ଭୂତଗପ (1)

ସେଦିନ ରାତିଅଧରେ ହଠାତ୍ ମୋ ନିଦ ଭାଙ୍ଗିଗଲା। ରାତିରେ ପଢୁ ପଢୁ ସେମିତି ଶୋଇପଡିଥିଲି ଆଉ ଝରକାଟା ବନ୍ଦ କରିବାକୁ ଭୁଲି ଯାଇଛି। ଆଉ ସେଥିପାଇଁ ରାତିସାରା ମଶାଗୁଡା ମୋ ଉପରେ ପିକନିକ କରିଛନ୍ତି। ମୁଁ ଉଠିକି ଝରକା ପାଖକୁ ଆସିଲି ତାକୁ ବନ୍ଦ କରିବାକୁ। ହାତ ବଢ଼େଇ ବାହାରପଟେ ଥିବା ଝରକା କବାଟଟାକୁ ଟାଣୁଛି ହଠାତ୍ ସତ୍ୟର ବସା ଉପରକୁ ନଜର ଗଲା। ସତ୍ୟ ମୋ ଗାଁ ପିଲା ଆଉ ସେ ସେଇ ବସାରେ ଆମର ଆଉ ଗୋଟିଏ ଗାଁ ପିଲା ତରୁଣ ସାଙ୍ଗରେ ରୁହେ। ତା’ ବସା ସାମ୍ନା ଲାଇନରେ ଚାରି-ପାଞ୍ଚ ଘର ଛାଡ଼ି ଏଇ ବସାରେ ମୁଁ ମୋ ଭାଇ ରବି ସାଙ୍ଗରେ ରୁହେ। ଆମେ ସମସ୍ତେ ଗୋଟିଏ କୋଚିଙ୍ଗ ସେଣ୍ଟରରେ ବ୍ୟାଙ୍କ ଚାକିରିପାଇଁ କୋଚିଂ ନେଉ। ମୋ ଘର ଝରକାରୁ ସତ୍ୟର ବସା ଦେଖାଯାଏ ଆଉ ଏଇ ରାତିରେ ସତ୍ୟର ବସା ଛାତ ଉପରେ ମୋ ନଜର ପଡିବା କ୍ଷଣି ମୋ ଛାତିରେ ଧଡ଼କିନି ଶବ୍ଦଟିଏ ହେଲା। ଦେଖିଲି ତା ‘ ଛାତରେ କିଏ ଜଣେ ଧଳାଲୁଗାଟିଏ ପିନ୍ଧି ଚାଲୁଛି। ଧୀରେଧୀରେ ପୁରା ଛାତରେ ଚକ୍କର ମାରୁଛି। “ଏତେ ରାତିରେ ତା’ ବସା ଉପରକୁ କିଏ ଯିବ? ଆଉ ଏତେ ଅନ୍ଧାରରେ ଛାତ ଉପରେ କିଏ ବା’ ବୁଲିବ? ଆଉ ଏମିତି ଧଳାଲୁଗା ପିନ୍ଧି? ତା’ହେଲେ ମୁଁ ଯାହା ଚିନ୍ତା କରୁଛି ସେଇଟା କଣ ସତ??” ହଠାତ କାହିଁକି ଲାଗିଲା ସେ ମୂର୍ତ୍ତିଟା ଏବେ ମୋ ଆଡେ ମୁହଁ କରି ଠିଆ ହେଇଛି। ମୋ ଦେହରୁ ଝାଳ ବହେ ବୋହିଗଲା। ହାତଟା ଥରି ଉଠିଲା। ମୁ ଜଲଦି ଝରକା କବାଟଟାକୁ ଟାଣି ଆଣି ବନ୍ଦ କରିଦେଲି। ଛାତିଟା ବହୁତ ଜୋରରେ ଧଡଧଡ କରୁଥାଏ। ଭାଇକୁ ବି ଏଇ ସମୟରେ ଘରକୁ ଯିବାର ଥିଲା। ଏକୁଟିଆ କେମିତି ଏବେ ଶୋଇବି ମୁଁ। ଭାବିଲି ସତ୍ୟକୁ ଫୋନ୍ କରିବି। କିନ୍ତୁ ପୁଣି ଘଣ୍ଟା ଦେଖିଲି ରାତି ଦୁଇଟା। ଏଇ ସମୟରେ ତାକୁ ଫୋନ୍ କରିବା କଣ ଉଚିତ ହେବ?? ସକାଳଯାଏଁ ଟିକେ ଅପେକ୍ଷା କରିଯାଏ। ହେଲେ ସକାଳ ହବ ବା କେମିତି?? ଏଇ ରାତିଟା ଯେମିତି ମୋ ଜୀବନର ସବୁଠୁ ଲମ୍ବା ରାତି ଥିଲା। ସେଦିନ ରାତିରେ ଆଉ ନିଦ ହେଲାନି ମତେ ଆଉ ସେଥିପାଇଁ ସକାଳୁ ସକାଳୁ ଆଖିଟା ଲାଗିଗଲା। ସକାଳୁ ଉଠୁଉଠୁ ଆଠଟା। ଆଜି କୋଚିଂ କ୍ଲାସ ନାହିଁ। ମୁଁ ସାର୍ଟଟା ଗଳେଇ ଦେଇ ବାହାରିଲି ସତ୍ୟ ବସାକୁ। ତା ବସାରେ ପହଂଚିଲା ବେଳକୁ ସତ୍ୟ ଏକୁଟିଆ। ତରୁଣ ବାହାରକୁ କୁଆଡେ ଯାଇଥିଲା। ମୁଁ ସତ୍ୟକୁ କହିଲି, “ଦେଖ ସତ୍ୟ, ମୁଁ ଯାହା କହିବି ଡରିବୁନି” ତା’ପରେ ତାକୁ ସବୁକିଛି କହିଲି। ମୋ କଥା ଶୁଣିଲାପରେ ସେ ହସି ହସି ଗଡିଗଲା। କହିଲା,”ଆରେ ଭାଇ, ମୁଁ ରାତିସାରା ଏଠି ରୁମରେ ମୋ ଗାର୍ଲଫ୍ରେଣ୍ଡ ସାଙ୍ଗେ ଫୋନରେ ଗପିଲେ ତରୁଣ ରାଗୁଛି ଆଉ ଭଲରେ ଶୋଇ ପାରୁନି। ସେଥିପାଇଁ କାଲି ରାତିରେ ମୁଁ ଛାତକୁ ପଳେଇଥିଲି କଥାହବାକୁ। ରାତିରେ ଟିକେ ଥଣ୍ଡା ପଡିଲା ସେଥିପାଇଁ ମୋ ଧଳାଚାଦରକୁ ନେଇ ମୁଣ୍ଡରୁ ଗୋଡଯାଏଁ ଗୁଡେଇ ହେଇଯାଇଥିଲି। ତାପରେ ସେଇ ଉପରେ ହିଁ ସପ ପକେଇ ରାତିରେ ଶୋଇପଡ଼ିଲି। ରାଗେନା ଭାଇ , ମତେ କ୍ଷମା କରେ ଭାଇ। ମୋ ପାଇଁ ତୁ କାଲି ରାତିସାରା ଶୋଇପାରିଲୁନି।” ତା’ କଥା ଶୁଣି ମୁଁ ରାଗିବି କଣ ବରଂ ହସି ପକେଇଲି। ଭାବିଲି, “ଯା’ ହଉ ମଣିଷ ଟିକିଏ ଶାନ୍ତିରେ ଘରେ ଶୋଇ ତ ପାରିବ। ଏଇ ଭୂତଫୁତ କଥା ସତ ହେଇଥିଲେ କିଏ ପିଠିରେ ପଡିଥାନ୍ତା??” ଆମେ ଦୁଇଜଣ ପୁଣି ହସରେ ଫାଟି ପଡ଼ିଲୁ। ସେତେବେଳେ ତରୁଣ ଘର ଭିତରେ ପଶିଲା। ଆମ ହସ ଦେଖି ପଚାରିଲା, “କଣ ହେଲା ଭାଇମାନେ, ଆଜି ସକାଳୁ ସକାଳୁ କଣ ହସର ଆସର ବସିଛି??” ସତ୍ୟ ହସି ହସି ତରୁଣକୁ ସବୁ କଥା କହିଲା। ସବୁ ଶୁଣି ସାରିଲାପରେ ତରୁଣ ମୁହଁରୁ ହସ ଲିଭିଗଲା। ସେ କହିଲା, “ସତ୍ୟ, ତୁ ଯଦି କାଲି ରାତିରେ ଛାତ ଉପରେ ଥିଲୁ ଆଉ ସେଇଠି ହିଁ ଶୋଇପଡ଼ିଲୁ, ତାହେଲେ କାଲି ରାତିସାରା ମୋ ଉପରେ ଗୋଡ ପକେଇ ମୋ ପାଖରେ କିଏ ଶୋଇଥିଲା??” ତରୁଣ କଥାଶୁଣି ଏବେ ଆମ ମୁହଁରୁ ହସ ଲିଭି ଯାଇଥିଲା।

Leave a Reply