(Photo courtesy: Mr Sambeet Das)
ଭାଗ ୧- କାନିକା ଉପାଖ୍ୟାନ
ଆଜିର ଚରିତ୍ର
ବଡଭାଇ: ଘରର ମୁରବୀ ଶଙ୍କର୍ଷଣ ଚୌଧୁରୀ, ବୟସ ୩୬
ସାନଭାଇ: ପରଂବ୍ରହ୍ମ ଚୌଧୁରୀ ଓରଫ ପରମ ବୟସ ୩୧
ସାନଭଉଣୀ: ଯୋଗମାୟା ଚୌଧୁରୀ ଓରଫ ମାୟା, ବୟସ ୨୬
ଜୟ: ଘରର ଚାକର ଆଉ ରୋଷେଇଆ, ବୟସ ୩୪
ଶ୍ରୀୟା ପରିଜା: ଫୁଡ ବ୍ଲଗର, ବୟସ ୨୮
ଦୃଶ୍ୟ ୧
ସ୍ଥାନ: ନୀଳାଚଳ ନିବାସ, ବୈଠକ ଖାନା
ଦିନ: ଏପ୍ରିଲ ୧୪, ୨୦୧୯, ଓଡ଼ିଆ ନବବର୍ଷ
ବଡଭାଇ: ହଁ.. ସେଇ ସୋଫା ତଳକୁ ପଶେ | ଆଉରି ଭିତରକୁ ଯା!
ଜୟ: (ତଳେ ଶୋଇପଡି ଝାଡୁ କରୁକରୁ ଚିଡିଚିଡି ହେଇ) ଆଉ କୋଉ ଭିତରକୁ ପଶିଯିବି ମ? ମୁଁ ମଣିଷ ନା ସାପ?
ବଡଭାଇ: ହେଃ! ସେ ଫାଲତୁ କଥା ଛାଡ଼! ଭଲ କି ସଫା କରେ | ବହୁତ ଠକ ହେଲୁଣି ତୁ! ଆଚ୍ଛା ସେଗୁଡା କଣ ପଡିଚି?
ଜୟ: ଏଗୁଡା… ଚକଲେଟ ଚୋପା |
ବଡଭାଇ: ଚକଲେଟ ଚୋପା କଣ ମ? ଓହୋ! ଚକଲେଟ ଖୋଳ? କାଇଁ ଦେଖା?
ଜୟ: ଏଇ ନିଅ |
ବଡଭାଇ: ଏଇ ପାନ ପସନ୍ଦ ଚକଲେଟ ଗୁଡା କିଏ ଖାଉଛି?
ଜୟ: କିଏ ଆଉ? ସେଇ ସାନଭାଇ!
ବଡଭାଇ: ପରମ ଖାଉଛି ଏଗୁଡା?
ଜୟ: ଆଉ କଣ? ତମେ ପାନ ଖାଇବାକୁ ମନାକଲ ବୋଲି ଏଣିକି ଏଗୁଡା ଖାଉଛନ୍ତି |
ବଡଭାଇ: ଏତେ ମନା କରିବା ପରେ ବି ପାନ ଚୋବେଇବା ଅଭ୍ୟାସ ଗଲାନି କାଳୁର? ରହ ଆଜି ଦଉଚି ତାକୁ!
ଜୟ: ଇଏ ବୋପାମା! ତାଙ୍କୁ କହିବନି ମୁଁ କହିଛି ବୋଲି |
ବଡଭାଇ: ହଉ ହଉ | ଆଉ ସେପାଖେ ସେ ମୋଜା ଗୁଡା କିଏ ପକେଇଚି?
ଜୟ: (ମୋଜା ରଖୁରଖୁ) ଏଇଟା ଅପାର |
ବଡଭାଇ: ସେ ଖଣ୍ଡକକୁ ବି ମୁଁ ଆଜି ଦେଖୁଚି ରହ | ଯଉଠି ଯାହା ପାଇଲା ପକେଇଲା | ଆରେ… ମୁଁ କିଛି ନ କହିଲା ବେଳକୁ!!!
ଜୟ: ତମେ ଯାହା ଦେଖିବ… ମୁଁ ଜାଣିଚି!
ବଡଭାଇ: (ରାଗିକି) କଣ କହିଲୁ?
ଜୟ: (ଜିଭ କାମୁଡି) କିଛି ନାଇଁ କିଛି ନାଇଁ… (ଝାଡୁ କରିବାରେ ଲାଗିଲା)
ବଡଭାଇ: ହଉ କୁଆଡେ ଗଲେ ସେ ଦି ଭାଇ ଭଉଣୀଙ୍କୁ? କିଛି ସୋରଶବ୍ଦ ଶୁଭୁନି?
ଜୟ: ଓଃ ତମେ ଜାଣିନ କି? ଆଜି ପରା ମୋର ରୋଷେଇଘରୁ ଛୁଟି |
ବଡଭାଇ: କଣ କହିଲୁ? ତୋର ଆଜି ଛୁଟି?
ଜୟ: ହଁ ପା | ସାନଭାଇ ଆଉ ଅପା କହିଲେ ଆଜି କୁଆଡେ ସେ ଦୁହେଁ ଓଡ଼ିଆ ନୂଆବର୍ଷ ପାଇଁ ଖାଇବା କରିବେ | କାନିକା, ଖଟା ଆଉ ଖିରି |
ବଡଭାଇ: ହେ ପ୍ରଭୁ | ସେ ଦୁଇ ଅକାଳ କୁଷ୍ମାଣ୍ଡ ଆଜି ରୋଷେଇଘରେ? ମଲା ମଣିଷ | ଆଜି ତାହେଲେ ଖାଇବା ବନ୍ଦ |
ଜୟ: ସେ ଯା ହଉ | ମୁଁ ତ ଭାବିଥିଲି ମତେ ଟିକେ କାମରୁ ଛୁଟି ମିଳିଲା ବୋଲି ଯେ ତମେ ତ ସକାଳୁ ସାରା ଘର ସଫା କରେଇ କରେଇ ମୋ ଅଣ୍ଟାପିଠି ବଥା କରିସାରିଲଣି |
ବଡଭାଇ: ଆଉ ଯଦି ଅଧିକ କଥା କହିବୁ ତାହେଲେ ଆଜି ରାତିଯାଏଁ କାମ କରେଇବି ଜାଣିଚୁ? ଚୁପଚାପ କାମ କରେ |
ଜୟ: ବଡଭାଇ… ତାହେଲେ ମୁଁ ଗାଁକୁ ପଳେଇବି ଜାଣିଥାଅ!
ବଡଭାଇ: ଚୁପ!! ଆଜିକାଲି ଭାରି ଅଳସୁଆ ହେଇଗଲୁଣି! ଆଉ ମୁଁ କଣ ଟିକେ ବାହାରକୁ ଗଲି ଏ ଦୁଇଜଣ ଘରକୁ ପୁରା ଗୁହାଳ କରିସାରିଲେଣି | ଚାଲ ଚାଲ.. ତୁ ହାତ ଚଲା | ମୁଁ ଟିକେ ଏଇ ପାଖରୁ ଆସୁଛି |
ଶଙ୍କର୍ଷଣ ଚୌଧୁରୀ କବାଟ ଖୋଲି ଘରୁ ବାହାରକୁ ଚାଲିଯାଆନ୍ତି | ଜୟ ଘର ସଫା କରିବାରେ ମନ ଦିଏ |
***
ଦୃଶ୍ୟ ୨
ସ୍ଥାନ: ରୋଷେଇଘର, ରୋଷେଇଘରେ ଅଛନ୍ତି ପରମ ଆଉ ମାୟା
ପରମ: ହଉ ତୁ ପରିବା କାଟେ |
ମାୟା: ମୁଁ ସେ ପରିବା ଫରିବା କାଟି ପାରିବିନି | ତୁ କାଟେ | ତୋର ପ୍ଲାନ ଥିଲା ନା ଆଜି ରାନ୍ଧିବାର |
ପରମ: ଆରେ ନାଇଁ | ବଡଭାଇ ଘର ଅବସ୍ଥା ଦେଖି ଆମ ଉପରେ ଚିଡ଼ିଛନ୍ତି | ସେଥିଲାଗି ମୁଁ ଭାବିଲି ଆଜି ଟିକେ ରୋଷେଇକରି ତାଙ୍କୁ ଖୁସି କରିଦେବା |
ମାୟା: ଆଉ ତତେ ଲାଗୁଚି ସେ ଆମ ରୋଷେଇ ଖାଇ ଖୁସି ହେଇଯିବେ? ଓଲଟା ଆମକୁ ଘରୁ ବାହାର କରିଦେବେ | ତୁ ବି ଯାହା ସବୁ କରୁ ନା!
ପରମ: ହଉ ସେ ବାଜେ କଥା ବନ୍ଦ କରେ ଆଉ ପରିବା କାଟେ |
ମାୟା: ମତେ ଆସେନି |
ପରମ: ଝିଅ ପିଲାଟା | କହୁଚୁ କଣ ନା ପାରିବ କାଟି ଜାଣିନୁ?
ମାୟା: ସେ ଝିଅପୁଅ କଥା ମତେ କହନି | ତୁ ତ ପୁଅ | ତାହେଲେ କାଲି କେମିତି ତତେ କରାଟେରେ ହରେଇ ଦେଲି |
ପରମ: ହଉ ଅତି ଗୋଟେ ଅଣ୍ଡିରୀ ଭଳି ଫୁଲେନା | ନେ ଏଇ ଟମାଟୋ ଗୁଡା କାଟେ |
ମାୟା: ହଉ ଦେ | ମୁଁ କାଟୁଚି ହେଲେ ଏ ସବୁ ତିଆରି କରିବ କିଏ?
ପରମ: କିଏ ଆଉ? ମୁଁ କରିବି | କରି କରାଉ ଥାଏ ମୁହିଁ |
(ଏତିକି କହି ପରମ ପାଖରେ ଥୁଆ ହେଇଥିବା ତା’ ଲ୍ୟାପଟପ ଖୋଲେ)
ମାୟା: ହଉ ଥାଉ ଥାଉ | ଏତେ ନାଟକ କରନି | ଆଉ ସେ ଲ୍ୟାପଟପ କାଇଁ ଖୋଲିଲୁ?
ପରମ: ଏଇଥିରେ ହିଁ ତ ସବୁ ଅଛି |
ମାୟା: ସେଥିରେ କଁ ଅଛି?
ପରମ: ଏଥିରେ ୟୁଟ୍ୟୁବ ଅଛି | ଆଉ ସେଥିରୁ ଆମେ ଦେଖିବା ଏଗୁଡା କେମିତି ତିଆରି ହବ |
ମାୟା: ଆରେ ହଁ ତ! ଏଟା ତ ମୁଁ ଭାବିନଥିଲି | ୟୁଟ୍ୟୁବ ତାହେଲେ ଖୋଲେ |
(ପରମ ୟୁଟ୍ୟୁବ ଖୋଲେ | କିଛି ସମୟ ଖୋଜେ | ମାୟା ତାଠୁ ଲାପଟପ ନେଇଯାଏ)
ମାୟା: ମତେ ଦେ | ମୁଁ ଖୋଜିବି….. ହଁ… ଏଇ ଭିଡିଓ ଦେଖେ | ଏଇ କାନିକା ଭିଡିଓରେ ସତୁରି ହଜାର ଉପରେ ଭିଉଜ ଅଛି | ଶ୍ରୀୟା ପରିଜା ବୋଲି ଗୋଟେ ଝିଅର | ଖଟା ଆଉ ଖିରିର ଭିଡିଓ ବି ଅଛି |
ପରମ: କାଇଁ ଦେଖା! ଲଗା ଭିଡିଓଟା |
ମାୟା ଭିଡିଓ ଅନ କଲା | ଭିଡିଓରୁ ଜଣଙ୍କର କଣ୍ଠସ୍ୱର ଭାସିଆସିଲା: ହେଲୋ | ସମସ୍ତଙ୍କୁ ମୋର ନମସ୍କାର | ମୁଁ ଶ୍ରୀୟା ପରିଜା ଆଜି ଆପଣମାନଙ୍କ ପାଇଁ ନେଇକି ଆସିଛି ଖାଣ୍ଟି ଓଡ଼ିଆ ଖାଦ୍ୟ: କାନିକା |
ମାୟା: ଭାଇ, ଏବେ ଏଇ ଜିନିଷ ଗୁଡା ସାମ୍ନାରେ ଆଣିରଖେ | ଏ ଭାଇ…!
ପରମ: ହଁ ହଁ କହ |
ମାୟା: ମୁଁ କହିଲି ଏବେ ଚାଉଳ ବାହାର କରିକି ଆଣେ |
ପରମ: ହଉ (ପରମ ସେମିତି ବସିରହେ ଆଉ ଭିଡିଓକୁ ଚାହିଁ ରହେ )
ମାୟା: ଭାଇ ମୁଁ ଭିଡିଓ ପଯ୍ କରିକି ରଖିଛି | ଯା |
ପରମ ଯାଇ ଚାଉଳ ଧୋଇକି ଆଣେ |
ମାୟା: ଲଗେଇଲି ପୁଣି | ଏବେ ଶୁଣ ସେ କଣ କହୁଛି! ଲୁଣ ହଳଦୀ ସବୁ କାଇଁ?
ପରମ: କାଇଁ? (ଭିଡିଓକୁ ଦେଖି ଦେଖି)
ମାୟା: କାଇଁ ମାନେ?
ପରମ: (ଭିଡିଓକୁ ଦେଖି ଦେଖି) କାଇଁ ମାନେ କଣ?
ମାୟା: ହେ ଭଗବାନ | ତତେ କଣ ଶୁଭୁନି? ସେ କଣ କହୁଛି?
ପରମ: (ଭିଡିଓକୁ ଦେଖି ଦେଖି) କିଏ କଣ କହୁଛି?
ମାୟା: ଆରେ ସେ ଭିଡିଓ! କଣ କରିବାକୁ କହୁଛି କରୁନୁ?
ପରମ: (ଭିଡିଓକୁ ଦେଖି ଦେଖି) କଣ କରିବାକୁ କହୁଛି?
ମାୟା: ଭାଇ ତୁ ପାଗଳ ହେଇଗଲୁଣି କି? ଆମେ କାନିକା ଖଟା ଆଉ ଖିରି ତିଆରି କରିବାକୁ ବସିଚେ | ଆଉ ତୁ ହିଁ ଏଇ ରାନ୍ଧିବା ନାଟକର ପୁରୋଧା | ସବୁ ଭୁଲିଗଲୁ?
ପରମ: (ଭିଡିଓକୁ ଦେଖି ଦେଖି) ଓଃ! ହଁ ହଁ!
ମାୟା: ମନେ ପଡିଲା? ନା ଏବେ ବି ସେ ଝିଅର ମୁହଁକୁ ପିଇ ଯାଉଛ?
ପରମ: (ଭିଡିଓକୁ ଦେଖି ଦେଖି) ଠିକ କହିଚୁ!
ମାୟା: କଣ କହିଲି?
ପରମ: (ଭିଡିଓକୁ ଦେଖି ଦେଖି) ମୁଁ ପିଇଯାଉଛି | (ହଠାତ ମାୟାକୁ ଚାହିଁ)ଏଁ! ମୁଁ କଣ ପିଇଯାଉଛି?
ମାୟା: ବସିକି ଭାବେ କଣ ପିଉଚୁ? ତୋ ଦେଇ କିଛି ହବନି | କାଲି ସେ ଵିମଲା ମେନନ ସାଙ୍ଗେ କଫି ପିଉଥିଲୁ ଆଉ ଆଜି ଏଇ ଝିଅର ମୁହଁରୁ ଆଖି ହଟୁନି ତୋର | ତୁ ଆଉ ସୁଧୁରିବୁନି |
ପରମ: ଚୁପ କର | ଵିମଲା ମୋ କଲିଗ ବେ | ପ୍ରେମିକା ନୁହେଁ |
ମାୟା: ହଉ ସେ କଥା ପରେ ବୁଝିବା | ରନ୍ଧା ଆରମ୍ଭ କରେ ଆଗ |
ପରମ: ହଉ | ଆଉ ବଡଭାଇ କାଇଁ?
ମାୟା: ସେ ତ ଜୟଭାଇକୁ ଏବେକୁ ତିନିଥର ଘର ସଫେଇ କରେଇ ସାରିଥିବେ | ସିଏ ଆଉ ତାଙ୍କ ସଫେଇ | ହାହା |
ପରମ: ଠିକ କହିଚୁ |ମୁଣ୍ଡ ଖରାପ ହେଇଯିବ ମଣିଷର |
ମାୟା: ହଉ ଏବେ ଆରମ୍ଭ କରେ |
***
ଦୃଶ୍ୟ ୩
ସ୍ଥାନ: ବୈଠକ ଖାନା
ବାହାର ଆଡୁ କବାଟ ଖୋଲି ଘର ଭିତରକୁ ପଶିଆସିଲେ ବଡଭାଇ ଶଙ୍କର୍ଷଣ | ସୋଫାରେ ବସି ଆରାମ କରୁଛି ଜୟ |
ବଡଭାଇ: ହଇ ରେ! ତୁ ଏଯାଏଁ ବସିଛୁ? ଆରେ… କିଛି ନ କହିଲା ବେଳକୁ!
ଜୟ ଧଡ଼ପଡ଼ ହେଇ ଉଠିପଡ଼ିଲା ଆଉ ପୁଣି ଝାଡୁ ମାରିବାରେ ଲାଗିଲା |
ବଡଭାଇ: ସେ ନାଟକ ଛାଡେ | ଆ ଏଇଠି ବ’ |
ଜୟ ଝାଡୁ ରଖି ଆସି ପାଖ ଛୋଟ ମେଜରେ ବସେ |
ବଡଭାଇ: ଏଇ ନେ ଖା | (ପକେଟରୁ ପାନ ପରାଗ କାଢି ଜୟକୁ ଦିଅନ୍ତି)
ଜୟ: ଥାଙ୍କୁ ଥାଙ୍କୁ | (ପାନ ପରାଗ ଖାଏ)
ବଡଭାଇ: ଆଉ ରୋଷେଇଘର ଖବର କଣ କିରେ?
ଜୟ: ଖବର ଏଇଆ କି ବାସନା ଭାସି ଆସୁଛି!
ବଡଭାଇ: (ଆଶ୍ଚର୍ଯ୍ୟ ହେଇ): ବାସନା? ସତେ?
ଜୟ: ବାସନା ବୋଇଲେ ପୋଡା ବାସନା! ହାହା!! (ଦୁହେଁ ହସିଲେ)
ବଡଭାଇ: ଆରେ ସେଇଟା ବାସନା ନୁହଁ ଗନ୍ଧ | ପୋଡାଗନ୍ଧ! ସତରେ କିଛି ପୋଡିପାଡ଼ି ଦେଲେ କି? ପ୍ରେସର ଫାଟିନି ତ!
ଜୟ: (ଆରାମ ରେ) ଏ ପର୍ଯ୍ୟନ୍ତ ତ ଫାଟିନି | ଆଗକୁ ଫାଟିଲେ କହିବି |
ବଡଭାଇ: ଚୁପ | ଏମିତି କହନ୍ତିନି | ଯା ଯା ଦେଖେ | କଣ କରୁଛନ୍ତି ଦୁହେଁ |
(ଜୟ ସେଠୁ ଉଠି ଚାଲିଯାଏ)
***
ଦୃଶ୍ୟ ୪
ସ୍ଥାନ: ରୋଷେଇଘର
ଜୟ ପ୍ରବେଶ କରେ |
ଜୟ: ଭାଇ, ଅପା | ସବୁ ରେଡି?
ପରମ ଆଉ ମାୟା: ହଁ ହଁ ସବୁ ରେଡି |
ମାୟା: ତମେ ପ୍ଲେଟ ଗିନା ସବୁ ଯୋଗାଡ଼ କର |
ପରମ: ଭାଇ କାଇଁ?
ଜୟ: ଖାଇବେ ବୋଲି ଜଗିଛନ୍ତି |
ପରମ: ଆଉ କିଛି ପଚାରୁଥିଲେ?
ଜୟ: ନାଇଁ ଖାଲି ପଚାରୁଥିଲେ ପ୍ରେସର ଫ୍ରେଶର କିଛି ଫାଟିନି ତ!
ମାୟା: ବଡଭାଇ ଆମକୁ ବହୁତ ଅଣ୍ଡରଏସ୍ଟିମେଟ କରୁଛନ୍ତି |
ପରମ: ଚିନ୍ତା କରନି | ଆଜିଠୁ ଆଉ କରିବେନି |
ଜୟ: ହଉ ଦେଖାଯାଉ!
ପରମ: (ଜୟକୁ ଦେଖି) (ଚିଡିଯାଇ) କଣ କହିଲ?
ଜୟ: (ଜିଭ କାମୁଡି) ନାଇଁ କିଛି ନାଇଁ | ଚାଲ | ମୁଁ ଖାଇବା ନେଇକି ଯାଉଛି |
***
ଦୃଶ୍ୟ ୫
ସ୍ଥାନ ଡାଇନିଂ ହଲ
ସମସ୍ତେ ଚେୟାରରେ ବସିଛନ୍ତି | ଜୟ ବଢିବାକୁ ଆରମ୍ଭ କରିଛି |
ବଡଭାଇ: ତୁମେ ସବୁ ଜିନିଷ ଚାଖିଛ ନା ନାଇଁ!
ପରମ: ନାଇଁ ଆଗ ଭୋଗ ତମ ପାଖେ ଲାଗିବ |
ଜୟ: ମାନେ ଯାହା ହବ ଆଗ ତମକୁ ହବ |
(ପରମ ଆଉ ମାୟା ରାଗିକି ଜୟକୁ ଦେଖନ୍ତି)
ମାୟା: (ରାଗିକି) ଜୟନା!
ବଡଭାଇ: ହଉ ବାଢ…ବାଢ |
ଜୟ ଆଉ ପରମ ମିଶିକି ବାଢିବା ଆରମ୍ଭ କରିଛନ୍ତି |
ବଡଭାଇ: ଇଏ କଣ? କାନିକା କଣ ପୁରା ପେଷ୍ଟ ହେଇ ଯାଇଛି?
ମାୟା: (ପରମକୁ) ସାନଭାଇ, ମୁଁ ତତେ କହିଥିଲି ନା କମ ପାଣି ଦେବାକୁ? ଏବେ ଦେଖ |
ପରମ: ତୁ କେତେବେଳେ କହିଥିଲୁ?
ବଡଭାଇ: (ଖଟା ଚାଖିକି) ଆଉ ଏଇ ଖଟାଟା ଏତେ ଲୁଣିଆ କାଇଁକି?
ମାୟା: (ଖିରି ଚାଖିକି) ସାନଭାଇ, ଖିରିରେ ଚିନି ପକେଇନୁ?
ପରମ: ତୁ କହିଲୁ ପରା ତୁ ପକେଇବୁ!
ମାୟା: ମୁଁ କେତେବେଳେ କହିଲି? ତୁ ତ କହିଲୁ ତୁ ପକେଇବୁ ବୋଲି!
ପରମ: କି ମିଛେଇଟେ!!
(ଜୟ ହସୁଥାଏ)
ମାୟା: ମୁଁ ମିଛେଇ? ଆଉ ତୁ କଁ କରୁଥିଲୁ? ସେ ଭିଡିଓରେ ମୁହଁମାଡି ବସିଥିଲୁ |
ବଡଭାଇ: କି ଭିଡିଓ?
ପରମ: ନା ସେ କିଛି ନୁହେଁ | ଏ ବଦମାସ ଝିଅ କଥା ଶୁଣନି |
ବଡଭାଇ: ହଉ ହେଲା | ଆଉ ଝଗଡା କରନି |
ପରମ: ହେଲେ ଏବେ କଣ କରାଯିବ?
ସେତିକି ବେଳେ କଲିଂ ବେଲ ବାଜେ | ଜୟ କବାଟ ଖୋଲିବାକୁ ବାହାରକୁ ଯାଏ | ଆସିଲା ବେଳେ ହାତରେ ବଡ ବ୍ୟାଗଟିଏ | ବ୍ୟାଗରୁ ମାଟି କୁଡୁଆ ସବୁ ବାହାରକରି ଟେବୁଲ ଉପରେ ରଖେ | କୁଡୁଆରେ ଅବଢ଼ା, କାନିକା, ମିଠା ଡାଲି, ଘାଣ୍ଟ, ଖଟା, ଆଉ ଖିରି!!
ପରମ: (ଆଶ୍ଚର୍ଯ୍ୟ ହେଇ) ଏଇଟା କିଏ ଦେଲା?
ବଡଭାଇ: (ହସି) ତମେ ଦୁହେଁ ରୋଷେଇ କରୁଛ ଶୁଣି ମୁଁ ଜାଣି ଦେଇଥିଲି ଆଜି ପେଟରେ ଓଦା କନା ଦେଇ ଶୋଇବାକୁ ପଡିବ | ସେଥିପାଇଁ ଏଇ ପାଖ ମନ୍ଦିରରୁ ପ୍ରସାଦ ଅର୍ଡର କରିଦେଇଥିଲି |
ମାୟା: (ଖୁସି ହେଇ) ଓ ବଡଭାଇ | ୟୁ ଆର ଦ ବେଷ୍ଟ | (ବଡଭାଇକୁ କୁଣ୍ଢେଇ ପକେଇଲା ମାୟା)
ପରମ: ହଉ ଆଉ ବେଶୀ ଓଭରଆକ୍ଟିଙ୍ଗ କରେନା | ଶୀଘ୍ର ବାଢିବା | ଭୋକ କଲାଣି |
ବଡଭାଇ: ହଁ ସବୁଠୁ ଆଗ ପରମକୁ ଦିଅ | ଆଉ ସବୁଠୁ ବେଶୀ ବି ତାକୁ ଦିଅ | ସବୁଠୁ ଅଧିକ ଭୋକ ତା’ର |
ସମସ୍ତେ ଏକା ସଂଗେ ହସି ଉଠନ୍ତି ଆଉ ମିଶିକି ଖାଇବା ବାଢିବାରେ ଲାଗନ୍ତି | (ପ୍ରଥମ ଭାଗ ସମାପ୍ତ)
ଅଧ୍ୟାୟ ୨- ସ୍କୁଟି ଉପାଖ୍ୟାନ
ଆଜିର ଚରିତ୍ର
ବଡଭାଇ: ଘରର ମୁରବୀ ଶଙ୍କର୍ଷଣ ଚୌଧୁରୀ, ବୟସ ୩୬
ସାନଭାଇ: ପରଂବ୍ରହ୍ମ ଚୌଧୁରୀ ଓରଫ ପରମ ବୟସ ୩୧
ସାନଭଉଣୀ: ଯୋଗମାୟା ଚୌଧୁରୀ ଓରଫ ମାୟା, ବୟସ ୨୬
ଶ୍ରୀୟା ପରିଜା: ଫୁଡ ବ୍ଲଗର, ବୟସ ୨୮
ଜୟ: ଘରର ଚାକର ପ୍ଲସ ରୋଷେଇଆ, ବୟସ ୩୪
ଦୃଶ୍ୟ ୧
ସ୍ଥାନ:ରାଜରାସ୍ତା
ଗାଡ଼ି ଚଲେଇ ବଡଭାଇ ଶଙ୍କର୍ଷଣ ଯାଉଛନ୍ତି | ହଠାତ ଡିଭାଇଡର ସେପଟୁ ଭୁଲ ଦିଗରେ ଟିଭିଏସ ସ୍କୁଟି ଚଲେଇ ଝିଅଟେ ଗାଡି ଆଡକୁ ମାଡି ଆସିଲା | ଚମକି ପଡି ବ୍ରେକଦେଲେ ବଡଭାଇ | ଝିଅଟି ତଳେ ପଡି ଯାଇଥିଲା | ଉଠି ଠିଆହେଲା | ରାସ୍ତା ବେଶୀ ଜନଗହଳି ନଥିଲା | ତଥାପି କିଛି ଲୋକ ଦୌଡ଼ି ଆସିଲେ | ଗାଡି ବାହାରକୁ ଆସିଲେ ବଡଭାଇ | ତେବେ ସେ କିଛି କହିବା ପୂର୍ବରୁ ଝିଅଟି ପାଟି କରିବା ଆରମ୍ଭ କଲା |
ଝିଅ: ଆପଣ ଏତେ ଜୋରରେ ଗାଡି କାଇଁ ଚଲଉଥିଲେ?
ବଡଭାଇ: ମୁଁ ଜୋରରେ ଗାଡି ଚଲଉଥିଲି ନା ତୁମେ ଭୁଲ ବାଟରେ ଗାଡି ଆଣିଲ?
ଝିଅ: ଆପଣ ଜୋରରେ ଗାଡି ଚଲଉଥିଲେ | ମିଛ କୁହନ୍ତୁ ନାହିଁ | ଦେଖନ୍ତୁ ଆପଣଙ୍କ ପାଇଁ ମୁଁ ତଳେ ପଡ଼ିଗଲି |
ବଡଭାଇ: (ରାଗିଯାଇ) ମୋ ପାଇଁ ନୁହେଁ ତୁମେ ନିଜପାଇଁ ତଳେ ପଡିଗଲ | କୁଆଡେ ଗଲା ଟ୍ରାଫିକ ପୋଲିସ? କିଏ ପୋଲିସକୁ ଡାକ ରେ |
ଝିଅ: ପୋଲିସ କଥା କହି ମତେ ଡରାନ୍ତୁନି |
ବଡଭାଇ: ମୁଁ କେତେବେଳେ ଡରେଇଲି? ତମେ ଶୁଣିକି ଡରିଯାଉଛ!
ଝିଅ: ମୁଁ କାଇଁକି ଡରିବି? ମୁଁ ତଳେ ପଡିଛି | ୟା ମାନେ ଦୋଷ ଆପଣଙ୍କର |
ବଡଭାଇ: ସ୍କୁଟିରେ ତୁମେ ବସିଥିଲ | ତାହେଲେ ତମେ ହିଁ ପଡିବ | ମୁଁ କାରରୁ କେମିତି ପଡିବି? ତମ ମୁଣ୍ଡ ଟିକେ ଖରାପ କି?
ଝିଅ: କଣ କହିଲେ? ମୋ ମୁଣ୍ଡ ଖରାପ? ମୁଁ କିଏ ଜାଣିଛନ୍ତି?
ଠିଆ ହେଇଥିବା ଜଣେ ଲୋକ: ଆଜ୍ଞା, କଁ ହେଇଚି?
ବଡଭାଇ: ଏଇ ଝିଅକୁ ଦେଖୁ ନାହାନ୍ତି!
ଝିଅ: କଣ ଦେଖିବେ ସେମାନେ?
ଲୋକ: ହେଇଟି ଆଜ୍ଞା | ପୋଲିସକୁ ଡାକିବା | ରୁହନ୍ତୁ | ମାଡାମ, ଆପଣ ବି ଏଇଠି ରୁହନ୍ତୁ |
ଝିଅ: ରହିଛି ତ! ଆଉ କୁଆଡେ ଯିବି?
ଲୋକ: ଆପଣ ସିଆଡେ କୁଆଡେ ଯାଉଛନ୍ତି?
ଝିଅ: ସ୍କୁଟି ବି ଉଠେଇବିନି ନା କଣ? ସେଇଟା ତ ଉଠେଇବାକୁ ଦିଅ |
ଝିଅଟି ସ୍କୁଟି ଉଠେଇ ପାର୍କ କରେ | ତାପରେ ସ୍କୁଟି ଷ୍ଟାର୍ଟ କରେ |
ବଡଭାଇ: ଆରେ ପୋଲିସ ଆସୁଛି | ତୁମେ କୁଆଡେ ବାହାରିଲ?
ଝିଅ: (ରାଗିକି) କଣ ମୋ ଗାଡି ଷ୍ଟାର୍ଟ ହଉଚି ନା ନାଇଁ ସେଇଟା ବି ଦେଖିବିନି?
ବଡଭାଇ: ହଉ ହଉ | ହେଲେ କୁଆଡେ ଯିବନି |
ଝିଅ: ନାଇଁ ଯିବିନି |
(ଏତିକି କହି ଝିଅଟି ସ୍କୁଟିରେ ବସି ଜୋରରେ ଚଲେଇ ସେଠୁ ଖସିଯାଏ |
ଲୋକ: ହେଇ!! ଝିଅଟା ପଳେଇଲା!
(ବଡଭାଇ ଆଉ ଅନ୍ୟ ଲୋକଗୁଡ଼ା ତାକୁ ହାଁ କରି ଚାହିଁ ରହିଥାନ୍ତି)
***
ଦୃଶ୍ୟ ୨
ନୀଳାଚଳ ପେଲେସ, ଚୌଧୁରୀ ଘରର ବୈଠକଖାନା
ପରମ ଅଫିସରୁ ଆସି ଜୋତା ଖୋଲୁଛି ଭିତରୁ ଆସିଲା ମାୟା |
ମାୟା: ଭାଇ ଭାଇ…
ପରମ: ଗୋଟେ ଗ୍ଲାସ ପାଣି ଦେଲୁ | ଆଉ ଜୟନା କାହିଁ?
ମାୟା: (ପାଣି ଗ୍ଲାସ ଦେଉଦେଉ) ସେ ବଜାର ଯାଇଛନ୍ତି | ଭାଇ ଶୁଣିଲୁ…
ପରମ: ((ମାୟା କଥା ନ ଶୁଣି, ପାଣି ପିଇସାରି) ଆଉ ବଡଭାଇ?
ମାୟା: ସେ ଅଫିସରୁ ଫେରିନାହାନ୍ତି | ଓଃ! ତୁ ମୋ କଥା ଶୁଣେ ମ!
ପରମ: କଣ ହେଲା?
ମାୟା: (ପାଖରେ ବସି) ତୁ ଆଜି ସିସିଡ଼ିରେ କଣ କରୁଥିଲୁ?
ପରମ: (ଚମକି ପଡି) ସିସିଡ଼ିରେ? ନାଇଁ ତ!
ମାୟା: ମିଛ କହନି | ମୋ ପାଖେ ପ୍ରୁଫ (proof) ଅଛି |
ପରମ: କି ପ୍ରୁଫ (proof) ବେ? ଆଉ ମତେ ଗୋଟେ କଥା କହ | ମୁଁ କେତେବେଳେ କୋଉଠିକି ଯାଉଛି ତତେ କିଏ ଖବର ଦଉଚି ବେ?
ମାୟା: ଓହୋ! ତାହେଲେ ମୋ କଥା ଠିକ ନା!
ପରମ: ଭାକ ଏଠୁ!!
ମାୟା: ରହ ରହ | ଏତେ ସହଜରେ ଯିବିନି | ଆଉ କହ ତୁ କାହା ସାଙ୍ଗେ କଫି ପିଉଥିଲୁ? ସେ ଶ୍ରୀୟା ପରିଜା ସାଙ୍ଗେ ନା?
ପରମ: (ଚମକି ପଡି) କାହା ସାଙ୍ଗେ?
ମାୟା: ଓହୋ ମୁହଁ ସେଓ ଭଳି ଲାଲ ହେଇଗଲା ତା’ ନାଁ ଶୁଣି ନା!
ପରମ: ଚୁପ ଫାଜିଲ!! କହିଲୁ ମତେ ଏଇ ସବୁ ଖବର ତତେ ଦଉଚି କିଏ? ନା କୋଉ ଟୋକା ସାଙ୍ଗେ ତୁ ବି ବୁଲୁଛୁ କଫି ସପ ରୁ କଫି ସପ?
ମାୟା: ଧେତ! ମୋର ସେ ପ୍ରେମ ଫ୍ରେମ ପାଇଁ ସମୟ ନାହିଁ | ଆଉ ମୋର ସହର ସାରା ଗୁପ୍ତଚର ଅଛନ୍ତି | ସେଇମାନେ ହିଁ ଖବର ଦଉଚନ୍ତି | ଏବେଠୁ ମତେ ଡରୁଥିବୁ | ବୁଝିଲୁ?
ପରମ: ଗୁପ୍ତଚର ନା ଚୋପା | ରହିଥା | ଆଜିଠୁ କେବେ ଅଧିକା ପଇସା ଦରକାର ହେଲେ ତୋ ବଡ଼ଭାଇ ପାଖକୁ ଯିବୁ | ମୋ ପାଖକୁ ଆସିବୁନି |
ମାୟା: ଏ ଭାଇ! ସରି ସରି!!
ପରମ: ଯା ଏଠୁ!
ମାୟା: ରାଗେନା!! ଆଚ୍ଛା ଭାଇ ଶୁଣେ!
ପରମ: (ରାଗିକି) କଣ?
ମାୟା: ତୁ ସେ ଶ୍ରୀୟା ପରିଜାକୁ କେମିତି ଜାଣିଲୁ?
ପରମ: କହିବିନି |
ମାୟା: ମୁଁ ସରି କହିଲି ପରା | ପ୍ଲିଜ କହ | ପ୍ଲିଜ (ହାତ ଯୋଡ଼ିଲା)
ପରମ: (ହସି ଦେଇ) ହଉ ଶୁଣେ |
ମାୟା: (ଚକାମାଡି ସୋଫାରେ ବସିପଡି): କହ କହ |
ପରମ: ଆମେ ଦି ମାସ ତଳେ ତା’ ୟୁଟ୍ୟୁବ ଭିଡିଓ ଯୋଉ ଦେଖିନଥିଲେ??
ମାୟା: ହଁ!!
ପରମ: ତାପରେ ମୁଁ ତା’ ଭିଡିଓ ଲିଙ୍କରୁ ମେଲ ଆଡ୍ରେସ ପାଇଲି ଆଉ ମେଲ କଲି | ଆମ କମ୍ପାନୀ ତରଫରୁ! ମ୍ୟାନେଜର ସାଙ୍ଗେ କଥାହେଇ |
ମାୟା: କୋଉଥି ପାଇଁ?
ପରମ: ଆମର ଡେଏରିଫେଡ କମ୍ପାନୀର ଗୋଟିଏ ଆଡ଼ଭାଇଜମେଣ୍ଟରେ ତାକୁ ନବାପାଇଁ | ତା’ କୁକିଙ୍ଗ ଭିଡିଓ ସବୁ ବହୁତ ପପୁଲାର ଆଉ ଆମ କମ୍ପାନୀର ହେଲଦି କ୍ଷୀରଦହି ଆଉ ବଟର ପ୍ରଡକ୍ଟ ପାଇଁ ସେ ପୁରା ଫିଟ |
ମାୟା: ଓହୋ! ତାପରେ?
ପରମ: ତାପରେ ଆଉ କଣ? ତାପରେ ତା ସାଙ୍ଗେ ଦେଖା ଆଉ…
ମାୟା: ଆଉ କଫି ପିଆ!!
ପରମ: ପୁଣି ଫାଜିଲାମୀ!
ମାୟା: ତାହେଲେ ତାକୁ ତୁମେ ପଟେଇଲ କେମିତି?
ପରମ: (ସାର୍ଟ କଲର ଟେକି କି) ତୋ ଭାଇର ଚାର୍ମ ହିଁ ଅଲଗା!!
ମାୟା: ଓହୋ! ଥାଉ ଥାଉ! ତାହେଲେ ୟେ ପରମାନେଣ୍ଟ ତ?
ପରମ: ଲାଗୁଚି ତ!
ମାୟା: ଲାଗୁଚି ମାନେ କଣ?
ପରମ: ହଁ ମାନେ ପରମାନେଣ୍ଟ ବୋଲି ଭାବେ ଆଉ କଣ!
ମାୟା: ଓହୋ!! ମୋ ଭାଇ ଟିକେଟିକେ ଲାଜେଇ ଯାଉଛି କହିଲା ବେଳେ! ଏତେ ମେଟ୍ରିମନି, ଏତେ ମଧ୍ୟସ୍ଥି ଖୋଜି ଖୋଜି ଶେଷରେ ୟୁଟ୍ୟୁବରୁ ଝିଅ ମିଳିଲା? ଧନ୍ୟ!
ପରମ: ଆବେ ଶୁଣ | ବଡଭାଇକୁ ଏବେ ତୁ କିଛି କହିବୁନି | ମୁଁ କହିବି ଠିକ ସମୟ ଦେଖି | ନହେଲେ ତୋର ଯୋଉ ଗୁଣ!
ମାୟା: ଓକେ! ମୁଁ କିଛି କହିବିନି | ଚୁପ ରହିବି (ଓଠରେ ଆଙ୍ଗୁଠି ଦେଲା ମାୟା)
***
ଭାଗ ୩
ସ୍ଥାନ: ପରମର ବେଡରୁମ
ପରମ ବାଥରୁମରୁ ଆସି ଖଟ ଉପରେ ବସିଛି ତା’ ଫୋନ ରିଂ ହେଲା |
ପରମ: ହଁ, ପ୍ରିୟେ | କୁହ |
ଶ୍ରୀୟା: ପ୍ରିୟେ ନା ଛେନା!
ପରମ: ଓଃ! ଛେନା ନା ଧରନି | ଖାଇବାକୁ ଇଛା ହେଲାଣି |
ଶ୍ରୀୟା: ଓହୋ! ତମର ତ ସବୁବେଳେ ଖାଲି ଖାଇବା କଥା! ଜାଣିଛ ଆଜି କଣ ହେଇଚି?
ପରମ: କଣ ହେଇଚି?
ଶ୍ରୀୟା: ଆଜି ମୋର ଆକ୍ସିଡେଣ୍ଟ ହେଇଗଲା |
ପରମ: (ଚମକି ପଡି) ଆକ୍ସିଡେଣ୍ଟ? କୋଉ ପାଖରେ?
ଶ୍ରୀୟା: ଏଇ ଲାୟନ କ୍ଲବ ସାମ୍ନାରେ |
ପରମ: ତମେ ଠିକ ଅଛ ତ?
ଶ୍ରୀୟା: (ହସି): ହଁ ମ! ମୋର କିଛି ହେଇନି | ହେଲେ ଯୋଉ ଲୋକର କାର ଥିଲା ତା ସାଂଗେ ଭଲରେ ଝଗଡା କରିଛି!
ପରମ: କାଇଁକି?
ଶ୍ରୀୟା: ଆଉ ନହେଲେ! ଭାରି ଚିଡିଚିଡା ଲୋକଟା! ମତେ ପଚାରୁଛି ତମେ ଟିକେ ପାଗଳ କି?
ପରମ: ହଁ! କିଛି ଭୁଲ ପଚାରିଲା କି?
ଶ୍ରୀୟା: (ରାଗିଯାଇ) କଣ କହିଲ?
ପରମ: କିଛି ନାଇଁ କିଛି ନାଇଁ! କହିଲ ମତେ କେମିତି ହେଲା ଏ ଆକ୍ସିଡେଣ୍ଟ?
ଶ୍ରୀୟା: ପ୍ରକୃତରେ ଦୋଷ ମୋର ମ! ମୁଁ ହିଁ ମଝି ଡିଭାଇଡରରେ ପଶିଗଲି ଭୁଲ ରାସ୍ତାରେ | ହେଲେ ମୁଁ କଣ କରିଥାନ୍ତି କୁହ? ଘରେ ଭୁଲରେ ଲାଇସେନ୍ସ ଛାଡି ଦେଇଥିଲି | ଆଗ ଛକରେ ଚେକିଙ୍ଗ ଚାଲିଥିଲା | ସେଇଟା ଆଣିବାକୁ ଶୀଘ୍ର ଘରେ ପହଂଚିବି ବୋଲି ଗଲି ଯେ ମହାରଗରୁ ଯାଇ କାନ୍ତାରରେ ପଡିଲି |
ପରମ: ଓହୋ! ଏତେ ଚଂଚଳୀ ତୁମେ | ଏବେ ଏଠି ତ ଏବେ ସେଠି! ତାପରେ?
ଶ୍ରୀୟା: ତାପରେ କଣ? ସେ ଲୋକ ସାଙ୍ଗରେ ଟିକିଏ ଝଗଡା କରି ତାକୁ ଭକୁଆ ବନେଇ ସ୍କୁଟିକୁ ଜୋରରେ ଚଳେଇକି ପଳେଇ ଆସିଲି |
ପରମ: ମାନେ ଲୁଚିକି?
ମାୟା: ଆଉ ନ ହେଲେ? ସେ ଲୋକ ପୋଲିସ ଡାକୁଥିଲା | ମୋ ଲାଇସେନ୍ସ ବି ପାଖରେ ନଥିଲା | ଭାବିଲ!! ଭାବିଲ, କଣ ହେଇଥାନ୍ତା ମୋ ଅବସ୍ଥା!
ପରମ: ହେ ପ୍ରଭୁ! ତୁମେ କି ଝିଅ! ଆଉ ଯଦି ସେ ଲୋକ ତମକୁ କଉଠି ଚିହ୍ନି ପକାଏ??…
ଜୟ: (ସେପଟୁ) ସାନଭାଇଇଇ… ତମକୁ ବଡଭାଇ ଡାକୁଛନ୍ତି | ଶୀଘ୍ର ଆସ |
ପରମ: ଆରେ ଭାଇ ଆସିଲେଣି | ମୁଁ ପରେ ଫୋନ କରୁଛି |
ଶ୍ରୀୟା: ନାଇଁ… ଏବେ ଯାଅନି… କେ ଦିଲ ଅଭି ଭରା ନାହିଁ!!
ପରମ: ହଉ ହଉ ଏବେ ପାଇଁ ଗୀତ ଥାଉ | ରାତିରେ ଗାଇବ ମୋ ପାଇଁ!
ଶ୍ରୀୟା: ସତରେ ଏବେ ଯିବ?
ପରମ: ହଁ.. ଏଇ ଯାଇକି ଆସୁଛି | ଆସିଲେ କଲ କରିବି | ହେଲା ପ୍ରିୟେ?
ଶ୍ରୀୟା: ହଉ… ଠିକ ଅଛି! ଯାଅ… ମୁଁ ତୁମର କିଏ ଯେ ମୋ କଥା ଶୁଣିବ?
ପରମ: ଏ ଡ୍ରାମା କ୍ୱିନ, ଚୁପ କର | ଆସିଲେ ଫୋନ କରିବି | ହେଲା? ବାଏ ବାଏ!!
ଶ୍ରୀୟା: (ହସିକି) ହଉ ବାଏ!!
***
ଦୃଶ୍ୟ ୪
ସ୍ଥାନ: ବଡଭାଇଙ୍କ କୋଠରୀ
ପରମ: ଭାଇ, ଡାକୁଥିଲ?
ବଡଭାଇ: ତୁ ଆଜି ପୁଣି ପାନ ଖାଇଚୁ ନା? ତତେ ପରା ମନା କରିଥିଲି |
ପରମ: ନାଁ ତ!
ବଡଭାଇ: ତାହେଲେ ତୋ ଓଠ ନାଲି କାଇଁ ଦିଶୁଚି?
ପରମ: ତମକୁ ତ ଚାରିଆଡେ ଖାଲି ନାଲି ନାଲି ଦିଶୁଚି |
ବଡଭାଇ: ହଉ ଛାଡ଼ | ତୋ ପାଇଁ ! ଛେନା ନେଇକି ଆସିଛି | ଯା ଖାଇଦେ |
ପରମ: ଆରେ ବାଃ! ଛେନା? ମତେ ସତରେ ଖାଇବାକୁ ଇଛା ହଉଥିଲା! ଆଉ ଏ ଜୟନା କାଇଁ?
ବଡଭାଇ: ସିଏ ଆଉ କୁଆଡେ ଯିବ? ତା’ ଓଡ଼ିଆ ସିରିଏଲ ଆରମ୍ଭ ହେଇଗଲା: “ତୁମ ଅଗଣାର ବିଛୁଆତି ମୁଁ” | ଏବେ ଘଣ୍ଟାଏ ଭିତରେ କେହି ତାକୁ ଡାକିଲେ ସାପ ଭଳି ଫଁଫଁ ହବ |
ପରମ: ରନ୍ଧା ସରିଗଲାଣି? ମତେ ଭୋକ ଲାଗିଲାଣି |
ବଡଭାଇ: ହଁ, ସେ ସବୁ ରାନ୍ଧି ଦେଇଛି | ଯା ଖାଇଦେ | ହେଲେ ଶୁଣେ | କାଲି ରବିବାର ଅଛି | ମୋ ଗାଡି ଟିକେ ମେକାନିକ ପାଖକୁ ନେଇଯିବୁ କି?
ପରମ: କାଇଁ କଁ ହେଲା ତମ ଗାଡି?
ବଡଭାଇ: ଆରେ କହନି; ଆଜି ଗୋଟେ ଉଦଣ୍ଡି ଝିଅ ଏମିତି ଜୋରରେ ତା’ ସ୍କୁଟି ଆଣି ମୋ ଗାଡିରେ ବଜେଇଛି ଗାଡିର ବମ୍ପର ଅଧା ଭାଙ୍ଗି ଯାଇଛି |
ପରମ: (ଚମକି ପଡି) ମାନେ ଆକ୍ସିଡେଣ୍ଟ?
ବଡଭାଇ: ହଁ ପରା |
ପରମ: କୋଉ ପାଖରେ?
ବଡଭାଇ: ଏଇ ଲାୟନ କ୍ଲବ ସାମ୍ନାରେ |
ପରମ: ଗୋଲାପୀ ସ୍କୁଟି?
ବଡଭାଇ: (ଆଶ୍ଚର୍ଯ୍ୟ ହେଇ) ତୁ କେମିତି ଜାଣିଲୁ?
ପରମ: (ଛେପ ଢ଼ୋକି) ନାଇଁ ମାନେ… ପ୍ରାୟ ସବୁ ଝିଅ ତ ଗୋଲାପୀ ସ୍କୁଟି ଚଲାନ୍ତି | ସେଥିପାଇଁ!!
ବଡଭାଇ: କହନି କହନି… ଏତେ ବଦମାସ ଝିଅ! ଇଚ୍ଛା ହଉଥିଲା ଦି ଚାପୁଡ଼ା କଷି ଦିଅନ୍ତି | ମୁଁ ଭାବୁଥିଲି ଆମ ମାୟା ସବୁଠୁ ଉଦଣ୍ଡି | ୟେ ତ ତାଠୁ ବଳକା!
ମାୟା: (ସେପଟୁ ଦୌଡ଼ିଆସି ଆଉ ପରମ ଆଡକୁ ଚାହିଁ) ବଡଭାଇ ବଡଭାଇ… ତମେ ଗୋଟେ କଥା ଜାଣିଛ?
ବଡଭାଇ: କଣ?
ପରମ: ଏ ଚୁପ!
ମାୟା: (ବଡଭାଇକୁ ଚାହିଁ) ପରମ ଭାଇ ଗୋଟେ ଝିଅ ଫାଇନାଲ କରିଦେଇଛି | ଖାଲି ତମେ ହଁ କହିଲେ ଯଥା ରାବଣସ୍ୟ ମନ୍ଦୋଦରୀ! ହାହା!!
ବଡଭାଇ: (ଖୁସି ହେଇ) ସତରେ? ଯା ହଉ | କିଏ ସେ ଝିଅ?
ମାୟା: ରୁହ ମୁଁ ତା ଭିଡିଓ ଦେଖଉଚି! ବହୁତ ଫେମସ ଫୁଡ ବ୍ଲଗର ସିଏ | ଘରକୁ ଆସିବ ମାନେ ଭାଇକୁ ଖାଲି ରକମ ରକମର ଜିନିଷ ଖାଇବାକୁ ଦବ |
ବଡଭାଇ: ବଢିଆ ତାହେଲେ | ରେବତୀକୁ ବି ଜଣେଇ ଦେବା |
ମାୟା: ବଡ ଭାଉଜଙ୍କୁ ବି ମୁଁ ଏଇ ଖୁସି ଖବରଟା ଦେଇଦେଇଛି |
ପରମ: ତୁ ବଡ ଭାଉଜଙ୍କୁ ବି ଫୋନ କରି କହିଦେଲୁ?
ମାୟା: ହଁ ସେ ନୈନିତାଲକୁ ଅଫିସିଆଲ ଟୁରରେ ଯାଇଥିଲେ | ତାଙ୍କ ମସୁରୀ କ୍ୱାର୍ଟରକୁ ରାତିରେ ଫେରିବେ | ତତେ ଭିଡିଓ କଲ କରିବେ | ବଡଭାଇ, ରୁହ | ମୁଁ ତମକୁ ସେ ଝିଅକୁ ୟୁଟ୍ୟୁବରେ ଦେଖେଇବି | (ମାୟା ଫୋନ କାଢ଼େ)
ପରମ: ନାଇଁ ନାଇଁ (ପରମ ମାୟା ହାତରୁ ଫୋନ ଛଡେଇ ନବାକୁ ଚେଷ୍ଟା କରେ ହେଲେ ପାରେନି |)
ମାୟା ଶ୍ରୀୟାର ଭିଡିଓ ଲଗେଇ ଦିଏ ଆଉ ବଡଭାଇ ସାଙ୍ଗରେ ଭିଡିଓ ଦେଖିବାରେ ଲାଗେ | ପରମ ମୁଣ୍ଡରେ ହାତଦେଇ ବସେ | ଭିଡିଓ ସରିଲାପରେ ବଡଭାଇ ହସନ୍ତି |
ବଡଭାଇ: ଆରେ ବାଃ, ବଢିଆ ଝିଅଟିଏ | ଟିକିଏ ଟେରି ଅଛି ହେଲେ ଚଳିବ | ତାକୁ ଲକ୍ଷ୍ମୀଟେରି କୁହନ୍ତି | ଲକ୍ଷ୍ମୀବନ୍ତିଆ ଝିଅଟି |
ପରମ: (ଟିକିଏ ଆଶ୍ଚର୍ଯ୍ୟ ହେଇ): ତମକୁ ସେ ଭଲ ଲାଗିଲା?
ବଡଭାଇ: ହଁ | କାଇଁ କଁ ହେଲା କି?
ପରମ: (ଟିକେ ହସିଦେଇ) ନାଇଁ କିଛି ନାହିଁ |
ବଡଭାଇ: ହଉ |
(ତାପରେ ପରମ ଖଟରୁ ଉଠି ଯାଉଯାଉ କିଛି ଭାବି) ପରମ: ଆଚ୍ଛା ଭାଇ, ସେ ଆକ୍ସିଡେଣ୍ଟଵାଲା ଝିଅଟି ଦେଖିବାକୁ କେମିତି?
ବଡଭାଇ: ଆରେ ସେଇ ତ ଅସୁବିଧା | ସେ ଝିଅଟି ହେଲମେଟ ପିନ୍ଧିଥିଲା ଆଉ ଆଖିରେ କଳା ଚଶମା | ମୁଁ ଆଉ ତା’ ମୁହଁ ଦେଖିପାରିଲି କେତେବେଳେ?? 🙄
ବଡଭାଇ କଥାଶୁଣି ପରମ ହସି ପକାଏ ଆଉ ଆଶ୍ବସ୍ତିର ନିଶ୍ୱାସ ମାରେ |
ପରମ: (ଧୀର ସ୍ୱରରେ) ଓହୋ! ପ୍ରବ୍ଲେମ ସଲ୍ଭ |
ବଡଭାଇ: କଣ କହିଲୁ?
ପରମ: ନାଇଁ କିଛି ନାହିଁ |କାଲି ମୁଁ ତୁମ ଗାଡି ମେକାନିକ ପାଖକୁ ନେଇଯିବି |
ପରମ ହସିହସି ଗୀତଟିଏ ଗୁଣୁଗୁଣେଇ ରୁମରୁ ବାହାରିଯାଏ |
(ଦ୍ଵିତୀୟ ଭାଗ ସମାପ୍ତ)
ଅଧ୍ୟାୟ ୩- ବ୍ଲୁଟୁଥ ଉପାଖ୍ୟାନ
ଆଜିର ଚରିତ୍ର
ବଡଭାଇ: ଘରର ମୁରବୀ ଶଙ୍କର୍ଷଣ ଚୌଧୁରୀ, ବୟସ ୩୬
ରେବତୀ ଚୌଧୁରୀ: ଘରର ବଡବୋହୁ, ବୟସ ୩୩
ସାନଭାଇ: ପରଂବ୍ରହ୍ମ ଚୌଧୁରୀ ଓରଫ ପରମ ବୟସ ୩୧
ସାନଭଉଣୀ: ଯୋଗମାୟା ଚୌଧୁରୀ ଓରଫ ମାୟା, ବୟସ ୨୬
ଜୟ: ଘରର ଚାକର ପ୍ଲସ ରୋଷେଇଆ, ବୟସ ୩୪
ଶ୍ରୀୟା ପରିଜା: ଫୁଡ ବ୍ଲଗର, ବୟସ ୨୮
ବରୁଣ ପରିଜା: ଶ୍ରୀୟାର ବାପା, ବୟସ ୫୭
ଦୃଶ୍ୟ ୧
ନୀଳାଚଳ ପେଲେସ, ଚୌଧୁରୀ ଘରର ବୈଠକଖାନା
ଭିଡିଓ କଲରେ ବଡ଼ ଭାଉଜ ରେବତୀ ସାଙ୍ଗରେ କଥା ହଉଛନ୍ତି ପରମ, ମାୟା ଆଉ ଜୟ |
ରେବତୀ: ଓହୋ! ଭାଇ ତାହେଲେ ଆଜି ତମ ଶଶୁରଘର ଆଡେ ଯାଉଛନ୍ତି?
ପରମ: (ଲାଜେଇ ଯାଇ) ଶଶୁରଘର କଣ ମ?
ରେବତୀ: ଆଉ କଣ ଶାଶୂଘର କହିବି?
ଜୟ: ଭାଉଜ, ସାନ ଭାଉଜଙ୍କର ବି ମା ନାହାନ୍ତି | ସେଥିଲାଗି ତମେ ଶଶୁରଘର ବୋଲି ହିଁ କୁହ | ଶାଶୂଘର ନୁହଁ |
ପରମ: ହେ ଜୟନା | ଚୁପ କର |
ମାୟା: ହଁ ହଁ | ଏବେ ତ ଆମେ ଚୁପ ହିଁ ବସିବୁ | କଥା ତ ଖାଲି ଶ୍ରୀୟା ଭାଉଜ କହିବେ |
ଜୟ: ଆଉ ନହେଲେ କଣ? ଏଇ ଆମ ବଡଭାଇଙ୍କୁ ଦେଖୁନ | ଏଠି ଆମ ଉପରେ କେତେ ପାଟି! ଆଉ ବଡ଼ ଭାଉଜ ଆସିଲେ ତାଙ୍କ ପାଟିରେ ମଣ୍ଡା!!
ରେବତୀ: (ଭିଡିଓ କଲରେ ଆଖି ଦେଖେଇ): କଣ କହିଲ?
ଜୟ: (ଜିଭ କାମୁଡି) ହେଁହେଁ… ମୁଁ କହୁଥିଲି ବଡଭାଇ ଖାଲିରେ ବଜର ବଜର ହୁଅନ୍ତି | ହେଲେ ତମେ ଥିଲେ ସେ ପୁରା ଚୁପ |
ରେବତୀ: ଆଉ ନହେଲେ କଣ! ତାଙ୍କୁ ଚୁପ ନ କରେଇଲେ ସେ ଯୋଉ ପଛରେ ଲାଗିଥିବେ ଲୋ ମା!
ମାୟା: ଭାଉଜ ଆମ ସମସ୍ତଙ୍କ ଟର୍ଚର ପାଳି ସରିଲା | ଏବେ ସାନ ଭାଉଜର ପାଳି |
ପରମ: (ଚମକି ପଡି) ମାନେ??
ରେବତୀ: ମାନେ ତୁମ ହିରୋଇନ ସକାଳୁ କେତେବେଳେ ଉଠନ୍ତି?
ପରମ: (କାନ କୁଣ୍ଡେଇ) ହେଁ! ମୁଁ ତ ନିଜେ ଉଠେ ଏତେ ଡେରିରେ | ତାକୁ ଆଉ କଣ ପଚାରିଚି କେବେ?
ଜୟ: ଭାଉଜ | ସେ ଆଜିକାଲିକା ଝିଅ | ଆଠଟା ଆଗରୁ କୋଉ ବିଛଣା ଛାଡୁଥିବେ କହିଲ? ଏଇ ଆମ ମାୟାକୁ ଅପାକୁ ଦେଖୁନ! (ମାୟାକୁ ଚାହିଁ) ଅପା ଉଠିଲା ବେଳକୁ ସୂର୍ଯ୍ୟ ମୁଣ୍ଡ ଉପରେ!
ମାୟା: (ରାଗିଯାଇ) ତମେ କେଡେ ମିଛୁଆ ଜୟନା!
ରେବତୀ: (ହସି) ନା ଲୋ ମାୟା! ମୁଁ ଆଉ କଁ କେବେ ତମକୁ ଉଠିବା ଦେଖିଚି କି?
ଭାଉଜ କଥାଶୁଣି ମାୟା କାନ କୁଣ୍ଡାଏ |
ପରମ: ଭାଉଜ, ତମେ ଶ୍ରୀୟା ଉଠିବା କଥା କାଇଁ ପଚାରୁଥିଲ?
ରେବତୀ: ଏଥିପାଇଁ ଯେ ସେ ଯେମିତି ସକାଳୁ ଶୀଘ୍ର ଉଠିବା ପାଇଁ ରେଡି ଥିବ | ନହେଲେ ତମ ଭାଇ ଯାଇ କବାଟ ବାଡ଼େଇବେ ସକାଳ ପାଞ୍ଚଟାରେ | ତାଙ୍କ କଥା ଜାଣିଛ ତ? ପୁଣି ଜଗିଂରେ ଯିବାକୁ ଓଟାରିବେ | ଆଉ ମାୟା ତମେ କେମିତି ବଂଚି ଯାଉଛ ତମ ବଡଭାଇ କବଳରୁ?
ମାୟା: ବଞ୍ଚିଲି କୁଆଡୁ ଭାଉଜ? ଏବେ ବି ସେମିତି ଓଟାରୁଛନ୍ତି | ସାନଭାଇ ଲେଟ ନାଇଟ ଅଫିସ କାମର ବାହାନା କରି ଶୋଇପଡୁଛି ମୁଁ ଏଇ ଆଗ ଗେଟରୁ ବାହାରି ସେଇ ପଛ ଗେଟଆଡୁ ପଶୁଛି ଆଉ ଶୋଇପଡୁଚି | ତାପରେ ପୁଣି ଉଠି ଅଫିସ ଯାଉଚି!! ହେହେ!!
ସମସ୍ତେ ମାୟା କଥାଶୁଣି ହସନ୍ତି |
ରେବତୀ: ଆଉ ତମ ଭାବୀ ସ୍ତ୍ରୀ ଜିନିଷପତ୍ର ସବୁ ସଜେଇ ଗୁଜେଇ ରଖନ୍ତି ତ? ନହେଲେ ତମ ଭାଇଙ୍କର ଯୋଉ ଶୁଚିବାଇ ରୋଗ |
ପରମ: ଭାଉଜ! ତମେ ମତେ ଯୋଉ ସବୁ କଥା ପଚାରିଲଣି ମତେ ଏବେ ସତରେ ଡର ଲାଗୁଚି | ଭାଇ ଆଉ ଶ୍ରୀୟା ଯଦି ସତରେ ଝଗଡା ଲାଗିଯାଆନ୍ତି?
ରେବତୀ: ଆରେ ସେଇଟା ତ ମୁଁ ଜଗିଚି | ମୁଁ ନଖ ଘସିବି |
ଜୟ: ଭାଉଜ! ମଜା ନୁହଁ ମ! ସତରେ! ସତରେ କଁ କରିବୁ?
ରେବତୀ: କିଛି ନାଇଁ ମ! କିଛି ହବନି | ଆଗ ସେ ଘରକୁ ଆସୁ | ତାପରେ ଦେଖିବା କୋଉ ପାଣି କୁଆଡେ ଯାଉଛି! ହଉ ଏବେ ରଖୁଛି | ତମେ ସବୁ ତାଙ୍କ ଘରକୁ ଯାଅ | ପରେ ଫେରିଲେ କଥା ହେବା | ବାଏ ବାଏ!!
ସମସ୍ତେ: (ଏକ ସ୍ୱରରେ) ବାଏ ବାଏ | ଲ୍ୟାପଟପ ବନ୍ଦ କଲାପରେ:
ମାୟା: ଭାଇ! ତୁ ଶ୍ରୀୟା ଭାଉଜଙ୍କୁ ଏଗୁଡା ପଚାରିବୁ?
ପରମ: (ଡରିଯାଇ): ଏ ମା! ସେ ଯଦି ରାଗିଯିବ?
ଜୟ: ଆରେ!! ଭାଉଜ କହିଲେ ପରା? ଆଗେ ବାହାଘର ସରିଯାଉ | ତାପରେ ଦେଖିବାନି?
ମାୟା: ଠିକ |
ପରମ: ହଉ ତାହେଲେ! ଏ ଜୟନା ଟିକେ ପକୁଡି ତିଆରି କର ନା !!
ଜୟନା: ଏବେ? ମୋ ସିରିଏଲ ଷ୍ଟାର୍ଟ ହବ ଏଣିକି |
ପରମ: ପ୍ଲିଜ ପ୍ଲିଜ! ଆଉ ପରେ କହିବିନି |
ମାୟା: (ହସିକି) ତେଣିକି ତ ଫୁଡ ବ୍ଲଗର ମେଡମ ରାନ୍ଧିକି ଖୁଏଇବେ | ତମକୁ ପଚାରେ କିଏ ଜୟନା!!
ଜୟନା: (ଯାଉଯାଉ ରାଗିକି): ହଉ ହଉ ଦେଖିବା!!
ମାୟା ଆଉ ପରମ ହସିଉଠନ୍ତି |
***
ଦୃଶ୍ୟ ୨
ସ୍ଥାନ: ବରୁଣ ପରିଜାଙ୍କ ବୈଠକଖାନା
ବରୁଣ ବାବୁ: ବାବୁ ଶଙ୍କର୍ଷଣ | ତମେ ଏବେ ଘରର ମୁରବୀ | ଅଧିକ ଆଉ କଣ କହିବି? ମା ଛେଉଣ୍ଡ ଝିଅ ମୋର | ଟିକେ ବାୟାଣୀଟେ | କିଛି ଭୁଲଭଟକା କରିଦେଲେ ତାକୁ ସାନଛୁଆ ଭାବି କ୍ଷମା କରିଦେବେ |
ବଡଭାଇ: ମଉସା, ଆପଣ ଏ କଁ କହୁଛନ୍ତି? ଆମ ଘରେ ମାୟା ଯେମିତି ରହୁଛି ଶ୍ରୀୟା ବି ସେମିତି ରହିବ | ଆପଣ ଏ ବିଷୟ ନେଇ ଜମା ଚିନ୍ତା କରିବେନି |
ବରୁଣ ବାବୁ: ଆପଣଙ୍କ ମିସେସ ଆସିଲେନି?
ବଡଭାଇ: ସେ ତ ଆଜ୍ଞା ଏବେ ମଶୁରି ରେ | ଭାରତ ସରକାରଙ୍କ ଅଧୀନରେ କାମ କରୁଛନ୍ତି | ଛୁଟି ଟିକେ କଷ୍ଟରେ ମିଳୁଛି | ଆପଣ ଓସେନ ସାଇନ୍ସ ଡିପାର୍ଟମେଣ୍ଟରେ ହେଡ଼ ନା?
ବରୁଣ ବାବୁ: ହଁ ପରା | ମୋର ବି ଛୁଟି କମ | ଯାହା ହେଲେ ବି ଇନ୍ଷ୍ଟିଟ୍ୟୁଟ ଯିବାକୁ ପଡେ | ଆଉ ତମର ଆଗ୍ରିକଲଚର ଡିପାର୍ଟମେଣ୍ଟ ପରା? (ସେପଟୁ ଶ୍ରୀୟା ଆସୁଥିବାର ଦେଖି) ହେଇ ଶ୍ରୀୟା ଆସିଲାଣି |
ଶ୍ରୀୟା ବଡଭାଇକୁ ଦେଖି ଟିକେ ଚମକି ପଡେ | ତାପରେ ପାଖରେ ବସିଥିବା ପରମକୁ ଦେଖେ | ପରମ ମୁଣ୍ଡ ତଳକୁ କରେ | ଶ୍ରୀୟା ବଡଭାଇଙ୍କୁ ମୁଣ୍ଡିଆ ମାରେ |
ଶ୍ରୀୟା ମୁଣ୍ଡିଆ ମାରେ |
ବଡଭାଇ: ଥାଉ ଥାଉ ହେଲା |
ଶ୍ରୀୟା ଗୋଟିଏ ହାତକଟା ଟପ ଆଉ ଗୋଟେ ଲମ୍ବା ସ୍କର୍ଟ ପିନ୍ଧିଥାଏ |
ବରୁଣ ବାବୁ: ଶ୍ରୀୟା ଏଠି ବସେ | ଭାଇଙ୍କ ସାଙ୍ଗେ କଥା ହୁଅ |
ବଡଭାଇ: ଥାଉ | ସେ ଯାଉ | ମାୟା ଆଉ ପରମ ସାଙ୍ଗରେ ଗପୁ |
ବରୁଣ ବାବୁ: ହଉ ତାହେଲେ | ତମେ ସବୁ ଏଇ ସାମ୍ନା ବାରଣ୍ଡା ସୋଫାରେ ବସିପଡ |
ମାୟା, ଶ୍ରୀୟା ଆଉ ପରମ ଉଠିଯାନ୍ତି | ଟିକିଏ ଆଗରେ ବାରଣ୍ଡା ସୋଫାରେ ବସନ୍ତି | ହେଲେ ସମସ୍ତେ ପରସ୍ପରକୁ ଦେଖିପାରୁଥାନ୍ତି |
***
ଦୃଶ୍ୟ ୩
ସ୍ଥାନ: ବାରଣ୍ଡା
ଶ୍ରୀୟା: ପରମ, ତମେ ମତେ କାଇଁ କହି ନଥିଲ ଏ ତମ ଭାଇ ବୋଲି? ହେ ପ୍ରଭୁ!
ପରମ: କହିଥିଲେ ଆଉ ଅଧିକା କଣ ହେଇ ଯାଇଥାନ୍ତା?
ଶ୍ରୀୟା: ସେଇଥିପାଇଁ ତମେ ମତେ ଭାଇଙ୍କ ଫଟୋ ଦେଖେଇ ନଥିଲ ନା? ଖାଲି ମାୟାଙ୍କ ଫଟୋ ଦେଖେଇଥିଲ?
ମାୟା: ଭାଉଜ! ବଡ଼ଭାଇ ତମକୁ ଦେଖିନାହାନ୍ତି!! ତମେ ହେଲ୍ମେଟ ପିନ୍ଧିଥିଲ | ତାହେଲେ କାଇଁ ଏତେ ଚିନ୍ତା?
ଶ୍ରୀୟା: ଓଃ ଥାଙ୍କ ଗଡ଼ | ସେଦିନ ହେଲ୍ମେଟ ବଂଚେଇ ଦେଲା |
ସେପଟେ ବରୁଣ ବାବୁ ଆଉ ବଡଭାଇ
ବରୁଣ ବାବୁ: ଶଙ୍କର୍ଷଣ ବାବୁ | ଏ ସବୁ ଯାହା ଦେଖୁଛନ୍ତି ସବୁ ଶ୍ରୀୟାର | ହେଲେ ବି ଯଦି କିଛି ଦରକାର ତାହେଲେ…
ବଡଭାଇ: ମଉସା ଏ କଁ କହୁଛନ୍ତି | ପିଲା ଖୁସି ତ ଆମେ ଖୁସି |
ବରୁଣ ବାବୁ: ହେଲେ ବି?
ବଡଭାଇ: ଆଜ୍ଞା ଆମର ଗାଁରୁ ଲୋକ ଆସିବେ | ତାଙ୍କର ଟିକେ ଭଲ ଖାସି ମାଉଁସ ହେଇଗଲେ ସେମାନେ ବି ଖୁସି | ଗାଁ ଲୋକ ତ! ଆପଣ ବୁଝୁଥିବେ!!
ବରୁଣ ବାବୁ: ସେ କଥା ଆଉ କହିବାକୁ ଅଛି!! ସେ ନେଇ ଜମା ବ୍ୟସ୍ତ ହବା ଦରକାର ନାଇଁ | ମୁଁ ସବୁ ସମ୍ଭାଳି ନେବି | ଆପଣ ଖାଲି ମୋ ଝିଅକୁ ସମ୍ଭାଳି ନେବେ | ଟିକେ ଚଞ୍ଚଳୀଟେ | ଏପଟେ ସେପଟେ ବୁଲିବାକୁ ପଳାଏ | ଆଉ ତା ସ୍କୁଟି ବି ଜୋରରେ ଚଲେଇ ପକାଏ ଥରେଥରେ |
ବଡ଼ଭାଇ: (ଚମକି ପଡି) କଣ କହିଲେ? (ସେ ବୁଲିକି ଶ୍ରୀୟା ଆଡେ ଚାହାନ୍ତି)
(ସେତିକି ବେଳେ ଘର ଭିତରୁ ଚା ଜଳଖିଆ ଆସେ)
ବରୁଣ ବାବୁ: ନିଅନ୍ତୁ, ଚା ସିଙ୍ଗଡ଼ା ନିଅନ୍ତୁ | ରସଗୋଲା ବି ନିଅନ୍ତୁ |
ସେପଟେ ମାୟା, ଶ୍ରୀୟା ଆଉ ପରମ ବସିଥାନ୍ତି |
ଶ୍ରୀୟା: ବଡଭାଇ ମୋ ଆଡେ ବୁଲିକି କାଇଁ ଚାହୁଁଛନ୍ତି?
ମାୟା: ମଉସା ତୁମର ପ୍ରଶଂସା କରୁଥିବେ ବୋଧେ!!
ଶ୍ରୀୟା: (ହସିକି) ବାପା ଆଉ ମୋ ପ୍ରଶଂସା?
ସେତିକି ବେଳେ ବାହାରେ କେହି ଜଣେ ଡାକେ | ଚାକର ଆସି ବରୁଣ ବାବୁଙ୍କୁ ଜଣାଏ | ବରୁଣ ବାବୁ ଯାନ୍ତି | ତାପରେ ସେ ଶ୍ରୀୟାକୁ ଗେଟ ବାହାରକୁ ଡାକନ୍ତି |
ମାୟା ଆଉ ପରମ ଉଠିକି ବଡଭାଇ ପାଖକୁ ଯାନ୍ତି |
ପରମ: ଭାଇ, ଶ୍ରୀୟା କେମିତି ଲାଗିଲା?
ବଡଭାଇ: ହଁ ଭଲ ଯେ | ଏମିତି ହାତକଟା ଡ୍ରେସ କଣ ପିନ୍ଧିଚି ମ!
ମାୟା: ଭାଇ!!
ବଡଭାଇ: ହଉ ହଉ | ଆଉ ଗୋଟେ କଥା ଜାଣିଚୁ?
ପରମ: କଣ?
ବଡଭାଇ: ସେ ଯୋଉ ସ୍କୁଟିଚଢା ଉଦଣ୍ଡି ଝିଅ ତା ହାଇଟ ପୁରା ୟା ଭଳି | ଏମିତି ପତଳୀ ବି | ଆଉ ଭଏସ ତ ପୁରା……
ପରମ: (କଥା ମଝିରୁ କାଟି) ଭାଇ, ସେ ରସଗୋଲା ଖାଉନ!! ତମେ ନ ଖାଇଲେ ମତେ ଦିଅ!!
ବଡଭାଇ: ହଉ ନେ ନେ |
ସେତିକିବେଳେ ବରୁଣ ବାବୁ ଆଉ ଶ୍ରୀୟା ଫେରନ୍ତି | ଶ୍ରୀୟା ଟିକିଏ ଚିନ୍ତିତ ଥାଏ | ପରମ ଆଖିଠାରି ପଛରେ କଁ ହେଲା! ଶ୍ରୀୟା କିଛି ନାଇଁ କହି ମୁଣ୍ଡ ହଲାଏ |
ବଡଭାଇ: କଣ ହେଲା?
ବରୁଣ ବାବୁ: ଏଇ ମେକାନିକ ଆସିଥିଲା |
ବଡଭାଇ: କଣ ପାଇଁ?
ବରୁଣ ବାବୁ: ଏଇ ଆମ ଶ୍ରୀୟାର…
(ବଡଭାଇ କଣ ପାଇଁ କେଜାଣି ତାଙ୍କ ପକେଟକୁ ଚାହାନ୍ତି |)
ବରୁଣ ବାବୁ: ଶ୍ରୀୟାର ଗୋଟିଏ ଗାଡି ସଂଗେ ଆକ୍ସିଡେଣ୍ଟ ହେଇଯାଇଥିଲା | ଗୋଟେ ବଦମାସର ଗାଡି ସଂଗେ | ଏଇ କ୍ଲବ ସାମ୍ନାରେ | ଶ୍ରୀୟା କହୁଥିଲା କୁଆଡେ ଭାରି କଥାକୁହାଳି ଲୋକଟେ | ଶ୍ରୀୟାକୁ ହଇରାଣ ଭାରି କରିଥିଲା ସେଇଦିନ ଶ୍ରୀୟାର ସ୍କୁଟିରେ ବାଜି ଯାଇଥିଲା | ଏବେ ମେକାନିକ ଗାଡି ଦେବାକୁ ଆସିଥିଲା | ହେଲେ ପୁଣି କିଛି ଖରାପ ହେଇଚି ଲାଗୁଚି | ଫେର ସେ ଗାଡି ନେଇ ଚାଲିଗଲା |
ମାୟା, ଶ୍ରୀୟା ଆଉ ପରମ ଆଁ କରି ବରୁଣ ବାବୁ ଆଉ ବଡଭାଇଙ୍କୁ ଚାହିଁଥାନ୍ତି |
ବଡ଼ଭାଇ: ହେଲୋ… ହେଲୋ… (ବରୁଣ ବାବୁଙ୍କୁ) ଆଜ୍ଞା କଣ କହିଲେ? ଏଇ ମୋ କାନରେ ବ୍ଲୁ-ଟୁଥ (Bluetooth) ଲାଗିଥିଲା | ମୋ ମିସେସ କଲ କରି ସେପଟୁ ଗୋଟେ ନିଶ୍ୱାସରେ ସବୁ ପଚାରି ଚାଲିଥିଲେ | ମୁଁ ଆଉ କଣ କିଛି ଉତ୍ତର ଦେଇପାରିଛି? କଲ କଟିଗଲା |
ପରମ, ମାୟା ଆଉ ଶ୍ରୀୟା ଶାନ୍ତିର ନିଶ୍ୱାସ ମାରନ୍ତି |
ପରମ: (ତରତର ହେଇ) କିଛି ନାହିଁ ଭାଇ ଯିବା | ଚାଲ | ବହୁତ ଡେରି ହେଲାଣି |
ବରୁଣ ବାବୁ: ଆରେ କିଛି ଖାଇଲେନି ଯେ?
ମାୟା: ଆମେ ସବୁ ଖାଇ କି ସାରିଦେଲୁ ମଉସା | ଏବେ ଆସୁଛୁ | ପ୍ରଣାମ | ବାଏ ଭାଉଜ |
ବଡଭାଇ: ହଉ | ଏମାନେ ବ୍ୟସ୍ତ କଲେଣି | ଆସୁଛୁ ମଉସା | ପ୍ରଣାମ |
ଭାଇ ଭଉଣୀ ବଡଭାଇଙ୍କୁ ଟାଣିଟାଣି ବାହାରକୁ ବାହାରିଯାନ୍ତି | ବରୁଣ ବାବୁ ଆଉ ଶ୍ରୀୟା ତାଙ୍କୁ ବିଦାୟ ଦିଅନ୍ତି | (ତୃତୀୟ ଭାଗ ସମାପ୍ତ)
ଅଧ୍ୟାୟ ୪- ବାହାଘର ଲଡୁ ଉପାଖ୍ୟାନ
ଆଜିର ଚରିତ୍ର
ବଡଭାଇ: ଘରର ମୁରବୀ ଶଙ୍କର୍ଷଣ ଚୌଧୁରୀ, ବୟସ ୩୬
ରେବତୀ ଚୌଧୁରୀ: ଘରର ବଡବୋହୁ, ବୟସ ୩୩
ସାନଭାଇ: ପରଂବ୍ରହ୍ମ ଚୌଧୁରୀ ଓରଫ ପରମ ବୟସ ୩୧
ସାନଭଉଣୀ: ଯୋଗମାୟା ଚୌଧୁରୀ ଓରଫ ମାୟା, ବୟସ ୨୬
ଜୟ: ଘରର ଚାକର ପ୍ଲସ ରୋଷେଇଆ, ବୟସ ୩୪
ଶ୍ରୀୟା ପରିଜା: ଫୁଡ ବ୍ଲଗର, ବୟସ ୨୮
ବରୁଣ ପରିଜା: ଶ୍ରୀୟାର ବାପା, ବୟସ ୫୭
ରୁଦ୍ର ମିଶ୍ର: ପରମର ସାଙ୍ଗ ୧, ବୟସ ୩୧
ବେଦନାଥ ରାଉତ: ପରମର ସାଙ୍ଗ ୨, ବୟସ ୩୧
ଶଙ୍କରା: ବରୁଣ ବାବୁଙ୍କ ଚାକର, ବୟସ ୪୫
ଦୃଶ୍ୟ ୧
ବିବାହ ମଣ୍ଡପରେ ବରର କକ୍ଷ
ପରମ, ରୁଦ୍ର ଆଉ ବେଦନାଥ ଓରଫ ବେଦ୍ ଫ୍ରେଶ ହେଇ ହସଗପରେ ମାତିଛନ୍ତି |
ବେଦ୍: ତାହେଲେ ଆମ କୃଷ୍ଣ ଆଜି ଫାଇନାଲି ବିବାହ ବନ୍ଧନରେ ଆବଦ୍ଧ ହେଲେ |
ପରମ: ଆଉ କଣ ସମସ୍ତେ ତୋ ଭଳି ଇଟରନାଲ ବ୍ୟାଚେଲର ହେଇ ରହିବେ?
ବେଦ୍: ତମେ ସବୁ ବାହା ହେଇ ଆରାମରେ ରୁହ | ମୋ ତ ଏମିତି ହିଁ ଖୁସି |
ପରମ: ତୋର ସେ ଭାରତୀ ବୋଲି ଯୋଉ ଲାଟେଷ୍ଟ ଗର୍ଲଫ୍ରେଣ୍ଡ ଥିଲା ସେ କାହିଁ?
ବେଦ୍: ସେ ବି କହିଲା ମତେ ସାଙ୍ଗେ ସାଙ୍ଗେ ବାହା ହୁଅ | ମୁଁ କହିଲି ମତେ ଏବେ କିଛି କହନା! ହଉ ମୋ କଥା ଛାଡ଼ | ତୁ ତ ସେଟ (Set) ଏବେ |
ପରମ: ମୁଁ ତ ନୂଆ ଏଣ୍ଟ୍ରି | ରୁଦ୍ରକୁ ଦେଖି ତୁ ଟିକିଏ ମୋଟିଭେସନ ନଉନୁ? ଦୁଇ ଛୁଆର ବାପା! ତଥାପି ସବୁଠୁ କୁଲ (cool)!
ରୁଦ୍ର: (ସିଗାରେଟ ପିଉପିଉ) ମୋ ନାଁ କିଏ ନେଲା ବେ?
ବେଦ୍: ଗଂଜେଇ ଟାଣୁଛୁ ନା କଣ?
ରୁଦ୍ର: ଭାକ!! ଗଂଜେଇ ନା ଆଉ କିଛି? ହଉ ଶୁଣେ | ଏଇ ଆମ ବରଯାତ୍ରୀ ଭାଣ୍ଡାମୀ ସବୁ ଉମାକୁ କହିବୁନି | ମୁଣ୍ଡ ଚାଟିଯିବ ମୋର |
ବେଦ୍: ଭାଉଜ ଚେନ୍ନାଇରୁ କେବେ ଫେରିବେ?
ରୁଦ୍ର: ସାନପୁଅକୁ ଛ’ସାତ ମାସ ହେଲେ ଫେରିବ | ଆଉରି ଚାରିମାସ ବାକି ଅଛି |
ପରମ: ଆମ ତାମିଲିଆଣୀ ଭାଉଜ ଆସିଥିଲେ ଆଉରି ମଜା ହେଇଥାନ୍ତା |
ରୁଦ୍ର: ହଁ | ସେ ବି ପଚାରୁଥିଲା | ସେ ଫେରିଲେ ମୁଁ ଘରଆଡେ ଆସିବି |
ରୁଦ୍ର: ତେବେ ଭଲ ହେଲା ସେ ଆସିନି | ନହେଲେ ନାଗୀନ ଡାନ୍ସଟା ଏତେ ଭଲ ହେଇନଥାନ୍ତା | ତାଙ୍କ ତାମିଲ ବାହାଘର ତ ଦେଖିଚୁ | ଯୋଉ ଶୁଖିଲା!! ଆଉ ଆମ ଓଡ଼ିଆ ବାହାଘର! ପୁରା ବିନ୍ଦାସ!
ପରମ: ହଉ ହେଲା | ମୋ ବାହାଘରରେ ଟିକେ ମଜା କରିବୁନି ଆଉ କାହା ବାହାଘରରେ କରିବୁ? ବେଦ୍ ତ ଓଥଡା ମରିବ |
ରୁଦ୍ର: ବେଦ୍ ତୋ ଦାଢ଼ି ଗୁଡା ବି ସବୁ ପାଚିଗଲାଣି ବେ ! ଆଉ କିଛିଦିନ ଗଲେ ଝିଅଗୁଡା ତତେ ଅଜା ଡାକିବେ | ଆଉ ତୁ ଗାଇବୁ… (ପରମ ଆଉ ରୁଦ୍ର ତାପରେ ଏକା ସାଙ୍ଗେ ଗୀତ ଗାଇବା ଆରମ୍ଭ କରନ୍ତି)- ନାତୁଣୀ ଲୋ ନାତୁଣୀ | ହେଲୁ ପ୍ରେମ ବାୟାଣୀ!!
ସେତିକିବେଳେ ସେପଟୁ ଆସନ୍ତି ବଡଭାଇ | ପଛରେ ଜୟ |
ବଡଭାଇ: ପିଲାମାନେ | ତୁମେ ସବୁ ଫ୍ରେଶ ହେଇଗଲ? ଚାଲ ଚାଲ | ବାହାରକୁ ଚାଲ | ଝିଅବିଦା ହବ |
(ବାହାରକୁ ଯାଉ ଯାଉ ଫେରିଆସି) ଆରେ ରୁଦ୍ର, ତୁ ଗଂଜେଇ ଟାଣୁଛୁ କି?
ରୁଦ୍ର: (ଡରିଯାଇ) କାଇଁ ନାଇଁ ତ!
ବଡଭାଇ: ତାହେଲେ ତୋ ଆଖିତଳ କାଇଁ କଳା ପଡିଛି?
ରୁଦ୍ର: ନାଇଁ ତ!
ଜୟ: ହଁ ବଡଭାଇ | ଆଖି ବି ନାଲି ଦିଶୁଚି!!
ରୁଦ୍ର: ନାଇଁ ନାଇଁ!
ବଡଭାଇ: ଟାଣିବୁନି ସେଗୁଡା | ବୁଝିଲୁ? ହଉ | ବାହାରକୁ ଆସ ସବୁ |
(ସେ ବାହାରକୁ ଚାଲିଯାନ୍ତି) |
ବେଦ୍: ଆଜି ରୁଦ୍ର ମରିଥାନ୍ତା!! (ପରମ ଆଉ ବେଦ୍ ହସନ୍ତି)
ରୁଦ୍ର: ବଡଭାଇ ଆଜି ବି ପୁରା ହେଡମାଷ୍ଟର ଭଳି ହଉଛନ୍ତି | ଆଉ ତାଙ୍କର ସେ ଗୁପ୍ତଚର ଜୟନା | ବାପରେ!
(ପରମ ଆଉ ବେଦ୍ ପୁଣି ହସନ୍ତି)
ରୁଦ୍ର: ତୁ କେମିତି ଚଳୁଚୁ ବେ କାଳୁ? ତୋର ତ ପୁଣି ଏତେ କାଣ୍ଡ କାରଖାନା!!
ପରମ: ମୁଁ ସବୁ ଭଲରେ ଲୁଚେଇକି ରଖେ!
ରୁଦ୍ର: ହେଲେ ବି! ଫ୍ରିଡମ କିଛି ନଥିବ ନା!
ପରମ: ଆରେ! ବଡଭାଇ ତ ସବୁବେଳେ ସେମିତି | (ଇମୋସନାଲ ହେଇ) ହେଲେ ଜାଣିଚୁ ସେ ଗାଳିଦେଲେ ବାପାଙ୍କ ଗାଳି ମନେପଡେ | ଭାରି ଭଲ ଲାଗେ |
(ଏତିକି କହି ପରମ ମୁଣ୍ଡ ତଳକୁ କରେ |
ରୁଦ୍ର: ଠିକ କହିଚୁ | ଭାଇ ଅଛନ୍ତି ବୋଲି ଘରେ କେହି ଗୁରୁଜନ ଅଛନ୍ତି ଭଳି ଲାଗେ |
ରୁଦ୍ର: ହଁ ରେ |
(ପଛଆଡୁ ରୁଦ୍ର ଆଉ ବେଦ୍ ଆସି ପରମକୁ କୁଣ୍ଢେଇ ପକାନ୍ତି)
***
ଦୃଶ୍ୟ ୨
ସ୍ଥାନ: ବିବାହ ମଣ୍ଡପ
ଝିଅବିଦା
କ୍ୟାମେରାମ୍ୟାନ: (ଶ୍ରୀୟାକୁ) ମାଡାମ, ଟିକିଏ ଭଲରେ ଶଟ ଦେବେ |
ଶ୍ରୀୟା: ଜମା ଟେନ୍ସନ ନିଅନି | ମୁଁ ୟୁଟ୍ୟୁବରୁ ସବୁ ବିଦା ଗୀତ ଶିଖିଯାଇଚି | ପୁରା ଏ-କ୍ଲାସ ଶଟ ଦେବି | (ଥମ୍ବସ ଅପ କରେ)
କ୍ୟାମେରାମ୍ୟାନ ବି ତାକୁ ଥମ୍ବସ ଅପ କରେ | ଶ୍ରୀୟା ତା’ ବାପାଙ୍କୁ ଧରି କାନ୍ଦିବା ଆରମ୍ଭ କରେ!
ଶ୍ରୀୟା: ବାପା!!! ଏଁ ଏଁ ଏଁ ଏଁ……!! ତାପରେ ଶ୍ରୀୟା ଗୀତ ଗାଇବା ଆରମ୍ଭ କରେ… କନ୍ୟାଦାନ ମହାପୂଣ୍ୟ… କନ୍ୟାଦାନ ମହାପୂଣ୍ୟ… କରି କନ୍ୟାଦାନ… ଅରଜୁଚ ପୁଣ୍ୟ… ଧନ୍ୟ ବାପା ତମେ ଧନ୍ୟ!!!
ବରୁଣ ବାବୁ ଚମକି ପଡି ପାଖରେ ଠିଆହେଇଥିବା ନିଜ ଚାକର ଶଙ୍କରା କୁ ଦେଖନ୍ତି | ଶଙ୍କରା ଟିକିଏ ହସିଦିଏ |
ବରୁଣ ବାବୁ: ଇଏ ଏଇ ଗୀତ କୋଉଠୁ ଶିଖିଲା କିରେ ଶଙ୍କରା?
ଶଙ୍କରା: ସେଇ ଉଟୁବରୁ ବାବୁ!
ବରୁଣ ବାବୁ: ଉଟୁବ କଣ କିରେ? ଓଃ…. ୟୁଟ୍ୟୁବ?
ଶଙ୍କରା: ହଁ.. ସେଇ!
ପାଖରେ ତାଙ୍କ ଅନ୍ୟ ଘରଲୋକ, ସମ୍ପର୍କୀୟ | ଏପାଖେ ମାୟା, ବଡଭାଇ |
ବଡଭାଇ: (ମାୟାକୁ) ବଡ ଭାଉଜ କାଇଁ?
ମାୟା: ସେ ଗାଡିରେ ଟଚ-ଅପ ନଉଛନ୍ତି |
ଶ୍ରୀୟା ସେମିତି ବାପାକୁ ଧରି କାନ୍ଦୁଥାଏ | ଶ୍ରୀୟାକୁ କାନ୍ଦିବାର ଦେଖି ଧୀରେ ଧୀରେ ମାୟା, ବଡଭାଇ ଆଉ ପରମ ବି କାନ୍ଦିବା ଆରମ୍ଭ କରିଦିଅନ୍ତି |
ମାୟା: ବଡଭାଇ ତମେ କାଇଁ କାନ୍ଦୁଛ?
ବଡଭାଇ: (କାନ୍ଦିକାନ୍ଦି) ଶ୍ରୀୟାକୁ ଦେଖି କାନ୍ଦ ଲାଗୁଚି | ହେଲେ ତୁ କାଇଁ କାନ୍ଦୁଛୁ?
ମାୟା: (କାନ୍ଦିକାନ୍ଦି) ମତେ ବି ଭାଉଜଙ୍କୁ ଦେଖି କାନ୍ଦ ଲାଗୁଚି |
ଶ୍ରୀୟା ତା’ ବାପାଙ୍କୁ ଛାଡି ମାୟାକୁ ଧରି କାନ୍ଦେ |
ଶ୍ରୀୟା: ମାୟା, ଏଁ ଏଁ ଏଁ ଏଁ……!!
ଲୋକେ ତାଙ୍କୁ ଆଶ୍ଚର୍ଯ୍ୟ ହେଇ ଦେଖୁଥାନ୍ତି | ସେତିକିବେଳେ ରେବତୀ ଆସନ୍ତି | ଦେଖନ୍ତି ଏବେ ଶ୍ରୀୟା ପରମକୁ ଧରି କାନ୍ଦୁଚି |
ଶ୍ରୀୟା: ପରମ, ଏଁ ଏଁ ଏଁ ଏଁ……!!
ରେବତୀ ଆସି ଶ୍ରୀୟା ଆଉ ପରମକୁ ଅଲଗା କରନ୍ତି | ତାପରେ ଶ୍ରୀୟା ବଡଭାଇଙ୍କୁ ଧରି କାନ୍ଦେ |
ଶ୍ରୀୟା: ବଡଭାଇ, ଏଁ ଏଁ ଏଁ ଏଁ……!!!
ରେବତୀ ଆଉ ଜୟ ପରସ୍ପରକୁ ଚାହିଁ ହସନ୍ତି | ପାଖରେ ଠିଆ ହେଇଥିବା ସ୍ତ୍ରୀଲୋକଗୁଡା ଜିଭ କାମୁଡନ୍ତି! ଜଣେ ଶ୍ରୀୟା କାନରେ କୁହେ: ଏ କଣ ଲୋ ଝିଅ! ଦେଢଶୁରକୁ ଧରି କାନ୍ଦୁଛୁ?
ମାୟା ପାଖରେ ଥାଇ ଶୁଣେ |
ମାୟା: ଦେଢଶୁର? ସେଇଟା କଣ?
ସ୍ତ୍ରୀଲୋକ: ମାନେ ଦେଢ଼ ଶଶୁର!
ଶ୍ରୀୟା: (କାନ୍ଦୁକାନ୍ଦୁ) କଣ? ଅସୁର?
ସ୍ତ୍ରୀଲୋକ: ଅସୁର ନୁହେଁ ଲୋ!! ଶଶୁର! ଦେଢଶୁର!
ମାୟା: ଦେଢ଼ଶୁର କାଇଁକି ଅଢେଇଶୁର କାହିଁକି ନୁହଁ?
ସ୍ତ୍ରୀଲୋକ: (ଆଶ୍ଚର୍ଯ୍ୟ ହେଇ) ଏଁ!!
ଶ୍ରୀୟା: (କାନ୍ଦୁକାନ୍ଦୁ) ଅଢେଇ ବୋଇଲେ?
ମାୟା: ଗୋଟେ ଆଉ ଅଧା!
ରେବତୀ: ନାଇଁ ନାଇଁ!! ଦୁଇ ଆଉ ଅଧା! ଦେଢ ମାନେ ଗୋଟେ ଆଉ ଅଧା!
ସମସ୍ତେ କାନ୍ଦିବା ଛାଡି ଆଶ୍ଚର୍ଯ୍ୟ ହେଇ ଏମାନଙ୍କ କଥା ଶୁଣୁଥାନ୍ତି |
ମାୟା: ଓହୋ!
ବଡଭାଇ: କଣ ହଉଚି ଏଠି?
ମାୟା: ବଡଭାଇ, ଜାଣିଛ ଦେଢ ମାନେ ଗୋଟେ ଆଉ ଅଧା?
ବଡଭାଇ: ହଁ ଗୋଟେ ଆଉ ଅଧା ହେଲେ ଏବେ କାଇଁ ପଚାରୁଚୁ?
ଶ୍ରୀୟା: ଆମେ ଡିସାଇଡ କରୁଚୁ ଆପଣ ଦେଢ଼ ଅସୁର ନା ଅଢେଇ ଅସୁର!
ସ୍ତ୍ରୀଲୋକ: ଅସୁର ନୁହଁ ଲୋ ଶଶୁର | ଦେଢଶୁର |
ଶ୍ରୀୟା: ହଁ ହଁ ସେଇ!!
ରୁଦ୍ର: (ବେଦ୍ କାନରେ) ବାଃ!! ବଡଭାଇଙ୍କ ପାଇଁ ପୁରା ପରଫେକ୍ଟ ଭାଇବୋହୁ ବେ!!
ବେଦ୍: ଚୁପ (ହସେ)
କ୍ୟାମେରାମ୍ୟାନ: (ଶ୍ରୀୟାକୁ) ମାଡାମ, ଆପଣଙ୍କର ଇମ୍ପୋଟାଣ୍ଟ ଡିସକ୍ସନ ସରିଲା ଯଦି ଟିକେ କାନ୍ଦନ୍ତୁ ପ୍ଲିଜ | ଝିଅବିଦା ଭିଡିଓ ଖରାପ ହେଇଯିବ ନହେଲେ | ପରେ ମତେ କହିବେ |
ଶ୍ରୀୟା: ହଉ ହଉ |
ଶ୍ରୀୟା ପୁଣି କାନ୍ଦିବା ଆରମ୍ଭ କରେ |
କ୍ୟାମେରାମ୍ୟାନ: (ପରମକୁ) ଆଜ୍ଞା, ଆପଣ ଟିକେ ହସନ୍ତୁ | ମାଡାମ କାନ୍ଦିଲା ବେଳେ ଆପଣ କାଇଁ କାନ୍ଦୁଛନ୍ତି?
କ୍ୟାମେରାମ୍ୟାନର ଲାଇଟବାଲା: ଆପଣ ପା ବର! କାନ୍ଦିବାକୁ ସାରା ଜୀବନ ପଡିଛି | ଆଜି ମାଡାମଙ୍କ ପାଳି!
ଜୟ: ଠିକ ଠିକ!! ଆମ ବଡଭାଇଙ୍କୁ ପଚାର!! ଶାଦି କା ଲଡୁ!!
ବଡଭାଇ ଆଉ ରେବତୀ ଜୟକୁ ରାଗିକି ଦେଖନ୍ତି | ରୁଦ୍ର ଆଉ ବେଦ୍ ଫେଁ କି ହସିଉଠନ୍ତି | ଶ୍ରୀୟା ପୁଣି କାନ୍ଦେ ଆଉ କ୍ୟାମେରାମ୍ୟାନ ଶୁଟିଂ ଆରମ୍ଭ କରେ |
ଶ୍ରୀୟା ବିଦା ହେଲାପରେ ଆଗ ଗାଡିରେ ବଡଭାଇ, ଭାଉଜ ବସନ୍ତି | ପଛ ଗାଡ଼ିରେ ମାୟା, ପରମ ଆଉ ଶ୍ରୀୟା ବସନ୍ତି | ଗାଡି ନୀଳାଚଳ ନିବାସ ଅଭିମୁଖେ ଯାତ୍ରା କରେ | (ଚତୁର୍ଥ ଭାଗ ସମାପ୍ତ)
ଅଧ୍ୟାୟ ୫- ସକାଳ ଉଠା ଉପାଖ୍ୟାନ
ଆଜିର ଚରିତ୍ର
ବଡଭାଇ: ଘରର ମୁରବୀ ଶଙ୍କର୍ଷଣ ଚୌଧୁରୀ, ବୟସ ୩୬
ସାନଭାଇ: ପରଂବ୍ରହ୍ମ ଚୌଧୁରୀ ଓରଫ ପରମ ବୟସ ୩୧
ସାନଭଉଣୀ: ଯୋଗମାୟା ଚୌଧୁରୀ ଓରଫ ମାୟା, ବୟସ ୨୬
ଶ୍ରୀୟା ପରିଜା ଚୌଧୁରୀ: ଘରର ସାନବୋହୁ, ଫୁଡ ବ୍ଲଗର, ବୟସ ୨୮
ଜୟ: ଘରର ଚାକର ପ୍ଲସ ରୋଷେଇଆ, ବୟସ ୩୪
ବରୁଣ ପରିଜା: ଶ୍ରୀୟାର ବାପା, ବୟସ ୫୭
***
ଦୃଶ୍ୟ ୧
ନୀଳାଚଳ ପେଲେସ, ବୈଠକଖାନା
ବଡଭାଇ ବାହାରୁ ଫେରନ୍ତି | ଜୟ ଆସି କବାଟ ଖୋଲେ |
ଜୟ: ବଡ ଭାଉଜ ଗଲେ?
ବଡଭାଇ: ହଁ | ତା’ ଫ୍ଲାଇଟ ଏବେ ଛାଡ଼ିଲା |
ଜୟ: ଭାଉଜ ଆଉ କିଛିଦିନ ରହିଥିଲେ ମଜା ହେଇଥାନ୍ତା |
ବଡଭାଇ: ଛୁଟି ନାହିଁ | କଣ କରିବା!
ଜୟ: ହଁ |
ବଡଭାଇ: (ବସିପଡି) ଓହୋ! ଯା ହଉ ଧୀରେ ଧୀରେ ସବୁ କାମ ଉଠିଗଲା |
ଜୟ: ହଁ ଭାଇ!
ବଡଭାଇ: ଭଲରେ ଭଲରେ ରିସେପ୍ସନ ବି ସରିଗଲା |
ଜୟ: ହଁ ପରା!
ବଡଭାଇ: ସମସ୍ତେ ଭଲରେ ଖାଇପିଇ ଯାଇଛନ୍ତି ଟି? ତୁ କିଛି ଦେଖୁଥିଲୁ ନା ଖାଲି ବୁଲୁଥିଲୁ?
ଜୟ: ନାଇଁ ନାଇଁ! ଦେଖିଚି ନା!
ବଡଭାଇ: କଣ ଦେଖିଲୁ?
ଜୟ: ସମସ୍ତେ ଖୁସିରେ ଖାଇକି ଗଲେ | ଆଇଟମ ଗୁଡା ବି ବଢିଆ ହେଇଥିଲା |
ବଡଭାଇ: ହଉ | ଆଉ ପିଲାମାନେ କଣ କରୁଛନ୍ତି?
ଜୟ: ସାନଭାଇ କାହା ସାଙ୍ଗେ ଗୋଟେ ଫୋନରେ କଥା ହଉଥିଲେ | ଅପା ଆଉ ଭାଉଜ ମିସିକି କଣ ଟିପିଟପ୍ କରୁଥିଲେ |
ବଡଭାଇ: ଟିପିଟପ୍ କଣ?
ଜୟ: ଟିପିଟପ୍ ନା ଟିକିଟକ୍! କଣ ଗୋଟେ ଭିଡିଓ ପରା!
ବଡଭାଇ: ଓହୋ! ଟିକଟକ୍! ଛେ! ସେ ମୁହଁ ଦାନ୍ତ ନେଫେଡ଼େଇ? କାଇଁ ସେ ବାଜେ ଜିନିଷ ଗୁଡା କରୁଛନ୍ତି?
ଜୟ: ବାଜେ କାଇଁକି? ମୁଁ ବି କରିବି | ସାନ ଭାଉଜ କହିଛନ୍ତି ମତେ ଶିଖେଇଦେବେ |
ବଡଭାଇ: ମାୟା ଜଣେଯଥେଷ୍ଟ ନଥିଲା ଯେ ଏଇ ଶ୍ରୀୟା ବି ଆସି ତା’ ସାଙ୍ଗେ ଯୋଡି ହେଲାଣି?
ଜୟ: ମତେ ତ ଭାରି ମଜା!
ବଡଭାଇ: ତତେ ପୁଣି କି ମଜା?
ଜୟ: ଆଉ ନହେଲେ? ସେଦିନ ଝିଅବିଦା ବେଳକୁ ତମକୁ ଯୋଉ ଦେଢ଼ ଆଉ ଅଢେଇ ଅସୁର କରି ଦେଇଥିଲେ ଅପା ଆଉ ସାନ ଭାଉଜ!! ହାହାହା!
ବଡଭାଇ: ଚୁପ!
ଜୟ: ଭାଇ, ଭାଗ୍ୟ ଭଲ ତମେ ଦେଢଶୁର ହେଇଚ ମଳାଶୁର ନୁହେଁ ! ନହେଲେ… ତମକୁ ମଳ ଅସୁର କରି ଥୋଇ ଦେଇଥାନ୍ତେ | ମାନେ ଗୁ… ହ… ରାକ୍ଷସ!! ହିହିହି!
ବଡଭାଇ: ଇହି!! କି ଅସନା କଥା ଏଗୁଡା!
ଜୟ: ହିହିହି!!
ବଡଭାଇ: ତାଙ୍କ ପାଇଁ ତୁ ବ୍ୟସ୍ତ ହବାର ନାହିଁ | ସମସ୍ତେ କାଲି ଭୋରରୁ ଉଠି ପୁଣି ଜଗିଂ କରିବା ଆରମ୍ଭ କଲେ ମୁଣ୍ଡ ଥଣ୍ଡା ରହିବ | ଆଉ ଏମିତି ଆଜେବାଜେ ଭିଡିଓ କରିବାକୁ ମନ ହବନି |
ଜୟ: ସାନ ଭାଉଜଙ୍କୁ ବି ଉଠେଇବ? ସେ ଏତେ ସକାଳୁ ଉଠନ୍ତି କି ନାଇଁ କିଏ ଜାଣେ?
ବଡଭାଇ: ନ ଉଠିଲେ କାଲିଠୁ ଉଠିବ | ଏଇ ଘରର ନିୟମ ଯେତେ ଶୀଘ୍ର ଶିଖିଵ ସେତେ ଭଲ | ସେ ଆସିକି ଦୁଇଦିନ ବି ହେଇ ନଥିଲା ବୋଲି ମୁଁ କିଛି କହି ନଥିଲି | କାଲିଠୁ ସବୁ ଉଠିବେ ନା! ପାଞ୍ଚଟା ବେଳେ | ମାୟା, ଶ୍ରୀୟା, ପରମ, ତୁ… ସମସ୍ତେ!
ଜୟ: (ଚମକି ପଡି) ମୁଁ ବି? କାଇଁକି? ମୁଁ ତ ଦିନସାରା କାମ କରୁଛି | ମତେ ତ ଛାଡିଦିଅ ତମେ ସବୁବେଳେ |
ବଡଭାଇ: ହଉ ସେ କଥା କାଲି ଦେଖିବା | ଏବେ ଯା! ତୋ କାମ ସାରେ | ଆଉ ମୋ ଘଂଟାରେ ଆଲାର୍ମ ଦେଇଥିବୁ ପାଞ୍ଚଟା ବେଳର |
ଜୟ: (ମନଦୁଃଖରେ) ହଉ | (ଜୟ ଚାଲିଯାଏ)
***
ଦୃଶ୍ୟ ୨
ବରୁଣ ବାବୁଙ୍କ ବୈଠକଖାନା |
ବରୁଣ ବାବୁ: (ଫୋନରେ) ହଁ ହଁ | ସବୁ ଭଲ ରେ ହେଲା ତୁ ଆସେ | ତତେ ତା ଶାଶୁଘରକୁ ନେଇକି ଯିବି |… ହଁ ସେମାନେ ଭଲ ଲୋକ | ଶ୍ରୀୟାକୁ ଚଳେଇ ପାରିଲେ ହେଲା… ହାହାହା… ଆରେ ଯୋଉଟା ସତ କଥା ସେଇଟା ସତ… ଆରେ ଝିଅ ଗଲା ବୋଲି କାନ୍ଦିବି ନା କଣ? ଝିଅ ଯୋଉଠି ରହିବ ଭଲରେ ରହିବ… ମୁଁ କାଇଁ ଏତେ ଖୁସି? କେବେ ସକାଳ ଆଠଟା ଯାଏଁ ଶୋଇଚୁ?…. ବାସ!! ମୁଁ ବହୁତ ବର୍ଷ ହେଲା ଶୋଇନି | ଆଜି ସବୁ କୁଣିଆ ମୈତ୍ର ଗଲେ | ଆଜି ମୁଁ ଶୋଇବି!! ଆଠଟା ପରେ ଉଠିବି | ହଉ ଚାଲ… ପରେ କଥା ହେବି | ଗୁଡ଼ନାଇଟ!! (ଏପଟେ ଚାକର ଶଙ୍କରା ଉଦ୍ଦେଶ୍ୟରେ) ଶଙ୍କରା…. କାଲି ସକାଳ ଆଠଟା ଯାଏଁ ତୁ ବି ଶୋ | ମୁଁ ବି ଶୋଇବି… ହାହାହା!!!
***
ଦୃଶ୍ୟ ୩
ବଡଭାଇଙ୍କ ବେଡରୁମ |
କିଏ ଜଣେ କବାଟ ପିଟୁଛି | ବଡଭାଇ ଘଣ୍ଟା ଦେଖିଲେ | ରାତି ସାଢେ ତିନି | ସେ ଡରିଗଲେ | କାହାର କିଛି ଦେହ ଖରାପ ହେଲା କି?
ବଡଭାଇ: ଆରେ କିଏ ଏବେ କବାଟ ପିଟୁଛି? କାହା ଦେହ ଖରାପ ହେଇନି ତ?
ସେ କବାଟ ଖୋଲିଲେ | ସାମ୍ନାରେ ନିଦୁଆ ଅବସ୍ଥାରେ ପରମ, ମାୟା, ଜୟ |
ବଡଭାଇ: (ଡରିଯାଇ) କଣ ହେଲା? ସବୁ ଠିକ ତ?
ମାୟା: (ହାଇମାରି) କିଛି ଠିକ ନାହିଁ ଭାଇ |
ବଡଭାଇ: ଶ୍ରୀୟା କାଇଁ? ସେ ଭଲ ଅଛି ତ?
ପରମ: (ଆଖିବନ୍ଦ ଥାଇ) ସେ ତ ଭଲ ଅଛି | ଆମ ଅବସ୍ଥା କଣ ହବ ଜଣା ନାହିଁ |
ବଡଭାଇ: ଆରେ କଣ ହେଇଚି ମତେ କେହି କୁହ |
ଶ୍ରୀୟା: (ସେପଟୁ ଆସି) ବଡଭାଇଙ୍କୁ ଉଠେଇ ଦେଇଛ | ବାଃ! ବଢିଆ | ମୁଁ ସେପଟେ ସବୁ ରେଡି କରି ଦେଇଛି |
ବଡଭାଇ: (ଆଶ୍ଚର୍ଯ୍ୟ ହେଇ) ରେଡି? କଣ ପାଇଁ? (ତାପରେ ସମସ୍ତଙ୍କୁ ଚାହିଁ) କଣ ଚାଲିଛି ଏଠି?
ଶ୍ରୀୟା: ଭାଇ ଶୀଘ୍ର ଡ୍ରଇଂରୁମକୁ ଆସନ୍ତୁ | ୩.୪୦ ହେଇଯିବ |
ବଡଭାଇ: ତ?
ଶ୍ରୀୟା: ଭାଇ, ବ୍ରହ୍ମ ମୁହୂର୍ତ୍ତ! ସେଇଟା ହେଲା ବ୍ରହ୍ମ ମୁହୂର୍ତ୍ତ!
ବଡଭାଇ: ତ?
ଶ୍ରୀୟା: ତ ଆମେ ସମସ୍ତେ ଏବେ ଏଠି ବସି ଧ୍ୟାନ କରିବା |
ବଡଭାଇ: ଧ୍ୟାନ?
ଶ୍ରୀୟା: ହଁ | ଧ୍ୟାନ! ଏବେ ଆମେ ଅଧା ଘଣ୍ଟା ଧ୍ୟାନ କରିବା |
ପରମ: କଣ?
ଶ୍ରୀୟା: ହଁ | ବ୍ରହ୍ମ ମୁହୂର୍ତ୍ତରେ ଉଠି ଧ୍ୟାନ କରି ପାରିଲେ ମଣିଷ ତା ଜୀବନରେ ସବୁକିଛି କରିପାରିବ | ଜାଣିନ? ଏପଟେ ଆସ |
(ଶ୍ରୀୟା ସମସ୍ତଙ୍କୁ ଡ୍ରଇଂରୁମକୁ ନିଏ)
ଶ୍ରୀୟା: ଏଠି ମୁଁ ସମସ୍ତଙ୍କ ପାଇଁ ମ୍ୟାଟ ପାରିଦେଇଛି |
ଜୟ: (କାନ କୁଣ୍ଡାଇ) ମୁଁ ବି କରିବି?
ଶ୍ରୀୟା: ହଁ ତମେ ବି | ଘରେ ବାପା ଶଙ୍ଖୁଆ ଭାଇ ସମସ୍ତଙ୍କୁ ମୁଁ ଉଠେଇ ଧ୍ୟାନ କରଉଥିଲି |
ଜୟ: (ଧୀରେ) ହେ ପ୍ରଭୁ! ବଡଭାଇ କବଳରୁ ତ କେବେ କେମିତି ବଂଚି ଯାଉଥିଲି ୟାଙ୍କ କବଳରୁ କେମିତି ବଞ୍ଚିବି?
ଶ୍ରୀୟା: ଧ୍ୟାନ ପରେ ଆମେ ଗୋଟେ ଘଣ୍ଟା ଯୋଗ କରିବା |
ବଡଭାଇ: କଣ? ଯୋଗ? ହେ ପ୍ରଭୁ!
ପରମ: ମୁଁ ଖାଲି ଶବାସନ କଲେ ଚଳିବ?
ଶ୍ରୀୟା: ହେଃ!
ମାୟା: ଭାଉଜ ମୁଁ ସନ୍ଧ୍ୟାରେ ଜିମ ଯାଏ |
ଶ୍ରୀୟା: ସନ୍ଧ୍ୟାରେ ତ? ସକାଳେ ଯୋଗ କରିବ | ସିଂପଲ |
ପରମ: ଆଉ କିଛି ବାକି ରହିଲା କି?
ଶ୍ରୀୟା: ହଁ | ଯୋଗ ସରିଲା ପରେ ଆମେ ଜଗିଂରେ ଯିବା | ଗୋଟେ ଘଣ୍ଟା ଜଗିଂ କରି ଘରକୁ ଫେରିବା | (ବଡଭାଇ ଆଡକୁ ଦେଖି) ଭାଇ ଆପଣ କେବେ ଜଗିଂରେ ଯାଆନ୍ତି କି ନାଇଁ?
(ମାୟା, ପରମ ଆଉ ଜୟ ପରସ୍ପରକୁ ଦେଖି ହସାହସି ହୁଅନ୍ତି)
ବଡଭାଇ: (ଜୟକୁ ଧୀରେ) ତୁ ତାକୁ କାଲି ଏଇ ସକାଳ ଜଗିଂ ପାଇଁ ଉଠେଇବା କଥା କିଛି କହିଥିଲୁ କି?
ଜୟ: ନାଁ ତ!
ବଡଭାଇ: (ପରମକୁ) ତୁ?
ପରମ: (ଧୀରେ) ପାଗଳ ହେଲ?
ବଡଭାଇ: (ମାୟାକୁ) ତୁ କହିଚୁ କି?
ମାୟା: ନାଁ ମ!
ବଡଭାଇ: (ମନେମନେ) ତାହେଲେ ଇଏ ରାତି ତିନିରୁ ଉଠେଇ ରିଭେଞ୍ଜ କାଇଁ ନଉଚି?
ମାୟା: (ପରମକୁ): ଭାଇ, ତୁ ଭାଉଜ ପାଞ୍ଚଟାରେ ଉଠିବେ କି ନାଇଁ ବୋଲି ଭାବୁଥିଲୁ ଆସୁ ୟେ ତ ପୁରା ବ୍ରହ୍ମ ମୁହୂର୍ତ୍ତଵାଲା ବାହାରିଲେ | ପୁଣି ଉପରୁ ଅନୁଲୋମ ବିଲୋମ ଆଉ ସୂର୍ଯ୍ୟ ନମସ୍କାର | ହାଏ ରେ ବିଧାତା!
ଶ୍ରୀୟା: ବାହାଘର କାମରେ ସମସ୍ତେ ଟାୟାର୍ଡ଼ ଥିଲେ ବୋଲି… ନହେଲେ ମୁଁ ତ ଆସିଲା ପରଦିନ ସମସ୍ତଙ୍କୁ ଉଠେଇଥାନ୍ତି ସକାଳ ସାଢେ ତିନିଟାରେ |
ମାୟା: ଭାଉଜ, ମୁଁ ଏବେ ବି ଟାୟାର୍ଡ଼!
ପରମ: ଆଉ ଶ୍ରୀୟା, ସାଢେ ତିନିଟାକୁ ସକାଳ ନୁହେଁ ରାତି ବୋଲି କୁହନ୍ତି!!
ଶ୍ରୀୟା: ହଉ ଆଉ କଥା ନାହିଁ | ଏବେ କାମରେ ଲାଗିବା | ମୁଁ ଏଇଠି ସବା ଆଗରେ ବସୁଛି | ସମସ୍ତେ ମୋ ପଛରେ ବସିଯାନ୍ତୁ |
(ସମସ୍ତେ ପରସ୍ପରକୁ ଦେଖନ୍ତି ଆଉ ନିଜ ନିଜ ଜାଗାରେ ବସନ୍ତି)
ଶ୍ରୀୟା: ଏବେ ସମସ୍ତେ ଆଖି କର | ନିଜ ନିଶ୍ୱାସ ଉପରେ ନଜର ରଖ | ନିଶ୍ୱାସ ଆଉ ପ୍ରଶ୍ୱାସ ଉପରେ ଧ୍ୟାନ ଦିଅ | ମୁଁ ଏବେ ଏଇ ମେଡ଼ିଟେସନ ମ୍ୟୁଜିକଟା ଲଗାଉଛି | ଏଇଟା ତୁମକୁ ଧ୍ୟାନରେ ମନ ଲଗେଇବାରେ ସାହାଯ୍ୟ କରିବ |
ତାପରେ ଶ୍ରୀୟା ଚୁପ ରହି ଧ୍ୟାନରେ ମଗ୍ନ ରହେ | ନିଜର ଧ୍ୟାନ ସରିବା ପରେ ସେ ଆଖି ଖୋଲେ | ଫୋନରେ ବାଜୁଥିବା ମେଡ଼ିଟେସନ ମ୍ୟୁଜିକଟା ବନ୍ଦ କରେ | ପଛକୁ ବୁଲି ଦେଖେ ତ ସାମ୍ନାରେ ବଡଭାଇ, ମାୟା, ପରମ ଆଉ ଜୟ ନିଜ ନିଜର ଧ୍ୟାନ ଜାଗାରେ ଢଳିପଡି ଜୋର ଜୋରରେ ଘୁଙ୍ଗୁଡ଼ି ମାରୁଛନ୍ତି | (ପଞ୍ଚମ ଭାଗ ସମାପ୍ତ)
ଅଧ୍ୟାୟ ୬- ହନିମୁନ ଉପାଖ୍ୟାନ
ଆଜିର ଚରିତ୍ର
ବଡଭାଇ: ଘରର ମୁରବୀ ଶଙ୍କର୍ଷଣ ଚୌଧୁରୀ, ବୟସ ୩୬
ରେବତୀ ଚୌଧୁରୀ: ଘରର ବଡବୋହୁ, ବୟସ ୩୩
ସାନଭାଇ: ପରଂବ୍ରହ୍ମ ଚୌଧୁରୀ ଓରଫ ପରମ ବୟସ ୩୧
ସାନଭଉଣୀ: ଯୋଗମାୟା ଚୌଧୁରୀ ଓରଫ ମାୟା, ବୟସ ୨୬
ଶ୍ରୀୟା ପରିଜା ଚୌଧୁରୀ: ଫୁଡ ବ୍ଲଗର, ବୟସ ୨୮
***
ଦୃଶ୍ୟ ୧
ସ୍ଥାନ: ନୀଳାଚଳ ପେଲେସ, ପରମ ଆଉ ଶ୍ରୀୟାର ବେଡରୁମ
ରେବତୀ: (ଭିଡିଓ କଲରେ) ଇସସସ! ବଢିଆ ହେଇଚି! ଠିକ କରିଛୁ! ହାହାହା!!
ଶ୍ରୀୟା: ହଁ | ଆଉ ମୁଁ ବୁଲିଲା ବେଳକୁ ସବୁ ଘୁଁଘୁଁ ହେଇ ଘୁଙ୍ଗୁଡ଼ି ମାରୁଛନ୍ତି!!
ରେବତୀ: ହାହାହା!! ଆଉ ପ୍ୟାକିଂ ସରିଲାଣି? କେତେବେଳେ ବାହାରିବ?
ଶ୍ରୀୟା: ହଁ ରାତି ସାତରେ | ପ୍ୟାକିଂ ଅଧା ହେଇଚି | ଆଉରି ବାକି ଅଛି |
ରେବତୀ: ହଉ ହଉ ଯା | ପ୍ୟାକିଂ କରିବୁ |
ଶ୍ରୀୟା: (କବାଟ ଆଡକୁ ଦେଖି)- ହେଇ ମାୟା ଆସିଲେଣି | ତାଙ୍କ ସଂଗେ କଥା ହୁଅ ଅପା | ମୁଁ ଟିକେ ପ୍ୟାକିଂ କରିଦିଏ |
ମାୟା: ବଡ ଭାଉଜ, ପ୍ରଣାମ | ଆଉ ଆମ ମେଡ଼ିଟେସନ ଷ୍ଟୋରୀ ଶୁଣିଲ ନା ନାଇଁ?
ରେବତୀ: ହଁ ହଁ ସବୁ ଶୁଣି ସାରିଲିଣି | (ହସିଲେ) ଯା ହଉ ମୁଁ ନଥିଲି |
ମାୟା: (ଶ୍ରୀୟାକୁ ଦେଖି) ସାନ ଭାଉଜ ତ ବଡଭାଇଙ୍କ ଜେଜେମା ବାହାରିଲେ |
ରେବତୀ: (ହସି) ତମ ବଡଭାଇଙ୍କୁ ଠିକ ହେଇଚି |
ମାୟା: ଓହୋ! ସାନ ଭାଇ ଭାଉଜ ହନିମୁନରେ ଯିବେ ଯେ ମଣିଷ ଟିକେ ଶାନ୍ତିରେ ଶୋଇବ!
ଶ୍ରୀୟା: (ପଛଆଡ଼ୁ ପାଟିକରି) ଶୋଇବ କଣ ମ? ମୁଁ ଫୋନ କରି ଉଠେଇ ଦେବି |
ମାୟା: ହନିମୁନ ଯୋଉ କାମ ପାଇଁ ଯାଉଛ ସେଇ କାମ କର ମ ମୋ ଚିନ୍ତା ଏତେ କରନି | ହେହେ!!
ରେବତୀ: (ହସିକି) ଠିକ କହିଛ!
ଶ୍ରୀୟା: (ଭିଡିଓ ପାଖକୁ ଆସି) ଆଉ ବାଲିରୁ କାହାକୁ କଣ ଦରକାର କୁହ | ଅପା ତୁମକୁ? ଆଉ ମାୟା ତୁମକୁ?
ରେବତୀ: ତୁ ଆଗ ଯା | ବୁଲେ | ହନିମୁନ କରେ | ତାପରେ ବୁଲିବୁ ମାର୍କେଟ |
ମାୟା: ହିହି!!
ଶ୍ରୀୟା: ମାୟାକୁ ଭାରି ହସ ଲାଗୁଚି |
ରେବତୀ: ହଁ | ଆଉ ବର୍ଷେ ପରେ ତାଙ୍କୁ ବି ହନିମୁନରେ ପଠେଇ ଦେବାନି କି? ଏତେ ଚିନ୍ତା କାଇଁକି?
ମାୟା: ବର୍ଷେ ପରେ କାଇଁକି?
ରେବତୀ: ଆଉ କଣ ଏବେ ବାହା ହବ?
ମାୟା: ବାହାଘର ଆଉ ହନିମୁନ ଭିତରେ ସମ୍ପର୍କ କଣ ଯେ? ହନିମୁନ ତ କେବେ ବି ଯାଇହବ!
ରେବତୀ: ଆଲୋ ଆଲୋ!! ଶୁଣୁଚୁ ଶ୍ରୀୟା? ଆମ ନଣନ୍ଦରାଣୀଙ୍କ କଥା! ଇଏ ବିନା ବାହାଘରରେ ହନିମୁନରେ ଯିବେ |
(ଶ୍ରୀୟା ହସେ )
ମାୟା: ଓହୋ ଭାଉଜ! ତମେ ତ ମୋ ପଛରେ ପଡିଗଲ | ହଉ ହଉ ମୁଁ ଏବେ ଯାଉଛି | ପରେ କଥା ହେବି | ବାଏ |
ରେବତୀ: ମୁଁ ବି ଯାଏଁ | ଗୋଟେ ମିଟିଂ ଅଛି | ଶ୍ରୀୟା ତୁ ଯା ଜିନିଷ ସଜାଡ଼େ | ଡେରି ହେଇଯିବ | ବାଏ |
ମାୟା ଆଉ ଶ୍ରୀୟା: ବାଏ ବାଏ!!
***
ଦୃଶ୍ୟ ୨
ସ୍ଥାନ: ପରମ ଆଉ ଶ୍ରୀୟାର ବେଡରୁମ
ପରମ: ଆଉ କଣ ସବୁ ବାକି ରହିଲା?
ଶ୍ରୀୟା: ରୁହ ମନେ ପକାଏ |
ପରମ: ଯଦି ବର୍ଷା ହୁଏ?
ଶ୍ରୀୟା: ହଁ ଠିକ | ରୁହ ଛତାଟେ ରଖିଦିଏ… ହଁ ରଖିଦେଲି |
ପରମ: ମୋ ରେନକୋଟ ବି ରଖିଦିଅ |
ଶ୍ରୀୟା: ହେଁ!! ହଉ ଦିଅ |
ପରମ: ଆଉ ସ୍ଵେଟର?
ଶ୍ରୀୟା: ସେଠି ଶୀତ ହବନି | ମୁଁ ଗୁଗୁଲରେ ଦେଖିଚି |
ପରମ: ହେଲେ ବି!
ଶ୍ରୀୟା: ଆଉ କଣ ରହିଲା? ମେକପ ସେଟ ରହିଲା | ଜୋତା ରହିଲା | ପର୍ସ ରହିଲା | ହଁ.. ଆଉ ଗୋଟେ ସ୍ଲିପର ନେଇଯାଏ |
ପରମ: ତିନିଟା ଜୋତା ସ୍ଲିପର ନେଇଚ ପରା?
ଶ୍ରୀୟା: ତିନିଟା ହବନି | ଆଉ ଗୋଟେ ଦରକାର |
ପରମ: ହଉ ଆଉ ବେଶୀ ଜିନିଷ ନେବାନି | ଅଧିକ ଲଗେଜ ହେଲେ ପୁଣି ଏୟାରପୋର୍ଟରେ ପଇସା ଦେବାକୁ ପଡିବ |
ଶ୍ରୀୟା: ମୋ ଯୋଗ ମ୍ୟାଟ | ସେଇଟା ନବାକୁ ପଡିବ |
ପରମ: ସେଇଟା ବାଲି ହୋଟେଲରେ ମିଳିଯିବ | ଥାଉ |
ଶ୍ରୀୟା: ସେଲ୍ଫି ଷ୍ଟିକ ନବାନି???
(ଏତିକିବେଳେ ସେପଟୁ ବଡଭାଇ ଆସନ୍ତି)
ପରମ: ହେଇଟି ଭାଇ ଆସିଲେଣି | ଭାଇ, ଅଫିସରୁ ଶୀଘ୍ର ଆସିଗଲ ଯେ?
ବଡଭାଇ: ତମେ ସବୁ ଯିବ ପରା?
ପରମ: ସେ ତ ସାତଟାରେ |
ବଡଭାଇ: ହେଲେ ବି! ଆଗରୁ ବାହାରି ବସି ପଡିବା କଥା ନା!!
ଶ୍ରୀୟା: ଆଉରି ପାଞ୍ଚ ଘଣ୍ଟା ଅଛି, ଭାଇ!
ବଡଭାଇ: ପାଞ୍ଚ ଘଣ୍ଟା କଣ? ତମର ପା ପ୍ୟାକିଂ ବି ସରିନି |
ଶ୍ରୀୟା: ଏଇ ସରି ଆସିଲାଣି |
ବଡଭାଇ: ସବୁ ନେଇଚ ତ?
ପରମ: ହଁ |
ବଡଭାଇ: ଔଷଧ?
ପରମ: ଔଷଧ?
ବଡଭାଇ: ହଁ ଔଷଧ! ତମର କାହାର ଦେହ ଖରାପ ହେଲେ କୁଆଡେ ଯିବ?
ପରମ: ହଁ ହଁ | ରଖୁଛି ତାହେଲେ |
ବଡଭାଇ: ସବୁ ରଖେ | ମୁଣ୍ଡବଥା, ଦେହବଥା, ଜର, କାଶ, ଏସିଡ଼ିଟିର… ସବୁ ରଖେ |
ଶ୍ରୀୟା: ଏଗୁଡା ସବୁ ହବ?
ବଡଭାଇ: ଯଦି ହେଇଗଲା? ୟେ ତ ପେଟୁ! ଯଦି ଅଧିକା ଖାଇଦେଲା?
ଶ୍ରୀୟା: ହଉ | ରଖୁଛି |
ବଡଭାଇ: ପେଷ୍ଟ, ବ୍ରସ, ଜିଭଛେଲା ରଖିଚ?
ପରମ: ନାଇଁ… ଆଣୁଚି ଆଣୁଚି… (ଦୌଡ଼ିକି ବାଥରୁମକୁ ଯାଏ)
ବଡଭାଇ: କିଛି ତ ରଖିନ ତାହେଲେ ଏତେ ବଡ ବଡ ଦୁଇଟା ବ୍ୟାଗରେ କଣ ଆଉ ନେଇଚ?
ପରମ: ହେଇଗଲା ଭାଇ… ସବୁ ହେଇଗଲା |
ଶ୍ରୀୟା: ଆଉ ସେଲ୍ଫି ଷ୍ଟିକ?
ମାୟା : (ସେପଟୁ ଆସି ହସିଦେଇ) ହଉ ନେଇ ଯାଅ! ଆମେ ତମ ଫଟ ଦେଖିବାକୁ ଜଗିଲୁ |
(ସମସ୍ତେ ହସି ଉଠନ୍ତି)
***
ଦୃଶ୍ୟ ୩
ସ୍ଥାନ: ଏୟାରପୋର୍ଟ
ଶ୍ରୀୟା: ବାଃ! କାଲିଠୁ ଖାଲି ତମେ ଆଉ ମୁଁ!
ପରମ: ଆଉ ଆମ ରୋମାନ୍ସ!
ଶ୍ରୀୟା: ହିହି!!
ପରମ: ହଁ ଘରର ଗହଳିରୁ ଟିକେ ଦୁରକୁ ଗଲେ ପ୍ରେମ ବି ଟିକେ ଷ୍ଟ୍ରଙ୍ଗ ହେଇଯିବ |
ପରମ: ଆରେ!!! ଏ କଣ ମେସେଜ ଆସିଲା?
ଶ୍ରୀୟା: (ଚମକି ପଡି) କଣ ହେଇଚି?
ପରମ: ରୁହ ମୁଁ ଟିକେ କାଉଣ୍ଟରରୁ ଆସେ |
ପରମ କାଉଣ୍ଟରକୁ ଯାଇ କଥା ହେଇକି ଆସେ |
ଶ୍ରୀୟା: (ବ୍ୟସ୍ତ ହେଇ) କଣ ହେଲା?
ପରମ: (ମନ ଦୁଃଖରେ) ବାଲିକୁ ସବୁ ଫ୍ଲାଇଟ କ୍ୟାନସେଲ ହେଇ ଯାଇଛି |
ଶ୍ରୀୟା: (ଚମକି) କଣ? କ୍ୟାନସେଲ? ହେଲେ କାଇଁକି?
ପରମ: ଏଠୁ ତ କୋଲକାତା ଫ୍ଲାଇଟ ଅଛି | ହେଲେ ବାଲିରେ ଜୋରରେ ବାତ୍ୟା ଆସିଛି | କୋଲକାତାରୁ ବାଲିକୁ ସବୁ ଫ୍ଲାଇଟ କ୍ୟାନସେଲ ହେଇ ହେଇଯାଇଛି |
ଶ୍ରୀୟା: (କାନ୍ଦକାନ୍ଦ ହେଇ) ତାହେଲେ ଏବେ?
ପରମ: (ମନ ଦୁଃଖରେ) ଏବେ ଆଉ କଣ? ଘରକୁ ଫେରିଯିବା!
ଶ୍ରୀୟା: ଘରକୁ ଫେରିଯିବା? ନାଇଁ ମୁଁ ଯିବିନି |
ପରମ: ଆରେ! ଏମିତି ଛୁଆଙ୍କ ଭଳି ହୁଅନି |
ଶ୍ରୀୟା: (କାନ୍ଦକାନ୍ଦ ହେଇ ନାକ ସଁସଁ କରି) ଛୁଆ କଣ? ଦୁନିଆରେ ସମସ୍ତେ ହନିମୁନ କରିବାକୁ ଯାଆନ୍ତି | ମୋ ହନିମୁନରେ ହିଁ ଏମିତି କାଇଁ ହେଲା?
ପରମ: ବ୍ୟସ୍ତ ହୁଅନି | ଆମେ ଆଉ କୋଉଠିକି ପୁଣି ବୁକ କରିକି ଯିବା |
ଶ୍ରୀୟା: (ସକେଇ ସକେଇ) ହେଲେ ସେଥିପାଇଁ ତ ସମୟ ଲାଗିବ | ଏମିତି ଗୋଟେ ଦିନରେ କୋଉ ରିସୋର୍ଟରେ ରୁମ ମିଳିବନି | ତିନି ଚାରିଦିନ ପରେ ହିଁ ରୁମ ମିଳିବ |
ପରମ: ହଉ | ଆମେ ତିନି ଚାରିଦିନ ପରେ ଯିବା | ଏମିତି କାନ୍ଦୁଛ କାଇଁକି?
ଶ୍ରୀୟା: ହେଲେ ଏବେ ତ ଘରେ ରହିବା ନା?
ପରମ: ଘରେ ରହିବାନି ତ ଆଉ କୋଉଠି ରହିବା? କାଇଁ ତମକୁ କଁ ଆମ ଘରେ ଭଲ ଲାଗୁନି? ତମକୁ ତ ମୁଁ ଆଗରୁ କହିଥିଲି….
ଶ୍ରୀୟା: ମୁଁ ସେ କଥା କେତେବେଳେ କହିଲି? ସମସ୍ତେ ଭଲ! ହେଲେ ତୁମେ ନିଜେ ତ କହିଲ ଘରର ଗହଳିରୁ ଟିକେ ଦୁରକୁ ଗଲେ ପ୍ରେମ ବି ଟିକେ ଷ୍ଟ୍ରଙ୍ଗ ହେଇଯିବ |
ପରମ: ହଁ ତ?
ଶ୍ରୀୟା: ତ ତୁମେ ମାନୁଛ ତ ଘରେ ଗହଳି ଅଛି ବୋଲି?
ପରମ: ହଁ | ଲୋକ ରହିଲେ ଆଉ ଗହଳି ହବନି?
ଶ୍ରୀୟା: (ସକେଇ ହେଇ) ସେଇଆ ତ! ମୁଁ ତ ସବୁଦିନ ସେଠି ରହିବି | ମୁଁ ତ ମନା କରିନି |ଏଇ କିଛିଦିନ ପାଇଁ ମୁଁ ପ୍ରାଇଭେସି ଚାହିଁଥିଲି | ହେଲେ ସେଇଟା ବି ହେଲାନି |
ପରମ: ଏବେ ମୁଁ କଣ କରିବି କୁହ! ତମକୁ ହୋଟେଲରେ ତ ନେଇ ରଖିପାରିବିନି |
ଶ୍ରୀୟା: ମୁଁ କଣ ସେ କଥା କହୁଛି?
ପରମ: ଶୁଣ! ଏଇ ଦୁଇତିନି ଦିନ କିଛି ନ ଭାବି ଘରେ ରୁହ | ମୁଁ ଯେତେ ଶୀଘ୍ର ପାରିବି ଆଉ କୋଉ ଜାଗାକୁ ହନିମୁନ ଟିକେଟ ବୁକ କରିବି |
ଶ୍ରୀୟା କିଛି କୁହେନି ଆଉ ଲୁହ ପୋଛେ | ପରମ ବଡଭାଇକୁ ଫୋନ ଲଗାଏ |
ପରମ: ଭାଇ, ଆମେ ଫେରି ଆସୁଛୁ… ବାଲିରେ ସାଇକ୍ଲୋନ ହେଇଚି… ସବୁ ଫ୍ଲାଇଟ କ୍ୟାନ୍ସଲ… ହଁ ସେ ଟିକେ ମନଦୁଃଖ କରୁଛି ଆଉ… ହେଲେ କଣ କରିବୁ… ଦେଖିବା… ଏବେ ତ କିଛି କୋଉଠି ନାଇଁ…
ତିନି ଚାରିଦିନ ପରେ ଦେଖିବା…. ହଉ… ନାଇଁ ଡେରି ହବ ବୋଧେ… ତୁମେ ସବୁ ଖାଇ ଦେଇଥାଅ… ଆମେ ଗଲେ ଖାଇବୁ… ହଉ… ବାଏ |
***
ଦୃଶ୍ୟ ୪
ସ୍ଥାନ: ନୀଳାଚଳ ପେଲେସ
ଘରଠୁ ଏଆରପୋର୍ଟ ଦେଢ଼ ଘଣ୍ଟାରୁ ଅଧିକ | ପୁଣି ଆଜି ଟ୍ରାଫିକ ବେଶୀ | ଘରେ ପହଂଚୁ ପହଂଚୁ ଅଢେଇ ଘଣ୍ଟା ଖଣ୍ଡେ ଲାଗିଯାଏ |
ଟାକ୍ସିରୁ ଓହ୍ଲାନ୍ତି ପରମ ଆଉ ଶ୍ରୀୟା | ପରମ ଟାକ୍ସିବାଲାକୁ ପଇସା ଦିଏ | ଘର ସାମ୍ନାକୁ ଆସି ବେଲ ଟିପନ୍ତି | କେହି କବାଟ ଖୋଲନ୍ତି ନାହିଁ | ସେ ଦୁଇ ତିନିଥର ବେଲ ଚି଼ପେ |
ପରମ: (ଡରିଯାଇ) ଆରେ କେହି କବାଟ କାଇଁ ଖୋଲୁ ନାହାନ୍ତି?
ଶ୍ରୀୟା: ଫୋନ କର ଭାଇଙ୍କୁ କି ମାୟାକୁ |
ପରମ: ହଁ!!
ପରମ ବଡଭାଇକୁ ଫୋନ ଲାଗେ | ସେ ଫୋନ ଉଠାନ୍ତି |
ପରମ: ଭାଇ, ତମେ କଉଠି?… ଚାବି ବାହାର କାର୍ପେଟ ତଳେ ଅଛି?… ହେଲେ କାହିଁକି?… ଓହୋ… କିଛି କୁହ | ଶ୍ରୀୟା କବାଟ ଖୋଲିଲ |
ଶ୍ରୀୟା କବାଟ ଖୋଲେ |
ଶ୍ରୀୟା: ଇସସସ!! ଏଇ ହଲକୁ ଏତେ ସୁନ୍ଦର ଲିଚୁ ଲାଇଟ ଆଉ ଫୁଲରେ କିଏ ସଜେଇଚି? ଟେବୁଲ ଉପରେ ଗୋଲାପ ଫୁଲ, କେକ, ଡ୍ରିଙ୍କ ଆଉରି କେତେ ଜିନିଷ!!
ଏତିକିବେଳେ ଶ୍ରୀୟାକୁ ଗୋଟେ ଭିଡିଓ ମେସେଜ ଆସେ | ସେ ଖୋଲେ | ସେ ଆଉ ପରମ ଦେଖନ୍ତି | ବଡଭାଇ ଆଉ ମାୟା ଅଛନ୍ତି ଭିଡିଓରେ |
ମାୟା: ହାଏ ଭାଉଜ!
ବଡଭାଇ: ପରମ, ଶ୍ରୀୟା! ଗାଁରେ ଗୋଟେ ଜମିବିକା କାମ ଥିଲା | ସେଥିପାଇଁ ଏବେ ଜୟକୁ ନେଇ ବାହାରି ଯାଉଛି | ମାୟା ବି କହିଲା ଗାଁ ଆଡୁ ବୁଲିଆସିବ | ସେ ଅଫିସ କାମ ସେ ସେଠୁ ଲ୍ୟାପଟପରେ କରିବ | ଦୁଇ ତିନିଦିନ ଭିତରେ ଫେରି ଆସିବୁ | ତମର ସେ ଭିତରେ ଟିକେଟ ହେଇଗଲେ ତୁମେ ଚାଲିଯିବ | ହେଲା?
ମାୟା: ଆଉ ଭାଉଜ! ନୂଆ ଟିକେଟ ନ ହବାଯାଏଁ ଘରେ ମନାଅ ହନିମୁନ! ଏବେ ତ ଆମେ ନାହୁଁ ତୁମ ମୁଣ୍ଡ ଖାଇବା ପାଇଁ!! ସେଠି ଟେବୁଲ ଉପରେ ଅଛି ବଢିଆ ଖାଇବା ଆଉ ଡ୍ରିଙ୍କ!! କେକ ବି ଅଛି! କାଟିବ ଆଉ ଫଟୋ ପଠେଇବ!! ଓକେ ବାଏ!!!
ଭିଡିଓ ସରିଲା ବେଳକୁ ଶ୍ରୀୟାର ଆଖି ଲୁହରେ ଭିଜି ଯାଇଥିଲା |
ପରମ: ଏବେ ତ ତମେ ଖୁସି? ଘରେ ଖାଲି ତମେ ମୁଁ… ଆଉ କେହି ନାହିଁ!! ଏବେ କୁଆଡେ ଯିବ କୁହ? ସେଠିକି ଟିକେଟ କରିବା!
ଶ୍ରୀୟା: (ଆଖିରୁ ଲୁହ ପୋଛି) ତୁମ ଗାଁକୁ ଯିବା?
ପରମ: (ଆଶ୍ଚର୍ଯ୍ୟ ହେଇ) କଣ?
ଶ୍ରୀୟା: ହଁ! ମୁଁ ମୋ ଫାମିଲିକୁ ବହୁତ ମିସ କରୁଚି!!
ପରମ: (ହସିଦେଇ) ହଉ ଯିବା | ହେଲେ ସେ ଫାମିଲି ଗେଟ-ଟୁଗେଦର ଆଗରୁ ଆମର ଟିକେ ରୋମାଣ୍ଟିକ ଗେଟ-ଟୁଗେଦର ହେଇଯାଉ | ମୋର ହନିମୁନ କିସ୍ ଟା ବାକି ଅଛି ଯେ?
ଶ୍ରୀୟା: ଧେତ!
ପରମ: (ହସିଦେଇ) ହଉ ଆସ | ଆସ କାଟିବା!!
ଶ୍ରୀୟା ହସିଦିଏ | ପରମ ତା’ ହାତଧରି ତାକୁ ସେଣ୍ଟର ଟେବଲ ପାଖକୁ ଯାଏ ଆଉ ଟେବୁଲ ଉପରେ ଥିବା ଗୋଲାପ ଫୁଲଟି ଆଣି ଶ୍ରୀୟାକୁ ହାତରେ ଦିଏ | ଶ୍ରୀୟା ଲାଜେଇ ଯାଇ ପରମ ଛାତିରେ ମୁହଁ ଲୁଚାଏ | (ଷଷ୍ଠ ଭାଗ ସମାପ୍ତ)
ଅଧ୍ୟାୟ ୭- ପିଆଜି ଉପାଖ୍ୟାନ
ଆଜିର ଚରିତ୍ର
ବଡଭାଇ: ଘରର ମୁରବୀ ଶଙ୍କର୍ଷଣ ଚୌଧୁରୀ, ବୟସ ୩୬
ସାନଭାଇ: ପରଂବ୍ରହ୍ମ ଚୌଧୁରୀ ଓରଫ ପରମ ବୟସ ୩୧
ସାନଭଉଣୀ: ଯୋଗମାୟା ଚୌଧୁରୀ ଓରଫ ମାୟା, ବୟସ ୨୬
ଶ୍ରୀୟା ପରିଜା ଚୌଧୁରୀ: ଘରର ସାନବୋହୁ, ଫୁଡ ବ୍ଲଗର, ବୟସ ୨୮
ଜୟ: ଘରର ଚାକର ପ୍ଲସ ରୋଷେଇଆ, ବୟସ ୩୪
ଦୃଶ୍ୟ ୧
ସ୍ଥାନ: ନୀଳାଚଳ ନିବାସ, ବୈଠକଖାନାରେ ବସି ଗପୁଛନ୍ତି ମାୟା ଓ ଶ୍ରୀୟା
ଶ୍ରୀୟା: ଓଃ, କି ମଜା ହେଲା ଗାଁରେ!!
ମାୟା: ଆଉ କୁହନି! ବାପ ରେ | ତମେ ଯୋଉ ଗଛରେ ଚଢି ପିଜୁଳି ଖାଉଥିଲ ହସି ହସି ପେଟ ଦରଜ |
ଶ୍ରୀୟା: ଆଉ ସେ ପିଜୁଳି କି ଟେଷ୍ଟି!! ବାବା!
(କଲିଙ୍ଗ ବେଲ ବାଜେ | ଜୟ ଆସି କବାଟ ଖୋଲେ | ପରମ ଅଫିସରୁ ଫେରିଛି)
ପରମ: ବର୍ଷା ଆସିବ ଲାଗୁଚି | ବାହାରେ କି ପବନ!
ଜୟ: ଭିଜିଲ କି?
ପରମ: ନାଇଁ ବର୍ଷା ଆସିନି ଏଯାଏଁ | ହବ | (ବସିପଡ଼େ)
ଶ୍ରୀୟା: ଭଲ ହେଲା ଶୀଘ୍ର ଚାଲି ଆସିଲ |
ପରମ: ଭାଇ ଫେରି ନାହାନ୍ତି?
ମାୟା: ନାଁ | ଆସିବେ ବୋଧେ ଟିକେ ପରେ |
ପରମ: ଏମିତି ପାଗରେ ଚା’ ସାଙ୍ଗରେ ଟିକିଏ ପିଆଜି ମିଳିଲେ କି ବଢିଆ ଲାଗନ୍ତା!
ଜୟ: ହଉ ତିଆରି କରି ଦଉଚି |
ପରମ: ଆରେ ନା ମ!! ଆମ ଫେମସ ଫୁଡ ବ୍ଲଗର ଆଉ ୟୁଟ୍ୟୁବର ଘରେ ଥାଉ ଥାଉ ତମେ କାଇଁ ତିଆରି କରିବ?
ମାୟା: ହଁ ହଁ | ଭାଉଜ ଆସିଲା ପରେ ଆମେ ଏଟା ଖାଇବୁ ସେଟା ଖାଇବୁ ବୋଲି ଭାବିଥିଲୁ ହେଲେ ଏବେ ଯାଏଁ ଭାଉଜଙ୍କ ପାଳି ପଡ଼ିଲାନି |
ପରମ: ହଁ!! ଆଜି ଶୁଭାରମ୍ଭ ହଉ ତାହେଲେ |
ଶ୍ରୀୟା: ନିଶ୍ଚୟ! ମୁଁ କଣ ମନା କରୁଛି? ଆଜି ମୁଁ ତମ ସମସ୍ତଙ୍କୁ ଜବରଦସ୍ତ ପିଆଜି ଖୁଏଇବି |
ଜୟ: ଯା ହଉ | ମତେ ଆଜି ସତକୁ ସତ ଛୁଟି ମିଳିଲା କାମରୁ | ଯାଏଁ ଟିକେ ମୋ ହ୍ଵାଟ୍ସଆପ ଚେକ କରିଦିଏ |
ଶ୍ରୀୟା: ହଉ ତମ ଛୁଟି ଯେ ମତେ ଟିକେ ଦେଖେଇ ଦିଅ କଉଠି କଣ ଅଛି!
ଜୟ: ହଉ ଆସ |
(ଦୁହେଁ ରୋଷେଇଘରକୁ ଯାଆନ୍ତି)
***
ଦୃଶ୍ୟ ୨
ସ୍ଥାନ: ରୋଷେଇଘର
ଜୟ: ଏଇ ନିଅ | ଏଇଟା ହେଲା ବେସନ |
ଶ୍ରୀୟା: (କିଛି ଚିନ୍ତା କରି) ଆରେ ହେଇ!!
ଜୟ: କଣ ହେଲା?
ଶ୍ରୀୟା: ଏଇ ଆଇଟମ ଟା ମୋ ଚ୍ୟାନେଲର ଭିଡିଓରେ ନାହିଁ! ଏଇଟାକୁ ଆଜି ଶୁଟିଂ କରିଦେଲେ ତ ହୁଅନ୍ତା!
ଜୟ: (ଖୁସି ହେଇଯାଇ) ଶୁଟିଂ? ତମେ ଫିଲ୍ମ ଶୁଟିଂ କରିବ ଭାଉଜ?
ଶ୍ରୀୟା: ଫିଲ୍ମ ଶୁଟିଂ ନୁହେଁ ଯେ ହେଲେ ରାନ୍ଧିବା ଶୁଟିଂ |
ଜୟ: ଭାଉଜ, ପ୍ଲିଜ ମତେ ଗୋଟେ ରୋଲ ଦଉନ? ପ୍ଲିଜ ପ୍ଲିଜ | ମୁଁ ବଢିଆ ଆକ୍ଟିଙ୍ଗ କରିବି | ମୁଁ ଆମ ଗାଁ ନାଟକରେ ହନୁମାନ ହଉଥିଲି | (ଅଭିନୟ କରି) ହେ ପ୍ରଭୁ ଶ୍ରୀରାମ… ଏଇ ଦାସକୁ ନିଜ ଚରଣରେ ଟିକିଏ ସ୍ଥାନ ଦିଅନ୍ତୁ!!
ଶ୍ରୀୟା: ହସି ପକେଇ | ସେମିତି ଆକ୍ଟିଙ୍ଗ ଏଠି ହବନି ଜୟନା!
ଜୟ: ଆଉ କେମିତି ଆକ୍ଟିଙ୍ଗ ହବ? ତମେ ଯେମିତି କହିବ ମୁଁ ସେମିତି କରିବି!
ଶ୍ରୀୟା: (ଟିକେ ଭାବି) ଆଚ୍ଛା! ତୁମେ ମୋ ଆସିଷ୍ଟାଣ୍ଟ ହବ | ମୁଁ ଯାହା ମାଗିବି ମୋ ହାତକୁ ବଢ଼େଇ ଦବ?
ଜୟ: ହଁ ହଁ | ମୋ ମୁହଁ ଆସିବ ନା ଭିଡିଓରେ?
ଶ୍ରୀୟା: ହଁ ଆସିବ |
ଜୟ: ହଉ | (ଲାଜେଇ ଯାଇ) ଆମ ଗାଁରେ ଲୋକ ଟିକେ ଦେଖିବେ ନା.. ସେଥିପାଇଁ!
ଶ୍ରୀୟା: ଆଉ ମୋ ଭିଡିଓରୁ ପଇସା ମିଳିଲେ ମୁଁ ସେଥିରୁ ବି କିଛି ଦେବି ତମକୁ |
ଜୟ: ଏମା! ଭିଡିଓରୁ ପଇସା ବି ମିଳିବ?
ଶ୍ରୀୟା: (ହସି) ହଁ ମିଳିବ | ହଉ ତାହେଲେ | ତମେ ଏବେ ଯାଅ | ଏଇ ଲୁଗା ପାଲଟି କି ଆସ |
ଜୟ: (ଆଶ୍ଚର୍ଯ୍ୟ ହେଇ): ଲୁଗା?
ଶ୍ରୀୟା: ଆଉ କଣ ତମେ ଏଇ ଲୁଗା ପିନ୍ଧି ଭିଡିଓରେ ଆସିବ? ଯାଅ କିଛି ଭଲ ଲୁଗା ପିନ୍ଧିକି ଆସ |
ପରମ: (ସେପଟୁ ଭିତରକୁ ପଶିଆସି) ଜୟନା | ମତେ ଗୋଟେ ଗ୍ଲାସ ପାଣି ଦେଲ |
ଜୟ: ମୁଁ ଦେବିନି | ନିଜେ ନେଇ ପିଅ |
ପରମ: (ଆଶ୍ଚର୍ଯ୍ୟ ହେଇ) ତମର ପୁଣି କଣ ହେଲା?
ଜୟ: (ଛାତିକୁ ଫୁଲେଇ) ମତେ ଚାକିରୀ ମିଳି ଯାଇଛି |
ପରମ: ମାନେ?
ଜୟ: ମାନେ ମୁଁ ଏବେ ଗୋଟେ ଆସିଷ୍ଟାଣ୍ଟ | ମତେ ପଇସା ବି ମିଳିବ | ମୁଁ ଆଉ ତମ କାମ କରିବିନି | (ଏତିକି କହି ସେ ସେଠୁ ପଳାଏ)
ପରମ: (ଶ୍ରୀୟାକୁ) ଜୟନାକୁ ପୁଣି କଣ ହେଲା?
ଶ୍ରୀୟା: ସେ ଆଜିଠୁ ମୋ ଆସିଷ୍ଟାଣ୍ଟ?
ପରମ: କି ଆସିଷ୍ଟାଣ୍ଟ?
ଶ୍ରୀୟା: ରୋଷେଇ ଆସିଷ୍ଟାଣ୍ଟ! ମୋ ଭିଡିଓରେ |
ପରମ: (ଆଶ୍ଚର୍ଯ୍ୟ ହେଇ) ଭିଡିଓ? ହେଲେ ତମେ ପରା ପିଆଜି ତିଆରି କରିବାକୁ ଆସିଥିଲ?
ଶ୍ରୀୟା: ହଁ! ସେଇ ପିଆଜିର ଭିଡିଓ!
ପରମ: ପିଆଜିର?
ଶ୍ରୀୟା: ହଁ | ଏଇ ଆଇଟମ ମୋ ଚ୍ୟାନେଲର ଭିଡିଓରେ ନାହିଁ! ସେଥିପାଇଁ ଏଇଟାକୁ ଆଜି ଶୁଟିଂ କରିବି!
ପରମ: (ମୁଣ୍ଡରେ ହାତଦେଇ) ହେ ପ୍ରଭୁ! ଆଉ ଏଇ ପିଆଜି ମିଳିବ କେତେବେଳେ?
ଶ୍ରୀୟା: ମୋ ହାତରନ୍ଧା ଖାଦ୍ୟ ଖାଇବାକୁ ମୋ ଫ୍ୟାନମାନେ ଡହଳବିକଳ | ଆଉ ତମେ କିଛି ସମୟ ଅପେକ୍ଷା ବି କରି ପାରିବନି?
ମାୟା: (ସେପଟୁ ଆସି) ଭାଉଜ, ପିଆଜି ହେଇଗଲା? ହେଁ… କିଛି ଆରମ୍ଭ ବି ହେଇନି?
ଶ୍ରୀୟା: ହେଇ ମାୟା ଆସିଲେ | ମାୟା, ଶୁଣିଲ ଶୁଣିଲ… କାଚ ବାଉଲ ଗୁଡା ଥିବ କାହିଁ?
ମାୟା: ସେଗୁଡା ତ ଉପରେ ଟେକା ହେଇଚି |
ଶ୍ରୀୟା: କାଇଁକି?
ମାୟା: ସେଗୁଡା ଜୟନା ଭାଙ୍ଗିଦିଏ ବୋଲି | ଖାଲି ଷ୍ଟିଲ ଗିନା ଗୁଡା ଅଛି |
ଶ୍ରୀୟା: ନାଇଁ | ଷ୍ଟିଲ ହବନି | ଭିଡିଓରେ ଭଲ ଦେଖା ଯିବନି?
ମାୟା: (ଆଶ୍ଚର୍ଯ୍ୟ ହେଇ): ଭିଡିଓ?
ଶ୍ରୀୟା: ହଁ ମୁଁ ଏଇ ପିଆଜିର ଭିଡିଓ ଶୁଟିଂ କରିବି | ମତେ ସବୁ ସାହାଯ୍ୟ କର | ତୁମେ ଆଉ ତୁମ ଭାଇ ମିଶି ଉପରୁ ସେ କାଚ ଗିନା ଆଉ ବଡ ବାଉଲ ଗୁଡା କାଢ଼ |
ମାୟା: (ପରମକୁ ଦେଖି) ଭାଇଇଇ!!!
ପରମ: ହଉ ଆସେ | ଏଇ ଟେବୁଲ ଧରେ | ମୁଁ ଉପରକୁ ଚଢୁଛି |
ମାୟା ଟେବୁଲ ଧରେ | ପରମକୁ ଉପରକୁ ଚଢିଲା ବେଳକୁ ଜୟ ଆସେ | ଜୟ ପୁରା ନୂଆ ଗଂଜୀ ପ୍ୟାଣ୍ଟ ପିନ୍ଧି ଆସିଛି | ମୁଣ୍ଡରେ ଟୋପି | ଆଖିରେ ଚଷମା | ଜୟକୁ ଦେଖି ମାୟା ଫେଁ କି ହସି ଉଠେ | ଟେବୁଲ ହଲିଯାଏ |
ଜୟ: ହେଇ ଟେବୁଲ ହଲିଲା… ହଲିଲା…| ହେଇ ଭାଇ ପଡିଲେ… ପଡିଲେ… ଓହୋ…. ପଡିଗଲେଲେଲେଲେ!
ପରମ ତଳେ ପଡି ଯାଏ |
ପରମ: ମା ଲୋ! ମୋ ଅଂଟା ହାଡ଼ ଭାଙ୍ଗିଗଲା!
ତାକୁ ସମସ୍ତେ ତଳୁ ଉଠାନ୍ତି |
ଶ୍ରୀୟା: ତମର କିଛି ହେଇନି ତ?
ପରମ: (ଅଂଟାକୁ ଧରି) ନା! (ଦାନ୍ତ କାମୁଡି) ମୋର କିଛି ବି ହେଇନି!
ମାୟା: (ହସି) ଜୟନା, ତମେ ଏମିତି ଜ୍ୱାଇଁ ବେଶ ହେଇ କୁଆଡେ ବାହାରିଲ?
ଜୟ: (ଗର୍ବରେ) ମୁଁ ଭାଉଜଙ୍କ ନୂଆ ଆସିଷ୍ଟାଣ୍ଟ!!
ମାୟା: ବାବା!!
ଶ୍ରୀୟା: ହଉ ହଉ | ଶୀଘ୍ର ସେ ଗିନା ଗୁଡା କାଢ଼ |
ପରମ: ସେଗୁଡା ଏବେ ବି ଦରକାର?
ଶ୍ରୀୟା: ହଁ | ନହେଲେ ଭିଡିଓର କ୍ୱାଲିଟି ଖରାପ ହେଇଯିବ | ଆଉ ଜୟନା, ମତେ ସବୁ ଜିନିଷ ବାହାର କରିକି ଦିଅ |
ସବୁ ଜିନିଷ କଢ଼ା ହେଇ ଟେବୁଲ ଉପରେ ରଖାହୁଏ |
ଶ୍ରୀୟା: କ୍ୟାମେରା କଉଠି ରଖିବା କହିଲ?
ମାୟା: ଏଇ ଝରକା ପାଖେ ରଖ |
ପରମ: ନାଇଁ ସେଇ ଟେବୁଲ ଉପରେ ରଖ |
ଜୟ: ମୁଁ ଆସିବି ତ ସେ ଭିଡିଓରେ?
ଶ୍ରୀୟା: ହଁ ଆସିବ ଯେ ସେ ଟୋପି ଆଉ ଚଷମା ଓଲ୍ହାଅ | (ମାୟା ହସେ)
ପରମ: ଏଇ ଟେବୁଲରେ ହିଁ ଠିକ ରହିବ |
ଶ୍ରୀୟା: ନାଇଁ ସେଇ ଝର୍କା ପାଖରେ ରଖିଲେ ସବୁ ଆସିବ | ଟେବୁଲ, ଚୁଲା, ମୁଁ ଆଉ ମୋ ଆସିଷ୍ଟାଣ୍ଟ | (ଶ୍ରୀୟା ଜୟକୁ ଦେଖେ | ଜୟ ଲାଜେଇ ଯାଏ)
ପରମ: ହଉ ଯାହା କରୁଛ ଶୀଘ୍ର କର |
ଶ୍ରୀୟା: ଶୁଣ | ତମେ ସେଇ ଝର୍କା ପାଖେ ଠିଆ ହେଇ କ୍ୟାମେରା ଉପରେ ନଜର ରଖ | କିଛି ଭୁଲ ହେଲେ କହିବ |
ପରମ: ଏତେ ସମୟ ମୁଁ ଠିଆ ହେବି ଏଠି? ଟିକେ ପିଆଜି ଖାଇବି ବୋଲି?
ଶ୍ରୀୟା: ଓହୋ! ରାଗନି ପ୍ଲିଜ | ଘରର ସ୍ତ୍ରୀଙ୍କୁ ରୋଷେଇରେ ସାହାଯ୍ୟ କର |
ପରମ: ହଁ କେହି ରାଗିଲା ମାନେ ତ ସାଙ୍ଗେ ସାଙ୍ଗେ ଫେମିନିଷ୍ଟ କଥା ଆଉ!
ଶ୍ରୀୟା: ହଉ ତମେ ଏ ସବୁ ଦେଖ | ମୁଁ ଟିକେ ରେଡି ହେଇ ଆସେ |
ମାୟା: ତୁମେ ପୁଣି ଏବେ କୁଆଡେ ଚାଲିଲ?
ଶ୍ରୀୟା: ଆରେ ମୁଁ ବି ଟିକେ ଲୁଗା ବଦଳେଇବି ନା!
ପରମ: ନାଁ ଥାଉ | ଇଏ ଭଲ ଦିଶୁଚି |
ଶ୍ରୀୟା: ଧେତ!! ମୁଁ ନୂଆ ଲୁଗାଟେ ବଦଳେଇ ଆସୁଛି | ଆଉ ହଁ ଜୟନା, ଏଇ ବେସନରୁ ଟିକେ ଦେଲ |
ମାୟା: ବେସନ?
ଶ୍ରୀୟା: ହଁ ଟିକେ ମୁହଁରେ ଆଉ ହାତରେ ବେସନ ଆଉ ହଳଦୀ ପ୍ୟାକ ଦେବି ନା! ନହେଲେ ଭିଡିଓରେ ମୁହଁ ଭଲ ଆସିବନି | ହାତ ଭାରି ଖରାପ ଦିଶିବ |
ପରମ: ହେ ପ୍ରଭୁ!
ଶ୍ରୀୟା: ମାୟା ଆସ |
ମାୟା: ମୁଁ ପୁଣି କୁଆଡେ ଆସିବି?
ଶ୍ରୀୟା: କାଲି ତମେ ଯେମିତି ହେୟାର ଷ୍ଟାଇଲ କରି ନଥିଲ ସେମିତି ମୋର କରିଦିଅ! ଭିଡିଓରେ ଭଲ ଆସିବ |
ମାୟା: ଏବେ?
ଶ୍ରୀୟା: ଆଉ କେବେ? ଆସ ଆସ ଶୀଘ୍ର | ମୋ ଫ୍ୟାନମାନଙ୍କର ପରା ମୋଠୁ କେତେ ଏକ୍ସପେକ୍ଟେସନ!! ଟିକେ ଭଲରେ ଭିଡିଓ ନ କରି ପୋଷ୍ଟ କଲେ ହବ? ଆସ |
(ଶ୍ରୀୟା ରୋଷେଇଘରୁ ବାହାରି ଯାଏ | ମାୟା ମୁହଁ ଆମ୍ବିଳ କରି ତା ପଛେ ପଛେ ବାହାରି ଯାଏ | ପରମ ମୁଣ୍ଡରେ ହାତ ଦିଏ ଆଉ ଜୟ ଝରକା କାଚରେ ନିଜ ମୁହଁ ଦେଖି ନିଜ ହେୟାର ଷ୍ଟାଇଲ ଠିକ କରୁଥାଏ |
***
ଦୃଶ୍ୟ ୩
ସ୍ଥାନ: ବୈଠକଘର
ଶ୍ରୀୟା: ଦେଖିଲ! କହିଥିଲି ନା ଜବରଦସ୍ତ ପିଆଜି ଖୁଏଇବି ବୋଲି! କେମିତି ଟେଷ୍ଟି ଲାଗିଲା ଦେଖିଲ?
ପରମ: ତୁମେ ଯେତିକି ପରିଶ୍ରମ କରେଇଲ ସେତିକି କରିସାରି ମୁଁ ଏତେ ଥକା ଯେ ଯାହା ଖାଇଥାନ୍ତି ଭଲ ଲାଗିଥାନ୍ତା |
ମାୟା: ଭାଉଜ, ଏତିକି ସମୟରେ ମୁଁ ଏଇ ପାଖ ଦୋକାନରୁ ତିନିଥର ଯାଇ ଖାଲି ପିଆଜି କଣ ପକୁଡି ଆଳୁଚପ ବରା ସବୁ କିଣି ଆଣିଥାନ୍ତି!! ଓହୋ! ମଣିଷର ଅବସ୍ଥା ଖରାପ ହେଇଗଲା!
(ଏତିକି ବେଳେ କଲିଙ୍ଗ ବେଲ ବାଜେ | ଜୟ ଆସି କବାଟ ଖୋଲେ | ବଡଭାଇ ଅଫିସରୁ ଫେରନ୍ତି )
ବଡଭାଇ: ଓହୋ! କି ଥଣ୍ଡା ପାଗ! ଏମିତି ପାଗରେ ଚା’ ସାଙ୍ଗରେ ଟିକିଏ କୋବି ପକୁଡି ମିଳିଲେ କି ବଢିଆ ଲାଗନ୍ତା!
ଶ୍ରୀୟା: ହଁ ହଁ ନିଶ୍ଚିତ | ସେଇଟା ବି ମୋ ଚ୍ୟାନେଲରେ ନାହିଁ | ଆଉ ମାୟା… ସେ ଯୋଉ ହେୟାର ଷ୍ଟାଇଲ…. (ନିଜ ବସିବା ଜାଗାରୁ ଉଠିପଡେ)
ପରମ ଆଉ ମାୟା: (ଏକା ସାଙ୍ଗରେ ଶ୍ରୀୟାକୁ ପଛରୁ ଟାଣିଧରି) ନାଇଁଇଁଇଁଇଁଇଁ ଥାଉଉଉଉଉ!!!
ବଡଭାଇ ଆଶ୍ଚର୍ଯ୍ୟ ହେଇ ତାଙ୍କୁ ଅନେଇ ରହିଥାନ୍ତି | (ସପ୍ତମ ଭାଗ ସମାପ୍ତ)
ଅଧ୍ୟାୟ ୮- ଅଳିଆ ସଫା ଉପାଖ୍ୟାନ
ଆଜିର ଚରିତ୍ର
ବଡଭାଇ: ଘରର ମୁରବୀ ଶଙ୍କର୍ଷଣ ଚୌଧୁରୀ, ବୟସ ୩୬
ସାନଭାଇ: ପରଂବ୍ରହ୍ମ ଚୌଧୁରୀ ଓରଫ ପରମ ବୟସ ୩୧
ସାନଭଉଣୀ: ଯୋଗମାୟା ଚୌଧୁରୀ ଓରଫ ମାୟା, ବୟସ ୨୬
ଶ୍ରୀୟା ପରିଜା ଚୌଧୁରୀ: ଘରର ସାନବୋହୁ, ଫୁଡ ବ୍ଲଗର, ବୟସ ୨୮
ଜୟ: ଘରର ଚାକର ପ୍ଲସ ରୋଷେଇଆ, ବୟସ ୩୪
ବିମଲା ରଙ୍ଗନାଥନ: ପରମର ସହକର୍ମୀ, ବୟସ ୨୮
ରାଣୀ ଓରଫ ରାଧିକା ରାୟ: ପରମର ସାନବେଳ ସାଙ୍ଗ, ବୟସ ୩୧
ଅଳିଆ ସଫା ଉପାଖ୍ୟାନ #Sulagna
ଦୃଶ୍ୟ ୧
ସ୍ଥାନ: ନୀଳାଚଳ ପେଲେସ, ପରମର ଶୟନ କକ୍ଷ |
ଜୟ: ଆଜି ସମସ୍ତେ ସାବଧାନ |
ମାୟା: (ଭିତରକୁ ପଶୁପଶୁ) କାଇଁକି?
ଜୟ: ଭାଉଜ ଆଜି ଅଳିଆ ସଫା ଅଭିଯାନରେ |
ମାୟା: (ଧୀରେ) ଆଗରୁ ଘରେ ବଡଭାଇ କେବଳ ଗୋଟେ ଶୁଚିବାଇ ରୋଗୀ ଥିଲେ ଆଉ ଏବେ ଘରେ ଦୁଇଜଣ |
(ମାୟା ଆଉ ଜୟ ମୁହଁଚାପି ହସନ୍ତି | ଜୟ ବାହାରକୁ ଚାଲିଯାଏ | ମାୟା ଭିତରକୁ ଆସେ | ଶ୍ରୀୟା ଘର ଝଡ଼ାଝଡ଼ି କରୁଥାଏ)
ଶ୍ରୀୟା: ଏଇ ଥାକରୁ ଆରମ୍ଭ କରେ | ଏଇ ଛୋଟ କାର୍ଟୁନଟା କାଢ଼େ |
ଶ୍ରୀୟା ତଳେ ବସି ସେଇ କାର୍ଟୁନରୁ ଗୋଟି ଗୋଟି ସବୁ ଜିନିଷ କାଢି ପୋଛେ | ସବୁଠୁ ତଳେ ଦେଖେ ଗୋଟେ ଆଲବମ | ମାୟା ସେପଟୁ ଆସି ପାଖରେ ବସେ |
ଶ୍ରୀୟା: ଆରେ!! ଏ ପୁରୁଣା ଆଲବମ ଦେଖିବା ଟିକେ! |(ଓଲଟେଇ) ଇଏ କିଏ?
ମାୟା: କିଏ ଆଉ! ତମ ପତିଦେବ!
ଶ୍ରୀୟା: ହେଁ! ଏଇ କୃଷ୍ଣ ବେଶରେ?
ମାୟା: ହଁ ପା |
ଶ୍ରୀୟା: ଆଉ ଏ ଝିଅ କିଏ?
ମାୟା: ସେ ରାଣୀ ଅପା | ଭାଇର ସାନବେଳ ସାଙ୍ଗ |
ଶ୍ରୀୟା: ଏଇ ଫଟୋ କେବେକାର?
ମାୟା: ଏଇଟା ସ୍କୁଲ ଫଙ୍କସନରେ | ରାଣୀ ଅପା ନାଚିଥିଲା ସେଇ ଯୋଉ ଗୀତରେ | ମନେ ପଡୁନି | (ଜୋରରେ ପରମକୁ ଡାକି) ଭାଇ ତୁ ଯୋଉ ଫଙ୍କସନ ରେ କୃଷ୍ଣ ହେଇଥିଲୁ ସେଇଟା କୋଉ ଗୀତ ଥିଲା?
ପରମ: (ସେପଟୁ) ରାଧା ନାଚିବ ନାଚିବ ଆଜି ନାଚିବ |
ମାୟା: ହଁ ହଁ… ରାଧା ନାଚିବ ନାଚିବ ଆଜି ନାଚିବ… ସେଇ ଗୀତ!!
ପରମ: (ଭିତରକୁ ଆସି) ତତେ କାଇଁ ସେ ଗୀତ କଥା ମନେ ପଡିଲା? (ଆଲବମ ଖୋଲା ଦେଖି) ଆରେ ଏଇ ପୁରୁଣା ଫଟୋ ସବୁ କାଇଁ କାଢୁଛ?
ଶ୍ରୀୟା: ତମେ କାଇଁ ଏତେ ଡରି ଯାଉଛ?
ପରମ: (ଛେପ ଢ଼ୋକି) ମୁଁ ଡରିବି କାହିଁକି?
ଶ୍ରୀୟା: ତାହେଲେ ଫଟୋ ଦେଖି ତମ ଝାଳ କାଇଁ ବାହାରୁଚି?
ମାୟା: (ହଠାତ କିଛି ଗୋଟେ ଖେଳଉ ଖେଳଉ) ଭାଇ, ତୋ ପୁରୁଣା ବଇଁଶୀ ଏଇଠି ପଡିଛି |
ଶ୍ରୀୟା: (ଆଶ୍ଚର୍ଯ୍ୟ ହେଇ) କାଇଁ ଦେଖି! ତମ ଭାଇ ସତରେ ବଇଁଶୀ ବଜାନ୍ତି? ମୁଁ ତ କାଇଁ ଜାଣି ନଥିଲି |
ପରମ: ସେଇଟା ଭିତରେ ରଖେ ମ!
ଶ୍ରୀୟା: କାଇଁ ଟିକେ ବଜେଇଲ ଦେଖିବା!
ବଡଭାଇ (ସେପଟୁ): କାଳୁ ଟିକେ ଶୁଣିଲୁ | (ପରମ ବାହାରକୁ ଚାଲିଯାଏ)
ମାୟା: ଭାଇ ଆଉ କଣ ବଇଁଶୀ ବଜଉଛି? ସେଇ ଇଲେଭେନଥ କ୍ଲାସ ପରେ ଛାଡି ଦେଇଛି ନା ଆଉ!
ଶ୍ରୀୟା: କାଇଁ?
ମାୟା: ଆମେ ତାପରେ ଏଠିକି ପଳେଇ ଆସିଲୁ | ରାଣୀ ଅପା ବି ଚାଲିଗଲା ଟ୍ରାନ୍ସ୍ଫର ହେଇ | ତା’ ପରଠୁ ଭାଇ ବି ବଇଁଶୀ ବଜେଇବା ଛାଡି ଦେଇଛି!
ଶ୍ରୀୟା: କାଇଁ ରାଣୀ ଅପା ତାଙ୍କର ଏମିତି କିଏ ଥିଲା କି?
ମାୟା: (ଜିଭ କାମୁଡି) ଭାଉଜ ପ୍ଲିଜ ଭାଇକୁ ଏ କଥା ମୁଁ କହିଛି ବୋଲି କହିବନି | ସେ ମତେ ମାରିଦେବ |
ଶ୍ରୀୟା: କିଛି ହବନି | କୁହ |
ମାୟା: ନାଇଁ ସେ ତ ଅତି ପୁରୁଣା କଥା | ତା ପରେ ତ ଭାଇର ତାଙ୍କ ସହ କଥା ବି ହେଇନି |
ପରମ: (ଭିତରକୁ ପଶିଆସି) ଆରେ… ଏଗୁଡା ଏପର୍ଯ୍ୟନ୍ତ ବାହାରେ ପଡିଛି?
ମାୟା: ମୁଁ ଟିକେ ଆସୁଛି | (ମାୟା ସେଠୁ ପଳାଏ)
ଶ୍ରୀୟା: ରାଣୀ କିଏ?
ପରମ: ଆରେ ମୋ ସାଙ୍ଗ… ସାଙ୍ଗ ମାନେ?
ପରମ: ମାନେ…
ଶ୍ରୀୟା: ମାନେ ଯାହାପାଇଁ ତମେ ବଇଁଶୀ ବଜେଇବା ବି ଛାଡିଦେଲ? ହୁଁ!!
ପରମ: ଆରେ ନାଇଁ | ସେମିତି କିଛି ନୁହଁ | ମୋର ଶ୍ୱାସ ଟିକେ ବାହାରିଥିଲା ମଝିରେ | ସେଥିପାଇଁ ଛାଡ଼ିଦେଲି |
ଶ୍ରୀୟା: ତମେ ସତ କହୁଚ?
ପରମ: ଆରେ ମୋ ଶଶୁର ରାଣ!
ଶ୍ରୀୟା: ହଉ ତାହେଲେ… ହେଁ… କଣ କହିଲ? ମୋ ବାପା ରାଣ କାଇଁ ପକଉଚ?
ପରମ: ହଉ ହଉ | ହେଲା… କୋଉ ପୁରୁଣା କଥା ଧରି ବସିଛ? ଭାବିଲେ ଲାଗୁଚି ଯେମିତି ସେ କୋଉ ଅଲଗା ଯୁଗ!
ଶ୍ରୀୟା: ମୁଁ କିଛି ଶୁଣିବିନି |
ପରମ: ସତରେ! ତୁମ ଛଡା ମୋ ଜୀବନରେ ଆଉ ଆଉ କୌଣସି ଝିଅ ନାହାନ୍ତି | ବିଶ୍ୱାସ କର | ରାଣୀ ବାଣୀ ବିମଳା ଶ୍ୟାମଳା କେହି ନାହିଁ!
ଶ୍ରୀୟା: (ହସିଦେଇ) ସତ?
ପରମ: ହଁ, ତ୍ରିବାର ସତ୍ୟ!!
ମାୟା: (ଭିତରକୁ ଆସି) କଣ ସଇଲା ସଫା ସୁତୁରା?
(ପଛେ ପଛେ ଜୟ)
ପରମ: ତୁ ତ ନିଜେ ଏଠି ଅଳିଆ କରିକି ଚାଲିଗଲୁ | ଆଉ ପଚାରୁଚୁ କଣ?
ଜୟ: କଣ ଝଗଡା ଚାଲିଛି କି?
ମାୟା: (ପରମକୁ) ମୁଁ କିଛି କହିନି |
ପରମ: ତତେ ଦଉଚି ରହ | (ତାପରେ ମାୟାକୁ ଧୀରେ) ବନ୍ଧୁକର ମୁନ ନିଜ ଆଡକୁ ଥିଲେ ତାକୁ ଅନ୍ୟ ଆଡକୁ ବୁଲେଇ ଦେବାକୁ ହୁଏ | ଦେଖ ଏବେ ମୁଁ କଣ କରିବି!
ପରମ: (ଶ୍ରୀୟା ପାଖକୁ ଯାଇ) ଆରେ ତମେ ଏଠି ସେତେବେଳୁ ବସିଛ | ଏଇଟା ତ କେତେବେଳେ ବି ସଫା ହେଇ ପାରିବ | ଯାଇକି ଟିକେ ଷ୍ଟୋର ରୁମର ତାଜା ଦେଖ | ବଡଭାଇ କେତେ ପୁରୁଣା ଜିନିଷ ଗଣ୍ଠିଲି ବାନ୍ଧି ରଖିଛି |
ଶ୍ରୀୟା: ସତେ?
ପରମ: ହଁ ପରା | ଯାଅ | ଯାଅ | ସବୁ ଫୋପାଡ଼ି ଦିଅ |
ଶ୍ରୀୟା: ହଁ ହଁ ମୁଁ ଏବେ ଯାଉଛି |
ଶ୍ରୀୟା ଚାଲିଯାଏ |
ପରମ: (ମାୟାକୁ) ଏବେ କେମିତି ୟାଙ୍କର ଝଗଡା ହବ ଦେଖିବୁ ରହ | ଏମାନେ ସାଙ୍ଗ ହେଇଗଲେ ଗପ ଆଗକୁ ବଢିବ କେମିତି?
ଜୟ: ସେଇଆ!
ମାୟା: ଏବେ କଣ କରିବା?
ପରମ: ଲୋକଙ୍କ ଝଗଡା ଲଗେଇବା ତ ମୋର ସବୁଠୁ ପ୍ରିୟ କାମ! ମୁଁ ଏବେ ଟିକେ ମୋ ଅସଲି ଖେଳ ଦେଖେଇବି | ଚାଲ ସିଆଡେ ଯିବା |
ଜୟ: ମୁଁ ଯାଉଛି ବଜାର | ଆସୁ ଆସୁ ଡେରି ହବ |
(ଜୟ ଚାଲିଯାଏ | ମାୟା, ଆଉ ପରମ ଶ୍ରୀୟା ପଛେ ପଛେ ଷ୍ଟୋର ରୁମ ଆଡକୁ ଯାନ୍ତି)
***
ଦୃଶ୍ୟ ୨
ସ୍ଥାନ: ଘରର ଷ୍ଟୋର ରୁମ, ଶ୍ରୀୟା, ପରମ ଆଉ ମାୟା |
ଶ୍ରୀୟା ତଳେ ସବୁ ପୁରୁଣା ଜିନିଷ ଆଣି ଗଦେଇ ଦେଇଛି | ଗୋଟେ ଗୋଟେ କରି ଜିନିଷ ଦେଖି ତାକୁ ଫୋପାଡିବା ପାଇଁ ଅଲଗା କରୁଛି |
ବଡଭାଇ: (ସେପଟୁ କହି କହି ଆସୁଥାନ୍ତି) ଶ୍ରୀୟା, ମୁଁ କଣ ଶୁଣିଲି ତୁ ଘର ସଫା ଅଭିଯାନ ଚଲେଇଚୁ? ବଢିଆ ବଢିଆ!! ନହେଲେ ଏଇ ଦୁଇ କୋଢିଆ ତ!! ଆରେ… ତୁ ଏଗୁଡା କାଇଁ ଏଠି ପକେଇଛୁ?
ଶ୍ରୀୟା: ଭାଇ, ଆପଣ ଏତେ ଅଳିଆ ଗଦା କରିଛନ୍ତି ଘରେ!
ବଡଭାଇ: ଏଗୁଡା କାଇଁ ଖୋଲିଲୁ?
ପରମ: ଶ୍ରୀୟା, କୁହ | ଏଗୁଡା କାଇଁ ଖୋଲିଲ?
ଶ୍ରୀୟା: ଏଗୁଡା ଆପଣ କାଇଁ ରଖିଛନ୍ତି କହିଲେ? ପୁରୁଣା ଲଣ୍ଠନ, ଡିବିରୀ, ପେନ, ପାନିଆ ବି | ହେ ପ୍ରଭୁ! ମୁଁ ଏଗୁଡା ସବୁ ଫୋପାଡ଼ି ଦଉଚି |
ବଡଭାଇ: ହେଃ ନାଇଁ ମ!! ଏଗୁଡା କେବେ ନା କେବେ କାମରେ ଲାଗିବ | ଜମା ଫୋପାଡ଼େନା |
ଶ୍ରୀୟା: ଏଇ ପୁରୁଣା ଲଣ୍ଠନ ଆଉ ଡିବିରୀ କଣ ହବ ମତେ ଟିକେ କହିଲେ?
ପରମ: ହଁ ଭାଇ କୁହ |
ବଡଭାଇ: ଆରେ… ୯୯ ମସିହା ମହାବାତ୍ୟା ବେଳେ ସାତଦିନ ଅନ୍ଧାର ହେଇଥିଲା | ପାୱାର ନାହିଁ କିଛି ନାହିଁ | ସେତେବେଳେ ଏଗୁଡା କାମରେ ଲାଗିବ କି ନାହିଁ?
ଶ୍ରୀୟା: ସେଇ ବାତ୍ୟାକୁ ଅପେକ୍ଷା କରି ଆପଣ ଏଇ ଅଳିଆ ଗୁଡା ରଖିଥିବେ ନା କଣ? ଆଉ ଏଇ ଭଙ୍ଗା ଫ୍ୟାନ?
ମାୟା: ହଁ ଭାଇ କୁହ | ଏ ଭଙ୍ଗା ଫ୍ୟାନ?
ବଡଭାଇ: ଭଙ୍ଗା କଣ ମ! ଖାଲି ଟିକେ ପୁରୁଣା ନା! ଲଗେଇ ଦେଲେ ଏବେ ବି ଚାଲିବ ଏଇଟା! କିଏ କେତେବେଳେ ଗାଁ ରୁ ଆସିଲେ କି ଆମ ଉପର ଫ୍ୟାନ ଖରାପ ହେଲେ ଏଇଟା ବ୍ୟବହାର କରିହବ |
ପରମ: ହଁ ଠିକ କହିଛ ଭାଇ |
ଶ୍ରୀୟା: (ମୁଣ୍ଡରେ ହାତଦେଇ) ଭଗବାନ! ଆଉ ଏଇ ଭଙ୍ଗା ପାନିଆ?
ବଡଭାଇ: ହେଃ! କେତେ କଥା ପଚାରୁଚୁ | ରଖି ଦେ ସେଇଟା |
ଶ୍ରୀୟା: ଆଉ ଏଇ ଭଙ୍ଗା ଘଣ୍ଟା? ଆଉ ଏଇ… ହେ ଭଗବାନ… ଏଇ ଅଧାଭଙ୍ଗା ସ୍କେଲ!! ଏଗୁଡା କଣ ହବ?
ବଡଭାଇ: ଛାଡେ | ରଖି ଦେ ସେଗୁଡା |
ବଡଭାଇ: ଓହୋ!
ପରମ: ଓହୋ!!
ବଡଭାଇ: କି ଉଦଣ୍ଡି ଝିଅଟେ ତୁ!! କିଛି ଶୁଣୁନୁ ସେତେବେଳୁ |
ପରମ: କିଛି ଶୁଣୁନି!
ଶ୍ରୀୟା: ସତ କଥା କହିଦେଲେ ମୁଁ ଉଦଣ୍ଡି?
ବଡଭାଇ: ଆଉ ନହେଲେ କଣ! ମୁଣ୍ଡ ଖରାପ କରି ସାରିଲୁଣି ସେତେବେଳୁ |
ଶ୍ରୀୟା: ଏତେ ଅଳିଆ ଦେଖି ମୋ ମୁଣ୍ଡ ଖରାପ |
ପରମ: ସତରେ ମୁଣ୍ଡ ଖରାପ!
ବଡଭାଇ: (ପରମକୁ) ଓହୋ! ତୁ ଟିକେ ଚୁପ କଲୁ | ଏଗୁଡା ଫୋପାଡିବାକୁ ଦେବିନି ମୁଁ |
ଶ୍ରୀୟା: ଏବେ ତ ମୁଁ ଏଇ ସବୁ ଜିନିଷ ଫୋପାଡ଼ିବି ମାନେ ନିଶ୍ଚିତ ଫୋପାଡ଼ିବି |
ବଡଭାଇ: ଆଉ ମୁଁ ବି ଦେଖିବି ତୁ କେମିତି ଫୋପାଡିବୁ |
ପରମ: ଶ୍ରୀୟା, ଭାଇ ତମକୁ ଚ୍ୟାଲେଞ୍ଜ କରୁଛନ୍ତି |
ମାୟା: ବଡଭାଇ, ସାନ ଭାଉଜ ତମକୁ ଚ୍ୟାଲେଞ୍ଜ କରୁଛନ୍ତି |
ବଡଭାଇ: ଚ୍ୟାଲେଞ୍ଜ କଣ ମ! ଆଜି ତାର ଦିନେ ମୁଁ ମୋର ଦିନେ |
ଶ୍ରୀୟା: ମୁଁ ଏଠି ବସିଲି |
ବଡଭାଇ: ମୁଁ ବି ଏଠି ବସିଲି |
ପରମ: ତମେ ଦୁହେଁ ତାହେଲେ ଏଠି ବସ | ମୁଁ ଚାଲିଲି |
ମାୟା: ମୁଁ ବି ଆସୁଛି |
ପରମ ଓ ମାୟା ସେଠୁ ଚାଲିଯାନ୍ତି | ଅଳିଆ ପାଖରେ ବସି ରୁହନ୍ତି ଶ୍ରୀୟା ଆଉ ବଡଭାଇ |
***
ଦୃଶ୍ୟ ୩
ସ୍ଥାନ: ପରମର ଶୟନ କକ୍ଷ, ପରମ ଆଉ ଶ୍ରୀୟା ବସିଛନ୍ତି |
ପରମ: ଆରେ, ତୁମେ ଜିନିଷ ଗୁଡା ଫୋପାଡ଼ିଲ କେମିତି?
ଶ୍ରୀୟା: (ହସିକି) ଭାଇ କିଛି ସମୟ ସେଠି ବସି ପୁରା ଢୁଳେଇବାକୁ ଲାଗିଲେ | ମୁଁ ସେତିକିବେଳେ ଧୀରେ ଯାଇ ପ୍ରାୟ ଜିନିଷ ବାଲ୍କୋନିରେ ରଖିଦେଇଛି | ତାପରେ କବାଟ ଦେଇଦେଇଛି | ସେ ଜାଣି ପାରିଲେନି | ଏବେ ସେ ବାହାରକୁ ଗଲେ ମୁଁ ସେଗୁଡା ଫୋପାଡ଼ି ଦେବି |
(ଜୟ ପାଣି ବୋତଲ ନେଇ ଭିତରକୁ ଆସେ )
ପରମ: ଜୟନା, ତୁମେ ଏତେ ବେଳ ଯାଏଁ କଉଠି ଥିଲା? ପୁରା ଅଦୃଶ୍ୟ!
ଜୟ: ଏତେ ଜିନିଷ ବାଲକୋନିରେ ପଡିଥିଲା! ମୁଁ…
ଶ୍ରୀୟା: ତମେ… କଣ କଲ ତମେ?
ଜୟ: ବଡଭାଇ ଖରା ଦେବାକୁ ଜିନିଷ ଗୁଡା ବାଲକୋନିରେ ପକାନ୍ତି | ମୁଁ ଭାବିଲି ସେ ପକେଇଛନ୍ତି… ତ…
ଶ୍ରୀୟା: ତ??
ଜୟ: ମୁଁ ସବୁ ଜିନିଷ ନେଇ…
ଶ୍ରୀୟା: (ଜୋରରେ) ନେଇକି??
ଜୟ: ବନ୍ଧାବାନ୍ଧି କରି ପୁଣି ଉପରେ ଥୋଇ ଦେଲି |
ଶ୍ରୀୟା: କଣ!!! ହେ ଭଗବାନ! ମୋର ଦିନ ଯାକର ପରିଶ୍ରମ…
(ପରମ ହସିଦିଏ)
ଜୟ: ଆଉ ହଁ ସାନଭାଇ, ତମ ଫୋନ ଲାଗୁନଥିଲା ବୋଲି ଲ୍ୟାଣ୍ଡ ଫୋନରେ ବିମଲା ମାଡାମଙ୍କ ଫୋନ ଆସିଥିଲା | କୋଉ କଫି ଦୋକାନକୁ ଡାକୁଥିଲେ | ଏବିସି ନା ବିସିସି |
ପରମ: ସିସିଡ଼ି!!
ଶ୍ରୀୟା ରାଗିକି ପରମକୁ ଦେଖେ |
ପରମ: ଆରେ କ୍ଲାଏଣ୍ଟ ମିଟିଂ ପାଇଁ…!!! ଆରେ ମୋ କଥା ଶୁଣ ଟିକେ!
ଶ୍ରୀୟା: ମୁଁ କିଛି ଶୁଣିବିନି!
ଶ୍ରୀୟା କିଛି ନ ଶୁଣି ରାଗିକି ଖଟ ଉପରୁ ଉଠି ଚାଲିଯାଏ ଆଉ ପରମ ମୁଣ୍ଡରେ ହାତ ଦିଏ |
ପରମ: ହେ ଭଗବାନ!
ଜୟ ରୁମରୁ ବାହାରକୁ ଆସେ ଆଉ ବଡଭାଇଙ୍କୁ ବୁଢା ଆଙ୍ଗୁଠି ଦେଖେଇ ଥମ୍ବସ ଅପ କରେ | ବଡଭାଇ ବି ହସିଦେଇ ତାକୁ ଥମ୍ବସ ଅପ କରନ୍ତି |
ଜୟ: ବଡଭାଇ, ଓଷଧ ଠିକ କାଟୁ କରିଛି |
ବଡଭାଇ: ବାଃ! ଆ ତତେ ବଢିଆ ପାନ ଖୁଏଇବି |
ଦୁହେଁ ସେଠୁ ଚାଲିଯାନ୍ତି |
(ଅଷ୍ଟମ ଭାଗ ସମାପ୍ତ)
ଅଧ୍ୟାୟ ୯- ସ୍ନାନ ଉପାଖ୍ୟାନ
ଆଜିର ଚରିତ୍ର
ବଡଭାଇ: ଘରର ମୁରବୀ ଶଙ୍କର୍ଷଣ ଚୌଧୁରୀ, ବୟସ ୩୬
ରେବତୀ ଚୌଧୁରୀ: ଘରର ବଡବୋହୁ, ବୟସ ୩୩
ସାନଭାଇ: ପରଂବ୍ରହ୍ମ ଚୌଧୁରୀ ଓରଫ ପରମ ବୟସ ୩୧
ଶ୍ରୀୟା ପରିଜା ଚୌଧୁରୀ: ଘରର ସାନବୋହୁ, ଫୁଡ ବ୍ଲଗର, ବୟସ ୨୮
ସାନଭଉଣୀ: ଯୋଗମାୟା ଚୌଧୁରୀ ଓରଫ ମାୟା, ବୟସ ୨୬
ଜୟ: ଘରର ଚାକର ପ୍ଲସ ରୋଷେଇଆ, ବୟସ ୩୪
ସ୍ନାନ_ଉପାଖ୍ୟାନ #ସୁଲଗ୍ନା
ଦୃଶ୍ୟ ୧
ସ୍ଥାନ: ନୀଳାଚଳ ପ୍ରସାଦ, ପରମର ଶୟନ କକ୍ଷ | ପରମ ଆଉ ଶ୍ରୀୟା ବସି କଥା ହଉଛନ୍ତି |
ଶ୍ରୀୟା: ଶୁଣିଲ, ଆଜି ରବିବାର | ଚାଲୁନ ଏଇଠି କୋଉଠି ଟିକେ ବୁଲିକି ଆସିବା |
ପରମ: କୁଆଡେ ଯିବା?
ଶ୍ରୀୟା: କୁଆଡେ ବି! ଯୋଉ ଗରମ ଏବେ ପଡ଼ିଲାଣି ଟିକେ ଦେହମନ ଥଣ୍ଡା ହେଲେ ଭଲ ଲାଗିବ |
ପରମ: ଦେହମନ ଥଣ୍ଡା କରିବ? ତାହେଲେ ଏଇ ଆମ ପାଖ କ୍ଷୀରସାଗର ଝରଣା ଆଡୁ ବୁଲିଦେଇଆସିବା କି?
ଶ୍ରୀୟା: ବାଃ! ଏଇଟା ଗୋଟେ କଥା କହିଲ ତମେ | ଚାଲ ଚାଲ ବାହାର ତାହେଲେ | ମୁଁ ବଡଭାଇ, ମାୟା ଆଉ ଜୟନାଙ୍କୁ କହିଦେଇ ଆସେ |
ପରମ: କଣ ସମସ୍ତେ ଯିବା କି? ମୁଁ ଭାବିଲି ତମେ କହୁଚ ଖାଲି ତମେ ଆଉ ମୁଁ!
ଶ୍ରୀୟା: ଆରେ ସମସ୍ତେ ମିଶିକି ସେଠିକି ଗଲେ ଯୋଉ ମଜା ହବ… ପୁରା ପିକନିକ ଭଳିଆ ଲାଗିବ |ମୁଁ ଯାଏଁ ସମସ୍ତଙ୍କୁ କହିଦିଏ | (ଶ୍ରୀୟା ସେଠୁ ଦଉଡ଼ିକି ବାହାରକୁ ଯାଏ)
ଦୃଶ୍ୟ ୨
ସ୍ଥାନ: ବଡଭାଇଙ୍କ କୋଠରୀ
ବଡଭାଇ: ପିକନିକ ଯିବା? ଏଇ ଖରାଦିନେ?
ଶ୍ରୀୟା: ତ କଣ ହେଲା? ପିକନିକ କଣ ଖାଲି ଶୀତଦିନେ ହବ ବୋଲି ମାନେ ଅଛି?
ବଡଭାଇ: ଆଉ ଖାଇବା ପିଇବା?
ଶ୍ରୀୟା: ସେଇ ପାଖରେ ତ ଏବେ ନୂଆ କୃଷ୍ଣ କଟେଜ ବୋଲି ବଢିଆ ରେସ୍ତୋରାଁ ଖୋଲିଚି | ମୁଁ ଏବେ ଜଷ୍ଟ ଗୁଗୁଲରେ ଦେଖିଲି | ସେଇଠି ଖାଇଦେବା |
ବଡଭାଇ: ମାୟା ଆଉ ଜୟ? ସେମାନେ କଣ କହିଲେ?
ଶ୍ରୀୟା: ସେମାନେ କଣ କହିବେ ଭାଇ? ସେମାନେ ତ ଖୁସିରେ ଡେଉଁଛନ୍ତି |
ବଡଭାଇ: ଆଛା! ହଉ | ତମ ସମସ୍ତଙ୍କର ଯଦି ଇଛା ତାହେଲେ ଚାଲ ଯିବା | ହେଲେ ଶୀଘ୍ର ଫେରି ଆସିବା ବୁଝିଲୁ?
ଶ୍ରୀୟା: ହଁ ହଁ | ନିଶ୍ଚିତ |
ମାୟା (ସେପଟୁ ଦୌଡ଼ି ଆସି): ଭାଉଜ ମୁଁ ରେଡି | ପୁରା ବ୍ୟାଗ ପ୍ୟାକ କରି ପକେଇଚି |
ବଡଭାଇ: ପୁରା ବ୍ୟାଗ? ତୁମ କଣ ସେଇଠି ରହିଯିବୁ ବୋଲି ଭାବିଛୁ ନା କଣ ମ?
ମାୟା: ରହିବିନି ଯେ ହେଲେ ଝରଣାକୁ ଯାଇ କଣ ଟିକେ ଗାଧେଇବାନି?
ବଡଭାଇ: କଣ କହିଲୁ? ଗାଧେଇବୁ? ପକେଇବି ଗୋଟେ ଚାପୁଡ଼ା ଯେ! ଖବରଦାର ଯଦି ପାଣିକୁ ଓହ୍ଲେଇଥିବୁ!
ମାୟା (ମୁହଁ ଆମ୍ବିଳ କରି): ଭାଇଇଇ…
ପରମ (ସେପଟୁ ଆସି): କିଏ ଚାପୁଡ଼ା ଖାଇବ? (ମାୟା ମୁଣ୍ଡରେ ଚାପୁଡ଼ା ମାରି) ଏଇ ହୁଣ୍ଡୀ? ଠିକ ହେଇଚି | ହେଲେ କାଇଁ ଖାଇବ ଚାପୁଡ଼ା?
ଶ୍ରୀୟା: ସିଏ ସେଠି ଝରଣାରେ ଗାଧେଇବେ କହୁଛନ୍ତି |
ପରମ: ଗାଧେଇବ? ପାଗଳ ନା କଣ? କେହି ପାଣିରେ ଓହ୍ଲେଇବନି!
ବଡଭାଇ: ବାସ, ସେଇ କଥା ତ ମୁଁ କହୁଛି | ଯଦି କେହି ପାଣିରେ ଓହ୍ଲେଇଥିବ ତାହେଲେ ତା ଗୋଡ ଛୋଟା କରିଦେବି ମୁଁ |
ମାୟା: ତାହେଲେ କିଏ ଯିବ ସେ ପିକନିକ? ଝରଣାକୁ ଯିବ ଆଉ ସେଠି ନ ଗାଧେଇ ଫେରିବ??
ଶ୍ରୀୟା (ଠାରରେ ମାୟାକୁ, ଧୀର ସ୍ୱରରେ): ଆରେ ତମେ କାଇଁ ଏତେ ବ୍ୟସ୍ତ ହଉଛ? ସେଠିକି ଗଲେ ଆମେ କଣ ଗୋଟେ ଉପାୟ କରିବାନି?
ବଡଭାଇ: କେହି କିଛି ବଦମାସୀ କରିବ ବୋଲି ଭାବନି | ମୁଁ ସମସ୍ତଙ୍କ ଉପରେ ନଜର ରଖିବି |
ଜୟ (ସେପଟୁ ଆସି): ମୁଁ ରେଡି | ଦୁଇ ଦୁଇଟା ଗାମୁଛା ଧରିଛି ମୁଁ ବଡଭାଇ | ସେଠି ପହଂଚୁ ପହଂଚୁ ଥରେ ଗାଧେଇବି, ତାପରେ ଫେରିଲା ବେଳୁ ଆଉଥରେ ଗାଧେଇବି!!
(ଶ୍ରୀୟା ଆଉ ମାୟା ପରସ୍ପରକୁ ଦେଖି ହସନ୍ତି)
ପରମ: ବାସ | ଇଏ ଜଣେ ବାକି ଥିଲେ |
ଜୟ: କାଇଁ? କଣ ହେଲା?
ବଡଭାଇ: ସେଠିକି ଗଲେ କେହି ଜଣେ ବି ପାଣିରେ ଉତୁରିବନି | ଯିଏ ପାଣିରେ ପଶିଲା ତାକୁ ସେଇଠି ଛାଡିକି ଆସିଯିବି |
ପରମ: ଠିକ କଥା |
ଜୟ: ଝରଣା ଯାଇ ସେଠି ପାଣିରେ ଗାଧେଇବନି? ଏ କି କଥା ଯେ?
ବଡଭାଇ: ଆଉ ୟା ଉପରେ ଅଧିକା କଥା ନାହିଁ | ମୁଁ ଥରେ କହିଲି ମାନେ କହିଦେଲି | ଯଦି ମୋ କଥା ମାନିବା ତାହେଲେ ସେଠିକି ଯିବା ନହେଲେ ପିକନିକ ପ୍ଲାନ ବନ୍ଦ |
ପରମ: ତାହେଲେ କଣ କହୁଚ ସମସ୍ତେ?
ଶ୍ରୀୟା (ମୁହଁ ଆମ୍ବିଳ କରି): ହଉ ଯିବା | ପ୍ଲାନ କାଇଁ ବନ୍ଦ ହବ? ଚାଲ ତାହେଲେ ସବୁ ବାହାର |
(ସମସ୍ତେ ସେଠୁ ଚାଲିଯାନ୍ତି | ବଡଭାଇ ପେପର ରଖି ଠିଆ ହୁଅନ୍ତି)
ଦୃଶ୍ୟ ୩
କାରରେ ସମସ୍ତେ ବସିଛନ୍ତି | ପରମ ଗାଡି ଚଲଉଛି | ପାଖରେ ବଡଭାଇ | ମଝିରେ ମାୟା ଆଉ ଶ୍ରୀୟା | ପଛରେ ଜୟ | ପରମ ଛଡା ବାକି ସମସ୍ତେ ନିଜ ନିଜ ଫୋନରେ ବ୍ୟସ୍ତ!
ଶ୍ରୀୟା: ଆରେ, ସମସ୍ତେ ଯଦି ନିଜ ଫୋନ ଧରିବାର ଥିଲା ତାହେଲେ ଆମେ ବାହାରକୁ କାଇଁକି ଆସିଲେ? ଘରେ ତ ଫୋନ ଧରି ବସିଥାନ୍ତେ |
ବଡଭାଇ: ଠିକ କହିଚୁ | ମୁଁ ରଖି ଦଉଚି |
ମାୟା: ରୁହ | ଗୋଟେ ମିନିଟ | ଗୋଟେ ମେସେଜର ରିପ୍ଲାଇ ଦେଇକି ରଖୁଛି ଫୋନ |
ଜୟ: ରୁହ | ମୁଁ ଗୋଟେ ଟିକଟକ୍ ଭିଡିଓ କରିକି ରଖି ଦଉଚି |
ବଡଭାଇ: ନାଇଁ | ସମସ୍ତେ ଏଇ ସାଙ୍ଗେ ସାଙ୍ଗେ ଫୋନ ରଖ |
ମାୟା: ହଉ | ରଖିଦେଲି | ଏବେ କଣ କରିବା?
ଜୟ: ଚାଲ, କଣ ଗୋଟେ ଖେଳିବା!!
ଶ୍ରୀୟା: କଣ ଖେଳିବା?
ଜୟ: ଚାଲୁନ ପଦ୍ୟାନ୍ତ ଖେଳିବା |
ମାୟା: ପଦ୍ୟାନ୍ତ? ସେଇଟା କଣ?
ପରମ: ପଦ୍ୟାନ୍ତ ମାନେ ହେଲା ଅଂତାକ୍ଷରୀ |
ମାୟା: ଓହୋ! ହଁ ବଢିଆ | ଚାଲ ଖେଳିବା |
ବଡଭାଇ: ହେଲେ ଖାଲି ଓଡ଼ିଆ ଗୀତ!
ମାୟା: କଣ? ଖାଲି ଓଡ଼ିଆ ଗୀତ? ତାହେଲେ ଥାଉ |
ଶ୍ରୀୟା: କାଇଁକି ଥାଉ ମ? ଚାଲ ଚେଷ୍ଟା କରିବା |
ମାୟା: ଭାଉଜ, ମତେ ବେଶୀ ଓଡ଼ିଆ ଗୀତ ଆସେନି |
ଶ୍ରୀୟା: ହଉ ଆମେ ଚେଷ୍ଟା କରିବା | କାଇଁ ବ୍ୟସ୍ତ ହଉଛ?
ଜୟ: ହଉ ତାହେଲେ କିଏ କାହା ପାର୍ଟି?
ପରମ: ବଡଭାଇ ଆଉ ଜୟନା ଗୋଟେ ପଟ ଆଉ ଶ୍ରୀୟା ଆଉ ମାୟା ଗୋଟେ ପଟ |
ବଡଭାଇ: ଆଉ ତୁ?
ପରମ: ଯାହାକୁ ଯୋଉଠି ଗୀତ ଆସିବନି ସେତେବେଳେ ମୁଁ ସାହାଯ୍ୟ କରିବି |
ବଡଭାଇ: ହଉ ଠିକ ଅଛି | କିଏ ଆରମ୍ଭ କରିବା ତାହେଲେ?
ଜୟ: ମୁଁ କରୁଛି | ଲାରେ ଲାପା ଲାରେ ଲାପା ଡାକେ ଡାକେ ଠେକୁଆ | ଠେକୁଆର ବଡଭାଇ ବଡ଼ ଭକୁଆ | ଆ… ଆ ରେ!!
ଶ୍ରୀୟା: ଆ ରେ… ଆ ରେ… ହଁ.. ଆଜି କାଲି କାଇଁ ଭଲ ଲାଗେ ସବୁ ଦିନ ସବୁ ରାତି | ମତେ ମିଳିଗଲା ମୋ ଜୀବନ ସାଥି | ହୋ ହୋ…. ମତେ ମିଳିଗଲା ମୋ ଜୀବନ ସାଥି |
ଶ୍ରୀୟା ଗୀତ ଗାଇଗାଇ ଗାଡିର ସାମ୍ନା ଦର୍ପଣ ଦେଇ ପରମ ଆଡକୁ ଚାହେଁ | ପରମ ଦର୍ପଣରେ ତାକୁ ଦେଖି ହସିକି ଆଖି ମାରିଦିଏ | ଶ୍ରୀୟା ହସିଦିଏ |
ଶ୍ରୀୟା: ଜୀବନ ସାଥି… ଥ.. ଥ ରେ… ଥରେ ଗାଅ |
ବଡଭାଇ: ଥିରି ଥିରି କରି ଖେଳୁଥା ଦୋଳି ଲୋ ବଉଳ ମାଳି | ଦୋଳି ଯିବ ଦିନେ ଗଛରୁ ଛିଡି ଲୋ ବଉଳ ମାଳି | ଳରେ….
ମାୟା: ଳ ହବନି | ଲ ରେ… ଲ ରେ |
ବଡଭାଇ: ହଉ ହଉ ଲ ରେ |
ମାୟା: ଭାଉଜ ଗାଅ |
ଶ୍ରୀୟା: ସବୁ ମୁଁ ଗାଇବି? ତମେ ବି ଗାଅ |
ମାୟା: ମୋର ଏବେ ମନେ ପଡୁନି | ତମେ ଏଥର ଗାଇଦିଅ |
ଶ୍ରୀୟା: ହଉ.. ଲ ରେ… ଲ ରେ… ଲେ ଲେଇଜା ଲଚକମଣି ଲବଙ୍ଗ ଦିଆ ପାନ | ପାନରେ ଅଛି ଗୁଆ ବଦଳେ ସୁନ୍ଦରୀ ମୋର ମନ | ଆଲୋ ମୋ ଲାଲପାନ ବିବି, ଆଲୋ ମୋ ଶ୍ରୀଦେବୀ | ତତେ ମୁଁ ଉଠେଇ ନେବି.. ବି… ବ ରେ ବ ରେ……..
(ସେମାନଙ୍କ ଅଂତାକ୍ଷରୀ ଏମିତି ଚାଲିଥାଏ ଆଉ ସେମାନେ ପହଂଚି ଯାଆନ୍ତି କ୍ଷୀରସାଗର ଝରଣା ପାଖରେ |
ଦୃଶ୍ୟ ୪
ସ୍ଥାନ: ଝରଣା କୂଳ, ସମସ୍ତେ ସେଇଠି ଏକା ସାଙ୍ଗରେ ଠିଆ ହେଇଥାଆନ୍ତି |
ମାୟା: ଭାଉଜ ଦେଖିଲା କେତେ ସୁନ୍ଦର ହେଇଚି ଏଇ ଝରଣା |
ଶ୍ରୀୟା: ହଁ ପରା | ଖରାଦିନରେ ବି କେତେ ପାଣି |
ମାୟା: ପାଣିରେ ପୁରା ବୁଡ ମାରିବାକୁ ଇଛା ହଉଚି |
ପରମ: ହଉ ଖାଲି ଇଛା କରେ | ସତକୁ ସତ ବୁଡ଼ ମାରେନି
ଜୟ: (ଧୀର ସ୍ୱରରେ) ବଡଭାଇ ତ କେମିତିକା ଆମେ ଜାଣିଚୁ | ହେଲେ ଏଇ ସାନଭାଇ କାଇଁ ଏମିତି ହଉଛନ୍ତି?
ଶ୍ରୀୟା (ଚିଡିଯାଇ): କେଜାଣି! ମୁଣ୍ଡ ଖରାପ ହେଇ ଗଲାଣି ତାଙ୍କର ବି |
ବଡଭାଇ: ତାଙ୍କର ବି ମାନେ? ଆଉ କାହାର ମୁଣ୍ଡ ଖରାପ?
ଶ୍ରୀୟା: ନାଇଁ.. କାହାର ନାଇଁ!
ପରମ: ହଉ ବୁଲାବୁଲି ସାରିଲେ ଆମେ ସେଇ ସାଇଡବାଲା ରେସ୍ତୋରାଁକୁ ଯାଇ ଖାଇବା… ହେଲା?
ମାୟା: ହଉ |
ବଡଭାଇ ଆଉ ପରମ ସେପଟେ ବୁଲୁଥାନ୍ତି | ଏପଟେ ମାୟା, ଶ୍ରୀୟା ଆଉ ଜୟ |
ମାୟା: ଭାଉଜ, କଣ କିଛି ପ୍ଲାନ ହେଲାନି ଯେ?
ଶ୍ରୀୟା: ଆରେ, ଏଇ ଦୁଇ ଭାଇ ତ ପାଗଳ କରିଦେବେ | ଏମିତି କଣ ହଉଛନ୍ତି କେଜାଣି!
ମାୟା: ମୁଁ କିନ୍ତୁ ଗାଧେଇବି ଭାଉଜ | ଯାହା ହେଲେ ହେଇଯାଉ |
ଶ୍ରୀୟା: ତାହେଲେ କଣ କରିବ?
ମାୟା: ମୁଁ ଯାଉଛି ପାଣିରେ ପଶିଯିବି | ଆଉ କହିବି ଗୋଡ ଟିକେ ଖସିଗଲା ଆଉ | ଥରେ ପାଣିରେ ପଡିଗଲେ ତ ଭିଜିଗଲି ନା!
ଶ୍ରୀୟା:ଏଠି ବେଶୀ ପାଣି ନାହିଁ ତ?
ମାୟା: ନାଇଁ ମ! ଫୁଟେ ପାଣି ଅଛି | ଏଇଠି କଣ ହବ? ଆଉ ଏମିତିରେ ମତେ ବଢିଆ ପହଁରା ଆସେ ଯେ!!
ଶ୍ରୀୟା: ଆଛା? ହଉ ତାହେଲେ!
ମାୟା: ତା’ପରେ ମୁଁ କହିବି ଭିଜି ତ ଗଲିଣି ଆଉ ଟିକେ ଗାଧେଇ ପଡିଲେ କ୍ଷତି କଣ?
ଜୟ: ଏକଦମ!! ତୁମେ ଚାଲ ଆଗ | ତାପରେ ମୁଁ ବି ଡେଇଁବି |
ମାୟା: ହଉ!! ସେମାନେ ସେପଟେ ଅଛନ୍ତି | ମୁଁ ଏଇଠି ପାଣିକୁ ପଶିଲି | ହେଲା?
ଶ୍ରୀୟା: ଠିକ ଅଛି!!
(ମାୟା ପାଣି ଭିତରେ ପଶିଯାଏ ଆଉ ଭିତରେ ଚକାମାଡି ବସିପଡ଼େ)
ଶ୍ରୀୟା (ଜୋରରେ): ଆରେ ଦେଖିଲ… ମାୟା ପାଣି ଭିତରେ!!
ସେପଟୁ ଦୌଡ଼ି ଆସିଲେ ବଡଭାଇ ଆଉ ପରମ | ମାୟାକୁ ପାଣି ଭିତରେ ଦେଖି ପାଣିକୁ ଡିଆଁ ମାରିଲେ |
ଶ୍ରୀୟା: ଆରେ ଆରେ ଦେଖିକି!!
ପରମ (ମାୟାକୁ): ତୁ ପାଣି ଭିତରେ କେମିତି ପଡ଼ିଲୁ!
ମାୟା: ସେ କିଛି ନୁହେଁ | ଏମିତି ଟିକେ ଗୋଡ଼ ଖସିଗଲା ଆଉ!
ବଡଭାଇ: ଭାରି ବଦମାସ ତୁ!!
ମାୟା: ହଉ ଭିଜି ତ ଗଲିଣି | ଏବେ ଗାଧେଇ ପଡୁଛି ହେଲା?
ପରମ: ପାଣି ଥଣ୍ଡା ଅଛି ଯେ!! ହେଲେ ବଢିଆ ଲାଗୁଚି.. ନୁହେଁ?
ମାୟା: (ଶ୍ରୀୟାକୁ ଚାହିଁ ହସି) ଆଉ ନହେଲେ କି ମଜା ଲାଗୁଚି କହିଲ?
ପରମ (ବଡଭାଇଙ୍କୁ ଚାହିଁ): ଭାଇ ପାଣିଟା ବଢିଆ ଲାଗୁନି?
ବଡଭାଇ: ହଁରେ କାଳୁ! ପୁରା ଗାଁ ନଇ କଥା ମନେ ପଡିଯାଉଛି!
ପରମ: ତାହେଲେ କଣ କହୁଚ? ଟିକେ ଗାଧେଇ ପଡିବା କି?
ଜୟ: ଗାଧେଇବ ଆଉ କଣ ବା? ପୁରା ତ ଗାଧେଇ ସାରିଲଣି ଆଉ ଏତେ ପେଖନା କାଇଁକି?
ଶ୍ରୀୟା: ହଉ ତମେ ତାହେଲେ କାଇଁ ଆଉ ରହିଲ? ଡିଆଁଟେ ମାର ପାଣି ଭିତରକୁ ଜୟନା!
ମାୟା: ଆଉ ତମେ ଭାଉଜ?
ଶ୍ରୀୟା: ମୁଁ ଭିତରେ ପଶିଲେ ପୁଣି ତମ ମାନଙ୍କୁ ଶୁଖିଲା ଲୁଗା ଦବ କିଏ? ତମେ ସବୁ ଗାଧାଅ | ମୁଁ ଏଠି ବସୁଛି |
ବଡଭାଇ: କାଳୁ, ଚାଲେ ସେଇ ଝରଣା ତଳକୁ ଯିବା | ଆଉରି ମଜା ଲାଗିବ!
ପରମ: ଯିବା? ହଉ ଚାଲୁନ!
ଶ୍ରୀୟା: ଭାଇ ସେଇଠି ପାଣି ପୁରା ମୁଣ୍ଡରେ ଢ଼ୁଢ଼ୁ ହେଇ ପଡିବ | ଜର ହେଇଯିବ!
ବଡଭାଇ: କିଛି ହବନି ଦେଖିବୁ!
ପରମ: (ଶ୍ରୀୟାକୁ ଚାହିଁ) ତମେ କଣ ଆମକୁ ଏତେ କଅଁଳିଆ ଭାବିଲ ନା କଣ?
ବଡଭାଇ: ହଉ ଆସେ | ଯିବା ସେପଟେ | ଜୟ ଆସେ |
ଜୟ: ଇଏ ବୋପାମା! ସେ ଝରଣା ତଳକୁ ମୁଁ ଯିବିନି | ଏଇଠି ଗାଧେଇକି ବାହାରିବି ମୁଁ | ତମେ ସବୁ ଯାଅ |
(ବଡଭାଇ, ପରମ ଆଉ ମାୟା ଝରଣା ତଳକୁ ଯାଆନ୍ତି)
ଶ୍ରୀୟା: ଜୟନା, ଏମାନେ ସବୁ ପାଣିରେ ପଶିବେନି କହୁଥିଲେ ଆଉ ଇଏ ପୁଣି ତାଙ୍କର କି ରୂପ?
ଜୟ: କାଇଁ ଆଉ ପଚାରୁଚ ସାନ ଭାଉଜ! ଏମାନଙ୍କର କ୍ଷଣିକେ ଗୋଟେ ରୂପ! ୟାଙ୍କୁ କଣ କେବେ ଚିହ୍ନି ହବ?
ଶ୍ରୀୟା ହସେ |
ଦୃଶ୍ୟ ୫
ସ୍ଥାନ: ଝରଣା କୁଳ, ଜୟ ଆଉ ଶ୍ରୀୟା
ଜୟ: ଭାଉଜ, ଚାରିଘଣ୍ଟା ହେଇଗଲା | ଏଇ ଭାଇ ଭଉଣୀଙ୍କ ଝରଣା ତଳେ ଗାଧୁଆ ସରିଲାନି ଯେ?
ଶ୍ରୀୟା: କୁହନି କୁହନି! ଏତେ ଥର ହାତଠାରି ଡାକିଲିଣି | ହେଲେ ସେମାନେ ମୋ କଥା ଶୁଣିଲେ ତ!!
ଜୟ: ଆଜି କି ଯେ ଅବସ୍ଥା ହବ ମୁଁ ଆଉ ଭାବି ବି ପାରୁନି!!
ଶ୍ରୀୟା: ହେଇ ସେମାନେ ଏବେ ଫେରୁଛନ୍ତି ବୋଧେ! ଖାଇବା ବି ଏବେ ଆଉ ମିଳିବ କି ନାଇଁ ସନ୍ଦେହ!!
ଦୃଶ୍ୟ ୬
ସ୍ଥାନ: ନୀଳାଚଳ ପ୍ୟାଲେସ
ବଡଭାଇ: (କମ୍ବଳ ଘୋଡେଇ) ଓଃ! ସେ ପାଣିରେ କି ମଜା ଲାଗୁଥିଲା କହିଲୁ? ଆଃଛୁଛୁଛୁଛୁ….
ପରମ: (ଚାଦର ଘୋଡେଇ) ଓଃ! ସେ ଯୋଉ ଗାଧେଇବାରେ ମଜା…. ଆଃଛୁଛୁଛୁଛୁ….
ମାୟା: (ରେଜେଇ ଘୋଡେଇ) ଓଃ! ଏମିତି ଗାଧୁଆ ଜୀବନରେ କେବେ ଭୁଲି ହବନି!! ଆଃଛୁଛୁଛୁଛୁ….
ଜୟ ପାଖରେ ବସି ଗାଲରେ ହାତଦେଇ ସେମାନଙ୍କ କଥା ଶୁଣୁଥାଏ |
ଶ୍ରୀୟା ବାହାରୁ ଆସେ |
ଜୟ: ଭାଉଜ, ଡାକ୍ତର ବାବୁ ଗଲେ?
ଶ୍ରୀୟା: ହଁ…
ସେତିକିବେଳେ ରେବତୀଙ୍କ ଫୋନ ଆସେ ଶ୍ରୀୟାକୁ |
ଶ୍ରୀୟା: ହେଲୋ ଅପା! ପ୍ରଣାମ! ହଁ ପରା! ଏଇ ତିନି ଜଣଙ୍କୁ ପ୍ରବଳ ଥଣ୍ଡା ଆଉ ଜର | ଡାକ୍ତର କହିଲେ ଚଉଦ ଦିନ ପାଇଁ ଏବେ ଏମାନଙ୍କୁ ବାହାରକୁ ନ ଛାଡିବା ପାଇଁ | ନହେଲେ ୟାଙ୍କ ଦେହ ତ ଠିକ ହବନି ପୁଣି ଅନ୍ୟ ଲୋକଙ୍କୁ ଥଣ୍ଡା ଡେଇଁବ ! ଡାକ୍ତର କହିଲେ ଆଗକୁ ଥଣ୍ଡା, ଜର, କାଶ କି ଛିଙ୍କ ହେଲା ମାନେ ପ୍ରଥମେ ନିଜକୁ ଅନ୍ୟମାନଙ୍କଠୁ ଦୂରେଇ ରଖିବେ | ସେଥିରେ ସମସ୍ତଙ୍କର ମଙ୍ଗଳ | ବସନ୍ତୁ ଏବେ ଘରେ! ଠିକ ବୁଦ୍ଧି ପଶିବ | ହଉ… ପୁଣି କଲ କରିବ | ବାଏ |
ଶ୍ରୀୟା: (ଦୁଷ୍ଟାମୀର ହସ ହସି, ଜୟକୁ) ଜୟନା, ସେ ଯୋଉ ଫ୍ରିଜରେ ଆଇସକ୍ରିମ ଅଛି ଟିକେ ଖାଇବା କି?
ଜୟ: ହଁ ହଁ.. ଏଇନେ ନେଇକି ଆସୁଛି |
ପରମ: ମତେ ଟିକେ ଦବ?
ମାୟା: ମତେ ବି!
ବଡଭାଇ: ଆଉ ମତେ?
ଶ୍ରୀୟା (ବାହାରକୁ ବାହାରି ଯାଉଯାଉ): ଜୟନା, ପାଣିକୁ ଓହ୍ଲେଇଲେ କଣ କରିବେ ବୋଲି କହୁଥିଲେ?
ଜୟ: ଗୋଡ ଛୋଟା କରିଦେଇଥାନ୍ତେ ପୁଣି!!
ଶ୍ରୀୟା: ଆଉ?
ଜୟ: ଆଉ ଦୁଇ ଚାପୁଡ଼ା କାଳେ ଲଗେଇଥାନ୍ତେ!
ଶ୍ରୀୟା: ଆଉ କଣ ଗୋଟେ ବି କହୁଥିଲେ?
ଜୟ: ହଁ, ଏମାନେ କୁଆଡେ କଅଁଳିଆ ନୁହନ୍ତି!
ଶ୍ରୀୟା: ହଉ, ଆସ, ଆମେ ସେଇପଟେ ଆଇସକ୍ରିମ ଖାଇବା | ଏଇ ରୁମରେ ରହିଲେ ଥଣ୍ଡା ଡେଇଁବ |
ଶ୍ରୀୟା ସେଇ ରୁମରୁ ହସିହସି ବାହାରକୁ ଚାଲିଯାଏ | ପଛେ ପଛେ ଜୟ | ବଡଭାଇ, ମାୟା ଆଉ ପରମ ପରସ୍ପରକୁ ଚାହିଁ ଚୁପଚାପ ସେଇଠି ବସିରୁହନ୍ତି | ତାପରେ ଏକ ସାଙ୍ଗରେ ସମସ୍ତଙ୍କୁ ଜୋରରେ ଛିଙ୍କ ଆସେ ଆଉ ତିନିଜଣ ଯାକ ଛିଙ୍କନ୍ତି ଆଃଛୁଛୁଛୁଛୁ… |
(ନବମ ଭାଗ ସମାପ୍ତ)
ଅଧ୍ୟାୟ ୧୦- ଜର ଘର ଉପାଖ୍ୟାନ
ଆଜିର ଚରିତ୍ର
ବଡଭାଇ: ଘରର ମୁରବୀ ଶଙ୍କର୍ଷଣ ଚୌଧୁରୀ, ବୟସ ୩୬
ରେବତୀ ଚୌଧୁରୀ: ଘରର ବଡବୋହୁ, ବୟସ ୩୩
ସାନଭାଇ: ପରଂବ୍ରହ୍ମ ଚୌଧୁରୀ ଓରଫ ପରମ ବୟସ ୩୧
ଶ୍ରୀୟା ପରିଜା ଚୌଧୁରୀ: ଘରର ସାନବୋହୁ, ଫୁଡ ବ୍ଲଗର, ବୟସ ୨୮
ସାନଭଉଣୀ: ଯୋଗମାୟା ଚୌଧୁରୀ ଓରଫ ମାୟା, ବୟସ ୨୬
ଜୟ: ଘରର ଚାକର ପ୍ଲସ ରୋଷେଇଆ, ବୟସ ୩୪
ଦୃଶ୍ୟ ୧
ସ୍ଥାନ: ନୀଳାଚଳ ନିବାସ, ବଡଭାଇଙ୍କ କୋଠରୀ, ଗୋଟିଏ ଗୋଟିଏ ଚାଦର ଘୋଡ଼ି ବସିଛନ୍ତି ଜରରେ ପଡିଥିବା ତିନି ଭାଇ ଭଉଣୀ, ମାୟା, ପରମ ଆଉ ବଡଭାଇ |
ମାୟା: ଭାଇ, ବହୁତ ବୋର ଲାଗିଲାଣି | କେତେ ଆଉ ଫିଲ୍ମ ଦେଖିବି?
ବଡଭାଇ: ହଁ, ଭାରି ବିରକ୍ତ ଲାଗିଲାଣି |
ମାୟା: ଭାଉଜ କହିଲେ ଡାକ୍ତର କୁଆଡେ କହିଛନ୍ତି ଏଇ ରୁମରୁ ଜମା ବାହାରକୁ ନ ବାହାରିବାକୁ |
ବଡଭାଇ: ମୋ ରୁମ ତ ଜରଘର ହେଇଗଲାଣି |
ପରମ: ଗୋଟେ ଆଡୁ ଭଲ ଯେ! କିଛି କାମ କରିବାକୁ ପଡୁନି |
ବଡଭାଇ: ତୁ ତ ଅଳସୁଆଟେ | ତତେ ଭାରି ଭଲ ଲାଗୁଥିବ | ଖାଲି ଖାଉଚୁ ଆଉ ଶୋଉଚୁ |
ପରମ: ଭାଇ, ଜାଣିଛ! ଦୁନିଆର ସବୁଠୁ ବଡ କାମ ହେଲା ଆରାମ କରିବା | ହେଲେ ଲୋକେ ଭାବନ୍ତି ସବୁବେଳେ ଖାଲି କାମ କରିବା ଭଲ | କାମ କର କିଛି କଥା ନାହିଁ ହେଲେ କାମ କରିକରି ଆରାମ କରିବା ଭୁଲିଯିବା ହେଲା ସବୁଠୁ ଖରାପ କଥା!
ମାୟା: ଠିକ କହିଛ ଭାଇ | ମୁଁ ଏଇ କିଛିଦିନ ତଳେ ପେପରରେ ପଢ଼ୁଥିଲି ଯେ ଯଦି ଆମେ ଦରକାରରୁ ଅଧିକା କାମ କରୁ ତାହେଲେ ଆପେ ଆପେ ଆମ ଦେହ ଆରାମ ଖୋଜେ ଆଉ ଆମକୁ ଜର ହେଇଯାଏ | ଯୋଉଥିପାଇଁ ଆମକୁ ବାଧ୍ୟ ହେଇ ଆରାମ କରିବାକୁ ପଡିବ |
ବଡଭାଇ: ଆଉ ଆମକୁ ଏଇ ଜର କାହିଁକି ହେଲା?
ପରମ: କାରଣ ଆମେ ଦରକାରରୁ ଅଧିକା ଗାଧେଇ ଦେଲେ!
ମାୟା: ହାହା!! ହଁ ଠିକ | ହେଲେ କି ମଜା ହେଲା କହିଲ!
ବଡଭାଇ: ହଁ, ଦେହ ଭଲ ହେଲାପରେ ଆଉ ଥରେ ସେପଟୁ ବୁଲିଦେଇ ଆସିବା କି?
ମାୟା: ଭାଉଜ ଆଉ ଆମକୁ ରଖିବେ? ଏମିତିରେ ଆମ ସେବା କରିକରି ସିଏ ଥେଇୟା!
ପରମ: ଉପରୁ ଜୟନାକୁ ଏବେ ଗାଁରୁ ଡାକରା ଆସିବାର ଥିଲା |
ମାୟା: ହଁ… ଆମକୁ ଫଳ ଦେଇଦେଇ ଆଉ ଏକୁଟିଆ ସୁପ୍, ସନ୍ତୁଳା କରିକରି ଭାଉଜଙ୍କ ଅବସ୍ଥା ଖରାପ!
ବଡଭାଇ: ସେ ସନ୍ତୁଳାର ଭିଡିଓ କରି ୟୁଟ୍ୟୁବରେ ଛାଡ଼ିଲାଣି ନା ନାହିଁ?
ପରମ: ରକ୍ଷା, ଆମେ ଏଇ ରୁମ ଭିତରେ ବସିଛୁ | ନହେଲେ ଆମକୁ ସେ ଭିଡିଓ ପାଇଁ ନାକେଦମ କରେଇ ଦେଇଥାନ୍ତା!
ମାୟା: ଠିକ କହିଛ ଭାଇ! ସେ ପିଆଜି ଭିଡିଓ କଥା ମନେ ପଡିଲେ ଆଜି ବି ଝାଳ ବାହାରିଯାଏ ମୋର |
ପରମ: ତୋର ତ କିଛି ହେଇ ନଥିଲା! ମୁଁ ଯୋଉ ଟେବୁଲରୁ ତଳେ ପଡ଼ିଥିଲି.. ଓହୋ.. (ଅଂଟାକୁ ଧରେ) ସେ ବଥା ମୋର ଏବେ ଯାଏଁ ଯାଇନି |
(ସେପଟୁ ଶ୍ରୀୟା ଖାଇବା ନେଇ ଆସେ )
ପରମ: (ଧୀର ସ୍ୱରରେ ) ହେଇଟି ମାତେ ଆସିଲେଣି | ସବୁ ଚୁପ ରୁହ |
ସମସ୍ତେ ଚୁପ ହେଇଯାଆନ୍ତି |
***
ଦୃଶ୍ୟ ୨
ସ୍ଥାନ: ବଡଭାଇଙ୍କ କୋଠରୀ, ତିନି ଭାଇ ଭଉଣୀ ପାଖାପାଖି ଗଡିଛନ୍ତି |
ମାୟା: (ଉଠିପଡି) ଶୋଇଶୋଇ ଭାରି ବୋର ଲାଗିଲାଣି | କୁହ କଣ କରିବା?
ବଡଭାଇ: ପଦ୍ୟାନ୍ତ କରିବା?
ମାୟା: ନାଇ ନାଇ ଥାଉ | ମତେ ଆସିବନି ତମର ସେ ଓଡ଼ିଆ ଗୀତ!
ବଡଭାଇ: (ଉଠିପଡି) କଣ କହିଲୁ? ମୋର ଓଡ଼ିଆ ଗୀତ? ଆଉ ତୁ କଣ ଆମେରିକାରୁ ଖସିଛୁ?
ପରମ: (ଉଠିପଡି) ଏଇ ଝିଅଗୁଡା ଆଜିକାଲି ଅତି ଫୁଲେଇ ହେଲେଣି ଭାଇ! ଓଡ଼ିଆ ହେଇଥିବେ ହେଲେ ହେଲେ ଖାଲି ହିନ୍ଦୀ ଆଉ ଇଂରାଜୀ ଚୋବଉଥିବେ |
ବଡଭାଇ: ସେଇଥିରେ ପୁଣି ହଜାରେ ଭୁଲ ଥିବ!
ପରମ: ହାହା… ଠିକ କହିଲ!!
ମାୟା: ହେଃ! ମୁଁ ସେମିତି ନୁହେଁ | ମତେ କାଇଁ ତମେ ଦୁହେଁ ଏମିତି ଥଟ୍ଟା କରୁଛ?
ପରମ: ତୁ ନୁହଁ ହେଲେ ତୋର ସେ ଯୋଉ ପୁଳେ ସାଙ୍ଗ ରଖିଛୁ ସେମାନେ ତ ପୁରା ଏମିତି!
ମାୟା: ଧେତ!
ପରମ: ଧେତ କଣ? ଭାଇ ଜାଣିଛ… ଏଇ ଆମ ମାୟାର ସାଙ୍ଗ ସୋନମ, ମୋର ଗୋଟେ ଅଫିସ କଲିଗକୁ ବାହା ହବାକୁ ମନା କରିଦେଲା ସେ ଓଡ଼ିଆ ମିଡ଼ିଅମ ପିଲା ବୋଲି!
ବଡଭାଇ: କଣ?
ପରମ: ହଁ ପରା! ପଚାରିନ ମାୟାକୁ | ସେ ନିଶ୍ଚେ ଜାଣିଥିବ! ମାୟା ସତ କହିଲୁ! ସୋନମ ସେ ବିକାଶ ମିଶ୍ରକୁ ମନା କରିଦେଲାନି?
ମାୟା: (ମୁହଁ ଶୁଖେଇ) ହଁ, ସତ କଥା! ହେଲେ ବିଶ୍ୱାସ କର ମୁଁ ତାକୁ କହିଥିଲି ସେ ପିଲାକୁ ମନା ନ କରିବାକୁ | ଏଇ ଭଲ ପିଲା | ପୁଣି ଦୁହିଁଙ୍କ ଘରଲୋକ ବି ପସନ୍ଦ କରିଥିଲେ ପୁଅଝିଅଙ୍କୁ | ହେଲେ ସେ ପୁଅ ଓଡ଼ିଆ ମିଡ଼ିଅମ ପିଲା ବୋଲି ସୋନମ ମନା କରିଦେଲା |
ବଡଭାଇ: ଏ କି କଥା! ତା’ମାନେ କଣ ଓଡ଼ିଆ ମିଡ଼ିଅମ ପିଲା ବାହା ହେବେନି?
ପରମ: ସେଇଆ! ଆଉ ଝିଅ ଇଂଲିଶ ମିଡ଼ିଅମରେ ପଢିଲେ ଓଡ଼ିଆ ମିଡ଼ିଅମ କୁ ବାହା ହବନି ଏଇଟା କୋଉଠି ଲେଖା ହେଇଚି?
ମାୟା: ମୋର ଅଧେ ସାଙ୍ଗ ସେଇଆ ସାନଭାଇ | ହେଲେ ଏଥିପାଇଁ ତୁ ମତେ ଖୁଣ୍ଟା ଦେ ନା!
ବଡଭାଇ: କି କାଳ ଆସିଲାରେ ଭାଇ! ଆରେ ପରମ, ମୁଁ ଆଜିକା ଦିନରେ ବାହା ହେଇଥିଲେ ତ ମତେ ଝିଅ ମିଳିନଥାନ୍ତା! ତୋ ଭାଉଜ କନଭେନ୍ଟ ସ୍କୁଲରେ ପଢି ଇଂଲିଶ ଡିବେଟରେ ନ୍ୟାସନାଲ ଲେବେଲରେ ଫାଷ୍ଟ ହେଇ ବି ତ ମୋ ଭଳି ଓଡ଼ିଆ ମିଡ଼ିଅମ ପୁଅକୁ ବାହା ହେଲା!
ପରମ: ଭାଇ, ସେଇ ଯୁଗ ବୋଧେ ଚାଲିଗଲାଣି | ଏଣିକି ଝିଅଙ୍କର ହଜାରେ ପେଖନା!
ବଡଭାଇ: ଇସସସ! ଆମ ମାୟାର ବି କିଛି ପେଖନା ଅଛି କି? ତା’ ପାଇଁ ବି ତ ଏଣିକି ଦେଖିବାକୁ ପଡିବ |
ପରମ: ମୁଁ ତ ତାକୁ କହୁଛି ଯଦି ନିଜେ କଉଠି ଠିକ କରିଛୁ ତାହେଲେ ଆମକୁ କହିଦେ | ନହେଲେ ଆମେ ଦେଖିବୁ |
ମାୟା: ଆରେ… ତୀରଟା ବୁଲି ବୁଲି ମୋ ଆଡକୁ କାଇଁକି ଆସିଲା? ମୋ ବାହାଘର କଥା କାଇଁକି ପଡିଛି ଏବେ?
ବଡଭାଇ: ଆରେ ଏବେ ପଡ଼ିବନି ତ କେବେ ପଡିବ?
ମାୟା: ସେଥିପାଇଁ ବହୁତ ସମୟ ଅଛି |
ପରମ: ସମୟ ଦେଖୁ ଦେଖୁ ଚାଲିଯିବ | ସେଥିଲାଗି ଯଦି ନିଜେ ଦେଖୁଚୁ ଦେଖେ ନହେଲେ ବଡଭାଇ ତୋ ପାଇଁ କେମ୍ପା କଣା କୁଜା ଦେଖିବା ଆରମ୍ଭ କରିବେ |
ମାୟା: ବଡଭାଇ ଦେଖ, ସାନଭାଇ କେମିତି କହୁଛି!
ବଡଭାଇ: କାଳୁ, କାଇଁ ଏମିତି କହୁଚୁ ତାକୁ?
ପରମ: ହଉ ହଉ | ଆଉ କହିବିନି | ଆଚ୍ଛା, ଟିକେ ଭେଜ ସୁପ ମଗାଅ ଶ୍ରୀୟା ପରିଜା ରେସ୍ତୋରାଁରୁ | ମୁଁ ଟିକେ ବାଥରୁମରୁ ଆସୁଛି |
(ପରମ ଉଠିକି ବାଥରୁମକୁ ଚାଲିଯାଏ)
***
ଦୃଶ୍ୟ ୩
ସ୍ଥାନ: ବଡଭାଇଙ୍କ କୋଠରୀ, ପରମ ଶୋଇଛି | ବଡଭାଇ କଣ ଗୋଟେ ପଢୁଛନ୍ତି | ମାୟା ଫୋନ ଦେଖିବାରେ ବ୍ୟସ୍ତ |
ପରମ: (ନିଦରୁ ଉଠି) ଓଃ!! ଗୋଟେ ପରସ୍ତ ନିଦ ଭାଙ୍ଗିଲା ମୋର | ତମେ ସଵୁ କଣ କରୁଥିଲ?
ବଡଭାଇ: (ବହି ରଖିଦେଇ) ଗୋଟେ ନା ଚାରି ପରସ୍ତ ନିଦ ଭାଙ୍ଗିଲା? ସେତେବେଳୁ ଶୋଇଚୁ ଯେ ଶୋଇଚୁ |
ମାୟା: (ଫୋନ ରଖିଦେଇ) ସାନଭାଇ, ଏଇନେ ଉଠେ | କଣ ଗୋଟେ ଖେଳିବା | ଫୋନ ଦେଖି ଦେଖି ବୋର ଲାଗିଲାଣି |
ପରମ: କାଇଁ ତୋର ଚାଟିଙ୍ଗ ଫାଟିଙ୍ଗ ସବୁ ସରିଗଲା କି?
ମାୟା: କେହି ଫ୍ରି ନାହାନ୍ତି | ସବୁ କାମରେ ବ୍ୟସ୍ତ | ତୁ ଆସେ | ଆମେ ଖେଳିବା |
ବଡଭାଇ: କଣ ଖେଳିବା?
ପରମ: ମମମ….ଆଚ୍ଛା ଟ୍ରୁଥ ଅର ଡେୟାର ଖେଳିବା?
ମାୟା: ହଁ ହଁ!! ବଢିଆ ହବ!
ବଡଭାଇ: ସେଇଟା ପୁଣି କଣ?
ମାୟା: ଓହୋ ବଡଭାଇ! ତମେ କୋଉ ଯୁଗରେ ଅଛ?
ବଡଭାଇ: ଆରେ କହୁନୁ କଣ ଏଇଟା?
ମାୟା: ଟ୍ରୁଥ ମାନେ ହେଲା ସତ ଆଉ ଡେୟାର ମାନେ ହେଲା ସାହସ |
ବଡଭାଇ: ତାହେଲେ କଣ କରିବାକୁ ହବ?
ପରମ: ତମକୁ ସତ କି ସାହସ ଭିତରୁ ଗୋଟେ ବାଛିବାକୁ ପଡିବ |
ବଡଭାଇ: ସତ ବାଛିଲେ?
ପରମ: ସତ ବାଛିଲେ ତମକୁ ଗୋଟେ ପ୍ରଶ୍ନ ପଚରା ହବ ଆଉ ତମେ ତାର ସତ ସତ ଉତ୍ତର ଦେବ | ମିଛ ଉତ୍ତର କହି ପାରିବନି |
ବଡଭାଇ: ଆଉ ଡେୟାର ମାନେ ସାହସ ବାଛିଲେ?
ମାୟା: ତାହେଲେ ଆମେ ତମକୁ ଯାହା କରିବାକୁ କହିବୁ ତମକୁ ସେଇଆ କରିବାକୁ ପଡିବ |
ବଡଭାଇ: ହେ ପ୍ରଭୁ! ଏ ଦୁଇଟା ଯାକ ତ ଭାରି ବିପଦଜନକ!!
ମାୟା: ସେଇଥିପାଇଁ ତ ଖେଳିବା |
ବଡଭାଇ: ନାଇଁ ଥାଉ | ତମେ ଦୁଇ ଜଣ ଖେଳ |
ପରମ: ନାଇଁ ସେମିତି ହବନି | ଆମ ସମସ୍ତଙ୍କୁ ଖେଳିବାକୁ ପଡିବ |
ବଡଭାଇ: ଓହୋ! ହଉ ଠିକ ଅଛି | ଆରମ୍ଭ କର |
ମାୟା: ହଉ ମୁଁ ଏଇ ପାଣି ବୋତଲକୁ ବୁଲେଇବି ଆଉ ୟାର ମୁଣ୍ଡ ଯା ଆଡକୁ ରହିବ ସିଏ ଆଗ କହିବ, ହେଲା?
ପରମ ଆଉ ବଡଭାଇ: ହଁ ହେଲା |
ସମସ୍ତେ ତଳେ ଗୋଲ ହେଇ ବସନ୍ତି ଆଉ ମାୟା ବୋତଲକୁ ଧରି ତଳେ ବୁଲାଏ | ବୋତଲଟିର ମୁଣ୍ଡ ମାୟା ଆଡକୁ ରହେ |
ପରମ: ହାହାହା.. ମାୟା ଆଡକୁ!
ବଡଭାଇ: ହଁ, ମାୟା ଆଡକୁ!
ମାୟା: ନାଇଁ ନାଇଁ ଏଇଟା ହବନି | ଏଇଟା ଖାଲି ଟ୍ରାଏଲ ଥିଲା | ଆଉ ଥରେ କରିବା |
ପରମ: ନାଇଁ ସେମିତି ହବନି | ତୁ କାହା ଟ୍ରୁଥ ନା ଡେୟାର?
ମାୟା: ଡେୟାର.. ନାଇଁ ନାଇଁ… ଟ୍ରୁଥ… ନାଇଁ… ଡେୟାର… ନାଇଁ ଟ୍ରୁଥ!!
ପରମ: ଭାକ!! ଯାହା କହିବୁ ଗୋଟେ କହ |
ମାୟା: ହଉ ଟ୍ରୁଥ | କଣ ପଚାରିବ ପଚାର |
ବଡଭାଇ: ହଉ କହ, ତୁ ବାହା ହବାକୁ ନିଜପାଇଁ କାହାକୁ ଦେଖିଚୁ କି?
ପରମ: ଏହେ ବଡଭାଇ… କି ବୋରିଂ କଥା ପଚାରିଲ… କେତେ କେତେ କଥା ଥିଲା ୟାକୁ ପଚାରିବାକୁ | ଆଉ ତମେ ପଚାରିଲା ଏଇ କଥା?
ମାୟା: ନାଇଁ ଆଉ ବଦଳେଇ ହବନି | ମୁଁ ୟାର ଉତ୍ତର ଦେଇଦଉଚି | ନା ମୁଁ କାହାକୁ ଦେଖିନି | ସିମ୍ପଲ | ହାହା ମୋ ପାଳି ସରିଲା | ଏବେ ତମର |
ପରମ: ଛି! ମାୟା, ତୁ ଭାରି ଆରାମରେ ପାର ହେଇଗଲୁ!
(ମାୟା ଜିଭ କାଢି ପରମକୁ ଖତେଇ ହୁଏ )
ପରମ: ହଉ, ଏଥର ମୁଁ ବୁଲେଇବି ବୋତଲ |
ପରମ ବୋତଲଟିକୁ ବୁଲାଏ | ବୋତଲର ମୁଣ୍ଡ ବଡଭାଇ ଆଡକୁ ରୁହେ | ପରମ ଆଉ ମାୟା ହସିକି ତାଳି ମାରନ୍ତି)
ବଡଭାଇ: (ମୁଣ୍ଡରେ ହାତ ଦେଇ) ହେ ଭଗବାନ! ଏବେ ମୋର କଣ ହବ?
ପରମ: ଭାଇ କୁହ, ତୁମର ଟ୍ରୁଥ ନା ଡେୟାର?
ବଡଭାଇ: ମତେ ଡର ଲାଗିଲାଣି | ମୁଁ ଟିକେ ବାଥରୁମରୁ ଆସୁଛି |
ମାୟା: ନାଇଁ ନାଇଁ ଭାଇ.. ତୁମେ କୁଆଡେ ଯାଇପାରିବନି | ଆଗେ କୁହ ଟ୍ରୁଥ ନା ଡେୟାର?
ବଡଭାଇ: ଟ୍ରୁଥ… ନାଇଁ ନାଇଁ… କିଏ ଜାଣିଲା ତମେ ସବୁ କଣ ପଚାରିବ? ହଉ… ଡେୟାର |
ପରମ: ଫାଇନାଲ ତ?
ବଡଭାଇ: ହଁ ଫାଇନାଲ |
ପରମ: ହଉ, ଏବେ ଭାଉଜଙ୍କୁ ଫୋନ କରିକି କୁହ ଯେ- “ସମସ୍ତେ ଭାବନ୍ତି ମୁଁ ତୁମକୁ ଡରେ ବୋଲି ହେଲେ ମୁଁ ତୁମକୁ ଡରେନି |”
ବଡଭାଇ: କଣ କହିଲୁ?
ମାୟା: ସାନଭାଇ, ବଡଭାଇଙ୍କର ଡିଭୋର୍ସ ହେଇଯିବ ବେ!
ପରମ: ନାଇଁ ଯାହା ହେଲେ ହବ ହେଲେ ଭାଇ ଆଜି ଡେୟାର କହିଛନ୍ତି ମାନେ ଏଇ କାମଟା କରିବେ |
ବଡଭାଇ: ନାଇଁ, ମୁଁ ଖେଳ ଏଇଠି ଛାଡି଼ଦେଲି | (ବଡଭାଇ ସେଠୁ ଉଠିକି ପଳେଇବାକୁ ଚେଷ୍ଟା କରନ୍ତି ହେଲେ ପରମ ତାଙ୍କୁ ଟାଣିକି ବସେଇ ଦିଏ )
ପରମ: ନାଇଁ, ସେମିତି ହବନି | ଭାଉଜକୁ ଫୋନ କର |
ମାୟା: ହଁ, ବଡଭାଇ, ଫୋନ କର | ବି ଏ ସ୍ପୋର୍ଟ |
ବଡଭାଇ: (ଥତମତ ହେଇ) ହଉ |
ବଡଭାଇ ଫୋନ ଲଗାନ୍ତି |
ବଡଭାଇ: ହେଲୋ ରେବତୀ…. କଣ? ଅଫିସରେ ଅଛ? (ସେ ଫୋନର ମୁହଁ ଚାପି ପରମକୁ ଫୁସଫୁସ ହେଇ କୁହନ୍ତି- ସେ ଅଫିସରେ ଅଛି |
ପରମ: କୁହ କୁହ |
ବଡଭାଇ: ହଁ… ମୋ ଦେହ ଭଲ ଅଛି.. ମୁଁ କଣ କହୁଥିଲି କି… ମୁଁ କଣ କହୁଥିଲି କି… ସମସ୍ତେ ଭାବନ୍ତି ମୁଁ ତୁମକୁ ଡରେ ବୋଲି ହେଲେ ମୁଁ ତୁମକୁ ଡରେନି | ହେଲୋ… କଣ କହିଲ? ମୋ ସାଙ୍ଗରେ ଆଉ କଥା ହବନି?… ହେଲୋ?? କଣ କହିଲ? ମତେ ବ୍ଲକ କରିଦେବ?… ହେଲୋ? କଣ କହିଲ? ମତେ ଡିଭୋର୍ସ ଦେଇଦେବ?.. ହେଲୋ ହେଲୋ… ରେବତୀ… ମୋ ରେବୀ… ଲୋ ରେବ… ଲୋ ନିଆଁ…. ଲୋ ଚୁଲି… (ପରମ ଆଡକୁ ଚାହିଁ) କାଟିଦେଲା… |
(ବଡଭାଇ ଫୋନ ରଖନ୍ତି | ପରମ ଆଉ ମାୟା ସେତେବେଳକୁ ହସି ହସି ଗଡୁଥାନ୍ତି)
ବଡଭାଇ: ହଉ ହସେ | ଏବେ ତୋ ବେଳ ଆସିବ ଯେ! ଏଥର ମୁଁ ବୋତଲ ବୁଲେଇବି |
ମାୟା: ଚିନ୍ତା କରନି ଭାଇ | ବଡ ଭାଉଜ ତ ଗୋଟେ ଦିନରେ ସବୁ କଳି ଝଗଡା ଭୁଲିଯାନ୍ତି |
ବଡଭାଇ ହଉ କହି ବୋତଲ ବୁଲାନ୍ତି | ବୋତଲର ମୁହଁ ପରମ ଆଡକୁ ଆସି ରହିଯାଏ | ମାୟା ତାଳି ମାରେ |
ବଡଭାଇ: ବାସ!! ଏବେ କହ | ଟ୍ରୁଥ ନା ଡେୟାର?
ପରମ: ମୋର ଟ୍ରୁଥ | ସତ କହିବାକୁ କିଆଁ ଡରିବି? ସତ କହି ପଛେ ମଲେ ମରିବି |
ବଡଭାଇ: (ଧୀର ସ୍ୱରରେ) ହଉ, ତତେ ଆଜି ସତ କୁହେଇ ନ ମାରିଲେ ମୋର ଶାନ୍ତି ନାହିଁ |
(ଏତିକିବେଳେ ବଡଭାଇ ଦେଖନ୍ତି ସେପଟୁ ହାତରେ ଫଳ ଧରି ଶ୍ରୀୟା ରୁମ ଭିତରକୁ ପଶୁଛି | ପରମ କବାଟ ଆଡକୁ ପଛକରି ବସିଛି ସେଥିପାଇଁ ସେ ଶ୍ରୀୟାକୁ ଦେଖିପାରୁନି | ବଡଭାଇ ମନେ ମନେ ଟିକେ ହସନ୍ତି )
ବଡଭାଇ: ଆଚ୍ଛା କାଳୁ କହ! ତୁ ତୋର ସେଇ ପୁରୁଣା ପ୍ରେମ ରାଧିକା ରାୟ ଓରଫ ଦେବୀକୁ ବେଶୀ ଭଲ ପାଇଥିଲୁ ନା ଏଇ ଆମ ଶ୍ରୀୟାକୁ ବେଶୀ ଭଲ ପାଉଛୁ?
ପରମ ପ୍ରଶ୍ନଟି ଶୁଣି ଟିକେ ଚମକି ପଡେ | ଛେପ ଢୋକେ | ସେପଟେ ବଡଭାଇଙ୍କର ଏଇ ପ୍ରଶ୍ନ ଶୁଣି ଶ୍ରୀୟା ସେପଟେ ଆଲମାରୀ କଣରେ ଲୁଚିଯାଏ ପରମ କଣ ଉତ୍ତର ଦଉଚି ଶୁଣିବା ପାଇଁ |
ବଡଭାଇ: କହ କହ, ସତ କହ |
ପରମ: ମମମମ…..
ବଡଭାଇ: ପୁରା ସତ କହିବୁ!!
ପରମ: (ଟିକିଏ ଭାବି…) ଭାଇ ପୁରୁଣା କଥା ପୁରୁଣା… ମୁଁ ବର୍ତ୍ତମାନରେ ବିଶ୍ୱାସ କରେ | ଅତୀତରେ ନୁହେଁ | ସେଥିପାଇଁ ମୁଁ ଶ୍ରୀୟାକୁ ହିଁ ବେଶୀ ଭଲପାଏ |
(ପରମର ଉତ୍ତର ଶୁଣି ବଡଭାଇଙ୍କ ମୁହଁ ଶୁଖିଯାଏ | ସେପଟେ ଶ୍ରୀୟା ପରମର ଉତ୍ତର ଶୁଣି ହସିଦିଏ ଆଉ ଆଲମାରୀ କଣରୁ ବାହାରି ଆସେ)
ଶ୍ରୀୟା: (ହସିକି) ଆସ ଆସ | ସମସ୍ତେ ଫଳ ଖାଇଦିଅ ଟିକେ ଟିକେ |
ପରମ: ଆରେ ଶ୍ରୀୟା, ତୁମେ କେତେବେଳେ ଆସିଲ?
ବଡଭାଇ: ଆ ବସେ ଶ୍ରୀୟା |
ଶ୍ରୀୟା ସମସ୍ତଙ୍କୁ ଫଳ ଦିଏ ଖାଇବାକୁ | ହଠାତ ଶ୍ରୀୟାର ଫୋନ ଆସେ | ସେ ଉଠିକି କଥା କହିବାକୁ ବାହାରକୁ ଚାଲିଯାଏ |
ବଡଭାଇ: ଆଜି ବଂଚିଗଲୁରେ କାଳୁ | ହେଲେ ଦିନେ ତତେ ଧରା ପକେଇବି ରହ | ତୁମ ଆଜି ମୋ ସାଙ୍ଗେ ଯାହା କରିଛୁ ମୁଁ ଭୁଲିବିନି |
ବଡଭାଇ ଉଠିକି ବାଥରୁମକୁ ଚାଲିଯାନ୍ତି |
ପରମ: (ମାୟାକୁ ଚାହିଁ) ଆବେ ଆଜି ମତେ ତୁ ବଂଚେଇ ଦେଲୁ | ଭଲ ହେଲା ଠାରି ଦେଲୁ ଶ୍ରୀୟା ପଛରେ ଅଛି ବୋଲି |
ମାୟା: ହଉ ହେଲା | ମୋ ଉପରେ ତୋର ଯୋଉ ସେବେଠୁ ଉଧାରୀ ଅଛି ସେଇଟା ଏବେ ଦେ ତାହେଲେ |
ପରମ: ନୂଆ ଫୋନ ତ?
ମାୟା: ନୂଆ ଫୋନ ହେଲେ ଏଥର ଆଇଫୋନ |
ପରମ: ଭାକ.. ଆଇ ନା ଅଜା!
ମାୟା: ହଉ ତାହେଲେ… (ଜୋରରେ) ଭାଉଜ…
ପରମ: (ତା ପାଟି ବନ୍ଦ କରି) ହଉ ଲୋ ମା… ଦେବି… ଆଉ ପାଟି କରେନି | ଏବେ ଏଇ କମଳା ଗୁଡା ଛଡେଇକି ଦେ |
ମାୟା: ମୁଁ କାଇଁ ଦେବି? ମତେ ବି ଜର ହେଇଚି.. ନିଜେ ଛଡା ଆଉ ଖା…
ପରମ: ଭାକ୍!!
ମାୟା: ଭାକ୍!!
(ଦଶମ ଭାଗ ସମାପ୍ତ)
ଅଧ୍ୟାୟ ୧୧- ନୀଳ ପିଉସୀ ଉପାଖ୍ୟାନ
ଆଜିର ଚରିତ୍ର
ବଡଭାଇ: ଘରର ମୁରବୀ ଶଙ୍କର୍ଷଣ ଚୌଧୁରୀ, ବୟସ ୩୬
ସାନଭାଇ: ପରଂବ୍ରହ୍ମ ଚୌଧୁରୀ ଓରଫ ପରମ ବୟସ ୩୧
ଶ୍ରୀୟା ପରିଜା ଚୌଧୁରୀ: ଘରର ସାନବୋହୁ, ଫୁଡ ବ୍ଲଗର, ବୟସ ୨୮
ସାନଭଉଣୀ: ଯୋଗମାୟା ଚୌଧୁରୀ ଓରଫ ମାୟା, ବୟସ ୨୬
ବରୁଣ ପରିଜା: ଶ୍ରୀୟାର ବାପା, ବୟସ ୫୭
ନୀଳ ପିଉସୀ: ଶ୍ରୀୟାର ପିଉସୀ, ବୟସ ୫୯
ନୀଳ_ପିଉସୀ_ଉପାଖ୍ୟାନ #ସୁଲଗ୍ନା
ଦୃଶ୍ୟ ୧
ସ୍ଥାନ: ନୀଳାଚଳ ନିବାସ, ପରମ ଆଉ ଶ୍ରୀୟାର ଶୟନ କକ୍ଷ, ଶ୍ରୀୟା ଫୋନରେ ତା’ ବାପା ବରୁଣ ବାବୁଙ୍କ ସାଙ୍ଗେ କଥା ହଉଚି |
ଶ୍ରୀୟା: ଅପା ଆସିବ? ଯା ହଉ | ହଉ ତାକୁ କହିଦେବ ମତେ ଫୋନ କରିବ |
ବରୁଣ: ହଁ | ତୋ ନୂଆ ନମ୍ବରଟା ତାକୁ ଦେଇ ଦେଇଛି |
ଶ୍ରୀୟା: ହଉ | ମୁଁ କଥା ହେଇଯିବି |
ବରୁଣ: ତମେ ମାନେ ତାକୁ ଯାଇ ଷ୍ଟେସନ୍ରୁ ନେଇ ଆସିଲେ ଭଲ ହବ |
ଶ୍ରୀୟା: ହଁ , ସେଥିପାଇଁ ତମେ ବ୍ୟସ୍ତ ହୁଅନି | ମୁଁ ତା ସାଙ୍ଗେ କଥା ହେଇସାରିଲା ପରେ ତମକୁ ଜଣଉଛି |
ବରୁଣ: ହଉ ଠିକ ଅଛି | ମୁଁ ରହିଲି ତାହେଲେ |
ଶ୍ରୀୟା: ଆଉ ତମ ଓଷଦ ଖାଇ ସାରିଛ ତ?
ବରୁଣ: ନାଇଁ, ଏବେ ଖାଇବି |
ଶ୍ରୀୟା: ଦେଖିଲ? ମୁଁ ନ ପଚାରିଥିଲେ ତମେ ଖାଇନଥାନ୍ତ ନା?
ବରୁଣ: ନାଇଁ ମ! ସବୁଦିନ ତ ଖାଉଛି |
ଶ୍ରୀୟା: ହଁ, ତମେ କେମିତି ଖାଉଛ ସବୁଦିନ ମୁଁ ଜାଣିଚି | ଆଜି ଶଙ୍କରା ଭାଇର ଟ୍ୟୁସନ ନଉଚି ରହ |
ବରୁଣ: ଆରେ ନାଇଁ ମ! ସିଏ ତ ସବୁବେଳେ ଓଷଦ ଆଉ ପାଣି ଗିଲାସ ନେଇ ମୋ ପଛରେ ଦୌଡୁଛି |
ଶ୍ରୀୟା: ଆଉ ତମେ ହିଁ ତାଙ୍କ କଥା ଶୁଣୁନ ନା?
ବରୁଣ: ନାଇଁ ନାଇଁ.. ଟିକେ ଏମିତି ବ୍ୟସ୍ତ ରହି ଯାଉଛି ଆଉ!
ଶ୍ରୀୟା: କି ଵ୍ୟସ୍ତତା ତୁମର ଟିକେ ଶୁଣେ? ହଉ ଆଉ କିଛି କୁହନି | ଯାଅ ଓଷଦ ଖାଇବ |
ବରୁଣ: ହଉ | ତୁ ଅପା ସଂଗେ କଥା ହେଇ ମତେ ଜଣେଇବୁ | ହେଲା?
ଶ୍ରୀୟା: ହଉ | ରହିଲି ତାହେଲେ | ପ୍ରଣାମ |
ବରୁଣ: ଇସସ… ତୋ ବାଏ ଟା କଣ ପ୍ରଣାମ ହେଇଗଲାଣି?
ଶ୍ରୀୟା: କାଇଁ? ତମକୁ ସମ୍ମାନ ଦେଲେ ତମକୁ ଖରାପ ଲାଗୁଚି କି?
ବରୁଣ: (ହସିକି) ନାଇଁ.. ଟିକେ ଅଭ୍ୟାସ ନାହିଁ ତ!!
ଶ୍ରୀୟା: ହଉ ହଉ | ବେଶୀ ଆଉ ମୋ ଗୋଡ ଟାଣନି | ଯାଅ ଓଷଦ ଖାଇବ |
ବରୁଣ: ହଉ | ଠିକ ଅଛି ତାହେଲେ | ବାଏ |
ଶ୍ରୀୟା: ବାଏ |
***
ଦୃଶ୍ୟ ୨
ସ୍ଥାନ: ଡ୍ରଇଂରୁମରେ ପରମ ବସି ଖବର କାଗଜ ପଢୁଛି | ଶ୍ରୀୟା ସେଠି ପହଞ୍ଚେ |
ଶ୍ରୀୟା: ଜାଣିଛ? ମୋ ପିଉସୀ ନାନୀ ଆସିବ? ନୀଳ ଅପା |
ପରମ: ସିଏ କିଏ?
ଶ୍ରୀୟା: ସିଏ ମୋ ବାପାଙ୍କ ବଡ ଭଉଣୀ |
ପରମ: ମୁଁ ଦେଖିଚି କି?
ଶ୍ରୀୟା: ନାଇଁ, ସିଏ ଆମ ବାହାଘରରେ ଆସି ପାରିନଥିଲା | ତା’ ଝିଅ ସ୍ଵାତି ଅପାର ଡେଲିଭରି ଥିଲା ତ ସେ ଯାଇଥିଲା ସେଠିକି |
ପରମ: ଓହୋ! ହଉ ଭଲ କଥା | କେବେ ଆସିବେ?
ଶ୍ରୀୟା: ମୁଁ ଏବେ ଜଷ୍ଟ ଫୋନରେ କଥା ହେଲି | ଏଇଠି ତା’ର ଗୋଟେ ସାଙ୍ଗ ଝିଅ ବାହାଘର ବି | ସେ ଆଗ ଏଠିକି ଆମ ଘରକୁ ଆସିବ | ତା’ପରେ ତା ସାଙ୍ଗ ଘରକୁ ଯାଇ ସେଠି ରହି ବାହାଘର ଆଟେଣ୍ଡ କରିବ |
ପରମ: ଆଚ୍ଛା! ତାହେଲେ ଏଠି ପହଂଚିବେ କେବେ?
ଶ୍ରୀୟା: ପଅରଦିନ ପହଂଚିବ | ମୁଁ ବଡଭାଇଙ୍କୁ ଫୋନ କରିକି କହିବି କି?
ପରମ: ନାଇଁ ମ | ସେ ବଜାରରୁ ଫେରୁ ତାକୁ କହିଦେବ |
ଶ୍ରୀୟା: ହଉ | ଜାଣିଛ? ଅପାକୁ ବହୁତ ଦିନ ପରେ ଦେଖିବି | ଖୁସି ଲାଗୁଚି | ଆଚ୍ଛା, ଅପା ପାଇଁ ସେ ଗେଷ୍ଟରୁମଟା ରେଡି କରିଦେବି?
ପରମ: ପଚାରୁଚ କଣ? | ଜୟନାକୁ କୁହ ସେଇ ରୁମଟା ଆଉଥରେ ଟିକେ ଭଲରେ ଝାଡ଼ିଦେବ | ତୁମେ ରୁମରେ ଚାଦର ଫାଦର ବଦଳେଇ ଦବ |
ଶ୍ରୀୟା: ଠିକ ଅଛି | ହଉ ମୁଁ ଯାଏଁ ତାହେଲେ ଜୟନାକୁ କହିବି |
ପରମ: ହଉ |
(ଶ୍ରୀୟା ଚାଲିଯାଏ | ପରମ ପେପର ପଢିବାରେ ମନ ଦିଏ)
***
ଦୃଶ୍ୟ ୩
ସ୍ଥାନ: ଅତିଥି କକ୍ଷ, ଶ୍ରୀୟା ଆଉ ନୀଳ ପିଉସୀ ଖଟ ଉପରେ ବସିଛନ୍ତି | ଜୟ ପାଖରେ ଠିଆ ହେଇଚି |
ଜୟ: ହଉ ଭାଉଜ, ଅପାଙ୍କର ଆଉ କିଛି ଦରକାର ହେଲେ ମତେ କହିବ |
ଶ୍ରୀୟା: ହଉ ଜୟନା, ତମେ ଯାଅ | ଏବେ ଆଉ କିଛି କାମ ନାହିଁ ଏଠି |
ଜୟ: ହଉ |
(ଜୟ କୋଠରୀରୁ ଚାଲିଯାଏ)
ପିଉସୀ: ଆଲୋ ତାକୁ ଜୟନା ବୋଲି କଣ ଡାକୁଚୁ ମ? ଚାକରଟି ସେ? ତାକୁ ଜୟ ବୋଲି ଡ଼ାକୁନୁ |
ଶ୍ରୀୟା: ନା ଲୋ ଅପା | ସେ ଏଇଠି ଏଇ ଘରେ ବଡ ହେଇଛନ୍ତି | ଏଇ ଘରର ଗୋଟେ ସଦସ୍ୟ ସେ |
ପିଉସୀ: ମଲା ମୋର | ଚାକର ତ ଚାକର | ଘର ସଦସ୍ୟ ଗୋଟେ କଣ ବା? ତାକୁ ଜୟ ବୋଲି ଡାକେ ନହେଲେ ଦିନେ ମୁଣ୍ଡରେ ବସିବ ଦେଖିବୁ |
ଶ୍ରୀୟା: ଅପା, ତୋର ଯୋଉ କଥା ନା! ହଉ ଚାଲେ ଗାଧେଇବୁ |
(ସେପଟୁ ପରମ ଆସେ)
ପରମ: ପିଉସୀଙ୍କର କିଛି ଅସୁବିଧା ନାହିଁ ତ?
ପିଉସୀ: ନାଇଁ ନାଇଁ ପୁଅ | କିଛି ଅସୁବିଧା ନାହିଁ |
ପରମ: ହଉ | କିଛି ଦରକାର ହେଲେ ଶ୍ରୀୟାକୁ କହିବେ | (ଶ୍ରୀୟାକୁ) ହଉ ମୁଁ ଅଫିସ ବାହାରିଲି ତାହେଲେ |
ଶ୍ରୀୟା: ହଉ | ପହଂଚି ଫୋନ କରିବ |
ପରମ: ଠିକ ଅଛି | ଆଚ୍ଛା ଆସୁଛି ଅପା |
ପିଉସୀ: ହଉ ପୁଅ |
(ପରମ ଚାଲିଯାଏ)
ଶ୍ରୀୟା: ଆଉ? ଆମ ବାହାଘରକୁ ତ ଆସିନଥିଲୁ | ତୋ ଜ୍ୱାଇଁ କେମିତି ଲାଗିଲେ?
ପିଉସୀ: ହଁ… ତୋ ପସନ୍ଦ ଯେତେବେଳେ ଖରାପ କେମିତି ହବ? ପିଲା ଭଲ | ଘରଦ୍ୱାର ବି ଭଲ | ହେଲେ ଟିକେ ସିଧା ପିଲାଟିଏ |
ଶ୍ରୀୟା: ସିଧା ମାନେ?
ପିଉସୀ: ମାନେ ସରଳ ବା! କେହି ଠକି କି ଚାଲିଯିବା ସେ ଜାଣି ବି ପାରିବେନି |
ଶ୍ରୀୟା: ଯା ମ! ସେ ଜମା ସେମିତି ନୁହନ୍ତି | ତାଙ୍କ ସରଳିଆ ମୁହଁ ଦେଖି ସେମିତି ଭାବିଲୁ କି?
ପିଉସୀ: ନା! ଭାବିବି କାହିଁକି? ସେ ସେମିତି ସିଧା ପିଲାଟେ | ତୁ ସରଳ କୁ ସେ ସରଳ! କେମିତି ଚଳିବ ଦୁହେଁ କେଜାଣି!
ଶ୍ରୀୟା: ହଉ | ତୁ ଆସୁ ଆସୁ ଆଉ ଆରମ୍ଭ କରେନି | ଯା ଗାଧେଇକି ଆସେ | ତାପରେ ଜଳଖିଆ ଖାଇବୁ |
ପିଉସୀ: ହଉ |
(ନୀଳ ପିଉସୀ ନିଜ ଜାଗାରୁ ଉଠି ବ୍ୟାଗ ଖୋଲି ଲୁଗା କାଢନ୍ତି )
***
ଦୃଶ୍ୟ ୪
ସ୍ଥାନ: ଶ୍ରୀୟାର କକ୍ଷ, ପିଉସୀ ଆଉ ଶ୍ରୀୟା ବସିଛନ୍ତି | ବଡଭାଇ ଆସନ୍ତି |
ବଡଭାଇ: ପ୍ରଣାମ ଅପା (ଗୋଡ଼ ଛୁଅନ୍ତି)
ପିଉସୀ: ବୁଢା ହେଇଥାଅ |
ଶ୍ରୀୟା: ଅପା, ଇଏ ଆମ ବଡଭାଇ | ଏବେ ଅଫିସରୁ ଆସିଲେ |
ପିଉସୀ: ହଁ ମୁଁ ଜାଣିଲି ଯେ |
ବଡଭାଇ: ଆଉ ଅପା, ଆସିଲା ବେଳେ କିଛି ଅସୁବିଧା ହେଇନି ତ?
ପିଉସୀ: ନାଇଁ | ଭଲରେ ଭଲରେ ଆସି ପହଂଚିଲି |
ବଡଭାଇ: ଖାଇଲେ ତ?
ପିଉସୀ: ହଁ ହଁ କେତେବେଳୁ |
ବଡଭାଇ: ହଉ | ଶ୍ରୀୟା, ମୁଁ ଆସୁଛି | ମୁଁ ଟିକେ ଫ୍ରେଶ ହେଇଯାଏ |
ଶ୍ରୀୟା: ହଁ ଭାଇ |
(ବଡଭାଇ ବାହାରକୁ ଚାଲିଯାନ୍ତି )
ଶ୍ରୀୟା: ହଉ ଅପା | ମୁଁ ଭାଇଙ୍କୁ ଟିକେ ମୁଁ ଗ୍ରୀନ ଟି ଦେଇକି ଆସୁଛି | ଜୟନା ଯାଇଛନ୍ତି ମାର୍କେଟ |
ପିଉସୀ: ଓହୋ! ପୁଣି କହିଲା ଜୟନା | କଣ ନା ଜୟନା ଯାଇଛନ୍ତି…. କହୁନୁ ଜୟ ମାର୍କେଟ ଯାଇଛି | ଚାକରକୁ ସଦାବେଳେ ପାଦ ତଳେ ରଖିବା ଦରକାର | ଜାଣିନୁ? ତୋ ବାପା ବି କେବେ ସେ କଥା ଶିଖିଲାନି କି ତୁ ବି ଶିଖିଲୁନି |
ଶ୍ରୀୟା: ଓହୋ ତୁ ତୋର ଜୟ ପୁରାଣ ବନ୍ଦ କଲୁ | ମୁଁ ଟିକେ ଭାଇଙ୍କୁ ଚା ଦେଇକି ଆସେ |
ପିଉସୀ: ତୁ କାଇଁ ଯିବୁ? ନା… ନା… ତୁ କାଇଁ ଯିବୁ ଚା ଦବାକୁ? ତା’ ସ୍ତ୍ରୀ ସେପଟେ ଆରାମରେ ରହିବ | କାହାର କିଛି ଦାୟିତ୍ୱ ନବନି | ଆଉ ଏପଟେ ତୁ ସମସ୍ତଙ୍କ କଥା ବୁଝିବୁ? କାଇଁକି ବା?
ବାହାରେ ବଡଭାଇଙ୍କ ସ୍ୱର: ଜୟ, ଟିକେ ଚା ଦବୁ?
ଶ୍ରୀୟା: ଭାଇ, ସେ ମାର୍କେଟକୁ ଯାଇଛନ୍ତି |
ବଡଭାଇ: ହଉ |
ଶ୍ରୀୟା: ଦେଖ ଅପା, ଭାଇ ଚା ପିଇବେ କହିଲେଣି |
ପିଉସୀ: ତ? ସେ କଣ ତତେ ଚା’ କରିବାକୁ କହିଲେ କି? ତୁ ଉପରେ ପଡି କାଇଁକି କରୁଚୁ?
ଶ୍ରୀୟା: ହେଲେ….
ପିଉସୀ: ହେଲେ କଣ? ଯଦି ତାକୁ ଚା ପିଇବାକୁ ଇଚ୍ଛା ତାହେଲେ ଜୟକୁ ଅପେକ୍ଷା କରିବେ ନହେଲେ ନିଜେ କରିବେ ନହେଲେ ସ୍ତ୍ରୀକୁ କହିବେ ପାଖରେ ଆସି ରହି ତାଙ୍କ ଯତ୍ନ ନବାକୁ | ତୋ ଉପରେ କାଇଁ ଏତେ ଦାୟିତ୍ୱ ଲଦା ହଉଚି ଶୁଣେ |
ଶ୍ରୀୟା: କିନ୍ତୁ…..
ବାହାରେ ବଡଭାଇଙ୍କ ସ୍ୱର: ହେଇ ଜୟ ଆସିଲା… ଜୟ ଟିକେ ଚା ଦେଲୁ |
ଜୟ: ହଁ ହଁ ଦଉଚି |
ପିଉସୀ: ଦେଖିଲୁ, ସେ ଅପେକ୍ଷା କଲେ ନା ନାଇଁ! ତୁ କାଇଁ ଉପରେ ପଡି କାମ କରିବାକୁ ବାହାରୁଚୁ? ଅଧିକ କାମ ଦେଖେଇ ହେଲେ ଉପରେ ଅଧିକା କାମ ପଡିବ | ଜାଣିଚୁ ନା ନାଇଁ?
ଶ୍ରୀୟା: ନାଇଁ ଅପା, ଏଇଠି ଏମିତି କେହି ନୁହନ୍ତି |
ପିଉସୀ: ତୁ ଆଉ ମତେ କହନି | ଦୁନିଆରେ କୋଉ ଶଶୁର ଘର ଅଲଗା ହେଲାଣି ଯେ ତୋ ଶଶୁର ଘର ଅଲଗା ହବ | ଏଇ ଚାକର ପିଲାଟି ଅଛି ବୋଲି ତୋ ଉପରେ କିଛି ପଡୁନି ବୋଧେ | ଯେବେ ସେ ଚାଲିଯିବ ସେଦିନ ଦେଖିବୁ.. ତତେ ଯଦି ସମସ୍ତେ ଚାକରାଣୀ ଭଳି ନ ଖଟେଇଛନ୍ତି କହିବୁ |
ଶ୍ରୀୟା: ନାଇଁ ଅପା ସେମିତି କିଛି ନାହିଁ..
ପିଉସୀ: ସେମିତି କିଛି ନାହିଁ କଣ? ତୋ ବାପା ଯେତେବେଳେ ମତେ କହିଲା ଯେ ତୋ ଶାଶୁ ଶଶୁର କେହି ନାହାନ୍ତି ମୁଁ ଜଗନ୍ନାଥଙ୍କ ପାଖେ ମୁଣ୍ଡିଆଟେ ମାରିଲି ଯେ ଯା ହଉ | ଭଗବାନ ତତେ କେଡେ ସୁଖ ନ ଦେଲେ | ହେଲେ ଏଠି ତ ମୁଁ ଦେଖୁଚି ତୁ ପୁରା ଶାଶୂଘର ମୁଣ୍ଡେଇକି ଚାଲିଛୁ | ଆଉ ତ ନଣନ୍ଦ ଖଣ୍ଡକ କେମିତି?
ଶ୍ରୀୟା: ସେ ବହୁତ ଭ…
(ସେପଟୁ ମାୟା ରୁମ୍କୁ ପଶେ ଆଉ ପିଉସୀଙ୍କୁ ପ୍ରଣାମ କରେ)
ମାୟା: ପ୍ରଣାମ ଅପା |
ଶ୍ରୀୟା: ଇଏ ମୋ ନଣନ୍ଦ, ମାୟା |
ପିଉସୀ: ବୁଢ଼ୀଟିଏ ହେଇଥା | ଅଫିସରୁ ଫେରିଲୁ?
ମାୟା: ହଁ… ଏଇ ଅଫିସରୁ ଆସିଲି |
ପିଉସୀ: ହଁ ଭଲ ଭଲ |
ମାୟା: ଭାଉଜ, କାଲି ଆମ ଅଫିସରେ ଏଥନିକ ଡେ | ଗୋଟେ ଭଲ ଶାଢ଼ୀ ଦିଅ ନା | ମୁଁ ପିନ୍ଧିବି କାଲି |
ଶ୍ରୀୟା: ହଁ ମୋ ଆଲମାରୀ ଖୋଲୁନ | ଯୋଉଟା ପସନ୍ଦ ନେଇଯାଅ |
(ମାୟା ଆଲମାରୀ ଖୋଲି ଗୋଟେ ଭଲ ଶାଢ଼ୀ ବାଛେ | ପିଉସୀ ତାକୁ ଗାରଡେଇ କି ଚାଁହୁଥାନ୍ତି)
ମାୟା: ଭାଉଜ, ଏଇ ଶାଢ଼ୀ ମତେ ଭଲ ଦେଖାଯିବ?
ଶ୍ରୀୟା: ହଁ | ଭାରି ସୁନ୍ଦର ଦିଶିବ |
ମାୟା: ହଉ | ଆଉ ୟାର ମ୍ୟାଚିଂ କାନଫୁଲ ଅଛି କି?
ଶ୍ରୀୟା: ଅଛି! ସେଇ ବଡ ବକ୍ସଟା ଖୋଲ | ସେଠି ଖୋଜିକି ନେଇଯାଅ |
(ମାୟା ବାକ୍ସରୁ କାନଫୁଲ ଖୋଜି ନେଇଯାଏ)
ମାୟା: ଥ୍ୟାଙ୍କ ୟୁ ଭାଉଜ | ୟୁ ଆର ଦି ବେଷ୍ଟ | ହଉ ମୁଁ ଆସୁଛି | ଟିକେ ଦେଖେଁ କେମିତି ଦିଶୁଚି ଏ ଶାଢ଼ୀ ମୋ ଉପରେ |
ଶ୍ରୀୟା: (ହସିକି) ହଉ |
ମାୟା: ଆସୁଛି ଅପା |
ପିଉସୀ: (ବଡ କଷ୍ଟରେ ହସି) ହଉ |
(ମାୟା ଚାଲିଯାଏ)
ପିଉସୀ: ଦେଇ ପକା | ସବୁକିଛି ଦେଇପକା |
ଶ୍ରୀୟା: କଣ?
ପିଉସୀ: ଶାଢ଼ୀପତ୍ର, ସୁନା ଗହଣା ସବୁ କିଛି |
ଶ୍ରୀୟା: ଏମିତି କଣ କହୁଚୁ?
ପିଉସୀ: ଆଉ ନହେଲେ କଣ? ଆଜି ନକଲି ଗହଣା ଦେଲୁ କାଲି ସେ ଅସଲି ଗହଣା ନବ | ଆଉ ଥରେ ନେଲେ କଣ ଆଉ କେବେ ଫେରେଇବ?
ଶ୍ରୀୟା: ଅପା!!
ପିଉସୀ: ଉପରୁ ପୁଣି ନିଜେ ଆଲମାରୀ ଖୋଲି ଶାଢ଼ୀ ନଉଚି | ତୁ ନିଜେ ଆଲମାରୀ ଖୋଲି କି ତାକୁ ଦେଲୁନି?
ଶ୍ରୀୟା: ଅପା, ସେ କେବେ କିଛି ମାଗନ୍ତିନି | ଆଜି ଦରକାର ପଡିଲା ବୋଲି…
ପିଉସୀ: ଦରକାର ହେଲା ବୋଲି ଆଲମାରୀ ମେଲେଇ ସବୁ ଦେଖେଇ ଦଉଚୁ? ଧନ୍ୟ ଲୋ ତତେ ଝିଅ! ତୋ ମା ହୁଣ୍ଡୀ ବୋଲି ଜାଣିଥିଲି | ଆଜି ଜାଣିଲି ହୁଣ୍ଡୀର ଝିଅ ବି ହୁଣ୍ଡୀ|
ଶ୍ରୀୟା: ଅପା, ମାମା ବିଷୟରେ କିଛି କହନି | ତାକୁ କାଇଁ ମଝିରେ ଟାଣୁଛୁ |
ପିଉସୀ: ହଉ, ହଉ କହିବିନି | ହେଲେ ମୋ କଥା ହେଜିବୁ |
ଶ୍ରୀୟା: ସେ କଥାସବୁ ଛାଡେ | କହ ସ୍ଵାତି ଅପା କେମିତି ଅଛନ୍ତି? ତାଙ୍କ ଝିଅ କାହା ଭଳି ହେଇଚି?
ପିଉସୀ: ହଁ, ସେ ବହୁତ ଖୁସିରେ ଅଛି | ଝିଅଟି ପୁରା ସ୍ଵାତି ଭଳି ହେଇଚି | କିଏ କିଏ ତ କହୁଛନ୍ତି କୁଆଡେ ମୋ ଭଳି ଦିଶୁଚି | ହେହେହେ…
ଶ୍ରୀୟା: ହାହା… (ଶ୍ରୀୟା ହସେ)
***
ଦୃଶ୍ୟ ୫
ପରଦିନର କଥା, ସ୍ଥାନ: ଅତିଥି ଗୃହ, ପିଉସୀ ଆଉ ଶ୍ରୀୟା ବସିଛନ୍ତି |
ପିଉସୀ: ଆଉ ପରମ ଅଫିସରୁ ଫେରିଲେଣି?
ଶ୍ରୀୟା: ନାଇଁ ଆଉ ଟିକିଏ ପରେ ଫେରିବେ |
ପିଉସୀ: ଟିକିଏ ପରେ କଣ ମ? ଏଇ ପରା ମୁଁ ତାଙ୍କ କଣ୍ଠସ୍ୱର ଶୁଣିଲି | ଆଉ ଟିକିଏ ପରେ କଣ?
ଶ୍ରୀୟା: ନାଇଁ, ସେ ଆସିଲେ ଆଗ ମତେ ଦେଖା କରିବେ ନା!
ପିଉସୀ: ଦେଖା କରିବା କଥା | ହେଲେ ସେ ନିଶ୍ଚିତ ଯାଇ ତା ଭାଇ ଭଉଣୀଙ୍କ ସାଙ୍ଗରେ ଗପୁଥିବ!! ଯା ଦେଖିବୁ |
ଶ୍ରୀୟା: ନାଇଁ ତ!!
ପିଉସୀ: ଯା, ବାହାରକୁ ଯାଇ ଦେଖେ |
ଶ୍ରୀୟା ଧୀରେ ଯାଇ ଡ୍ରଇଂରୁମରେ ଦେଖେ | ଭିତରେ ପରମ, ମାୟା ଆଉ ବଡଭାଇ ଖୁସିଗପ ହଉଥାନ୍ତି | ଶ୍ରୀୟାକୁ ରାଗ ମାଡ଼େ | ସେ ପାଦ ଚିପି ଫେରିଆସେ |
ପିଉସୀ: କଣ ଦେଖିଲୁ?
ଶ୍ରୀୟା: ହଁ, ସେମାନେ ଗପୁଛନ୍ତି |
ପିଉସୀ: କହୁଥିଲି ନା!
ଶ୍ରୀୟା: ହେଲେ ମୁଁ ତୁମ ସାଥିରେ ଅଛି ବୋଲି ବୋଧେ ସେ ଏପଟେ ଆସିଲେନି |
ପିଉସୀ: ଇଏ କି କଥା ମ? ତୁ ମୁଁ କଣ ସ୍ୱାମୀ ସ୍ତ୍ରୀ ଯେ ଏଇ ରୁମକୁ ଆସିବା ମନା | କଥାହେଲା ତୁ ତାଙ୍କପାଇଁ ହେଲା ପରଘର ଝିଅ | ତୁ କେବେ ତାଙ୍କ ଆପଣା ହେଇ ପାରିବୁନି |
ଶ୍ରୀୟା: ମାନେ?
ପିଉସୀ: ମାନେ ହେଲା ତୁ ବାହା ହେଇ ଏଇ ଘରକୁ ଆସିଲୁ | ଏଇଟା ତୋ ଘର ହେବା କଥା | ହେଲେ ଏବେ ବି ତତେ ସେମାନେ ଅଲଗା କରି ରଖିଛନ୍ତି |
ଶ୍ରୀୟା: ଇଏ କଣ କହୁଚୁ?
ପିଉସୀ: ଆଉ ନହେଲେ? ପରମ ତୋ ସ୍ୱାମୀ, ତୁ ତା ସ୍ତ୍ରୀ | ସେ ଅଫିସରୁ ଫେରିଲେ ତମେ ଦୁହେଁ ଟିକେ ବସିବ, ମିଶିକି ଚା’ ପିଇବ, ଖୁସିଗପ ହେବ, କୁଆଡେ ଟିକେ ବୁଲିଯିବ ସେଇଥିରେ ସିନା ଖୁସି | ଆଉ ତୁ ତ ଏଠି ବସି ଦେଢଶୁର ନଣନ୍ଦଙ୍କ ବେଠି ଖଟୁଛୁ | ଚାକରାଣୀ କରିଦେଇଛନ୍ତି ସେମାନେ ଝିଅକୁ ମୋର |
ଶ୍ରୀୟା: ଅପା!
ପିଉସୀ: ନୁହେଁ ତ କଣ? ସେ ନଣନ୍ଦ ଖଣ୍ଡକ ତ କେତେବେଳେ ତତେ କାମରେ ସାହାଯ୍ୟ କରିବା ଦେଖିଲିନି | ତୋ ଦେଢଶୁର ତ ଚିଡଚିଡ ଲୋକ ବୋଲି ଶୁଣିଚି | ଆଉ ତୋ ସ୍ୱାମୀ ଯାଇ ସେଇମାନଙ୍କ ପାଖରେ ପଶିଚି | ଆଉ ତୁ କୋଉ ଖୁସିରେ ଏଠି ଅଛୁ ବା?
ଶ୍ରୀୟା: ଏମିତି କାଇଁ କହୁଚୁ ଅପା?
ପିଉସୀ: ଆଜିକା ଦୁନିଆରେ କିଏ ଶାଶୁ ଶଶୁର ଦେଢଶୁର ନଣନ୍ଦ ନେଇ ଚାଲୁଚି କହିଲୁ? ବାହାହେଲେ ଲୋକ ଆଉ ଫୁର୍ କି ଉଡ଼ିକି ଦୂର ଜାଗାକୁ ଚାଲିଗଲେ | ସେଇଠି ନିଜ ସଂସାର ନିଜେ ଗଢିଲେ | ସେଇଠି ଶାଶୁଘର ଲୋକଙ୍କ କି କାମ? ଏଇ ଆମ ସ୍ଵାତିକୁ ଦେଖୁନୁ? ଆରାମରେ ବମ୍ବେରେ ଅଛି | ଶାଶୁଶଶୁର ଜଂଜାଳ ନାହିଁ | ଦୁଇ ବର୍ଷରେ ଥରେ ଶାଶୂଘରେ ମୁହଁ ଦେଖେଇଦେଲେ ଶାଶୂଘର କୃତ୍ୟ କୃତ୍ୟ! ସେଠିକି ତାଙ୍କଘର ଲୋକ କିଏ ଗଲେ ବି ସାତଦିନରେ ତା’ ଟିକେଟ କଟା ହଉଚି | ସେ ଉଠ କହିଲେ ତା’ ବର ଉଠୁଛି, ବସ କହିଲେ ବସୁଛି | ଜୀବନରେ ଆଉ କଣ ଦରକାର କହିଲୁ? ଆଉ ଏପଟେ ତୁ? ହେ ଭଗବାନ! ତୋ ଭଳି ପାଠପଢୁଆ ଝିଅ ପୁଣି ଏମିତି ଶାଶୁଘର ଜଂଜାଳରେ ପଡିଲା! ଭଗବାନ କେଡେ ନିର୍ଦୟୀ ଲୋ ମା!
ଶ୍ରୀୟା: (ଟିକେ ମୁହଁ ଶୁଖେଇ) ମୁଁ କଣ ଏବେ କରିବି? ଏଇଟା ବୋଧେ ମୋ ଭାଗ୍ୟ!
ପିଉସୀ: ଭାଗ୍ୟ କଣ ଲୋ ଝିଅ? ନିଜ ଭାଗ୍ୟ ନିଜେ ଗଢିବାକୁ ପଡେ |
ଶ୍ରୀୟା: କେମିତି?
ପିଉସୀ: ଆଜି ପରମକୁ କାହା ତତେ ଅଲଗା ଘର ଦରକାର |
ଶ୍ରୀୟା: ଅଲଗା ଘର?
ପିଉସୀ: ହଁ ଅଲଗା ଘର | କହିବୁ ମତେ ଅଲଗା ଘରେ ନେଇ ରଖ ନହେଲେ ମୁଁ ବାପଘରକୁ ଚାଲିଯିବି |
ଶ୍ରୀୟା: ହେଲେ ଏମିତି ହଠାତ?
ପିଉସୀ: ହଠାତ ଆଉ କଣ? ଯଦି ଖୁସିରେ ରହିବାକୁ ଚାଁହୁଛୁ ତାହେଲେ ଏଇଟା ହିଁ ଗୋଟିଏ ଉପାୟ | ଆଲୋ କଥାରେ ଅଛି ଯେତେ ଭାଇ ସେତେ ଘର | ତୁ କାଇଁ ଏଇ ବଡଭାଇ ଆଉ ନଣନ୍ଦ ସାଙ୍ଗେ ରହିବୁ? ସେମାନେ ତାଙ୍କର ରୁହନ୍ତୁ | ତୁ ଆରାମରେ ପରମକୁ ନେଇ ରହ | ନିଜ ଜୀବନ ନିଜେ ଗଢ |
ଶ୍ରୀୟା: ହଉ, ମୁଁ ଦେଖେ |
ପିଉସୀ: ସୁନା ଝିଅଟା ମୋର | ଏଇ ନୀଳାଚଳ ନିବାସରେ ନୁହେଁ ଏବେ ତୋର ଶ୍ରୀୟା ନିବାସରେ ରହିବା ବେଳ ଆସିଲା ଯୋଉଠି କେବଳ ତୁ ରାଣୀ ଆଉ ପରମ ରାଜା!!
ଶ୍ରୀୟା: ହଉ ଅପା | ତମେ ଏବେ ଟିକେ ଗଡ଼ିପଡ | ମୁଁ ଆସୁଛି |
(ପିଉସୀ ହସିଲେ ଆଉ ଖଟରେ ଗଡିପଡିଲେ | ଶ୍ରୀୟା କିଛି ଏକ ଗଭୀର ଚିନ୍ତା କରୁକରୁ ରୁମରୁ ବାହାରି ଗଲା)
(ଏଗାର ନମ୍ବର ଭାଗ ସମାପ୍ତ)
ଅଧ୍ୟାୟ ୧୨- ନେତ ଆଈ ଉପାଖ୍ୟାନ
ଆଜିର ଚରିତ୍ର
ବଡଭାଇ: ଘରର ମୁରବୀ ଶଙ୍କର୍ଷଣ ଚୌଧୁରୀ, ବୟସ ୩୬
ସାନଭାଇ: ପରଂବ୍ରହ୍ମ ଚୌଧୁରୀ ଓରଫ ପରମ ବୟସ ୩୧
ଶ୍ରୀୟା ପରିଜା ଚୌଧୁରୀ: ଘରର ସାନବୋହୁ, ଫୁଡ ବ୍ଲଗର, ବୟସ ୨୮
ସାନଭଉଣୀ: ଯୋଗମାୟା ଚୌଧୁରୀ ଓରଫ ମାୟା, ବୟସ ୨୬
ନୀଳ ପିଉସୀ: ଶ୍ରୀୟାର ପିଉସୀ, ବୟସ ୫୯
ନେତ ଆଈ: ଚୌଧୁରୀ ପରିବାରର ଲେଖାଯୋଖା ଆଈ, ବୟସ ୭୫-୭୬
ରାଜେଶ ଦାସ: ନେତ ଆଈର ନାତି, ବୟସ ୩୫
ନେତ_ଆଈ_ଉପାଖ୍ୟାନ #Sulagna
ଦୃଶ୍ୟ ୧
ସ୍ଥାନ: ନୀଳାଚଳ ପ୍ରାସାଦ, ପରମ ଆଉ ଶ୍ରୀୟାର ଶୟନ କକ୍ଷ, ଶ୍ରୀୟା ଖଟ ଉପରେ ଚୁପଚାପ ବସିଚି | ପରମ ଭିତରକୁ ଆସେ |
ପରମ: ଆରେ, ତମେ ଏଠି? ମୁଁ ତୁମକୁ ଘରସାରା ଖୋଜି ସାରିଲିଣି |
ଶ୍ରୀୟା (ଟିକେ ଚିଡିକି): କାଇଁ? ମତେ ମୋ ରୁମରେ ନ ଖୋଜିକି ତମେ ଘରସାରା ମତେ କାଇଁ ଖୋଜୁଥିଲ?
ପରମ: ତମେ କେବେ ଏଇ ରୁମରେ ଥାଅ କି? ତମେ ତ ସବୁବେଳେ ଏପଟେ ସେପଟେ ଦାଣ୍ଡବାଡ଼ି ବୁଲୁଥାଅ | ୟା ରୁମ ତା’ ରୁମ କଣ ଯେ ତମ ବାପା ଡାକନ୍ତି ତୁମକୁ… ହଁ ଚଞ୍ଚଳୀ | ଆଉ ତୁମକୁ ଏଇ ରୁମରେ ଖୋଜିଲେ ତୁମେ କୁଆଡୁ ମିଳ କି?
ଶ୍ରୀୟା: ହଁ ଠିକ କହୁଚ | ତୁମେ ଆଉ ମୁଁ ବେଶୀ ସମୟ ଏକାଠି କଟେଇବା ଉଚିତ | ହେଲେ ଆମେ କଟେଇ ପାରୁନେ |
ପରମ: (ଖୁସି ହେଇ) ଇସସସ… ସୂର୍ଯ୍ୟ ଆଜି କୋଉ ଦିଗରୁ ଉଦୟ ହେଇଛନ୍ତି କି? ତମେ ପୁଣି ମୋ ସାଙ୍ଗରେ ସମୟ କଟେଇବା କଥା କହିଲଣି!
ଶ୍ରୀୟା: ମତେ ଲାଗୁଚି ଆମକୁ ଏଇ ଘରେ ପ୍ରାଇଭେସି ବେଶୀ ମିଳୁନି | ଆମକୁ ବେଶୀ ପ୍ରାଇଭେସି ଦରକାର |
ପରମ: ତମେ ଏଇ ରୁମରେ ରହିଲେ ସିନା ବେଶୀ ପ୍ରାଇଭେସି ମିଳିବ | ତମେ ତ ଖାଲି ଇଆଡ଼େ ସିଆଡେ ବୁଲିବ, ଆଉ ଆମକୁ କୁଆଡୁ ପ୍ରାଇଭେସି ମିଳିବ?
ଶ୍ରୀୟା: ଆଚ୍ଛା, ଆମେ ଏକୁଟିଆ ରହିଲେ…
ପରମ: ଏକୁଟିଆ ରହିଲେ? ମାନେ?
ଶ୍ରୀୟା: (ଛେପ ଢ଼ୋକି) ନାଇଁ… ମାନେ… କୁଆଡେ ଗଲେ… ଟିକେ ଏକୁଟିଆ ରହିଲେ…!!
ପରମ: (ଜୋରରେ ହସି) ତମେ ଏକୁଟିଆ ଯିବ? ଗୋଟେ ମିନିଟ ତମେ ଚୁପ ହେଇ ରହିପାରିବନି | ତମକୁ ସବୁବେଳେ ଚାରିଆଡେ ଲୋକ ଦରକାର ଗପିବା ପାଇଁ… ତମେ ପୁଣି ଏକୁଟିଆ ରହିବ!! ହାହାହା… କି ଜୋକ୍ ମାରୁଛ ରାତି ଅଧରେ… ହଉ ଚାଲ ଶୋଇବା | ସକାଳୁ ପୁଣି ଶୀଘ୍ର ଉଠିବି | କାଲି ମୋର ଗୋଟେ ଜରୁରୀ ମିଟିଂ ଅଛି | (ପରମ ଖଟରେ ଶୋଇ ଚାଦର ଘୋଡେଇ ପଡେ)
ଶ୍ରୀୟା: ତମେ ଆଉ ତମ ମିଟିଂ!! ମୁଁ କଣ ଗୋଟେ କଥା କହୁଛି ପରା!!
(ଶ୍ରୀୟା ପରମ ଆଡକୁ ଦେଖେ | ପରମ ସେତେବେଳକୁ ଘୁଙ୍ଗୁଡ଼ି ମାରିବା ଆରମ୍ଭ କରିଦେଇଥାଏ | ଶ୍ରୀୟା ମୁହଁ ଶୁଖେଇ ଚାଦର ଭିତରେ ପଶି ମୁହଁ ଆର ପଟକୁ ବୁଲେଇ ଶୋଇପଡ଼େ)
***
ଦୃଶ୍ୟ ୨
ପରଦିନର କଥା
ସ୍ଥାନ: ଡ୍ରଇଂରୁମ, ବଡଭାଇ କାହା ସାଙ୍ଗରେ ଗୋଟେ ଫୋନରେ କଥା ହଉଛନ୍ତି | ସେ ଫୋନ ରଖନ୍ତି | ପରମ ରୁମ ଭିତରକୁ ଆସେ |
ବଡଭାଇ: ଆରେ କାଳୁ! ଗୁଣ୍ଡି ମାଉସୀ ଫୋନ କରିଥିଲା | ଡାକୁଛି | ଯିବା ଗାଁକୁ?
ପରମ: କେବେ?
ବଡଭାଇ: ଏଇ ଶୁକ୍ରବାର ଆଡକୁ | ଶନିବାର ରବିବାର ଏମିତିରେ ପଡୁଛି | ଆଉ ଏଇ ସୋମବାର ବି ସରକାରୀ ହଲି ଡେ | ଯାଇକି ଆସିଯିବା ଆଉ |
ପରମ: ମୋର ଏଇ ଶନିବାର ରବିବାର ବହୁତ କାମ ଅଛି ଭାଇ | ଯାଇ ହବନି | ଆଉ କେବେ ଯିବା?
ବଡଭାଇ: ଏଇ ରବିବାର ତାକୁ ଷାଠିଏ ବର୍ଷ ପୁରୁଚି | ସେଥିପାଇଁ ଡାକୁଥିଲା | ହଉ ଯଦି ଆମେ ଯାଇ ନ ପରିବା ମୁଁ କହିଦେବି ତାକୁ | ଆଉ କେବେ ଯିବା |
ପରମ: ହଉ ତାହେଲେ | ମୁଁ ଅଫିସ ବାହାରିଲି | ମିଟିଂ ଅଛି |
ବଡଭାଇ: ହଉ! ଯା | ବାଏ
(ପରମ ସେଇ ରୁମରୁ ଚାଲିଯାଏ | ବଡଭାଇ ପେପର ପଢିବାରେ ଲାଗନ୍ତି)
***
ଦୃଶ୍ୟ ୩
ସ୍ଥାନ: ଅତିଥି କକ୍ଷ, ନୀଳ ପିଉସୀ ଆଉ ଶ୍ରୀୟା ବସି କଥା ହଉଛନ୍ତି |
ପିଉସୀ: ତୁ ପରମକୁ ଅଲଗା ଘର କଥା କହିଲୁ?
ଶ୍ରୀୟା: ନାଇଁ | ମତେ ଖରାପ ଲାଗିଲା କହିବାକୁ | ମୁଁ କୁଆଡେ ଏକୁଟିଆ ବୁଲି ଯିବା କଥା କହିଲି ହେଲେ ସେ ମୋ କଥାକୁ ମଜାରେ ଉଡେଇ ଦେଲେ |
ପିଉସୀ: ମଜାରେ ଉଡେଇ ଦେଲା? ତା’ର ଏଡ଼େ ସାହସ? ତୁ ତାହେଲେ ତୋ ସ୍ୱାମୀକୁ ନିଜ ହାତରେ ରଖିବା ଶିଖି ପାରିଲୁନି ଲୋ ଝିଅ!
ଶ୍ରୀୟା: ସେ ବାଜେ କଥା ସବୁ ଛାଡେ | ମତେ ଶୁଣିଲେ ରାଗ ମାଡୁଚି |
ପିଉସୀ: ହଁ, ସତ କଥା ଶୁଣିଲେ ସେମିତି ରାଗ ମାଡ଼େ | ହଉ | ଯଦି ସେଇ କଥାକୁ ସେ ମଜାରେ ଉଡେଇ ଦଉଚି ତାହେଲେ ତୁ ଘରେ ଏମିତି ଅବସ୍ଥା ସୃଷ୍ଟି କରେ ଯେମିତି ସେମାନେ ନିଜେ ତତେ କହିବେ ଅଲଗା ହେଇ ଯିବାକୁ |
ଶ୍ରୀୟା: ମାନେ?
ପିଉସୀ: ଆଲୋ ହୁଣ୍ଡୀ, ପ୍ରଥମେ ଘରେ ଚୁଲି ଅଲଗା କରେ | ଥରେ ଚୁଲି ଅଲଗା ହେଲେ ଘର ଅଲଗା ହବାକୁ ବେଶୀ ସମୟ ଲାଗିବନି…
ଏତିକିବେଳେ ସେପଟୁ ମାୟା ଆସେ |
ମାୟା: ଭାଉଜ, ଆସ | ଦେଖ କିଏ ଆସିଛନ୍ତି?
ଶ୍ରୀୟା: କିଏ?
ମାୟା: ଆସୁନ ଦେଖିବ |
ଶ୍ରୀୟା: ହଉ ଅପା! ମୁଁ ଟିକେ ଆସେ |
(ଶ୍ରୀୟା ମାୟା ସାଙ୍ଗରେ ବାହାରକୁ ଯାଏ | ନୀଳ ପିଉସୀ ଖଟ ଉପରେ ବସି ପାନ ଚୋବେଇବାରେ ଲାଗନ୍ତି )
***
ଦୃଶ୍ୟ ୪
ସ୍ଥାନ: ଡ୍ରଇଂରୁମ, ସେଠି ବସିଥାନ୍ତି ଜଣେ ବୟସ୍କା ବୁଢ଼ୀ ଲୋକ | ପ୍ରାୟ ୭୫-୭୬ ଖଣ୍ଡେ ହବ ବୟସ | ହେଲେ ଭାରି ଚଳଚଂଚଳ ଲାଗୁଥାନ୍ତି |
ବଡଭାଇ: ଆସେ ଶ୍ରୀୟା, ଇଏ ହେଲେ ଆମ ନେତ ଆଇ, ଆମ ବୋଉର ମାଉସୀ | ଆସେ ମୁଣ୍ଡିଆ ମାରେ | ଇଏ ହେଲା ତାଙ୍କ ନାତି ରାଜେଶ | ୟାକୁ ବି ମୁଣ୍ଡିଆ ମାରେ | ତୋଠୁ ବଡ ହବ |
ଶ୍ରୀୟା ଦୁହିଁଙ୍କୁ ମୁଣ୍ଡିଆ ମାରେ |
ରାଜେଶ: ହଉ ଭାଇ, ମୁଁ ଆସୁଛି ଏବେ | ନହେଲେ ଡେରି ହେଇଯିବ ମୋର | ଏମିତିରେ ଲେଟ ହେଲାଣି |
ବଡଭାଇ: ଆରେ, ଏମିତି କିଛି ନ ଖାଇ?
ରାଜେଶ: ନାଇଁ ନାଇଁ | ପରେ ଖାଇବି | ଏବେ ଆସୁଛି | ଦି ଦିନ ପରେ ଆଈକୁ ଆସି ନେଇଯିବି |
ବଡଭାଇ: ହଉ |
ସମସ୍ତଙ୍କୁ ନମସ୍କାର କରି ରାଜେଶ ଚାଲିଯାଏ |
ବଡଭାଇ: ଶ୍ରୀୟା, ଆଈ ଏଠି ଦୁଇଦିନ ରହିବ ଏବେ |
ଆଈ: ଆଲୋ ଆଲୋ ଇଏ ମୁଣ୍ଡରେ ଓଢଣା ନ ଦେଇ କି ବୋହୁ ବା?
(ଶ୍ରୀୟା ମାୟାକୁ ଦେଖେ | ମାୟା ଶ୍ରୀୟାକୁ ଦେଖେ)
ଆଈ: ଆସିଲୁ, ମୋ ପାଖେ ଟିକେ ବସିଲୁ | ହେଲେ ଆଗ ଯା ସେ ମୁଣ୍ଡରେ ଓଢଣାଟେ ଦେଇଆସେ | ଘରେ ଦେଢଶୁରଟିଏ ଅଛି | ତୁ ଏମିତି କଣ ମୁଣ୍ଡ ନଙ୍ଗଳା କରି ବୁଲୁଛୁ ବା?
(ବଡଭାଇ କିଛି କହି ପାରନ୍ତି ନାହିଁ | ଶ୍ରୀୟା କିଛି ନ କହି ସେଠୁ ଚାଲିଯାଏ | କିଛି ସମୟ ପରେ ମୁଣ୍ଡରେ ଓଢ଼ଣୀଟିଏ ପକେଇକି ଆସେ)
ଆଈ: ହଁ, ଏଇଠି ମୋ ପାଖେ ବସେ |
ଶ୍ରୀୟା ଆଈ ପାଖରେ ବସେ |
ଆଈ: ତୋ ବାହାଘର ବେଳକୁ ମୋ ଦିହ ଖରାପ ଥିଲା | ଆସି ପାରିନଥିଲି | ଦେଖେ ତତେ ଟିକେ ଭଲ ରେ!
ଶ୍ରୀୟା କିଛି କୁହେନି | ଟିକିଏ ହସିଦିଏ |
ଆଈ: ଆଲୋ ତୁ ଟିକିଏ ଟେରି ଅଛୁ କି? ଆରେ ବଳିଆ, ସେ କଟକୀ ଝିଅ ପ୍ରସ୍ତାବ ମୁଁ ଯୋଉ ପଠେଇଥିଲି ତାକୁ ମନା କରି ଆମ କାଳୁ ପାଇଁ ଏଇ ଟେରି ବୋହୁ ପାଇଲୁ?
ବଡଭାଇ: ଆଈ, ତୁ କୋଉ କାଳ କଥା ଏବେ ଉଠଉଛୁ | ଚାଲେ ଚାଲେ… ଟିକେ ରେଷ୍ଟ ନେ |
ଆଈ: ରହ ବା, ବୋହୁ ସାଙ୍ଗେ ଟିକିଏ କଥା ହବାକୁ ଦେ | (ଶ୍ରୀୟାକୁ ଚାହିଁ) ଆଉ ମତେ ଅଣ ନାତି ନାତୁଣୀ ମୁହଁ କେବେ ଦେଖେଇବୁ?
(ଶ୍ରୀୟା ପୁଣି ମାୟାକୁ ଚାହେଁ)
ମାୟା: ଆଈ, ଏସବୁ କଥା ପରେ ହବୁ | ଚାଲେ ଏବେ କିଛି ଖାଇନବୁ |
ଆଈ: ଆଲୋ ତୁ ତୋର ଏଇ ଭାଉଜର ଓକିଲ କି? ଆଉ ଇଏ କି ଲୁଗା ପିନ୍ଧିଚୁ? ଏବେ ବି ନିଜକୁ ଛୁଆ ଭାବିଛୁ କି? ଘରେ ତିନି ତିନିଟା ଅଣ୍ଡିରା ଲୋକଙ୍କ ଆଗରେ ଏ ସବୁ କଣ ଛୋଟିଆ ଛୋଟିଆ ଲୁଗା ପିନ୍ଧି ଘରେ ବୁଲୁଛୁ? ସିଏ ଭାଇ ହଉ କି ଯିଏ କେହି! ଆଉ ଉପରୁ ଏଇ ବୋହୁକୁ ଦେଖୁନ! ହାତକଟା ଡ୍ରେସ ପିନ୍ଧି ବୁଲୁଚି | ଗାଁକୁ ଯାଇ ଦେଖ | ଆମ ବୋହୁ ମାନଙ୍କର ପଚାଶ ବର୍ଷ ବୟସ ହେଇଗଲା ପଛେ ଆଜିଯାଏଁ ମୁଣ୍ଡରୁ ଓଢଣା ଖସିନି |
ବଡଭାଇ: (ମଝିରେ ପଡି) ଆଉ ଆଈ, କହ | ଗାଁରେ ସବୁ କେମିତି ଅଛନ୍ତି? ଚାଲେ ଭିତରକୁ ଚାଲେ | ସବୁ କହିବୁ |
(ବଡଭାଇ ଆଈକୁ ନେଇ ଭିତରକୁ ଚାଲିଯାନ୍ତି)
***
ଦୃଶ୍ୟ ୫
ସ୍ଥାନ: ଡାଇନିଂ ହଲ, ଡାଇନିଂ ଟେବୁଲ ଉପରେ ସମସ୍ତେ ବସିଛନ୍ତି | ଶ୍ରୀୟା ପାଖରେ ଠିଆ ହେଇଚି | ନୀଳ ପିଉସୀ ନେତ ଆଈକୁ ଭେଟିସାରି ନିଜ ରୁମରେ ଗଡ଼ପଡ଼ ହଉଛନ୍ତି |
ଆଈ: ଏଇ ତରକାରୀ କଣ ବୋହୁ ତିଆରି କରିଛି?
ଜୟ: ହଁ |
ଆଈ: ଛିଆ ଲୋ… ଏଗୁଡା କିଏ ମଣିଷ ଖାଆନ୍ତି?
ମାୟା: ଆଈ, ଭାଉଜ ଏତେ ଭଲ ରାନ୍ଧନ୍ତି ଯେ ତାଙ୍କୁ ଟିଭିବାଲା ଇଣ୍ଟରଭିଉ ପାଇଁ ଡାକନ୍ତି |
ଆଈ: ରଖେ ସେ ରାନ୍ଧଣା! ଆଜିକା ଝିଅ ତ ରାନ୍ଧିବା ଆଉ ଶିଖିଲେନି | ସେଇ ଭିତରେ ଇଏ ଯାହା ରାନ୍ଧିଲା ସବୁ କହିଲେ ଭଲ ଆଉ କଣ!
ମାୟା: ନାଇଁ ମ ଆଈ |
ଆଈ: ତୁ ଚୁପ କରେ |
(ଶ୍ରୀୟା ଭାତ ଆଣିବାକୁ ରୋଷେଇଘର ଭିତରକୁ ଯାଏ)
ଆଈ: ଆଉ ସେ ବୋହୁର ପିଉସୀ କେବେ ଯିବ? ବୋହୁ ଘର ଲୋକଙ୍କୁ କିଏ କେବେ ଏମିତି ମୁଣ୍ଡରେ ବସେଇ ରଖେ? ପୁଣି ତାକୁ ଅଲଗା ରୁମରେ ଦେଇ ମତେ ମାୟା ସାଙ୍ଗେ ରଖିଛୁ |
ବଡଭାଇ: ଆଈ, ତୁ ଚୁପ କର | ଶ୍ରୀୟା ଶୁଣିଲେ ଖରାପ ଭାବିବ |
ଆଈ: ସେ ବୋହୁ | ସେ ଖରାପ ଭାବିଲେ କଣଟା ଭାସିଗଲା?
(ସେପଟୁ ଶ୍ରୀୟା ଆସେ)
ବଡଭାଇ: ଶ୍ରୀୟା, ତୁ ଏଠି ବସିପଡ଼େ ଖାଇବାକୁ |
ଆଈ: ଏଁ… ସିଏ ତୋ ସାଙ୍ଗରେ ଗୋଟେ ଟେବୁଲରେ ବସିବ ଖାଇବାକୁ? କଣ ମୁଣ୍ଡ ଖରାପ ନା କଣ? ସମସ୍ତେ ଖାଇସାରିଲା ପରେ ସେ ଖାଇବ |
(ଶ୍ରୀୟା ସେଠୁ ଚାଲିଯାଏ)
ବଡଭାଇ: ହେଲେ ଆମେ ସବୁବେଳେ ଏକ ସାଙ୍ଗେ ଖାଇବାକୁ ବସୁ |
ଆଈ: ସେଇଆ ତ ହେଲା ଅସୁବିଧା | ମାୟା ତୁ ଖା… କହିଲି ପରା ଖା | ତୋ ଭାଉଜ ପରେ ଖାଇବ | ଘରେ ଗୁରୁଜନ ଲୋକ ନାହାନ୍ତି ବୋଲି ସବୁବେଳେ ଗୋଟେ ନାଟ ତାମସା ଚାଲିଛି | ସଣ୍ଠଣା ବୋଲି କିଛି ନାହିଁ ଘରେ | ତୋ ସ୍ତ୍ରୀ ବି ସେଇମିତି ଥିଲା | ଏଠୁ ଲୁଚିକି ଯାଇ ଦୂରରେ ବସିଛି ଯେ ତା ଗୁଣ ଦୁର୍ଗୁଣ ଆଉ କିଛି ଜଣାପଡୁନି | ହେଲେ ସାନ ଖଣ୍ଡିକକୁ ମୁଁ ଠିକ କରିବି ରୁହ |
ବଡଭାଇ: ଆଈ, ସେମିତି କାଇଁ କହୁଚୁ? କାଳୁ ଆସୁଥିବ | ସେ ଶୁଣିଲେ ଖରାପ ଭାବିବ |
ଆଈ: ଆସୁ | ଶୁଣୁ | ସେ ବି ଜାଣୁ ତା’ ସ୍ତ୍ରୀର ଗୁଣ |
(କିଛି ସମୟପରେ ବଡଭାଇ ଆଉ ମାୟାର ଖାଇବା ସରିଯାଏ | ଶ୍ରୀୟା ସେତିକିବେଳେ ଆମ୍ବ କାଟିକି ନେଇକି ଆସେ)
ଶ୍ରୀୟା: ଆଈ, ଆମ୍ବ ନିଅନ୍ତୁ |
ଆଈ: ହଉ ଦେ | ଆଉ ହେଇଟି | ଆଉ ହଁ ଏମାନଙ୍କ ଖାଇବା ସରିଗଲା | ଏମାନଙ୍କ ବାସନ ଉଠେଇକି ନେ |
ମାୟା: ଆଈ, ଆମ ବାସନ ଆମେ ଉଠଉ |
ଆଈ: ରଖେ ମ ସେ ନିୟମ ସବୁ |
ବଡଭାଇ: ଆରେ, ଆମ ଅଇଁଠା ବାସନ ଶ୍ରୀୟା କାଇଁ ଉଠେଇବ?
ଆଈ: ନଣନ୍ଦ ଦିଅର ଦେଢଶୁରର ଅଇଁଠା ବାସନ ଉଠେଇବନି ସେ କି ବୋହୁ ବା? ମତେ ତା’ ବାହାଘର ପରେପରେ ହିଁ ଆସି ଏଠି ମାସେ ରହି ତାକୁ ଘରର ଚଳଣି ଶିଖେଇବାର ଥିଲା | ତମେ ମାନେ ତ ଝିଅ ବୋହୁ ଭିତରେ କିଛି ବାଛ ବିଚାର ହିଁ ରଖିନ | ସେମିତି ହେଲେ କଣ ଘରେ ଚଳେ?
ବଡଭାଇ: ଆଈ, ସେମିତି କିଛି ନୁହେଁ |
ଆଈ: ସେମିତି ନୁହେଁ ଆଉ କଣ? ବୋହୁକୁ ଆଜି ମୁଣ୍ଡରେ ବସେଇଲେ କାଲିକି ନାତ ମାରିବ ବୋଲି ଶାସ୍ତ୍ରରେ ଲେଖା ଅଛି | ଜାଣିନୁ?
ମାୟା: କୋଉ ଶାସ୍ତ୍ର ସେଇଟା?
ଆଈ: ଚୁପ | ଆଉ ରଖେ ତୋ ଭାଉଜ ସୁଆଗ | ଯେବେ ତତେ ଦବ ଭଲକିନି ଖୁନ୍ଦେ ସେଦିନ ଜାଣିବୁ |
(ସେପଟୁ ଅତିଥି କକ୍ଷରୁ ଆସନ୍ତି ନୀଳ ପିଉସୀ )
ପିଉସୀ: ବଡ ସମୁଦୁଣୀ, କ୍ଷମା କରିବ ହେଲେ ଆମ ଝିଅକୁ ଆମେ ସେମିତି ସଂସ୍କାର ଦେଇନୁ |
ଆଈ: ଆଉ କୁହନି ହେ ସମୁଦୁଣୀ | ତା’ ଢଙ୍ଗରଙ୍ଗ ବେଶ ପୋଷାକରୁ ଆମେ ଜାଣିପାରୁଛୁ କେମିତି ସଂସ୍କାର ଦେଇଛ ତମ ଘରେ |
ପିଉସୀ: ଆଉ ତମ ଘର? ତମ ଝିଅକୁ କି ସଂସ୍କାର ଦେଇଛ ବା? କୋଉ କାମ କରିକି କୋଉ ରାନ୍ଧିବାଢିକି ଘର ମୁଣ୍ଡେଇ ପକେଇଚି କି ସିଏ?
ଆଈ: ସିଏ କାଇଁ ଘର ମୁଣ୍ଡେଇବ ବା? ସେ କଣ ଘରର ବୋହୁ ହେଇଚି ନା କଣ?
ପିଉସୀ: ଘରର ଝିଅ ଘରେ କାମ ନ ଶିଖିଲେ ଶାଶୂଘରକୁ ଯାହା ମୁଣ୍ଡେଇବା ଆମେ ଭଲରେ ଦେଖିପାରୁଛୁ |
ଶ୍ରୀୟା: ଅପା, ଚୁପ ହେଇ ଯା |
ପିଉସୀ: ରହ ମ | କାଇଁ ଚୁପ ହେବି ମୁଁ? ଏଇ ବଡ ସମୁଦୁଣୀ ଅସିଲାବେଳଠୁଁ ମୁଁ ଶୁଣୁଛି ତତେ ଏଟାସେଟା କହି ଖୁଣ୍ଟା ଦେଇଚାଲିଛନ୍ତି | ମୁଁ କାଇଁ ଚୁପ ହେବି?
ଆଈ: ହଁ, ତମ ଝିଅକୁ ଖୁଣ୍ଟା ଦରକାର | ସେଥିପାଇଁ ଦେଲି ମୁଁ | କରଣ ଘର ଝିଅ | ମୁଣ୍ଡରେ ଓଢଣା ନାହିଁ | ଚାଲିରେ ଢଙ୍ଗ ନାହିଁ | ସତରେ କରଣ ଘର ନା ତା’ ମା ଆଉ କୋଉ ଘର ଝିଅ ବା!
ଶ୍ରୀୟା: (ଖୁବ ଜୋରରେ ରାଗି) ଆଈ, ମୋ ମାମାକୁ କିଛି କୁହନ୍ତୁନି |
(ସେତିକି ବେଳେ ସେପଟୁ ପରମ ଆସେ | ଶ୍ରୀୟାକୁ ନେତ ଆଈକୁ ଏମିତି କହିବା ଦେଖି ସେ ରାଗିଯାଏ)
ପରମ: ଶ୍ରୀୟା, ଆଈକୁ ତମେ ଏମିତି କଣ କହୁଚ? ଆଜିଯାଏଁ ଆମେ କେହି ତା’ ମୁହଁରେ କଥା କହିନୁ |
ଶ୍ରୀୟା: ତମେ ଜାଣିନ ସେ କଣ କଣ କହୁଛନ୍ତି |
ପରମ: ମୋର କିଛି ଜାଣିବା ଦରକାର ନାହିଁ | ତମେ ଚୁପଚାପ ତାକୁ କ୍ଷମା ମାଗ |
ପିଉସୀ: ହେଲେ ଶ୍ରୀୟାର କିଛି ଭୁଲ ନାହିଁ | ସେ କାହିଁ କ୍ଷମା ମାଗିବ? ଓଲଟା ତମର ପୁରା ଘର ଶ୍ରୀୟା ମନରେ ଦୁଃଖ ଦେଇଛ ବୋଲି ତାକୁ କ୍ଷମା ମାଗିବା କଥା |
ପରମ: ଅପା, ଆପଣ ଚୁପ ରୁହନ୍ତୁ | ମୁଁ ଶ୍ରୀୟା ସାଙ୍ଗରେ କଥା ହଉଚି |
ପିଉସୀ: ମୁଁ କାଇଁ ଚୁପ ରହିବି? ଆମ ଝିଅ ମା’ଛେଉଣ୍ଡ ଆଉ ତା’ ବାପା ଶାନ୍ତ ସରଳ ବୋଲି ତାକୁ ଯାହା ନାହିଁ ସେଇୟା କହିବ? ତା’ ମା ନଥିଲେ ବି ତା’ ପିଉସୀ ଅଛି |
ବଡଭାଇ: ଅପା, ଆପଣ ଟିକେ ଶାନ୍ତ ହୁଅନ୍ତୁ | କାଇଁ ଛୋଟ କଥାକୁ ଏତେ ବଡ କରିବା?
ପିଉସୀ: ଛୋଟ କଥା? କୋଉଟା ଛୋଟ କଥା ବା? ଆମ ଝିଅ ତମ ଘରେ ବେଠି ଖଟିବା କଣ ଛୋଟ କଥା?
ଆଈ: ସେ ବେଠି କେତେବେଳେ ଖଟିଲା ବା? କାମଦାମ ପାଇଁ ତ ଚାକର ଯୋଗେଇ ଦିଆଗଲା ତାକୁ | ଆଉ ସେ ବେଠି ଖଟିଲା କେତେବେଳେ? ମୁଁ ଏଠି ଥିଲେ ତାକୁ କହିଥାନ୍ତି ବେଠି କାହାକୁ କୁହନ୍ତି! ଉପରମୁହିଁ | ତମେ ସବୁ ହିଁ ତାକୁ ଏମିତି ମୁହଁ ଦେଇଛ |
ମାୟା: ଓହୋ ଆଈ, ତୁ ଚୁପ କଲୁ ଟିକେ |
ଆଈ: ହଁ, ହଁ | ଏତେ ଦିନକେ ତମ ଘରକୁ ଆସିଲି | କାଇଁକି ମୋ ମୁହଁ ଚୁପ ନ କରେଇବୁ! (ଆଈ ଶାଢ଼ୀ କାନି ମୁହଁରେ ଦେଇ ସକେଇ ହୁଏ)
(ଶ୍ରୀୟା ଏପଟେ କାନ୍ଦିବା ଆରମ୍ଭ କରେ | ମାୟା ତା’ ପାଖକୁ ଆସେ ଆଉ ତା କାନ୍ଧରେ ହାତ ରଖେ | ଶ୍ରୀୟା ଦୌଡ଼ିକି ନିଜ ରୁମକୁ ଯାଏ | ମାୟା ତା’ ପଛରେ ଯାଏ)
ମାୟା: ଭାଉଜ, ଭାଉଜ |
ଶ୍ରୀୟା: (କବାଟ ସାମ୍ନାରେ ଠିଆ ହେଇ କାନ୍ଦିକାନ୍ଦି) ମୋର କାହା ସାଙ୍ଗରେ କଥା ହବାର ନାହିଁ |
(ଶ୍ରୀୟା ଜୋରରେ କବାଟ ଦେଇଦିଏ | ମାୟାର ଓଠ ଥରେ | ସେ ବି କାନ୍ଦିବା ଆରମ୍ଭ କରିଦିଏ | ଜୟ ସେଠିକି ଆସେ )
ଜୟ: ତମର କଣ ହେଲା?
ମାୟା: (କାନ୍ଦିକାନ୍ଦି) ଭାଉଜ ମୋ ମୁହଁ ଉପରେ କବାଟ ଦେଇଦେଲେ |
(ମାୟା କାନ୍ଦିକାନ୍ଦି ଦୌଡ଼ିକି ନିଜ ରୁମକୁ ଚାଲିଯାଏ | ଜୟ ମୁଣ୍ଡରେ ହାତ ଦେଇ ବସିପଡ଼େ |
***
ଦୃଶ୍ୟ ୬
ସ୍ଥାନ: ଶ୍ରୀୟାର କକ୍ଷ, ଶ୍ରୀୟା ଆଉ ନୀଳ ପିଉସୀ |
ପିଉସୀ: ନାତୁଣୀ ବୋହୂକୁ ଲୋକେ କେତେ ଗେଲ କରନ୍ତି | ଆଉ ଇଏ ଗୋଟେ ଆଈ ଶାଶୁ! ଛା!! ଏଇ ଘରେ ତୋର ଜମା ରହିବାର ଦରକାର ନାହିଁ | ବ୍ୟାଗ ସଜାଡ଼େ | ଏବେ ତମ ଘରକୁ ଚାଲିଯିବା | ଏମିତି ଘରେ ମଣିଷ ରୁହନ୍ତି?? ତୋ ବାପା ତୋ ପିଉସୀ ସମସ୍ତେ ବଞ୍ଚିଛନ୍ତି | ଚାଲ ଏଠୁ ପଳେଇବା |
ଶ୍ରୀୟା କିଛି ନ କହି ନିଜ ବ୍ୟାଗରେ ଜିନିଷ ପତ୍ର ପ୍ୟାକ କରେ | ନୀଳ ପିଉସୀ ବାହାରେ ଯାଇ ଦେଖନ୍ତି | ବଡଭାଇଙ୍କ ରୁମରେ ନେତ ଆଈକୁ ବୁଝଉଛନ୍ତି ଦୁଇଭାଇ | ମାୟା ନିଜ ରୁମରେ କାନ୍ଦୁଚି ଆଉ ଜୟ ବାରିପଡେ ମୁହଁ ଶୁଖେଇ ବସିଛି |
ପିଉସୀ: ବାହାରେ କେହି ନାହାନ୍ତି | ଚାଲ ଯିବା |
ଶ୍ରୀୟା ଚୁପଚାପ ଘରୁ ବାହାରିଯାଏ | ପଛେ ପଛେ ନିଜ ବ୍ୟାଗ ଧରି ଚାଲନ୍ତି ନୀଳ ପିଉସୀ |
(ଭାଗ ବାର ସମାପ୍ତ)
ଅଧ୍ୟାୟ ୧୩- ଘରଯୋଡ଼ା ଉପାଖ୍ୟାନ
ଆଜିର ଚରିତ୍ର
ବଡଭାଇ: ଘରର ମୁରବୀ ଶଙ୍କର୍ଷଣ ଚୌଧୁରୀ, ବୟସ ୩୬
ସାନଭାଇ: ପରଂବ୍ରହ୍ମ ଚୌଧୁରୀ ଓରଫ ପରମ ବୟସ ୩୧
ଶ୍ରୀୟା ପରିଜା ଚୌଧୁରୀ: ଘରର ସାନବୋହୁ, ଫୁଡ ବ୍ଲଗର, ବୟସ ୨୮
ବରୁଣ ପରିଜା: ଶ୍ରୀୟାର ବାପା, ବୟସ ୫୮
ନୀଳ ପିଉସୀ: ଶ୍ରୀୟାର ପିଉସୀ, ବୟସ ୫୯
ଜୟ: ଘରର ଚାକର ପ୍ଲସ ରୋଷେଇଆ, ବୟସ ୩୪
ଶଙ୍କରା: ବରୁଣ ବାବୁଙ୍କ ଚାକର, ବୟସ ୪୦
ଘରଯୋଡ଼ା_ଉପାଖ୍ୟାନ
ଦୃଶ୍ୟ ୧
ସ୍ଥାନ: ନୀଳାଚଳ ପ୍ରାସାଦ, ସ୍ଥାନ: ପରମର ଶୟନ କକ୍ଷ, ପରମ ବସିଛି | ପାଖରେ ଜୟ |
ପରମ: ସେ କାହାକୁ କିଛି ନ କହି ଗଲା କେମିତି?
ଜୟ: ଆମେ କେହି ନ ଥିଲେ ସେତେବେଳେ ଡ୍ରଇଂରୁମରେ | ସେ ଚାଲିଗଲେ | ତାଙ୍କ ଫୋନ ବି ସ୍ବିଚ ଅଫ |
ପରମ: (ରାଗିକି) ତମେ କାଇଁ କଲ କରୁଥିଲ ତାକୁ?
ଜୟ: ବଡଭାଇ କହିଲେ | ସେ ଆଗ ଫୋନ କଲେ | ହେଲେ ଭାଉଜ ଉଠେଇଲେନି | ବଡ ଭାଉଜଙ୍କୁ ବି ସବୁ କହିଲି ମୁଁ | ସେ ବି ଫୋନ କଲେ ସାନ ଭାଉଜଙ୍କୁ | ତାଙ୍କ ଫୋନ ବି ଉଠେଇଲେନି |
ପରମ: ବଡଭାଇ ଆଉ ଭାଉଜଙ୍କର ଫୋନ ଉଠେଇଲାନି ସେ? ତା’ର ଏତେ ସାହସ?
ଜୟ: ସାନଭାଇ, ତମେ ବି କିଛି କଥା ନ ଜାଣି ରାଗୁଚ | ତମେ ଜାଣିନ ନେତଆଈ ସାନ ଭାଉଜଙ୍କୁ କେତେ କଥା କହିଲେ |
ପରମ: ଜୟନା, ଶ୍ରୀୟା କାହାକୁ କିଛି ନ କହି ଘର ଛାଡି ଯାଇଛି | ତମେ ଏବେ ତା’ ସାଇଡ ନେଇ କଥା କୁହନି |
ଜୟ: ହଉ | ତମେ ଯାହା ଠିକ ଭାବୁଛ କର | ମୁଁ ଆଉ କଣ କହିବି |
ପରମ: ବଡଭାଇ ନେତ ଆଈକୁ ଛାଡିକି ଆସିଲେଣି?
ଜୟ: ନାଇଁ ଏବେଯାଏଁ ଆସି ନାହାନ୍ତି | ସେ ଆଈ ବି ଖଣ୍ଡେ ଭଲ ଲୋକ | ଘରେ ନାଟ ଲଗେଇ ଆଜି କହିଲେ କଣ ନା ମୁଁ ଯିବି ମୁଁ ଯିବି, ମତେ ଛାଡିଦିଅ ନେଇକି | ବୋଧେ ଏଇ ନାଟକ କରିବାକୁ ଆସିଥିଲେ ସେ |
ପରମ: ଜୟନା!
ଜୟ: ହଉ ହଉ | ମୁଁ ଯାହା କହିଲେ ତମେ ଚିଡୁଚ | ମୁଁ ଯାଉଛି |
(ଜୟ ଚାଲିଯାଏ | ପରମ ସେମିତି ରାଗିକି ଖଟ ଉପରେ ବସିଥାଏ)
***
ଦୃଶ୍ୟ ୨
ସ୍ଥାନ: ବରୁଣ ବାବୁଙ୍କ ବାସଭବନ, ବରୁଣ ବାବୁ ଘରେ ନାହାନ୍ତି | ଶ୍ରୀୟା ବସିଛି | ପାଖରେ ନୀଳ ପିଉସୀ |
ଶ୍ରୀୟା: ବାପା କେତେବେଳେ ଫେରିବେ?
ଶଙ୍କରା: କହି ତ ନାହାନ୍ତି | ତାଙ୍କ ଫୋନ ବି ଲାଗୁନି |
ପିଉସୀ: ହ ମ | ସେ ନଥାଉ | ତୋ ଘର ଏଇଟା | ତୁ ଆରାମରେ ରହ |
ଶଙ୍କରା: କଣ ହେଲା କି ଅପା? ଭାଇନା କାହାନ୍ତି?
ଶ୍ରୀୟା: (ମୁହଁ ଶୁଖେଇ) ନାଇଁ କିଛି ନାହିଁ | ବାପା ଆସନ୍ତୁ |
ପିଉସୀ: ଆରେ ଶଙ୍କରା, ଆମ ପାଇଁ ଟିକେ ସର୍ବତ କରିକି ଆଣ |
ଶଙ୍କରା: ହଉ |
ଶଙ୍କରା ଚାଲିଯାଏ | ସେତିକିବେଳେ ନୀଳ ପିଉସୀର ଫୋନ ଆସେ |
ପିଉସୀ: (ଫୋନରେ) ହଁ, କଣ କହିଲୁ? ଗାଡି ପଠେଇବୁ? ଆଚ୍ଛା ହଉ | ନାଇଁ ନାଇଁ… ମୁଁ ଏବେ ବରୁଣ ଘରେ… ବରୁଣର ଆଡ୍ରେସ ତ ତୁ ଜାଣିଚୁ | ହଁ ସେଠିକି ଗାଡି ପଠେଇ ଦବୁ | ହଉ ରହିଲି… ବାଏ |
ପିଉସୀ: (ଶ୍ରୀୟାକୁ) ଆଲୋ ଶ୍ରୀୟା | ମୁଁ ବାହାରିବି ଆଉ ଟିକିଏ ପରେ |
ଶ୍ରୀୟା: (ଅବାକ ହେଇ) କୁଆଡେ ଯିବୁ?
ପିଉସୀ: ମୋ ସାଙ୍ଗର ପା ଝିଅ ବାହାଘର | ଆଜି ତା’ର ମେହେନ୍ଦି | ସେଇଥିପାଇଁ ପରା ମୁଁ ଆସିଥିଲି ଏଠିକି | ଭୁଲିଗଲୁ?
ଶ୍ରୀୟା: ତୁ ଏଠି ଏବେ ମତେ ଏକା ଛାଡିକି ଚାଲିଯିବୁ?
ପିଉସୀ: ଏଇଟା ପା ତୋ ଘର | ତତେ ଏଠି ଏକା ଛାଡ଼ିବି କଣ?
ଶ୍ରୀୟା: ତୁ ନ ଗଲେ ହବନି?
ପିଉସୀ: କି କଥା! ଛ’ ମାସ ତଳୁ ଆମର ସବୁ ପ୍ଲାନ ସରିଛି | ମୋର କେତେ ସାଙ୍ଗ ଆସିଥିବେ | ଯିବିନି କେମିତି? ମେହେନ୍ଦି ହବ | କେତେ ନାଚଗୀତ ହବ |
ଶ୍ରୀୟା: ତୁ ସତରେ ଯିବୁ? ହଉ ଯା |
ପିଉସୀ: (ଆଟାଚିରୁ ଗୋଟେ ଶାଢ଼ୀ ବାହାର କରି) ହଉ… ଦେଖିଲୁ… ଏଇ ଶାଢ଼ୀ କେମିତି ଦିଶିବ ଆଜି ପାଇଁ?
ଶ୍ରୀୟା (ଆଶ୍ଚର୍ଯ୍ୟ ହେଇ ପିଉସୀକୁ ଦେଖେ): ହଁ ଭଲ ଦେଖାଯିବ |
ପିଉସୀ: ଆଉ ଏଇ ହାର? ଏଇ ହାର କେମିତି ଦିଶିବ କହିଲୁ?
ଶ୍ରୀୟା: ଅପା, ତୁ ଯାହା ପିନ୍ଧୁଚୁ ପିନ୍ଧେ | ମୋ ମୁଣ୍ଡ ବିନ୍ଧୁଚି | ମୁଁ ଶୋଉଚି ଟିକେ | ତୋ ଗାଡି ଆସିଲେ ତୁ ଚାଲିଯିବୁ |
ପିଉସୀ: ଆଲୋ ଏମିତି କଣ ହଉଛୁ? ଏମିତି କଣ ବଡ଼କଥା ହେଇଯାଇଛି ଯେ? ସେ ପୁରା ଚୌଧୁରୀ ବଂଶ ତୋ ଗୋଡ ତଳେ ପଡିବେ ଆସି | ତୁ ଏମିତି ମୁହଁ ଶୁଖେଇଲେ ହବ?
ଶ୍ରୀୟା: ହଉ ତୁ ଯା | ମୁଁ ଶୋଇଲି |
(ଶ୍ରୀୟା ଚାଦର ଘୋଡ଼ି ଶୋଇପଡ଼େ | ପିଉସୀ ସଜବାଜ ହବାକୁ ଯାଆନ୍ତି)
***
ଦୃଶ୍ୟ ୩
ସ୍ଥାନ: ବଡଭାଇଙ୍କ କୋଠରୀ, ବଡଭାଇ ଫୋନରେ କଣ ଦେଖୁଛନ୍ତି | ପରମ ଆସେ |
ପରମ: ଭାଇ!
ବଡଭାଇ: କଣ ହେଲା?
ପରମ: ମାଉସୀ ଘରକୁ ଯିବା ପରା ବାହାର |
ବଡଭାଇ: କଣ ହେଲା? ତୋର ତ ଛୁଟି ନଥିଲା ପରା?
ପରମ: ମୁଁ ଛୁଟି ନେଇଗଲି | ଚାଲ ଯିବା | ମାୟାକୁ ବି କହିଦିଅ |
ବଡଭାଇ: ଶ୍ରୀୟାକୁ ସେପଟୁ ନେଇଯିବା ତ?
ପରମ: ଶ୍ରୀୟା ଯିବନି |
ବଡଭାଇ: (ଆଶ୍ଚର୍ଯ୍ୟ ହେଇ) କଣ ହେଲା? ଶ୍ରୀୟା ଯିବନି? କାହିଁକି?
ପରମ: କାହିଁକି ନା ସେ ଜାଣିନି ଯେ ଆମେ ଯାଉଛୁ!
ବଡଭାଇ: ତୁ କଣ ସବୁ କହୁଚୁ ମୁଁ କିଛି ବୁଝି ପାରୁନି |
ପରମ: ତମେ କିଛି ବୁଝିବା ଦରକାର ନାହିଁ | ମୁଁ ଯାହା କହୁଛି କର | ଆମେ ଏବେ ହିଁ ମାଉସୀ ଘରକୁ ଯାଉଛୁ | ସୋମବାର ଦିନ ଫେରିବା | ଆଉ ଯଦି ଶ୍ରୀୟାକୁ ଫୋନ କରି ତମେ କିଛି କହିଥିବ ତାହେଲେ ଦେଖିବ ମୋ ରୂପ!
ବଡଭାଇ: ଆରେ ବାପରେ ବାପ! ଯାହା ଘରେ ହେଲା ସେଇଟା କିଛି ଠିକ ହେଲାନି | ଆମେ ଯାଇ ଶ୍ରୀୟକୁ ନେଇ ଆସିବା କଥା | ଉପରୁ ତୁ ସେ ଝଗଡାକୁ ଆଉରି ବଢଉଚୁ |
ପରମ: କିଛ ଝଗଡାକୁ ବଢାଉନି କରୁନି ମୁଁ | ବାସ ସେ ଯିବନି ମାନେ ସେ ଯିବନି | ତମକୁ ଯଦି ଯିବାର ଅଛି ତାହେଲେ ବାହାର ନହେଲେ ମୁଁ ଏକୁଟିଆ ଚାଲିଯିବି |
ବଡଭାଇ: ହଉ ହଉ | ମୁଁ ବାହାରୁଚି | ଯିବା | ହେଲେ ତୁ କିଛି ଠିକ କରୁନୁ |
ପରମ: ମୁଁ ସବୁ ଠିକ କରୁଚି | ମାୟାକୁ କହ ସେ ବାହାରିବ |
ବଡଭାଇ: ହଉ |
(ପରମ ରୁମରୁ ବାହାରି ଯାଏ | ବଡଭାଇ କିଛି ଭାବି ଶ୍ରୀୟାକୁ ଫୋନ ଲଗାନ୍ତି | ଶ୍ରୀୟାର ଫୋନ ସ୍ବିଚ ଅଫ ଆସେ | ବଡଭାଇ ଫୋନ ରଖି ଦିଅନ୍ତି )
***
ଦୃଶ୍ୟ ୪
ସ୍ଥାନ: ବରୁଣ ବାବୁଙ୍କ ବାସସ୍ଥାନ, ଡାଇନିଂ ହଲରେ ବରୁଣ ବାବୁ ଆଉ ଶ୍ରୀୟା ବସିଛନ୍ତି | ଶ୍ରୀୟା ମୁଣ୍ଡପୋତି ବସିଛି |
ବରୁଣ: ତୁ ଶେଷରେ ଏଇଆ କଲୁ? ମୋ ଝିଅହେଇ ଘରଛାଡି ଆସିଲୁ ତୁ?
ଶ୍ରୀୟା: ବାପା ତମେ ଜାଣିନ କିଛି!
ବରୁଣ: ମତେ ସେ କଥା କିଛି କହନି | ମତେ ଖାଲି କହ ତତେ ତୋ ଦେଢଶୁର କିଛି କହିଲେ?
ଶ୍ରୀୟା: ନା |
ବରୁଣ: ତତେ ମାୟା କିଛି କହିଲା?
ଶ୍ରୀୟା: ନା |
ବରୁଣ: ତତେ ପରମ କିଛି କହିଲା?
ଶ୍ରୀୟା କିଛି ନ କହି କାନ୍ଦେ |
ବରୁଣ: ଶୁଣେ ମା | ମତେ କିଛି କଥା ଅଜଣା ନୁହେଁ | ନୀଳ ଅପା ଯେବେ ତୋ ପାଖକୁ ଯିବ କହିଲା ସେଇ ଦିନଠୁ ମୋ ମନରେ ଭୟ | କାହା କଥା ଶୁଣିକି ଏଠିକି ଆସିଲୁ ତୁ? ଏଇ ନୀଳ ଅପା!
ଶ୍ରୀୟା: ବାପା!
ବରୁଣ: ତୋ ମା’କୁ କମ୍ କଥା କିଛି ସେ? ଆମ ଘର ଭାଙ୍ଗିବାକୁ କମ ଚେଷ୍ଟା କରିଛି ସେ? ତୋ ମା’ ଚାଲିଗଲା ସିନା ହେଲେ କେବେ ନୀଳ ଅପାର କଥା ତା’ କାନରେ ଦେଇନି | ଆଉ ତୁ ତା’ ଝିଅ ହେଇ?
ଶ୍ରୀୟା: ବାପା, ପରମଙ୍କର ସେ ଆଈ?
ବରୁଣ: ମତେ ସେ କଥା କିଛି କହନି | ଯଦି ଯାହା ସାଙ୍ଗରେ ତୁ ଦିନରାତି ଚଳୁଚୁ ସେମାନେ ତତେ କିଛି କହି ନାହାନ୍ତି ତାହେଲେ ବାହାରଲୋକଙ୍କ କଥାରେ ତୋର କଣ ଯାଏଆସେ? ଏତେ ଦିନ ତୁ ସେ ଘରେ ରହିଲୁ | ଆଜିଯାଏଁ ସେ ଲୋକ ମାନଙ୍କୁ ଚିହ୍ନିପାରିଲୁନି ତୁ? ଶେଷରେ ତାଙ୍କୁ ନ କହି…
ଶ୍ରୀୟା: ବାପା!
ବରୁଣ: ତୋ ଶାଶୂଘରକୁ ଆମ ବଂଶଯାକ ଲୋକ ପ୍ରଶଂସାରେ ଟେକନ୍ତି | କୁହନ୍ତି ଶ୍ରୀୟା କେତେ ଭାଗ୍ୟ କରିଛି ଏମିତି ଘରକୁ ବୋହୁ ହେଇଯାଇଛି | ଆଉ ତୁ??
ଶ୍ରୀୟା: ବାପା, ତମେ ଅଧା କଥା ଶୁଣିଛ!
ବରୁଣ: ମୁଁ ଜାଣିଚି | ହୁଏତ କୋଉ କଥାରେ ତୋ ମନ ଦୁଃଖ ହେଇଥିବ, ହେଲେ କୋଉ ଘରେ ଟିକେ ଅଧେ ପାଟିତୁଣ୍ଡ ହୁଏନି କହିଲୁ?
ଶ୍ରୀୟା: ବାପା, ପରମ…
ବରୁଣ: ଶ୍ରୀୟା, ଯାଇ କେବେ ଦେଖେ ଲୋକଙ୍କ ଘରେ! ବୋହୁମାନେ କେତେ କଷ୍ଟରେ ଅଛନ୍ତି | କେତେ କଥା ଶୁଣୁଛନ୍ତି | ସେ ବି ଦିନେ ଅଧେ ନୁହେଁ, ସାରା ଜୀବନ, ବୋହୂ ଆଉ ଚାକରାଣୀ ଭିତରେ ଲୋକେ ଫରକ କରିବା ଶିଖିନାହାନ୍ତି | ସେମିତି ସମାଜକୁ ବଦଳେଇବା କାମ ତୋ ଭଳି ଝିଅଙ୍କର | ଏମିତି ଛୋଟ ଛୋଟ କଥାରେ ଭାଙ୍ଗି ପଡିବା ତୋ ଭଳି ଝିଅଙ୍କ କାମ ନୁହେଁ |
ଶ୍ରୀୟା: ବାପା!!
ବରୁଣ: ହଁ ରେ ମା! ପରମ ହୁଏତ ତ ତତେ କିଛି କହିଥିବେ ଯୋଉଥିରେ ତୋର କିଛି ଦୋଷ ନଥିବ ହେଲେ… ତା’ପରେ ତ ଦୋଷ ତୁ କରିଛୁ! ସେମାନଙ୍କୁ କିଛି ନ କହି ଘରଛାଡି ଆସିଚୁ |
ଶ୍ରୀୟା: ମୋର ଭୁଲ ହେଇଚି ବାପା!
ବରୁଣ: ନାଇଁ ରେ ମା! ମତେ ଭୁଲ ମାଗେନା | ନିଜକୁ ଦେଖେ | ଯାହା କଥାରେ ପଡି ନିଜ ଘରଛାଡି ଆସିଲୁ ଦେଖେ ସେ ଏବେ କଣ କରୁଚି! କାହା ବାହାଘରରେ ଯାଇ ନାଚୁଛି |
ଶ୍ରୀୟା: ଆଉ କିଛି କୁହନି ବାପା! ମତେ ଭାରି ଖରାପ ଲାଗୁଚି |
ବରୁଣ: ହଉ ଆଉ କିଛି କହିବିନି | ହେଲେ ଭବିଷ୍ୟତରେ ଅନ୍ୟ ଲୋକର କଥାରେ ପଡି ନିଜ ଘର ଭାଙ୍ଗିବାର ମୂର୍ଖାମୀ ଯେମିତି ମୋ ଝିଅ ନ କରେ |
ଶ୍ରୀୟା: (ବାପାଙ୍କୁ କୁଣ୍ଢେଇ) ନାଇଁ କରିବିନି |
ବରୁଣ: ହଉ ଚାଲେ, ତତେ ତୋ ଘରେ ଛାଡ଼ିଦେବି |
ଶ୍ରୀୟା: ନାଇଁ ବାପା, ମୁଁ ନିଜେ ସେଠୁ ଆସିଛି | ମୁଁ ନିଜେ ସେଠିକି ଯିବି |
ବରୁଣ: ପରମକୁ ଫୋନ କରି କହିଦେବି କି?
ଶ୍ରୀୟା: ନାଇଁ, ମୋ ଫୋନ ସ୍ବିଚ ଅଫ ଅଛି | ମୁଁ ସେଠିକି ଯାଇ ସରପ୍ରାଇଜ ଦେବି |
ବରୁଣ: (ହସିଦେଇ) ହଉ |
(ଶ୍ରୀୟା ବି ହସେ ଆଉ ବାପାଙ୍କୁ ଆଉଥରେ କୁଣ୍ଢେଇ ପକାଏ)
***
ଦୃଶ୍ୟ ୫
ସ୍ଥାନ: ନୀଳାଚଳ ପ୍ରାସାଦ, ଶ୍ରୀୟା ଆସି ଘରେ ପହଂଚିଛି | ଶ୍ରୀୟାର ଶୟନ କକ୍ଷ, ପାଖରେ ଠିଆ ହେଇଚି ଜୟ |
ଶ୍ରୀୟା: ସେମାନେ ମାଉସୀ ଘରକୁ ଚାଲିଗଲେ? ମତେ ନ ନେଇ?
ଜୟ: ହଁ,ଏଇ ସନ୍ଧ୍ୟାରେ ବାହାରିଗଲେ |
ଶ୍ରୀୟା: ଆଉ କଣ କହୁଥିଲେ?
ଜୟ: ସାନଭାଇ ଭାରି ରାଗିକି ଥିଲେ | ବଡଭାଇ ଆଉ ଅପା ମନଦୁଃଖରେ ଥିଲେ |
ଶ୍ରୀୟା: ହଉ | ତୁମେ ଯାଅ ଜୟନା |
ଜୟ ଚାଲିଯାଏ |
(ଶ୍ରୀୟା ଫୋନ ଲଗାଏ ବରୁଣ ବାବୁଙ୍କୁ)
ଶ୍ରୀୟା: ବାପା, ଦେଖ ତୁମେ କହିଲ ଆଉ ମୁଁ ସେମିତି ଏକୁଟିଆ ଘରକୁ ଫେରି ଆସିଲି | ଆଉ ଏପଟେ ଏଇ ତିନି ଭାଇ ଭଉଣୀ ମତେ ନ ନେଇ ମାଉସୀ ଘରକୁ ବୁଲିବାକୁ ଗାଁ ଚାଲିଗଲେ |
(ଶ୍ରୀୟା ସୁଁ ସୁଁ ହେଇ କାନ୍ଦେ)
ଶ୍ରୀୟା: କୁହ ଏବେ ମୁଁ କଣ କରିବି? ଏବେ ଏଇଟା କାହା ଦୋଷ?
ବରୁଣ: ମାରେ… ଘର ତ ଆଗ ତୁ ଛାଡ଼ିଥିଲୁ ଆଉ ଏବେ ସେମାନେ ତତେ ଏକୁଟିଆ ଛାଡି ଚାଲିଗଲେ | ଏଣୁ ଦୋଷ ଦୁଇଜଣଙ୍କର ସମାନ ହେଲା ହେଲେ ୟା ପରେ ତୁ କଣ କରିବୁ ସେ କଥା ମତେ ପଚାରେନି |
ଶ୍ରୀୟା: ମାନେ?
ବରୁଣ: ମାନେ ହେଲା ଝିଅଘର ଲୋକ ଅଯଥାରେ ଝିଅ ସଂସାରରେ ଯେତେ କମ ମୁଣ୍ଡ ପୂରେଇବେ ଝିଅ ପାଇଁ ସେଇଟା ସେତିକି ଭଲ | ଏଣୁ ଏବେ ତୁ ତୋ ମୁଣ୍ଡ ଖର୍ଚ୍ଚ କରେ ଆଉ ଦେଖେ ତୋ ଘରକୁ ତୁ କେମିତି ବାନ୍ଧିକି ରଖିବୁ |
ଶ୍ରୀୟା: ହଉ ବାପା | ମୁଁ ବୁଝିଗଲି |
ବରୁଣ: ତୁ ଏଠିକି ଆସିବୁ କି?
ଶ୍ରୀୟା: ନାଁ ବାପା, ଏଇଟା ମୋ ଘର | ଏବେ ୟାକୁ ଛାଡିକି ଯିବାର ନାହିଁ |
ବରୁଣ: ହଉ | କିଛି ଦରକାର ହେଲେ ମତେ କହିବୁ | ମୁଁ ସବୁବେଳେ ତୋ ଭଲପାଇଁ ହିଁ ଚିନ୍ତା କରିବି |
ଶ୍ରୀୟା: ହଁ ବାପା | ଏବେ ରଖିଲି | ବାଏ |
ବରୁଣ: ହଉ | ବାଏ |
(ଶ୍ରୀୟା ଫୋନ ରଖେ ଆଉ ନିଜ ଖଟରେ ଗଡ଼ିପଡ଼େ)
(ଭାଗ ତେର ସମାପ୍ତ)
ଅଧ୍ୟାୟ ୧୪- ମାଉସୀ ଘର ଉପାଖ୍ୟାନ
ଆଜିର ଚରିତ୍ର
ବଡଭାଇ: ଘରର ମୁରବୀ ଶଙ୍କର୍ଷଣ ଚୌଧୁରୀ, ବୟସ ୩୬
ରେବତୀ ଚୌଧୁରୀ: ଘରର ବଡବୋହୁ, ବୟସ ୩୩
ସାନଭାଇ: ପରଂବ୍ରହ୍ମ ଚୌଧୁରୀ ଓରଫ ପରମ ବୟସ ୩୧
ଶ୍ରୀୟା ପରିଜା ଚୌଧୁରୀ: ଘରର ସାନବୋହୁ, ଫୁଡ ବ୍ଲଗର, ବୟସ ୨୮
ସାନଭଉଣୀ: ଯୋଗମାୟା ଚୌଧୁରୀ ଓରଫ ମାୟା, ବୟସ ୨୬
ଜୟ: ଘରର ଚାକର ପ୍ଲସ ରୋଷେଇଆ, ବୟସ ୩୪
ସୁଲେମାନ ଭାଇ ଓରଫ ସାଲୁ: ପରମର ସାଙ୍ଗ, ବୟସ ୩୩
ଦାରୁ ଜେନା: ପରମର ଡ୍ରାଇଭର, ବୟସ ୩୭
ଗୁଣ୍ଡି ମାଉସୀ: ତିନି ଭାଇ ଭଉଣୀଙ୍କ ମାଉସୀ, ବୟସ ୬୦
ମାଉସୀ_ଘର_ଉପାଖ୍ୟାନ
ଦୃଶ୍ୟ ୧
ଗାଡିରେ ଯାଉଛନ୍ତି ବଡଭାଇ, ପରମ ଆଉ ମାୟା | ପରମର ଡ୍ରାଇଭର ଦାରୁ ଜେନା ଗାଡି ଚଲଉଛି |
ବଡଭାଇ: ଭଲ ହେଲା ତୁ ଦାରୁକୁ ନେଇ ଆସିଲୁ |
ମାୟା: ହଁ | ସାନଭାଇ ଆଗ ଏକୁଟିଆ ଏତେ ବାଟ ଗାଡି ଚଲେଇବ ଆଉ ତା’ପରେ କହିବ ମୋ ଅଣ୍ଟାପିଠି ବଥା ହେଲା, ମତେ ଘଷାମୋଡା କର | ଭଲ ହେଲା ଦାରୁ ଭାଇ ଆସିଲେ |
ପରମ: ହଉ ହଉ | ହେଲା |
ବଡଭାଇ: ହେଲେ ଯାହା କାହା କାଳୁ, କଥାଟା ଠିକ ହେଲାନି |
ପରମ: କଣ ହେଲା?
ବଡଭାଇ: ଶ୍ରୀୟାକୁ ଏମିତି?
ପରମ: ସେ ନିଜେ ବି ତ ଫୋନ ଅଫ କରି ବସିଚି | ତାକୁ କିଛି ଚିନ୍ତା ନାହିଁ | ତାହେଲେ ତମେ କାଇଁ ବ୍ୟସ୍ତ ହଉଛ?
ମାୟା: ନାଇଁ ଭାଇ, ମତେ ବି ଠିକ ଲାଗୁନି | ଭାଉଜ ମୋ ମୁହଁ ଉପରେ କବାଟ ବନ୍ଦ କରିଦେଲେ ବୋଲି ମତେ ସେତେବେଳେ କାନ୍ଦ ଲାଗିଲା ଆଉ ରାଗ ବି ଲାଗିଲା | ସେଇ ରାଗରେ ମୁଁ ବି ତମ ସାଙ୍ଗରେ ଏପଟେ ଆସିଗଲି | ହେଲେ ଏବେ ଭାବିବା ବେଳକୁ ଭାରି ଖରାପ ଲାଗୁଚି |
ପରମ: ତମେ ସବୁ ଏମିତି ସେଣ୍ଟିମେଣ୍ଟାଲ ହେବା କିଛି ଦରକାର ନାହିଁ |
ବଡଭାଇ: ମୁଁ ବରୁଣ ମଉସାଙ୍କୁ ଫୋନ ବି ଲଗେଇଥିଲି | ହେଲେ ତାଙ୍କ ଫୋନ ବି କଭରେଜ କ୍ଷେତ୍ର ବାହାରେ ଅଛି ବୋଲି କହିଲା | ଏଇ ଫୋନ ନେଟୱର୍କ ଗୁଡା ବି ଠିକ ସମୟରେ କାମରେ ଲାଗୁ ନାହାନ୍ତି |
ପରମ: ହଉ ହଉ | ହେଲା! ଏବେ ଆଉ ୟା ଉପରେ କଥା ନାହିଁ | ଆଉ ମାୟା, ତୁ ମାଉସୀ ଆଗରେ ଯଦି ଏଇ ସବୁ କଥା ଗପିଥିବୁ ତାହାଲେ ଦେଖିବୁ |
ମାୟା: ହଉ |
(ମାୟା ମୁହଁମୋଡେ | ବଡଭାଇ ଝରକା ଆଡୁ ବାହାରକୁ ଦେଖନ୍ତି)
***
ଦୃଶ୍ୟ ୨
ସ୍ଥାନ: ନୀଳାଚଳ ପ୍ରସାଦ, ଶ୍ରୀୟାର ଶୟନ କକ୍ଷ, ଶ୍ରୀୟା ରେବତୀ ସାଙ୍ଗରେ ଫୋନରେ କଥା ହଉଚି |
ଶ୍ରୀୟା: ହଁ, ଅପା ଏଇଟା ମୋର ଆଉ ଗୋଟେ ନମ୍ବର | ନୂଆ ନେଇଚି |
ରେବତୀ: ଆଉ ପୁରୁଣା ନମ୍ବର?
ଶ୍ରୀୟା: ପୁରୁଣା ନମ୍ବର ସ୍ବିଚ ଅଫ କରି ରଖିଦେଇଛି |
ରେବତୀ: କଣ ଯେ ତୁ କରୁ?
ଶ୍ରୀୟା: ତମେ ତ ସବୁ ଜାଣିଥିବା ଅପା, ମୁଁ ଆଉ କଣ କରିଥାନ୍ତି?
ରେବତୀ: ମୁଁ ମତେ ହେଲେ ଥରେ ଫୋନ କରିଥାନ୍ତୁ | ସେ ନେତ ଆଈ, ମୋଠୁ ଭଲ ତାଙ୍କୁ ଆଉ କିଏ ଚିହ୍ନିବ?
ଶ୍ରୀୟା: ତମ ସାଙ୍ଗରେ ବି?
ରେବତୀ: ଆଲୋ ତୁ ତ ଦୁଇ ନମ୍ବର ବୋହୁ | ତୋ ସାଙ୍ଗରେ ଟିକେ କମ ହେଇଥିବ | ମୁଁ ତ ବଡବୋହୁ ଥିଲି | ପୁରା ବଂଶରେ ପ୍ରଥମ ବୋହୁ ହେଇକି ଆସିଥିଲି | ମୁଁ ଆସିଲା ପରେ ମତେ କାମ କଥା ସେ ଶୁଣେଇଛନ୍ତି | ମୋ ରୂପ, ଗୁଣ, ଚାକିରୀ, ବାପଘର, ଭାରଥୋର କୋଉ କଥାରେ ସେ ମତେ ଖୁଣ୍ଟା ଦେଇ ନାହାନ୍ତି କହିଲୁ?
ଶ୍ରୀୟା: ସତରେ ଅପା?
ରେବତୀ: ଆଉ ନହେଲେ କଣ? ମୁଁ ଏତେ କଥା ଜୀବନରେ ଶୁଣିଚି ଯେ ସେଇଥିପାଇଁ ଏବେ ମୁଁ ଆଉ କାହା କଥା ମୋ ଦେହରେ ଗଳେନି | ଯିଏ ଯାହା କହୁଛି କହୁ ମୁଁ ଏଇ କାନରେ ଗଳେଇ ସେଇ କାନରେ ବାହାର କରିଦେଏ | ମୋର କିଛି ଯାଏଆସେ ନାହିଁ |
ଶ୍ରୀୟା: ଇସସ ଅପା! ଏଇ କଥା ଗୁଡା ମତେ କିଛି ଦିନ ଆଗରୁ କହିନଥାନ୍ତ?
ରେବତୀ: ତତେ କଣ କହିଥାନ୍ତି? ମୁଁ ତ ଭାବିଥିଲି ତୁ ଚାଲାକ ଚତୁର ଝିଅଟିଏ ହେଲେ…
ଶ୍ରୀୟା: ମୋ ପିଉସୀ ବି ମୋ ମୁଣ୍ଡ ଖରାପ କରିଦେଲା ଅପା!
ରେବତୀ: ଲୋକେ ତ ଆମ ମୁଣ୍ଡ ଖରାପ କରିବେ ହେଲେ ଜାଣିବା କଥା କୋଉ ଜିନିଷ ଠିକ ଆଉ କୋଉ ଜିନିଷ ଭୁଲ | ହଉ | ଯାହା ହେଲା ହେଲା | ଏବେ ସବୁ ଭୁଲି ଯା |
ଶ୍ରୀୟା: ହଁ ଭୁଲିଯିବି… ହେଲେ ଏମାନେ ଏବେ ଯାହା କଲେ?
ରେବତୀ: ସେଇଟା ଶୁଣିକି ତ ମୋ ମୁଣ୍ଡ ଖରାପ | ତତେ ନ ନେଇ ସେମାନେ ମାଉସୀଘରକୁ କେମିତି ପଳେଇଲେ?
ଶ୍ରୀୟା: ଦେଖୁନ!
ରେବତୀ: ଆଉ ସେ ମାୟା ଖଣ୍ଡକ! ମା’ଠୁ ଅଧିକା କରିଛି ମୁଁ ତା’ର | କୋଉ ଡ୍ରେସ ପିନ୍ଧିବ ଜାଣିପାରେନି ଯେ ମତେ ଭିଡିଓ କଲ କରି ପଚାରିବ ଆଉ ଆଜି ସେଠିକି ଚାଲିଗଲା ଆଉ ମତେ କହିଲାନି ବି!! ରହ ମୁଁ ତା’ କଥା ବୁଝୁଚି |
ଶ୍ରୀୟା: ନାଇଁ ଅପା, ମାୟାଙ୍କୁ କିଛି କୁହନି | ମୁଁ ବି ବିଚାରିର ମନରେ କଷ୍ଟ ଦେଇଛି | ସେଥିପାଇଁ ସେ ଚାଲିଯାଇଥିବେ |
ରେବତୀ: ଆଉ ତୋ ଦେଢଶୁର କଥା ତ ଛାଡେ | ତାଙ୍କର ମୋର କଥା ନ ହେଲେ ହିଁ ଭଲ | କଥା ହେଲେ ଆମର ମହାଭାରତ | ହେଲେ ବି ମୁଁ ତାଙ୍କୁ ପଚାରିବି |
ଶ୍ରୀୟା: ଥାଉ | କାହାକୁ କିଛି କୁହନି ଅପା | ହେଲେ ମତେ ତୁମର ଗୋଟିଏ ସାହାଯ୍ୟ ଦରକାର |
ରେବତୀ: କି ସାହାଯ୍ୟ ଦରକାର?
ଶ୍ରୀୟା: ସେଇ ଗାଁରେ ତମ ସମ୍ପର୍କୀୟ ବି ଅଛନ୍ତି ନା?
ରେବତୀ: ହଁ | କାଇଁ କଣ ହେଲା?
ଶ୍ରୀୟା: କହୁଛି ରୁହ |
(ଶ୍ରୀୟା ରେବତୀ କୁ ଫୋନରେ କିଛି କୁହେ ଆଉ ହସେ)
***
ଦୃଶ୍ୟ ୩
ଗାଡିରେ ବସିଚନ୍ତି ତିନି ଭାଇ ଭଉଣୀ |
ପରମ: ଆଉ କେତେ ସମୟ ଲାଗିବରେ?
ଦାରୁ: ଆଜ୍ଞା, ଆଉ ଘଂଟାଏ ଭିତରେ ପହଂଚି ଯିବା! ଆରେ… ଆରେ… ଏ କଣ ହେଲା? ଗାଡିକୁ କଣ ହେଲା?
ବଡଭାଇ: କଣ ହେଲା କିରେ?
ଦାରୁ: କେଜାଣି! ଗାଡି ରହିଗଲା | ଆଉ ଷ୍ଟାର୍ଟ ହଉନି | ମୁଁ ଦେଖେଁ |
ଦାରୁ ଗାଡି ରଖେ | ବଡଭାଇ ଆଉ ପରମ ଗାଡି ବାହାରକୁ ଆସନ୍ତି | ମାୟା ଗାଡି ଭିତରେ ବସି ଫୋନ ଦେଖୁଥାଏ | ବଡଭାଇ ଦାରୁ ସାଙ୍ଗରେ ମିଶି ଇଂଜିନ ଦେଖନ୍ତି | ପରମ ଦେଖେ କିଏ ଜଣେ ସେପଟୁ ଲୁନାରେ ଆସୁଛି | ଲୋକଟି ପାଖକୁ ଆସେ | ଗାଡି ରଖେ |
ପରମ: ଆରେ ସାଲୁ ଭାଇ ତୁ?
ସାଲୁ: ପରମ, ଗାଁକୁ ଯାଉଛୁ ଆଉ ମତେ ଦେଖା ନ କରି ବାହାରି ଆସିଲୁ?
ପରମ: ନାଇଁ ରେ ଭାଇ, ତତେ ସେ ଚାରିଛକିରେ ଦେଖା ନ କରି ମୁଁ କେବେ ଗାଁକୁ ଯାଏ? ହେଲେ ଆଜି ସବୁ ଏପଟ ସେପଟ ହେଇଗଲା | ସେଇଥିପାଇଁ ତତେ ଫୋନ ବି କରି ପାରିନି |
ସାଲୁ: ସେ ଛକରେ ମୁଁ ବସିଥିଲି | ତୋ ଗାଡି ନମ୍ବର ଦେଖିଲି | ଜାଣିଲି ତୁ ଯାଉଛୁ | ହେଲେ ତୋ ଗାଡି ଏତେ ଜୋରରେ ଉଡୁଛି ଯେ ମୁଁ ଲୁନାରେ କୋଉ ଆଉ ତତେ ଧରି ପାରୁଛି |
ବଡଭାଇ (ସେପଟୁ ଆସି): ସେଇଥିପାଇଁ ତାହେଲେ ଆମ ଗାଡି ଖରାପ ହେଇଗଲା ଆଉ!
ସାଲୁ: ଭାଇ ପ୍ରଣାମ | ଖାଲି ତମେ ଦୁଇଜଣ ଆସିଛ?
ପରମ: ନାଇଁ, ମାୟା ବି ବସିଛି ଭିତରେ |
ମାୟା: (ଗାଡ଼ିରୁ ବାହାରି ଆସି) ଭାଇ, ସଲାମ ୱାଲେକୁମ |
ସାଲୁ: ୱାଲେକୁମ ଅସ ସଲାମ ମାୟା | ବୁଢ଼ୀ ଟେ ହେଇଥା |
ମାୟା: ଭାବି କେମିତି ଅଛନ୍ତି? କହିଦେବ ଏଥର ଇଦରେ ନିଶ୍ଚିତ ଆସିବି ବିରିୟାନୀ ଖାଇବାକୁ |
ସାଲୁ: ନିଶ୍ଚିତ | ତୁ ନ ଆସିଲେ ମୁଁ ଘରେ ନେଇ ଦେଇଦେବି | ଆଉ ଭାଉଜ?
(ବଡଭାଇ, ପରମ ଆଉ ମାୟା ପରସ୍ପରକୁ ଦେଖନ୍ତି)
ପରମ: ସେ ଆସିବା ଆଉ କେବେ | ଏବେ ସେ ବାପଘରେ ଅଛି ତ!
ଦାରୁ: ଆଜ୍ଞା, ଗାଡି ଠିକ ହେଇଗଲା |
ସାଲୁ: ହଉ | ତମେ ସବୁ ଯାଅ | ଯା ହଉ ଦେଖା ହେଇଗଲା ଏଇ ବାଟରେ |
ପରମ: ହଁ ଭାଇ | ମୁଁ ଫେରିଆସେ | ଦେଖା ହବ ପୁଣି |
ସାଲୁ: ହଉ ହଉ ଭଲରେ ଯାଇକି ଫେର | ହଉ ଆସୁଛି ତାହେଲେ | ନମସ୍ତେ ଭାଇ |
(ସମସ୍ତଙ୍କଠୁ ବିଦାୟ ନେଇ ଲୁନା ଚଳେଇ ପୁଣି ଫେରିଯାଏ ସାଲୁ)
ବଡଭାଇ: (ପରମକୁ) ତତେ ସାନବେଳୁ କେତେ ଭଲ ନ ପାଏ ସାଲୁ | ତତେ ଭେଟିବ ବୋଲି ଏତେ ଦୂର ଲୁନା ଚଳେଇ ଆସିଗଲା |
ପରମ: ହଁ | ମୁଁ ବି ତାକୁ କମ ଭଲପାଏ କି?
ଦାରୁ: ଆଜ୍ଞା, ବାହାରିବା?
ବଡ଼ଭାଇ: ହଁ ହଁ | ଚାଲ | ଗାଡ଼ିରେ ବସିବା |
(ସମସ୍ତେ ଯାଇ ଗାଡିରେ ବସନ୍ତି | ଗାଡି ପୁଣି ଗାଁ ରାସ୍ତାରେ ଛୁଟି ଚାଲେ)
***
ଦୃଶ୍ୟ ୪
ସ୍ଥାନ: ଗୁଣ୍ଡି ମାଉସୀ ଘର | ମାଉସୀ ଘରେ ପହଂଚିଛନ୍ତି ତିନି ଭାଇ ଭଉଣୀ | ମାଉସୀକୁ ମୁଣ୍ଡିଆ ମାରନ୍ତି |
ମାଉସୀ: ଆଲୋ ମୋର ତିନି ରତନ | ଆସିଗଲେ ଲୋ |
ବଡଭାଇ: ମାଉସୀ, ତୁ ଖାଲି ଆମକୁ ଡାକୁଚୁ | କାଇଁ ଆମ ଘରେ ତ କେବେ ଆସି ରହୁନୁ?
ମାଉସୀ: ମାଉସୀ ବୁଢ଼ୀ ହେଲାଣି | ଆଉ କଣ ଇଆଡ଼େ ସିଆଡେ ବୁଲି ପାରୁଛି?
ମାୟା: ମାଉସୀ, ତୁ କାଇଁ ବୁଢ଼ୀ ହବୁ? ତୁ ତ ଏବେ ବି ଏଭରଗ୍ରୀନ |
ମାଉସୀ: ଚୁପ | ବଦମାସ | ଆଉ ଆମ ସାନ ବୋହୁ କାଇଁ?
(ତିନି ଭାଇ ଭଉଣୀ ପରସ୍ପରକୁ ଦେଖନ୍ତି)
ପରମ: ତା’ ଦେହ ଭଲ ନାହିଁ | ସେ ବାପଘରେ ଅଛି |
ମାଉସୀ: କଣ ହେଇଚି ତା’ ଦେହ? ସବୁ ଠିକ ତ?
ପରମ: ହଁ ହଁ | ଏମିତି ଖାଲି |
ମାଉସୀ: ଆଉ ରେବୀ? ସେ କେମିତି ଅଛି?
ବଡଭାଇ: ହଁ ଭଲ ଅଛି ସେ |
ମାଉସୀ: ହଉ ହଉ | ଭିତରକୁ ଆସ | ତମରି ଘର | ତମରି ଜନମ ପୀଠ | ଟିକେ ପାଦ ପକେଇଦିଅ | ଜନମ ମାଟି ଧନ୍ୟ ହବ | ମୁଁ ତ ଖାଲି ୟାର ଯତ୍ନ ନେବା ଲୋକ |
ବଡଭାଇ: ଏମିତି କଣ କହୁଚୁ ମାଉସୀ? ବାପାମା ଗଲା ପରେ ତୁ ଆମ ମା! ବାବାମାଠୁ ଅଧିକ ଭଲ ପାଇଛୁ ଆମକୁ | ଆଉ ଆଜି ଏମିତି କଣ କହୁଚୁ?
ମାଉସୀ: ନାଇଁରେ ପୁଅ | କେତେ ଦିନ ଆଉ ବଂଚିଛି ଜାଣିନି | ତମ ମାନଙ୍କୁ ଦେଖିଲେ ମନ କଥା ସଵୁ ଏଇ ନିଆଁଲଗା ମୁହଁକୁ ଆସିଯାଏ | (ମାୟା ଗୁଣ୍ଡି ମାଉସୀକୁ କୁଣ୍ଢେଇ ପକାଏ)
ପରମ: ହଉ ହଉ ଆଉ ବେଶୀ କଥା କହନି | ଆଗ କହ ପୋଡପିଠା କଉଠି ଅଛି?
(ବଡଭାଇ, ମାୟା ଆଉ ମାଉସୀ ହସନ୍ତି)
ମାଉସୀ: ହଁ ହଁ | ଅଛି ତୋ ପୋଡପିଠା! ଜାଣିଚି ପରା ଆଗ ସେଇଟା ହିଁ ମାଗିବୁ | ସେଇଥିପାଇଁ ଆଗ ସେଇଟା ତିଆରି କରି ଟେବୁଲ ଉପରେ ସଜେଇକି ରଖିଛି | ଚାଲେ | ହାତ ଧୋ | ଖାଇବାକୁ ଦେବି |
(ତିନି ଭଉଣୀ ହାତ ଧୋଇବାକୁ ଯାଆନ୍ତି)
***
ଦୃଶ୍ୟ ୫
ପରଦିନର କଥା, ସନ୍ଧ୍ୟା ସମୟ, ଗୋଟେ ଗାଡି ଭିତରେ ଶ୍ରୀୟା ଆଉ ଜୟ | ଶ୍ରୀୟା ଗାଡି ଚଲଉଛି | ଜୟ ବସିଛି |
ଜୟ: ସାନ ଭାଉଜ ମତେ ଭାରି ଡର ମାଡୁଚି | ବଡଭାଇ ଜାଣିଲେ…
ଶ୍ରୀୟା: ତମକୁ ମୋ ଭିଡିଓରେ ଆସିଷ୍ଟାଣ୍ଟ କାମ କରିବାର ଅଛି ନା ନାହିଁ?
ଜୟ: ହଁ ଅଛି |
ଶ୍ରୀୟା: ସେଥିପାଇଁ ମୁଁ ତୁମକୁ ପଇସା ଦଉଚି ନା ନାଇଁ?
ଜୟ: (କାନ କୁଣ୍ଡେଇ) ହଁ ଦଉଚ |
ଶ୍ରୀୟା: ତାହେଲେ ମୁଁ ତୁମର କିଏ?
ଜୟ: ମୋ ବସ |
ଶ୍ରୀୟା: ଠିକ | ସେଥିପାଇଁ ମୁଁ ଯାହା କହିବି ତମେ କରିବ | ହେଲା?
ଜୟ: ହଉ |
ଶ୍ରୀୟା: ଏବେ କୁହ ଗାଡି କଉଠି ରଖିବି?
ଜୟ: ହେଇଟି ଟିକିଏ ଆଗକୁ ଯାଇ ସେ ତେନ୍ତୁଳି ଗଛ ପାଖରେ ଗାଡି ସାଇଡ କର |
(ଶ୍ରୀୟା ଗାଡି ରଖେ | ଶ୍ରୀୟା ନିଜ ମୁଣ୍ଡରେ ଭଲ କି ଓଢଣୀ ଗୁଡେଇ ଦିଏ | ଉଭୟ ଗାଡିରୁ ଓହ୍ଲାନ୍ତି)
ଜୟ: ଭାଉଜ ମତେ କେହି ଚିହ୍ନି ପକେଇଲେ? ତମକୁ ତ କେହି ଜାଣି ପାରିବେନି | ହେଲେ ମତେ ଏଠି ସମସ୍ତେ ଜାଣିଛନ୍ତି |
ଶ୍ରୀୟା: ତମର ବେଶ ପୁରା ମୁଁ ପୁରା ବଦଳେଇ ଦେଇଛି | ଏଇ ବେଶରେ କେହି ତମକୁ ଚିହ୍ନି ପାରିବେନି |
ଜୟ: ହଉ | ହେଲେ ତମ ବାପାଙ୍କ ସାଙ୍ଗରେ ବି ବଡ ଭାଉଜ ସାଙ୍ଗେ ଏମାନେ କିଏ କଥା ହେଲେ? ସେମାନେ ତ ଜାଣିଛନ୍ତି ତମେ ଏପଟେ ଆସିଛ |
ଶ୍ରୀୟା: ମୁଁ ଅପା ଆଉ ବାପାଙ୍କୁ କହିଦେଇଛି ସେମାନଙ୍କୁ କିଛି ନ କହିବା ପାଇଁ |
ଜୟ: ଆଚ୍ଛା |
ଶ୍ରୀୟା: ହେଇଟି… ହେଇଟି… ଦେଖ ତାଙ୍କ ଗାଡି | ସେଇଠି ଠିଆ ହେଇଚି |
ଜୟ: ହେଇଟି… ଦାରୁ ଭାଇ | ସେ ବି ଗାଡି ପାଖରେ ଅଛି | ଭାଉଜ ଏଇଠି ତେନ୍ତୁଳି ଗଛ ପଛରେ ଲୁଚିଯାଅ |
(ଶ୍ରୀୟା ଗଛ ପଛରେ ଲୁଚିଯାଏ | ଜୟ ଦେଖେ ଦାରୁ ଘର ଭିତରକୁ ପଶି କବାଟ ଦେଇଦିଏ)
ଜୟ: ଭାଉଜ, ଦାରୁ ଭାଇ ଭିତରକୁ ଚାଲିଗଲା | ଏବେ ଏଠି ଆଉ କେହି ନାହାନ୍ତି | କେହି ଆମକୁ ଦେଖି ପାରିବେନି |
ଶ୍ରୀୟା: ହଉ | ଆସୁଛି |
(ଶ୍ରୀୟା ବାହାରକୁ ଆସେ | ଦୁହେଁ ପାଦ ଚିପିଚିପି ଗାଡି ପାଖକୁ ଆସନ୍ତି)
ଜୟ: ଭାଉଜ, ଏବେ କଣ କରିବା?
ଶ୍ରୀୟା: ଏଇ ଗାଡି ତମ ଭାଇର ବଡ ପ୍ରିୟ ନା?
ଜୟ: ହଁ |
ଶ୍ରୀୟା: ଗୋଟେ କାମ କର | ପ୍ରଥମେ ୟାର ଚାରି ଚକକୁ ପଙ୍କଚର କରିଦିଅ |
ଜୟ: ହେଁ!!
ଶ୍ରୀୟା: ହଁ | ମୁଁ ଯାହା କହୁଛି କର |
ଜୟ: ହଉ |
ଜୟ ଯାଇ ଗାଡିର ଚାରୋଟି ଯାକ ଚକ ପଙ୍କଚର କରିଦିଏ |
ଜୟ: କରିଦେଲି |
ଶ୍ରୀୟା: ବହୁତ ବଢିଆ |
ଜୟ: ଏବେ?
ଶ୍ରୀୟା: ଏବେ ସେ ଗାଡିର ପଛ ମଡ଼ଗାର୍ଡଟା ଭାଙ୍ଗିଦିଅ |
ଜୟ: ନାଇଁ ନାଇଁ |
ଶ୍ରୀୟା: ନାଇଁ କଣ? କହିଲି ପରା.. ଭାଙ୍ଗିଦିଅ |
ଜୟ: ହଉ |
(ଜୟ ଯାଇ ଗୋଟେ ପଥର ଉଠେଇ ଜୋରରେ ପଛ ମଡ଼ଗାର୍ଡକୁ ମାରେ | ମଡ଼ଗାର୍ଡ ଭାଙ୍ଗିଯାଏ)
ଶ୍ରୀୟା: ବାଃ! ବହୁତ ବଢିଆ | ମତେ ଏକୁଟିଆ ଛାଡି ଏମାନେ ସବୁ ମାଉସୀ ଘରକୁ ବୁଲିବାକୁ ଆସିଥିଲ ନା? ନିଅନ୍ତୁ… ଏବେ ଫଳ ପାଆନ୍ତୁ |
ଜୟ: ଭାଉଜ… ଏବେ?
ଶ୍ରୀୟା: ଏବେ ଚାଲ ବଡ ଭାଉଜଙ୍କ ନାନୀ ଘରକୁ ଯିବା | ସେଠି ସବୁ ବ୍ୟବସ୍ଥା ହେଇଚି | ରାତିରେ ସେଠି ରେଷ୍ଟ ନେବା |
(ଶ୍ରୀୟା ପରମର ଗାଡି ଆଡକୁ ଆଉଥରେ ଦେଖେ | ସେ ଭଙ୍ଗା ମଡ଼ଗାର୍ଡ ଆଉ ପଙ୍କଚର ଚକକୁ ଦେଖି ସେ ଖୁସିରେ କୁରୁଳି ଉଠେ ଆଉ ନିଜ ଗାଡିରେ ବସେ | ଜୟ ବି ଗାଡିରେ ପଶେ | ଶ୍ରୀୟା ଗାଡି ଷ୍ଟାର୍ଟ କରି ସେଠୁ ଚାଲିଯାଏ)
(ଭାଗ ଚଉଦ ସମାପ୍ତ)
ଅଧ୍ୟାୟ ୧୫- ଆମ୍ବତୋଟା ଉପାଖ୍ୟାନ
ଆଜିର ଚରିତ୍ର
ବଡଭାଇ: ଘରର ମୁରବୀ ଶଙ୍କର୍ଷଣ ଚୌଧୁରୀ, ବୟସ ୩୬
ସାନଭାଇ: ପରଂବ୍ରହ୍ମ ଚୌଧୁରୀ ଓରଫ ପରମ ବୟସ ୩୧
ଶ୍ରୀୟା ପରିଜା ଚୌଧୁରୀ: ଘରର ସାନବୋହୁ, ଫୁଡ ବ୍ଲଗର, ବୟସ ୨୮
ସାନଭଉଣୀ: ଯୋଗମାୟା ଚୌଧୁରୀ ଓରଫ ମାୟା, ବୟସ ୨୬
ଜୟ: ଘରର ଚାକର ପ୍ଲସ ରୋଷେଇଆ, ବୟସ ୩୪
ଦାରୁ ଜେନା: ପରମର ଡ୍ରାଇଭର, ବୟସ ୩୭
ଗୁଣ୍ଡି ମାଉସୀ: ତିନି ଭାଇ ଭଉଣୀଙ୍କ ମାଉସୀ, ବୟସ ୬୦
ରାଣୀ ଓରଫ ରାଧିକା ରାୟ: ପରମର ସାନବେଳ ସାଙ୍ଗ, ବୟସ ୩୧
ଅଞ୍ଜନେୟ ପତି: ପରମର ସାଙ୍ଗ ୧, ବୟସ ୩୧
ବିଭୀଷ ନନ୍ଦୀ: ପରମର ସାଙ୍ଗ ୨, ବୟସ ୩୧
ସୁଦର୍ଶନ ଦାସ: ପରମର ସାଙ୍ଗ ୩, ବୟସ ୩୧
ଆମ୍ବତୋଟା_ ଉପାଖ୍ୟାନ
ଦୃଶ୍ୟ ୧
ସ୍ଥାନ: ଗୁଣ୍ଡି ମାଉସୀ ଘର | ମାଉସୀ ଘରେ ବସିଚନ୍ତି ତିନି ଭାଇ ଭଉଣୀ |
ମାଉସୀ: ନେ ତୋ ପାନ |
ପରମ: ଇସସସ, ମାଉସୀ ତୋର ମନେ ଅଛି?
ବଡଭାଇ: ମାଉସୀ, ତାକୁ ଜମା ପାନ ଦେ ନା | ଏତେ ପାନ ଖାଇଲା ଯେ ଶେଷକୁ ମୁଁ ଗାଳି ଦବା ପାଇଁ କଥା ଗଲା |
ପରମ: ହଁ ମ | ସେଇଠି ଆଉ କୋଉ ଖାଉଛି କି? ଏଇଠି ଟିକେ ଖାଇବାକୁ ଦେ |
ମାଉସୀ: ହଉ ହଉ ନେ | ଖାଇପକା | (ମାଉସୀ ପରମକୁ ମିଠାପାନ ଖୁଏଇ ଦିଏ)
ମାୟା: ଆଉ ମାଉସୀ ମୋ ପାଇଁ ଖିରି କେବେ କରିବୁ?
ମାଉସୀ: କରିବି କରିବି, ଆଜି ସନ୍ଧ୍ୟାରେ କରିବି |
(ଏତିକିବେଳେ ସେପଟୁ ଆସେ ଦାରୁ)
ଦାରୁ: ଆଜ୍ଞା, କେହି ଜଣେ ଆମ ଗାଡିର ଚାରୋଟି ଯାକ ଚକ ପଙ୍କଚର କରିଦେଇଛି |
ବଡଭାଇ, ପରମ: (ଚମକି ପଡି) କଣ?
ଦାରୁ: ହଁ ଆଜ୍ଞା | ଆଉ ପଛ ମଡଗାର୍ଡ ବି ଭାଙ୍ଗି ଦେଇଛି |
ପରମ: (ଆଶ୍ଚର୍ଯ୍ୟ ହେଇ) କଣ କହିଲ?
ଦାରୁ: ହଁ |
ମାୟା: ଏମିତି କିଏ କରିବ?
ମାଉସୀ: ଆଲୋ, ଏଇ ଆମ ଗାଁ ପିଲା କଣ ଆଉ ମଣିଷ ମାନୁଛନ୍ତି? ଭାରି ବଗୁଲିଆ | ନୂଆ ଗାଡ଼ିଟିଏ ଦେଖି ରାତି ଅଧରେ ଏଇ କାମ କରିଥିବେ | ମୁଁ ଆଜି ଦଉଚି ସେମାନଙ୍କୁ |
ବଡଭାଇ: ହେଲେ ଏବେ କଣ କରିବା?
ଦାରୁ: ମୁଁ ଦେଖୁଚି କଣ କରା ଯାଇ ପାରିବ | ଏଇ ପାଖରେ ଗୋଟେ ମେକାନିକ ଦୋକାନ ଦେଖିଚି | ସେଠିକି ଯାଇ ଆଗ ତାକୁ ଡାକିକି ଆଣେ |
ବଡଭାଇ: ହଉ | ଦେଖିବା ସେ କଣ କହୁଛି?
ପରମ: ହେଲେ କୋଉ ପୋଡ଼ାମୁହାଁ ମୋ ଗାଡିର ମଡ଼ଗାର୍ଡ ଭାଙ୍ଗିଲା ବେ? ସାମ୍ନାରେ ଆସିଲେ ତା ହାଡଗୋଡ ଭାଙ୍ଗିକି ଚୁନା କରିଦେବି |
ମାଉସୀ: ହଉ ଆଉ ରାଗେନା | ଗାଡି ଠିକ ହେଇ ଯିବ |
ପରମ: ହେଲେ ମୋ ଗେଟଟୁଗେଦର!
ବଡଭାଇ: କାହାର?
ପରମ: ମୋର | ମୁଁ ଆସିଛି ବୋଲି ଆଜି ମୋର ପୁରୁଣା ସାଙ୍ଗ ସବୁ ଆସିବେ ଦେଖା କରିବାକୁ | ଏଇ ଆମ ଗାଁ ମୁଣ୍ଡ ସ୍କୁଲରେ ହିଁ ଭେଟାଭେଟି ହେବୁ ଆଜି |
ବଡଭାଇ: ଓହୋ! ହେଲେ ଯିବୁ କେମିତି?
ପରମ: ଦେଖେଁ | ଗାଡି ତ ଖରାପ ହେଇଗଲା | କଣ ଗୋଟେ କରିବା ଆଉ |
ବଡଭାଇ: ହଉ ତୁ ବାହାରେ | ମୁଁ ଟିକେ ଏଇ ସାଇ ପଡିଶାରେ ବୁଲିକି ଆସୁଛି |
ପରମ: ହଉ |
(ବଡଭାଇ ଉଠିକି ବାହାରକୁ ଚାଲିଯାନ୍ତି)
***
ଦୃଶ୍ୟ ୨
ଶ୍ରୀୟା ଆଉ ଜୟ ବିଲ କଡରେ ଠିଆ ହେଇଛନ୍ତି | ଶ୍ରୀୟା ଗୋଟେ ପୁରୁଣା ସୁତା ଶାଢ଼ୀ ପିନ୍ଧି ମୁଣ୍ଡରେ ଓଢଣା ଦେଇଦେଇଛି | ଜୟ ବି ପୂର୍ବଦିନ ଭଳି ପୁଣି ନିଜ ବେଶ ବଦଳେଇଚି | ଦୂରରେ ଦେଖନ୍ତି ସାଇକେଲରେ ପରମ ଯାଉଛି |
ଜୟ: ଭାଉଜ, ସାନଭାଇ ସାଇକେଲରେ |
ଶ୍ରୀୟା: ଠିକ ହେଇଚି | ଅତି ଗୋଟେ ଗାଡିରେ ବୁଲିବା ଲୋକ | ଆଜି ବୁଲନ୍ତୁ ସାଇକେଲରେ | ଠିକ ହେଇଚି |
ଜୟ: ହେଲେ ସେ ଯାଉଛନ୍ତି କୁଆଡେ?
ଶ୍ରୀୟା: ଆଜି କୁଆଡେ ତାଙ୍କ ସାଙ୍ଗ ମାନଙ୍କର ଗେଟଟୁଗେଦର | ସେଇ ଯୋଉ ଦେଖା ଯାଉଛି ସେଇଟା ସ୍କୁଲଟି?
ଜୟ: ହଁ | ସେଇଟା ଗାଁ ମୁଣ୍ଡ ସ୍କୁଲ |
ଶ୍ରୀୟା: ହଁ, ସେଇଠି ଭେଟିବେ ସମସ୍ତେ |
ଜୟ: ତମେ କେମିତି ଜାଣିଲ?
ଶ୍ରୀୟା: ବଡଭାଇ ରେବତୀ ଅପାଙ୍କୁ କହିଲେ | ଅପା ମତେ ଖବର ଦେଲେ |
ଜୟ: ଖାଲି ପୁଅ ପିଲା ନା ଝିଅ ପିଲା ବି?
ଶ୍ରୀୟା: ଝିଅ ନାଇଁ ମ! ଖାଲି ପୁଅ ପିଲା ଗୁଡା!
ଜୟ: ଓହୋ! ହଉ | ଆଚ୍ଛା, ଏବେ ଆମେ କଣ କରିବା?
ଶ୍ରୀୟା: କିଛି ନାହିଁ | ଆମେ ଏଇ ଧାନଖଳାରେ ପଛରେ ବସି ଅପେକ୍ଷା କରିବା | ଦେଖିବା କଣ ନାଟ କରୁଛନ୍ତି ଏଠି ତମ ପ୍ରିୟ ସାନଭାଇ |
ଜୟ: ଏମିତି ବସିଥିବା?
ଶ୍ରୀୟା: ନାଇଁ, ଏଇଠି ବସି ବାଦାମ ଚୋବେଇବା | ଏଇ ନିଅ | ଚୋବାଅ |
ଜୟ: ହଉ ଦିଅ | ହେଲେ ମତେ କେହି ଚିହ୍ନିବେନି ତ? ମତେ ଭାରି ଡର ମାଡୁଚି |
ଶ୍ରୀୟା: ନାଇଁ | କେହି ଚିହ୍ନିବେନି | ହେଲେ ତମେ ତମର ସେ ନକଲି ନିଶକୁ ଟିକେ ଜୋରରେ ଚାପିଦିଅ | ନହେଲେ କେତେବେଳେ ଛିଙ୍କି ଦବ ଯେ ସେ ନିଶ ଉଡିଯାଇ ସାମ୍ନା ଲୋକ ମୁହଁରେ ପଡିବ |
(ଜୟ ନିଜ ନିଶକୁ ଯୋରରେ ଚାପିଦିଏ | ଶ୍ରୀୟା ପରମ ଯାଉଥିବା ରାସ୍ତାକୁ ଚାହିଁଚାହିଁ ବାଦାମ ମଞ୍ଜି ଚୋବାଏ)
***
ଦୃଶ୍ୟ ୩
ପରମ ସ୍କୁଲ ଭିତରକୁ ଯାଏ | ଭିତରେ ଅପେକ୍ଷା କରିଥାନ୍ତି ତା‘ର ସାନ ବେଳର ସବୁଠୁ ପ୍ରିୟ ସାଙ୍ଗ ଅଞ୍ଜନ ଆଉ ବିଭୁ | ପରମ ଭିତରକୁ ଆସିଲା ପରେ ସାଙ୍ଗମାନେ ଖୁସିରେ କୁଣ୍ଢାକୁଣ୍ଢି ହୁଅନ୍ତି |
ଅଞ୍ଜନ: ଆସିଲୁ ତାହେଲେ!
ପରମ: ଅଞ୍ଜନ, ତୁ କଣ ଆଉରି ମୋଟା ତାଗଡା ଲାଗୁଚୁ?
ବିଭୁ: ଏବେ ପରା ଆଉ ଦୁଇଟା କୁସ୍ତି ଲଢ଼ି ଫାଷ୍ଟ ହେଇଚି ସେ | ଲୋକେ ତା’ ବପୁ ଦେଖି ଆଗ ଡରି ଯାଉଛନ୍ତି |
ଅଞ୍ଜନ: ଆଉ କାଇଁ କହୁଚୁ? ନିଜ କଥା କହୁନୁ?
ପରମ: ବିଭୁ କଥା ପୁଣି କଣ?
ଅଞ୍ଜନ: ଏବେ ସରପଂଚ ପାଇଁ ଠିଆ ହଉଚି ପରା ସେ | ଆଗେ ସରପଂଚ, ତା’ପରେ ଏମଏଲଏ ହବ, ତା’ପରେ ଏମପି |
ପରମ: ମୁଁ ତ ସବୁବେଳେ କୁହେ, ଆମ ବିଭୁର ରାଜଯୋଗ ଅଛି |
ବିଭୁ: ହଉ ହଉ ବହୁତ ହେଲା | ଆଉ ବଡଭାଇ ଆଉ ମାୟା ଖବର କଣ?
ଅଞ୍ଜନ: ଆଉ ଦୁଇ ଭାଉଜ ଖବର?
ପରମ: ସବୁ ଭଲ | କହିବି ସମସ୍ତଙ୍କ କଥା | ହେଲେ ସୁଦ କାଇଁ?
ବିଭୁ: ହଁ ହଁ | ଆସୁଛି ତୋ ଡାହାଣ ହାତ |
ଅଞ୍ଜନ: କଣ ଗୋଟେ କାମ ପଡିଗଲା ତା’ର |
ବିଭୁ: ହେଇଟି ତ! ସେ ଆସିଲାଣି |
ସେପଟୁ ସୁଦର୍ଶନ ଆସେ | ପରମ ଆଉ ସେ କୁଣ୍ଢାକୁଣ୍ଢି ହୁଅନ୍ତି | ସାଙ୍ଗମାନେ ଆସି ଗପସପ ହୁଅନ୍ତି |
କିଛି ସମୟ ଗପସପ ପରେ ସେପଟୁ ଝିଅଟିଏ ଆସେ | ପରମ ତାକୁ ଦେଖି ଚମକି ପଡେ |
ପରମ: ଆରେ, ରାଣୀ ତୁ?
ଅଞ୍ଜନ: ହଁ | ରାଣୀ ବି ଆସିଛି ଛୁଟିରେ |
ବିଭୁ: ତୁ ଆସୁଛୁ ଶୁଣି ସେ ବି ଏଠିକି ଆସିବ କହିଲା |
ପରମ: କେମିତି ଅଛୁ ରାଣୀ?
ରାଣୀ: (ହସିଦେଇ) ମୁଁ ଭଲ | ତୁ କେମିତି ଅଛୁ?
(ସମସ୍ତେ ପୁଣି ବସି ଗପସପରେ ମାତିଯାଆନ୍ତି)
***
ଦୃଶ୍ୟ ୪
ସ୍ଥାନ: ଗାଁ ମୁଣ୍ଡ ସ୍କୁଲ, ସମସ୍ତେ ବାହାରକୁ ଆସନ୍ତି |
ଏପଟେ ଶ୍ରୀୟା ଆଉ ଜୟ ଢୁଳେଇ ପଡ଼ିଥାନ୍ତି | ପ୍ରଥମେ ଜୟ ଉଠେ |
ଜୟ: (ଶ୍ରୀୟାକୁ ଉଠେଇ) ଭାଉଜ, ଉଠ ଉଠ | ଦେଖ, ଝିଅଟେ |
ଶ୍ରୀୟା: ଧଡପଡ ହେଇ ଉଠି) ଝିଅ? କଉଠି ଝିଅ?
ଜୟ: ହେଇଟି ଦେଖ | ସ୍କୁଲ ସାମ୍ନାରେ | ଚାରି ଜଣ ପୁଅ ଆଉ ଗୋଟେ ଝିଅ |
ଶ୍ରୀୟା: ଝିଅଟା କେତେବେଳେ ଆସିଲା?
ଜୟ: କେଜାଣି? ମୋର ଟିକେ ଆଖି ଲାଗିଯାଇଥିଲା |
ଶ୍ରୀୟା: ଆରେ, ତମକୁ ମୁଁ ନଜର ରଖିବା ପାଇଁ କହିଥିଲି ଆଉ ତମେ ଶୋଇପଡ଼ିଲ?
ଜୟ: ତମେ ବି ତ ଶୋଇ ପଡିଥିଲ!
ଶ୍ରୀୟା: ହଉ ହଉ ହେଲା | କିନ୍ତୁ ସେ ଝିଅ କିଏ?
ଜୟ: ରୁହ ମୁଁ ଭଲରେ ଦେଖେଁ | ଆରେ.. ରେ…
ଶ୍ରୀୟା: କଣ ହେଲା?
ଜୟ: ଇଏ ତ ଆମ ରାଣୀ!
ଶ୍ରୀୟା: ରାଣୀ ମାନେ ସେଇ ରାଧିକା? ବଇଁଶୀବାଲି?
ଜୟ: ହଁ… ମାନେ ନା… ମାନେ ହଁ !
ଶ୍ରୀୟା: ଓହୋ! ସେଇଥିପାଇଁ ତାହେଲେ ମତେ ନ ଆଣି ଗାଁ ବୁଲିବାକୁ ଆସିଥିଲେ | ଏଇ ସବୁ ନାଟ କରିବେ ବୋଲି |
ଜୟ: ନାଇଁ ମ!
ଶ୍ରୀୟା: ନାଇଁ କଣ? ରୁହ ଆଜି ଦଉଚି ପାନେ |
ଏପଟେ ସାଙ୍ଗମାନେ ବିଦାୟ ନିଅନ୍ତି ପରସ୍ପର ପାଖରୁ |
ଅଞ୍ଜନ: ଏଥର ନୂଆ ବର୍ଷରେ ଆସେ ପରମ |
ସୁଦର୍ଶନ: ମିଶିକି ପିକନିକ ଯିବା |
ପରମ: ହଉ |
ବିଭୁ: ଭୁଲିବୁନି |
ଅଞ୍ଜନ: ରାଣୀ ତାହେଲେ ତୋ ସାଙ୍ଗେ ଯିବ?
ରାଣୀ: ହଁ | ପରମ ମତେ ଛାଡ଼ିଦେବ |
ବିଭୁ, ଅଞ୍ଜନ ଆଉ ସୁଦ ବିଦାୟ ନିଅନ୍ତି | ରାଣୀ ଆଉ ପରମ ଚାଲିଚାଲି ଫେରନ୍ତି |
ପରମ: ଏମିତି ଚାଲିବା?
ରାଣୀ: ତୁ ତ ଗାଡି ଆଣିନୁ | ଆଉ କେମିତି ଯାଇଥାନ୍ତେ?
ପରମ: ସାଇକେଲରେ… ନା ଥାଉ!
ରାଣୀ: ହଁ ହଁ ଚାଲ.. ସାଇକେଲରେ ଯିବା |
ପରମ: ନାଁ ମ! କିଏ ଦେଖିଲେ କଣ କହିବ?
ରାଣୀ: ଆମ ଗାଁ ତ! କିଏ କଣ କହିବ ଯେ? ତୁ ଚଲା ମୁଁ ବସୁଛି |
ପରମ: ସତରେ?
ରାଣୀ: ଏମିତି କହୁଚୁ ଯେମିତି ମୁଁ ପ୍ରଥମ ଥର ତୋ ସାଇକେଲରେ ବସୁଛି |
ପରମ ସାଇକେଲ ଚଲାଏ | ରାଣୀ ତା ସାମ୍ନାରେ ବସେ |
ଏପଟେ ଶ୍ରୀୟା ସବୁ ଦୂରରେ ଲୁଚିକି ଦେଖୁଥାଏ |
ଶ୍ରୀୟା: ଏଁ… ଜୟନା…. ପରମ ତାକୁ ତା’ ସାଇକେଲରେ ବସେଇଲେଣି | ପୁଣି ଏତେ ଲାଗିକି ବସିଛି ସେ!
ଜୟ: ଗାଡିରେ ଆସିଥିଲେ ଦୁହେଁ ଦୂରରେ ଦୂରରେ ବସିଥାନ୍ତେ | ତମେ ଗାଡି ଭାଙ୍ଗିଦେଲ | ଏବେ ସାଇକେଲରେ ଲାଗିକି ବସିଲେ ତମେ କାଇଁ କାନ୍ଦୁଛ??
ଶ୍ରୀୟା: ଏଁ…ଏଁ…. ଆରେ ଆରେ ସେମାନେ କୁଆଡେ ଗଲେଣି?
ଜୟ: ଆମ୍ବ ତୋଟା ଆଡେ |
ଶ୍ରୀୟା: ଆମ୍ବ ତୋଟା? କାଇଁକି?
ଜୟ: କେଜାଣି! ଗପସପ ହେବେ ବୋଧେ ଆଉ!
ଶ୍ରୀୟା: ଆଉ କି ଗପସପ ବା? ଦୁହେଁ ବାହାସାହା ହେଲା ପରେ ଆଉରି ଗପ ବାକି ଅଛି?
ଜୟ: ବାହାଘର ଆଉ ଗପ କି ସମ୍ପର୍କ ବା?
ଶ୍ରୀୟା: ତମେ ଚୁପ କର | ଆଚ୍ଛା ମତେ ସେ ଜାଗାକୁ ଟିକେ ନେଇଯିବ? ସେମାନେ ପହଂଚିବା ପୂର୍ବରୁ?
ଜୟ: କୋଉଠିକି?
ଶ୍ରୀୟା: ଆମ୍ବ ତୋଟା?
ଜୟ: ହଉ ଚାଲ | ଏପଟେ ଗୋଟେ ପାଦଚଲା ରାସ୍ତା ଅଛି | ସିଆଡ଼ୁ ଗଲେ ଆମେ ସେଠି ଆଗ ପହଂଚିବା |
ଶ୍ରୀୟା ଆଉ ଜୟ ଲୁଚିକି ବାହାରନ୍ତି ଆମ୍ବତୋଟା | ଏପଟେ ଅନ୍ୟ ରାସ୍ତାରେ ସାଇକେଲରେ ଯାଆନ୍ତି ପରମ ଆଉ ରାଣୀ |
***
ଦୃଶ୍ୟ ୫
ସ୍ଥାନ: ଆମ୍ବତୋଟା | ଦୂରରେ ଗଛ ପଛରେ ଲୁଚିଛନ୍ତି ଶ୍ରୀୟା ଆଉ ଜୟ |
ଶ୍ରୀୟା: ସେମାନେ ସେଇ ଗଛ ତଳେ ବସିବେ ତ?
ଜୟ: ହଁ | ସାନ ଭାଇ ସେଇ ଗଛ ତଳ ପଥରରେ ବସିବେ ଆଉ ତା’ ପାଖ ପଥରରେ ବସିବେ ରାଣୀ ଅପା | ଆଗରୁ ସବୁବେଳେ ସେଠି ହିଁ ବସୁଥିଲେ |
ଶ୍ରୀୟା: ହଉ ଦେଖାଯାଉ |
ପରମ ଆଉ ରାଣୀ ଆସନ୍ତି ଆଉ ଜୟ କହିଥିବା ଜାଗାରେ ହିଁ ବସନ୍ତି |
ଜୟ: ଦେଖିଲ | କହିଥିଲି ନା!
(ଶ୍ରୀୟା ମୁହଁ ମୋଡେ)
ଶ୍ରୀୟା: ଆଚ୍ଛା, ସେମାନେ କଣ କଥା ହଉଥିବେ?
ଜୟ: କେଜାଣି! ମୁଁ କେମିତି ଜାଣିବି |
ଶ୍ରୀୟା: ଆମେ ଶୁଣି ପାରିବାନି?
ଜୟ: ଧରା ପଡ଼ିବାର ଅଛି ଯଦି ଯାଅ ପାଖକୁ ଆଉ ଶୁଣ |
ଶ୍ରୀୟା: (ମୁହଁ ଶୁଖେଇ) ଥାଉ |
ଏପଟେ ପରମ ଆଉ ରାଣୀ କଥା ହଉଥାନ୍ତି |
ପରମ: ଆଉ? ଭଲ ଅଛୁ?
ରାଣୀ: ମୁଁ ଭଲ ଅଛି | ଆଉ ତୁ?
ପରମ: ହଁ | ଭଲ |
ରାଣୀ: ମୋ ବାହାଘରରେ ଡ଼ାକିଥିଲି | ଆସିଲୁନି ଯେ?
ପରମ: କହିଥିଲି ତ ଆସିବିନି ବୋଲି |
ରାଣୀ: ହେଲେ ବି ଭାବିଲି କାଳେ ଆସିବୁ |
ପରମ: ନା | ପଛକୁ ମୁଁ କେବେ ଫେରିକି ଯାଏନି | ତୁ ଜାଣିନୁ କି?
ରାଣୀ: ଜାଣିଚି | ହେଲେ ବି ଭାବିଲି କାଳେ! ଆଉ ତୋ ସ୍ତ୍ରୀ କେମିତି ଅଛି?
ପରମ: ସେ ଭଲ ଅଛି | ତୋ ବର କେମିତି ଅଛନ୍ତି?
ରାଣୀ:ଭଲ |
ପରମ: କେମିତି ଲୋକ ସେ?
ରାଣୀ: ବହୁତ ଭଲ | ତୋ ଭଳି ନଖରାଵାଲା ନୁହନ୍ତି | ମୁଁ ତୋ ପଛରେ ସବୁବେଳେ ବୁଲୁଥିଲି ହେଲେ ମୋ ବର ସବୁବେଳେ ମୋ ପଛରେ |
ପରମ: ହାହା! ଯା ହଉ |
ରାଣୀ: ତୋ ଭଳି ଫୁଲାଫାଙ୍କିଆ ବି ନୁହେଁ ସେ |
ପରମ: ହାହା!! ହେଲେ ଜାଣିଚୁ? ଶ୍ରୀୟା… ଶ୍ରୀୟା କିନ୍ତୁ ପୁରାପୁରି ତୋ ଭଳି |
ରାଣୀ: ହେହେ! ସତରେ?
ପରମ: ହଁ | ଥରେ ଥରେ ତ ଲାଗେ ତା’ ଭିତରେ ତୁ ଆଉ ତୋ ଭିତରେ ସେ |
ରାଣୀ: ଆଚ୍ଛା?
ପରମ: ଲାଗେ ରାଣୀ ଆଉ ଶ୍ରୀୟା ଭିତରେ ଯେମିତି କିଛି ତଫାତ ନାହିଁ |
ରାଣୀ: ତାକୁ କେବେ ଏମିତି କହିବୁନି | ସେ ଖରାପ ଭାବିବ |
ପରମ: ନାଇଁ ସେ ଭାବିବନି | ଭାରି ସଫା ମନ ତା’ର |
ରାଣୀ: ସାଙ୍ଗରେ ଆଣିଲୁନି? ମିସ କରୁଚୁ?
ପରମ: ହଁ… ନାଇଁ… କରୁନି |
ରାଣୀ: ଝଗଡା କରିଛୁ କି?
ପରମ: ନାଇଁ…
ରାଣୀ: ତାହେଲେ ମୁହଁ କାଇଁ ଶୁଖିଗଲା?
ପରମ: ସେ କିଛି ନୁହେଁ |
ରାଣୀ: ମିଛ କହିବା ତ ତୁ ଆଜିଯାଏଁ ଶିଖି ପାରିଲୁନି | ମୁଁ ତତେ ଜାଣିନି? ତୁ ରାଗିବୁନି | ରାଗିବୁନି | ଆଉ ରାଗିଗଲେ କାହାରି ନୁହେଁ |
ପରମ: ନାଁ… ସେମିତି କିଛି ନାଇଁ…
ରାଣୀ: ତୁ ପାଟି ଚୁପ କର ଆଉ ମୁଁ ଯାହା କହୁଛି ଶୁଣେ |
ପରମ: କହ |
ରାଣୀ: ତୁ ଗଲା ପରେ ମୁଁ ଜାଣିଲି ଜୀବନଟା ବହୁତ ଛୋଟ | ଆମେ ଯେତେ ଛୋଟ ଭାବୁ ତା’ଠୁ ଆଉରି ଛୋଟ | ସେଥିପାଇଁ ଭଲ ପାଉଥିବା ମଣିଷଟି ସାଙ୍ଗରେ ହସଖୁସିର ଦିନଗୁଡା ଯେମିତି କଟିଯାଏ ସେଥିପାଇଁ ଚେଷ୍ଟା କରିବୁ | କିଏ ଜାଣେ ସେ ଦିନଗୁଡା ପୁଣି କେବେ ଫେରିବ କି ନା!
ପରମ: ହଁ | ଠିକ କହିଚୁ | ହେଲେ…
ରାଣୀ: ହେଲେ ଫେଲେ କିଛି ନାହିଁ… ମୁଁ ଯାହା କହିଛି ଭାବିବୁ |
ପରମ: ହଁ… (ବ୍ୟସ୍ତ ହେଇ) ଓଃ… ଏମିତି କଣ ଲାଗୁଚି?
ରାଣୀ: କଣ ହେଲା?
ପରମ: (ଠିଆ ହେଇଯାଏ) କୁଣ୍ଡିଆ…
ରାଣୀ: କଣ? କୁଣ୍ଡିଆ?
ପରମ: ହଁ ମାନେ… କୁଣ୍ଡେଇ ହଉଚି | ପରମ ନିଜ ଅଂଟା ତଳକୁ କୁଣ୍ଡେଇ ହବାକୁ ଲାଗେ |
ଏପଟେ ଶ୍ରୀୟା ଆଉ ଜୟ ଦେଖୁଥାନ୍ତି |
ଶ୍ରୀୟା: (ଧୀରେ ତାଳି ମାରି) ହେଇଟି… ବିଛୁଆତି ତା’ କମାଲ ଦେଖେଇଲା |
ଜୟ: ସାନଭାଇ ବସିବା ପଥରରେ ଯୋଉ ବିଛୁଆତି ଘଷା ହେଇଚି ସେ କୁଣ୍ଡିଆ ନ ହେଇ ଯିବ କୁଆଡେ?
ଶ୍ରୀୟା: ଏବେ ବସନ୍ତୁ… କେତେ ବସି ଗପିବେ କଦମ୍ବ ମୂଳେ!!
ଏପଟେ ପରମ କୁଣ୍ଡେଇ କୁଣ୍ଡେଇ ବ୍ୟସ୍ତ ହେଇପଡ଼େ |
ପରମ: (କୁଣ୍ଡେଇ କୁଣ୍ଡେଇ) ହଉ ରାଣୀ…. ମୁଁ ଆସୁଛି… ଯାଏଁ ଦେଖେ କଣ ହେଲା ମୋର |
ରାଣୀ: (ବ୍ୟସ୍ତ ହେଇ) ହଉ ଯା ଯା | କୁଣ୍ଡିଆ ନ ଛାଡିଲେ ଗାଁ ଡାକ୍ତର ପାଖକୁ ପଳେଇବୁ |
ପରମ: (କୁଣ୍ଡେଇ କୁଣ୍ଡେଇ) ହଉ ହଉ | ମୁଁ ଆସିଲି ତାହେଲେ | ତୁ ଘରକୁ ଚାଲିଯିବୁ ତ?
ରାଣୀ: ହଁ ଏଇଟା ମୋ ଗାଁ | ହଜିଯିବି କି? ତୁ ଯା |
ପରମ: ହଉ | ବାଏ | (କୁଣ୍ଡେଇ କୁଣ୍ଡେଇ) ଓହୋ… ହୋ…. ଆଃ…..
(ପରମ ଜୋରରେ ସାଇକେଲ ଚଲେଇ ଚାଲିଯାଏ ଆଉ ରାଣୀ ଠିଆ ହେଇଥାଏ | ଏପଟେ ଶ୍ରୀୟା ଆଉ ଜୟ ଖୁସିରେ ହାତ ମିଳାନ୍ତି)
(ଭାଗ ପନ୍ଦର ସମାପ୍ତ)
ଅଧ୍ୟାୟ ୧୬- ରସଗୋଲା ଉପାଖ୍ୟାନ
ଆଜିର ଚରିତ୍ର
ବଡଭାଇ: ଘରର ମୁରବୀ ଶଙ୍କର୍ଷଣ ଚୌଧୁରୀ, ବୟସ ୩୬
ସାନଭାଇ: ପରଂବ୍ରହ୍ମ ଚୌଧୁରୀ ଓରଫ ପରମ ବୟସ ୩୧
ଶ୍ରୀୟା ପରିଜା ଚୌଧୁରୀ: ଘରର ସାନବୋହୁ, ଫୁଡ ବ୍ଲଗର, ବୟସ ୨୮
ସାନଭଉଣୀ: ଯୋଗମାୟା ଚୌଧୁରୀ ଓରଫ ମାୟା, ବୟସ ୨୬
ଗୁଣ୍ଡି ମାଉସୀ: ତିନି ଭାଇ ଭଉଣୀଙ୍କ ମାଉସୀ, ବୟସ ୬୦
ରାଣୀ ଓରଫ ରାଧିକା ରାୟ: ପରମର ସାନବେଳ ସାଙ୍ଗ, ବୟସ ୩୧
ଜୟ: ଘରର ଚାକର ପ୍ଲସ ରୋଷେଇଆ, ବୟସ ୩୪
ବିଜୟ: ଘରର ପୂର୍ବତନ ଚାକର ପ୍ଲସ ରୋଷେଇଆ, ବୟସ ୩୬
ଦାରୁ ଜେନା: ପରମର ଡ୍ରାଇଭର, ବୟସ ୩୭
ରସଗୋଲା_ଉପାଖ୍ୟାନ
ଦୃଶ୍ୟ ୧
ସ୍ଥାନ: ଆମ୍ବ ତୋଟା | ଶ୍ରୀୟା ଆଉ ଜୟ ଠିଆ ହେଇଛନ୍ତି | ପରମ ଗଲା ପରେ ଶ୍ରୀୟା ଜୟ ଆଡକୁ ଚାହେଁ |
ଶ୍ରୀୟା: ଯାଇକି ଦେଖିଲ, ତମ ଭାଇ ସାଇକେଲ ଚଲେଇ ଯାଇପାରୁଛନ୍ତି କି ନାହିଁ?
ଜୟ: ହଉ |
ଜୟ ସେପଟେ ପରମକୁ ଦେଖିବାକୁ ଚାଲିଯାଏ | ଏପଟେ କିଏ ଜଣେ ଆସି ଶ୍ରୀୟା କାନ୍ଧରେ ହାତ ରଖେ | ଶ୍ରୀୟା ଚମକି ପଡି ବୁଲିପଡ଼େ | ଦେଖେ ସାମ୍ନାରେ ରାଣୀ |
ଶ୍ରୀୟା: ରାଣୀ! ତମେ?
ରାଣୀ: ଶ୍ରୀୟା?
ଶ୍ରୀୟା: ତମେ ମତେ ଜାଣିଛ?
ରାଣୀ (ହସିକି): ହଁ ତମକୁ କିଏ ନ ଜାଣେ | ମୋ ସ୍ୱାମୀଙ୍କର ଫେବରିଟ ଚ୍ୟାନେଲ ହେଲା ତମ କୁକିଙ୍ଗ ଚ୍ୟାନେଲ | ସବୁ ରବିବାର ତମର ସବୁ ଭିଡିଓ ଦେଖି କିଛି ନା କିଛି ତିଆରି କରନ୍ତି ସେ |
ଶ୍ରୀୟା: (ଟିକିଏ ହସି) ସତରେ?
ରାଣୀ: ହଁ | ଆଉ କୁହନ୍ତି ପରମର ଭାଗ୍ୟ ତାକୁ ଶ୍ରୀୟା ଭଳି ଝିଅ ମିଳିଛି |
ଶ୍ରୀୟା: ସେ ପରମକୁ ଜାଣନ୍ତି |
ରାଣୀ: ହଁ | ସେ ସବୁ ଜାଣନ୍ତି | ଆମ ଭିତରେ କିଛି ଲୁଚାଛପା ନାହିଁ | ହେଲେ ତମେ ଏଠି? ଏମିତି? ଏଇ ବେଶରେ?
ଶ୍ରୀୟା: (ଥତମତ ହେଇ) ନାଇଁ.. ମାନେ…
ରାଣୀ: ହେଲେ ତମେ ତ ଆସିନ ବୋଲି ପରମ କହିଲା |
ଶ୍ରୀୟା: ହଁ… ମାନେ ମୁଁ ଏଠିକି…
ରାଣୀ: ତମେ ଏଠିକି ତା ସାଙ୍ଗରେ ଆସିନ?
ଶ୍ରୀୟା (ଦୀର୍ଘଶ୍ୱାସ ନେଇ): ନା |
ରାଣୀ: ଆଉ ଏଠି ତମେ କଣ କରୁଥିଲ? (ହସିକି) ଆମ ଉପରେ ଜାସୁସି?
ଶ୍ରୀୟା: ହଁ… ମାନେ ନା… ମାନେ… ଛି ରାଣୀ! ଏଗୁଡା ପଚାରି ମତେ ଆଉ ଲଜ୍ଜା ଦିଅନି |
ରାଣୀ: (ହସିକି) ହଉ ହଉ | ବ୍ୟସ୍ତ ହୁଅନି |
ଶ୍ରୀୟା: ଆଉ ଶୁଣ! ପ୍ଲିଜ ପରମକୁ କହିବନି ଏ କଥା |
ରାଣୀ: ନା ନା | ବିଶ୍ୱାସ ରଖ | କହିବିନି | ହେଲେ ତୁମେ ଏମିତି ଏକୁଟିଆ କେମିତି ଆସିଲ?
(ଏତିକି ବେଳେ ସେପଟୁ ଆସେ ଜୟ | ତାକୁ ଦେଖି ଚମକି ପଡେ ରାଣୀ | ଜୟ ବି ତାକୁ ଦେଖି ଚମକି ପଡେ)
ରାଣୀ: ଇଏ କିଏ?
ଶ୍ରୀୟା: ହାହା! ଚିହ୍ନି ପାରୁନ ଟି? ଇଏ ହେଲେ ଜୟନା!
ରାଣୀ: ହେ ପ୍ରଭୁ! ତମର ଏ କି ବେଶ?
ଶ୍ରୀୟା: ଏ ସବୁ ମୋ ଦୋଷ ରାଣୀ |
ରାଣୀ: କଣ ଏମିତି ହେଲା କି?
ଶ୍ରୀୟା: କହିବି | ସବୁ କହିବି | ହେଲେ ତମେ ପ୍ରମିଶ କର ଆମ ଘରର କାହାରିକୁ ଏ କଥା କହିବନି |
ରାଣୀ: ଥରେ କହିଲି ପରା! ତମେ ତାହେଲେ କଣ ଜୟନା ସାଙ୍ଗରେ ଆସିଛ?
ଶ୍ରୀୟା: ହଁ | ଆମେ ଦୁହେଁ ଆସିଚୁ | ହେଲେ ଲାଗୁଚି ଏବେ ଏଠି ଆମ କାମ ଶେଷ ହେଇଚି | ଆଜି ଏଠୁ ଫେରିଯିବୁ |
ରାଣୀ: ଆମ ଘରକୁ ଥରେ ଆସୁନ ଫେରି ଯିବା ଆଗରୁ?
ଶ୍ରୀୟା: ତୁମ ଘରକୁ ଗଲେ ସମସ୍ତେ ପୁଣି ଜାଣିଦେବେ ରାଣୀ | ଥାଉ | ଆଉ କେବେ ଆସିବି |
ରାଣୀ: ହଉ ଠିକ ଅଛି | ମୁଁ ବୁଝୁଚି |
ଶ୍ରୀୟା: ତୁମେ କିନ୍ତୁ ଏଠୁ ଫେରିଲା ପରେ ତୁମ ବାବୁଙ୍କୁ ନେଇ ଯେମିତି ହେଲେ ଆମ ଘରକୁ ଆସିବ |
ରାଣୀ: ତୁମେ ଡାକିଛ ମାନେ ନିଶ୍ଚିତ ଆସିବି | ହଉ ଏବେ ମୁଁ ଯାଏଁ | ବୋଉ ସିଆଡେ ମତେ ଖୋଜୁଥିବ |
ଶ୍ରୀୟା: ତୁମେ ଏଠୁ ଚାଲିଯାଇ ପାରିବ ନା?
ରାଣୀ: ହଁ, ଏଇ ପାଖରେ ହିଁ ମୋ ଘର | ଆଉ ଦେଖା ହବ ପରେ | ଆସୁଛି ବାଏ |
ଶ୍ରୀୟା: ବାଏ |
ରାଣୀ: (ହସିକି) ଆସୁଛି ଜୟନା |
ଜୟନା ଲାଜରେ ମୁହଁ ଲୁଚେଇ ଦିଏ | ରାଣୀ ନିଜ ଘରକୁ ଚାଲିଯାଏ | ଶ୍ରୀୟା ଆଉ ଜୟ ବି ଆମ୍ବତୋଟାରୁ ବାହାରି ଆସନ୍ତି |
***
ଦୃଶ୍ୟ ୨
ସ୍ଥାନ: ଗୁଣ୍ଡି ମାଉସୀ ଘର ଦାଣ୍ଡପଟ |
ଡାକ୍ତର ପାଖରୁ ଔଷଧ ନେଇ ଫେରୁଛି ପରମ | ଏବେ ତା’ କୁଣ୍ଡିଆ ଭଲ ହେଇ ଯାଇଛି
ଦେଖେ ଭିତରୁ ବାହାରୁଛନ୍ତି ବିଜୟନା |
ପରମ: ଆରେ ବିଜୟନା!
ବିଜୟ: ତମକୁ ହିଁ ଅପେକ୍ଷା କରିଥିଲି |
ପରମ: ତମେ ଏଠି?
ବିଜୟ: ତମେ ଆସିବ ଆଉ ମୁଁ ତମକୁ ଭେଟିବାକୁ ଆସିବିନି? ଘରକୁ ଆସିଥିଲି | ବଡଭାଇ ଆଉ ଝିଅ ସାଙ୍ଗରେ ଦେଖା ହେଲା | ସେମାନେ କହିଲେ ତମେ ଡାକ୍ତର ପାଖକୁ ଯାଇଛ | ସେଥପାଇଁ ଭେଟିବାକୁ ଅପେକ୍ଷା କରିଥିଲି | କଣ କୁଣ୍ଡିଆ ହେଇଚି?
ପରମ: କେଜାଣି! କୋଉ ବିଛୁଆତି ପତ୍ର ଲାଗି ଯାଇଛି ବୋଧେ ବୋଲି ଡାକ୍ତର କହୁଛନ୍ତି | ଏବେ ଭଲ ଅଛି | ତମେ ଚାଲୁନ, ଟିକେ ବସିବା |
ବିଜୟ: ନାଇଁରେ, କାଲି ଶାଳୀର ନିର୍ବନ୍ଧ | ତାଙ୍କ ଗାଁକୁ ଯିବାକୁ ପଡିବ | ସେଥିପାଇଁ ତମକୁ ଭେଟିବାକୁ ଆସିଗଲି ଏଠିକି | ଏଇନେ ବାହାରିଯିବି |
ପରମ: ଓହୋ! ଭଲ ହେଲା ତାହେଲେ ଦେଖା ହେଇଗଲା | ମୁଁ ଏମିତିରେ ତମକୁ ଦେଖା କରିବାକୁ ସନ୍ଧ୍ୟା ବେଳକୁ ତମ ଘର ଆଡେ ଯାଇଥାନ୍ତି | ତମ କୋଳରେ ମୁଁ ବଡ ହେଇଚି ଟି? କେତେ ସେବା ମୋର ନ କରିଛ ତମେ? କେତେ ହଇରାଣ କରିଛି ତମକୁ |
ବିଜୟ: ସେଇ ହଇରାଣ କରିଛ ବୋଲି ତ ତମକୁ ଏତେ ଭଲପାଏ ମୁଁ | ହେଲେ ମୋ ଦିନ ସରିଲା | ଏବେ ଜୟକୁ ହଇରାଣ କର |
ପରମ: ହଁ | ଜୟନାକୁ ବି ପ୍ରବଳ ହଇରାଣ କରୁଛି ମୁଁ |
ବିଜୟ: କେମିତି ଅଛି ସେ?
ପରମ: ଭଲ | ଆସିବେ ଶୀଘ୍ର ଗାଁକୁ |
ବିଜୟ: ହଉ | ମୁଁ ଆସୁଛି ଏବେ | ପୁଣି ଆସିଲେ ଦେଖା ହବ |
ପରମ: ହଉ ତାହେଲେ |
ଟିକିଏ ଦୂରରେ ଲୁଚିକି ଅଛନ୍ତି ଶ୍ରୀୟା ଆଉ ଜୟ |
ଜୟ: ଫେରିଲା ଆଗରୁ ସାନଭାଇ ଭଲ ହେଲେଣି କି ନାଇଁ ଦେଖିବ ବୋଲି କହୁଥିଲ ପରା? ହେଇ ଦେଖ |
ଶ୍ରୀୟା: ଯା ହଉ | ସେ ଭଲ ହେଇଗଲେ | ମୁଁ ପୋଡ଼ାମୁହିଁ ରାଗରେ କି କାଣ୍ଡ ନ କଲି |
ଜୟ: ହଉ ଏବେ ବୁଝିଲ ତ! ଆଉ ଆଗକୁ ଏମିତି ଉପାଖ୍ୟାନ ସବୁ ଯେମିତି ନ କର!
ଶ୍ରୀୟା: ନାଇଁ ଆଉ କରିବିନି | ହଉ ଚାଲ | ଏବେ ଗାଁରୁ ବାହାରି ଯିବା |
ଏତିକିବେଳେ ବିଜୟ ନନା ସାଇକେଲରେ ସେଇ ପାଖରେ ପହଞ୍ଚନ୍ତି | ଦେଖନ୍ତି ଶ୍ରୀୟା ଆଉ ଜୟକୁ | ଜୟକୁ ଦେଖି ସେ ଦୋଦୋପାଞ୍ଚ ହୁଅନ୍ତି | ଜୟ ବି ତାଙ୍କୁ ଦେଖି ପଛ ଆଡ଼କୁ ବୁଲିପଡ଼ି ମୁହଁ ଲୁଚାଏ | ବିଜୟ ଆଉ କିଛି ବୁଝି ନ ପାରି ଆଗକୁ ବଢନ୍ତି |
ଶ୍ରୀୟା: କଣ ହେଲା ଜୟନା?
ଜୟ: ଇଏ ପରା ବିଜୟ ନନା | ମୋ ବଡବାପା ପୁଅ ଭାଇ | ମୁଁ ଏବେ ଧରା ପଡିଯାଇଥାନ୍ତି |
ଶ୍ରୀୟା: କିଛି ହବନି ମ! ଚିନ୍ତା କରନି |
ଜୟ: ବୁଝିଲ ଭାଉଜ, ଦିନେ ତମ ପାଇଁ ମୁଁ ସହିଦ ହେବି ଦେଖିବ!
ଶ୍ରୀୟା: ଆରେ, ଆଉ ବ୍ୟସ୍ତ ହବାର କିଛି ନାଇଁ | ଆମେ ତ ଏବେ ପଳଉଛେ | ନିଅ ବାଦାମ ଖାଅ ଆଉ ଗାଡି ପାଖକୁ ଚାଲ |
ଜୟ ମୁହଁ ଆମ୍ବିଳା କରି ବାଦାମ ନିଏ ଆଉ ବାଦାମ ମଞ୍ଜି ପାଟିରେ ପକାଏ | ଦୁହେଁ ଦୂରରେ ଠିଆ ହେଇଥିବା ଗାଡି ଆଡକୁ ମୁହାଁନ୍ତି |
***
ଦୃଶ୍ୟ ୩
ସ୍ଥାନ: ଗୁଣ୍ଡି ମାଉସୀ ଘର | ତିନି ଭାଇ ଭଉଣୀ ବାହାରିଛନ୍ତି ଘରୁ | ଗୁଣ୍ଡି ମାଉସୀ ଆଖିରୁ ଲୁହ ପୋଛୁଛି |
ମାଉସୀ: (ସୁଁସୁଁ ହେଇ) ଆଉ କିଛି ଦିନ ରହି ଯାଇଥିଲେ ହେଇନଥାନ୍ତା?
ବଡଭାଇ: କାନ୍ଦେନି ମାଉସୀ | ଆମେ ଆଉଥରେ ଆସିବୁ |
ମାୟା: ହଁ | ଆଉ ସେତେବେଳେ ବେଶିଦିନ ଛୁଟି ନେଇ ଆସିବୁ |
ପରମ: ଆଉ ଫେରିଲା ବେଳେ ଆମେ ତତେ ନେଇକି ଚାଲିଯିବୁ ମାଉସୀ | ତୁ ସେଠି ଆରାମରେ ରହିବୁ |
ମାଉସୀ: ମୁଁ ଆଉ ଏଇ ଗାଁ ଛାଡି କୁଆଡେ ଯିବିରେ ପୁଅ! ତମେ ମାନେ ସବୁ ଆସୁଥାଅ | ମୋ ଖୁସି ସେଇଥିରେ |
ବଡଭାଇ: ତୋ ଜନମ ଦିନ ମିଠା ଭାରି ବଢିଆ ଲାଗିଲା ଏଥର ମାଉସୀ |
ମାଉସୀ: ସେଇ ରସଗୋଲା ବାନ୍ଧିକି ଦେଇଛି | ଏଇ କାଳୁର ବ୍ୟାଗରେ ଅଛି | ସମସ୍ତେ ଖାଇବ |
ମାୟା: ମାଉସୀ, ତୁ ସେ ରସଗୋଲା ସାନଭାଇ ବ୍ୟାଗରେ ଦେଇଚୁ? ତା’ ମାନେ ଜାଣେ ଆମକୁ ଗୋଟି ବି ମିଳିବନି |
ମାଉସୀ: ନାଇଁ ନାଇଁ, ମୋ ପୁଅ ସମସ୍ତଙ୍କୁ ଦେଇକି ଖାଇବ? ନୁହଁ କି ରେ କାଳୁ?
ପରମ: ମୁଁ ସମସ୍ତଙ୍କୁ ଦେବି | ତୁ ଜମା ଚିନ୍ତା କରେନି ମାଉସୀ | ଆଉ ତୋ ଦେହର ଯତ୍ନ ନଉଥିବୁ | ଠିକ ସମୟରେ ଔଷଧ ଖାଉଥିବୁ |
ବଡଭାଇ: ହଁ | ଆଉ କିଛି ଦରକାର ହେଲେ ମତେ ସାଙ୍ଗେ ସାଙ୍ଗେ ଫୋନ କରିବୁ | ହେଲା?
ମାଉସୀ: ହଉ |
ମାୟା: ହଉ ମାଉସୀ | ପ୍ରଣାମ ଆମେ ଆସିଲୁ |
ତିନି ଭାଇ ଭଉଣୀ ଗୁଣ୍ଡି ମାଉସୀକୁ ପ୍ରଣାମ କରି ତାପରେ କୁଣ୍ଢେଇକି ବିଦାୟ ନିଅନ୍ତି | ସେମାନେ ଗାଡିରେ ବସନ୍ତି | ଦାରୁ ଗାଡି ଷ୍ଟାର୍ଟ କରେ | ତିନି ଭାଇ ଭଉଣୀ ମାଉସୀକୁ ହାତ ହଲେଇ ବିଦାୟ ଦିଅନ୍ତି | ମାଉସୀ ହାତ ହଲେଇ ହଲେଇ ଆଖିରୁ ଲୁହ ପୋଛେ |
***
ଦୃଶ୍ୟ ୪
ଗାଡ଼ିରେ ବସିଛନ୍ତି ତିନି ଭାଇ ଭଉଣୀ | ଦାରୁ ଗାଡି ଚଲଉଛି |
ବଡଭାଇ: କାଳୁ | ଏବେ ତୋ ରାଗ ଶାନ୍ତ ହେଲାଣି ତ?
(ପରମ କିଛି କୁହେନି)
ମାୟା: ହଁ ହେଲାଣି | ମୁଁ ତାକୁ କହିଲି ସବୁ କଥା | ନେତ ଆଈ କଣ କଣ ସବୁ ଭାଉଜଙ୍କୁ କହିଥିଲେ ଆଉ କଣ ପାଇଁ ଭାଉଜ ରାଗିଲେ |
ବଡଭାଇ: ଓହୋ! ତାହେଲେ କାଳୁ କଥା କାହିଁକି କହୁନି?
ମାୟା: ସାନଭାଇ ବୋଧେ ସାନ ଭାଉଜଙ୍କ ମାନଭଂଜନ କଲା ପରେ ହିଁ ଯାଇ କଥା କହିବା ଲାଗୁଚି |
ବଡଭାଇ ହସନ୍ତି |
ପରମ: ଭାରି ବଡ ବଡ କଥା କହୁଚୁ ତ ଆଜିକାଲି!
ମାୟା: ମୁଁ ବଡ ହେଲିଣି | କାଇଁକି କହିବିନି?
ପରମ: ଭାଇ, ତାହେଲେ ତା’ ପାଇଁ ଗୋଟେ ବର ଦେଖିବା ଆରମ୍ଭ କଲ |
ବଡଭାଇ: ହଁ ଠିକ କଥାଟେ ମନେ ପକେଇଲୁ | ଏଣିକି ୟା କଥା ବୁଝିବା ଆରମ୍ଭ କରିବା ଦର୍କାର |
ମାୟା: ସାନଭାଇ, ଭଲ ଭାବେ ପ୍ରତିଶୋଧ ନେଲୁ ମୋ ସହ |
ପରମ: ଠିକ ହେଇଚି | ମୋ ସାଙ୍ଗରେ ଲାଗିଲେ ଏମିତି ହିଁ କରିବି |
ଗାଡି ନୀଳାଚଳ ପ୍ରାସାଦ ପାଖାପାଖି ହୁଏ | ସନ୍ଧ୍ୟା ସମୟ |
ମାୟା: ବଡଭାଇ, ଆମେ ଆଗ ଯାଇକି ଭାଉଜଙ୍କୁ ନେଇ ଆସିବା କି?
ବଡଭାଇ: ତୋ ଭାଉଜକୁ ଆଣିବା ଦରକାର ନାହିଁ | ସେ ଆସିଗଲାଣି ଘରକୁ | ମତେ ତୋ ବଡ ଭାଉଜ ଏଇନେ ମେସେଜ କରିଥିଲା |
ପରମ: ସେ ନିଜେ ନିଜେ ଆସି ଯାଇଛି?
ବଡଭାଇ: ହଁ, ସେ ଆଜି ଘରକୁ ଆସିଲା ବୋଲି ତ ରେବତୀ କହିଲା |
ମାୟା: ବାଃ, ବଢିଆ ହେଲା ତାହେଲେ ତ! ହେଲେ ଭାଇ….
ବଡଭାଇ: କଣ ହେଲା?
ମାୟା: ଭାଉଜ ତ ନିଶ୍ଚୟ ରାଗିଥିବେ ନା ଆମ ଉପରେ?
ପରମ: କାହିଁକି?
ମାୟା: ଆମେ ତାଙ୍କୁ ଏମିତି ଏକୁଟିଆ ଛାଡି ମାଉସୀ ଘରକୁ ଚାଲିଗଲେ |
ପରମ: ରାଗିବ କାଇଁକି? ସେ ତ ଘରେ ନଥିଲା ଆଉ ଆମେ ଚାଲିଗଲେ | ଏଥିରେ ରରାଗିବାର କଣ ଅଛି?
ବଡଭାଇ: ପରମ, ତୁ ଏବେ କଥାକୁ ଆଉରି ବଡ କରୁଚୁ | ତୁ ଜାଣିଚୁ ଭୁଲ ତୋର ବି ଅଛି | ଏବେ ଯିବୁ ଆଉ ଚୁପଚାପ ଶ୍ରୀୟାକୁ ଭୁଲ ମାଗିବୁ ହେଲା?
ମାୟା: ବୁଝିଲୁ ତ ସାନଭାଇ?
ପରମ: ହଉ |
***
ଦୃଶ୍ୟ ୫
ସ୍ଥାନ: ନୀଳାଚଳ ପ୍ରାସାଦ
ଜୟ: ଭାଉଜ, ଭାଉଜ | ଦେଖ ଏମାନେ ଆସିଲେଣି | ଗାଡି ଏବେ ଗେଟ ଭିତରକୁ ପଶୁଛି |
ଶ୍ରୀୟା: କାଇଁ ଦେଖି?
ଶ୍ରୀୟା ବାଲକୋନୀକୁ ଆସେ | ଦେଖେ ତିନି ଭାଇ ଭଉଣୀ ଗାଡି ଭିତରେ | ସେ ସେମାନଙ୍କୁ ଦେଖି ପୁଣି ମୁହଁମୋଡି ପୁଣି ଭିତରକୁ ଚାଲିଯାଏ |
ଜୟ: (ଶ୍ରୀୟା ପଛରେ ଆସି) ପୁଣି କଣ ହେଲା ଭାଉଜ? ତମେ କଣ ଏବେ ବି ରାଗିଛ?
ଶ୍ରୀୟା: (ହସିକି) ନାଇଁ, ରାଗିନି ଯେ | ହେଲେ ଏତେ ସହଜରେ କବାଟ ଖୋଲିବିନି |
ଜୟ: ହେଁ! କବାଟ ଖୋଲିବନି? ତା’ ମାନେ ସେମାନେ ଏମିତି ବାହାରେ ରହିବେ?
ଶ୍ରୀୟା: ହଁ | ରୁହନ୍ତୁ | କଣ ଅସୁବିଧା?
ଜୟ: ଭାଉଜ ତମେ ବି ନା!
ଶ୍ରୀୟା: ମୁଁ ଯାହା କହିଲି ସେଇଆ କରିବ | ଯଦି ମୁଁ ଦେଖିବ ତମେ କବାଟ ଖୋଲିଚ ତାହେଲେ ଦେଖିବ ମୁଁ କଣ କରିବି |
(ଶ୍ରୀୟା ନିଜ ରୁମକୁ ଚାଲିଯାଏ | ଜୟ ନିଜ ମୁଣ୍ଡରେ ହାତ ଦିଏ)
ଗାଡି ଭିତରେ ବଡଭାଇ ଆଉ ମାୟା | ପରମ ଆସେ |
ପରମ: ଭାଇ, ମୁଁ ଯେତେ ବେଲ ବଜେଇଲେ ବି ସେମାନେ କବାଟ ଖୋଲୁ ନାହାନ୍ତି |
ବଡଭାଇ: ଏବେ ପରା ଜୟ ଆମକୁ ବାଲକୋନୀରେ ଦେଖି ହାତ ହଲେଇଲା |
ମାୟା: ଭାଉଜ ବି ତ ଆସି ଆମକୁ ଦେଖିଲେ |
ବଡଭାଇ: ତାହେଲେ କବାଟ କାଇଁ ଖୋଲୁ ନାହାନ୍ତି |
ଦାରୁ: ଭାଉଜ ବୋଧେ କବାଟ ଖୋଲିବାକୁ ମନା କରିଥିବେ ସାର |
ପରମ ଗାଡି ଭିତରେ ବସେ |
ପରମ: ହଉ ହଉ, ଦାରୁ ତମେ ଗାଡି ବ୍ୟାକ କଲ |
ଦାରୁ: ବ୍ୟାକ କରି କୁଆଡେ ଯିବା?
ବଡଭାଇ: କୁଆଡେ ଯାଉଛେ ଆମେ?
ପରମ: ମୁଁ ଯାହା କହୁଛି କର | ଏଠୁ ଚାଲ ବାହାରି ଯିବା | ଆଉ ମାୟା ମତେ ମୋ ବ୍ୟାଗଟା ଟିକେ ଦେଲୁ |
***
ଦୃଶ୍ୟ ୬
ସ୍ଥାନ: ନୀଳାଚଳ ପ୍ରସାଦ | ଡାଇନିଂ ହଲରେ ଏପଟ ସେପଟ ଚାଲୁଚି ଶ୍ରୀୟା | ଜୟ ଆସି ଶ୍ରୀୟାକୁ ଖବର ଦିଏ |
ଜୟ: ଭାଉଜ, ସେମାନେ ଚାଲିଗଲେ |
ଶ୍ରୀୟା: (ଆଶ୍ଚର୍ଯ୍ୟ ହେଇ) ଚାଲିଗଲେ? କୁଆଡେ?
ଜୟ: ମୁଁ କେମିତି ଜାଣିବି କୁଆଡେ?
ଶ୍ରୀୟା: ତମେ ଦେଖିଲନି?
ଜୟ: ଆରେ ମୁଁ କେମିତି ଦେଖିବି ସେମାନେ ଗାଡିରେ କୁଆଡେ ଗଲେ |
ଶ୍ରୀୟା: (ରାଗିଯାଇ) ହଉ ଯାଆନ୍ତୁ | ଯୁଆଡେ ଯିବେ ଯାଆନ୍ତୁ | ମୋର ସେମାନଙ୍କ ସାଙ୍ଗେ ଆଉ କିଛି ସମ୍ପର୍କ ନାହିଁ |
ଶ୍ରୀୟା ରାଗିକି ଦୁମଦୁମ ହେଇ ନିଜ ରୁମକୁ ଚାଲିଯାଏ |
***
ଦୃଶ୍ୟ ୭
ସ୍ଥାନ: ଶ୍ରୀୟାର ଶୟନ କକ୍ଷ |
ଶ୍ରୀୟା ସେଠି ଯାଇ ଟିଭି ଲଗାଏ | ଟିଭିରେ ଦେଉଥାଏ: ଜେଲରୁ କଏଦୀ ଫେରାର | ଲୋକଙ୍କୁ ନିଜ ଘରେ ସତର୍କ ହେଇ ରହିବାକୁ ହବାକୁ କୁହାଯାଉଥାଏ | ଶ୍ରୀୟା ଡରିଯାଏ |
ଶ୍ରୀୟା: ହେ ପ୍ରଭୁ! ମୋ ରୁମ ପଟ ବାଲକୋନି କବାଟ ବି ଖୋଲାଅଛି | ଯାଏଁ ଦେଇଦିଏଁ |
ତେବେ ସେତିକି ବେଳେ କେହି ଜଣେ ବାଲ୍କୋନି ଝରକା ଆଡୁ ଆସି ଶ୍ରୀୟା ଉପରକୁ ଡେଇଁ ପଡେ | ଶ୍ରୀୟା ଜୋରରେ ଚିତ୍କାର କରି ପାଖରେ ଥିବା ତକିଆରେ ଜୋରରେ ଜୋରରେ ଲୋକଟିକୁ ମାରେ |
ଶ୍ରୀୟା: ଚୋର ଚୋର | ଜୟନା, ଚୋର |
ପରମ: ଶ୍ରୀୟା | ଛାଡ ମତେ | ମୁଁ ପରମ |
ଶ୍ରୀୟା: ଏଁ, ପରମ | (ଶ୍ରୀୟା ତାକୁ ମାରିବା ଛାଡିଦିଏ) ତମେ ଏଠିକି କେମିତି ଆସିଲ?
ପରମ: ତମେ କବାଟ ଖୋଲିଲନି | ସେଥିପାଇଁ ମୁଁ ପଛ କାନ୍ଥ ଡେଇଁ ବାଲ୍କୋନି ଝରକା ଦେଇ ଏଇ ରୁମକୁ ପଶିଲି |
ଶ୍ରୀୟା: ହେ ପ୍ରଭୁ (ମୁଣ୍ଡରେ ହାତ ଦିଏ)! (ବ୍ୟସ୍ତ ହେଇ) ତୁମର କଣ କିଛି ହେଇ ଯାଇଥିଲେ…. (ତା’ପରେ ପୁଣି ରାଗିଯାଇ) ନାଇଁ.. ମୁଁ ତ କଥା ହଉନି ତୁମ ସାଙ୍ଗେ….
ପରମ: ହଉ ହେଲା | ଏବେ ରାଗ ଛାଡ ଶ୍ରୀୟା |
ଶ୍ରୀୟା: ନାଁ |
ପରମ: ମୋର ଭୁଲ ହେଇଚି | ତମେ ଏବେ ଶାନ୍ତ ହୁଅ |
ଶ୍ରୀୟା: ନାଁ ମୁଁ ହେବିନି | ବଡଭାଇ ଆଉ ମାୟା ମାଉସୀ ଘରକୁ ଗଲେ ସେଇଟା ତଥାପି ଠିକ ଅଛି | ହେଲେ ତମେ ମତେ ସାଙ୍ଗରେ ନ ନେଇ କେମିତି ଗଲ?
ପରମ: କହିଲି ପରା ମୋର ଭୁଲ ହେଇଚି | ମତେ କ୍ଷମା କର |
ଶ୍ରୀୟା: ନାଇଁ | କରିବିନି |
ପରମ: କରିବନି? ହଉ ଦେଖ | ତୁମପାଇଁ କଣ ଆସିଛି!
ଶ୍ରୀୟା: କଣ?
ପରମ ପିଠିରେ ଲାଗିଥିବା ନିଜ ବ୍ୟାଗ ଖୋଲି ଭିତରୁ ବଡ ପୁଡିଆଟିଏ ବାହାର କରେ | ତା’ପରେ ପୁଡିଆ ଭିତରୁ ବଡ ରସଗୋଲାଟିଏ କାଢି ଶ୍ରୀୟା ମୁହଁ ପାଖରେ ଧରେ |
ପରମ: ମୋର ବହୁତ ବଡ ଭୁଲ ହେଇଚି ଶ୍ରୀୟା | କିଛି ନ ଜାଣି ତୁମ ଉପରେ ଜୋରରେ ପାଟି କରିବା ମୋ ଭୁଲ | ତମ ସାଙ୍ଗରେ ଏତେ ଦିନ କଥା ନ ହେବା ମୋ ଭୁଲ | ତୁମକୁ ଏକୁଟିଆ ଛାଡି ମାଉସୀ ଘରକୁ ଚାଲିଯିବା ମୋ ଭୁଲ | ଏବେ ଏଇ ରସଗୋଲା ଖାଅ ଆଉ ମତେ କ୍ଷମା କର |
ଶ୍ରୀୟା ହସେ ଆଉ ପରମ ହାତରୁ ରସଗୋଲା ଖାଏ |
ଶ୍ରୀୟା: ମମମମ୍…. କି ବଢିଆ ଲାଗୁଚି!!
ପରମ: ଏବେ ମତେ କ୍ଷମା କଲ?
ଶ୍ରୀୟା: କ୍ଷମା ତ ମତେ ବି ମାଗିବା କଥା | ଅନ୍ୟର କଥା ଶୁଣି ନିଜ ଘର ଛାଡିକି ଯିବାହେଲା ମୋର ସବୁଠୁ ବଡ ଭୁଲ | ତମେ ବି ମତେ କ୍ଷମା କରିବ ତ?
ପରମ: ମୁଁ କ୍ଷମା କଲେ ତମେ ମତେ ଗୋଟେ କିଶ୍ଆଉ ହଗ ଦେବ ତ?
ଶ୍ରୀୟା: ରୁହ ମ… ଜୟନା ଆସୁଥିବ |
ପରମ: ନାଇଁ, ତାକୁ ବଡଭାଇ ଫୋନ କରି କବାଟ ଖୋଲିବାକୁ କହିଛନ୍ତି | ସେମାନେ ଆସୁଥିବେ |
ଶ୍ରୀୟା: ସେମାନେ ଆସିଲେଣି ଭିତରକୁ? ରୁହ ମୁଁ ଯାଇକି ଦେଖେ |
ପରମ: ଆଉ ମୋ କିଶ୍ ଆଉ ହଗ?
ଶ୍ରୀୟା ତରତରରେ ପରମର ଗାଲକୁ ଚୁମିଦିଏ ଆଉ ରୁମ ବାହାରକୁ ଦୌଡେ | ପରମ ତା’ ପଛରେ ଯାଏ |
ପରମ: ମୋ ହଗ ରହିଗଲା ଯେ!
ଶ୍ରୀୟା ତାକୁ ଜିଭ କାଢି ଖତେଇ ହୁଏ | ସାମ୍ନାରେ ବଡଭାଇ, ମାୟା ଆଉ ଜୟ ଆସୁଥାନ୍ତି | ଶ୍ରୀୟା ବଡଭାଇଙ୍କୁ ମୁଣ୍ଡିଆ ମାରେ | ମାୟା ଆଉ ଶ୍ରୀୟା କୁଣ୍ଢାକୁଣ୍ଢି ହୁଅନ୍ତି |
ଶ୍ରୀୟା: ଭାଇ, ମୋ ଉପରେ ରାଗିବେନି | ମୁଁ କାହାକୁ ନ କହି ଆମ ଘରକୁ ଚାଲିଗଲି |
ବଡଭାଇ: ସେ ପୁରୁଣା କଥା ସବୁ ଭୁଲି ଯା |
ମାୟା: ଭାଉଜ, ତମେ ଆଉ ରାଗିନ ତ?
ଶ୍ରୀୟା: (ହସିକି) ଧେତ!
ବଡଭାଇ: ଯା ହଉ! ପୃଥିବୀ ଶାନ୍ତ ପଡିଲା |
ମାୟା: ଯା ହଉ | ଭାଇ ଠିକ କହୁଥିଲା | ରସଗୋଲା ବଂଚେଇଦେଲା |
ଶ୍ରୀୟା: ଭାରି କଥା କହୁଚ | ଆଉ ଗାଁରେ ସବୁ ଭଲ? ମାଉସୀ ଭଲ ଅଛନ୍ତି?
ମାୟା: ହଁ ସବୁ ଭଲ | ତମ କଥା ବହୁତ ପଚାରୁଥିଲେ |
ବଡଭାଇ: ତେବେ ଏଥର ଗାଁରେ ଭାରି ଅଜବ କଥା ସବୁ ଘଟିଲା |
ମାୟା: ହଁ ଭାଉଜ | ଜାଣିଛ? ଆମ ଗାଡିର ସବୁ ଚକ କିଏ ଜଣେ ପଙ୍କଚାର କରିଦେଲା ଆଉ ଆମ ପଛ ମଡ଼ଗାର୍ଡ ବି ଭାଙ୍ଗିଦେଲା |
(ଶ୍ରୀୟା ଆଉ ଜୟ ପରସ୍ପରକୁ ଦେଖନ୍ତି)
ପରମ: ସେ ଲୋକ ଯଦି ମିଳନ୍ତା ନା ତା’ ହାଡଗୋଡ ଚୁନା କରିଦିଅନ୍ତି ମୁଁ |
ଜୟ: (ଥତମତ ହେଇ) ହଉ ଭାଇ | ଚାଲ ଗୋଡହାତ ଧୋଇବ |
ମାୟା: ଆଉ ସେ ବିଛୁଆତି କଥା?
(ଶ୍ରୀୟା ଆଉ ଜୟ ପୁଣି ପରସ୍ପରକୁ ଦେଖନ୍ତି)
ପରମ: ହଁ | କିଏ ଜଣେ ତ ମୁଁ ବସିବା ପଥର ଉପରେ ବିଛୁଆତି ପତ୍ର ଘଷି ଦେଇଥିଲା | ସେ ମିଳନ୍ତା ଯଦି ତାକୁ ଓଲଟା ଟାଙ୍ଗି ଲଙ୍କାଧୁଆଁ ଯଦି ନ ଦିଅନ୍ତି ମୁଁ!
ଶ୍ରୀୟା: (ଥତମତ ହେଇ) ହଉ ହଉ | ଚାଲ | କିଛି ଖାଇନେବ |
ବଡଭାଇ: ମୁଁ ଭାଇର ଖୁସିରେ ଘରେ ଏବେ ପୁଣି ଶାନ୍ତି ଫେରି ଆସିଲା |
ଶ୍ରୀୟା: ସବୁ ଏଇ ପରମଙ୍କ ଦୋଷ ବଡଭାଇ | ସେ ଯଦି ଟିକେ ମୋ ପଟ ନେଇଥାନ୍ତେ, ଏତେ ନାଟକ ହେଇ ନଥାନ୍ତା |
ପରମ: ଦେଖୁନ ମତେ କେତେ ଦୋଷ ଦଉଚି ସେ |
ଶ୍ରୀୟା: ନୁହେଁ ଆଉ କଣ?
ପରମ: ହୁଁ… କହୁଚ କଣ ନା ମୁଁ ପୁଣି ତମ ପଟ ନିଏନି | ତମେ ବଡଭାଇ ଗାଡି ସାଙ୍ଗରେ ତମ ସ୍କୁଟି ଧକ୍କା କରିଥିଲ | ହେଲେ ଆଜିଯାଏଁ ସେଇ କଥା ମୁଁ ବଡଭାଇଙ୍କୁ କହିଛି?
(ଏତିକି କହିସାରି ପରମ ଜିଭ କାମୁଡେ)
ବଡଭାଇ: (ଚମକି ପଡି) ଏଁ, କଣ କହିଲୁ? ସେଇ ଅଣ୍ଡିରୀ ଚଣ୍ଡୀ ଝିଅ ଶ୍ରୀୟା?
ଶ୍ରୀୟା ପରମ ପଛରେ ମୁହଁ ଲୁଚାଏ | ଜୟ ଓ ମାୟା ନିଜ ନିଜ ମୁଣ୍ଡରେ ହାତ ଦିଅନ୍ତି |
(ଭାଗ ଷୋହଳ ସମାପ୍ତ)
ଅଧ୍ୟାୟ ୧୭- ଡିମ୍ପଲ ଉପାଖ୍ୟାନ
ଆଜିର ଚରିତ୍ର
ସାନଭାଇ: ପରଂବ୍ରହ୍ମ ଚୌଧୁରୀ ଓରଫ ପରମ ବୟସ ୩୧
ଶ୍ରୀୟା ପରିଜା ଚୌଧୁରୀ: ଘରର ସାନବୋହୁ, ଫୁଡ ବ୍ଲଗର, ବୟସ ୨୮
ସାନଭଉଣୀ: ଯୋଗମାୟା ଚୌଧୁରୀ ଓରଫ ମାୟା, ବୟସ ୨୬
ଜୟ: ଘରର ଚାକର ପ୍ଲସ ରୋଷେଇଆ, ବୟସ ୩୪
ପାର୍ଥ ମହାପାତ୍ର: ପରମର କଲେଜ ଜୁନିଅର, ବୟସ ୩୦
ଦାରୁ ଜେନା: ପରମର ଡ୍ରାଇଭର, ବୟସ ୩୭
#ଡିମ୍ପଲ _ଉପାଖ୍ୟାନ
ଦୃଶ୍ୟ ୧
ସ୍ଥାନ: ଜଗନ୍ନାଥ ମନ୍ଦିର | ତିନି ଠାକୁରଙ୍କ ସୁନାବେଶ ଦେଖିବାକୁ ଆସିଛନ୍ତି ପରମ, ଶ୍ରୀୟା ଆଉ ମାୟା | ଦର୍ଶନ ସାରି ବାହାରକୁ ଆସନ୍ତି ସମସ୍ତେ |
ପରମ: ବଢିଆ ଦର୍ଶନ ହେଲା ଆଜି |
ଶ୍ରୀୟା: ତିନି ଠାକୁର କି ସୁନ୍ଦର ଝକମକ କରୁଛନ୍ତି ଆଜି |
ପରମ: ବଡଭାଇ ଆସିଥିଲେ ଆଉରି ଭଲ ଲାଗିଥାନ୍ତା |
ଶ୍ରୀୟା: ହଁ |
ମାୟା: ଭାଇ ତ ଏବେ ବଡ ଭାଉଜଙ୍କ ସାଙ୍ଗେ ମଶୁରିର ପାହାଡରେ ଗୀତ ଗାଉଥିବେ |
ପରମ: ଓଃ! ବଡଭାଇର ଗୀତ ଯିଏ ଶୁଣିଥିବା ମୋର ସବୁ ସହାନୁଭୂତି ତା’ ସାଙ୍ଗରେ!
ମାୟା ଆଉ ଶ୍ରୀୟା ହସନ୍ତି |
ତିନିଜଣ ମନ୍ଦିର ବାହାରେ ଆସି ପହଞ୍ଚନ୍ତି | ହଠାତ ମାୟାର କାହା ଉପରେ ଗୋଟେ ନଜର ପଡେ |
ମାୟା: (ଧୀର ସ୍ୱରରେ ଶ୍ରୀୟାକୁ) ଭାଉଜ, ସେ ପିଲାଟାକୁ ଦେଖିଲ! କେତେ କ୍ୟୁଟ!
ଶ୍ରୀୟା: କଉଟା?
ମାୟା: ସେ ଯୋଉ ହଳଦିଆ ଟି-ଶାର୍ଟ ଆଉ ନୀଳ ଜିନ୍ସ |
ଶ୍ରୀୟା: ଓଃ! ହଁ ହଁ!
ମାୟା: କାହା ସାଙ୍ଗରେ ହସିକି କଥା ହଉଚି ଫୋନରେ!
ଶ୍ରୀୟା: ତା’ ଗର୍ଲଫ୍ରେଣ୍ଡ ସାଙ୍ଗରେ ହଉଥିବ!
ମାୟା: (ରାଗିଯାଇ) ତମେ କେମିତି ଜାଣିଲା ତା’ ଗର୍ଲଫ୍ରେଣ୍ଡ ଅଛି? ଗାଲରେ କି ସୁନ୍ଦର ଡ଼ିମ୍ପଲ ପଡୁଛି!
ଶ୍ରୀୟା: ଇସସ! ତମକୁ ତା’ ଗାଲର ଡ଼ିମ୍ପଲ ବି ଦେଖାଯାଉଛି?
ମାୟା: ଆଃ କି ରୂପ !
ଶ୍ରୀୟା: ଯାଇକି କଥା ହେବି କି?
ମାୟା: ନାଇଁ ନାଇଁ ଥାଉ!
ଶ୍ରୀୟା: କାଇଁ? ଡ଼ିମ୍ପଲକୁ ଟିକେ ପାଖରୁ ଦେଖୁନ!
ଶ୍ରୀୟା ଆଉ ମାୟା ନିଜ ନିଜ ଭିତରେ ଏମିତି କଥା ହେଲା ବେଳକୁ ହଠାତ ପରମର ନଜର ପିଲାଟି ଉପରେ ପଡେ | ପିଲାଟି ଫୋନରେ କଥାସାରି ଯିବାକୁ ବାହାରୁଥାଏ |
ପରମ: (ଖୁସି ହେଇ, ପିଲାଟି ପାଖକୁ ଯାଇ) ଆରେ ପାର୍ଥ?
ପାର୍ଥ: ଆରେ ପରମ ଭାଇ!
ପରମ: ତୁ ଏଠି?
(ଶ୍ରୀୟା ଆଉ ମାୟା ଆଶ୍ଚର୍ଯ୍ୟ ହେଇ ଦେଖୁଥାନ୍ତି)
ପାର୍ଥ: ହଁ, ଭାଇ ଛୁଟିରେ ଆସିଥିଲି | ସବୁବେଳେ ତ ଆସି ହଉନି | ଭାବିଲି ଏଥର ଠାକୁରଙ୍କ ସୁନାବେଶ ଟିକେ ଦେଖିନେବି |
ପରମ: ବହୁତ ଭଲ କଲୁ |
ପାର୍ଥ: ଆଉ ତମେ କଣ ଏକୁଟିଆ ଆସିଛ?
ପରମ: ନାଇଁ ନାଇଁ | ପୁରା ଫାମିଲି ଆସିଚୁ | ତେବେ ବଡଭାଇ ଯାଇଛନ୍ତି ବଡ ଭାଉଜଙ୍କ ପାଖକୁ | ଆଜି ରାତି ଫେରିବେ |
ପାର୍ଥ: ଆସେ | ତତେ ସମସ୍ତଙ୍କ ସାଙ୍ଗେ ଦେଖା କରେଇଦିଏ |
ପରମ ପାର୍ଥକୁ ଶ୍ରୀୟା ଆଉ ମାୟା ପାଖକୁ ନେଇକି ଯାଏ | ଶ୍ରୀୟା ଆଉ ମାୟା ପାର୍ଥ ଆଡକୁ ଚାହାନ୍ତି | ମାୟା ପାର୍ଥକୁ ପାଖରୁ ଦେଖି ତା’ ଉପରୁ ନିଜ ଆଖି ଆଉ ହଟେଇ ପାରେନାହିଁ |
ପରମ: ଶ୍ରୀୟା, ଇଏ ହେଲା କଲେଜରେ ମୋ ଜୁନିଅର, ପାର୍ଥ | ଜୁନିଅର… ହେଲେ ମୋର ଭାରି ନିଜର ଥିଲା ସେ | ସାଙ୍ଗ ପରି | ଆଉ ଇଏ ମୋ ସ୍ତ୍ରୀ ଶ୍ରୀୟା |
ପାର୍ଥ: ଭାଉଜ ନମସ୍କାର |
ଶ୍ରୀୟା: ନମସ୍କାର |
ପରମ: ଆଉ ଇଏ ହେଲା ମୋ ସାନ ଭଉଣୀ ମାୟା |
(ମାୟା ସେମିତି ଚାହିଁ ରହିଥାଏ ପାର୍ଥକୁ)
ପରମ: (ଟିକେ ଜୋରରେ) ମାୟା!
ମାୟା: (ଚମକି ପଡି) ହଁ!
ପରମ: କୁଆଡେ ଭୋଳ ହେଇଯାଉଛୁ ତୁ? ଇଏ ହେଲା ମୋ କଲେଜ ଜୁନିଅର ପାର୍ଥ!
ମାୟା: (ହସିକି, ପାର୍ଥକୁ) ହେଲୋ!
ପାର୍ଥ: (ହସିକି) ହେଲୋ!
ପରମ: ଜାଣିଛ ଶ୍ରୀୟା, ଇଏ ଆର୍ମିରେ ଅଛି | ଆଉ ଖାଲି ସେତିକି ନୁହେଁ ଗତବର୍ଷ ଆର୍ମିର ଅଲ ଇଣ୍ଡିଆ ଶୁଟିଂ ଚାମ୍ପିଅନଶିପରେ ବି ଗୋଲଡ ମେଡାଲ ପାଇଥିଲା | ତା’ ଫଟୋ ପେପରରେ ଆସିଥିଲା |
ମାୟା: (ଖୁସି ହେଇ) ଆପଣ ସେଇ ପାର୍ଥ?
ପାର୍ଥ: (ହସିଦେଇ) ହଁ | ମୁଁ ସେଇ ପାର୍ଥ |
ଶ୍ରୀୟା: ସେଇଥିପାଇଁ ଭାବୁଥିଲି ମୁଁ ଆଗରୁ ତମକୁ କଉଠି ଗୋଟେ ଦେଖିଚି ବୋଲି ଆଉ!
ପରମ: ଆଉ ପାର୍ଥ? ଫେରିବ କେମିତି?
ପାର୍ଥ: ମୁଁ ଗାଡି ନେଇ ଆସିଛି |
ପରମ: ହଉ | ନହେଲେ ମୁଁ ଭାବୁଥିଲି ଆମେ ମିଶିକି ଫେରି ଯାଇଥାନ୍ତେ |
ମାୟା: ହଁ ହଁ | ମିଶିକି ଫେରି ଯାଇଥାନ୍ତେ |
(ପରମ, ଶ୍ରୀୟା ଆଉ ପାର୍ଥ ଆଶ୍ଚର୍ଯ୍ୟ ହେଇ ମାୟାକୁ ଦେଖନ୍ତି | ଶ୍ରୀୟା ହସିଦିଏ)
ମାୟା: (ଥତମତ ହେଇ) ନାଁ… ମାନେ… ଯଦି… ଗାଡି ନଥାନ୍ତା…. ଆମେ ମିଶିକି ଫେରି ଯାଇଥାନ୍ତେ!
ପାର୍ଥ: (ହସିକି) ଥାଙ୍କ ୟୁ | କିନ୍ତୁ ଜଣେ ପିଉସୀଙ୍କ ଘରକୁ ଯିବାର ଅଛି ମୋର | କିନ୍ତୁ କଥା ରହିଲା ଘରକୁ ଆସିବି ନିଶ୍ଚିତ |
ଶ୍ରୀୟା: ସେଇଟା ଆଉ ପଚାରିବାର ଅଛି? କାଲି ରବିବାର | କାଲି ଆସୁନ | ଭଲକି ଗୋଟେ ଖିଆପିଆ ହବ!
ପରମ: ହଁ | କାଲି ଆସେ ପାର୍ଥ! ଏତେ ଦିନ ପରେ ତୋ ସାଙ୍ଗେ ଗପସପ ହବ, ଖିଆପିଆ ହବ | ବହୁତ ଭଲ ଲାଗିବ |
ପାର୍ଥ: ହଉ ଭାଇ | କାଲି ଆସିବି |
ମାୟା: ବେଶୀ ଡେରି କରିବେନି | ଶୀଘ୍ର ଆସିଯିବେ |
(ପରମ, ଶ୍ରୀୟା ଆଉ ପାର୍ଥ ପୁଣି ଏକା ସାଙ୍ଗରେ ମାୟାକୁ ଦେଖନ୍ତି)
ମାୟା: (ଥତମତ ହେଇ) ମାନେ… ଡେରିରେ ଆସିଲେ…ଟ୍ରାଫିକରେ ଫସିଯିବେ… ସେଥିପାଇଁ… କହୁଥିଲି…
(ଶ୍ରୀୟା ଓଠ ଚିପି ହସେ)
ପାର୍ଥ: ଓଃ! ଠିକ କଥା | ମୁଁ ଶୀଘ୍ର ଆସିଯିବି |
(ମାୟା ହସେ)
ଏତିକି ବେଳେ ପାର୍ଥର ଫୋନ ବାଜେ | ପାର୍ଥ ଫୋନ ଦେଖେ |
ପାର୍ଥ: ହଉ ଭାଇ ମୁଁ ଆସୁଛି | ମୋ ପିଉସୀ ପାଞ୍ଚଥର ଫୋନ କରି ସାରିଲାଣି | ତାକୁ ଏବେ ବି ଲାଗେ ମୁଁ ମନ୍ଦିର ଭିଡରେ କୁଆଡେ ହଜିଯିବି |
ପରମ: ହାହା! ହଉ | ଯା ଯା | କାଲି ତ ଦେଖାହବ ଆଉ!
ପାର୍ଥ: ହଉ ଆସୁଛି ଭାଉଜ ନମସ୍କାର |
ଶ୍ରୀୟା: ନମସ୍କାର |
ପାର୍ଥ: ବାଏ, ମାୟା |
ମାୟା: (ମନ ଦୁଃଖରେ) ବାଏ |
ପାର୍ଥ ସମସ୍ତଙ୍କଠୁ ହାତ ହଲେଇ ବିଦାୟ ନିଏ |
***
ଦୃଶ୍ୟ ୨
ଗାଡି ଭିତରେ ପରମ, ଶ୍ରୀୟା ଆଉ ମାୟା | ଦାରୁ ଜେନା ଗାଡି ଚଲଉଛି | ପାଖରେ ପରମ | ପଛରେ ଶ୍ରୀୟା ଆଉ ମାୟା |
ମାୟା ଇଅରଫୋନରେ ଗୀତଟେ ଶୁଣୁଶୁଣୁ ଖୁସିରେ ଜୋରରେ ଗୀତ ଗାଇବା ଆରମ୍ଭ କରେ |
ଶ୍ରୀୟା: (ଧୀର ପାଟିରେ, ମାୟାକୁ) କଣ ଖବର? ଆଜି ପାଣିପାଗ କେମିତି ଅଛି?
ମାୟା: (ଇଅରଫୋନ କାନରୁ କାଢି) କଣ କହିଲ?
ଶ୍ରୀୟା: ମୁଁ ପଚାରିଲି ଆଜି ପାଣିପାଗ କେମିତି ଅଛି?
ମାୟା: (ବାହାରକୁ ଚାହିଁ) ଟିକେ ଖରା ଅଛି | ହେଲେ ଲାଗୁଚି ଆଜି ବର୍ଷା ହବ |
ଶ୍ରୀୟା: ଧେତ! ମୁଁ ତମ ମନର ପାଣିପାଗ କଥା ପଚାରୁଚି |
ମାୟା: (ଲାଜେଇ ଯାଇ) ମୋ ମନକୁ କଣ ହବ?
ଶ୍ରୀୟା: ଓହୋ!! କଣ ହବ? ଡିମ୍ପଲ ପାଖରେ କଣ ସବୁ ସେଇଠି ବିଳିବିଳଉଥିଲ ସେଠି?
ମାୟା: ହେଃ!
ଶ୍ରୀୟା: କଣ ସବୁ କହି ଚାଲିଥିଲ… ହଁ… ମିଶିକି ଫେରି ଯାଇଥାନ୍ତେ! ଡେରି କରିବେନି… ଶୀଘ୍ର ଆସିଯିବେ!! ଏମିତି କେତେ କଣ?
ମାୟା: (ପୁଣି ଲାଜେଇ ଯାଇ) ଭାଉଜ!
ଶ୍ରୀୟା: ଓହୋ! ଗାଲଗୁଡା ପୁଣି ସେଓ ଭଳି ନାଲି ହେଇଗଲା | କଥା କଣ? ଏମିତି କି ମନ୍ତ୍ର ଫୁଙ୍କିଲେ ଡିମ୍ପଲ ବାବୁ?
ମାୟା: (ଶ୍ରୀୟାକୁ ଚିମୁଟି ଦେଇ) ଭାଉଜ!
ଶ୍ରୀୟା: ଓଃ ମା!
(ପରମ ବୁଲିପଡି ଚାହେଁ)
ପରମ: କଣ ହେଲା?
ଶ୍ରୀୟା: କିଛି ନାହିଁ | ଗୋଟେ ନାଲି ଜନ୍ଦା ଅଛି | ରୁଟ୍ କିନି କାମୁଡି ଦଉଚି |
ପରମ: ଦେଖିକି | ସେ ଭୋଗରେ ଚଢ଼ିକି ଆସି ଯାଇଥିବ |
ଶ୍ରୀୟା: ହଁ ହଁ | ମୁଁ ଦେଖିନେବି ସେ ପିମ୍ପୁଡିକୁ
(ଶ୍ରୀୟା ହସେ, ମାୟାକୁ ଚାହେଁ ଆଉ ଆଖି ମାରେ | ମାୟା ମୁହଁ ମୋଡେ ଆଉ ତା’ପରେ ହସିଦିଏ)
***
ଦୃଶ୍ୟ ୩
ସ୍ଥାନ: ନୀଳାଚଳ ନିବାସ | ମାୟାର କୋଠରୀ |
ମାୟା ଖଟ ଉପରେ ନିଜର ମେଂଚାଏ ଡ୍ରେସ ପକେଇ ଦେଇଛି |
ମାୟା: (ମନେ ମନେ) କାଲି ମୁଁ ଏଇ ଡ୍ରେସ ପିନ୍ଧିବି ନା ସେଇ ଡ୍ରେସ ପିନ୍ଧିବି! ମମମମ୍…. ଏଇଟା ପିନ୍ଧିବି? ନାଇଁ ନାଇଁ… ଏଇଟା ପିନ୍ଧିଲେ ମୁଁ ବେଶୀ ହେଲଦି ଲାଗେ | ମମମମ୍…. ସେଇଟା ପିନ୍ଧିବି କି? ନାଇଁ ନାଇଁ ସେଇଟା ପିନ୍ଧିଲେ ମୁଁ ବେଶୀ ଛୋଟ ଦେଖାଯାଏ | ଆଉ ଏଇଟା?? ନାଇଁ…. ହୁଁ!! (ରାଗିକି) ଗୋଟେ ବି ଭଲ ଡ୍ରେସ ନାହିଁ ମୋର ପିନ୍ଧିବାକୁ |
ମାୟା ତା’ପରେ ଦର୍ପଣ ଆଗକୁ ଯାଏ |
ମାୟା: କାଲି କେମିତି ଚୁଟି ଷ୍ଟାଇଲ କରିବି? ବାଳ ଛାଡ଼ିବି ନା ବନ୍ କରିବି ନା ଗୋଟେ ପୋନି କରିବି? ଉଫଫଫଫ… କେତେ ଟେନ୍ସନ!! ଆଉ ମୋର ଏ ଚୁଟି? ଏମିତି କଣ ଦେଖା ଯାଉଛି? ଛି! ଏତେ ପଇସା ଖର୍ଚ୍ଚ କରି ଚୁଟି କାଟିଥିଲି ହେଲେ ବି କିଛି ବାଗ ନାହିଁ ସେ ଚୁଟିରେ | ଆଉ ଏ କଣ.. ହେ ଭଗବାନ… ଏ କଣ? ମୋ ମୁହଁରେ ହଠାତ ଏମିତି ପିମ୍ପଲ କୋଉଠୁ ଆସିଲା? ହେ ପ୍ରଭୁ! ଏବେ ଏଇ ପିମ୍ପଲକୁ କେମିତି ବାହାର କରିବି ମୁଁ? ତା’ ମୁହଁରେ ଡିମ୍ପଲ ଆଉ ମୋ ମୁହଁରେ ପିମ୍ପଲ!! ଏଁଏଁଏଁ….
(ମାୟା ସକସକ ହେଇ ତକିଆରେ ନିଜ ମୁହଁ ଲୁଚେଇ ଦିଏ)
***
ଦୃଶ୍ୟ ୪
ସ୍ଥାନ: ନୀଳାଚଳ ପ୍ରାସାଦ, ବୈଠକ ଖାନାରେ ପରମ ଆଉ ପାର୍ଥ | ପରମ ସାଙ୍ଗେ ସାଙ୍ଗେ ଆସି ପହଂଚିଛି |
ପରମ: (ଜୋରରେ) ଶ୍ରୀୟା ଆସ | ପାର୍ଥ ଆସିଲାଣି |
ସେପଟୁ ଶ୍ରୀୟା ଆସେ | ସାଙ୍ଗରେ ଜୟ | ହାତରେ ସର୍ବତ ଗ୍ଲାସ ନେଇ |
ପାର୍ଥ: ନମସ୍କାର ଭାଉଜ |
ଶ୍ରୀୟା: ନମସ୍କାର|
ଶ୍ରୀୟା ପ୍ଲେଟରୁ ସର୍ବତ ଗ୍ଲାସ ଉଠେଇ ନେଇ ପାର୍ଥ ଆଉ ପରମକୁ ଦିଏ |
ଶ୍ରୀୟା: ପାର୍ଥ, ଇଏ ହେଲେ ଆମ ଜୟ ନନା | ଆମର ପୁରା ଘରର ଦାୟିତ୍ୱ ତାଙ୍କ ଉପରେ |
ପାର୍ଥ: ନମସ୍କାର ଜୟ ନନା |
ଜୟ: ହେହେ!! ନମସ୍କାର ପାର୍ଥ ବାବୁ |
ଶ୍ରୀୟା: ହଉ ତୁମେ ଦୁହେଁ କଥା ହୁଅ | ମୁଁ ଆସୁଛି |
ପରମ: ତୁମେ କୁଆଡେ ଯାଉଛ? ଆଉ ମାୟା କାହିଁ |
ଶ୍ରୀୟା: ରୋଷେଇଘରେ କାମ ଅଛି | କାମ ସାରି ଆସୁଛି | ମାୟାଙ୍କୁ ବି ଯାଇ ଦେଖେଁ… ସେ କୋଉଠି!
ଶ୍ରୀୟା ଆଉ ଜୟ ଚାଲିଯାନ୍ତି | ପରମ ଆଉ ପାର୍ଥ କଥାବାର୍ତ୍ତାରେ ମାତିଯାଆନ୍ତି |
***
ଦୃଶ୍ୟ ୫
ସ୍ଥାନ: ମାୟାର କକ୍ଷ | ଶ୍ରୀୟା କବାଟ ବାଡଉଥାଏ | ମାୟା କବାଟ ଖୋଲେ! ମାୟା ଗୋଟେ ଶାଢ଼ୀ ପିନ୍ଧିଥାଏ | ସାଜସଜ୍ଜା ପୁରା କୋଉ ବାହାଘରକୁ ଗଲା ଭଳି |
ଶ୍ରୀୟା: ମାୟା! ଏ ଶାଢ଼ୀ, ଏ ମେକଅପ! କୁଆଡେ ଯାଉଛ ତମେ?
ମାୟା: (ଥତମତ ହେଇ) କୁଆଡେ ନାଇଁ ତ!
ଶ୍ରୀୟା: ତାହେଲେ ଏ କି ବେଶ?
ମାୟା: (ଲାଜରେ) ଓଃ ହଁ ହଁ! ମୋ ସାଙ୍ଗର ଆଜି ନିର୍ବନ୍ଧ | ସେଠିକି ଯିବି |
ଶ୍ରୀୟା: କୋଉ ସାଙ୍ଗ? କୋଉ ନିର୍ବନ୍ଧ? ଆଉ ଆଗରୁ ତ ତମେ କିଛି କହିନ! ପୁଣି ଆଜି ପାର୍ଥ ଆସିଛନ୍ତି!
ମାୟା: (ଚମକି ପଡି) ସେ ଆସିଗଲେଣି?
ଶ୍ରୀୟା: ହଁ! ସେ ତ କେତେବେଳୁ ଆସିଲେଣି | ହେଲେ ତମେ ତ ଯାଉଛ!
ମାୟା: ନାଇଁ ନାଇଁ… ଏବେ ଯିବିନି | ସେ ଯେତେବେଳେ ଖାଇକି ଯିବେ ସେତେବେଳେ ଯିବି |
(ସେତିକିବେଳେ ଜୟ ଆସେ)
ଜୟ: ଏଁ ଅପା, ତୁମେ କୁଆଡେ ବାହରିଚ? କୁଆଡେ ଯାଉଛ?
ମାୟା: (ରାଗିଯାଇ) କୁଆଡେ ନାଇଁ.. (ମନେମନେ) ହେ ପ୍ରଭୁ! ଇଏ ମୁଁ କଣ ପିନ୍ଧିଲି ଆଜି.. କାଇଁକି ପିନ୍ଧିଲି!!!
ଶ୍ରୀୟା: କଣ କହିଲ?
ମାୟା: ନାଇଁ.. କିଛି ନାଇଁ…
ଶ୍ରୀୟା: ହଉ ଚାଲ.. ଡାଇନିଂ ହଲକୁ ଯିବା |
ପରମ ଆଉ ପାର୍ଥ ଡାଇନିଂ ହଲ ପାଖକୁ ଆସନ୍ତି |
ପାର୍ଥ: ହେଲୋ ମାୟା |
ମାୟା: ହାଏ |
ପରମ: ମାୟା ତୁ କୁଆଡେ ଯାଉଛୁ କି?
ମାୟା: (ଚିଡିଯାଇ) ହଁ ମୋ ସାଙ୍ଗର ନିର୍ବନ୍ଧ | ସେଠିକି ଯିବି |
ପରମ: ହେଲେ ତୁ ତ ଆଗରୁ କିଛି କହି ନଥିଲୁ?
ମାୟା: ନାଁ! ସେ ହଠାତ କହିଲା |
ପରମ: ନିର୍ବନ୍ଧ ହବ ବୋଲି?
ମାୟା: ନା… ହଁ… ନା.. ମାନେ ଆଜି ଅଛି ବୋଲି କହିଲା |
ପରମ: ତୁ ଆଉ ତୋ ସାଙ୍ଗ | ସବୁ ବାୟାଣୀ |
ପାର୍ଥ ହସେ | ପରମ ଆଉ ପାର୍ଥ ଡାଇନିଂ ଟେବୁଲରେ ବସନ୍ତି | ମାୟା ରୋଷେଇଘର ଭିତରକୁ ଯାଏ | ସେଠି ଶ୍ରୀୟା ଆଉ ଜୟ ଥାଆନ୍ତି |
ପରମ: ତମେ ସବୁ ବି ଆସ |
ଶ୍ରୀୟା: (ଭିତରୁ) ହଁ ଆସୁଛୁ |
ଶ୍ରୀୟା: ମୁଁ ଟିକେ ଥାଳିଗୁଡ଼ା ରଖିଦେଇ ଆସେ |
ମାୟା: ମତେ ଦିଅ | ମୁଁ ରଖିଦେବି |
ଶ୍ରୀୟା: ଆଉ ଖାଇବା କିଏ ନଵ?
ମାୟା: ସେଇଟା ବି ମୁଁ ନେବି |
ଜୟ: ଆମ୍ବଟା ମୁଁ ନେଇଯାଏଁ |
ମାୟା: ନାଇଁ, ମତେ ଦିଅ | ସେଇଟା ବି ମୁଁ ନେଇଯିବି |
ମାୟା ଥାଳି ନେଇ ବାହାରକୁ ଚାଲିଯାଏ | ଶ୍ରୀୟା ହସେ |
ଶ୍ରୀୟା: ଜୟନା | ଯଦି ପାର୍ଥ ସବୁଦିନ ଆମ ଘରକୁ ଆସନ୍ତେ ଆମକୁ ଆଉ କାମ କରିବାକୁ ପଡ଼ନ୍ତାନି ମ!!
ଜୟ: ଯାହା କହିଲ ଭାଉଜ! ହେହେ….
ଜୟ ଆଉ ଶ୍ରୀୟା ଖାଇବା ଧରି ଡାଇନିଂ ହଲକୁ ଯାଆନ୍ତି |
***
ଦୃଶ୍ୟ ୬
ଖିଆପିଆ ସରେ | ଗପସପ ସରେ | ପାର୍ଥ ଯିବାକୁ ବାହାରେ |
ପାର୍ଥ: ହଉ ଭାଇ | ମୁଁ ବାହାରିଲି | ପୁଣି ଦେଖାହବ ଶୀଘ୍ର |
ପରମ: ନିଶ୍ଚିତ |
ଶ୍ରୀୟା: ଆଉଥରେ ଆସିବ ଯେମିତି ହେଲେ |
ପାର୍ଥ: ହଁ ଭାଉଜ | ଏତେ ଟେଷ୍ଟି ଲଞ୍ଚ ଖାଇବାକୁ ମୁଁ କେବେ ବି ଆସି ଯାଇପାରିବି |
ପରମ ଆଉ ଶ୍ରୀୟା ହସନ୍ତି | ମାୟା ମୁହଁ ଶୁଖେଇ ଠିଆ ହେଇଥାଏ |
ପାର୍ଥ: (ଜୋତା ପିନ୍ଧୁ ପିନ୍ଧୁ, ମାୟାକୁ) ଆଚ୍ଛା, ଆପଣଙ୍କର କୁଆଡେ ଯିବାର ଥିଲା ପରା? ମୁଁ ଛାଡ଼ିଦେବି?
ମାୟା: (ଚମକି ପଡି) ହେଁ!!
ପାର୍ଥ: ମୁଁ ଆପଣଙ୍କୁ ଛାଡିଦେବି?
ପରମ: ମାୟାକୁ? ତମେ କାଇଁ ହଇରାଣ ହବ?
ଶ୍ରୀୟା: (କଥାକାଟି) ହଁ ହଁ | ନିଶ୍ଚୟ | ଛାଡି଼ଦିଅ ତାଙ୍କୁ | (ଶ୍ରୀୟା ଠାରରେ ପରମକୁ ହଁ ମାରିବାକୁ କୁହେ)
ପରମ: ହଉ | ଠିକ ଅଛି | ଯାଉ ସେ |
ମାୟା: (ଖୁସିହେଇ) ହଉ |
ମାୟା ସାଣ୍ଡାଲ ପିନ୍ଧି ପାର୍ଥ ସାଙ୍ଗରେ ବାହାରିପଡେ | ଗଲାବେଳେ ଶ୍ରୀୟା ତାକୁ ଆଖି ମାରେ | ପ୍ରତି ବଦଳରେ ସେ ବି ଶ୍ରୀୟାକୁ ଆଖି ମାରିଦିଏ |
***
ଦୃଶ୍ୟ ୭
ଗାଡ଼ିରେ ପାର୍ଥ ଆଉ ମାୟା |
ପାର୍ଥ: ଆପଣଙ୍କୁ କଉଠି ଛାଡ଼ିବି?
ମାୟା: (ଚମକି ପଡି) ହୁଁ!
ପାର୍ଥ: ଆପଣଙ୍କୁ କଉଠି ଛାଡ଼ିବି? ନିର୍ବନ୍ଧ ଅଛି ପରା?
ମାୟା: (ଥତମତ ହେଇ) ମତେ.. ମତେ….
ପାର୍ଥ: ହଉ ଆପଣ ଭାବୁଥାନ୍ତୁ ସେଇ ଜାଗାର ନାଁ | ସେଇ ସମୟ ଭିତରେ ଏଇ ଆଗ କଫି ଶପରେ ମୋ ସାଙ୍ଗେ ଗୋଟେ କପ କଫି ପିଇବାକୁ ଯିବେ?
ମାୟା ଲାଜରେ କିଛି ନ କହି ହସିଦିଏ | ପାର୍ଥ ବି ହସିଦେଇ କଫି ଶପ ଆଗରେ ଗାଡି ପାର୍କ କରେ | ମାୟା ପାର୍ଥର ଡିମ୍ପଲ ଭିତରେ ନିଜକୁ ହଜେଇ ଦିଏ |
(ଭାଗ ସତର ସମାପ୍ତ)
ଅଧ୍ୟାୟ ୧୮- ଝିଅଦେଖା ଉପାଖ୍ୟାନ
ଆଜିର ଚରିତ୍ର
ବଡଭାଇ: ଘରର ମୁରବୀ ଶଙ୍କର୍ଷଣ ଚୌଧୁରୀ, ବୟସ ୩୬
ସାନଭାଇ: ପରଂବ୍ରହ୍ମ ଚୌଧୁରୀ ଓରଫ ପରମ ବୟସ ୩୧
ଶ୍ରୀୟା ପରିଜା ଚୌଧୁରୀ: ଘରର ସାନବୋହୁ, ଫୁଡ ବ୍ଲଗର, ବୟସ ୨୮
ସାନଭଉଣୀ: ଯୋଗମାୟା ଚୌଧୁରୀ ଓରଫ ମାୟା, ବୟସ ୨୬
ଶ୍ରୀଯୁକ୍ତ ସାମନ୍ତରାୟ: ଦୁର୍ଜୟର ବାପା, ବୟସ ୫୮
ଶ୍ରୀମତୀ ସାମନ୍ତରାୟ: ଦୁର୍ଜୟର ମା, ବୟସ ୫୫
ଝିଅଦେଖା_ଉପାଖ୍ୟାନ
ଦୃଶ୍ୟ ୧
ସ୍ଥାନ: ନୀଳାଚଳ ପ୍ରାସାଦ | ପରମର ଶୟନ କକ୍ଷ | ପରମ ଆଉ ଶ୍ରୀୟା ଖଟରେ ବସିଛନ୍ତି |
ଶ୍ରୀୟା: ତାହେଲେ କଣ ଭାବୁଛ ମାୟାଙ୍କ ବିଷୟରେ?
ପରମ: ପାର୍ଥ ତ ମତେ ବି ଭାରି ପସନ୍ଦ | ହେଲେ କେବେ ମାୟା ପାଇଁ ତାକୁ ଭାବି ନଥିଲି | ଆଉ ଯେବେ ଦୁହେଁ ଦୁହିଁଙ୍କୁ ପସନ୍ଦ କରି ନେଇଛନ୍ତି ତାହେଲେ ଆଉ ଡେରି କାହିଁକି କରିବା?
ଶ୍ରୀୟା: ସେ ତ ଠିକ କଥା!
ପରମ: ଖାଲି ବଡଭାଇକୁ ଜଗିଛି | ଗତ ସପ୍ତାହ ସେ ଫେରିବା କଥା! ଏଯାଏଁ ଆସିପାରିଲେନି |
ଶ୍ରୀୟା: ଅପାଙ୍କ ଦେହ ଭଲ ନାହିଁ | ସେ ବା କେମିତି ଫେରିଥାନ୍ତେ କହିଲ!
ପରମ: ହଁ ସେଇୟା! ଯା ହଉ ଭାଉଜ ଦେହ ଏବେ ଭଲ ଅଛି |
ଶ୍ରୀୟା: ଭାଇ ତାହେଲେ କେବେ ଆସିବେ କହୁଛନ୍ତି?
ପରମ: ଆଜି ଟିକେଟ କରିବେ କହୁଥିଲେ | କାଲି ସେ ଆସିଯିବେ |
ଶ୍ରୀୟା: ଆଉ ମାୟା କଥା କହିନ ତ?
ପରମ: ଭାଉଜଙ୍କ ଦେହ ଖରାପ ହେଲା ବୋଲି ଆଉ କିଛି କହିଲିନି |
ଶ୍ରୀୟା: ଭଲ କରିଛ! ଭାଇ ଆସିଲେ ଆମେ ସରପ୍ରାଇଜ ଦେବା | ଆଉ ଅପାଙ୍କୁ ବି ଭିଡିଓ କଲରେ କହିବା! ତାଙ୍କ ଏକ୍ସପ୍ରେସନ ଦେଖିଲେ ମଜା ଲାଗିବ!
ପରମ: ତମର ସେ ପିଲାଳିଆମୀ ଆଉ ଗଲାନି!
ଶ୍ରୀୟା: ପିଲାଳିଆମୀ ନଥିଲେ ଆଉ କି ଜୀବନ କହିଲ!
ପରମ: ଆରେ ମୁଁ ତ ମଜା କରୁଥିଲି | ତମର ଏଇ ପିଲାଳିଆମୀ ପାଇଁ ହିଁ ତ ମୁଁ ତୁମକୁ ଏତେ ଭଲ ପାଏ!
ଶ୍ରୀୟା: ଆଚ୍ଛା, ମତେ ବହୁତ ଭଲ ପାଅ ନା! ତାହେଲେ ମୋ କାନ୍ଧ ଟିକେ ଘଷିଦେଲ! କାଟୁଚି |
ପରମ: କି କଥା! ଭଲ ପାଏ ବୋଲି କାନ୍ଧ ଘଷେଇବ?
ଶ୍ରୀୟା: କି କଥା! ଶ୍ରୀକୃଷ୍ନ ରାଧାଙ୍କର ପଦସେବା କରିବାକୁ ପଛଉ ନଥିଲେ ଆଉ ତମେ ମୋର କାନ୍ଧ ଟିକେ ଘଷି ଦଉନ?
ପରମ: ପ୍ରେମିକାର ପଦସେବା ପାଇଁ ତ ମୁଁ ବି ରେଡି | ତମେ ତ ଧର୍ମପତ୍ନୀ!
ଶ୍ରୀୟା: (ରାଗିକି) କଣ କହିଲ?
ପରମ: କିଛି ନାହିଁ… କିଛି ନାହିଁ.. ଆସ ଘଷିଦେବି!
(ପରମ ହସେ ଆଉ ଶ୍ରୀୟାର କାନ୍ଧ ଘସିଦିଏ)
***
ଦୃଶ୍ୟ ୨
ସ୍ଥାନ: ଡ୍ରଇଂରୁମ | ବଡଭାଇ ଆଉ ପରମ ବସିଛନ୍ତି | ବଡଭାଇ ଟିକେ ରାଗିଲା ଭଳି ଲାଗୁଛନ୍ତି |
ବଡଭାଇ: ଆରେ, ଏ କଥା ତୁ କେମିତି ମତେ କହିନୁ!
ପରମ: ଭାଇ, ତମେ ସେଠି ଥିଲ! ଭାଉଜଙ୍କ ଦେହ ଭଲ ନଥିଲା! ମୁଁ କେମିତି କହିଥାନ୍ତି?
ବଡଭାଇ: ଏମିତି କେମିତି କହୁଚୁ?
ପରମ: ହେଲେ ଭାଇ ତମେ କାଇଁ ରାଗୁଚ? ତମେ ତ ଖୁସି ହବା କଥା!
ବଡଭାଇ: ରାଗିବିନି? ସେଦିନ ଏତେ ପଚାରିଲି ମାୟାକୁ…. ତୁ କାହାକୁ ଠିକ କରିଛୁ କି ବୋଲି… ସେ ମତେ ମନା କଲା | ଆଉ ଆଜି କହୁଛି ସେ ପିଲାକୁ ସେ ବାହାହବ?
ପରମ: ଭାଇ, ଏଇଟା ତ ତମେ ଗଲା ପରେ ହେଇଚି | ଏଥିରେ ତା’ର ଦୋଷ କଣ?
ବଡଭାଇ: ତା’ର ଦୋଷ ନାହିଁ ହୁଏତ! ହେଲେ ତୋର ଦୋଷ ଅଛି!
ପରମ: କାଇଁ ମୁଁ କଣ କଲି?
ବଡଭାଇ: ଯଦି ତୁ ମତେ ଟିକେ ଫୋନ କରି ଏ କଥା କହିଥାନ୍ତୁ ତାହେଲେ ମୁଁ ମାୟାର ବାହାଘର ଠିକ କରିକି ଆସିନଥାନ୍ତି |
ପରମ: (ଆଶ୍ଚର୍ଯ୍ୟ ହେଇ) କଣ? ତମେ ମାୟାର ବାହାଘର ଠିକ କରିଦେଇଛ? କଉଠି?
ବଡଭାଇ: ତା’ ନା ଦୁର୍ଜୟ ସାମନ୍ତରାୟ | ଆଗରୁ ଅଫିସରେ ମୋ ଜୁନିଅର ଥିଲା | ସେତେବେଳେ ଓଏସ ପାଇଥିଲା | ଆଉ ଏବେ ତାକୁ ମସୁରିରେ ଭେଟିଲି | ଆଇଏଏସ ପାଇ ଯାଇଛି ସେ | ମାୟା ପାଇଁ ସେ ପୁରାପୁରି ଯୋଗ୍ୟ |
ପରମ: ହେଲେ ଭାଇ!
ବଡଭାଇ: ହେଲେ କଣ? ସେ ଫୋନରେ ମାୟାର ଫଟୋ ଦେଖିଲା | ତାକୁ ପସନ୍ଦ ଲାଗିଲା | ସେ ମାୟାର ଫଟୋ ତା’ ବାପାମାଙ୍କ ପାଖକୁ ପଠେଇଲା ଆରେ ତାଙ୍କୁ ବି ଝିଅ ଭଲ ଲାଗିଲା |
ପରମ: ଆଉ ମାୟାର ପସନ୍ଦ?
ବଡଭାଇ: ଦୁର୍ଜୟ ଆମ ମାୟାକୁ ବି ପସନ୍ଦ ଆସିବ ନିଶ୍ଚିତ! ଏତେ ଭଲ ଚାକିରୀ, ଭଲ ପରିବାର, ଦେଖିବାକୁ ହେଣ୍ଡସମ | ଆଉ କଣ ଦରକାର ମାୟାର?
ପରମ: ଆଉ ପାର୍ଥ?
ବଡଭାଇ: ପାର୍ଥ କଥା ମତେ କିଛି କହନି | ଆଜି ଦୁର୍ଜୟର ବାପାମା ଆସିବେ ମାୟାକୁ ଭେଟି |
(ସେପଟୁ ଶ୍ରୀୟା ଆସେ)
ଶ୍ରୀୟା: ଭାଇ, ଆପଣ ଏ କଣ କହୁଛନ୍ତି? ଆଉ ପାର୍ଥର ଭୁଲ କଣ? ପୁଅ ହିସାବରେ ସେ ବି ତ ଭଲ |
ବଡଭାଇ: ଶ୍ରୀୟା… ତୁ କିଛି ଜାଣିନୁ!
ପରମ: ଭାଇ…
ବଡଭାଇ: ପରମ, ଶ୍ରୀୟା କିଛି ଜାଣିନି | ହେଲେ ତୁ ତ ଜାଣିଚୁ | ମୋ ବେଷ୍ଟଫ୍ରେଣ୍ଡ ସୁହାସ… ସୀମାରେ ଲଢେଇ କରୁକରୁ ସହିଦ ହେଲା ଚାରିବର୍ଷ ତଳେ | ଘରେ ତା’ର ସ୍ତ୍ରୀ ସୁମନ ଏକୁଟିଆ, କୋଳରେ ୭ ମାସର ଝିଅ | ସୁମନ ଆଉ ତା’ ଝିଅର କଷ୍ଟ ମୁଁ ଦେଖିଚି | ଆଉ ଆମ ମାୟାକୁ ଏମିତି ଏକ ଅନ୍ଧାର କୁଅଁକୁ ମୁଁ ଠେଲି ଦେଇପାରିବିନି | ମାୟାର ବାପାମା ନାହାନ୍ତି ହେଲେ ମୁଁ… ତା ବଡଭାଇ ଏବେ ବି ଅଛି |
ପରମ: କିନ୍ତୁ ଭାଇ… ୟା ମାନେ କଣ ଆର୍ମିଵାଲାଙ୍କୁ କେହି ବାହା ହେବେନି? ଆମରି ସୁରକ୍ଷା ପାଇଁ ହିଁ ତ ସେମାନେ ସୀମାରେ ଲଢ଼ୁଛନ୍ତି |
ବଡଭାଇ: ଯାହାକୁ ବାହା ହବାର ଅଛି ସେ ହଉ | କିନ୍ତୁ ମୋ ଭଉଣୀ ହବନି |
ଶ୍ରୀୟା: କିନ୍ତୁ ଭାଇ…
ବଡଭାଇ: ଦେଖ ଶ୍ରୀୟା, ମୁଁ ତମମାନଙ୍କ କଥା କେବେ କାଟିନି | ତମେମାନେ ଯାହା କହିଛ ଖୁସିରେ ହଁ ମାରିଚି | ଆଉ ସେଥିପାଇଁ ଆଜି ମୋ କଥାରେ ରାଜି ହୁଅ | ମାୟାକୁ କୁହ ଭଲରେ ଆସି ଦୁର୍ଜୟର ବାପାମାଙ୍କୁ ଦେଖା କରିବ! ଆଉ ହଁ… ଶ୍ରୀୟା, ଜୟ ଘରେ ନାହିଁ | ଦୁର୍ଜୟର ବାପାମାଙ୍କ ଖାଇବା ପିଇବା ଦାୟିତ୍ୱ ଭଲରେ ବୁଝିବୁ |
(ଏତିକି କହି ବଡଭାଇ ସେଠୁ ଚାଲିଯାନ୍ତି)
ଶ୍ରୀୟା: (ପରମକୁ) ବଡଭାଇଙ୍କ ଏ କି ରୂପ? ସେ ଏମିତି କେମିତି ବଦଳି ଗଲେ?
ପରମ: କିଛି ବଦଳି ନାହାନ୍ତି | କଉଠି କେବେ କଥା ଦେଇଥିଲେ ସେ ସେଠୁ କେବେ ଓହରିକି ଆସନ୍ତି ନାହିଁ |
ଶ୍ରୀୟା: ମାୟାଙ୍କୁ ମୁଁ ଏବେ କଣ କହିବି?
ପରମ: ଆରେ, ତାଙ୍କୁ ଦେଖା କରିଦେଲେ କଣ ବାହାଘର ହେଇ ଯାଉଛି? ମାୟାକୁ କୁହ ସେ ଦେଖା କରୁ | ସେ ଭିତରେ ଆମେ ଆଉ କିଛି କରିବାନି?
ଶ୍ରୀୟା: ସତେ?
ପରମ: ମୋ ଉପରେ ବିଶ୍ୱାସ ନାହିଁ?
ଶ୍ରୀୟା: ହଉ ଠିକ ଅଛି | ମୁଁ ମାୟାଙ୍କୁ କହୁଛି |
(ଶ୍ରୀୟା ସେଠୁ ଚାଲିଯାଏ | ପରମ ଗଭୀର ଭାବନାରେ ବୁଡ଼ିଯାଏ)
***
ଦୃଶ୍ୟ ୩
ସ୍ଥାନ: ମାୟାର ଶୟନ କକ୍ଷ |
ମାୟା (କାନ୍ଦକାନ୍ଦ ହେଇ): ଭାଉଜ, ମୁଁ ଯିବିନି ସେମାନଙ୍କ ଆଗକୁ!
ଶ୍ରୀୟା: ଭାଇ ତ ଏତେ ରାଗିକି ଅଛନ୍ତି | ମୁଁ ବି କିଛି କହି ପାରୁନି ତାଙ୍କୁ!
ମାୟା: ବଡ ଭାଉଜ?
ଶ୍ରୀୟା: ଅପାଙ୍କୁ ଫୋନ କରିଥିଲି | ସେ କହୁଥିଲେ ତାଙ୍କ କଥା କିଛି ଶୁଣୁନାହାନ୍ତି ବଡଭାଇ |
ମାୟା: ମୁଁ ବି ବଡଭାଇଙ୍କୁ କିଛି କହିବାକୁ ଚେଷ୍ଟା କଲି | ମୋ କଥା ସେ ଶୁଣିଲେନି |
ଶ୍ରୀୟା: ସେଇଆ ପରା! ମୁଁ ବୁଝିପାରୁନି କଣ କରିବା!
ମାୟା: ଭାଉଜ, ପାର୍ଥର ଆଜି ନ୍ୟାସନାଲ ଲେଭେଲର ଶୁଟିଂ କମ୍ପିଟିସନ ଅଛି | ସେ ମତେ ଡାକିଥିଲେ ତାଙ୍କ ସାଙ୍ଗେ ଯିବାକୁ |
ଶ୍ରୀୟା: ହଉ ସେଠିକି ପରେ ଯିବ | ଆଗ ଏଇ ଲୋକଙ୍କୁ ଦେଖା କରିଦିଅ |
ମାୟା: ଭାଉଜ!!!
ଶ୍ରୀୟା: ଦେଖା କରିଦେଲେ କଣ ବାହାଘର ହେଇ ଯାଉଛି କି?
ମାୟା: (ଡରିକି) ଆଉ ଯଦି ହେଇଯାଏ?
ମାୟା କଥା ଶୁଣି ଶ୍ରୀୟା ବି ଚିନ୍ତାରେ ପଡ଼ିଯାଏ |
***
ଦୃଶ୍ୟ ୪
ସ୍ଥାନ: ବୈଠକ ଖାନା, ଦୁର୍ଜୟର ବାପାମା ଆସି ବସିଛନ୍ତି |
ଦୁର୍ଜୟର ବାପା: ଆଜ୍ଞା, ଏତେ ଡେରି ହେଲାଣି | ଏବେ ଝିଅକୁ ଟିକେ ଡାକନ୍ତୁ |
ଶ୍ରୀୟା: ମଉସା, ଆଉ ଟିକେ ଖାଆନ୍ତୁ |
ଦୁର୍ଜୟର ମା: ସେତେବେଳୁ ତ ଗୋଟେ ଗୋଟେ କରି ସବୁ ଜିନିଷ ଖାଇ ସାରିଲୁଣି | ଏବେ ଟିକେ ଝିଅକୁ ଡାକିଲେ ଆମେ ଦେଖିକି ଚାଲିଯାଆନ୍ତୁ |
ବଡଭାଇ: ଶ୍ରୀୟା, ମାୟା ଆସିବାକୁ ଏତେ ଡେରି କାହିଁକି ହଉଚି?
ଶ୍ରୀୟା: ଭାଇ, ସେ ଆସୁଛନ୍ତି |
ବଡଭାଇ: ପରମ, ଯା ତୁ ଯାଇକି ଡାକିକି ଆଣେ |
ପରମ: ହଉ |
ପରମ ଉଠିଯାଏ | ତା’ ପଛେ ପଛେ ତରତର ହେଇ ଶ୍ରୀୟା ଯାଏ |
ଦୃଶ୍ୟ ୫
ଦୁର୍ଜୟର ବାପା: (ଠିଆ ହେଇ) ଆମକୁ ଏଠିକି ଡାକି ଏତେ ବଡ ଅପମାନ ଦେବାକୁ ସାହାସ କେମିତି ହେଲା ଆପଣଙ୍କର ଶଙ୍କର୍ଷଣ ବାବୁ?
ବଡଭାଇ: ଆଜ୍ଞା, ମୁଁ ଜାଣିନଥିଲି |
ଦୁର୍ଜୟର ମା: ଆପଣ ଜାଣି ନାହାନ୍ତି ଆପଣଙ୍କ ଭଉଣୀ କୁଆଡେ ଯାଇଛି… ଆଉ ଆପଣ ଚାହୁଁଛନ୍ତି ଏମିତି ଗୋଟେ ଝିଅକୁ ଆମେ ବୋହୁ କରିକି ନେଉ?
ଶ୍ରୀୟା: ମାଉସୀ…
ଦୁର୍ଜୟର ମା: ତମେ ଚୁପ ରୁହ ଝିଅ | ମା ନାହିଁ ହେଲେ ତମେ ଭାଉଜ ତ ଅଛ | ତମେ ତମ ନଣନ୍ଦ ଉପରେ ନଜର ରଖିବା କଥା | ଦେଖ ହୋ!! ସେଇଥିପାଇଁ ଏମାନେ ସେତେବେଳୁ ଆମକୁ ଅଯଥାରେ ବସେଇ ରଖିଥିଲେ |
ଦୁର୍ଜୟର ବାପା: ଆଉ ଦୁର୍ଜୟ ସାଙ୍ଗରେ ତ ମୁଁ ଆଜି କଥା ହଉଚି | ଆମ ପୁଅକୁ ଝିଅର ଅଭାବ ନାହିଁ | ବୁଝିଲେ?
ବଡଭାଇ: ଆଜ୍ଞା, ଦୟାକରି ମୋ କଥା ଶୁଣନ୍ତୁ |
ଦୁର୍ଜୟର ବାପା: ବହୁତ କହିବା ଆଉ ଶୁଣିବା ହେଇଗଲା | ଏବେ ଆମେ ଆସୁଛୁ | ନମସ୍କାର |
(ବାପାମା ଦୁହେଁ ରାଗରେ ଚାଲିଯାଆନ୍ତି | ବଡଭାଇ ସୋଫାରେ ଲଥ କି ବସିପଡନ୍ତି | ମୁଁ ତାଙ୍କର ଅପମାନରେ ନାଲି ପଡିଯାଇଥାଏ | ସେ କାହାକୁ ଫୋନ ଲଗାନ୍ତି | ଫୋନ ସ୍ବିଚ ଅଫ ଆସେ)
ପରମ: ହେ ଭଗବାନ | ଏ ସବୁ କଣ ହେଲା?
ବଡଭାଇ: ମାୟା ପାଇଁ କେତେ ଅପମାନ ଆଜି ମୋର ନ ହେଲା? (ରାଗିକି ଶ୍ରୀୟାକୁ ଚାହିଁ) ଶ୍ରୀୟା, କୁଆଡେ ଗଲା ମାୟା?
ପରମ: ଶ୍ରୀୟା କେମିତି ଜାଣିବ?
ବଡଭାଇ: ତାହେଲେ କିଏ ଜାଣିବ?
ପରମ: ଶ୍ରୀୟା ଜାଣିଥିଲେ ମତେ କହିଥାନ୍ତା |
ବଡଭାଇ: ତାହେଲେ କୁଆଡେ ଗଲା ସେ? କାହାକୁ ନ କହି?
ପରମ: ରୁହ ମୁଁ ତାକୁ ଫୋନ ଲଗାଏ |
ବଡଭାଇ: ତା’ ଫୋନ ସ୍ବିଚ ଅଫ ଅଛି |
ପରମ: ତାହେଲେ?
ବଡଭାଇ: ସେ ଆଉ ସେ ପିଲା ସାଙ୍ଗରେ ଯାଇ ବାହା ହେଇ ପଡିନି ତ! ମତେ ତ ଲାଗୁଚି ଯେ ବାହା ହେଇ ପଡିଛି |
ପରମ: କଣ? ବାହା ହବାକୁ ଯାଇଛି ସେ?
ଶ୍ରୀୟା: (ତରତର ହେଇ) ନା ନା! ସେ ବାହା ହେଇ ନାହାନ୍ତି! ସେ ପାର୍ଥର ଶୁଟିଂ କମ୍ପିଟିସନ ଦେଖିବାକୁ ଯାଇଛନ୍ତି |
ବଡଭାଇ: (ପରମକୁ) ଦେଖିଲୁ! ମୁଁ କହିଥିଲି ନା… ଶ୍ରୀୟା ନିଶ୍ଚୟ ଜାଣିଥିବ ବୋଲି!
ପରମ: (ଶ୍ରୀୟାକୁ) ତମେ ଜାଣିଥିଲ ସେ ସାମନ୍ତରାୟ ବାବୁ ଆସିବା ଆଗରୁ ମାୟା ଘରୁ ଚାଲିଯାଇଛି ବୋଲି?
(ଶ୍ରୀୟା କିଛି ନ କହି ଚୁପ ରହେ ଆଉ ମୁଣ୍ଡ ତଳକୁ କରେ)
ବଡଭାଇ: ଶ୍ରୀୟା, ତୋଠୁ ମତେ ଏଇ ଆଶା ନଥିଲା | ମତେ ତୋ ମୁହଁ ଆଉ ଦେଖେଇବୁ ନାହିଁ | ବୁଝିଲୁ?
ଶ୍ରୀୟା: ଭାଇ….
(ବଡଭାଇ କିଛି ନ ଶୁଣି ସେଠୁ ଚାଲିଯାନ୍ତି)
ପରମ: (ଶ୍ରୀୟା) ମୁଁ କହିଥିଲି ନା ତୁମକୁ… ମୁଁ ସବୁକିଛି ଠିକ କରିଦେବି ବୋଲି | ତୁମେ କାଇଁ ମାୟାକୁ ଯିବାକୁ ଦେଲ?
ଶ୍ରୀୟା: ଶୁଣ….
ପରମ: ମତେ କିଛି କୁହନି! ଭାଇଙ୍କ ମନରେ ଆଜି ଦୁଃଖ ଦେଲ ତମେ | ଆଉ ସେ ମାୟା? ସେ ଆଜି ଆସୁ | ତା’ କଥା ମୁଁ ବୁଝୁଚି | ତମ ଦୁଇ ଜଣଙ୍କୁ ମୁଣ୍ଡରେ ବସେଇବାର ଫଳ ଏଇଟା!
ଶ୍ରୀୟା: ମୋ କଥା ଟିକେ ଶୁଣ…
ପରମ: କିଛି ଶୁଣିବାର ନାହିଁ ମୋର | ଆଉ ହଁ… ମତେ ବି ତୁମର ଏ ମୁହଁ ଦେଖେଇବନି | ବୁଝିଲ?
ପରମ ସେଠୁ ଚାଲିଯାଏ | ଶ୍ରୀୟା ମନଦୁଃଖରେ ସେଠି ବସିରହେ |
(ଭାଗ ଅଠର ସମାପ୍ତ)
ଅଧ୍ୟାୟ ୧୯- କର୍ଫ୍ୟୁ ଉପାଖ୍ୟାନ
ଆଜିର ଚରିତ୍ର
ବଡଭାଇ: ଘରର ମୁରବୀ ଶଙ୍କର୍ଷଣ ଚୌଧୁରୀ, ବୟସ ୩୬
ସାନଭାଇ: ପରଂବ୍ରହ୍ମ ଚୌଧୁରୀ ଓରଫ ପରମ ବୟସ ୩୧
ଶ୍ରୀୟା ପରିଜା ଚୌଧୁରୀ: ଘରର ସାନବୋହୁ, ଫୁଡ ବ୍ଲଗର, ବୟସ ୨୮
ପୋଲିସ ୧
ପୋଲିସ ୨
କର୍ଫ୍ୟୁ_ଉପାଖ୍ୟାନ
ଦୃଶ୍ୟ ୧
ସ୍ଥାନ: ନୀଳାଚଳ ନିବାସ, ବଡଭାଇଙ୍କ କୋଠରୀ | ଶ୍ରୀୟା ଯାଇ ପହଞ୍ଚେ |
ଶ୍ରୀୟା: ଭାଇ, ରୋଷେଇ ହେଇଗଲାଣି | ବାଢ଼ିବି?
(ବଡଭାଇ ଶୁଣନ୍ତିନି)
ଶ୍ରୀୟା: (ଆଉଥରେ) ଭାଇ, ଖାଇବେନି?
ବଡଭାଇ: (ଶ୍ରୀୟା ଆଡକୁ ନ ଚାହିଁ) ଶ୍ରୀୟା, ମୁଁ କହିଲି ନା ମୁଁ ତୋ ମୁହଁ ଚାହିଁବିନି | ଆଉ ତୋ ହାତରୁ ଖାଇବା ତ ଦୂରର କଥା!
ଶ୍ରୀୟା: (କାନ୍ଦକାନ୍ଦ ହେଇ) ଭାଇ… ମୁଁ ଏଇ ଘରେ ରହିଥିବି ଆଉ ତମେ ମୋ ମୁହଁ ଚାହିଁବନି ଭାଇ?
ବଡଭାଇ: ତାହେଲେ କାହିଁକି ରହିଛୁ? ଯା.. ଚାଲିଯା!
ଶ୍ରୀୟା: ଭାଇ.. ତା ମାନେ ତମେ କହୁଚ…
ବଡଭାଇ: ତୁ ଯାହା ଭାବୁଚୁ ଭାବେ | ମତେ ତୋ ସାଙ୍ଗେ କିଛି କଥା ହବାର ନାହିଁ |
ଶ୍ରୀୟା: ଭାଇ, ମୁଁ ମାୟାଙ୍କ ସାଙ୍ଗେ…
ବଡଭାଇ: ସେ ଝିଅର ନାଁ ନେ ନାହିଁ ମୋ ସାମ୍ନାରେ | ଆଉ ତୁ ବି ଯା….
(ବଡଭାଇ ଚୁପ ହେଇ ଯାଆନ୍ତି)
ଶ୍ରୀୟା ମୁହଁ ଶୁଖେଇ ସେଠୁ ଚାଲିଯାଏ ପରମ ରୁମକୁ |
ପରମ ରୁମରେ ଟିଭି ଲାଗିଥାଏ: ଟିଭିରେ ଦେଉଥାଏ- ସହରରେ ଦଙ୍ଗା ହବାର ସମ୍ଭାବନା ଥିବା ହେତୁ ସହରରେ ଆଜି ରାତି ୮ରୁ କାଲି ରାତି ୮ଟା ଯାଏଁ କର୍ଫ୍ୟୁ ଜାରି ରହିବ | ଏଇ ଖବର ଶୁଣି ପରମ ଟିକେ ବ୍ୟସ୍ତ ଜଣାପଡେ |
ଶ୍ରୀୟା: ପରମ, ଭୋକ ଲାଗୁଥିବ | ଆସ ଖାଇବ |
(ପରମ କିଛି କୁହେ ନାହିଁ)
ଶ୍ରୀୟା: ପରମ, ତୁମେ ତ ଆସ ଖାଇବା ପାଇଁ |
ପରମ: ଶ୍ରୀୟା, ମୋ ସାଙ୍ଗରେ ଜମା କଥା ହୁଅନାହିଁ ଏବେ |
ଶ୍ରୀୟା: ତୁମେ କାଇଁ ରାଗୁଚ? ମୁଁ ମାୟାଙ୍କ ସାଙ୍ଗେ…
ପରମ: (ଉଠିପଡ଼ି) ତା’ କଥା କୁହନି ମତେ | ଏବେ ସହରରେ କର୍ଫ୍ୟୁ ଲାଗିବ ଆଉ ଘରର ଝିଅ କଉଠି ଅଛି ଆମକୁ ଜଣା ନାହିଁ |
ଶ୍ରୀୟା: ସେଇ କଥା ତ କହୁଛି | ମାୟାଙ୍କ ଫୋନରେ ଚାର୍ଜ ସରିଯାଇଛି | ମୁଁ ଏବେ ପାର୍ଥଙ୍କ ସାଙ୍ଗରେ କଥା ହେଇଥିଲି | ମାୟା ଏଠୁ କାହାକୁ ନ କହି ଯିବା କଥାଶୁଣି ପାର୍ଥଙ୍କୁ ଭାରି ଖରାପ ଲାଗିଲା | ସେ ମାୟାଙ୍କୁ ଘରକୁ ଫେରେଇ ଆଣୁଥିଲେ ହେଲେ ଏଇ ଦଙ୍ଗା ସମ୍ଭାବନା ପାଇଁ ସେପଟ ଏରିଆକୁ ବନ୍ଦ କରିଦେଇଛନ୍ତି | ସେଥିପାଇଁ ସେମାନେ ଏବେ ପାର୍ଥଙ୍କ ପିଉସୀ ଘରେ ଅଛନ୍ତି | ସମ୍ପୂର୍ଣ ଭାବେ ନିରାପଦରେ ଅଛନ୍ତି | ବଡଭାଇଙ୍କୁ ଫୋନ ଲଗେଇଥିଲେ ସେ | ହେଲେ ବଡଭାଇ ଉଠେଇଲେନି | ପରମ…
ପରମ କିଛି କୁହେ ନାହିଁ |
ଶ୍ରୀୟା: ତୁମେ କିଛି କହୁନ କଣ ପାଇଁ? ତମେ ଏପଟେ ମୋ ସାଙ୍ଗେ କଥା ହଉ ନାହଁ | ସେ ପଟେ ବଡଭାଇ ମୋ ସାଙ୍ଗେ କଥା ହଉନାହାନ୍ତି | ମୋ ଦୋଷ କଣ?
ପରମ: ଦୋଷ ଏଇଆ କି ତମେ ସବୁବେଳେ ତୁମ ମନଇଚ୍ଛା କାମ କର! ସେଥିପାଇଁ ଆଉ କିଏ ହଇରାଣ ହବ କି କଣ ସେକଥା ତୁମେ କେବେ ଭାବନି!
ଶ୍ରୀୟା: ତୁମେ ଏମିତି କଣ କହୁଚ?
ପରମ: ଆଉ ନହେଲେ କଣ? ଭାଇ ଠିକ କହୁଥିଲେ | ତୁମେ ସତରେ ଜଣେ ଅଣ୍ଡିରୀ ଚଣ୍ଡୀ | ଆଉ ତମକୁ ଦେଖି ହିଁ ମାୟା ଆଜି ଏମିତି କରିଛି |
ଶ୍ରୀୟା: କଣ କହିଲ? ମତେ ଦେଖି ମାୟା ଏମିତି କରିଛନ୍ତି?
ପରମ: ଆଉ ନୁହେଁ ତ କଣ? ନହେଲେ ମାୟା ଏତେ ବଡ ପଦକ୍ଷେପ ନେଲା କେମିତି? ତମେ ହିଁ ଏ ସବୁର ମୂଳ କାରଣ!
ଶ୍ରୀୟା: ତମ ଦୁଇଭାଇଙ୍କ ମନରେ ମୋ ପାଇଁ ଏତେ କଥା ଅଛି?
ପରମ: ହଁ ଅଛି | ଆଉରି ଶୁଣିବାକୁ ଚାଁହୁଛ କି?
ଶ୍ରୀୟା: ହଉ ମନରେ ଅଛି ଯଦି କହିଦିଅ |
ପରମ: ଥାଉ | ଆଉ ଅଧିକା କହିଲେ ଘରଛାଡି ଚାଲିଯିବ |
ଶ୍ରୀୟା: ଘର କାଇଁ ଛାଡି ଚାଲିଯିବି?
ପରମ: ଥରେ ତ ଯାଇଥିଲ…. କାହାକୁ କିଛି ନ କହି | କଣ ମନେ ନାହିଁ?
ଶ୍ରୀୟା: ତା’ ପାଇଁ ମୁଁ ଭୁଲ ବି ମାଗିଛି | ତାହେଲେ ସେଇକଥା ଆଉଥରେ କାହିଁକି?
ପରମ: ଏଥିପାଇଁ କି… ଥରେ ହେଇଚି ମାନେ ଆଉଥରେ ହବ |
ଶ୍ରୀୟା: ତା’ ମାନେ ତମେ ଚାହୁଁଚ ମୁଁ ଘରଛାଡି ଚାଲିଯାଏଁ |
ପରମ: ମୋର ଚାହିଁବାରେ କଣ ଅଛି? ମୋ ଚାହିଁବାରେ କଣ ଏ ଘର ଚାଲିଛି?
ଶ୍ରୀୟା: ଓଃ! ତାହେଲେ ସତରେ ତମେ ଚାହୁଁଛ ମୁଁ ସତରେ ଚାଲିଯାଏଁ |
ପରମ: ତମ ଇଚ୍ଛା! ଏମିତିରେ ବି ତମର ମୁହଁ ଦେଖିବାକୁ ମୋର ଆଉ ଇଚ୍ଛା ନାହିଁ |
ଶ୍ରୀୟା: (ରାଗିଯାଇ) ହେଲା… ବହୁତ ହେଇଗଲା | ମୁହଁରୁ ଆଉ ଗୋଟେ ଶବ୍ଦ ବାହାର କରନି |
ପରମ: (ଚିଡିଯାଇ) ମୋର ବାହାର କରିବାକୁ ମନ ବି ନାହିଁ |
ଶ୍ରୀୟା: ହଉ ଠିକ ଅଛି |
(ଶ୍ରୀୟା ରାଗିକି ରୁମରୁ ବାହାରି ଯାଏ | ପରମ ପୁଣି ବସିପଡି ଟିଭି ଦେଖେ)
***
ଦୃଶ୍ୟ ୨
ସ୍ଥାନ: ଡାଇନିଂ ହଲ | ରାତି ହବାକୁ ବସିଲାଣି | ବଡଭାଇ ପାଣି ପିଇବାକୁ ଆସନ୍ତି | ଟେବୁଲ ଉପରେ ପାଣି ପିଅନ୍ତି | ପରମ ବି ପାଣି ପିଇବାକୁ ଆସେ |
ବଡଭାଇ: ତୁ ଖାଇଲୁ?
ପରମ: ନାଁ ମୁଁ ଖାଇନି | ତମେ?
ବଡଭାଇ: ନାଇଁ | ମୁଁ ବି ଖାଇନି | ଇଚ୍ଛା ହେଲାନି | ଶ୍ରୀୟା କାଇଁ?
ପରମ: ମୁଁ ମାୟା ବିଷୟରେ କହିବା ପାଇଁ ତମ ରୁମକୁ ଯେତେବେଳେ ଆସିଥିଲି ତା’ ପରଠୁ ତାକୁ ଆଉ ଦେଖିନି |
ବଡଭାଇ: ମାନେ?
ପରମ: ମାନେ ତା’ର ମୋର ଟିକେ ପାଟିତୁଣ୍ଡ ହେଇଗଲା | ମତେ ଲାଗୁଚି ସେ ତା’ ଘରକୁ ଚାଲିଯାଇଛି | ଯାଉ |
ବଡଭାଇ: ୮ଟା ଆଗରୁ ଚାଲି ଯାଇଛି ତ?
ପରମ: ହଁ | ନହେଲେ କର୍ଫ୍ୟୁ ହେଇ ଯାଇଥିଲେ ସେ ଯାଇ ପାରିନଥାନ୍ତା ଆଉ ମତେ ତା’ ମୁହଁ ଦେଖିବାକୁ ପଡିଥାନ୍ତା |
ବଡଭାଇ: ଯାହା କହ କାଳୁ | ଏମାନଙ୍କୁ ସବୁ ମୁଣ୍ଡରେ ବସେଇବା ଫଳ ଇଏ | ସ୍ତ୍ରୀ ଲୋକ ମାନେ ହିଁ ସେଇଆ | ତାଙ୍କୁ ଟିକିଏ ଆଙ୍ଗୁଠି ଧରେଇଲେ ସେମାନେ ବାହୁ ପ୍ରବେଶ କରେଇବେ |
ପରମ: ଠିକ କହିଛ ଭାଇ | ଅନ୍ୟଘରେ ସ୍ତ୍ରୀଲୋକଙ୍କୁ ଯେମିତି ମୁହଁରେ ତାଲାଦେଇ ରଖାହେଇଚି ଏମାନଙ୍କୁ ବି ସେଇଆ ଦରକାର |
ବଡଭାଇ: ପୁରା ସତ | ସେ ରେବତୀ କହ କି ଶ୍ରୀୟା କହ କି ମାୟା କହ | ସବୁ ସେଇ ଗୋଟିଏ ଗାଈର ଗୋବର | ଆଜିଠୁ ଆମକୁ ବହୁତ ଷ୍ଟ୍ରିକ୍ଟ ହବାକୁ ପଡିବ ଏମାନଙ୍କ ସାଙ୍ଗରେ |
ପରମ: ହଁ ଭାଇ… ସେଇୟା କରିବା | ଭାରି ବଡ ଭୁଲ ହେଇ ଯାଇଛି ଏମାନଙ୍କୁ ମୁଣ୍ଡରେ ବସେଇ |
ବଡଭାଇ: ହଉ | ଯା ଏବେ ଶୋଇପଡ଼େ | ମୁଁ ବି ଯାଉଛି |
(ପରମ ଆଉ ବଡଭାଇ ନିଜ ନିଜ ରୁମକୁ ଚାଲିଯାଆନ୍ତି)
***
ଦୃଶ୍ୟ ୩
ସ୍ଥାନ: ପରମର କୋଠରୀ | ପରମ ଶୋଇଛି | ବଡଭାଇ କବାଟ ଖୋଲି ଆସନ୍ତି |
ବଡଭାଇ: କାଳୁ, ଏ କାଳୁ | ଦେଖିଲୁ | ସକାଳୁ ଘରେ ପାଣିଟା କାଇଁ ବନ୍ଦ ହେଇଯାଇଛି?
ପରମ: (ଉଠି, ଆଖି ମଳି) କଣ କହିଲ?
ବଡଭାଇ: କୋଉ ରୁମରେ ପାଣି ଆସୁନି | ମୁଁ ମୁହଁ ବି ଧୋଇନି ଏଯାଏଁ |
ପରମ: ଏଁ? ରୁହ ମୁଁ ଦେଖେଁ |
ପରମ ବାଥରୁମକୁ ଯାଏ |
ପରମ: ଭାଇ, ଆମ ବାଥରୁମରୁ ବାଲ୍ଟି ଗୁଡା କୁଆଡେ ଗଲା?
ବଡଭାଇ: ତୋ ବାଥରୁମରେ ବି ନାହିଁ କି? ମୁଁ ଭାବିଲି ମୋ ବାଥରୁମରୁ ତୁ ନେଇ ଆସିଚୁ |
ପରମ: ନାଁ ତ | ମୁଁ ଆଣିନି | ଆଉ ଏଠି ବି କିଛି ବାଲ୍ଟି ନାହିଁ |
ବଡଭାଇ: କୁଆଡେ ଗଲା?
ପରମ: କୁଆଡେ ଗଲା? ଚାଲ ମାୟା ବାଥରୁମରେ ଦେଖିବା |
ବଡଭାଇ: ସେ ବଦମାସର ନାଁ ନେ ନା ମୋ ସାମ୍ନାରେ | ତା’ ରୁମରେ ଯଦି ପଶିଥିବୁ ଦେଖିବୁ | ତାଲା ପକେଇବି ସେ ରୁମରେ ମୁଁ | ଦେଖିବା ସେ କେମିତି ପଶିବ |
(ବଡଭାଇ ମାୟା ରୁମ ପାଖକୁ ଯାଆନ୍ତି | ରୁମ କବାଟ ବନ୍ଦ ଥାଏ | ସେ ବାହାରୁ ତାଲା ଦେଇଦିଅନ୍ତି)
ପରମ: ବାଲ୍ଟିଗୁଡା ଅଛି କି ନାହିଁ ଟିକେ ଦେଖିକି ବାହାରକୁ ହେଲେ ନେଇ ଆସିଥାନ୍ତ |
ବଡଭାଇ: ରହ ମ! ଏପଟେ ସେ ମୋ ଇଜ୍ଜତ ତଳେ ପକେଇଲାଣି | ୟାକୁ ବାଲ୍ଟି କଥା ପଡିଛି |
ପରମ: ତାହେଲେ ମୁଁ ବାଥରୁମ କେମିତି ଯିବି?
ବଡଭାଇ: ପାଣି ଆସିଲେ ତ ଯିବୁ |
ପରମ: ଆରେ ହଁ! ସତ କଥା ତ! ହେଲେ ପାଣି କାଇଁ ଆସୁନି?
ବଡଭାଇ: ମ୍ୟୁନିସିପାଲଟି ପାଣି ବନ୍ଦ କରିବ ବୋଲି କହିଥିଲା କି?
ପରମ: କେଜାଣି! ସେ କଥା ସବୁ ଜୟ ଆଉ ଶ୍ରୀୟା ବୁଝନ୍ତି ଆଉ ଆମକୁ ଆଗରୁ ଜଣାନ୍ତି | ଏବେ ତ ଦୁହେଁ ନାହାନ୍ତି |
ବଡଭାଇ: ହଉ ନଥାନ୍ତୁ | ସେମାନେ ନଥିଲେ କଣ ଆମେ ଚଳି ପାରିବାନି?
ପରମ: ହଁ ପରିବା | କାଇଁ ପାରିବାନି?
ବଡଭାଇ: ହଉ ତାହେଲେ ଯା ଚା ତିଆରି କରି ଆଣିବୁ |
ପରମ: ଏଁ, ମୁଁ କରିବି?
ବଡଭାଇ: ଆଉ କିଏ କରିବ?
ପରମ: ହଉ |
ପରମ ରୋଷେଇଘରକୁ ଯାଏ ଆଉ ସେଠୁ ଜୋରରେ ପାଟି କରେ |
ପରମ: ଭାଇଇଇଇ…
ବଡଭାଇ: (ଦୋୖଡିକି ଆସି) କଣ ହେଲା?
ପରମ: ଭାଇ, ଏଠି ତ ଚା, ଚିନି, ଅମୁଲ କିଛି ବି ନାହିଁ |
ବଡଭାଇ: କିଛି ନାଇଁ?
ପରମ: ନାଁ.. କୋଉ ବି ଡବା ନାହିଁ |
ବଡଭାଇ: ତାହେଲେ ବିସ୍କୁଟ ଦେ | ସେଇଟା ହେଲେ ଚୋବେଇବା |
ପରମ: ହଁ | ବହୁତ ଭୋକ କଲାଣି |
ବଡଭାଇ: କାଲି ରାତି ବି ରାଗିକି କିଛି ଖାଇନେ |
ପରମ: ଭାଇ.. ବିସ୍କୁଟ ପ୍ୟାକେଟ ବି ନାହିଁ!
ବଡଭାଇ: କଣ? ଆଉ ମିକଷ୍ଚର? କି ଆଉ କିଛି?
ପରମ: କିଛି ବି ଖାଇବା ଡବା କି ପ୍ୟାକେଟ ନାହିଁ |
ବଡଭାଇ: ଏମିତି ସବୁ କୁଆଡେ ଉଭେଇ ଗଲା?
ପରମ: କେଜାଣି!
ବଡଭାଇ: ଆଉ ଚୁଡା? କି ମୁଢି?
ପରମ: କିଛି ବି ନାହିଁ ମ!!
ବଡଭାଇ: ଇଏ କି କଥା? ତାହେଲେ ଆମେ ଖାଇବା କଣ? ଜଳଖିଆ ସମୟ ଛାଡେ… ଦି ପହର ଖାଇବା ସମୟ ହେଇ ଗଲାଣି |
ପରମ: ଆରେ ଆମେ ରାନ୍ଧିବା | ସେଥିରେ କଣ ଅଛି | କଣ ଆମେ କୋଉ ସ୍ତ୍ରୀଲୋକଠୁ କମ କି?
ପରମ ଯାଇ ଚାଉଳ ଡାଲି ସବୁ ଦେଖେ |
ପରମ: ଆରେ, ଏଗୁଡା ତ ସବୁ ସରି ଯାଇଛି |
ବଡଭାଇ: ମାନେ?
ପରମ: ମାନେ କାଲି ଶ୍ରୀୟା କହିଥିଲା ରାସନ ସାରି ଯାଇଛି ବୋଲି | ସନ୍ଧ୍ୟାରେ ଦୁହେଁ ଯାଇ ମାସକର ରାସନ ଆସିବୁ ବୋଲି କଥା ଥିଲା | ହେଲେ ସେ ମିଃ ସାମନ୍ତରାୟ ଗଲା ପରେ ଘରେ ଯାହା ହେଲା… ଆମେ ଆଉ ବଜାରକୁ ଯାଇନୁ |
ବଡଭାଇ: ତାହେଲେ କଣ କିଛି ବି ନାହିଁ ଘରେ? ଏ କେମିତି ସମ୍ଭବ?
ପରମ: ମାନେ? ତମେ ତ ଏବେ ଆଉ ରାସନ କଥା ବୁଝିନ! ତମେ କେମିତି ଜାଣିବ? ସବୁ ସରିଯାଇଛି | ହଁ… ଟିକେ ସୁଜି ପଡିଛି |
ବଡଭାଇ: ହଉ ସେଇ ସୁଜି କରେ | ନାଇଁ… ରହ | ତୁ ତ ଅକାଳ କୁଷ୍ମାଣ୍ଡ | ତତେ କଣ ଜଣା? ମୁଁ କରିବି |
ଏତିକି କହି ବଡଭାଇ ଗ୍ୟାସ ଚୁଲା ଲଗାନ୍ତି | ଗ୍ୟାସ ଟିକିଏ ଜଳି ଲିଭିଯାଏ |
ପରମ: ପୁଣି କଣ ହେଲା?
ବଡଭାଇ: କେଜାଣି! ଗ୍ୟାସ ସରିଗଲା କି?
ପରମ: ହେ ପ୍ରଭୁ!
ପରମ ସିଲିଣ୍ଡର ଟେକିକି ଦେଖେ |
ପରମ: ହଁ! ଖାଲି ହେଇଯାଇଛି |
ବଡଭାଇ: ତାହେଲେ ଆର ସିଲିଣ୍ଡରଟା ଲଗା |
ପରମ: ଆରେ.. କୁଆଡେ ଗଲା ଆର ସିଲିଣ୍ଡରଟା?
ବଡଭାଇ: ସିଲିଣ୍ଡର ବି ଗାୟବ?
ପରମ: ହେ ପ୍ରଭୁ! କିଏ ଚୋର ଆସିଥିଲା କି ଭାଇ?
ବଡଭାଇ: ଧେତ… ଚୋର କଣ ମ? ତୁ ଆଣି ନଥିବୁ ନୂଆ ସିଲିଣ୍ଡର | କହିଲି ପରା ତୁ ହେଲୁ ଅକାଳ କୁଷ୍ମାଣ୍ଡ |
ପରମ: ମତେ କାଇଁ ଗାଳି ଦଉଚ? ଆସିଛି ନୂଆ ସିଲିଣ୍ଡର |
ବଡଭାଇ: ହଉ ସେ କଥା ଛାଡେ | ଦେଖୁନୁ ତୋର ସେ ଜମାଟୋ କି ସ୍ୱିଗିରେ ଖାଇବା ମିଳୁଥିବ! ଏତେ କଣ ଚିନ୍ତା?
ପରମ: (ଖୁସିହେଇ) ଆରେ ବାଃ!! ବଢିଆ ମନେ ପକେଇଲ | ମୁଁ ଏବେ ଦେଖେଁ |
ପରମ ଫୋନ ଚେକ କରେ | ତା’ ମୁହଁ ଶୁଖିଯାଏ |
ପରମ: ଭାଇ…
ବଡଭାଇ: କଣ ହେଲା?
ପରମ: ଆଜି କାଇଁ କିଛି ମିଳୁନି? ସବୁ ହୋଟେଲ ବନ୍ଦ?
ବଡଭାଇ: କାଇଁକି? ଆଜି କଣ କି? ଓହୋ….
ପରମ: କଣ ହେଲା?
ବଡଭାଇ: ଆଜି ପରା କର୍ଫ୍ୟୁ | ରାତି ଆଠଟା ଯାଏଁ…
ପରମ: ଆରେ ବାପରେ!! ମୁଁ ତ ଭୁଲି ଯାଇଥିଲି |
ବଡଭାଇ: ତାହେଲେ କଣ ଆମେ ରାତିଯାଏଁ କିଛି ନ ଖାଇ ରହିବା?
ପରମ: ମୁଁ ରହି ପାରିବିନି |
ବଡଭାଇ: ତାହେଲେ କଣ କରିବା? କିଛି ତ ନାହିଁ ରୋଷେଇଘରେ |
ପରମ: ଚାଲ ଟିକେ ସମୟ ଶୋଇ ପଡିବା | ଭୋକ ତ ଜଣା ପଡ଼ିବନି ଶୋଇପଡିଲେ |
ବଡଭାଇ: ଭୋକ ହେଲେ ନିଦ କେମିତି ହବ?
ପରମ: ଚେଷ୍ଟା ତ କରିବା ଚାଲ |
ବଡଭାଇ ଆଉ ପରମ ନିଜ ନିଜ ରୁମକୁ ଶୋଇବାକୁ ଚେଷ୍ଟା କରନ୍ତି |
***
ଦୃଶ୍ୟ ୪
ସ୍ଥାନ: ଡାଇନିଂ ହଲ | ସମୟ: ଦିନ ଚାରିଟା | ବଡଭାଇ ଆଉ ପରମ ନିଜ ନିଜ ରୁମରୁ ଆସନ୍ତି |
ବଡଭାଇ: ଶୋଇ ପାରିଲୁ?
ପରମ: ହଁ | ଟିକେ ଶୋଇପଡ଼ିଲି |
ବଡଭାଇ: ତୋର କଣ ଅଛି? ଯଉଠି କହିଲେ ଯେମିତି କହିଲେ ତୁ ଶୋଇପାରିବୁ |
ପରମ: କାଇଁ? ତମେ ଶୋଇ ପାରିଲନି କି?
ବଡ଼ଭାଇ: ନାଇଁ ମ! ମୁଁ ତ ଭୋକରେ ଖାଲି ଏପଟ ସେପଟ ହେଲି |
ପରମ: କଣ ଏବେ କରିବା?
ବଡଭାଇ: ଆଚ୍ଛା, ଚାରିଟା ବାଜିଲାଣି | ଚାଲୁନୁ ଏଇ ପାଖରେ ଯାଇ କୋଉଠି ଦେଖିବା! କାଳେ ଦୋକାନ ଖୋଲା ଥିବ |
ପରମ: ବାହାରକୁ ଯାଇ?
ବଡ଼ଭାଇ: ହଁ!
ପରମ: ଆଜି କର୍ଫ୍ୟୁ ପରା?
ବଡଭାଇ: ତ କଣ ହେଲା? ପୋଲିସ କଣ ଏମିତି ରାସ୍ତାରେ ବୁଲୁଥିବେ କି?
ପରମ: ଦୋକାନ କଣ ଖୋଲା ଥିବ?
ବଡଭାଇ: ଇଏ ଓଡିଶା! ଏଠି ଲୋକ କୋଉ ନିୟମ ମାନୁଥିବେ?ଦୋକାନ ଏବେକୁ ନିଶ୍ଚିତ ଖୋଲା ହେଇଯାଇଥିବ |
ପରମ: ହଉ | ଚାଲ ତାହେଲେ ଯିବା | ଗାଡି ନେବା?
ବଡଭାଇ: ନାଇଁ ମ! ଚାଲିକି ଯିବା! କେହି କିଛି କହିବେନି |
ପରମ: ଚାଲ ତାହେଲେ!
***
ଦୃଶ୍ୟ ୫
ଦୁଇଭାଇ ଘରୁ ବାହାରକୁ ବାହାରନ୍ତି |
ବଡ଼ଭାଇ: ଦେଖିଲୁ! ମୁଁ କହୁନଥିଲି କେହି ନଥିବେ | ଆଗକୁ ଦୋକାନ ବି ଖୋଲାଥିବ | ରହ ଦେଖିବୁ |
ପରମ: ଭାଇ.. ଆଗରେ ଦେଖ |
ବଡଭାଇ: କଣ ହେଲା?
ପରମ: ପୋ..ଲି..ସ!
ଆଗରେ ଦୁଇଟି ପୋଲିସ ଠିଆ ହେଇଥାନ୍ତି |
ପୋଲିସ ୧: କୁଆଡେ ବାହରିଚ ତମେ ଦୁଇଜଣ?
ପରମ: (ଥତମତ ହେଇ) ଏଇ ଆଗକୁ?
ପୋଲିସ ୨: ଆଗକୁ କୁଆଡେ?
ବଡଭାଇ: ଏଇ… ଟିକେ ଆଗକୁ…
ପୋଲିସ ୧: ଆଗକୁ ଆଗକୁ କଣ ମ? ଜାଣିନ ଆଜି କର୍ଫ୍ୟୁ ବୋଲି?
ପରମ: ହଁ ଯେ! ଏବେ ପରା ୪ଟା ବାଜିଲାଣି |
ପୋଲିସ ୨: କର୍ଫ୍ୟୁ ପରା ୮ଟା ଯାଏଁ ଅଛି! ଟିଭିରେ ଦେଖିନ?
ବଡଭାଇ: ହଁ ଯେ….
ପୋଲିସ ୧ : ହଁ ଯେ କଣ? ହେଇରେ ମଦନା! ଆମେ ଏଠି ଦିନସାରା ଖରାରେ ଲୋକଙ୍କୁ ଜଗିବା ଆଉ ଏମାନେ ଏଠି ପବନ ଖାଇବାକୁ ଟହଲରେ ବାହାରିଲେ |
ପୋଲିସ ୨: ହଁ ପରା!
ପୋଲିସ ୧: କଣ କରିବା ଏବେ?
ପୋଲିସ ୨: କଣ ଆଉ କରିବା? ଯାହା ଆମକୁ କୁହା ହେଇଚି |
ବଡଭାଇ: (ଡରିଯାଇ) କଣ କରିବେ?
ପରମ: ଭାଇ, ଚାଲ ଘରକୁ ପଳେଇବା |
ପୋଲିସ ୧: ଯିବ ତ ନିଶ୍ଚୟ | ହେଲେ ମାମୁଁ ପାଖରୁ ପିଠା ନଖାଇ କେମିତି ଯିବ?
ପରମ: (ଡରିକି) ମାନେ?
ପୋଲିସ ୨: ମାନେ ଏଇଆ!!
ପୋଲିସ ଦୁଇଜଣ ବଡଭାଇ ଆଉ ପରମକୁ ବାଡ଼ିରେ ପିଇବାରେ ଲାଗନ୍ତି |
ବଡଭାଇ: (ଡେଇଁଡେଇଁ) ଇଃ!! ଆଃ!! ଓଃ!!
ପରମ: (ଡେଇଁଡେଇଁ) ବୋଉ ଲୋ!! ମରିଗଲି!
ପୋଲିସ ଦୁହିଁଙ୍କୁ ବହେ ଛେଚେ |
ପୋଲିସ ୧: ଆଉ କେବେ କର୍ଫ୍ୟୁ ସମୟରେ ଏମିତି ବାହାରକୁ ବାହାରିବ?
ପରମ: (ନିଜ ଅଂଟାକୁ ଆଉଁସି ଆଉଁସି) ଏଇ ଜନ୍ମରେ କେବେ ନୁହେଁ |
ବଡଭାଇ: (ନିଜ ପିଠିକୁ ଆଉଁସି ଆଉଁସି) ଆଗାମୀ ସତ ଜନ୍ମରେ ବି ନୁହେଁ |
ପୋଲିସ ୨: ହଉ ତାହେଲେ ଠିଆ ହେଇ ରହିଲ କାଇଁ? ଯାଅ ଘରକୁ |
ବଡଭାଇ ଆଉ ପରମ କେମ୍ପେଇ କେମ୍ପେଇ ଘରକୁ ଫେରନ୍ତି |
***
ଦୃଶ୍ୟ ୬
ସ୍ଥାନ: ନୀଳାଚଳ ନିବାସ, ମାଡଖାଇ ଘରକୁ ଫେରିଛନ୍ତି ଦୁଇଭାଇ |
ପରମ: (ପଛକୁ ଆଉଁସି ଆଉଁସି) ଓଃ!!
ବଡଭାଇ: ଗଲା ଲୋ! ମୋ ଅଂଟା ଗଲା!
ପରମ: ଓହୋ! ମୋ ପିଚା! ଆଜି ଆଉ ବସିହବନି |
ବଡଭାଇ: ପୋଲିସ କେବେଠୁ ନିଜ କାମ ଏତେ ଭଲରେ କଲାଣି?
ପରମ: ଦୁନିଆ ବଦଳିଗଲାଣି ଭାଇ.. ତା ସାଙ୍ଗରେ ଓଡିଶା ପୋଲିସ ବି |
ବଡଭାଇ: ମା.. ଲୋ! ମୋ ପିଞ୍ଜରା ହାଡ ଭାଙ୍ଗିଗଲା |
ପରମ: ଆଜି ଦିନସାରା କେବଳ ଗୋଟିଏ ଜିନିଷ ଖାଇଲେ… ମାଡ!!
ବଡଭାଇ: ଓହୋ..ହୋ…
ପରମ: ହେଲେ ଜାଣିଛ ଭାଇ… ତମରି ପାଇଁ ସବୁ ହେଲା…
ବଡଭାଇ: ମୁଁ କଣ କଲି?
ପରମ: ତମେ ହିଁ ଶ୍ରୀୟାକୁ ଗାଳି ଦେଲ | ସେ ଗଲା ବୋଲି ଏତେ କଥା ହେଲା | ନହେଲେ ଥିଲେ ଆଜି ନିଶ୍ଚିତ ସମ୍ଭାଳି ନେଇଥାନ୍ତା! କିଛି ନା କିଛି ତିଆରି କରି ଖୁଏଇଥାନ୍ତା!
ବଡଭାଇ: କି ପିଲା ତୁ? ତାକୁ ତ ତୁ ବି ଗାଳି ଦେଇଚୁ | ଆଉ କଣ ମୋ କଥାରେ ସେ ଘରଛାଡି ଗଲା?
ପରମ: ଆଉ ତାହେଲେ?
ବଡଭାଇ: ସେ ତ ତୋ କଥାରେ ଘର ଛାଡିଗଲା |
ପରମ: ହେଲେ ଆରମ୍ଭ ତ ତମେ କରିଥିଲ!
ବଡଭାଇ: କଥା ତ ଠିକ | ଏବେ ଭାବିଲେ ଖରାପ ଲାଗୁଚି |
ପରମ: ହଁ | ଶ୍ରୀୟାକୁ ଏମିତି କହିବାଟା ଉଚିତ ନଥିଲା |
ବଡଭାଇ: ଭୁଲ ତ ମାୟାର ହିଁ ଥିଲା | ହେଲେ ଗଲି ଖାଇଲା ଶ୍ରୀୟା |
ପରମ: ହଁ |
ବଡଭାଇ: ହଉ | କର୍ଫ୍ୟୁ ସରୁ | ଶ୍ରୀୟାକୁ ଯାଇ ତା’ ଘରୁ ନେଇ ଆସିବୁ | ହେଲା?
ପରମ: ଠିକ ଅଛି |
ବଡଭାଇ ଓ ପରମ ପୁଣି ଉଃ ଆଃ ହେଇ ନିଜ ନିଜ ଅଣ୍ଟାପିଠିକୁ ଆଉଁସିବାରେ ଲାଗିଯାଆନ୍ତି |
(ଭାଗ ଉଣେଇଶ ସମାପ୍ତ)
ଅଧ୍ୟାୟ ୨୦- ଘରବାହୁଡା ଉପାଖ୍ୟାନ
ଆଜିର ଚରିତ୍ର
ବଡଭାଇ: ଘରର ମୁରବୀ ଶଙ୍କର୍ଷଣ ଚୌଧୁରୀ, ବୟସ ୩୬
ସାନଭାଇ: ପରଂବ୍ରହ୍ମ ଚୌଧୁରୀ ଓରଫ ପରମ ବୟସ ୩୧
ଶ୍ରୀୟା ପରିଜା ଚୌଧୁରୀ: ଘରର ସାନବୋହୁ, ଫୁଡ ବ୍ଲଗର, ବୟସ ୨୮
ସାନଭଉଣୀ: ଯୋଗମାୟା ଚୌଧୁରୀ ଓରଫ ମାୟା, ବୟସ ୨୬
ପାର୍ଥ ମହାପାତ୍ର: ପରମର କଲେଜ ଜୁନିଅର, ବୟସ ୩୦
ପାର୍ଥର ପିଉସା: ବୟସ ୫୮
ପାର୍ଥର ପିଉସୀ: ବୟସ ୫୫
ସୁମନ: ସହିଦ ସୁହାସଙ୍କ ପତ୍ନୀ, ବୟସ ୩୪
ଘରବାହୁଡା_ଉପାଖ୍ୟାନ
ଦୃଶ୍ୟ ୧
ସ୍ଥାନ: ନୀଳାଚଳ ନିବାସ | ଡାଇନିଂ ଟେବୁଲରେ ବସି ପରମ କାହା ସାଙ୍ଗରେ କଥା ହଉଚି |
ପରମ: ହଁ, ଭାଉଜ… କଥା ଯାଇ ଏଇଠି ପହଂଚିଲାଣି |
ବଡଭାଇ (ସେଠିକି ଆସି): କାହା ସାଙ୍ଗରେ କଥା ହଉଛୁ?
ପରମ: (ତରତର ହେଇ) | ଏଇ…. ଗୋଟେ ସାଙ୍ଗ! (ଫୋନରେ) ହଉ ମୁଁ ରଖୁଛି | ବାଏ |
ପରମ ଫୋନ ରଖିଦିଏ | ଏତିକିବେଳେ କଲିଙ୍ଗ ବେଲ ବାଜେ | ପରମ ଆଉ ବଡଭାଇ ଦୁହେଁ ଏକା ସାଙ୍ଗରେ ଯାଆନ୍ତି | କବାଟ ଖୋଲେ ପରମ | ବାହାରେ ମାୟା |
ପରମ: ମାୟା!
ଘର ଭିତରକୁ ଆସେ ମାୟା | ପଛରେ ପାର୍ଥ, ତା ପିଉସା ଆଉ ପିଉସୀ |
ପରମ: ପାର୍ଥ ବି!
ପରମ ପାର୍ଥ ଆଉ ତା’ ପିଉସା ପିଉସୀଙ୍କ ଘର ଭିତରକୁ ଡାକେ |
ପରମ: ଆଜ୍ଞା, ଭିତରକୁ ଆସନ୍ତୁ |
ବଡଭାଇ ମାୟାକୁ ଦେଖି ମୁହଁ ଫେରେଇ ନିଅନ୍ତି | ମାୟା ଆସି ବଡଭାଇଙ୍କ ହାତ ଧରେ ଆଉ କାନ୍ଦ କାନ୍ଦ ହେଇଯାଏ |
ମାୟା: ଭାଇ ମୋ ଆଡକୁ ଦେଖ | ପ୍ଲିଜ |
ବଡଭାଇ କିଛି କୁହନ୍ତି ନାହିଁ |
ମାୟା: (ବଡଭାଇଙ୍କୁ) ଭାଇ, ମୋର ଭୁଲ ହେଇଯାଇଛି | ବହୁତ ବଡ ଭୁଲ | (ପରମ ପାଖକୁ ଯାଇ) ଭାଇ, ମତେ କ୍ଷମା କରି ଦେ ପ୍ଲିଜ | ମୁଁ ତୋ ଉପରେ ବି ବିଶ୍ୱାସ କଲିନି | ଭାଉଜ ମତେ କହିଥିଲେ ତୁ ସବୁ ଠିକ କରିଦେବୁ | ପ୍ଲିଜ ମତେ କ୍ଷମା କରେ |
ପରମ: ମାୟା, ମୁଁ ତ ହୁଏତ ତତେ କ୍ଷମା କରିଦେଇ ପରେ ହେଲେ ତୁ ବଡଭାଇଙ୍କ ମନରେ ବହୁତ ଦୁଃଖ ଦେଇଚୁ |
ଏତିକି ବେଳେ ପାର୍ଥ ଉଠେ | ବଡଭାଇଙ୍କ ପାଖକୁ ଆସେ |
ପାର୍ଥ: (ବଡଭାଇଙ୍କୁ ହାତଯୋଡି) ଭାଇ, ମାୟାର ପିଲାଳିଆମୀ ପାଇଁ ମୁଁ ଆପଣଙ୍କୁ କ୍ଷମା ମାଗୁଛି | ମୁଁ ତାକୁ କାଲି ହିଁ ନେଇକି ଆସିଯାଇଥାନ୍ତି | ହେଲେ ଏଇ କର୍ଫ୍ୟୁ ପାଇଁ….
ମାୟା: (ବଡଭାଇଙ୍କୁ) ବଡଭାଇ… ଦୟାକରି ମତେ କ୍ଷମା କରିଦିଅ |
ପାର୍ଥର ପିଉସା: (ବଡଭାଇ ପାଖକୁ ଆସି) ଆଜ୍ଞା, ମୁଁ ପାର୍ଥର ପିଉସା | ପାର୍ଥ ମୋ ପୁଅ ଭଳି | ପାର୍ଥର ବାପାମାଙ୍କ ସାଙ୍ଗରେ ବି ମୋର କଥାବାର୍ତ୍ତା ହେଇଚି | ସେମାନେ ଦିଲ୍ଲୀରୁ କଲି ଆସି ପହଂଚିବେ | ହେଲେ ତାଙ୍କ ତରଫରୁ ମୁଁ ଆଜି ହିଁ ଆପଣଙ୍କୁ ଆମ ପାର୍ଥ ପାଇଁ ମାୟାକୁ ମାଗିବାକୁ ଆସିଛି |
ପାର୍ଥର ପିଉସୀ: ହଁ ଆଜ୍ଞା | ଯାହା ହେଲା ତାକୁ ସାନ ଛୁଆଙ୍କ ଭୁଲ ଭାବି କ୍ଷମା କରିଦିଅନ୍ତୁ | ଆପଣଙ୍କ ଭଉଣୀକୁ ନିଜ ଝିଅ ଭାବି କାଲିଠୁ ମୁଁ ବଡ ଯତନରେ ରଖିଛି | ତାକୁ ଏବେ ସବୁଦିନ ପାଇଁ ଆମକୁ ଦେଇ ଦିଅନ୍ତୁ |
ବଡଭାଇ: ହେଲେ….
(ଏତିକି ବେଳେ ବଡଭାଇଙ୍କର ଫୋନ ବାଜେ)
ବଡଭାଇ: (ସେମାନଙ୍କୁ ଫୋନ ଦେଖେଇ) ଗୋଟେ ମିନିଟ ଆଜ୍ଞା |
ବଡଭାଇ ଟିକେ ଦୂରକୁ ଯାଆନ୍ତି |
ବଡଭାଇ: ହେଲୋ |
ସୁମନ: ହେଲୋ | ଭାଇ ନମସ୍କାର | ମୁଁ ସୁମନ |
ବଡଭାଇ: (ଆଶ୍ଚର୍ଯ୍ୟ ହେଇ) ସୁମନ ଭାଉଜ? ତମେ?
ସୁମନ: ହଁ ମୁଁ | ଗୋଟେ ଜରୁରୀ କଥା ପାଇଁ ଫୋନ କରିଥିଲି |
ବଡଭାଇ: କେମିତି ଅଛ ତମେ? ଆଉ ତିତଲି?
ସୁମନ: ହଁ ଆମେ ଭଲ ଅଛୁ | ମୁଁ ଶୁଣିଲି ତୁମେ ସୁହାସ କଥା ପାଇଁ ଗୋଟେ ଆର୍ମି ପୁଅ ସାଙ୍ଗରେ ମାୟାର ବାହାଘରକୁ ମନା କରିଦେଉଛ?
ବଡଭାଇ: ତୁମକୁ ଏ କଥା କିଏ କହିଲା? ଓଃ! ଜାଣିଲି…
ସୁମନ: କଣ?
ବଡଭାଇ: ତୁମକୁ ଏ କଥା ରେବତୀ କହିଛି |
ସୁମନ: ମତେ ଏ କଥା ରେବତୀ କହିଛି କି ନାଇଁ ସେ କଥା ଜରୁରୀ ନୁହେଁ | ଜରୁରୀ ହେଲା ମୁଁ ତୁମକୁ ଯାହା କହିବାକୁ ଯାଉଛି |
ବଡଭାଇ: କଣ?
ସୁମନ: ମୁଁ ଜାଣେ ଭାଇ… ତୁମେ ସୁହାସଙ୍କୁ କେତେ ଭଲ ପାଉଥିଲ | ଆମେ ସମସ୍ତେ ତାଙ୍କୁ ସାରା ଜୀବନ ପାଇଁ ମିସ କରିବୁ | ହେଲେ ଭାଇ ସତ କହୁଛି… ଯଦି ଭଗବାନ ମତେ ସାତୋଟି ଜନ୍ମ ଦିଅନ୍ତି ତେହେଲେ ମୁଁ ଦେଶ ପାଇଁ ଜୀବନ ଦେଇଥିବା ସୁହାସଙ୍କ ଭଳି ଦେଶପ୍ରେମୀଙ୍କ ସ୍ତ୍ରୀ ହେଇ ହିଁ ଜନ୍ମ ନେବାକୁ ଚାହିଁବି | ସୁହାସ ଚାଲିଯିବା ପରେ ମୋର ପ୍ରତିଟି ଦିନରେ ମୁଁ କେବେ ମୋ ଜୀବନକୁ ନେଇ ଅବଶୋଷ କରିନି | ବରଂ ପ୍ରତିଟି ଦିନ ମୁଁ ନିଜ ଜୀବନକୁ ନେଇ, ସୁହାସଙ୍କୁ ନେଇ, ତାଙ୍କ ବଳିଦାନକୁ ନେଇ ଗର୍ବ ଅନୁଭବ କରିଛି | ତେଣୁ ଦୟାକରି ମତେ ବିଚାରୀଟିଏ ବୋଲି ଭାବି ସୁହାସଙ୍କ ଦେଶପ୍ରେମର ଅପମାନ କର ନାହିଁ |
ବଡଭାଇ: ଭାଉଜ….
ସୁମନ: ହଁ ଭାଇ… ଆଉ ଗୋଟିଏ କଥା… ଜାଣିଛ… ତିତଲି ଏବେଠୁ ସ୍ଥିର କରିଛି ସେ ବଡ ହେଲେ ଆର୍ମିରେ ଯୋଗ ଦେବ | ତା’ ବାପାଙ୍କ ରାସ୍ତାରେ ଚାଲିବ | ଏବେ ତୁମେ କଣ କହିବ?
ବଡଭାଇ: ଭାଉଜ…
ସୁମନ: ହଁ ଭାଇ… ମୁଁ କଣ ତିତଲିକୁ ଏତେ ବଡ ପୁଣ୍ୟକାମରୁ ରୋକି ପାରିବି?
ବଡଭାଇ: ହେଲେ ଭାଉଜ…
ସୁମନ: ଦେଶପାଇଁ ଲଢ଼ିବା ଏକ ପୁଣ୍ୟକାମ | ସେଇ ଲୋକର ଜୀବନସାଥି ହେବା ବି ପୁଣ୍ୟର କଥା! ତୁମେ କାହିଁକି ମାୟାକୁ ଏଇ ପୁଣ୍ୟଫଳରୁ ବଂଚିତ କରୁଛ?
ବଡଭାଇ: କିନ୍ତୁ…
ସୁମନ: ମୋ କଥା ମାନ | କିଛି ନ ହେଲେ ସୁହାସଙ୍କ ସମ୍ମାନପାଇଁ ମାୟାଙ୍କ ବାହାଘରରେ ରାଜି ହେଇଯାଅ | ବୁଝିଲ?
ବଡଭାଇ: ହଁ!!!
ସୁମନ: ହଉ କିଏ ଜଣେ ଡାକୁଛି | ମୁଁ ରାତିରେ ତୁମକୁ ପୁଣି ଫୋନ କରିବି | ଆଶାକରେ ସେତେ ବେଳକୁ ସବୁକିଛି ଠିକ ହେଇ ଯାଇଥିବ | ହଉ ରଖିଲି | ବାଏ |
ବଡଭାଇ: ଠିକ ଅଛି | ବାଏ |
(ବଡଭାଇ ଫୋନ ରଖନ୍ତି ଆଉ ପରମ ଆଡ଼କୁ ଦେଖନ୍ତି | ତା’ପରେ ସେ ପାର୍ଥ ଆଉ ତା’ ପିଉସା ପିଉସୀ ବସିଥିବା ଜାଗାକୁ ଆସନ୍ତି)
ବଡଭାଇ: ଆଜ୍ଞା, ମୁଁ ଏଇ ବାହାଘର ପାଇଁ ରାଜି |
ପାର୍ଥର ପିଉସା: (ଖୁସି ହେଇ) ଆପଣ ସତ କହୁଛନ୍ତି?
ବଡଭାଇ: ହଁ |
ପରମ (ଖୁସିରେ) ସତରେ ଭାଇ?
ମାୟା ବି ଭାରି ଖୁସିହୁଏ | ପାର୍ଥ ଆଉ ମାୟା ପରସ୍ପରକୁ ଦେଖି ହସନ୍ତି |
ବଡଭାଇ: ଆଜ୍ଞା | ଏବେ ବୁଝି ପାରିଛି ଯେ ଆମ ମାୟା ପାଇଁ ପାର୍ଥଠୁ ଭଲ ପିଲା ମୁଁ ଖୋଜିଲେ ବି ପାଇବିନି |
ପାର୍ଥର ପିଉସୀ: ବହୁତ ଖୁସିର କଥା ଆଜ୍ଞା | ଯା ହଉ | ଆପଣ ରାଜି ହେଇଗଲେ |
ପାର୍ଥ: ଧନ୍ୟବାଦ ଭାଇ |
(ମାୟାକୁ ଦେଖେ | ମାୟା ଟିକେ ହସେ)
ପାର୍ଥର ପିଉସା: ଶଙ୍କର୍ଷଣ ବାବୁ ତ ରାଜି ହେଇଗଲେ | ଆମେ ଏଥର ଆସୁଛୁ |
ପରମ: ଚାଲିଯିବ?
ପାର୍ଥ: ହଁ | ଏତେ ରାତି ହେଲାଣି | ଆମେ ବାହାରିଯିବା ଦରକାର |
ବଡଭାଇ: ହଉ ତାହେଲେ | ତେବେ ଆଉଥରେ ଆସିବେ ନିଶ୍ଚିତ |
ପାର୍ଥର ପିଉସୀ: ହଁ | ମୋ ଭାଇ ଭାଉଜ ଦିଲ୍ଲୀରୁ ଆସିଲେ ଆମେ ସମସ୍ତେ ମିଶିକି ଆସିବୁ | ଏବେ ଆସୁଛୁ |
ପାର୍ଥ ସମସ୍ତଙ୍କଠୁ ବିଦାୟ ନେଇ ନିଜ ପିଉସୀ ପିଉସାଙ୍କ ସହ ଚାଲିଯାଏ |
***
ଦୃଶ୍ୟ ୨
ସ୍ଥାନ: ଡ୍ରଇଂରୁମ, ପାର୍ଥ ଗଲା ପରେ ସମସ୍ତେ ବସିଛନ୍ତି |
ମାୟା: (ବଡଭାଇଙ୍କୁ) ଭାଇ, ତମେ ମତେ ସତରେ କ୍ଷମା କରିଦେଲ?
ବଡଭାଇ: ବଡଭାଇ ହେଇଚି ମୁଁ! ସମସ୍ତଙ୍କୁ କ୍ଷମା କରିବା ଛଡା ମୋର ଆଉ ଗତି କାହିଁ?
ମାୟା: (ଦୁଇ ଜଣଙ୍କୁ ଚାହିଁ) ତୁମେମାନେ ମୋ ଉପରେ ରାଗିନ ତ?
ପରମ: ରାଗିଥିଲୁ | ହେଲେ ଏବେ ଆଉ ରାଗିନୁ |
ମାୟା: (ହସିଦେଇ) ଭାଇ… ମାୟା ବଡଭାଇଙ୍କୁ କୁଣ୍ଢାଏ | ବଡଭାଇ ବି ତାକୁ କୁଣ୍ଢେଇ ପକାନ୍ତି | ପରମ ବି ଆସି ସେମାନଙ୍କୁ କୁଣ୍ଢାଏ | ସମସ୍ତେ ସୋଫାରେ ବସନ୍ତି |
ମାୟା: ଆଚ୍ଛା, ମୁଁ ସେତେବେଳେ ଏତେ ଲୋକ ଥିଲେ, ମୁଁ ପଚାରି ପାରିଲିନି | ସାନ ଭାଉଜ କାହାନ୍ତି?
(ବଡଭାଇ ଆଉ ପରମ ପରସ୍ପରକୁ ଦେଖନ୍ତି)
ପରମ: ସେ ତାଙ୍କ ଘରକୁ ଯାଇଛି |
ମାୟା: ହଠାତ?
ବଡଭାଇ: ହଁ ଏମିତି କିଛି ହେଲା…
ମାୟା: କଣ ହେଲା କି?
ପରମ: ତୁ ତୋ ରୁମକୁ ଯା | ଲୁଗା ବଦଳେ | ସବୁ କୁହା ହବ ତତେ |
ବଡଭାଇ: ଏମିତିରେ ବି ପରମ ଏବେ ଶ୍ରୀୟାକୁ ଆଣିବାକୁ ବାହାରିଥିଲା |
ମାୟା ନିଜ ଲୁଗା ବଦଳିବାକୁ ନିଜ ରୁମ ଆଡକୁ ଯାଏ |
ଏତିକି ବେଳେ ପରମର ଫୋନ ବାଜେ | ସେ ଫୋନ ଦେଖେ |
ପରମ: (ବଡଭାଇଙ୍କୁ ଫୋନ ଦେଖେଇ) ଆରେ.. ବାପା ଫୋନ କରିଛନ୍ତି | (ଫୋନ ଉଠେଇ) ହେଲ ବାପା… ପ୍ରଣାମ |
ବରୁଣ: ପ୍ରଣାମ ପୁଅ | ଆଉ ସବୁ ଭଲ ତ? ଆଜି କର୍ଫ୍ୟୁ କେମିତି କଟିଲା ସେଇଆ ଜାଣିବା ପାଇଁ ଫୋନ କରିଥିଲି |
ସେପଟୁ ମାୟା ଆସେ |
ମାୟା (ବଡଭାଇଙ୍କୁ): ଭାଇ ମୋ ରୁମରେ ତାଲା ପଡିଛି | କାଇଁକି?
ବଡଭାଇ: ଓଃ ହଁ ହଁ! ଚାଲେ ମୁଁ ଖୋଲି ଦଉଚି!
ବଡଭାଇ ମାୟା ସାଙ୍ଗରେ ଚାଲିଯାନ୍ତି ଭିତରକୁ |
ପରମ (ଫୋନରେ) ହଁ ବାପା କଣ କହିଲେ?
ବରୁଣ: ମୁଁ ପଚାରୁଥିଲି ଆଜି କର୍ଫ୍ୟୁ କେମିତି କାଟିଲା!
ପରମ: ହଁ ବାପା… (ନିଜ ଅଂଟାକୁ ଆଉଁସି) ଭଲରେ କଟିଲା |
ବରୁଣ: ଭଲ କଥା! ଭାଇ ଆଉ ମାୟା? ଭଲ ଅଛନ୍ତି?
ପରମ: ଆଜ୍ଞା!
ବରୁଣ: ଆଉ ଶ୍ରୀୟା?
ପରମ: (ଟିକେ ଚମକି ପଡି) ଶ୍ରୀୟା??
ପରମ: ଶ୍ରୀୟା.. ମାନେ?
ବରୁଣ: (ବ୍ୟସ୍ତ ହେଇ) କାଇଁ କଣ ହେଲା? ସେ ଭଲ ଅଛି ତ? କାଲିଠୁ କଥା ହେଇନି ତା’ ସାଙ୍ଗେ | ତା’ ଫୋନ ବି ଲାଗୁନି!
ପରମ: ହଁ ହଁ | ସେ ଭଲ ଅଛି | ବାଥରୁମରେ ଅଛି |
ବରୁଣ: (ହସିଦେଇ) ଓହୋ!! ହଉ ହଉ ଠିକ ଅଛି | ସେ ଆସିଲେ କହିବ ମତେ ଫୋନ କରିବ |
ପରମ: ନିଶ୍ଚୟ ବାପା |
ବରୁଣ: ହଉ ରଖିଲି ତାହେଲେ |
ପରମ: ହଉ ବାପା | ପ୍ରଣାମ |
ପରମ ଫୋନ ରଖେ | ବଡଭାଇ କବାଟ ଖୋଲି ସେପଟୁ ଆସନ୍ତି |
ପରମ: (ବ୍ୟସ୍ତ ହେଇ) ଭାଇ, ଶ୍ରୀୟା ତାହେଲେ ସେଠି ନାହିଁ!
ବଡଭାଇ: (ଚମକି ପଡି) ସେଇଠି ନାହିଁ?
ମାୟା (ବ୍ୟସ୍ତ ହେଇ) ତାହେଲେ ଭାଉଜ କାହାନ୍ତି?
ପରମ: ଏଠି ତ ଆଉ କେହି ନାହାନ୍ତି ଯାହା ଘରକୁ ସେ ଯିବ |
ମାୟା: ତାହେଲେ ସେ କୁଆଡେ ଗଲେ?
ବଡଭାଇ: ପରମ, ତୁ ତାକୁ ଫୋନ ଲଗେଇଲୁ!
ପରମ ଶ୍ରୀୟାକୁ ଫୋନ ଲଗାଏ |
ପରମ: ନାଁ ଭାଇ, ତା ଫୋନ ଆଉଟ ଅଫ ରିଚ |
ବଡଭାଇ: ଆରେ, ତାହେଲେ କୋଉଠି ଖୋଜିବା ତାକୁ! ପୋଲିସ ପାଖକୁ ଯିବା?
ପରମ: ଆଗ ତା’ ସାଙ୍ଗ ଘରେ ଖୋଜିଦେବା |
ବଡଭାଇ: ହଉ ଠିକ ଅଛି | ଚାଲେ ମାୟାକୁ କହିବା ଆମେ ଯାଉଛେ ବୋଲି |
ଦୁହେଁ ମାୟା ରୁମ ଆଡକୁ ଯାଆନ୍ତି |
***
ଦୃଶ୍ୟ ୩
ସ୍ଥାନ: ମାୟାର ରୁମ | ବଡଭାଇ ରୁମର ତାଲା ଖୋଲିବା ପରେ ସେ ନିଜ ରୁମ ଖୋଲିବାକୁ ଚେଷ୍ଟା କରେ | ରୁମ ଭିତରୁ ବନ୍ଦ |
ମାୟା: ଏ କବାଟ କାଇଁ ଖୋଲୁନି? ଭିତରେ କିଏ?
ମାୟା: (ଜୋରରେ ପାଟି କରି) ଭାଇଇଇଇ, ଏ ରୁମ ଭିତରେ କିଏ?
(ବଡଭାଇ ଆଉ ପରମ ଦୌଡିକି ଆସନ୍ତି)
ପରମ ଜୋରରେ କବାଟ ବାଡାଏ | ସେତିକିବେଳେ କବାଟ ଖୋଲିଯାଏ | ମାୟା ରୁମରୁ ବାହାରି ଆସେ ଶ୍ରୀୟା)
ପରମ: ଶ୍ରୀୟା ତମେ?
ବଡଭାଇ: ତୁ ଏଇ ଘରେ ଥିଲୁ?
ପରମ: ତମେ ଏଇ ଭିତରେ ଥିଲ?
ଶ୍ରୀୟା: (ହସିକି) ଆଉ ତମେ କଣ ଭାବିଲ?
ପରମ: ମୁଁ ଭାବିଲି ତମେ ଯାଇଛ ତମ ଘରକୁ!
ଶ୍ରୀୟା: ମୁଁ ତ ସେତେବେଳେ ଯୋଉ ଘରକୁ ଫେରିଥିଲି ସେତେବେଳେ ହିଁ କହିଥିଲି ମୁଁ ଏଇ ଘରଛାଡି ଆଉ କୁଆଡେ ଯିବିନି | ତଥାପି ବୁଝିପାରିଲନି?
ପରମ: ତମେ ଏଇ ଭିତରେ ଥିଲ ଆଉ ଆମକୁ ଏତେ ହଇରାଣ କଲ?
ମାୟା (କିଛି ବୁଝି ନ ପାରି) କି ହଇରାଣ?
ପରମ: (ମାୟାକୁ) ରହ… ପରେ କହିବି |
ଶ୍ରୀୟା: ହେଲେ ମୁଁ ସବୁ ଶୁଣିଚି | ଏଇ ଡ୍ରଇଂରୁମରେ ବସି କଥା ହଉଥିଲ | ମୁଁ ଶୁଣିଚି କଣ କଣ ସଵୁ ହେଲା |
ବଡଭାଇ: ଶ୍ରୀୟା… ତୁ ଆମକୁ ଯାହା ଲକ୍ଷ୍ମୀଛଡା କଲୁ |
ପରମ ମାୟାର ରୁମ ଭିତରକୁ ପଶିଯାଏ |
ପରମ (ମୁଣ୍ଡରେ ହାତ ଦେଇ) ଭାଇ… ଏଇ ଦେଖ |
ବଡଭାଇ ମାୟାର ରୁମ ଭିତରକୁ ଯାଆନ୍ତି |
ବଡଭାଇ: ଏଁ, ଏସବୁ କଣ?
ପରମ: ଚା, ଚିନି, ଅମୁଲ ଡବା, ମିକଷ୍ଚର, ବିସ୍କୁଟ, ମୁଢି, ଚୁଡା, ସବୁ ଡବା ୟା ଭିତରେ?
ବଡଭାଇ: ଆରେ… ସେ ଏକ୍ସଟ୍ରା ସିଲିଣ୍ଡର ବି ଏଇ ଭିତରେ! ହେ ଭଗବାନ!!
ପରମ: ୟାକୁ ବି ବୋହିକି ଆଣିଛ? କେମିତି?
ଶ୍ରୀୟା: ଆମ ସିଲିଣ୍ଡରର ଚକବାଲା ସ୍ଟାଣ୍ଡ ଅଛି ବୋଲି ତମେ ବୋଧେ ଭୁଲି ଯାଇଛ | ସେଇଥିରେ ନେଇ ଆସିଲି |
ପରମ: (ବାଥରୁମକୁ ଯାଇ) ହେ ପ୍ରଭୁ!! ଆଉ ଭାଇ, ଏ ବାଥରୁମରେ ଦେଖ | ସବୁ ବାଲଟି ୟା ଭିତରେ | ସବୁଠି ଇଏ ପାଣି ଭର୍ତ୍ତି କରିକି ରଖିଛି | ଆଉ ଆମେ ଦିନସାରା ବିନା ପାଣିରେ |
ମାୟା: (ଚିଡିଯାଇ) ଆରେ କଣ ଚାଲିଛି ଏଠି କୁହ ମତେ!!
ବଡଭାଇ: କଣ ଆଉ କହିବୁ | ତୋ ସାନ ଭାଉଜ ଆମକୁ ପୁରା ଚବିଶ ଘଣ୍ଟା ଭୋକିଲା ରଖିଦେଲା |
ମାୟା (ଆଶ୍ଚର୍ଯ୍ୟ ହେଇ) ମାନେ?
ପରମ: ମାନେ ଖାଇବା ପିଇବା ଛାଡ… ମୁହଁ ଧୋଇବା ପାଇଁ ବି ପାଣି ମିଳିଲାନି ଆମକୁ |
ବଡଭାଇ: ଉପରୁ ପୁଣି ପୋଲିସ ମାଡ ବି ଖାଇଲୁ!
ପରମ: ଭାଇ, କଲି ମୁଁ ତୁମକୁ କହୁଥିଲି ମାୟାର ବାଥରୁମରେ ଦେଖିବାକୁ | ତମେ ଶୁଣିଲନି | ନହେଲେ କାଲିଠୁ ଧରା ପଡିଥାନ୍ତା ଶ୍ରୀୟା |
ମାୟା: ଏଠି ସବୁ ଖାଇବା ପିଇବା ଜିନିଷ ରଖି ଭାଉଜ ପୁରା ଦିନ ମଜା କରିଛନ୍ତି ତାହେଲେ |
ଶ୍ରୀୟା: ଆଉ ନହେଲେ କଣ? ଦିନସାରା ଏଗୁଡା ଖାଇଲି, ଶୋଇଲି ଆଉ ଲ୍ୟାପଟପରେ ଫିଲ୍ମ ଦେଖିଲି | କି ମଜାରେ ଗଲା ଦିନଟା!
ମାୟା: ତମେ ମଜା କଲ ସେମାନେ ଖଜା ଖାଇଲେ | ହେହେ!!
ପରମ: ଶ୍ରୀୟା! ଏ ତୁମେ କଣ କଲ?
ଶ୍ରୀୟା: ଭାଇ, ଭାରି ହଇରାଣ ହେଲେ ମୋ ପାଇଁ | ଦୟାକରି କ୍ଷମା କରିବେ |
ବଡଭାଇ: ନାଇଁ… ଠିକ ଅଛି | ଆମେ ଭୁଲ ବି ତ କରିଥିଲୁ | ତୁ ଆମକୁ ତା’ର ଠିକ ଦଣ୍ଡ ଦେଇଦେଲୁ |
ପରମ: ସେଇଟା ତ ଗୋଟେଆଡୁ ଠିକ |
ବଡଭାଇ: କାଳୁ… ଆମେ ବି ଶ୍ରୀୟାକୁ ଭୁଲ ମାଗିବା ଦରକାର |
ପରମ: ତମକୁ ଘରଛାଡି ଯିବାକୁ କହିବା ଆମର ଭୁଲ ଥିଲା ଶ୍ରୀୟା | କ୍ଷମା କର |
ମାୟା: ଏଁ.. ତମେମାନେ ଭାଉଜକୁ ଘର ଛାଡି ଯିବାକୁ କହିଲ? କେବେ ହେଲା ଏସବୁ? ଆଉ କାଇଁକି?
ବଡଭାଇ: ସବୁ ତୋରି ପାଇଁ!! ହଉ ଶ୍ରୀୟା, ଆମ ଭୁଲ ପାଇଁ ଆମକୁ କ୍ଷମା କରେ |
ଶ୍ରୀୟା: ଥାଉ ଭାଇ | ମୋ ପାଇଁ ବହୁତ କଷ୍ଟ ପାଇଲ ଦୁଇଭାଇ |
ବଡଭାଇ: ଆଉ ଭୁଲରେ ସୁଦ୍ଧା ଘରର ଲକ୍ଷ୍ମୀକୁ କେବେ ଘରଛାଡି ଯିବାକୁ କହିବୁନି |
ପରମ: ହଉ ଏବେ ସବୁ ଠିକ ହେଇଗଲା | ଏଣିକି ତ କିଛି ଖାଇବାକୁ ଦିଅ | ଭୋକରେ ଆଉ କଥା କହି ହଉନି |
ଶ୍ରୀୟା (ହସିକି): ହଉ ହଉ | ବଢିଆ ଝାଲ ମୁଢି ଗୋଳେଇଚି | ନିଅ | ଖାଇଦିଅ |
ବଡଭାଇ: ଦେ ଦେ | ଯାହା ଦଉଚୁ ଦେ | ପେଟର ଜ୍ୱାଳା ଶାନ୍ତ ହଉ |
ପରମ: ମତେ ବି ଦିଅ | ମତେ ବି ଦିଅ |
ବଡଭାଇ ଆଉ ପରମ ଖଟ ଉପରେ ଥିବା ଝାଲମୁଢି କଂସା ଉପରକୁ ଝାମ୍ପି ପଡନ୍ତି | ମାୟା ଆଉ ଶ୍ରୀୟା ତାଙ୍କୁ ଦେଖି ବହୁତ ହସନ୍ତି | (ଇତିଶ୍ରୀ ଜୀବନ ଏକ ମଣ୍ଡାପିଠା ଉପାଖ୍ୟାନ ସମ୍ପୂର୍ଣ)
ବହୁତ ଭଲ ହେଲା, ଏକା ସାଙ୍ଗରେ ସବୁ ପଢ଼ିପାରିବା ଏବେ ।
Thank you so much 🙂
mam. badhia heichi Story. ei story ku film kale bahut hit heba..
Thank you so much. 🙂
Happy ending story. Very well written.
Thank you so much 🙂
Waiting eagerly for your next post in yourquote…
Thank you. Will post soon. 🙂