ୍କୁ ଚଉରାମୂଳେ ପିଢ଼ାରେ ବସେଇ ବନ୍ଦେଇଲା | ଶଙ୍ଖ ଫୁଙ୍କିଲା | ଘଣ୍ଟା ବଜେଇଲା | ଚାଉଳ ପକେଇଲା | ସିନ୍ଦୁର ଲଗେଇଲା | ହୁଳହୁଳି ପକେଇଲା | ଘର ଅଗଣା ସବୁଆଡେ ହଳଦୀପତ୍ର ପିଠାରେ ମହକି ଉଠୁଥାଏ | ଆମେ ସମସ୍ତେ ତାଙ୍କୁ ବେଢ଼େଇକି ଠିଆ ହେଇଥିଲୁ | ଭାଇର ପୂଜା ସରିଲା | ଭାଇ ଉଠିକି ଠିଆହେଲେ | ମୁଁ କହିଲି, “ଭାଇ, ଆଜି ଚିଡେଇବନି କି ମୋର ନୂଆ ଆଉ ତମର ପୁରୁଣା ବୋଲି? କହିବନି ମୁଁ ବଡ ଆଉ ତୁମେ ସବୁ ଛୋଟ ବୋଲି?” ଭାଇ କିଛି କହିଲେନି | ଖାଲି ମତେ ଚାହିଁ ଶୁଖିଲା ହସଟେ ହସିଦେଲେ ଆଉ ଥାଳିରୁ ହଳଦୀପତ୍ର ପିଠାଟିଏ ଉଠେଇନେଇ ଚାଲିଗଲେ | ଭାଇ ସେ ଶୁଖିଲା ହସରେ କଣ କହି ଚାଲିଗଲେ? ମୁଁ ଭାଇଙ୍କୁ ଦେଖୁଥିଲି | ସେ ପିଠାଟି ଖାଇ ବାହାଘର କାମରେ ମାତି ଯାଇଥିଲେ | ସବୁ କାମରେ ଭାଇଙ୍କୁ ଡାକରା ହଉଥିଲା |

ଭାଇ ମୋଠୁ ମାତ୍ର ତିନିବର୍ଷ ବଡ ଥିଲେ | ହେଲେ ଭାଇଙ୍କ କାନ ପାଖରୁ ଚୁଟି ପାକଳ ହବାକୁ ବସିଥିଲା ଆଉ ମୁଁ ଏବେ ବି ହିରୋ ଭଳି ଦିଶୁଥିଲି | ମୋ ସାଙ୍ଗମାନେ ମତେ ଚିଡଉଥିଲେ ଯେ ମୁଁ ଆଉଥରେ ବାହା ହବାକୁ ଚାହିଁଲେ ମତେ ଏବେ ବି ଝିଅ ମିଳିଯିବେ | ଭାଇ ଖେଳକୁଦରେ ବହୁତ ଭଲଥିଲେ | ସ୍କୁଲ କଲେଜରେ ନାଁ କରିଥିଲେ ସାନବେଳୁ ଦେଶଭକ୍ତ ଥିଲେ | ଆର୍ମିରେ ଚାକିରି କରିବାକୁ ଚାଁହୁଥିଲେ | ସେଇଟା ତାଙ୍କ ସ୍ବପ୍ନ ଥିଲା | ବଡପୁଅ ପୁଣି ଆର୍ମିରେ ଯିବ?? ମଧ୍ୟବିତ୍ତ ପରିବାର ବଡପୁଅ ହିସାବରେ ତାଙ୍କୁ ଗୋଟେ ସୁରକ୍ଷିତ ଭବିଷ୍ୟତ ବାଛିବାକୁ ଥିଲା | ସେଥିପାଇଁ ସେ ଶେଷରେ ଅନିଚ୍ଛା ସତ୍ତ୍ୱେ ମେକାନିକାଲ ଇଞ୍ଜିନିଅରିଂ ପଢିଲେ | ଘରପାଖ ସହରରେ ଚାକିରୀ କଲେ | କଲେଜରେ ଭାଇ ଗୋଟିଏ ଝିଅକୁ ବହୁତ ଭଲ ପାଉଥିଲେ | ଘରେ ବି କହିଲେ | ହେଲେ ସେ ଝିଅ ଅଲଗା ଜାତିର ଥିଲା | ଘରର ବଡପୁଅ ହିସାବରେ ତାଙ୍କୁ ଘରର ଇଜ୍ଜତ ତଳେ ପକେଇବାକୁ ଦିଆହେଲାନି | ଲୋକେ କଣ କହିବେ?? ଶେଷରେ ବାପାବୋଉଙ୍କ ଇଚ୍ଛାରେ ଭାଇ ବାହାହେଲେ | ଆମେ କେବେ ବି ପଚାରିନୁ ସେ ଖୁସି କି ନୁହେଁ!!

ମତେ ସାମ୍ବାଦିକ ହେବାର ଥିଲା | ଦେଶବିଦେଶ ବୁଲିବାର ଥିଲା | ଘରେ ଏଥିରେ କାହାରି ଆପତ୍ତି ନଥିଲା | ମୁଁ ନିଜ ଇଚ୍ଛାରେ ମାସ କମ୍ୟୁନିକେସନ ପଢ଼ିଲି | ସାମ୍ବାଦିକ ହେଲି | ଏବେ ଦୂରରେ ସ୍ତ୍ରୀକୁ ନେଇ ଆରାମରେ ରୁହେ | ବର୍ଷରେ ଥରେ କୁଣିଆ ଭଳି ବୁଲିବାକୁ ଆସେ | ବାପାବୋଉଙ୍କର କିଛି ବି ଦରକାର ହେଲେ ଭାଇ ଦଉଡ଼ିକି ଆସନ୍ତି| ମୁଁ ଫୋନଟିଏ କରିଦେଇ ମୋ ଦାୟିତ୍ୱ ସାରିଦିଏ | ମତେ କେହି କିଛି ପଚାରନ୍ତି ନାହିଁ | କୋଉ କାମ ପାଇଁ ଭାଇ ନ ଆସି ପାରିଲେ ତାଙ୍କୁ ଶହେଟି ପ୍ରଶ୍ନର ଜବାବ ଦେବାକୁ ପଡେ | ଏବେ ସୋନି ତା ଅଫିସର ଗୋଟେ ଅଲଗା ଜାତିର ପିଲାକୁ ଭଲପାଇ ବାହା ହଉଛି | ବାହାଘର ପରେ ଏବେ ଦୁହେଁ ଆମେରିକା ଚାଲିଯିବେ | ଘରେ ସମସ୍ତେ ଏଇ ବାହାଘରରେ ରାଜି | ଦଶବର୍ଷରେ କୁଆଡେ ଦୁନିଆ ବହୁତ ବଦଳି ଯାଇଛି | କେଜାଣି ହେଇଥିବ!! ସେଇଟା ମୁଁ ଜାଣିନି |

ଭାଇ ସୋନି ବାହାଘରର ସବୁ କାମ ବୁଝୁଛନ୍ତି | ମୁଁ ତାଙ୍କୁ ଖାଲି ଦେଖୁଛି | ତାଙ୍କୁ କଣ ପୁରୁଣା କଥା ମନେପଡେ? ତାଙ୍କ ମନରେ କଣ କେବେ ଅଭିମାନ ଆସେ? କେଜାଣି!! ସେଇଟା ବି ମୁଁ ଜାଣିନି | ମୋର ଭାଇଙ୍କ ନୂଆ ଡ୍ରେସ ଉପରେ ନଜର ପଡିଲା | ପ୍ରଥମ ଥର ପାଇଁ ମୋ ଆଖି ଇର୍ଷା ଆଉ ରାଗ ଜାଗାରେ ଲୁହରେ ଭରିଗଲା | ଭାବୁଥିଲି ପୋରୁହାଁ ହବାର, ବର୍ଷରେ ଥରେ ଆମଠୁ ସ୍ୱତନ୍ତ୍ର ହବାର, ଅଲଗା ହବାର ଆଉ ଘରର ରାଜା ହବାର ମୂଲ୍ୟ କଣ ଏତେ ଅଧିକ? ଆଜି ପର୍ଯ୍ୟନ୍ତ ପ୍ରଥମାଷ୍ଟମୀର ସେଇ ନୂଆ ଲୁଗା ପିନ୍ଧିବାର ମୂଲ୍ୟ ଭାଇ ଦେଇଚାଲିଛନ୍ତି | ପ୍ରତି ମୁହୂର୍ତ୍ତରେ ନିଜ ଖୁସିର ବଳିଦାନ ଦେଇଚାଲିଛନ୍ତି | ନିଜ ଇଚ୍ଛା ଆଗରେ ଅନ୍ୟର ଇଚ୍ଛାକୁ ସମ୍ମାନ ଦେଇଚାଲିଛନ୍ତି | ମୁଁ ମୋ ମୋଟାବୁଦ୍ଧିରେ ଜାଣି ପାରୁନଥିଲି ସେତିକି କରିବାର କ୍ଷମତା ଯାହାର ଥାଏ ସେ ସେଇ ପ୍ରଥମାଷ୍ଟମୀର ଚଉରାମୂଳ ପିଢ଼ାରେ ବସେ ନା ସେଇ ଚଉରାମୂଳ ପିଢ଼ାରେ ବସିଲେ ସେଇ କ୍ଷମତା ନିଜ ଭିତରେ ଆପେଆପେ ଆସିଯାଏ!!!! ଆଜି ମୋ ମୁଣ୍ଡ ମୋ ଭାଇ ଆଗରେ ନଇଁଗଲା | ଇଛା ହଉଥିଲା ଭାଇକୁ କୁଣ୍ଢେଇ ପକାନ୍ତି ଆଉ କୁହନ୍ତି, “ଭାଇ ତୁମେ ପୁରା ଠିକ କହୁଥିଲ | ତୁମେ ସତରେ ବଡ ଆଉ ଆମେ ତୁମ ଆଗରେ ବହୁତ ବହୁତ ଛୋଟ” |

(Picture credit: Swetapadma Satpathy https://medium.com/…/joy-of-being-odia-enduri-pitha-99238ff…)

Leave a Reply