ଡାହାଣୀ

ନବରଙ୍ଗପୁରର ଚନ୍ଦାହାଣ୍ଡି ବ୍ଲକକୁ ମୋର ବଦଳି ହେଇଥାଏ ପ୍ରୋଗ୍ରାମ ଅଫିସର ହିସାବରେ। ପାହାଡ଼ତଳି ଅଞ୍ଚଳରେ ବଣଜଙ୍ଗଲଘେରା ସୁନ୍ଦର ପରିବେଶରେ ବେଶ ଭଲରେ ଦିନଗୁଡା କଟିଯାଉଥାଏ।ସ୍ୱାମୀ, ପରିବାରକୁ ଦୂରରେ ଛାଡି ଆସିଥିବାର କଷ୍ଟ ମଧ୍ୟ ଭୁଲେଇ ଦେଇଥାଏ ଠିକାକାମବାଲୀ ଗପୁଡି ଫୁଲ। ସବୁଦିନ ସକାଳ ଆଉ ସନ୍ଧ୍ୟାରେ ଆସି ଘରକାମ କରିବା ସାଙ୍ଗେ ସାଙ୍ଗେ ପରିବାକଟା, ଅଟାଚକଟା ଆଦି କାମ ବି କରିଦେଇଯାଏ ସେ। ଭାରି ସ୍ନେହୀ ସେ ହେଲେ ଦୁଃଖିନୀଟିଏ। ଘରକୁ ଗଲେ ଆରମ୍ଭ ହେଇଯାଏ ସ୍ୱାମୀ ଆଉ ଶାଶୁର ନିର୍ଘାତ ମାଡଗାଳି। କିନ୍ତୁ ତା’ପର ଦିନ ସକାଳୁ ପୁଣି ସଜଫୁଲ ପରି ହସହସ ମୁହଁ ନେଇ କାମ କରିବାକୁ ଆସେ ଫୁଲ। ହଠାତ୍ ଦିନେ ଫୁଲ କାମକୁ ଆସିଲାନି। ମୁଁ ତିନିଦିନ ତାକୁ ଅପେକ୍ଷା କଲି। ହେଲେ ତା’ର ଦେଖାନଥିଲା। ଶେଷରେ ମୁଁ ମୋ ଅଫିସ୍ ପିଅନ ଦାମକୁ ପଚାରିଲି ଫୁଲ ବିଷୟରେ ଯେହେତୁ ଦାମ ହିଁ ମତେ ଜୁଟେଇ ଦେଇଥିଲା ଫୁଲକୁ। ଦାମ କାନ କୁଣ୍ଡେଇ କୁଣ୍ଡେଇ କହିଲା, “ମ୍ୟାଡ଼ମ, ଫୁଲକୁ ଡାହାଣୀ ଲାଗିଚି। ସମସ୍ତଙ୍କୁ ମାରି ଗୋଡାଉଛି। ତା’ ଅବସ୍ଥା ଖରାପ। ତାକୁ ପାଖ ଗାଁକୁ ନେଇକି ଯାଇଛନ୍ତି। ଗୁଣିଆ ପାଖକୁ।” ମୁଁ ଆଶ୍ଚର୍ଯ୍ୟ ହେଇଗଲି। ଏକବିଂଶ ଶତାବ୍ଦୀରେ ପୁଣି ଡାହାଣୀ?? ଫୁଲ ବିଷୟରେ ଭାବି ଭାରି ଖରାପ ଲାଗିଲା। କେବେ ଫେରିବ ଫୁଲ??!! ଫୁଲ ଆସିବାଯାଏଁ ତା’ ଜାଗାରେ ଦାମ ବାସନ୍ତୀକୁ ଠିକ କରିଦେଲା ମୋ ଘରେ କାମ କରିବାକୁ। ବାସନ୍ତୀ ସାଙ୍ଗରେ କଥା ହେଇ ଜାଣିଲି ଏମାନଙ୍କର ଖାଲି ନାଁ ଅଲଗା ଥାଏ ସିନା ହେଲେ କାହାଣୀ ସେଇ ଗୋଟାଏ। ସବୁଦିନ ଘରକୁ ଗଲେ ମଦୁଆସ୍ୱାମୀଠୁ ପ୍ରବଳମାଡ ଖାଏ ବାସନ୍ତୀ। ତା’ଠୁ ସବୁ ପଇସା ନେଇ ମଦ ଖାଇବାକୁ ଚାଲିଯାଏ ତା’ ସ୍ୱାମୀ। ଏ ସବୁ ଶୁଣି ଭାବୁଥିଲି କଣ ଏୟା ହିଁ ଗୋଟେ ନାରୀର ଭାଗ୍ୟ?? ଦିନସାରା କଠୋର ପରିଶ୍ରମ ଆଉ ରାତିରେ ନିର୍ଘାତମାଡ଼??!! ଠିକ୍ ସାତଦିନ ପରେ ଦିନେ ସନ୍ଧ୍ୟାରେ ମାଣିକ ବସି ପରିବା କାଟୁଛିି, ଫୁଲ ମୋ ଘରେ ଆସି ପହଞ୍ଚିଲା। ମୁଁ ତାକୁ ଦେଖି ଆଶ୍ଚର୍ଯ୍ୟ। ସେ ମତେ ଦେଖି କହିଲା, “ମାଆ, ମୁଁ ଏବେ ଭଲ ହେଇଗଲି। ଏଥରକ ସବୁଦିନ ଆସିବି”। ମୁଁ ତାକୁ ତା’ ଦେହ କଥା ପଚାରିଲି। ତା’ପରେ ପଚାରିଲି ତା’ ସ୍ବାମୀଶାଶୁ କଥା। ଫୁଲ ହସି ହସି କହିଲା, “ଜାଣିଛ ମା! ମତେ ଯୋଉଦିନଠୁ ଡାହାଣୀ ଧରିଛି ସେଇ ଦିନଠୁ ସେମାନେ ଆଉ ମୋ ପାଖ ମାଡ଼ୁନାହାନ୍ତି। ଡରିକି ଅଛନ୍ତି ପୁରା! ଆଉ ମୁଁ ପୁରା ମଜାରେ ଅଛି।” ବାସନ୍ତୀ ଆମ କଥାଗୁଡାପୁରା ପିଇଯାଉଥାଏ। ପନ୍ଦରଦିନ ପରେ ଶୁଣିଲି ବାସନ୍ତୀକୁ ଡାହାଣୀ ଲାଗିଚି। ଗାରଡେଇକି ଚାଁହୁଛି ସମସ୍ତଙ୍କୁ। ଦାନ୍ତରଗଡି ପାଗେଳୀଭଳି ହଉଛି। ମତେ ଏଇ କଥାଶୁଣି ଜମା ଆଶ୍ଚର୍ଯ୍ୟ ଲାଗିଲାନି। ଓଲଟି ଖୁସୀ ହେଲି। ଲାଗୁ ଆଉରି ଡାହାଣୀ ଲାଗୁ। ବୁଝିପାରିଥିଲି ସବୁ ଡାହାଣୀ ଆମର କ୍ଷତି କରନ୍ତିନି। କିଛି କିଛି ଡାହାଣୀ ଆମର ଉପକାରରେ ବି ଆସନ୍ତି। ଏବେ ଫୁଲ ଆଉ ବାସନ୍ତୀମାନଙ୍କ ମଦୁଆ ସ୍ୱାମୀଙ୍କୁ ଏଇ ଡାହାଣୀ ହିଁ ସାବାଡ଼ କରିବ। ଯେଉଁ ନାରୀ ନିର୍ଯ୍ୟାତନାକୁ ସରକାରୀ ନିୟମ ବି ବନ୍ଦ କରିପାରିଲାନି ତାକୁ ଏବେ ଏଇ ଡାହାଣୀ ହିଁ ବନ୍ଦ କରିବ!!!!

One Reply to “ଡାହାଣୀ”

  1. ପେଟେନ୍ ମେଡ଼ିସିନ୍ ଗପରେ ଯେମିତି ଝାଡ଼ୁ ପାହାର ଥିଲା, ଏଇଠି ସେମିତି ଡାହାଣୀ ରୂପୀ ଓଷଧି ଦରକାର ।
    ସମସ୍ତଙ୍କୁ ଏହିପରି ପଦ୍ଧତିମାନ ଆପଣେଇବାକୁ ପଡ଼ିବ ।

Leave a Reply