ଭୂତଗପ (୩) ଶେଷଭାଗ

(ବିଶେଷ ଦ୍ରଷ୍ଟବ୍ୟ: ଯେଉଁ ବନ୍ଧୁମାନେ ଭୂତଗପ-୧ ଓ ୨ ପଢିଛନ୍ତି ସେମାନେ ଆଗକୁ ବଢନ୍ତୁ। ଯେଉଁ ବନ୍ଧୁମାନେ ପଢି ନାହାନ୍ତି ଦୟାକରି ପ୍ରଥମେ ସେଇ ଦୁଇଟି ଗପ ପଢନ୍ତୁ ଆଉ ତା’ପରେ ଏଠିକି ଆସନ୍ତୁ।)

ଘର ଭିତରେ ପୁରାପୁରି ଅନ୍ଧାର। ଜହ୍ନ ଆଲୁଅ ଟିକିଏ ଆସି ଘର ଭିତରେ ପଡିଲା। ସେଇ ଆଲୁଅ ଭିତରେ ଦେଖିଲି ଗୋଡରୁ ମୁଣ୍ଡ ଯାଏଁ ଧଳା ଚାଦର ଗୁଡେଇ କିଏ ଜଣେ ଛାତରୁ ଓଲ୍ହେଇ ଘର ଭିତରକୁ ଦୋହଲି ଦୋହଲି ଆସୁଛି। ମୁଁ ଆଉଥରେ କବାଟ ବାଡ଼େଇଲି। କବାଟ ଖୋଲୁନି। ମୁଁ ହନୁମାନଚାଳିଶା ଆରମ୍ଭ କରିଦେଇ ମୁଁ ଓଲଟି ପଡିିଲାବେଳକୁ ସେଇ ମୂର୍ତ୍ତିଟି ମୋ ସାମ୍ନାରେ। ମୋ ରକ୍ତ ପାଣିଫୋଟକା ହେଇଗଲା। ତଥାପି ବହୁତ ସାହସ କରି କଣ ଭାବିଲି କେଜାଣି ଚାଦରଟିକୁ ଟାଣିଆଣିଲି। ଚାଦର ଭିତରେ ସତ୍ୟ। ମତେ ଦେଖି ମାଙ୍କଡ଼ ଭଳି ଖେଁଖେଁ ହେଇ ହସିଉଠିଲା। ମୋ ମୁଣ୍ଡକୁ ପିତ୍ତ ଚଢ଼ିଗଲା। ମୁଁ ତାକୁ ପିଟିବାକୁ ହାତ ଉଠେଇଲାବେଳକୁ ସେ ହାତଯୋଡି କହିଲା, “ସରି ସରି ଏଇଟା ସବୁ ତରୁଣର ବୁଦ୍ଧି। ମତେ ଛାଡ଼ିଦେ ପ୍ଲିଜ। ଯାହା କରିବୁ ତାକୁ କରେ।” ମୁଁ ତା ପିଠିରେ ବିଧାଟେ ପକେଇଲି। ତାପରେ କହିଲି, “କାଇଁ ସେ ଚଣ୍ଡାଳ। ଆଜି ସେ ମଲା।” ସତ୍ୟ ସିଡିଘର ପାଖକୁ ଯାଇ ଡାକିଲା, “ତରୁଣ, ତରୁଣ, ଆସେ।” ଉପରୁ କିଛି ଉତ୍ତର ଆସିଲାନି। ମୁଁ ସତ୍ୟକୁ ଚାହିଁ କହିଲି, “ସେ ମାଡ ଡରରେ ଆଉ ଆସିବନି। ଚାଲ ଉପରକୁ। ସେଠିଯାଇ ତାକୁ ଛେଚିଦେଇ ଆସିବି।” ମୁଁ ସତ୍ୟକୁ ଟାଣିନେଇ ଛାତ ଉପରକୁ ଉଠିଗଲି। ତରୁଣ କାହିଁ?? ଛାତଟା ଜହ୍ନ ଆଲୁଅରେ ଚକଚକ୍ କରୁଥିଲା। ବୁଲିପଡ଼ି ଦେଖିଲା ବେଳକୁ ତରୁଣ ଛାତର ଗୋଟେ କୋଣରେ ଆମକୁ ପଛକରି ଠିଆ ହେଇଛି। ମୁଁ ଅଣ୍ଟାରେ ଦୁଇହାତ ରଖି କହିଲି, “ସେଠି ଲୁଚିଲେ କଣ ବଂଚିଯିବୁ ଭାବୁଚୁ କିରେ?” ସେ କିଛି କହିଲାନି। ମୁଁ କହିଲି, “ଏଠିକି ଆସେ।” ତରୁଣ ମୋ କଥାଶୁଣି ସେମିତିି ଆମକୁ ପଛକରି ପଛକୁ ପାଦ ଘସାରିଘସାରି ଆମ ଆଡକୁ ଆସିଲା। ସତ୍ୟ କହିଲା, “ଥାଉ ବହୁତ ନାଟକ ହେଲା। ୟାକୁ ଏବେ ଏଇଠି ସାରିବା।” ସେତେବେଳକୁ ତରୁଣ ଆମ ସାମ୍ନାରେ। ମୋର ସେତେବେଳକୁ ଆଉ ଧୈର୍ଯ୍ୟ ନଥିଲା। ମୁଁ ତରୁଣର କାନ୍ଧ ଧରି ତାକୁ ଓଲଟେଇ ଦେଲି। ହେଲେ ଇଏ କଣ!! ଜହ୍ନ ଆଲୁଅରେ ଦେଖିଲି ତରୁଣର ମୁହଁ ନାହିଁ। ମୁହଁ ଜାଗାରେ ଖାଲି ଗୋଟେ ମାଂସପିଣ୍ଡୁଳା। “ଇଲୋ ବୋଉଲୋ। ବଞ୍ଚାଲୋ ” କହି ମୁଁ ଆଉ ସତ୍ୟ ପ୍ରାଣବିକଳରେ ତଳକୁ ପାର୍। ସତ୍ୟ ଦାଣ୍ଡକବାଟଟା ଖୋଲିଦେଲାମାତ୍ରେ ଆମେ ଏକମୁହାଁ ହେଇ ଦଉଡିଲୁ। ତା’ପରେ କଣ ହେଲା ଆମେ ଜାଣିନୁ।

ପରଦିନ ଜାଣିଲୁ ଲୋକେ ଆମକୁ ସକାଳୁ ମୋ ଘରସାମ୍ନାରେ ପଡିଥିବାର ଦେଖି ଉଠେଇଛନ୍ତି। ତରୁଣକୁ ଦେଖିଲୁନି। ଯାହା ଶୁଣିଲୁ ସେଥିରେ ରୁମଟାଙ୍କୁରି ଗଲା। କାଲି ସକାଳୁ ତରୁଣ ଯୋଉ ବାହାରକୁ ଯାଇଥିଲା ସେଠି ଗୋଟେ ଟ୍ରକ ତଳେ ଆସିଯାଇଥିଲା। ଆଉ ତା’ ମୁଣ୍ଡଟା ପୁରା ନଷ୍ଟ ହେଇଯାଇଥିବାରୁ ତାକୁ ଚିହ୍ନଟ କରିବାକୁ ପୋଲିସ କୁ ଚବିଶଘଣ୍ଟା ଉପରେ ସମୟ ଲାଗିଯାଇଥିଲା।

Leave a Reply