ଦଶହରା ଆଉ ମୁଁ

ପୃଥିବୀରେ ଯେତେ ଘର ସେତିକି ଭିନ୍ନ ଭିନ୍ନ ଘରକରଣା | ଗୋଟିଏ ପର୍ବ ହେଇପାରେ କିନ୍ତୁ ପାଳନ କରିବାର ତରିକା ଟିକେ ଭିନ୍ନ ହେଇଯାଏ | ସେଥିପାଇଁ ତା ସବୁ ଘର ନିଜ ଭିତରେ ଅଦ୍ଵିତୀୟ | ସବୁ ଘରର ନିଜସ୍ୱ ନୀତି ନିୟମ ଆଉ ସେଇଟା ହିଁ ପ୍ରତି ଘରକୁ ଏତେ ଭିନ୍ନ ଆଉ ସୁନ୍ଦର କରି ଗଢ଼ିତୋଳେ |

ମୋ ଘରେ ତିନିଟି ଜିଲ୍ଲାର ଚଳଣିର ଖେଚୁଡ଼ି ହେଉଥିଲା ଆଉ ମୁଁ ଥରେ ଥରେ ଭୁଲି ଯାଉଥିଲି ମୁଁ ପ୍ରକୃତରେ କୋଉ ଜିଲ୍ଲାର | ପୁରୀ, ମୟୁରଭଞ୍ଜ ଆଉ କଳାହାଣ୍ଡି: ପୂର୍ବ, ଉତ୍ତର ଆଉ ପଶ୍ଚିମ ଓଡ଼ିଶାର ଘଣ୍ଟା ତରକାରୀ ଥିଲା ମୋ ଘର ଆଉ ଘରର ଚଳଣି | ତେବେ ସବୁ ଓଡିଆ ଘରେ ବାରମାସରେ ତେର ପର୍ବ | ଆଉ ଘରେ ହଉଥିବା ସବୁ ପୂଜାପାର୍ବଣ ଭିତରୁ ମୋର ସବୁଠୁ ପ୍ରିୟ ଥିଲା ଦଶହରା ଦିନର ନୂଆଖାଇ | ସେଦିନ ଘରେ ସମସ୍ତେ ଏକାଠି ହଉଥିଲେ | ଦାଦା ଖୁଡି ଭଉଣୀ ଜେଜେମା ଆଉ ଅନ୍ୟମାନେ | ସେଦିନ ଘରର ସବୁ କବାଟ ଉପରେ, ଆଲମାରୀ ଆଉ ଫ୍ରିଜରେ ଚାଉଳ ସିନ୍ଦୁର | ସବୁ ସାଇକେଲ, ସ୍କୁଟର ଆଉ ବାଇକ ବି ଧୁଆ ହେଇ ପୂଜା ହଉଥିଲା ସେଇଦିନ | ସବୁ ଦିଶୁଥିଲା ଚକଚକ | ସବୁ ଗାଡ଼ିରେ ନାଲି କପଡା ଆଉ ସିନ୍ଦୁର | ଘର ଗାଡି ସବୁ ନୂଆବୋହୁ ଭଳି ଦିଶନ୍ତି |

ନୂଆଖାଇ ଦିନ ନାରାୟଣ ସେବାଠାରୁ ନର ସେବାରେ ବିଶ୍ୱାସ ରଖୁଥିବା ମୋ ବାପାଙ୍କୁ ବର୍ଷରେ ଗୋଟିଏ ଦିନ ପୂଜା କରିବାର ଆମେ ଦେଖୁଥିଲୁ | ଧୋତି ପିନ୍ଧିବାର ଦେଖୁଥିଲୁ | ସେଇଟା ଆମ ପାଇଁ ଗୋଟେ ମଜା ଥିଲା | ସାନଛୁଆଟେ ଭଳି ବୋଉକୁ ପଚାରି ପଚାରି ବାବା ଯେତେବେଳେ ପୂଜା କରୁଥିଲେ ମତେ ବହୁତ ହସ ଲାଗୁଥିଲା |

ପରବର୍ତ୍ତୀ ଆକର୍ଷଣ ଥିଲା ବୋଉ ହାତତିଆରି ସ୍ୱାଦିଷ୍ଟ ଚୁଡା ଚକଟା | ସମସ୍ତେ ଏକ ସାଙ୍ଗରେ ଖାଇବେ | ଆଗ ପୁଅ ପରେ ଝିଅମାନେ ସେମିତି ନୁହେଁ | ସମସ୍ତେ ଭୋଜି ଖାଇଲାଭଳି ବସୁଥିଲୁ | ଜଳଖିଆରେ ଚୁଡା ଦେଖି ନାକ ଟେକୁଥିବା ଆମେ ପିଲା ମାନଙ୍କୁ ସେଦିନର ସେଇ କଦଳୀ ଚିନି ଛେନା ଦହି ଆଉ ରସଗୋଲାଦେଇ ଚକଟା ହେଇଥିବା ଆଉ କଦଳୀ ପତ୍ରରେ ବଢ଼ାହେଇଥିବା ଚୁଡା ଯେ କାହିଁକି ଅମୃତ ଭଳି ଲାଗୁଥିଲା ସେଇଟା ଆଜିଯାଏଁ ମୁଁ ଭାବିହୁଏ | ମାଗିମାଗି ଖାଉ ସେଦିନ | ଭାବେ ସେଇଟା କାହାର ଯାଦୁ ଥିଲା ?? ଚୁଡାର? କଦଳୀ ପତ୍ରର? ନା ନୂଆଖାଇର ?

ସେଦିନ ଖାଇସାରି ସେଇ କଦଳୀ ପତ୍ରକୁ ଆମେ ନ ଫୋପାଡ଼ି ଅଗଣା ଛାତରେ ଖେଞ୍ଚି ଦେଉଥିଲୁ | କାରଣ କଣ ଜାଣିନି କି ପଚାରିନି | ଆପଣମାନେ ଜାଣିଥିଲେ କହିବେ | କିନ୍ତୁ ସେମିତି କରିବାକୁ ମଜା ଲାଗୁଥିଲା | ଆଜି ଭାବୁଛି ବୋଧେ ଚଢେଇଙ୍କ ପାଇଁ ଛାଡୁଥିଲୁ ସେଇଟା | ଆଉ ତାପରେ ଘରର ସବୁ ଗୁରୁଜନଙ୍କୁ ମୁଣ୍ଡିଆ ମାରୁଥିଲୁ | ସ୍ନେହ ଆଉ ଆଶୀର୍ବାଦ ଢାଳି ହେଇଯାଉଥିଲା ଆମ ଉପରେ | ବହୁତ ଭଲ ଲାଗୁଥିଲା ସେଇ ମୁହୂର୍ତ୍ତଗୁଡା | ସମସ୍ତଙ୍କ ମୁହଁ ହସହସ | ଦୁନିଆର ସବୁ ଦୁଃଖ ଯେମିତି ସେଇଦିନ ଆମ ଘର ଦୁଆର ମାଡ଼ନ୍ତିନି | ଭାଇ ଭଉଣୀ ନିଜ ନିଜ ଭିତରେ ଚିଡ଼ାଚିଡି ହଉଥିଲୁ, “ମତେ ମୁଣ୍ଡିଆ ମାରେ | ମୁଁ ବି ବଡ |”

ଦିନ ସରିଗଲା ପରେ ରାତିକୁ ଅପେକ୍ଷା ଥିଲା | ଭବାନୀପାଟଣାର ଗାନ୍ଧୀଛକରେ ରାବଣକୁ ପୋଡା ହଉଥିଲା | ସେଠି ରାବଣ ପୋଡି, ମେଳା, ଚାଟଖିଆ, ବେଲୁନକିଣା | କିନ୍ତୁ ରାବଣ ପୋଡି ଗଲାବେଳେ ମତେ କାଇଁକି କେଜାଣି ବହୁତ ଦୁଃଖ ଲାଗୁଥିଲା | ବିଚରା | ହଜାର ହଜାର ବର୍ଷ ପରେ ବି ନିଜର ପାପର ପ୍ରାୟଶ୍ଚିତ କରି ଚାଲିଛି | ଆମେ ବି କଣ ଏମିତି କରିବୁ ପ୍ରାୟଶ୍ଚିତ?? ନିଜ ପାପର?? ହଜାରବର୍ଷ ଧରି? କିଏ ଜାଣିଲା!!!

ଆଜି ବି ଏସବୁ ମନେପଡେ | ପୁରୁଣା ଦିନକୁ ମନ ଚାଲିଯାଏ | ସେତେବେଳେ ମଜା ଲାଗୁଥିଲା | କିନ୍ତୁ ଆଜି ଏଗୁଡା ଭାବିଲେ ଗର୍ବ ଅନୁଭବ ହୁଏ | ଏଇ ହିଁ ତା ଆମ ଓଡ଼ିଆ ସଂସ୍କୃତି ଆମ ଐତିହ୍ୟ | ୟାକୁ ଛାଡିଦେଲେ ଆଉ କଣ ଅଛି ଆମ ପାଖରେ? ଏଇ ଛୋଟ ଛୋଟ ରୀତି ନୀତି ହିଁ ତ ଆମକୁ ଓଡ଼ିଆ ହବାର ପରିଚୟ ଦିଏ | ଆଜି ଅଧାରୁ ଅଧିକ ଓଡ଼ିଆ ପିଲା ଓଡିଶା ବାହାରେ | କିନ୍ତୁ ସେଇ ଓଡିଶା ବାହାରେ ସେମାନେ ଓଡିଶାଟିଏ ତିଆରି କରନ୍ତି | ସେଇଥିରେ ଆମରି ଖୁସି | ଆମ ଘର ଆମ ଧୋତି ଆମ ଚୁଡା ଆମ ନୂଆଖାଇ ଆମ ପର୍ବ | ଆମ ଓଡ଼ିଆଙ୍କ ପାଇଁ ଏଇ ପର୍ବ | ଆଉ ଏଇ ପର୍ବ ପାଇଁ ଆମେ ଓଡ଼ିଆ | ଏଥି ସହିତ ଦଶହରାର ଅନେକ ଅନେକ ଶୁଭେଚ୍ଛା ଆଉ ଅଭିନନ୍ଦନ!!!

Leave a Reply