ନାରୀ ଓ ସାମାଜିକ ଗଣମାଧ୍ୟମ

ଆଜିର ଶିକ୍ଷିତ ଓ ଆଧୁନିକ ସମାଜରେ ଖାଲି ପୁରୁଷ କାହିଁକି ଏମିତି ବହୁତ କମ ନାରୀ ମିଳିବେ ଯେଉଁମାନେ ସାମାଜିକ ଗଣମାଧ୍ୟମ ବ୍ୟବହାର କରନ୍ତି ନାହିଁ | ଅଧୁନା ସାମାଜିକ ଗଣମାଧ୍ୟମ ମନୁଷ୍ୟ ପାଇଁ ଏକ ବିଳାସ ନୁହେଁ ବରଂ ଏକ ଆବଶ୍ୟକତା ହେଇପଡିଛି | ଏପରିକି ବୟସ୍କା ନାରୀମାନେ ମଧ୍ୟ ସାମାଜିକ ଗଣମାଧ୍ୟମ ଦ୍ୱାରା ନିଜେ ପୁରୁଣା ବନ୍ଧୁମାନଙ୍କ ସହିତ ସଂଯୋଗ ସ୍ଥାପନା କରିବାରେ ସଫଳ ହେଉଛନ୍ତି | ଗତ କିଛି ବର୍ଷରେ ବରିଷ୍ଠ ନାଗରିକମାନେ ନିୟମିତ ଭାବେ ନିଜ ବିଦ୍ୟାଳୟ, ମହାବିଦ୍ୟାଳୟ ତଥା ବିଶ୍ୱବିଦ୍ୟାଳୟର ବନ୍ଧୁମାନଙ୍କ ସହିତ ପୁନର୍ମିଳନ ଉତ୍ସବ ପାଳନ କରୁଥିବାର ଶ୍ରେୟ ଏଇ ସାମାଜିକ ଗଣମାଧ୍ୟମକୁ ହିଁ ଦିଆ ଯାଇପାରେ |

ହ୍ଵାଟ୍ସଆପ, ଫେସବୁକ, ଇନ୍ସଟାଗ୍ରାମ , ଟ୍ୱିଟର ଏଇଭଳି ପ୍ରତିଟି ଗଣମାଧ୍ୟମ ହିଁ ଲୋକଙ୍କୁ ପରସ୍ପରର ନିକଟତର କରିପାରିଛି | ପୁଣି ସୋସିଆଲ ମିଡିଆର ବିପୁଳ ଲୋକପ୍ରିୟତା ହେତୁ ଲୋକଙ୍କର ବ୍ୟକ୍ତିଗତ କାହାଣୀ ତଥା ବିଭିନ୍ନ ସାମାଜିକ ଅଭିଯାନର ପ୍ରଚାର ପ୍ରସାର ହେଇଚି | #MeTooMovement, #BlackLivesMatter ଭଳି ଆନ୍ଦୋଳନ ସାମାଜିକ ଗଣମାଧ୍ୟମ ପାଇଁ ହିଁ ଲୋକଲୋଚନକୁ ଆସିପାରିଛି | ଆଗକାଳରେ ଏଭଳି ଆନ୍ଦୋଳନ ଲଢ଼ିବା ପାଇଁ ଲୋକଙ୍କୁ ରାଜରାସ୍ତାକୁ ଉଠିଆସିବାକୁ ପଡୁଥିଲା | ବର୍ତ୍ତମାନ ଏଇସବୁ ଆନ୍ଦୋଳନ ସୋସିଆଲ ମିଡିଆରେ ଚାଲିଛି ଏବଂ ଅନେକ ସମୟରେ ଏହା ସରକାର ତଥା ସମାଜର କ୍ଷମତାଶାଳୀ ଲୋକଙ୍କ ପାଖରେ ପହଂଚି ପାରୁଛି | ଏହି କାରଣରୁ ସାମାଜିକ ଗଣମାଧ୍ୟମର ମହତ୍ତ୍ୱକୁ ଏଡାଇ ଦିଆଯାଇନପାରେ |

ଆଜିର ସମାଜରେ ନାରୀମାନଙ୍କ ପାଇଁ ସାମାଜିଜ ଗଣମାଧ୍ୟମ ସଶକ୍ତିକରଣର ଏକ ସାଧନା କିନ୍ତୁ ଦୁଃଖର କଥା ଯେ ଏହା ନାରୀଙ୍କ ପାଇଁ ଏକ ଅତ୍ୟନ୍ତ ବିପଜ୍ଜନକ ସ୍ଥାନ ମଧ୍ୟ ହୋଇପାରେ | ଆଜି ନାରୀମାନଙ୍କୁ ବିଭିନ୍ନ ପ୍ରକାର ଟ୍ରୋଲିଙ୍ଗ, ଧମକ ଚମକ ଏବଂ ମାନସିକ ନିର୍ଯାତନାର ପ୍ରୟାସ ଦ୍ୱାରା ସୋସିଆଲ ମିଡିଆର ଅପବ୍ୟବହାର ହେବା କିଛି ନୂଆ କଥା ନୁହେଁ | ନାରୀମାନଙ୍କ ପ୍ରତି ଏହି ପ୍ରକାରର ବ୍ୟବହାରର ଅନେକ କାରଣ ରହିଥାଇପାରେ | କେତେବେଳେ ଏହାର କାରଣ ପୀଡିତା ସୋସିଆଲ ମିଡ଼ିଆରେ ରଖିଥିବା ତାଙ୍କ ନିଜସ୍ୱ ମତ ହେଇପାରେ ବା ସେ ଏକ ନିର୍ଦ୍ଧିଷ୍ଟ ଗୋଷ୍ଠୀର ସଦସ୍ୟ ହେଇଥିବାରୁ ଅନ୍ୟ ଏକ ଗୋଷ୍ଠୀ ତାଙ୍କୁ ଅପମାନ କରିପାରନ୍ତି | କିମ୍ବା ଅନେକ କ୍ଷେତ୍ରରେ ଏଇ ଭଳି ଅପମାନର କାରଣ କେବଳ ଏଇଆ ଯେ ସେ ଜଣେ “ନାରୀ” ଏବଂ ଏଭଳି ସର୍ବସାଧାରଣ ପ୍ଲାଟଫର୍ମରେ ସେ ନିଜ ମତ ରଖିବାର ସାହସ କରିଛନ୍ତି | ଜଣେ ନାରୀ ଯିଏ ନିଜର ମତ ରଖନ୍ତି ଏବଂ ତାକୁ ପ୍ରସାର କରିବାକୁ ସାହସ କରନ୍ତି ସେଇଭଳି ନାରୀଙ୍କୁ “ତାଙ୍କ ନିଜ ସ୍ଥାନ ଦେଖେଇବା”  ଏବଂ ତାଙ୍କୁ “ଚୁପ୍ କରେଇବା” ଲକ୍ଷ୍ୟରେ ମଧ୍ୟ ତାଙ୍କ ପଛରେ ଏଇ ପୁରୁଷପ୍ରଧାନ ସମାଜ ପଡିଯାଇଥାଏ | ବରିଷ୍ଠ ସାମ୍ବାଦିକା ନମିତା ଭଣ୍ଡାରୀ କୁହନ୍ତି- “ସୋସିଆଲ ମିଡିଆ ହେଉଛି ସମାଜର ଏକ ଦର୍ପଣ | ବାସ୍ତବ ଦୁନିଆରେ ମହିଳାମାନଙ୍କର କୌଣସି ମତାମତ ଥିବା ଆପଣ ଦେଖିବେ ନାହିଁ ଏବଂ ଯଦି ସେମାନେ ନିଜର କିଛି ମତାମତ ରଖନ୍ତି ତେବେ ସମାଜ ସାଧାରଣତଃ ତାଙ୍କ ମୁହଁ ବନ୍ଦ କରିଦିଏ | ଠିକ ସେମିତି ଯେତେବେଳେ ସେଇ ସମାନ ଲୋକ ସୋସିଆଲ ମିଡିଆକୁ ଆସନ୍ତି, ସେମାନେ ବର୍ଷ ବର୍ଷ ଧରି ଯାହା ଶିଖିଛନ୍ତି ତାହା ହିଁ କେବଳ ପୁନରାବୃତ୍ତି କରନ୍ତି ”|

୨୦୧୭ ମସିହାରେ କେରଳ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ସୁପରଷ୍ଟାର ତାଙ୍କ ସିନେମା ‘କଷବା’ ରେ ନାରୀକୁ ଅପମାନ ତଥା ଯୌନ ନିର୍ଯାତନା ଦେଲା ଭଳି କିଛି ସଂଳାପ କହିଥିଲେ | ଏହା ବିରୁଦ୍ଧରେ ସେଇ ଇଣ୍ଡଷ୍ଟ୍ରିର ଜଣେ ନାମୀ ଅଭିନେତ୍ରୀ ପାର୍ବତୀ ସୋସିଆଲ ମିଡ଼ିଆରେ ନିଜ ସ୍ୱର ଉତ୍ତୋଳନ କରିଥିଲେ | କିନ୍ତୁ ଦୁଃଖର କଥା ପାର୍ବତୀଙ୍କୁ ଏଥିପାଇଁ ଏହିଁ ପୁରୁଷ ପ୍ରଧାନ ସମାଜର ଅନେକ ଆକ୍ଷେପ ଓ ତିରସ୍କାର ସହିବାକୁ ପଡିଲା | ତାକୁ ଶହଶହ ହତ୍ୟା ଆଉ ବଳାତ୍କାରର ଧମକ ମିଳିଲା | ତେବେ କେବଳ ଜଣେ ବ୍ୟକ୍ତିକୁ ଏଥିପାଇଁ ଗିରାଙ୍ଗ କରାଯାଇପାରିଲା | ଯଦିଓ ତାଙ୍କୁ ହତ୍ୟା ଓ ବଳାତ୍କାର ଧମକ ଦେଇଥିବା ବ୍ୟକ୍ତିକୁ ପୋଲିସ ଜେଲରେ ରଖିଥିଲା ତେବେ ଲଜ୍ଜାର କଥା ଯେ ସେଇ ବ୍ୟକ୍ତିଟି ଜେଲରୁ ଆସିବା ପରେ ‘କଷବା’ ସିନେମାର ନିର୍ଦ୍ଦେଶକ ସେଇ ଅପରାଧୀକୁ ନିଜ ଅଫିସକୁ ନିମନ୍ତ୍ରଣ କରି ଆପ୍ୟାୟିତ ତଥା ସମ୍ମାନିତ କରିଥିଲେ |

ଖାଲି ଅଭିନେତ୍ରୀ ନୁହେଁ ନେତ୍ରୀ, ସମାଜ ସେବୀ, ସାମ୍ୱାଦିକା, ଡାକ୍ତର, ଓକିଲ, ଶିକ୍ଷୟିତ୍ରୀ, ଅଧ୍ୟାପିକା, ଇଞ୍ଜିନିଅର ସମସ୍ତଙ୍କୁ ସୋସିଆଲ ମିଡ଼ିଆରେ କେବେ ନା କେବେ ଏଇଭଳି ଅପମାନର ଶିକାର ହେବାକୁ ପଡେ | ଏହାର ଫଳସ୍ୱରୂପ ଅନେକ ମହିଳା ହୁଏତ ସୋସିଆଲ ମିଡ଼ିଆକୁ ଆସିବା ବନ୍ଦ କରିଦିଅନ୍ତି ଅଥବା ସାମାଜିକ ଗଣମାଧ୍ୟମରେ ନିଜ ନିଜ ମନକଥା ଲେଖିବା ବନ୍ଦ କରିଦିଅନ୍ତି | ସମାଜ ଭାବେ ଏହାହିଁ ହଉଚି ନାରୀକୁ ତା’ ଅସଲି ସ୍ଥାନ ଦେଖେଇବା ଏବଂ ଏଇଭଳି କରି ପୁରୁଷପ୍ରଧାନ ସମାଜ ନାରୀକୁ ତା’ ମୁହଁ ଖୋଲିବାରୁ ବଂଚିତ କରେ | କାହା ସହିତ ସାଂସ୍କୃତିକ, ନୈତିକ ବା ରାଜନୈତିକ ବା ମତ ନ ମିଶିଲେ ବା କାହାର କେଉଁ କଥାର ବିରୋଧ କଲେ ନାରୀଟିଏକୁ ସୋସିଆଲ ମିଡିଆରେ ଗଣ ଅପମାନ ବା ଗଣ ତିରସ୍କାରର ସାମ୍ନା କରିବାକୁ ପଡେ | ଥରେ ଥରେ ଜଣେ ଚୁପ ରହିଲେ ମଧ୍ୟ ତାକୁ ଚୁପ ରହୁଥିବାରୁ ଏବଂ ଅନ୍ୟର ଅନ୍ୟାୟକୁ ସମର୍ଥନ ନ କରୁଥିବାରୁ ଆକ୍ଷେପ ସହିବାକୁ ହୁଏ | ପୂର୍ବକାଳରେ ସ୍ତ୍ରୀଟିଏକୁ ଅପମାନ କରିବାକୁ ତାକୁ ଉଲଗ୍ନ କରି ଗାଁ ଦାଣ୍ଡରେ ବୁଲା ହଉଥିଲା | କିନ୍ତୁ ଆଜିକା ଯୁଗରେ ସାମାଜିକ ଗଣମାଧ୍ୟମ ପାଲଟିଛି ସେଇ ପୁରୁଣା ଗାଁ ଦାଣ୍ଡ ଆଉ ଏଇ ଡିଜିଟାଲ ଗାଁ ଦାଣ୍ଡରେ ସ୍ତ୍ରୀଟିଏର ବସ୍ତ୍ରହରଣ କରି ପୁରୁଷପ୍ରଧାନ ସମାଜ ସେଇ ସମାନ ଧରଣର ପୈଶାଚିକ ଆନନ୍ଦ ଅନୁଭବ କରେ |

ଶେଷରେ ମୁଁ କହିବାକୁ ଚାହେଁ ଯେ ସାମାଜିକ ଗଣମାଧ୍ୟମ ଉପରେ ସମସ୍ତଙ୍କର ଅଧିକାର ରହିଛି | ଏଣୁ ଆମର କର୍ତ୍ତବ୍ୟ ଯେ କିଭଳି ମହିଳାମାନେ ସୋସିଆଲ ମିଡିଆ ବ୍ୟବହାର ସମୟରେ ନିଜକୁ ସୁରକ୍ଷିତ ଅନୁଭବ କରିବେ | କିଭଳି ସେମାନେ ସାମାଜିକ ଗଣମାଧ୍ୟମକୁ ସାଧନ କରି ଏଇ ସମାଜକୁ ଆଉରି ଆଗକୁ ବଢେଇନେବେ | ଏଣୁ ଏ  ସାମାଜିକ ଗଣମାଧ୍ୟମ ମହିଳାମାନଙ୍କ ପାଇଁ ଶକ୍ତି ହେଉ ଦୁର୍ବଳତା ନୁହେଁ | ପୁନଶ୍ଚ ଆମକୁ ଏହା ମଧ୍ୟ ବୁଝିବାକୁ ପଡିବ ଯେ ଏଥିରେ ସରକାରଙ୍କର ମଧ୍ୟ ଏକ ବଡ ଭୂମିକା ରହିଛି। ଅଫଲାଇନରେ ସଂରକ୍ଷିତ ଥିବା ମାନବ ଅଧିକାର ନୀତିର ସ୍ୱୀକୃତି ଅନଲାଇନରେ ଥିବା ନାଗରିକମାନଙ୍କ ପାଇଁ ମଧ୍ୟ ସୁରକ୍ଷିତ ହେବା ଉଚିତ୍ | ପୁଣି ଆମ ଦେଶ ତଥା ଅନେକ ବିକାଶଶୀଳ ଦେଶର ନ୍ୟାୟ ବ୍ୟବସ୍ଥା ଏହିଭଳି ସାମାଜିକ ଗଣମାଧ୍ୟମରେ ମହିଳାଙ୍କ ପ୍ରତି ହେଉଥିବା ହିଂସା ବା ଅତ୍ୟାଚାରକୁ ପ୍ରକୃତ ହିଂସା ବା ଉତ୍ପୀଡନ ରୂପେ ଦେଖିବାରେ ବିଫଳ ହେଇଚି | ଏଣୁ ଏଥିପାଇଁ ମଧ୍ୟ ପ୍ରତ୍ୟେକ ଦେଶରେ ଏଥିପାଇଁ ଜାତୀୟ ସ୍ତରରେ ତଥା ରାଜ୍ୟ ସ୍ତରରେ ଜରୁରୀ ପଦକ୍ଷେପ ନେବାର ଆବଶ୍ୟକତା ଅଛି | (Pic Source: Google)

Leave a Reply