ବାୟୁଦୋଷ

ଏଇଟା ଗୋଟାଏ ନିରାଟ ସତ ଯେ ପ୍ରତି ମଧ୍ୟବିତ୍ତ ଓଡିଆଘରେ ଗୋଟିଏ ଗୋଟିଏ ବାୟୁଦୋଷୀ ନିଶ୍ଚିତ ଥାନ୍ତି। ଆଉ ଯେଉଁ ଘରେ ନଥାନ୍ତି ସେଇ ଘରଲୋକମାନେ ହୁଏତ ବହୁତ ଭଦ୍ର ନହେଲେ ପୁରା ମିଛୁଆ। ସେ ଯାହାହଉ ଆମଘର ଗୋଟେ ପକ୍କା ମଧ୍ୟବିତ୍ତ ପରିବାର ଥିଲା ଆଉ ଆମ ଜେଜେବାପାଙ୍କ ବାୟୁଦୋଷ ପୁରା ଅଂଶବଂଶ ପ୍ରସିଦ୍ଧ ଥିଲା। ନୂଆନୂଆ ବୋଉ ଖୁଡୀ ସବୁ ମୁହଁରେ ଲୁଗାଦେଇ ହସୁଥିଲେ। କିନ୍ତୁ ଧୀରେ ଧୀରେ ଏସବୁ ସମସ୍ତଙ୍କ ଦେହସୁହା ହେଇଯାଇଥିଲା। ଯେଉଁ ଦିନ ଜେଜେ ବରା ଘୁଗୁନି ମାଂସ କି ଚକୁଳିପିଠା ଖାଇଦଉଥିଲେ ସେଦିନ ଘରଲୋକଙ୍କୁ କାନରେ ତୁଳାଦେଇ ଶୋଇବାକୁ ପଡୁଥିଲା। ଭାରତ ପାକିସ୍ତାନ ଯୁଦ୍ଧରେ ଯେତିକି ତୋପକମାଣ ବାଜୁଥିଲା ତା’ଠୁ ବେଶୀ ଗୁଳିମାଡ ଶବ୍ଦ ବୋଧେ ଆମ ଘରେ ଶୁଭୁଥିଲା। କେତେବେଳେ ବୋଉ ବିଲେଇ ରୋଷେଇଘରେ ଝଣଝଣ କି ବାସନ ପକେଇଦେଲା ଭାବି ଦଉଡିକି ଗଲାବେଳକୁ ଜାଣିପାରୁଥିଲା ଶବ୍ଦଟି ବାସନର ନୁହଁ, ସେ ଆଉକିଛି। ଖୁଡୀ ବୁଲେଟଶବ୍ଦ ଶୁଣି ଦାଦା ଆସିଲେ ଭାବି କବାଟ ଖୋଲିବାକୁ ଦଉଡିଯାଇ ଜାଣିପାରନ୍ତି ଶବ୍ଦଟି ଆଉ କଉଠୁ ଆସୁଛି। ସେଥିପାଇଁ ଜେଜେଙ୍କର ବାୟୁ ବିଭିନ୍ନ ନାମରେ ପରିଚିତ ଥିଲା ଯେମିତିକି ଗୁଳି, ଶଙ୍ଖ, ତୁରୀ, ବୁଲେଟ ଇତ୍ୟାଦି ଇତ୍ୟାଦି। ଆମ ଘରକୁ ଆଜି ଯାଏଁ କେବେ ବି ଚୋର ନ ପଶିବାର ଶ୍ରେୟ ବି ହୁଏତ ଜେଜେଙ୍କ ବାୟୁକୁ ଦିଆ ଯାଇପାରେ। ଆମେ ଖାଲି ଏଇ କଥାଭାବି ଭଗବାନଙ୍କୁ ଧନ୍ୟବାଦ ଜଣାଉଥିଲୁ କି ବାୟୁଟା କାନକୁ ଯାହା ଅତ୍ୟାଚାର କରୁଥିଲା ନାକକୁ ନୁହଁ। ବୈଠକଘରଟି ଟିକିଏ ଦୂରରେ ଥିବାରୁ ବାହାରଲୋକ ଜେଜେଙ୍କ ବାୟୁ କୃପାରୁ ଟିକେ ବଞ୍ଚିକି ଥିଲେ କିନ୍ତୁ ତଥାପି ସାନ ଭାଇର ସାଙ୍ଗ ଥରେ ପଚାରିଦେଇଥିଲା “ଏଇଟା କିଏ ବୋବେଇଲା କି’ରେ??” ବଗୁଲିଆ ଭାଇ ମୋର କହିଲା, “ପଡିଶାଘରେ ମଇଁଷିପିଲାଟେ ପାଳିଛନ୍ତି। ସିଏ ବୋବୋଉଛି।” ଦାଦାଙ୍କ ଛୋଟିଆ ଝିଅ ବି କମ୍ ଖଣ୍ଡିଏ ବୈଜ୍ଞାନିକ ନୁହଁ। କହେ, “ଜେଜେଙ୍କ ରୁମର ପିଙ୍କ କଲରରେ ବାୟୁର କାର୍ବନଡାଇଅକ୍ସାଇଡ଼ ମିଶିମିଶି କଲରଟା ବ୍ରାଉନ ହେଇଯାଇଛି।” କିନ୍ତୁ ତା’ବୋଲି ଆଜି ଜେଜେ ଯେ ମୋ ବାହାଘରକୁ ଆସିବେନି ସେଇଟା ମୁଁ କେବେ ବି ଭାବିନଥିଲି।ବାହାଘର ବରଯାତ୍ରୀରେ ତାଙ୍କୁ ନ ଦେଖି ମୁଁ ସାନଭାଇକୁ ପଚାରିଲି ଜେଜେ କୁଆଡେ ଗଲେ। ସେ କହିଲା, “ଭାଇ, ଜେଜେ ତାଙ୍କ ବାୟୁଦୋଷକୁ ଡରି ଆସିଲେନି। କହିଲେ କି ନୂଆ ବନ୍ଧୁ। କଥା ଖରାପ ହବ ତାଙ୍କ ଆଗରେ ଏମିତି ବାୟୁ ଛାଡିଲେ।” ମୋ ମନ ଟିକେ ଦୁଃଖ ହେଇଗଲା। ବାହାଘର ସରିଲା। ମୁଁ ଆଉ ମିଲି ଘରେ ପହଞ୍ଚିଲୁ। ସେଠି ବି ଦେଖିଲି ଜେଜେ ନାହାନ୍ତି। ଭାଇକୁ କହିଲି, “ଯା ଯାଇକି ଜେଜେଙ୍କୁ ଡାକିଆଣେ। ତା’ପରେ ଆମେ ଭିତରକୁ ଯିବୁ।” ଜେଜେ ଆସି ଠିଆହେଲେ। ବୋଉ ଆମର ଆଳତୀ କଲା। ସମସ୍ତେ ହୁଳହୁଳି ଦେଲେ ଆଉ ତା’ପରେ ଖୁଡୀ ଶଙ୍ଖ ଫୁଙ୍କିବାକୁ ଯାଉଥାନ୍ତି ଜେଜେଙ୍କ ପାଖରୁ ଜୋରକିନି ଶବ୍ଦଟିଏ ଆସିଲା ପୁଉଁଉଁଉଁଉଁଉଁଉଁ!!! ଖୁଡୀ ମୁହଁଚାପି ହସିହସି କହିଲେ, “ଜେଜେଙ୍କ ଶଙ୍ଖ ତ ବାଜିଗଲା। ୟା’ଠୁ ଆଉ ଭଲବେଳା ନାହିଁ। ଏବେ ଘର ଭିତରକୁ ପଶ।” ମିଲିର ୟା’ ଉପରେ ପ୍ରତିକ୍ରିୟା ଜାଣିବାକୁ ମୁଁ ତା ମୁହଁକୁ ଚାହିଁଲି। ଦେଖିଲି ମୁଁ ଛିଙ୍କିକି ‘ଏକ୍ସ୍ୟୁଜ ମି’ ନ କହିଲେ ମୋ ଖରାପ ମ୍ୟାନର ଉପରେ ଦୁଇଘଣ୍ଟା ଭାଷଣ ଦଉଥିବା ମିଲି ଜେଜେଙ୍କ ଶଙ୍ଖଧ୍ୱନି ଶୁଣି କାନିରେ ମୁହଁଚାପି କିରିକିରି ହେଇ ହସି ଘର ଭିତରେ ପାଦ ଦଉଥିଲା।

Leave a Reply