ଟ୍ୟୁସନ ସାର

ଆଜିକା ଦୁନିଆରେ ବହୁତ କମ ଲୋକ ଥିବେ ଯେଉଁମାନେ ପିଲାବେଳେ ଟ୍ୟୁସନ ଯାଇ ନଥିବେ।ଆମ ସମୟରୁ ହିଁ ଟ୍ୟୁସନ ବିଳାସ ନୁହେଁ ଆବଶ୍ୟକତା ପାଲଟି ଯାଇଥିଲା। ସ୍କୁଲ ପରର ଟ୍ୟୁସନ ସମୟଟା ଯେମିତି ଖାଲି ପଢିବାକୁ ନୁହେଁ ମଉଜ ମଜଲିସର ବି ସମୟ ଥିଲା। ବଦମାସି କରିବାକୁ ଟ୍ୟୁସନରେ ସମୟ ମିଳୁଥିଲା ଆଉ ପୁଅଝିଅ ଦେଖାଦେଖି ହେଇ ହସିବାକୁ ବି। ସ୍କୁଲରୁ ଫେରି ଲୁଗା ବଦଳି କଣ ଟିକେ ମୁହଁରେ ଗୁଞ୍ଜି ଦେଇ ସାଇକେଲ ପେଡାଲ ମରାହଉଥିଲା ଟ୍ୟୁସନକୁ। ସେଇ ଟ୍ୟୁସନ ଯାଉଛି କହି କେତେ ଫିଲିମ ଦେଖା ହେଇଯାଇଥିବ ତା’ର ବି ଠିକଣା ନାହିଁ। ଗଣିତ, ବିଜ୍ଞାନ, ଇଂରାଜୀ ଆଉ ସଂସ୍କୃତ ଏଇ ଚାରିଟା ବିଷୟର ଟ୍ୟୁସନ ସାରଙ୍କର ଡିମାଣ୍ଡ ଆକାଶଛୁଆଁ ଥିଲା। ଫେମସ୍ ସାରମାନଙ୍କ ପାଖକୁ ଟ୍ୟୁସନ ଯିବାକୁ ପ୍ରତିଯୋଗିତା ଲାଗୁଥିଲା ପିଲାଙ୍କ ଭିତରେ ଆଉ ସାର ସାର ଭିତରେ ବି ଥିଲା ପ୍ରବଳ ପ୍ରତିଦ୍ବନ୍ଦିତା। ମଜାର କଥା ପିଲାମାନେ କେବେ ନିଜ ନିଜ ସ୍କୁଲର ସାରଙ୍କ ପାଖକୁ ଟ୍ୟୁସନ ଯାଉ ନଥିଲେ। ଗାଁ କନିଆ ସିଙ୍ଗାଣିନାକୀ କଥାଟି ବୋଧେ ସେତେବେଳେ ବି ପ୍ରଯୁଜ୍ୟ ଥିଲା। ସେ ଯାହା ହଉ ସତ କଥା ଏଇଆ ଯେ ନବମ ଦଶମର ଗଣିତ ଇଂରାଜୀ ସଂସ୍କୃତ ଆଉ ଏକାଦଶ ଦ୍ୱାଦଶର ବିଜ୍ଞାନ ସାରଙ୍କ ପାଇଁ ପିଲାଦିନଟା ଅଭୁଲା ହେଇ ରହିଯାଇଛି। କିନ୍ତୁ ଯାହା ଭୁଲି ଯାଇଛେ ସେଇ ଟ୍ୟୁସନ ସାରମାନଙ୍କୁ। ସ୍କୁଲ ସାରମାନଙ୍କ ସାଙ୍ଗରେ ତ ତଥାପି ଦେଖା ହେଇଯାଏ ସ୍କୁଲ ରି-ୟୁନିୟନରେ। କିନ୍ତୁ ପଛରେ ରହିଯାଆନ୍ତି ଆମର ସେଇ ଟ୍ୟୁସନ ସାରମାନେ, ଆମ ମନର ଇତିହାସର କେଉଁ ଏକ ଫର୍ଦ୍ଦତଳେ। ସାନବେଳେ ସବୁ ଗୁରୁ ଦିବସରେ ଚାନ୍ଦା କରି ତାଙ୍କୁ ଦାମୀ ପେନ କି ପେନଷ୍ଟାଣ୍ଡ ଦବାକୁ ଭୁଲୁ ନଥିବା କିନ୍ତୁ ସ୍କୁଲ କଲେଜ ଛାଡିଲା ପରେ ତାଙ୍କୁ ପୁରାପୁରି ଭୁଲି ଯାଇଥିବା ସେଇ ଟ୍ୟୁସନ ସାରମାନଙ୍କ ନାଁରେ ଆଜିକାର ଏଇ ଗୁରୁ ଦିବସ ବାର୍ତ୍ତା।

Leave a Reply