ନୀଳ ତିମି ରାକ୍ଷସ ଓ ଉଦାସ ରଜାପୁଅ ଉପାଖ୍ୟାନ

ଟିଭି ଟ୍ୱିଟର ଫେସବୁକ ହ୍ଵାଟ୍ସଆପ ସବୁଆଡେ ଏବେ ନୀଳ ତିମିର ଆତଙ୍କ। ନୀଳ ତିମି ଖେଳ ମାନେ ବ୍ଲୁ େହ୍ୱଲ ଗେମ (Blue Whale Game)। ଆଜି ସମସ୍ତଙ୍କୁ ଜଣା ଏହା ଏକ ମାରାତ୍ମକ ମୃତ୍ୟୁର ଖେଳ; ଆତ୍ମହତ୍ୟାର ଖେଳ। ରୁଷିଆରେ ଏଇ ଖେଳର ଜନ୍ମ। କିନ୍ତୁ ଅଗଷ୍ଟ ମାସ ଆରମ୍ଭରେ ମୁମ୍ବାଇରେ ୧୪ ବର୍ଷୀୟ କିଶୋରଟିଏ ଆତ୍ମହତ୍ୟା କଲାପରେ ଭାରତରେ ଏଇ ଘାତକ ଖେଳଟିର ଉପସ୍ଥିତି ବିଷୟରେ ଜଣା ପଡିଥିଲା। ବର୍ତ୍ତମାନ ଏଇ ଘାତକ ଖେଳର ନିର୍ମାତା ୨୧ ବର୍ଷୀୟ ଫିଲିପି ବୁଦିକିନ ଜେଲ କୋଠରୀ ଭିତରେ। କିନ୍ତୁ ଏବେ ପର୍ଯ୍ୟନ୍ତ ଏଇ ଖେଳଟିକୁ ରୋକିବାକୁ କୌଣସି ସରକାରୀ ବା ବେସରକାରୀ ପ୍ରାଧିକାରୀ ସମର୍ଥ ହେଇନାହାନ୍ତି। ଆଜି ଏଇଠି ଆମେ ଏଇ ଖେଳର କାରଣ, ଉପଚାର ଓ ପୂର୍ବୋପଚାର ବିଷୟରେ କିଛି କଥା ହେବା।
ଏ କଥା ସତ ଯେ ଏବେ ବି ବହୁତ ଲୋକଙ୍କୁ ଜ୍ଞାତ ନାହିଁ ଯେ ଏହି ଘାତକ ଖେଳଟି କେମିତି ଭାବରେ ଖେଳାଯାଏ। ଆମ ଭିତରୁ ଅନେକ ଲୋକ ଏଇଆ ଭାବୁଛନ୍ତି ଯେ ଏଇ ଖେଳଟି ମୋବାଇଲରେ ଡାଉନଲୋଡ଼ କରି ଖେଳାଯାଏ। କିନ୍ତୁ ସତ୍ୟତା ଏଇଆ ଯେ ଏଇ ଖେଳଟି ଖେଳିବା ପାଇଁ ମୋବାଇଲ, କମ୍ପୁଟର, ଲାପଟପ, ଟାଵଲେଟ କିଛି ବି ବ୍ୟବହାର କରାଯାଇପାରେ। ଯେମିତି ହ୍ଵାଟ୍ସଆପ ଆଉ ଫେସବୁକରେ ବହୁତ ସାରା ଗ୍ରୁପ ରହିଛି ଏମିତି ଯେ କୋୖଣସି ଗୁପ୍ତ (secret) ଗ୍ରୁପରେ ଏହି ଖେଳଟି ଖେଳାଯାଇପାରେ। ଏଇ ଖେଳଟି ୫୦ ଦିନ ପାଇଁ ଚାଲେ। ଆଉ ୫୦ ଦିନରେ ୫୦ଟି ଭିନ୍ନ ଭିନ୍ନ ଆହ୍ୱାନ/କାର୍ଯ୍ୟ (Challenge/Task) ଥିବ। ଏହି ଚାଲେଞ୍ଜ ଗୁଡିକ ସହଜ ବି ହେଇପାରେ ଆଉ କଷ୍ଟ ବି ହେଇପାରେ। କିଛି ଉଦାହରଣ ହେଲା ସକାଳ ୪.୨୦ ରେ ଉଠିବା, ଉଠିକି ଭୂତ ଫିଲ୍ମ ଦେଖିବା, ହାତ କାଟି ବିଭିନ୍ନ ଚିତ୍ର କରିବା, ଏସବୁର ଫଟୋ ଉଠେଇ ସେଇ ଗ୍ରୁପର ଆଡ଼ମିନକୁ ପଠେଇବା ଇତ୍ୟାଦି ଇତ୍ୟାଦି। ଧୀରେ ଧୀରେ ଟାସ୍କ ଗୁଡିକ କଷ୍ଟକର ହବାକୁ ଲାଗେ ଆଉ ଶେଷ ଚାଲେଞ୍ଜ ଥାଏ ଆତ୍ମହତ୍ୟା କରିବାର।
ଦୁଃଖର କଥା ଯେ ଏଇ ଖେଳର ପ୍ରଥମ ଶିକାର ହେଲେ ନିସଙ୍ଗ ଅନୁଭବ କରୁଥିବା ତଥା ଉଦାସପଣ ଭୋଗୁଥିବା ୯-୧୯ ବର୍ଷ ବୟସ୍କ ବାଳକ ବାଳିକା ଓ କିଶୋର କିଶୋରୀ। ଆଜିକାଲି ଯେତେବେଳେ କିଶୋର କିଶୋରୀଙ୍କ କଥା ଆସେ ଆମେ ସାଙ୍ଗେ ସାଙ୍ଗେ ତାଙ୍କର ମୋବାଇଲ ନିଶା କଥା କହୁ। ଏଇ ପିଲାଙ୍କୁ ସବୁ କଥାପାଇଁ ଦୋଷ ଦେଲାବେଳକୁ ଆମେ କେବେ ବି ନିଜ ବିଷୟରେ ନିଜ ଅପରାଧ ବିଷୟରେ ଭାବୁନି। ଏଠାରେ ପ୍ରଶ୍ନ ଉଠେ ଯେ ଆମେ ନିଜଘରେ ନିଜ ପିଲାଙ୍କୁ ନିରାପଦ ଭାବୁଥିଲା ବେଳେ ଏଇ ମୃତ୍ୟୁର ଯମଦୂତମାନେ କେମିତି ଆମ ପିଲାଙ୍କ ଉପରେ ନଜର ପକେଇ ପାରନ୍ତି।
ଯଦି ଆମେ କେବେ ୟା ଉପରେ ଭଲରେ ଚିନ୍ତା କରିବା ତେବେ ଜାଣିପାରିବା ଯେ ଆମ ପିଲାଙ୍କୁ ବିପଦରେ ପକେଇବାର ପ୍ରଥମ ଅପରାଧୀ ହେଲୁ ଆମେ। ଆମେ ନିଜେ ନିଜ ପିଲାଙ୍କ ହାତରେ ଦୁଇ ବର୍ଷରୁ ମୋବାଇଲ ଧରେଇ ଦଉ। ସେମାନେ କାନ୍ଦିବେ ବା ଦୁଷ୍ଟାମୀ କରିବେ ବୋଲି ତାଙ୍କୁ ଟିଭି ଆଗରେ ବସେଇ ଦଉ ନହେଲେ ଫୋନରେ ଗୀତ ଦେଖିବାକୁ ଦେଇଦଉ। ଯେତେବେଳେ ପିଲାମାନେ ଧୀରେ ଧୀରେ ମୋବାଇଲ ନିଶାରେ ପଡିଯାନ୍ତି ତା’ପରେ ଆମେ ତାଙ୍କ ହାତରୁ ମୋବାଇଲ ଛଡ଼େଇଇବାକୁ ଚେଷ୍ଟା କରୁ । କିନ୍ତୁ ସେତେବେଳକୁ ଲେଣିଗୁଡ଼ କହୁଣୀକୁ ବୋହି ଯାଇଥାଏ। ଆମେ ଆମ ପିଲାଙ୍କୁ ମୋବାଇଲ ନ ଧରିବାକୁ କହୁ, ଫେସବୁକ ହ୍ଵାଟ୍ସଆପ ନ କରିବାକୁ କହୁ ଯେତେବେଳେ ଆମେ ନିଜେ ଦିନରାତି ଚବିଶ ଘଣ୍ଟା ଇଣ୍ଟରନେଟରେ ବୁଡି ରହିଥାଉ। ନେଟ ନ ଆସିଲେ କି ଫୋନ୍ ଟିକିଏ ଖରାପ ହେଇଗଲେ ଆମେ ନିଜେ ପାଗଳ ହେଇଯାଉ; ବ୍ୟତିବ୍ୟସ୍ତ ହେଇପଡୁ।
ଆମେ ଏକଥା ସବୁବେଳେ ମନେ ରଖିବା ଉଚିତ ଯେ ପିଲାମାନେ ଉପଦେଶରୁ କେବେ କିଛି ଶିଖନ୍ତିନି। ସେମାନେ ଯାହା ଦେଖନ୍ତି କେବଳ ସେଇୟା ଶିଖନ୍ତି। ଆଉ ସେଥିପାଇଁ ଏଇଟା ସତ ଯେ ଅଭିଭାବକ ହିସାବରେ ଆମେ ହିଁ ଆମ ପିଲାଙ୍କୁ ଟିଭି, କମ୍ପୁଟର ଆଉ ମୋବାଇଲର ନିଶା ଧରେଇଛୁୁ ଆଉ କେହି ନୁହେଁ। ନିକଟରେ ଗୋଟିଏ ବାଳ ବିକାଶ ଅନୁଷ୍ଠାନ ପକ୍ଷରୁ କରାଯାଇଥିବା ସର୍ଭେରୁ ଜଣା ପଡ଼ିଛି ଯେ ସାମ୍ପ୍ରତିକ ଭାରତୀୟ ପରିବାରର ସଦସ୍ୟମାନେ ପରସ୍ପରଠାରୁ ଦୂରେଇବାରେ ଲାଗିଛନ୍ତି। ୫୫% ଭାରତୀୟ ପିତା ଓ ୩୫% ମାତା ନିଜ ପିଲାଙ୍କ ସାଙ୍ଗସାଥୀଙ୍କ ବିଷୟରେ ସମ୍ପୂର୍ଣ୍ଣ ଅନଭିଜ୍ଞ। ୬୦% ଭାରତୀୟ ଶିଶୁ ନିଜ ପିତାମାତାଙ୍କ ସାଙ୍ଗରେ ନିଜ ବ୍ୟକ୍ତିଗତ ସମସ୍ୟା ଚର୍ଚ୍ଚା କରିବାକୁ କୁଣ୍ଠାବୋଧ କରନ୍ତି। ଆଉ ୟାର ଅନ୍ୟାନ୍ୟ କାରଣ ସହିତ ଏକ ବହୁତ ବଡ଼ କାରଣ ହେଉଛି ମୋବାଇଲ ଆଉ ଇଣ୍ଟରନେଟର ଆବଶ୍ୟକତାଠାରୁ ଅଧିକ ବ୍ୟବହାର। ତେଣୁ ଆମେ ଯେତେବେଳେ ନିଜ ମୋବାଇଲର ଦୁନିଆରେ ବୁଡିରହୁ କିନ୍ତୁ ନିଜ ଘରେ ନିଜ ପିଲାଙ୍କୁ ଏକ ବନ୍ଧୁତ୍ୱପୂର୍ଣ୍ଣ ବାତାବରଣ ସୃଷ୍ଟି କରିବାକୁ ଅସମର୍ଥ ହେଉ ସେତେବେଳେ ଆମ ପିଲା ଏକୁଟିଆ ଅନୁଭବ କରନ୍ତି ଓ ସହଜରେ ନୀଳ ତିମି ରାକ୍ଷସର ହାବୁଡ଼ରେ ପଡିଯାନ୍ତି।
ଏଇଟା ଠିକ୍ ଯେ ନୀଳ ତିମିଠାରୁ ନିଜ ରାଜକୁମାରକୁ ରକ୍ଷା କରିବାକୁ ହେଲେ ଆମକୁ ଆମ ପିଲାଙ୍କ ଅନଲାଇନ ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖିବାକୁ ହେବ। ପୁଣି ପିଲା ଯଦି ସକାଳ ଠିକ୍ ୪.୨୦ ରେ ଉଠୁଛି ଆଉ ତାପରେ ଫୋନରେ ବ୍ୟସ୍ତ ରହୁଛି, ସବୁବେଳେ ନିଦୁଆ ରହୁଛି, ନିଜ ହାତ ଗୋଡ଼କୁ ବ୍ଲେଡ଼ରେ କାଟିଛି ତେବେ ପିତାମାତାଙ୍କୁ ବହୁତ ସତର୍କ ହବାକୁ ପଡିବ କାରଣ ନୀଳ ତିମିର ଶିକାର ହେଲେ ଉଦାସ ରଜାପୁଅ। କିନ୍ତୁ ଏକଥା ବି ସତ ଯେ ଆମେ ସବୁବେଳେ ଆମ ପିଲାଙ୍କ ସାଙ୍ଗରେ ଉପସ୍ଥିତ ରହିପାରିବା ନାହିଁ। କିନ୍ତୁ ଆମ ସ୍ନେହ ଓ ସୁଶିକ୍ଷା ସବୁବେଳେ ପିଲାଙ୍କ ସାଙ୍ଗରେ ରହିବ। ତେଣୁ ଏବେ ଆମର ସବୁଠୁ ଜରୁରୀ ଦାୟିତ୍ୱ ହେଲା ନିଜ ପିଲାଙ୍କୁ ନିଜର ସମୟ ଦେବା ଓ ଅପର୍ଯ୍ୟାପ୍ତ ସ୍ନେହ ଦେବା। ନିଜ ନିଜ ପିଲାଙ୍କ ଭିତରେ ଆମେ ଯେଉଁ ଗୁଣ ଦେଖିବାକୁ ଚାଁହୁଛେ ପ୍ରଥମେ ନିଜେ ସେଇ ଗୁଣର ଅଧିକାରୀ ହେବା ଆଉ ଯଦି ଆମ ପିଲାଙ୍କୁ ଆମେ ମୋବାଇଲ ଆଉ ସୋସିଆଲ ମିଡ଼ିଆର ନିଶାରୁ ମୁକ୍ତ କରିବାକୁ ଚାହୁଁଛେ ତାହେଲେ ପ୍ରଥମେ ଆମେ ସେଇ ନିଶାରୁ ମୁକ୍ତ ହେବା। ଏହା ଶୁଣିବାକୁ ଆମକୁ ହୁଏତ ଅସମ୍ଭବ ବା ଅବ୍ୟବହାରିକ ଲାଗିପାରେ। କିନ୍ତୁ ଭଲରେ ଚିନ୍ତା କରି ଦେଖିଲେ ଆମେ ଜାଣିବା ଯେ ନୀଳ ତିମିର ଶକ୍ତି ହେଉଛି ଆମର ମୋବାଇଲ ଓ ସୋସିଆଲ ମିଡିଆ ନିଶା। ଆଉ ସେଥିପାଇଁ ନୀଳ ତିମି ସାଙ୍ଗରେ ଲଢ଼ି ତାକୁ ଜିତିବାର ଉପାୟ ହଉଛି ପ୍ରଥମେ ଆମ ନିଶା ସାଙ୍ଗରେ ଲଢ଼ିବା ତା’ ଉପରେ ଆଗ ଜିତାପଟ ହାସଲ କରିବା।

Leave a Reply