ଭୁଷ ପଣ୍ଡିତ ରିଅଲିଟି ଶୋ ଜଜ

ଗତବର୍ଷ ବିଭିନ୍ନ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମରେମୁଁ ରଜ କ୍ୱିନ, ରଜ ସୁନ୍ଦରୀ କାର୍ଯ୍ୟକ୍ରମ ଗୁଡିକର ପ୍ରତିଯୋଗୀଙ୍କ ବହୁତ ଟ୍ରୋଲ୍ ଭିଡିଓ ଦେଖିଥିଲି | ଦେଖୁଥିଲି ଯେ ସେଇ ସବୁ ଭିଡିଓ ଲୋକମାନେ ସବୁ ସେଇ ପ୍ରତିଯୋଗୀ ଝିଅଙ୍କ ମୁର୍ଖତା କଥା କହୁଛନ୍ତି ହେଲେ ମୁଁ ଭାବିଲି କାହିଁ କେହି ତ କେବେ ସେଇ କାର୍ଯ୍ୟକ୍ରମ ଗୁଡିକରେ ଜଜ ବା ବିଚାରକ ଥିବା ଲୋକଙ୍କ କଥା କହୁନାହାନ୍ତି | ତେଣୁ ଭାବିଲି ଆମେ ସେଇ ଅଭଦ୍ର ବିଚାରକ ମାନଙ୍କ କଥା ମଧ୍ୟ ଟିକିଏ କହିବା ଦରକାର |

କିଛି ଝିଅଙ୍କୁ ଛାଡିଦେଲେ ଅଧିକାଂଶ ପ୍ରତିଯୋଗୀ ଝିଅ ଗୁଡିକ ତ ମୂର୍ଖ | ପାଠଶାଠ ପଢି ବି ଗଧିଙ୍କ ଭଳି ଦୁଇ କେ ଦଶ କହି ନିଜ ଘର, ଗାଁ, ସ୍କୁଲ, କଲେଜ, ଜିଲ୍ଲାର ନାଁ ତଳେ ପକଉଛନ୍ତି | ହେଲେ ମୁଁ ଭାବେ ସେଇ ରିଅଲିଟି ଶୋ ଗୁଡିକର ଅସଭ୍ୟ ଜଜ୍ ଗୁଡ଼ାଙ୍କର ଏତେ ଫୁଟାଣି କୋଉ କଥା ପାଇଁ? ସେ ଝିଅମାନଙ୍କୁ ଏତେ ଅପମାନ ଏତେ ବେଇଜତ କରିବାର ଅଧିକାର ସେଇ ଅଶିଷ୍ଟ ଜଜ୍ ମାନଙ୍କୁ ଦେଇଛି କିଏ? ଏଇ କାର୍ଯ୍ୟକ୍ରମ ଗୁଡିକରେ ସେମାନେ ଏମିତି ବ୍ୟବହାର ଦେଖେଇ ପ୍ରଶ୍ନ ପଚାରୁଛନ୍ତି ଯେମିତି ନିଜେ କୌନ ବନେଗା କରୋଡପତିରୁ ସାତ କୋଟି ଜିତିକି ଆସିଛନ୍ତି |

ଆଉ ଗୋଟେ ଜିନିଷ ବି ମୁଁ ଅନୁଧ୍ୟାନ କରିଥିଲି ଏଇ କାର୍ଯ୍ୟକ୍ରମ ଗୁଡିକରେ | ଦେଖିଲି ଯେ ଯଦି କୋଉ ପ୍ରତିଯୋଗୀ ପ୍ରଶ୍ନର ଠିକ ଉତ୍ତର ଦେଇଦେଲା ତାହେଲେ ଜଜ୍ ମାନଙ୍କ ମୁହଁ ଶୁଖିଯାଉଛି | ସେଇ ପ୍ରତିଯୋଗୀକୁ ସେମାନେ ପ୍ରଶ୍ନ ପଚାରି ଚାଲୁଛନ୍ତି ଯେପର୍ଯ୍ୟନ୍ତ ସେ ଭୁଲ ଉତ୍ତର ନ ଦଉଚି ଆଉ ତା’ପରେ ସେମାନେ ୟାକୁ ବି ଟିକେ ବେଜିତ କରିଦଉଛନ୍ତି | ସତେ ଯେମିତି ଏମାନଙ୍କୁ ବିଚାରକ ହେବାର ପଇସା ନୁହେଁ ବରଂ ପ୍ରତିଯୋଗୀଙ୍କୁ ଅପମାନ କରିବା ପାଇଁ ପାରିଶ୍ରମିକ ମିଳୁଛି |

ଆଉ ଗୋଟେ ମଜା ଜିନିଷ ବି ଦେଖିଥିଲି ଗୋଟିଏ ଭିଡିଓରେ | ଶିକ୍ଷିତ ଝିଅଟିଏ ଆସିଥିଲେ ପ୍ରତିଯୋଗୀ ଭାବରେ | କହିଲେ ଯେ ସେ ବାଙ୍ଗାଲୋରରେ ଆଇଟି ସେକ୍ଟରରେ ଚାକିରୀ କରୁଛନ୍ତି | ଯେହେତୁ ଏବେ ଲକଡାଉନ ପାଇଁ ସେ ଘରୁ ଅଫିସ କାମ କରୁଛନ୍ତି ଏଣୁ ସେ ଏଇ ପ୍ରତିଯୋଗିତାରେ ଭାଗ ନବାକୁ ଆସିଛନ୍ତି | ସେତେବେଳେ ଆପଣ ସବୁ ଦେଖିଥାନ୍ତେ ସେଇ ଶୋର ବିଚାରକମାନଙ୍କ ମୁହଁକୁ | ସେଇ ଶିକ୍ଷିତ ଆଉ ଚାକିରିଆ ସ୍ମାର୍ଟ ଝିଅକୁ ଡରିକି ଆଉ କିଛି ବି ପ୍ରଶ୍ନ ପଚରା ହେଲାନି | ବୋଧେ ସେମାନେ ଭାବିଥିବେ ଯଦି ଝିଅଟି ଓଲଟା କରି ଆମକୁ ପ୍ରଶ୍ନ ପଚାରିଦିଏ ଦେ ଓଡ଼ିଶାର ଅର୍ଥମନ୍ତ୍ରୀ କିଏ ବା ଓଡିଶାରେ କେତୋଟି ଚଉଷଠି ଯୋଗିନୀ ମନ୍ଦିର ଅଛି ତାହେଲେ ତ ଆମ ଧୋତି ଏଇଠି ହିଁ ଖସିଯିବ |

ପୁଣି ସେଇ ଝିଅ ସାଙ୍ଗରେ ଜଜ ମାନଙ୍କର ଚିରାଚରିତ ଓଡ଼ିଆ ହିନ୍ଦୀ ଇଂଗଲିଶ ମିଶା ଖେଚୁଡ଼ି ଭାଷାରେ ବି କଥାବାର୍ତ୍ତା କରାହେଲାନି | ହୁଏତ ସେମାନେ ଭାବିଥିବେ ଝିଅଟି ଯଦି ନନଷ୍ଟପ୍ ଇଂଲିଶ ଚୋବାଏ ତାହେଲେ ଆମେ ନିଲଠା ଦଳ ଏଠୁ ଦୋୖଡିକି ଖସିଯିବାକୁ ବାଟ ପାଇବୁ ତ? ଗୋଟିଏ ବାକ୍ୟ ଶୁଦ୍ଧ ଇଂରାଜୀରେ କହିବାକୁ କହିଲେ ଏମାନଙ୍କ ପ୍ୟାଣ୍ଟ ଓଦା ହେଇଯିବ ଟି!

ସେଇ ଲଜ୍ଜାହୀନ ଜଜ୍ ମାନଙ୍କ ଭିତରୁ ଜଣକୁ ଥରେ ଫ୍ଲାଇଟରେ ଦେଖିଥିଲି ବମ୍ବେରୁ ଆସିଲା ବେଳେ | ସେ ଜଜ୍ ବମ୍ବେରେ ଫ୍ଲାଇଟ ଚଢ଼ିଥିଲେ | ଆଉ ତେଣିକି ଜଣେ ସମ୍ବଲପୁରୀ ଶାଢ଼ୀ ଓ ଶଙ୍ଖା ପିନ୍ଧି ମୁଣ୍ଡରେ ଓଢଣା ଦେଇଥିବା ବୟସ୍କା ଓଡ଼ିଆ ସହଯାତ୍ରୀଙ୍କୁ କହୁଥିଲେ- “ଏକ୍ସକୟୁଜ ମି, ୟେ ମେରା ସିଟ ହେ |” ସେଇ ଓଡ଼ିଆ ମାଁ ଜଣକ କୋଉ ଭାଷାରେ ତାଙ୍କୁ ଉତ୍ତର ଦେବେ ଜାଣିନପାରି ଥତମତ ହେଇଯାଇଥିଲେ | ସେଇ ମହିଳା ଯେ ଓଡ଼ିଆ ତାଙ୍କ ବେଶଭୂଷା ଦେଖି ଏଇ ବିଚାରକ ଜଣକ ନିଶ୍ଚିତ ଜାଣି ସାରିଥିବେ କିନ୍ତୁ ଟିକିଏ ହିନ୍ଦୀ ଇଂଲିଶ କହି ଜଣେ ବୟସ୍କା ଓଡ଼ିଆ ମାଉସୀଙ୍କ ଆଗରେ ନିଜ ଜ୍ଞାନର ପରାକାଷ୍ଠା ନ ଦେଖେଇଥିଲେ ସେଇ ବିଚାରକଙ୍କର ଖାଦ୍ୟ ହଜମ ହେଇନଥାନ୍ତା ବୋଧହୁଏ |

ସେଇଭଳି ଖେଚୁଡ଼ି ଭାଷାର ପ୍ରଚାରକ ହେଲେ ଏଇ ମହାନ ଜଜ୍ ମାନେ | ଯିଏ ନିଜ ଭାଷାକୁ ସମ୍ମାନ ଦେଇନି ସେ ନିଜ ରାଜ୍ୟର ଝିଅଙ୍କୁ କି ସମ୍ନାନ ଦେବ | ସେଇ ଝିଅମାନେ ତ ମୂର୍ଖଙ୍କ ଭଳି ଉତ୍ତର ଦେଉଛନ୍ତି | କିଛି ବି କହି ତାଙ୍କ ମୂର୍ଖତାର ଔଚିତ୍ୟ ସିଦ୍ଧ କରିହେବ ନାହିଁ | ତେବେ ସେଇ ଝିଅଙ୍କୁ ଏଇ ଜଜ୍ ମାନେ ଟିଭି ପରଦାରେ ଦଶପଦ କଥା ଶୁଣେଇ ତାଙ୍କୁ ଅପମାନିତ କରି ନିଜର କେଉଁ ପାଣ୍ଡିତ୍ୟର ପରିଚୟ ଦେଉଛନ୍ତି ସେଇଟା ବୋଧେ ସେମାନେ ନିଜେ ହିଁ କହି ପାରିବେ |

ମୁଖ୍ୟତଃ ଏଇ କଲେଜ ପଢୁଆ ଝିଅମାନେ ଗ୍ରାମାଞ୍ଚଳରୁ ତଥା ଛୋଟ ଛୋଟ ସହରରୁ ଆସିଥାନ୍ତି | ଏଣୁ ମୁଁ ଭାବେ ତାଙ୍କର ଏଇ ଅପମାନଜନକ ଭିଡିଓ ଗୁଡା ସୋସିଆଲ ମିଡ଼ିଆରେ ଭାଇରାଲ ହେଲା ପରେ ସେମାନେ ମୁଣ୍ଡ ଉଠେଇ ଚାଲିପାରୁଥିବେ ତ? କିଏ ହୁଏତ କହିପାରେ ସେମାନେ ତାଙ୍କ ମୂର୍ଖାମୀର ମୂଲ୍ୟ ପରିଶୋଧ କରୁଛନ୍ତି | ତେବେ ଏଠି ପ୍ରଶ୍ନ ହେଲା ସେଇ ପ୍ରତଯୋଗୀ ମାନଙ୍କୁ ଏଭଳି ଅପମାନ ଦେଉଥିବା ଏ ଅଶିଷ୍ଟ ଅସଭ୍ୟ ସମ୍ବେଦନହୀନ ଭୁଷପଣ୍ଡିତ ଜଜ୍ ମାନେ ନିଜ ମୂର୍ଖାମୀର ମୂଲ୍ୟ କେବେ ପରିଶୋଧ କରିବେ?

ତେବେ ଖୁସିର ବିଷୟ ଗତବର୍ଷ ଏଇ ବିଚାରକ ମାନଙ୍କ ଉପରେ ଦର୍ଶକ ମାନଙ୍କର କ୍ରୋଧରେ ବର୍ଷିଥିଲା | ସାମାଜିକ ଗଣମାଧ୍ୟମରେ ଏହି ବିଚାରକ ମାନଙ୍କୁ ଉପଯୁକ୍ତ ଜବାବ ଦେଇଥିଲେ ଦର୍ଶକମାନେ | ଏବର୍ଷ ଅପ୍ରେଲ ମାସରୁ ପୁଣି ଏଇ ସବୁ ରିଅଲିଟି ଶୋର ଅଡିସନ ଆରମ୍ଭ ହେଇଗଲାଣି | ତେବେ ଆଶା ଏହି ବିଚାରକମାନେ ଗତବର୍ଷ ଦର୍ଶକମାନେ ତାଙ୍କୁ ଦେଖେଇଥିବା ଆଇନାକୁ ନିଶ୍ଚିତ ମନେ ପକେଇବେ ଏବଂ ଏ ବର୍ଷ ଭଦ୍ର ଏବଂ ନମ୍ର ଭାବରେ ଏଇ ସବୁ କାର୍ଯ୍ୟକ୍ରମର ପରିଚାଳନା କରିବେ |

Leave a Reply