ତୁମେ ରବେ ନୀରବେ (You are in Silence, You are in Muse ❤️❤️)


ଅଧଲେଖା ଉପନ୍ୟାସରୁ ଫର୍ଦ୍ଦଟିଏ

ତୁମେ ରବେ ନୀରବେ
(You are in Silence, You are in Muse ❤️❤️)

[PS: This is NOT a new series. Just a glimpse. Hope you like it.]

ରିଚା ଭାବିଥିଲା ଘରେ ପହଞ୍ଚିଲା ଯାଏଁ ସାର୍ଥକ ସାଙ୍ଗେ ଆଉ ପାଟି ଫିଟେଇବନି। କିନ୍ତୁ ଦଶ ମିନିଟ ଯାଇଛି କି ନାହିଁ ତା ପେଟ ଭୋକରେ ଜୋରରେ କଁକଁ କଲା। ସେ ନିଜ ଘଡି ଦେଖିଲା। ଘରେ ପହଞ୍ଚିବାକୁ ଆଉରି ଦେଢ଼ଘଣ୍ଟା। ସେ ପାଞ୍ଚଟା ବେଳକୁ ଚା’ ପିଇ ବରା ଦୁଇଖଣ୍ତ ଖାଇଥିଲା। ତାପରେ କାମରେ ଏପଟ ସେପଟ ହେଇ ଆଉ ଭୋକ ମନେ ପଡିନଥିଲା। ଏବେ ପୁଣି ଏତେ ଜୋରରେ ଭୋକ ଲାଗିଲାଣି। ଦେଢ଼ଘଣ୍ଟା ସେ ଭୋକମାରି ରହିପାରିବ ତ? ସେ କିଛି ସମୟ ସେମିତି ନିଜ ପେଟକୁ ଚିପି ବସିରହିଲା। କିନ୍ତୁ ପାଞ୍ଚ ମିନିଟ ପରେ ତା ପେଟ ଭୋକରେ ଓଟାରି ହେଇଗଲା। ସେ ବାଧ୍ୟହେଇ ସାର୍ଥକ ଉଦ୍ଦେଶ୍ୟରେ କହିଲା, “ଆମେ ଆଉ କେତେବେଳ ପରେ ପହଞ୍ଚିବା?”

ତା’ କଥା ଶୁଣି ସାର୍ଥକ ନିଜ ଘଡି ଦେଖିଲା। ତାପରେ କହିଲା, “ଆଉ ଘଣ୍ଟେ କୋଡିଏ ମିନିଟ ଖଣ୍ଡେ ଲାଗିବ।”

“ଓହୋ, ହଉ” କହି ରିଚା ଝରକା ପଟୁ ବାହାରକୁ ଦେଖିଲା। ସାର୍ଥକ ବୋଧେ ଜାଣିପାରିଲା କି କଣ ପଚାରିଲା, “କଣ ହେଲା? କିଛି ଅସୁବିଧା ହେଲା କି?”

“ନାଇଁ କିଛି ଅସୁବିଧା ନାହିଁ ଯେ,”

“ଯେ ପୁଣି କଣ?” ସାର୍ଥକ ପଚାରିଲା ଆଉ ତାପରେ କିଛି ବୁଝି ପାରିଲାପରି କହିଲା, “ଓହୋ ରୁହ ରୁହ, ମୁଁ ଅନ୍ଧାର ଜାଗା ଦେଖି ଗାଡି ରଖୁଛି। ପ୍ଲିଜ ମୋ ଗାଡି ଭିତରେ କିଛି କରିବନି।”

“ଶଟ ଅପ୍, ୟୁ ଇଡିଅଟ! ମତେ ବହୁତ ଜୋରରେ ଭୋକ ଲାଗୁଚି। ମୋ ମୁଣ୍ଡ ବୁଲେଇ ହେଲାଣି ଭୋକରେ।”

“ଓଃ, ଏଇ କଥା! ମୁଁ ଭାବିଲି”…।”

“ଥାଉ ଏତେ ଭାବିବା କିଛି ଦରକାର ନାହିଁ,” ରାଗିକି କହିଲା ରିଚା।

“ହଉ ହଉ ମୁଁ କୋଉ ହୋଟେଲ ଦେଖି ଗାଡି ରଖୁଛି ତାହେଲେ। ଏତେ ଡେରି ହେଲାଣି। ମୁଁ ବି ତାହେଲେ ଖାଇନେବି ସେଠି” ହସି ହସି କହିଲା ସାର୍ଥକ।

କିଛି ସମୟ ଆଗକୁ ଗଲାପରେ ଗୋଟିଏ ଢ଼ାବା ପଡିଲା। “ଏଇଠି ରଖ, ଏଇଠି ରଖ।” କହିଲା ରିଚା।

“ଏଇଠି ଯଦି କୋଉ ମଦୁଆ ଟ୍ରକଵାଲା ତୁମକୁ ଉଠେଇନିଏ ମୁଁ କିନ୍ତୁ ଆରାମରେ ତମକୁ ଛାଡି ଘରକୁ ପଳେଇବି କହିଦଉଛି,” କହିଲା ସାର୍ଥକ।

“ଓହୋ କି ପିଲା ଇଏ। ମୁଣ୍ଡ ଖରାପ,” ମୁଣ୍ଡରେ ହାତଦେଇ ବସିଲା ରିଚା। କିଛି ସମୟ ପରେ ଗୋଟିଏ ହୋଟେଲ ଦିଶିଲା। ବାହାରେ ଦୁଇଟା ବଡ ଗାଡି ପାର୍କ ହେଇଥାଏ। ଗୋଟିଏ କାରରୁ ବାପାମା ଆଉ ଦୁଇଟି ଛୁଆ ଓହ୍ଲାଉଥାନ୍ତି। ସାର୍ଥକ ସେଇ ହୋଟେଲରେ ନେଇ ଗାଡି ପାର୍କ କଲା। “ଆସ ଏଇଠି କିଛି ଖାଇଦେବ,” ରିଚା ଆଡକୁ ଚାହିଁ କହିଲା ସାର୍ଥକ।

“ରିଚା ତା’ର କାନ୍ଧରେ ବ୍ୟାଗ ଓହଳେଇ ଗାଡିରୁ ବାହାରିଲା। ହୋଟେଲ ଭିତରେ ବେଶୀ ଭିଡ ନଥାଏ। କେବଳ ତିନି ଚାରୋଟି ଟେବୁଲରେ ଲୋକ ବସିଥାନ୍ତି। ସାର୍ଥକ ୱେଟରକୁ ଡାକିଲା।

“ତୁମେ କଣ ନବ?” ରିଚାକୁ ଚାହିଁ ପଚାରିଲା ସାର୍ଥକ।

“ଯାହା ବି ସାଙ୍ଗେ ସାଙ୍ଗେ ହବ। ମତେ ବହୁତ ଭୋକ।”

“ସାଙ୍ଗେସାଙ୍ଗେ କଣ ହବ ଭାଇ?” ସାର୍ଥକ ୱେଟରକୁ ଚାହିଁ ପଚାରିଲା।

“ସାର, ଅଣ୍ଡା ତଡକା ଆଉ ରୁଟି।”

“ହଁ ହଁ, ନେଇ ଆସ ଜଲଦି। ମୋର ଦୁଇଟା ରୁଟି,” ତରତର ହେଇ କହିଲା ରିଚା।

“ହଉ ନେଇ ଆସ, ପାଞ୍ଚଟା ରୁଟି ଆଉ ଦୁଇଟା ତଡକା।”

“ହଉ ସାର,” କହି ୱେଟର ଚାଲିଗଲା। ରିଚା ତା’ ପର୍ସରୁ ମୋବାଇଲ ବାହାରକଲା ଆଉ ଜେଜେମାକୁ ଫୋନ୍ ଲଗେଇଲା।

“ଜେଜେମା, ମତେ ଭୋକ ଲାଗୁଥିଲା। ଆମେ ଏଠି ଗୋଟେ ହୋଟେଲରେ ଖାଉଛୁ। ଖାଇକି ବାହାରିବୁ ଜଲଦି। ତମେ ଶୋଇପଡ। ମୁଁ ପହଞ୍ଚି କି ଚାବି ଖୋଲିନେବି।”

ତାପରେ ସେପଟୁ କିଛି ଶୁଣିସାରି ସାର୍ଥକକୁ ଦେଖି ରିଚା କହିଲା, “ମୁଁ କାଇଁକି ହଇରାଣ କରିବି କାହାକୁ ମ?” ଫେର୍ କହିଲା, “ହଁ ହଁ ସେ ବି ଖାଉଛି। ତମର ଏତେ ତା ପାଇଁ ଚିନ୍ତା କରିବା ଦରକାର ନାହିଁ। ଚୁପଚାପ୍ ଶୋଇପଡ ଏବେ।” ଏତିକି କହି ରିଚା ଫୋନ୍ କାଟିଦେଲା।

“ହୁଁ, ଦୁନିଆଲୋକଙ୍କ ଚିନ୍ତା ୟାଙ୍କୁ।”

“ମାଡ଼ମ, ଏଇ ଦୁନିଆଲୋକ ଆପଣଙ୍କୁ ଆଣିବାପାଇଁ ରାତି ଅଧରେ ଷାଠିଏ କିଲୋମିଟର ଗାଡି ଚଲେଇ ଆସିଛନ୍ତି।”

“ମୁଁ କହିଥିଲି କି ତମକୁ ଆସିବାପାଇଁ? ନିଜେ ଆସି ଏତେ ଫୁଟାଣି ଦେଖେଇବା କିଛି ଦରକାର ନାହିଁ,” ରିଚା କହିଲା।

“ବାସ୍ ପୁଣି ଆରମ୍ଭ ହେଇଗଲା। କେବେ କେବେ ନର୍ମାଲ ରହିବା ବି ଦେହପାଇଁ ଭଲ।”

“ହଁ ମୁଁ ପୁରା ନର୍ମାଲ। ତମେ ନିଜ କଥା ଚିନ୍ତା କର,” ରିଚା ଏତିକି କହୁକହୁ ଖାଇବା ଆସିଗଲା। ରିଚା ଆଉ କିଛି ନ କହି ଖାଇବାଥାଳିକୁ ଟାଣିନେଲା। କୁଆଡେ ନ ଅନେଇ ଖାଇବା ଆରମ୍ଭ କରିଦେଲା। ସାର୍ଥକ ତାକୁ କିଛି ସମୟ ଚାହିଁ ମନେମନେ ହସିଲା। ତାପରେ କହିଲା, “ନଅଙ୍କ ଦୁର୍ଭିକ୍ଷରେ ବି ଲୋକେ ଏମିତି ହଉ ନଥିବେ।” ରିଚା ତା’ କଥା ଶୁଣିଲା ହେଲେ କିଛି କହିଲାନି। ସାର୍ଥକ ଟିକେ ହସିଦେଇ ନିଜ ଖାଇବାରେ ମନ ଦେଲା।

ଖାଇସାରି ସାର୍ଥକ ନିଜ ପର୍ସ ବାହାର କଲାବେଳକୁ ରିଚା କହିଲା “ରୁହ, ପଇସା ମୁଁ ଦେବି।” ସେ ରିଚାକୁ କିଛି ପଚାରିବାକୁ ହିଁ ଯାଉଥିଲା ରିଚା କହିଲା, ” ମୁଁ ଖାଇବା ପଇସା ଦଉଚି। ତମେ ତ ବେକାରୀ ଲୋକ। କିଛି କାମଦାମ ନାହିଁ। ଘରେ ବସି କି କାମ କରୁଛ ସେଇଟା ବି ଅଧେ ଲୋକଙ୍କୁ ବୁଝାପଡୁନି। ପଇସା ଏବେକୁ ରଖିଥାଅ। ପରେ କାମରେ ଆସିବ।” ସାର୍ଥକ ଏମିତି କିଛି ଗୋଟେ ଉତ୍ତର ହିଁ ଆଶା କରୁଥିଲା ରିଚାଠୁ।

ସେ କହିଲା, “ଠିକ୍ ଅଛି। ଦିଅ ତମେ ପଇସା।” ତାପରେ ୱେଟରକୁ ଡାକି କହିଲା, ” ଭାଇ ମାଡାମଙ୍କୁ ବିଲ ଦିଅ।” ୱେଟର ବିଲ ଆଣିଆସି ସାର୍ଥକକୁ ଦେଲା। ସାର୍ଥକ ରିଚାକୁ ଦେଖେଇ କହିଲା, “ଏପଟେ ନୁହେଁ ସେପଟେ।” “ଓକେ ସାର” କହି ୱେଟର ରିଚାକୁ ବିଲ ଦେଲା। ରିଚା ପର୍ସରୁ ନିଜ କାର୍ଡକାଢି ୱେଟରକୁ ଦେଲା।

“ସରି ମାଡ଼ମ, କାର୍ଡ ନୁହେଁ, କ୍ୟାଶ ଦିଅନ୍ତୁ,” ୱେଟର କହିଲା।

“କ୍ୟାଶ କାହିଁକି। ଏବେ ତ ଛୋଟରୁ ଛୋଟ ହୋଟେଲରେ କାର୍ଡ ନେଉଛନ୍ତି, “ରିଚା ବ୍ୟସ୍ତ ହେଇ ଉତ୍ତର ଦେଲା।

“ହଁ, ମାଡମ, ଆମେ ବି ନେଉଁ। କିନ୍ତୁ ଆଜି ସର୍ଭର ସ୍ଲୋ ଅଛି। କିଛି କାର୍ଡ ନଉନି। ଆପଣ ପ୍ଲିଜ କ୍ୟାଶ ଦିଅନ୍ତୁ,” ୱେଟରଟି କହିଲା।

“ଆରେ ଇଏ କି କଥା! ଆପଣ ଥରେ ଟ୍ରାଏ ତ କରନ୍ତୁ,” ରିଚା କହିଲା।

“ନାଇଁ ମାଡ଼ମ, ଏବେ ହି ଜଣେ କଷ୍ଟମରଙ୍କ କାର୍ଡ ଟ୍ରାଏ କଲୁ। କିଛି ବି ହଉନି। ସନ୍ଧ୍ୟାବେଳୁ।” ସେତେବେଳକୁ ୱେଟରକୁ କିଏ ଜଣେ ଡାକିଲା। ୱେଟର ସେଇ ପଟକୁ ଚାଲିଗଲା।

ଏଥର ସ୍ୱାର୍ଥକ କହିଲା, “ଆରେ କ୍ୟାଶ ଦେଉ ଦଉନ। ଲେଟ ହଉଚି ପରା।”

ରିଚା ଥରେ ସାର୍ଥକକୁ ଚାହିଁ ବ୍ୟାଗରୁ ନିଜ ପର୍ସ କାଢିଲା। ପର୍ସରେ କେବଳ ଗୋଟିଏ ପଚାଶ ଟଙ୍କାଆ ନୋଟ ପଡିଛି। ବାକି ପଇସା ସକାଳେ ଖର୍ଚ୍ଚ ହେଇଯାଇଛି। ପ୍ରାୟ ସବୁ ତାର କାର୍ଡରେ ଚାଲେ। ଆଉ ସେ ତ ଭାବିଥିଲା ସନ୍ଧ୍ୟା ସୁଦ୍ଧା ଘରେ ପହଞ୍ଚିଯିବ। ଭାବିପାରିନି ଏଇ ମଝିରେ କ୍ୟାଶ ଦରକାର ପଡିପାରେ। ଓହୋ କି ଅବସ୍ଥାରେ ପଡ଼ିଲା ମଣିଷ! ଏବେ କଣ କରିବ ସେ?” ରିଚା ମୁଣ୍ଡଟେକି ସାର୍ଥକକୁ ଚାହିଁଲା।

“ଆରେ କଣ ଦେଖୁଛ। ଶୀଘ୍ର କ୍ୟାଶ ଦିଅ,” ସାର୍ଥକ କହିଲା।

“ମୋ ପାଖେ କ୍ୟାଶ ନାହିଁ,” ମୁଣ୍ଡ ତଳକୁ କରି ରିଚା କହିଲା।”

“କଣ? ଡାକ୍ତରାଣୀଙ୍କ ପାଖେ ଏତିକି ପଇସା ବି କ୍ୟାଶ ନାହିଁ?” ସାର୍ଥକ ନିଜ ହସକୁ ଚାପିରଖି ପଚାରିଲା।

“ନାଁ ନାହିଁ। କହିଲି ପରା,” ଚିଡିଯାଇ କହିଲା ରିଚା।

“ହା ହା ହା, ହଉ ମୁଁ ଦେଇ ଦଉଚି,” କହି ନିଜ ପର୍ସ ବାହାର କଲା ସାର୍ଥକ।

“ମୁଁ ଘରେ ପହଞ୍ଚି କି ଦେଇଦେବି ତମ ପଇସା,” କହିଲା ରିଚା।

ସାର୍ଥକ କିଛି ନ କହି ପଇସା କାଢିଲା ଆଉ ୱେଟରକୁ ଡାକିଲା। ୱେଟର ପଇସା ନେଇ ଗଲାପରେ ସାର୍ଥକ କହିଲା, “ଖାଲି ଏଇ ପଇସା ନୁହଁ ଏବେ ଯେଉଁ ଯିବା ଆସିବା ପାଇଁ ମୋ ଗାଡିର ପେଟ୍ରୋଲ ଖର୍ଚ୍ଚ ହେଲା ସେଇ ପଇସା ବି ଦରକାର ମୋର।”

“ହଁ ହଁ, ଦେଇ ଦେବି। ସବୁ ଦେଇଦେବି,” ବ୍ୟାଗକୁ କାନ୍ଧରେ ଗଳେଇ ନିଜ ଜାଗାରୁ ଉଠୁ ଉଠୁ ରିଚା କହିଲା।

“କେତେବେଳେ ଦବ? ଟାଇମ କୁହ। ମୋର ପଇସା ଦରକାର। ମୋ ପାଖରେ କାଲି ସକାଳେ ଖାଇବା ପାଇଁ ବି ପଇସା ନାହିଁ।” ରିଚା ପଛରେ ଚାଲୁଚାଲୁ ସାର୍ଥକ ପଚାରିଲା। ରିଚା ତାକୁ ରାଗିକି ଦେଖିଲା। ସେମାନେ ହୋଟେଲ ବାହାରକୁ ଆସି ଗାଡି ପାଖରେ ପହଞ୍ଚି ଯାଇଥିଲେ। “ଦେଇଦେବି ଦେଇଦେବି। କାଲି ସକାଳୁ ସକାଳୁ ଦେଇଦେବି,” ରିଚା ଗାଡ଼ିରେ ବସୁବସୁ କହିଲା। ସାର୍ଥକ କିଛି କହିଲାନି। ଖାଲି ଟିକେ ହସିଦେଇ ଗାଡ଼ିରେ ଷ୍ଟାର୍ଟ ଦେଲା । ଯାତ୍ରା ତ ଏଇମାତ୍ର ଆରମ୍ଭ ହେଲା।

One Reply to “ତୁମେ ରବେ ନୀରବେ (You are in Silence, You are in Muse ❤️❤️)”

  1. ରଘୁନାଥ ରେଡି says: Reply

    ଗପ ଅଧୁରା ରହିଗଲା।

Leave a Reply