ଭୂତଗପ (୨)

 

(ବିଶେଷ ଦ୍ରଷ୍ଟବ୍ୟ: ବହୁ ପାଠକଙ୍କ ଅନୁରୋଧ ଯୋଗୁଁ ମୁଁ ଭୂତଗପ-୨ ଲେଖିଛି। ଯେଉଁ ବନ୍ଧୁମାନେ ଭୂତଗପ-୧ ପଢିଛନ୍ତି ସେମାନେ ଆଗକୁ ବଢନ୍ତୁ। ଯେଉଁ ବନ୍ଧୁମାନେ ପଢି ନାହାନ୍ତି ଦୟାକରି ପ୍ରଥମେ ସେଇ ଗପଟି ପଢନ୍ତୁ ଆଉ ତା’ପରେ ଏଠିକି ଆସନ୍ତୁ।)

ଗତ ରାତିର ସବୁକଥା ଶୁଣି ସାରିଲାପରେ ତରୁଣ ମୁହଁରୁ ହସ ଲିଭିଗଲା। ସେ କହିଲା, “ସତ୍ୟ, ତୁ ଯଦି କାଲି ରାତିରେ ଛାତ ଉପରେ ଥିଲୁ ଆଉ ସେଇଠି ହିଁ ଶୋଇପଡ଼ିଲୁ, ତାହେଲେ କାଲି ରାତିସାରା ମୋ ଉପରେ ଗୋଡ ପକେଇ ମୋ ପାଖରେ କିଏ ଶୋଇଥିଲା??” ତରୁଣ କଥାଶୁଣି ଏବେ ଆମ ମୁହଁରୁ ହସ ଲିଭି ଯାଇଥିଲା। ସତ୍ୟ ଓ ମୁଁ ପରସ୍ପରର ମୁହଁ ଚାହାଁଚାହିଁ ହେଲୁ। ଆମ ମୁହଁ ଶୁଖିଗଲା ଆଉ ତଣ୍ଟି ଅଠା ହେଇଗଲା। ଆମେ ଆସ୍ତେ କି ନିଜ ଛେପ ଢ଼ୋକିଲୁ। ଆମର ଏମିତି ଅବସ୍ଥା ଦେଖି ତରୁଣ ଫେଁଫେଁ ହେଇ ହସି କି ତାଳି ମାରିଲା। କହିଲା, “ଦେଖିଲ କେମିତି ଡରେଇ ଦେଲି?? କଣ ନା ଭୂତ!! ନିଜକୁ ଟିକେ ଯାଇ ଦର୍ପଣରେ ଦେଖ। ଡରିକି ଯାହା ଦେଖା ଯାଉଛ।” ଆମେ ନିଜ ଜାଗାରୁ ଉଠିଆସି ତରୁଣକୁ ପିଟିବାକୁ ଲାଗିଲୁ। ତରୁଣ ହସି ହସି ଗଡି ଯାଉଥାଏ। ତା’ପରେ ଘରର ବାତାବରଣଟା ପୁରାପୁରି ବଦଳିଗଲା। ଆମେ ପୁଣି ନିଜ ଗୁଲିଖଟିରେ ମାତିଗଲୁ। ସେମିତି ହସଗମାତ ହଉହଉ ଦିନ ତିନି’ଟା ବାଜିଗଲା। ସତ୍ୟ ଆଉ ତରୁଣ କହିଲେ ତାଙ୍କ ସାଙ୍ଗେ ଖାଇଦବା ପାଇଁ। ଗପସପ ହେଇ ମିଶିକି ବଢିଆ ରୋଷେଇଟେ କଲୁ। ଖାଉଖାଉ ସନ୍ଧ୍ୟା ସାଢ଼େ ଚାରିଟା ହେଇ ଯାଇଥିଲା। ଖାଇବା ପରେ ଭଲ ନିଦଟିଏ ମାଡି ଆସିଲା। ସେଇ ନିଦ କୋଉ ଆଉ ସହଜରେ ଭାଙ୍ଗୁଛି। ଉଠିଲା ବେଳକୁ ସନ୍ଧ୍ୟା ସାତଟା ପନ୍ଦର। ବାହାରେ ପୁରା ଅନ୍ଧାର। ସତ୍ୟ ଆଉ ତରୁଣ ତଥାପି ଶୋଇଥାନ୍ତି। ମୁଁ ଠେଲି କି ତାଙ୍କୁ ଉଠେଇଲି। ଆଖି ମଳି ମଳି ଆଗ ସତ୍ୟ ଉଠିଲା। ଉଠିକି ରୋଷେଇଘରକୁ ଗଲା ଚା’ ବନେଇବାକୁ। ତା’ପରେ ତରୁଣ ଉଠିଲା। ହଲିହଲି କି ବାଥରୁମ ଭିତରେ ପଶିଲା। ମୁଁ ଫୋନ୍ ଉଠେଇଲି ମୋର ମେସେଜ ଚେକ୍ କରିବା ପାଇଁ। ସାଙ୍ଗେ ସାଙ୍ଗେ ସତ୍ୟର ଫୋନ୍ ଆସିଲା। “ଆରେ, ସତ୍ୟ ଫେର୍ କାଇଁ ମୋତେ କଲ କରୁଛି? ମୁଁ ଜୋରରେ ପାଟି କଲି, “ସତ୍ୟ, ତୁ କାଇଁ ମତେ ଫୋନ୍ କରୁଛୁ?” ରୋଷେଇଘରୁ କିଛି ଉତ୍ତର ମିଳିଲାନି। ମୁଁ ଦଉଡି କି ରୋଷେଇଘରକୁ ଗଲି। ରୋଷେଇଘରେ କେହି ନାହିଁ। “ସତ୍ୟ କାହିଁ? ଏବେ ହିଁ ତ ଏଠି ଥିଲା!” ସତ୍ୟର ପୁଣି ଫୋନ୍ ଆସିଲା। ମୁଁ ଏଥର ଫୋନ୍ ଉଠେଇଲି। “ସତ୍ୟ, ତୁ କୁଆଡେ ଗଲୁ??” ମୁଁ ଫୋନ୍ ଉଠେଇ କି ଜୋରରେ ତାକୁ ପଚାରିଲି। ସେ କହିଲା, “ରବି, ସକାଳୁ ତୋ ଫୋନ୍ କାଇଁ ଲାଗୁନି? ମୁଁ ଆଉ ତରୁଣ ତତେ ସକାଳୁ ଲଗଉଛୁ।” ମୁଁ କହିଲି, “ସତ୍ୟ, କଣ ମଜା ଲଗେଇଛୁ।ଆମେ ପରା ସକାଳୁ ମିଶିକି ଅଛେ।” ସତ୍ୟ କହିଲା, “କଣ ସବୁ କହୁଛୁ ରବି? ମୁଁ ଆଉ ତରୁଣ କାଲି ସନ୍ଧ୍ୟା ବସରେ ଗାଁକୁ ଚାଲି ଆସିଛୁ।” “ସତ୍ୟ ମୁଁ ପରା ଏବେ ତୋ ଘରେ!”, ମୁଁ ଥରିଥରି କହିଲି। “ଆରେ ଆମ ଘରେ ତ ତାଲା ପଡିଛି।” ସତ୍ୟ ଉତ୍ତର ଦେଲା। “କଣ ଏସବୁ କହୁଛୁ ତୁ ସତ୍ୟ? ତରୁଣ ଏବେ ବାଥରୁମରେ! ଆଉ ତୁ ବି ତ ଏଠି ଥିଲୁ!” ମୁଁ କାନ୍ଦକାନ୍ଦ ହେଇ ଏତିକି କହିଲି ଆଉ ଦୌଡ଼ି ଯାଇ ବାଥରୁମ କବାଟଟାକୁ ଠେଲିଦେଲି। ବାଥରୁମ ଖାଲି। ତରୁଣ ନଥିଲା। ମୁଁ ଫୋନଟାକୁ ଫୋପାଡିଦେଲି ଖଟ ଉପରେ। ଆଉ ଦୌଡିଯାଇ ଦାଣ୍ଡ କବାଟଟାକୁ ଖୋଲିବାକୁ ଚେଷ୍ଟାକଲି। କବାଟ ଖୋଲିଲାନି। କବାଟକୁ ଯେମିତି କିଏ ବାହାରୁ ବନ୍ଦ କରି ଦେଇଛି। ମୁଁ କବାଟ ବାଡ଼େଇଲି। ବାହାରୁ କିଛି ଉତ୍ତର ନାହିଁ। ହଠାତ ଲାଇଟ ଲିଭିଗଲା। ମୁଁ ବୁଲିପଡ଼ି ଘର ଭିତରକୁ ଚାହିଁଲି। ଘର ଭିତରେ ପୁରାପୁରି ଅନ୍ଧାର। ଜହ୍ନ ଆଲୁଅ ଟିକିଏ ଆସି ଘର ଭିତରେ ପଡିଲା। ସେଇ ଆଲୁଅ ଭିତରେ ଦେଖିଲି ଗୋଡରୁ ମୁଣ୍ଡ ଯାଏଁ ଧଳା ଚାଦର ଗୁଡେଇ କିଏ ଜଣେ ଛାତରୁ ଓଲ୍ହେଇ ଘର ଭିତରକୁ ଦୋହଲି ଦୋହଲି ଆସୁଛି।

Leave a Reply