ପାୱାର୍ କଟ୍

ବାଙ୍ଗାଲୋରରେ ସେଦିନ ପାୱାର୍ କଟ୍ | ଲୋଡ୍ ଶେଡିଙ୍ଗ୍ | ଆସିବ କେତେବେଳେ ଜଣା ନାହିଁ | ତେବେ ରାସ୍ତାରେ ଘୋଷଣା କରିକରି ଗଲେ ବିଦ୍ୟୁତ ବିଭାଗଵାଲା ଯେ କିଛି ସମୟ ଭିତରେ ଆସିଯିବ | କିନ୍ତୁ କେତେବେଳେ? ସନ୍ଧ୍ୟା ହେଲାଣି | ଇନଭର୍ଟର୍ ବି ଏବେ ବନ୍ଦ ହେଇଗଲା ପୁରାପୁରି | ଘରେ ଲାଗିଛି ଗୋଟିଏ ଏମର୍ଜେନ୍ସି ଲାଇଟ୍ |

– ଏଡ଼େ ବଡ଼ ସିଟିରେ ପୁଣି ପାୱାର୍ କଟ୍? ଏଇଠି ଏଇଦିନ ପାଇଁ କଣ ଆସି ରହିଥିଲୁ ଆମେ? ଟିକିଏ ଅଧିକ ସୁଖ ସୁବିଧା ପାଇଁ ହିଁ ତ ନିଜ ରାଜ୍ୟ ଛାଡି ଏଠି ଆସି ରହିବ କଥା | ହେଲେ ଦେଖୁନ ଏଠି ବି ଶାନ୍ତି ନାହିଁ | ସେଇ ଲଣ୍ଡନ୍ ଭଲ ଥିଲା | ସୁମିତ ବଜାରରୁ ଫେରି ଜୋତା ରଖୁରଖୁ ବିରକ୍ତ ହେଇ କହିଲା ପତ୍ନୀ ସୋନାଲି |

– ହଉ ହେଲା | ଏଇଠି ବସ | ଗପିବା | ଏମିତିରେ ତ କେବେ ସମୟ ମିଳୁନି | ସୋଫାରେ ବସିପଡି ସୋନାଲି ଉଦ୍ଦେଶ୍ୟରେ କହିଲା ସୁମିତ |
– ବିରକ୍ତ ଲାଗୁଛି ମତେ | ଲାଇଟ ନାହିଁ | ଫ୍ୟାନ୍ ନାହିଁ | ପବନ ନାହିଁ | ବାଙ୍ଗାଲୋରରେ ବି ଏତେ ଗରମ? ୱାଇଫାଇ ତ ଆସୁନି | ଉପରୁ ଫୋନର ବ୍ୟାଟେରୀ ସରିବାକୁ ବସିଲାଣି | ଜାଣିଥିଲେ ଫୋନ୍ ଟିକେ ଚାର୍ଜ କରିଦେଇଥାନ୍ତି | କି ଫାଲତୁ ପାୱାର୍ କଟ୍ ଇଏ!! ସୋନାଲି ଚିଡଚିଡ୍ ହଉଥାଏ |

ସୋନାଲିର କଥାଶୁଣି ହସିଲା ସୁମିତ | ଉଠିଲା ବାଥରୁମ୍ ଯିବାକୁ | ଟର୍ଚ୍ଚ ନେଇ ବାଥରୁମରେ ପଶିଲା ଆଉ ଭାବିଲା ନା!! ଆଜି ସୋନାଲିକୁ ସେ ଜମା ରାଗିବାକୁ ଦବନି | ଆଜି ଏତେ ଦିନପରେ ସମୟ ମିଳିଛି ଦୁହିଁଙ୍କୁ ପାଖରେ ବସି ଗପସପ ହବାକୁ | ନିଜ ଫୋନ ସେ ସାଇଲେଣ୍ଟ କରିଦେବ ଆଉ ସୋନାଲିର ଫୋନ୍ ବି | କେତେ ଦିନ ପରେ ଆଜି ହେଇଚି ପାୱାର୍ କଟ୍? କେଜାଣି ତା’ର ନିଜର ବି ମନେ ନାହିଁ |

ପାୱାର୍ କଟ୍ କଥା ଭାବୁଭାବୁ ପୁରୁଣା କାହାଣୀ ସବୁ ମନେ ପଡିଗଲା ସୁମିତର | ମନେ ପଡିଗଲା ବଲାଙ୍ଗୀରର ସେ ମାଇନର୍ ଇରିଗେସନ୍ କଲୋନୀ କଥା |ପଶ୍ଚିମ ଓଡିଶାର ଖରାଦିନ | ନାହିଁ ନଥିବା ତାତି | ରାତିରେ କିନ୍ତୁ ପବନ | ତେବେ ଥଣ୍ଡା ପବନ ନ ହେଲେ ବି ଝାଂଜି ନୁହେଁ | କଲୋନୀ ଭିତରେ ଲାଗିଥିବା ୩-୪ ଗଛ ବି ଆଉ ପବନର ମାନ ଆଉ ଟିକେ ବଢେଇଦିଏ | ରାତିରେ ୭-୯ ପାୱାର୍ କଟ୍ |

ମା ଆଉ ବାକି ଘରର ମାଉସୀମାନେ ସନ୍ଧ୍ୟା ସୁଦ୍ଧା ରନ୍ଧାବଢ଼ା ସାରି ବସିପଡନ୍ତି ବାରଣ୍ଡାରେ | ଫୁସଫୁସ୍ ହେଇ ତାଙ୍କର କଥାବାର୍ତ୍ତା ଚାଲେ | କାହା ଘରେ କଣ ହେଲା | ଆଜି କିଏ କଣ ରାନ୍ଧିଲା | କିଏ କାହାକୁ କଣ କହିଲା | କାହା ଶାଶୁ ଭଲ | କାହା ଭାଉଜ ଖରାପ | କିଏ କଣ ନୂଆ ଜିନିଷ କିଣିଛି | କାହା ବାଡ଼ିରେ କି ଫଳ ଧରିଛି | କାହାଘର ଝିଅ କି ପୁଅର ବାହାଘର ଠିକ ହେଲା | ସବୁ ଗପର ପସରା ମେଲା ହୁଏ ସେଇଠି |

ସେପଟେ ସାମ୍ନା ଘର ବାରଣ୍ଡାରେ ବାପା ଆଉ କେତେଗୁଡିଏ ମଉସାଙ୍କର ହାଟ ବସିଥାଏ | ଇନ୍ଟରନ୍ୟାଶନାଲରୁ ନ୍ୟାସନାଲ୍ ଆଉ ତା’ପରେ ଲୋକାଲ୍ | ସବୁ ଚର୍ଚ୍ଚା ସେଇଠି | ବିଲ୍ କ୍ଲିଣ୍ଟନର କଣ୍ଟ୍ରୋଭର୍ଷି ପରେ ତା’ର ଏବେ କଣ ହେବ | ଅଟଳ ବିହାରୀ ବାଜପେୟୀ ଗୋଟେ ଭଲ ଲୋକ ହେଲେ କଣ ହବ? ମେଜରୀଟି ଭୋଟ୍ ତ ମିଳୁନି | ସେଇ କଂଗ୍ରେସ୍ ଆସିଯିବ ପୁଣି | ବଲାଙ୍ଗୀରର ଟ୍ୟୁସନ ମାଷ୍ଟରମାନେ ପଇସା ଲୁଟିବା ଆରମ୍ଭ କଲେଣି ଏବେ | ଏଇ ବର୍ଷ ଲାଇଟ୍ ପ୍ରବ୍ଲେମ ପରେ ପାଣି ପ୍ରବ୍ଲେମ ବି ଦେଖା ଦେଇପାରେ |

ବାରଣ୍ଡାର ସେପଟ କଣ ହେଲା କଲେଜ ପଢୁଆ ଅପାମାନଙ୍କର ଆଡ୍ଡା ସ୍ଥଳୀ | ସେଠି ତାଙ୍କର ଚାଲେ ସବୁ ପ୍ରେମଗପ | କିଏ କାହାକୁ ଲାଇନ୍ ମାରିଲା | କିଏ କାହାକୁ ଲଭ୍ ଲେଟର୍ ଦେଲା | କୋଉ ପୁଅ କୋଉ ଝିଅ ପଛରେ କଲେଜରୁ ସାଇକେଲ୍ ଚଲେଇ ଚଲେଇ ଘରଯାଏଁ ପିଛା କଲା | କିଏ କାହାକୁ ଖୁବ ଶୀଘ୍ର ପ୍ରପୋଜ କରିବାକୁ ଯାଉଛି | କଲେଜରେ କେମିତି କୋଉ ଝିଅ ନାଁ + କୋଉ ପୁଅ ନାଁ = ଛୁଆ ଲେଖାହେଲାଣି | କୋଉ କ୍ଲାସରେ ନୂଆ ହ୍ୟାଣ୍ଡସମ୍ ଲେକଚରର୍ ଟିଏ ଆସିଛି | ଗୁଡିଏ ମସଲାଦାର ଖବର |

ସେଇ ଟିକେ ଦୂରରେ ପଛପଟ କାନ୍ଥରେ ଡେରା ଦେଇ ଠିଆ ହେଇଥିବେ ହିରୋମାର୍କା ଭାଇମାନେ ଏଇ କଲୋନୀର | ସେମାନେ ଗପୁଥିବେ କେମିତି ଦିଵ୍ୟା ଭାରତୀ ମଲାପରେ ହିନ୍ଦୀ ଫିଲିମରେ ଆଉ କେହି ସୁନ୍ଦର ହିରୋଇନ୍ ନାହାନ୍ତି | କାଜଲ୍ ସୁନ୍ଦର ନୁହେଁ କିନ୍ତୁ ବଢିଆ ଆକ୍ଟିଙ୍ଗ କରୁଛି ବୋଲି ଚଳିଯାଉଛି | ଅମିତା ବଚନ୍ ପରେ ଖାଲି ସାରୁ ଖାଁ ହିଁ ସୁପରଷ୍ଟାର୍ | ସେ ଯୋଉ ପ୍ରଭୁଦେବା ଅଛି ତା’ ଦେହରେ କୁଆଡେ ଗୋଟିଏ ବି ହାଡ଼ ନାହିଁ | ତା’ପରେ କିଛି ଗୋଟେ ଗୁପ୍ଚୁପ କଥାହେଇ ତାଙ୍କର ସେ ଖେଁଖେଁ ହସ |

ଆଉ ସେତେବେଳେ ସେଇ ସମୟ ଥାଏ ସୁମିତ ଆଉ ତା’ ବୟସର ସାଙ୍ଗମାନଙ୍କ ପାଇଁ ଲୁଚକାଳିର ସମୟ | ଅନ୍ଧାରରେ ଯିଏ ଯୋଉଠି ଲୁଚି ପାରିଲା | ଲୁଚକାଳି, ବିଷ ଅମୃତ, ପାହାଡ଼ ପାଣି ଏମିତି କେତେକଣ | ସେଇଠି କେତେ ପିଟାମରା | ମାଡ଼ଗୋଳ | କେତେ କଟି | କେତେ ମିଟି | ପୁଣି କେତେବେଳେ ଅଂତାକ୍ଷରୀ ଖେଳ ହବ | ସମସ୍ତେ ମିଶିବେ ସେଇଠି | ମଉସା ମାଉସୀ | ଅପା ଭାଇ ସମସ୍ତେ | ଲାରେଲାପା ଲାରେଲାପା ଡାକେ ଠେକୁଆ | ଠେକୁଆର ବଡ଼ଭାଇ ଭାରି ଭ…କୁ…ଆ… |

ସେଇ ପାୱାର କଟରେ ଲୁଚକାଳି ଖେଳିଖେଳି ବଡ ହେଲା ସୁମିତ | ବଡ ହେଇ ସେଇ କାନ୍ଥରେ ଡେରା ଦେଇ ଠିଆ ବି ହେଲା | ସେମିତି ଠିଆହେଇ ପାୱାର୍ କଟ୍ ରେ ଜଣଙ୍କ ପାଉଁଜି ଶବ୍ଦକୁ ଅପେକ୍ଷା ବି କରୁଥିଲା | ଅନ୍ଧାରରେ ସେଇ ଶବ୍ଦ ଶୁଣିଲେ ଖଣ୍ଡିକାଶ ମାରୁଥିଲା | ତା’ ଖଣ୍ଡିକାଶ ଶୁଣି ପାଉଁଜିଟି କାହିଁକି କେଜାଣି ଆଉରି ଅଧିକ ରୁଣୁଝୁଣୁ କରୁଥିଲା | କିନ୍ତୁ ଆଶ୍ଚର୍ଯ୍ୟର କଥା ଦିନ ଆଲୁଅରେ ସେଇ ପାଉଁଜି ତାକୁ ନ ଚିହ୍ନିଲା ଭଳି ବାଟକାଟି ଚାଲି ଯାଉଥିଲା | ସାମ୍ନାରେ ଦେଖିଲେ ଆଖି ତଳକୁ କରି ଦଉଥିଲା | ଦିନ ଆଲୁଅରେ ସେଇ ପାଉଁଜି ଶବ୍ଦ ଅଲଗା ଶୁଭୁଥିଲା ଆଉ ପାୱାର କଟ ବେଳେ ଶୁଭୁଥିଲା ଅଲଗା | ତେଣୁ ସବୁଦିନ ସନ୍ଧ୍ୟାରେ ସେଇ ପାୱାର୍ କଟ୍ କୁ ଜଗିକି ବସୁଥିଲା ସୁମିତ |

ତେବେ ପରବର୍ଷ ଖରାଦିନିଆ ପାୱାର୍ କଟ୍ ବେଳକୁ ବଦଳି ହେଇ ଅନ୍ୟ ସହରକୁ ଚାଲି ଯାଇଥିଲା ରୁମଝୁମ୍ ହେଉଥିବା ପାଉଁଜି ଯୋଡିକ ଆଉ ସୁମିତ ବି ଆସି ଯାଇଥିଲା ଭୁବନେଶ୍ୱର ଇଂଜିନିୟରିଂ କୋଚିଂ ପାଇଁ | ତା’ପରେ ଭେଲୋରରେ ପାଠପଢ଼ା | ବଲାଙ୍ଗୀରରୁ ଭେଲୋର୍ | ତା’ପରେ ମୁମ୍ବାଇ | ତା’ପରେ ଲଣ୍ଡନ୍ | ତା’ପରେ ଏବେ ବାଙ୍ଗାଲୋର୍ | ସାରା ଦୁନିଆ ବୁଲିବୁଲି ସୁମିତ ଭୁଲି ଯାଇଥିଲା ପାୱାର୍ କଟ୍ ବୋଲି କିଛି ଗୋଟିଏ ଛୋଟ ସହରିଆ ଜିନିଷ ବି ଅଛି ବୋଲି |

ହେଲେ ଆଜି ତା’ର ସବୁ ମନେ ପଡିଯାଇଛି | ଆଜି ସେ ବହୁତ ଗପିବ ସୋନାଲି ସହ | କିଛି ପୁରୁଣା କଥା କହିବ ସୋନାଲିକୁ | ମନେ ପକେଇବ କେତେ ସୁନ୍ଦର ଥିଲା ସେଇ ଦୁଇ ଘଣ୍ଟାର ସମୟ | ଜୀବନ ତାଙ୍କୁ ସମୟ ଦଉଥିଲା କିଛି ସମୟ ପରସ୍ପର ସାଙ୍ଗରେ ବିତେଇବା ପାଇଁ | ପରସ୍ପରର ଦୁଃଖସୁଖ ବାଣ୍ଟିବା ପାଇଁ | ସେଇ ଦୁଇଘଣ୍ଟାର ଖଟିଗପରେ ଲୋକ ଭୁଲି ଯାଉଥିଲେ ତାଙ୍କ ଜୀବନ କଷଣ | ପୁଣି ନିଜକୁ ତିଆରି କରୁଥିଲେ ଆସନ୍ତା କାଲିର ସଂଘର୍ଷ ପାଇଁ | ସୁମିତର ମନେ ଅଛି ସାନ ଥିଲାବେଳେ ପାୱାର୍ ଆସିଗଲା ପରେ ସେ କେତେ ଖୁସି ହଉଥିଲା | ଟିଭି ଦେଖିବ | ସିରିଏଲ ଦେଖିବ | ଫିଲିମ ଦେଖିବ | ହେଲେ ଆଜି? ହେଲେ ଆଜି ସେ ବହୁତ ମିସ୍ କରୁଥିଲା ସେଇ ପାୱାର୍ କଟ୍ କୁ | ତାକୁ ଲାଗୁଥିଲା ସେଇ ପାୱାର୍ କଟ୍ ହେଲେ ସମ୍ପର୍କ ଗୁଡାକ ଯେମିତି ଆଉରି ପାଖକୁ ଆସି ଯାଉଥିଲେ |

ବାଥରୁମରୁ ବାହାରିଲା ସୁମିତ | ହଲକୁ ଆସି ସୋଫାରେ ବସି କହିଲା – ଜାଣିଛ ସୋନାଲି ମୁଁ ସାନ ଥିଲାବେଳେ… | ହଠାତ୍ ସୁମିତକୁ ଚମକେଇ ଦେଇ ୨୨ ୱାଟ୍ ଫିଲିପ୍ସ ଟ୍ୟୁବଲାଇଟ୍ ଜଳି ଉଠିଲା ଡ୍ରଇଂରୁମରେ | ଫ୍ୟାନଟା ବି ଘୁରିବା ଆରମ୍ଭ କରିଦେଲା | ଫ୍ରିଜ୍ ଷ୍ଟାବିଲାଇଜରର ଘୁଁଘୁଁ ଶବ୍ଦ ଶୁଭାଗଲା |

– ଆସିଗଲା……..!!!! ପାୱାର୍ ଆସିଗଲା | ୟେ ୟେ!!!!! ସୋନାଲି ଛୁଆଙ୍କ ଭଳି ପାଟିକରି ସୋଫାରୁ ଉଠିପଡିଲା | ସୁମିତ ହତବାକ୍ ହେଇ ତାକୁ ଦେଖୁଥାଏ | ସୋନାଲି ବିଜୁଳି ବେଗରେ ଦୌଡ଼ିଯାଇ ନିଜ ଫୋନଟା ବସେଇ ଦେଲା ଚାର୍ଜରେ | ତା’ପରେ ଫୋନକୁ ସେମିତି ଚାର୍ଜ୍ କରୁକରୁ ୱାଇଫାଇ ସାଙ୍ଗେ କନେକ୍ଟ କରିଦେଲା ଆଉ ଇଣ୍ଟରନେଟର ସେଇ ମାୟାବୀ ଦୁନିଆରେ ନିଜକୁ ହଜେଇ ଦେଲା | ୨୨ ୱାଟ୍ ଫିଲିପ୍ସ ଟ୍ୟୁବଲାଇଟ୍ ସୁମିତକୁ ଚାହିଁ ଖତେଇ ହଉଥିଲା |

Leave a Reply