ଦାନ

ପୁଅ ମୋର ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ ପୁରା ଓଡ଼ିଶାରେ ଦ୍ଵିତୀୟ ସ୍ଥାନ ଅଧିକାର କରିଛି। ଛାତି ମୋର ଆଜି କୁଣ୍ଢେମୋଟ। ମୁଁ ନିଜେ ଜଣେ ଓଡିଶା ପ୍ରଶାସନିକ ସେବାର ଜଣେ ଉଚ୍ଚପଦସ୍ଥ ଅଧିକାରୀ। ଆଉ ଆଜି ମୋ ପୁଅ ଓଏଏସ ହେଇ ଏଇ ଗୌରବ ଲାଭ କରିବା ନିତାନ୍ତ ଗର୍ବର ବିଷୟ। ପାଞ୍ଚକେଜି ମିଠା ନେଇ ଅଫିସରେ ପହଞ୍ଚିଲି। ଲୋକନାଥ ମିଠାବାକ୍ସଗୁଡା କାରରୁ ନେଇ ମୋ କେବିନରେ ରଖିଲା। “ସାର, ଆଜି କିଛି ଖୁସି ଖବର କି? ଏତେ ମିଠା?” ପଚାରିଲା ଲୋକନାଥ। ମୁଁ କହିଲି, “ହଁ ଲୋକନାଥ। ବହୁତ ବଡ଼ ଖୁସି ଖବର। ଅଫିସରେ ସମସ୍ତଙ୍କୁ ଆସିବାକୁ ଦିଅ। ମୁଁ କହିବି।” “ହଉ ସାର୍” କହି ତା’ ଦୁଇଧଡ଼ି ପାନଖିଆ ଦାନ୍ତ ଦେଖେଇ ହସିହସି ଲୋକନାଥ ମୋ କେବିନରୁ ବାହାରିଗଲା। ଲୋକନାଥ ଆମ ଅଫିସର ଚପରାଶି ହେଲେ ବି ମୋ ପାଖଲୋକ। ଟିକେ ଅଭାବୀ ମଣିଷ। ବଡ଼ ପରିବାର। ସେଥିପାଇଁ ମୁଁ ପାଞ୍ଚ ଦଶ ଦେଇ ତାକୁ ସବୁବେଳେ ଯଥାସାଧ୍ୟ ସାହାଯ୍ୟ କରେ। ଏତିକି ପଇସା ରୋଜଗାର କରୁଛି ମୁଁ କାହାପାଇଁ? ଗରୀବଲୋକଙ୍କ ହିତରେ ଟିକେ ଲାଗୁ। ସେଥିପାଇଁ ଲୋକନାଥର ମୋ ପାଇଁ ବେଶୀ ଆଦର, ବେଶୀ ସମ୍ମାନ। ତିନୋଟି ପାଠପଢ଼ୁଆ ଛୁଆ ତା’ର। ତା’ ବଡପୁଅ ଗତବର୍ଷ କଲେଜ ପାସ କଲା ନା କଣ ବୋଲି କହୁଥିଲା। ଠିକରେ ମନେନାହିଁ। ଆଜି କହିଦେବି ଭାବୁଛି ପୁଅଟାକୁ ଡ୍ରାଇଭର ଟ୍ରେନିଂ ଦେଇଦଉ। ମୁଁ ତାକୁ ମୋ ଡ୍ରାଇଭର କରି ରଖିନେବି। ଆଜିକାଲି ବିଶ୍ୱସ୍ତ ଡ୍ରାଇଭର କଉ ମିଳୁଛନ୍ତି। ତା’ ପୁଅ ବି କୂଳରେ ଲାଗିଯିବ। ମନେମନେ ବସି ଏୟା ଭାବୁଛି ଲୋକନାଥ ପୁଣି ମୋ ରୁମ ଭିତରେ ପଶିଲା। ମୁଁ ତାକୁ କିଛି କହିବା ପୂର୍ବରୁ ହାତରେ ଧରିଥିବା ଜରିମୁଣିରୁ ଟିଫିନବାକ୍ସଟିଏ କାଢିଲା। ଟିଫିନଟା ଖୋଲି ସେଥିରେ ଥିବା ରସଗୋଲାକୁ ମୋ ସାମ୍ନାରେ ଥୋଇ କହିଲା, “ସାର ଆପଣ ମୋ ଜଗନ୍ନାଥ। ଆଗ ଆପଣ ନିଅନ୍ତୁ।” ମୁଁ ରସଗୋଲାଟିଏ ମୁହଁକୁ ନଉନଉ ପଚାରିଲି, “କଥା କଣ ଲୋକନାଥ?” ଲୋକନାଥ ଲାଜେଇ ଲାଜେଇ କହିଲା, “ସାର, ସେ ଯଉ ଓଏଏସ ପରୀକ୍ଷା ହୁଏନି, ମୋ ବଡ଼ପୁଅ କୁଆଡେ ପୁରା ଓଡ଼ିଶାରେ ପ୍ରଥମ ହେଇଛି। ମୁଁ ତ ଜାଣି ବି ନଥିଲି ସେ ଏଇ ପରୀକ୍ଷା ଦେଇଛି ବୋଲି। ଆଜି ପରୀକ୍ଷାଫଳ ବାହାରିଛି। ଆପଣଙ୍କ ଅଯାଚିତ ଦାନ, ସାହାଯ୍ୟ ଆଉ ଆଶୀର୍ବାଦରେ ପୁଅ ମୋର ଆଜି ମଣିଷ ହେଇଛି। ସେ ଆସି ଆଜି ଦେଖା କରିବ ଆପଣଙ୍କୁ ସନ୍ଧ୍ୟାରେ।” ଲୋକନାଥ ଆଉ କଣ କଣ ସବୁ କହି ଯାଉଥିଲା ହେଲେ ମତେ କିଛି ଶୁଭୁନଥିଲା। ଭାବୁଥିଲି ମୁଁ ତ ନିଜେ ଲୋକନାଥକୁ ଦାନ ଦଉଥିଲି। ମୁଁ ତ ନିଜେ ତାକୁ ସାହାଯ୍ୟ କରୁଥିଲି। ମୁଁ ତ ନିଜେ ତା’ ପୁଅ କୂଳରେ ଲାଗିଯାଉ ବୋଲି ଚାଁହୁଥିଲି। ତାହେଲେ ଆଜି କାଇଁକି ମୁଁ ତା’ ଖୁସିରେ ଖୁସି ହେଇ ପାରୁନଥିଲି!! ଆଜି କାହିଁକି ଲୋକନାଥ ଦେଇଥିବା ସାଲେପୁର ରସଗୋଲାଟା ମତେ ମିଠା ନୁହେଁ ବରଂ ଏତେ ପାଣିଚିଆ ପାଣିଚିଆ ଲାଗୁଥିଲା!!!

4 Replies to “ଦାନ”

  1. Abhoy Prasad Dash says: Reply

    Nice.
    Story reflects the truth of human nature. I liked it.

    1. Thank u very much 🙂

  2. ଦାନରେ ସଦା ଖୁସି ମିଳେ, ହେଲେ କେବେ କେବେ ଏମିତିକା ଖୁସି ବି ଇର୍ଷାରେ ଭରିଦିଏ । ଇଏ ତ ଆମ ଦୁନିଆର ପରମ୍ପରା ।

  3. Ajaya Ku Sahoo says: Reply

    Jealousness of Officers for their subordinates…..

Leave a Reply