ପିକନିକ୍

ସ୍କୁଲରେ ମିସ୍ ରଚନା ଲେଖିବାକୁ ଦେଲେ ନୂଆବର୍ଷ ପିକନିକ୍ ଉପରେ। “କଣ ଲେଖିବି??” ଶୁଭମ ଭାବିବାକୁ ଲାଗିଲା। ତା’ପରେ କିଛି ସମୟ ରହି ସେ ଲେଖିବା ଆରମ୍ଭ କଲା। “ଏଥର ନୂଆବର୍ଷରେ ଆମେ ଚନ୍ଦ୍ରଭାଗା ସମୁଦ୍ରକୂଳକୁ ପିକନିକ୍ କରିବାକୁ ଯାଇଥିଲୁ। ଗଲାବେଳକୁ ଆମେ ସମସ୍ତେ ନିଜ ନିଜ କାରରେ ଯାଇଥିଲୁ। ଡାଡି ଡ୍ରାଇଭ କରୁଥିଲେ। ମମି ତାଙ୍କ ଫୋନରେ କଣ ନେଟ ଆସୁନଥିଲା ବୋଲି ବହୁତ ବ୍ୟସ୍ତ ଥିଲେ। ରାଗି ଯାଉଥିଲେ ଟିକେକୁ ଟିକେ। କିଛି ସମୟପରେ ମମିର ଫୋନରେ ନେଟ ଆସିଗଲା। ତା’ପରେ ସେ ସମସ୍ତଙ୍କ ସାଙ୍ଗେ ହସିହସି କଥାବାର୍ତ୍ତା କଲେ। ଘଣ୍ଟାଏ ପରେ ଆମେ ପିକନିକ ଜାଗାରେ ପହଂଚିଲୁ। ଆମେ ସେଠି ପହଞ୍ଚିଲା ବେଳକୁ କୁକ୍ ଅଙ୍କଲ ତାଙ୍କ ସାଙ୍ଗ ମାନଙ୍କ ନେଇ ସେଠି ଆଗରୁ ପହଞ୍ଚି ଯାଇଥିଲେ। ଅଲଗା ଅଙ୍କଲ ଆଣ୍ଟି ବି ପହଞ୍ଚିଲେ ଧୀରେଧୀରେ। ମୋ ସାଙ୍ଗ ରାହୁଲ ଆଉ ଶ୍ରେୟା ବି ଥିଲେ। ସେଠି ପହଞ୍ଚି ଡାଡି, ମମି ଆଉ ଅଙ୍କଲ ଆଣ୍ଟି ମାନେ ବାଲି ଉପରେ ଚାଦର ପାରିଦେଲେ। ତାପରେ ଦୀପକ ଅଙ୍କଲ ସେଠି ଜୋରରେ ଗୀତ ଲଗେଇ ଦେଲେ। ମୀରାଆଣ୍ଟି ଆମ ଛୁଆମାନଙ୍କୁ ନାଚିବା ପାଇଁ କହିଲେ। ଆମେ ନାଚିବା ଆରମ୍ଭ କଲୁ। ଡାଡି ମମି ଅଙ୍କଲ ଆଣ୍ଟି ସମସ୍ତେ ଆମ ନାଚର ଫଟୋ ଉଠେଇନେଲେ ତାଙ୍କ ଫୋନରେ। କିନ୍ତୁ ତା’ପରେ ଆମ ନାଚ ଦେଖିବା ପାଇଁ ତାଙ୍କର ଆଉ ଇଚ୍ଛା ନଥିଲା। ସମସ୍ତେ ନିଜ ନିଜ ଫୋନକୁ ଟିପିବାରେ ବ୍ୟସ୍ତ ଥିଲେ। କିଛି ସମୟପରେ ସମସ୍ତେ ସମୁଦ୍ରକୂଳକୁ ଗଲୁ। ସେଠି ସମସ୍ତେ ପୁଣି ଫଟୋ ଉଠେଇଲେ। ଶିଲା ଆଣ୍ଟି କହୁଥିଲେ ସେଗୁଡା ଜଲଦି ଫେସବୁକରେ ପକେଇବା ପାଇଁ। ମୀରା ଆଣ୍ଟି କହିଲେ କି ସବୁ ଫଟୋଗୁଡା ସେ କୁଆଡେ ଫେସବୁକରେ ପକେଇ ସାରିଲେଣି। କିନ୍ତୁ କିଛି ଲାଇକ୍ ଆଉ କମେଣ୍ଟ ଆସିନି। ଶିଲା ଆଣ୍ଟି ବ୍ୟସ୍ତ ହେଇ ତାଙ୍କ ସାଙ୍ଗକୁ ଫୋନ୍ କଲେ ଆଉ କହିଲେ ଜଲଦି ଫେସବୁକରେ ଫଟୋ ଦେଖି ଲାଇକ୍ ଆଉ କମେଣ୍ଟ କରିବା ପାଇଁ। ମୁଁ ଜାଣି ପାରିଲିନି ସେ କମେଣ୍ଟ କରିବାକୁ କାଇଁ କହିଲେ। ମମି କୁହନ୍ତି କମେଣ୍ଟ ମାରିବା ଖରାପ କଥା। ସେତେବେଳକୁ ସମୀର ଅଙ୍କଲଙ୍କର ଫୋନ୍ ହଠାତ୍ ପାଣିରେ ପଡିଗଲା। ଅଙ୍କଲ ପୁରା ଡିଆଁଟେ ମାରିଲେ ପାଣି ଭିତରକୁ। ତାଙ୍କ ଫୋନ୍ ମିଳିଗଲା ହେଲେ ସେଥିରେ କୁଆଡେ ପାଣି ପଶିଯାଇଥିଲା। ସମୀର ଅଙ୍କଲ ପୁରା ଛୁଆଟେ ଭଳି କାନ୍ଦିବାକୁ ଲାଗିଲେ। ଏମିତି ତ ମୁଁ ବି ମୋ ଖେଳନା ଭାଙ୍ଗିଗଲେ କାନ୍ଦେନି। ଡାଡି ଆଉ ଅଙ୍କଲମାନେ ତାଙ୍କୁ ବୁଝେଇବାରେ ଲାଗିଲେ। ତା’ପରେ ଆମେ ସବୁ ପୁଣି ଆମ ବସିଥିବା ଜାଗାକୁ ଫେରି ଆସିଲୁ। ଆମେ ପିଲାମାନେ ସେଠି ଖେଳିବୁ କହିଲୁ। କିନ୍ତୁ ବଡ଼ଲୋକମାନେ କହିଲେ ସେମାନେ ଆମ ଉପରେ ନଜର ରଖିପାରିବେନି। ଆମେ କୁଆଡେ ପାଣିକୁ ଚାଲିଯିବୁ। ସେଥିପାଇଁ ସେମାନେ ଆମକୁ ଗୋଟେ ଟାବଲେଟରେ ଟମ ଏଣ୍ଡ ଜେରୀ ଲଗେଇ ଦେଇଦେଲେ। ଆମେ ଛୁଆମାନେ ସେଠି ଖାଇବା ତିଆରି ହବାଯାଏଁ ଟମ ଏଣ୍ଡ ଜେରୀ ଦେଖିଲୁ। ମୁଁ ତ ଘରେ ବି ସବୁଦିନ ଟମ ଏଣ୍ଡ ଜେରୀ ଦେଖେ। ସେଇଟା ଦେଖିବା ପାଇଁ ମତେ ଏତେ ଦୂର ଯିବା କଣ ଦରକାର ଥିଲା ଯେ?? ଖାଇବା ବଢ଼ାହେଲା ପରେ ସବୁ ବଡ଼ଲୋକ ନିଜ ନିଜ ଫୋନରେ ଖାଇବା ଜିନିଷଗୁଡାର ଫଟୋ ଉଠେଇଲେ। ଡାଡି କହୁଥିଲେ ସେ କୁଆଡେ ସେ ଫଟୋଗୁଡା ତାଙ୍କ ହ୍ବାଟସ୍ଏପ ଗ୍ରୁପରେ ପକେଇଛନ୍ତି। ଡାଡି ମମି ଆଉ ସବୁ ଅଙ୍କଲ ଆଣ୍ଟି ଡାହାଣ ହାତରେ ଖାଉଥିଲେ ଆଉ ଆର ହାତରେ ନିଜ ନିଜ ଫୋନ ଧରି ସେଥିରେ କଣ ସବୁ ଦେଖିଦେଖି ହସୁଥିଲେ। କିଛି ସମୟପରେ ସମସ୍ତଙ୍କ ଖାଇବା ସରିଲା। ଆମ ଜିନିଷସବୁ ପୁଣି ବନ୍ଧାବନ୍ଧି ହେଲା। ସବୁ ବଡ଼ଲୋକମାନେ କହୁଥିଲେ ଏଇଟା କୁଆଡେ ବହୁତ ବଢିଆ ପିକନିକ ହେଲା। ଖାଲି ସମୀର ଅଙ୍କଲ ଗୋଟେ ଜାଗାରେ ମନଦୁଃଖରେ ବସିଥିଲେ। ସମସ୍ତେ କଥା ହଉଥିଲେ ପୁଣି ଆଉଥରେ କେବେ ଏଇ ଭଳିଆ ପ୍ଲାନ କରିବେ ପିକନିକ। ମୁଁ କିନ୍ତୁ ଭାବିଦେଇଛି ମୁଁ ଆଉ କେବେ ବି ପିକନିକ ଆସିଲେ ମୋ ବ୍ୟାଟ ଆଉ ବଲ ବୋହିକି ନେବିନି।”

3 Replies to “ପିକନିକ୍”

  1. true fact in our society

    1. Thanks a lot 🙂

  2. ଆମେ ଆମ ଜୀବନରେ ଏଇ ଅନ୍‌ଲାଇନ୍ ଆଉ ବୈଦୁତିକ ଦୁନିଆରେ ଏମିତି ପଶିଯାଇଛୁ ଯେ ଆମକୁ ବି ଆମ ନିଜକୁ ଚାର୍ଜ କରିବାକୁ ପଡ଼ୁଛି, ସତେ ଯେମିତି କି ଆମେ ଜଣେ ଜଣେ ଯନ୍ତ୍ରମାନବ, ଯାହାକୁ ଚାଲିବା ପାଇଁ ସୋସିଆଲ ମିଡ଼ିଆ, ଇଣ୍ଟରନେଟ ଆଉ ଏମିତିକା ସବୁ ଚାର୍ଜ ଦରକାର ।

Leave a Reply