ପାଦ

ଆମର ବୁଢ଼ାମେଳ ଭିତରେ ଖାଲି ଖୋକାବାବୁ ହିଁ ଥିଲେ ଯିଏ ଟୋକାମନ ନେଇ ରହିଥିଲେ। ହଁ, ନ ବି ରୁହନ୍ତେ ବା କିପରି!! ଯେତେବେଳେ ଆମେ ବୁଢ଼ାମାନେ ସବୁ ନିଜ ପୁଅବୋହୁଙ୍କ ନାଁ ରେ ଅଭିଯୋଗ ସବୁ ବାଢୁଥାଉ, କେବଳ ଖୋକାବାବୁ ହିଁ ନିଜ ପୁଅବୋହୁଙ୍କୁ ପ୍ରଶଂସାରେ ପୋତି ପକାନ୍ତି। ହଁ, ଏଥିରେ କଣ ବା ଆଶ୍ଚର୍ଯ୍ୟ ହେବାର ଅଛି!! ପଇସା ଅଛି। ପୁଅବୋହୂ ନାତିନାତୁଣୀରେ ଭରପୁର ଘର। ଖାଲି ଯାହା ହସଖୁସି ମଜାମଜଲିସ କରି ଶେଷଦିନଗୁଡା ଗଣିଦବା କଥା। ଥରେ ଥରେ କିନ୍ତୁ ହିଂସା ହୁଏ ମତେ ତାଙ୍କର ସେ ମନଖୋଲା ହସ ଦେଖିଲେ!!! କାହିଁକି ଜୀବନର ସବୁ ସୁଖ ଖାଲି ଗୋଟିଏ ଲୋକର ଭାଗ୍ୟରେ?? କାହିଁକି ଗୋଟିଏ ଲୋକ ସବୁବେଳେ ସୁଖୀ ଆଉ ଗୋଟିଏ ଲୋକ ସବୁବେଳେ ଦୁଖୀ?? କିନ୍ତୁ ଯାହା ହେଲେ ସେ ମୋ ସାଙ୍ଗ। ମୁଁ ନିଜ ମନକୁ ସମ୍ଭାଳି ନିଏ। ଗତ ଦଶ ଦିନ ହେଲା ଖୋକାବାବୁର ଦେଖା ନଥିଲା। ଫୋନଟା ବି ତାଙ୍କର ବନ୍ଦ ଥିଲା। ଆମ ମନକୁ ପାପ ଛୁଉଁଥିଲା। ପାଚିଲା ଆମ୍ବ ଆମେ ସବୁ। କେତେବେଳେ କିଏ ଗଳି ପଡି!! ହେଲେ ଖୋଜିବୁ ତ’ ତାଙ୍କୁ କେମିତି ଖୋଜିବୁ??!! ଏଠି ତ’ ସମସ୍ତେ ମର୍ଣ୍ଣିଙ୍ଗୱାକରେ ହିଁ ଦେଖା। ସେଇଥିରୁ ହିଁ ବନ୍ଧୁତା। କିଏ କାହାକୁ କେବେ ଡାକେନା କି କିଏ କେବେ କାହା ଘରକୁ ଯାଉନା। ଏଇ ଚା’ଦୋକାନରେ ହି ଯାହା ଖଟିଗପ ଗୁଲିଗମାତ। ବହୁତ କଷ୍ଟରେ ବାବୁଲି ଚା’ଦୋକାନୀ ତା’ ଲୋକ ଲଗେଇ ଖୋକାବାବୁଙ୍କ ଖବର ନେଲା। ତା’ଠାରୁ ଆମେ ଯାହା ଶୁଣିଲୁ ଆମ ପାଦତଳୁ ମାଟି ଖସିଗଲା। ସେ ଦେଇଥିବା ଘର ଠିକଣାରେ ପହଂଚିଲୁ। ଘର ତ’ ନୁହେଁ ସେଇଟା ଥିଲା ବୃଦ୍ଧାଶ୍ରମ। ଦଶଦିନ ତଳେ ଆରପାରିକୁ ଚାଲି ଯାଇଥିଲେ ଖୋକାବାବୁ। ବିନା ପୁଅବୋହୂ, ବିନା ନାତିନାତୁଣୀ, ଆଉ ବିନା ବନ୍ଧୁବାନ୍ଧବରେ।ଲଜ୍ଜାରେ ମଥା ନଇଁଗଲା। ସେଦିନ ଭାରି ମନ ନେଇ ଘରକୁ ଫେରିଲାବେଳେ କାନରେ ବାଜି ଯାଉଥାଏ ତାଙ୍କର ସେ ମନଖୋଲା ଠୋଠୋ ହସ ଆଉ ପଦୁଟିଏ କଥା, “ଦାସବାବୁ। ଆପଣଙ୍କ ପାଦରେ ଜୋତା ନାହିଁ ବୋଲି କାନ୍ଦୁଛନ୍ତି!! ଆପଣଙ୍କ ଚାରିଆଡକୁ ଚାହିଁଦେଖନ୍ତୁ। ଦେଖିବେ ବହୁତ ଲୋକଙ୍କର ପାଦ ହିଁ ନାହିଁ।”

One Reply to “ପାଦ”

  1. ସବୁକିଛିକୁ ଲୁଚେଇ ରଖିକି ଆମକୁ ପୁଣି ହସିବାକୁ ହୁଏ ।
    ଆଉ ସେ କ‌ହିଥାନ୍ତେ ବା କେମିତି;
    କ‌ହିଲେ ତ କୂଳ କୁଟୁମ୍ବକୁ ଲାଜ ।

Leave a Reply