ଡାଲିରାଜା

ଛୋଟିଆ ହେଇ ପତଳାଝିଅଟିଏ ଇରୁ। ଏଡିକି କୁନି ଦିଶୁଛି ବୋଲି ତା’ ମମି ମନ ଭାରି ଦୁଃଖ। ଖାଇବାରେ ଇରୁର ବହୁତ ନଖରାମୀ। କିଛି ଖାଏନି ସେ। କ୍ଷୀର, ଫଳମୂଳ, ପନିପରିବା କିଛି ବି ନୁହଁ। ଆଉ ସବୁଠୁ ଖରାପ ଲାଗେ ତାକୁ ଡାଲି। ସେଇଟା ଦେଖିଲେ ତାକୁ ବାନ୍ତି ମାଡ଼େ।

ସେଦିନ ରାତିରେ ଇରୁ ଶୋଇଛି ହଠାତ୍ ତା’ ନିଦ ଭାଙ୍ଗିଗଲା। ମିନି କଉଠି ଗୋଟେ କାନ୍ଦୁଛି। ମିନି ହେଲା ତା’ କଣ୍ଢେଇ। ମିନି ତ ତା’ ପାଖରେ ଶୋଇଥିଲା। କୁଆଡେ ଗଲା। ଇରୁ ଦେଖିଲା ବାବାମମି ନିଘୋଡ଼ ନିଦରେ ଶୋଇଛନ୍ତି। ସେ ଚୁପକିନି ଖଟରୁ ଓହ୍ଲେଇ ମିନିକୁ ଖୋଜିବାକୁ ଚାଲିଗଲା। ଭଲରେ ଶୁଣିଲା କି ରୋଷେଇଘରେ ମିନି କାନ୍ଦୁଛି। ସେ ଧୀରେଧୀରେ ରୋଷେଇଘରେ ପହଞ୍ଚି ଦେଖିଲା ଗୋଟେ କଳା ଅସୁର। କଳା ଅସୁରର ବଡ଼ବଡ଼ ଚୁଟି। ଲମ୍ବା ଲମ୍ବା ନଖ। ବଡ଼ବଡ଼ ଦାନ୍ତ। ଆଖିଗୁଡା ନାଲିନାଲି। ଭୟଙ୍କର ଦିଶୁଛି। କଳା ଅସୁର ମିନିର ଚୁଟିକୁ ଧରିଛି। ମିନି କାନ୍ଦୁଛି।

ଇରୁକୁ ଦେଖି ମିନି କହିଲା, ଇରୁ, ଇରୁ! ମତେ ବଞ୍ଚା।” ଇରୁ ଦଉଡିଯାଇ ସେଇ କଳା ଅସୁର ହାତରୁ ମିନିକୁ ଟାଣିଲା। କହିଲା, “ଛାଡି ଦେ ଛାଡି ଦେ। ମୋ ମିନିକୁ ଛାଡେ।” କଳା ଅସୁର ହସିଲା। “ହା ହା ହା, ଛାଡିଦେବି?? କେବେ ନୁହେଁ। ତାକୁ ବି ନେବି ଆଉ ତତେ ବି ନେବି।” ଇରୁ ଆଉ କଣ କରିବ ଜାଣି ପାରିଲାନି। ସେ ଦଉଡି଼ଯାଇ କଳା ଅସୁରର ହାତକୁ ଚିମୁଟି ଦେଲା। କଳା ଅସୁର ରାଗିଯାଇ ତାକୁ ଠେଲିଦେଲା। ଇରୁ ତଳେ ପଡ଼ିଗଲା ଆଉ କାନ୍ଦିବାକୁ ଲାଗିଲା। ସେତିକି ବେଳକୁ ରୋଷେଇଘର ଥାକପାଖରୁ କିଏ ଗୋଟେ ସେମାନଙ୍କ ମଝିକୁ ଡେଇଁଲା। ହଠାତ ଦିନଭଳି ଆଲୁଅ ସବୁଆଡେ। ସମସ୍ତଙ୍କ ଆଖି କେମିତି ହେଇଗଲା। ଇରୁ ଦେଖିଲା ସାମ୍ନାରେ ଗୋଟେ ଲମ୍ବାହେଇ ସୁନେଲି ଜରିଲୁଗା ପିନ୍ଧା ଲୋକ। ମୁଣ୍ଡରେ ମୁକୁଟ। ଗୋଡ଼ରେ ହଳଦିଆ ଜୋତା। ହାତରେ ଗୋଟିଏ ସୁନାର ଖଣ୍ଡା। ତାଙ୍କୁ ଦେଖି କଳା ଅସୁର ଡରିଗଲା। ସିଏ କଳା ଅସୁରକୁ ଦେଖି କହିଲେ, “ଆରେ ତୁ ଆଜି ତାହେଲେ ଧରା ପଡ଼ିଚୁ।ତତେ ବହୁତ ଖୋଜୁଥିଲି। ଆଜି ପାନେ ପାଇବୁ। ଏତିକି କହି ସେ ଖଣ୍ଡାଟିକୁ କଳା ଅସୁରକୁ ଦେଖେଇଲେ। କଳା ଅସୁର ମିନିକୁ ଛାଡିଦେଲା ଆଉ ତାଙ୍କ ଗୋଡ ତଳେ ପଡି କହିଲା, “ମତେ କ୍ଷମା କରି ଦିଅନ୍ତୁ। ମୁଁ ଆଉ ଆସିବିନି ଏଠିକି।” ଏତିକି କହି ସେ ଝରକାପଟେ ଉଡିକି ବାହାରକୁ ଚାଲିଗଲା।

ଇରୁ ତାଳିମାରି ନାଚି ଉଠିଲା। ମିନିକୁ କୋଳକୁ ନେଇ ସେ ପଚାରିଲା, “ଅଙ୍କଲ, ତୁମେ କିଏ?” ଅଙ୍କଲ ଜଣକ କହିଲେ, “ମୁଁ ହେଲି ଡାଲିରାଜା।” “ଡାଲିରାଜା??” ଇରୁ ପଚାରିଲା। “ହଁ, ମୁଁ ତମ ଡାଲି ଡବାରେ ରୁହେ,” ଡାଲିରାଜା କହିଲେ। “ଓହୋ! କିନ୍ତୁ ଅଙ୍କଲ, ଏଇ ଅସୁରଟା କିଏ?,” ଇରୁ ପଚାରିଲା। ଡାଲିରାଜା ହସିଦେଇ କହିଲେ, “ଇଏ ହେଲା ଅପୁଷ୍ଟି ଅସୁର। ଯଉ ଛୁଆମାନେ ଡାଲିଭଳି ବଢିଆ ଜିନିଷ ଖାଆନ୍ତିନି ତାଙ୍କୁ ଏଇ ଅସୁର ନେଇଯାଏ। ସେମାନେ ଆଉ କେବେ ବଡ଼ ହୁଅନ୍ତିନି। ସେମିତି କୁନି ଆଉ ରୋଗୀଣା ହେଇରୁହନ୍ତି।” ଇରୁ ପଚାରିଲା, “ଅଙ୍କଲ, ସେ ଅସୁର କଣ ଆଉଥରେ ଆସିବ କି? ସେ ଆସିଲେ ମୁଁ କଣ କରିବି?” ଡାଲିରାଜା କହିଲେ, “ତମେ ଯଦି ଡାଲି ଖାଇବ ତାହେଲେ ମୋ ଭଳି ଡେଙ୍ଗା ଆଉ ବଳବାନ ହେଇଯିବ। ସେତେବେଳକୁ ତମେ ନିଜେ ସେଇ ଅସୁର ସାଙ୍ଗେ ଲଢ଼ିପାରିବ। ନହେଲେ ସେ ଆସି ତମକୁ ଆଉ ମିନିକୁ ନେଇଯିବ।” ଏତିକି କହି ଡାଲିରାଜା ଉଭେଇଗଲେ। ଆଉ ହଠାତ୍ ଇରୁର ନିଦ ଭାଙ୍ଗିଗଲା। ସେ ଦେଖିଲା ସେ ନିଜେ ଖଟରେ ଶୋଇଛି ଆଉ ମିନି ତା’ କୋଳରେ।

ପରଦିନ ଖାଇଲା ବେଳକୁ ଇରୁ ତା’ ମମିକୁ କହିଲା, “ମମି ଆଜି ମତେ ଦୁଇଗିନା ଡାଲି ଦବ। ମୁଁ ଖାଇବି ଆଉ ମିନି ବି।” ମମି ଖୁସି ଆଉ ଆଶ୍ଚର୍ଯ୍ୟରେ ଇରୁକୁ ଦେଖିଲେ। କହିଲେ, “ଆରେ ତୁ ପୁଣି ଡାଲି ଖାଇବୁ? କି କଥା ଶୁଣିଲି ଆଜି।” ମମି ଏତିକି କହି ଡାଲି ଆଣିବାକୁ ରୋଷେଇଘରକୁ ଚାଲିଗଲେ। ଇରୁ ପାଟିକରି କହିଲା, “ହଁ ଖାଇବି। ନହେଲେ ଅପୁଷ୍ଟି ଅସୁର ଆସି ଆସିକି ଆମକୁ ନେଇଯିବ।” ଆଉ ଏତିକି କହି ସେ କୋଳରେ ଥିବା ମିନିକୁ ଚାହିଁ ଆଖି ମାରିଲା। ମିନି ବି ହସିଦେଇ ଆଖିମିଟିକାଟିଏ ମାରିଦେଲା ତାକୁ।

 

Leave a Reply