ଦୀପାବଳି ଓ ମୂଷାଲେଣ୍ଡି ଉପାଖ୍ୟାନ

ମୁଁ ଦୀପାବଳିର ବାଣଫୁଟାକୁ ନେଇ ଏତେଟା ଉତ୍ସାହିତ ନୁହେଁ I ବାୟୁ ପ୍ରଦୂଷଣ ଧ୍ୱନି ପ୍ରଦୂଷଣ ଏ ସବୁ କଥା ତ ଏଇ କିଛି ବର୍ଷ ହେଲା ଚାଲିଛି I ମତେ ସାନବେଳୁ ଢ଼ୋ ଢା ଶବ୍ଦ ଭଲ ଲାଗେନି । ଦୀପାବଳୀର ଦୀପ ଆଉ ରଙ୍ଗ ବିରଙ୍ଗି ମୁରୁଜରେ ମୁଁ ବେଶୀ ଖୁସି l ତେବେ ତା ବୋଲି ମୋ ଦୀପାବଳି କେବେ ଅନ୍ଧାରରେ ଯାଇନି । ମୁଁ ବି ବାଣ ଫୁଟାଏ । ତେବେ ବିନା ଶବ୍ଦର । ମତେ ଫୁଲଝରି ବହୁତ ଭଲ ଲାଗେ । ତାକୁ ଆମ କଳାହାଣ୍ଡିରେ କହୁ ଝିରଝିରି । ସବୁ ରଙ୍ଗର ଝିରଝିରି କିଣିକି ଆଣୁ ଆମେ । ଆଉ ତା ସାଙ୍ଗରେ ଆଣେ ଆଉ ଗୋଟିଏ ଜିନିଷ । ସେ ବାଣ ନୁହେଁ, କି ଫୁଲଝରି ନୁହେଁ । ସେ ହେଲା ହଜମୋଲା ସାଇଜ଼ର କଳାରଙ୍ଗର ଗୋଟେ ବଟିକା, ଓଷଦ ବଟିକା ଭଳି । ତାକୁ ବହୁତ ଲୋକ ସାପ ବାଣ ବି କୁହନ୍ତି । କିନ୍ତୁ ଆମେ କହୁ ମୂଷାଲେଣ୍ଡି । ସେଇ ବଟିକାଟିକୁ ଚଟାଣରେ ରଖି ତା ଉପରେ ନିଆଁ ଲଗେଇ ଦେଲେ ତା ଭିତରୁ ବାହାରି ଗୋଲ ଗୋଲ ଲମ୍ବା ଲମ୍ବା ସାପ ଭଳି ମୋଡି ମାଡିହେଇ ବାହାରି ଆସେ ମେଞ୍ଚେ ତଥାକଥିତ ମୂଷାଲେଣ୍ଡି । ଯେମିତି ମୂଷାର ପେଟ ଗୋଳମାଳ ହେଇଛି । କିଛି ଏପଟୁ ସେପଟୁ ଖାଇଛି । ହଇଜା ଭଳି କିଛି ହେଇଛି । ସେ ଯାହା ହଉ ସେଇ ମୂଷାଲେଣ୍ଡି ବାହାରିବା ପରେ ଯଦି ଆମେ ସେଇ ଜାଗାଟିକୁ ସଫା କରିଦେଉ । କିନ୍ତୁ ସେଇ ଜାଗାରେ ଗୋଟେ କଳା ହେଇ ଦାଗ ରହିଯାଏ । ସବୁ ଦିନ ପାଇଁ । ସେଇ ଦାଗଟି ପାଣି ସାବୁନ ଲାଇଜଲ ଏରିଏଲ କିଛିରେ ବି ଧୋଇଲେ ଛାଡେନି । ସେମିତି ରହିଯାଏ । ଥରେ ଥରେ ସେଇ ଦାଗ ପାଇଁ ଗାଳି ପଡେ। ପୁଣି ଚେଷ୍ଟା କରୁ ଦାଗ ହଟେଇବା ପାଇଁ। ଦାଗଟି ଆଉରି ଦାନ୍ତ ନେଫେଡ଼େଇ ହସେ। କିନ୍ତୁ ଯାଏନି। ଯେତେବେଳେ ବି ସେଇ ଦାଗଟିକୁ ଦେଖୁ ସେଇ ମୂଷାଲେଣ୍ଡି କଥା ମନେ ପଡେ । ଏବେ କିଛିବର୍ଷ ଧରି ମୂଷାଲେଣ୍ଡି ଆଉ କିଣା ହେଇନି। କିନ୍ତୁ ମୁଁ ଦେଖୁଛି ତା ବଜାରକୁ ଯିବା ବି କିଛି ଦରକାର ପଡୁନି।

ଆମ ଜୀବନରେ ଏଇ ମୂଷାଲେଣ୍ଡି ଅବସ୍ଥିତି ଯେମିତି ଆବହମାନ କାଳରୁ। ବିନା ଦୀପାବଳିରେ ବି ଆମର ମନର ବଟିକାରେ ଥରେ ଥରେ ନିଆଁ ଲାଗେ । ସେଇ ନିଆଁ ଲାଗିଲା ମାତ୍ରେ ଆମ ପାଟିରୁ ବାହାରେ ମେଞ୍ଚାମେଞ୍ଚା ମୂଷାଲେଣ୍ଡି । ସେଥିପାଇଁ ଇଂରାଜୀରେ ଗୋଟେ ଵାକ୍ୟାଂଶ ଅଛି “verbal diarrhea” ମାନେ “ମୌଖିକ ଅତିସାର ବା ପ୍ରବାହିକା” ଯେତେବେଳେ ପାଟିରୁ ଅନବରତ ଲେଣ୍ଡି ବାହାରେ । ସେଇ ଲେଣ୍ଡିର ବିଭିନ୍ନ ନାମକରଣ ହେଇଚି ଯେମିତି କି ରାଗ, ଗାଳି, ଭାଷା, ଶୋଧଣା ଇତ୍ୟାଦି ଇତ୍ୟାଦି। ମୁହଁକୁ ଯାହା ଆସିଲା ତାହା ଆମେ କହିଦେଉ । ଯାହା ମନ ଭିତରେ ଦବିକି ଥିଲା ସବୁ ଜିନିଷ ବାହାରକୁ ଆସିଯାଏ । ଆଉ ଯେତେବେଳେ ସବୁ ଲେଣ୍ଡି ବାହାରି ଆସେ ପୁଣି ମନଟି ଶାନ୍ତ ହେଇଯାଏ । ନିଜକୁ ଝାଡ଼ିଝୁଡି କି ସଫା କରି ଦିଏ । କିନ୍ତୁ ଯେତେବେଳେ ସେଇ ଲେଣ୍ଡି ସଫା ହେଇ ଯାଏ ଆଖିକୁ ଦିଶେ ଚଟାଣରେ ଗୋଟେ ଗଭୀର କଳାଦାଗ । ସାମ୍ନା ମଣିଷଟିର ମନର ଚଟାଣରେ । ପ୍ରିୟଜନଟିର ମନର ଚଟାଣରେ । ଭାବୁ, “ହଉ ଆଜି ଅଛି ଦାଗ। କାଲି ଚାଲି ଯିବନି??” କିନ୍ତୁ ସେଇ ଦାଗ ଲିଭିବା ମୁସ୍କିଲ । ଥରେ ଥରେ ସେଇ ଦାଗ ଲିଭିବା ଅସମ୍ଭବ ବି। କୋଉ ବି ପାଣି ସାବୁନ ତାକୁ ସଫା ନ କରିପାରେ। ଯେତେ ଭୁଲ ମାଗ, ଯେତେ ପଶ୍ଚାତାପ କର ସେଇ ଦାଗ ଯିବା କଷ୍ଟକର । ତା ଉପରେ ଧଳାରଙ୍ଗ ବୋଳା ହେଇ ଯାଇପାରେ, ନୂଆ କାର୍ପେଟ ପକେଇ ଦିଆ ଯାଇପାରେ କିନ୍ତୁ ସେଇ ରଙ୍ଗ ତଳେ, ସେଇ ଗାଲିଚା ତଳେ ଦେଖିହବ କିଟିକିଟି କଳାରଙ୍ଗ ।

ରାଗିବା କିଛି ଖରାପ ନୁହେଁ । ମଣିଷର ବିଭିନ୍ନ ଭାବନା ଭିତରୁ ସେ ଅନ୍ୟତମ। ଅନ୍ୟର ଭଲ ପାଇଁ କିଛି କହିବା ବି ଖରାପ ନୁହେଁ । ମନ ଭିତରର କଥା ଗୁଡିକୁ ବାହାରକୁ ଆଣିବା ବି କିଛି ଖରାପ ନୁହେଁ । କିନ୍ତୁ ମୂଷାଲେଣ୍ଡିକୁ ଭିନ୍ନ ସ୍ଥାନରେ ଜଳେଇବାର ବ୍ୟବସ୍ଥା କରାଯାଇପାରେ । ଏମିତି ଜାଗା ଖୋଜା ଯାଇପରେ ଯେଉଁଠି ଦାଗ ହବନି । ଏମିତି ଶବ୍ଦ ଖୋଜା ଯାଇପାରେ ଯେଉଁଟା ଆଉ ଗୋଟେ ମନକୁ ଭାଙ୍ଗିବନି । ଅନ୍ୟର ମନରେ ପୁଣି ନୂଆ ନିଆଁଟିଏ ଜଳେଇବନି । କଳାଦାଗଟିଏ ସାନ ଛୁଆଟିର ଗାଲରେ ଭଲ ଦେଖାଯାଏ କିନ୍ତୁ କାହା ମନରେ ନୁହେଁ । ତେଣୁ ହୁଏତ ମନରେ ନିଆଁ ଲାଗିବା ଆମ ହାତରେ ନ ଥାଇପାରେ କିନ୍ତୁ ସେଇ ମନର ନିଆଁକୁ କେତେବେଳେ ଲିଭେଇହବ ସେଇଟା ଆମ ହାତରେ । ସେ ନିଆଁ ଜାଳିବାର ପରିଣାମ କଣ ସେଇଟା ସବୁବେଳେ ଆମ ହାତରେ । ସେଇ ମୂଷାଲେଣ୍ଡି ଘରର ଶଙ୍ଖମଲମଲ ଚଟାଣକୁ କଳା କରିବ କି ନାହିଁ ସେଇଟା ବି ଆମ ହାତରେ।
ତେଣୁ ଆସନ୍ତୁ ଏଇ ପବିତ୍ର ଦୀପାବଳି ଅବସରରେ କିଛି ନୂଆ କରିବାକୁ ଚେଷ୍ଟା କରିବା। ପ୍ରୟାସ କରିବା ଅନ୍ୟର ହୃଦୟରେ ସ୍ନେହର ଆଲୋକ ଶିଖା ଜଳେଇବାକୁ, କ୍ରୋଧର ନିଆଁକୁ ଲିଭେଇ ପ୍ରେମର ନିଆଁରେ ଜଳିବାକୁ, ଅନ୍ୟ ଘରର ଅନ୍ଧାରକୁ ଦୂର କରିବାକୁ, ଅନ୍ୟକୁ ହସେଇ ନିଜେ ବି ଟିକେ ହସିବାକୁ। ଏମିତିରେ ଦୀପାବଳିର ମାନେ ବି ତ ସେଇଆ । ନୁହେଁ କି? ଏତିକି ସହ ସମସ୍ତଙ୍କୁ ମୋର ଶୁଭ ଦୀପାବଳି । 🙏🙏

Leave a Reply