ଘରଠାରୁ ଦୂରେ ଆଉ ଗୋଟେ ଘର

ମୋର ଆଜି ବି କଲେଜ ଅଛି | ହଁ, ଠିକ୍ ଶୁଣିଲେ | ଦୁର୍ଗାଷ୍ଟମୀରେ ବି କଲେଜ | ଏଇଟା ଦକ୍ଷିଣ ଭାରତ | ଏଠି ପୂର୍ବାଞ୍ଚଳ ଭଳି ୧୫ ଦିନ ପୂଜାଛୁଟି ହୁଏନି | ମତେ ସେଥିପାଇଁ କେବଳ ଦୁଇଦିନ ପୂଜାଛୁଟି ମିଳିଛି | ତାପରେ ରବିବାର ଆଉ ବାପୁ ଜନମ ଦିନପାଇଁ ଆଉଟିକେ ଛୁଟି ମିଳିଯିବ | ତେବେ ପିଲାମାନେ ଆଉ କାଲିଯାଏଁ ଅପେକ୍ଷା କରିନାହାନ୍ତି | ଆଜି ଅଧାରୁ ଅଧିକ ପେଡି ପୁଟୁଳା ଧରି ଫେରାର | ଆଉ ଅଧେ ଆଜି ରାତି ଫେରାର ହେବେ। କିନ୍ତୁ କିଛି ଅଛନ୍ତି ଯେଉଁମାନେ ହଷ୍ଟେଲରେ ରହିଯିବେ ଏକୁଟିଆ; ପରବର୍ତ୍ତୀ ଚାରିଦିନ ପାଇଁ | ଆଉ ସେଇ ମାନଙ୍କ ପାଇଁ ମୋର ଆଜିର ଏଇ ଲେଖା | ଏଇ ପିଲାମାନଙ୍କ ଘର ଦୂରରେ | ଦିଲ୍ଲୀ, ବିହାର, ମଧ୍ୟପ୍ରଦେଶ ନହେଲେ ଓଡିଶା ପାଖାପାଖି କୌଣସି ଆନ୍ଧ୍ର ଗାଁ। ଯିବା ଆସିବାରେ ଦୁଇଦିନ ଚାଲିଯିବ ତାଙ୍କର | ତେଣୁ ତାଙ୍କର ଘରକୁ ଯିବାର ନାହିଁ |ହଷ୍ଟେଲରେ କଟେଇବେ ପୂଜାଛୁଟି | ଆଉ ସେଇ ପିଲାଙ୍କ କଥା ମତେ କିଛି ଦୁଃଖ ଦେଲା | “ବିଚରା ଛୁଆମାନେ ଏକୁଟିଆ ରହିବେ” | ତେବେ କଥାଟି ମତେ ନୂଆ ଲାଗିଲାନି | ଓଲଟା ତାଙ୍କ ସାଙ୍ଗରେ କଥା ହଉହଉ ମୁଁ ବି ଫେରିଗଲି ଆଠଦଶ ବର୍ଷ ତଳକୁ | ସେତେବେଳେ ଭୁବନେଶ୍ୱରରୁ ଭବାନୀପାଟଣାକୁ ବସରେ ଲାଗୁଥିଲା ମୋଟାମୋଟି ୧୨ ଘଣ୍ଟା। ଟ୍ରେନ ପଡିନଥିଲା ସେତେବେଳେ | ଆଉ ପଡ଼ିଥିଲେ ବି ବେଶି ସମୟ ଲାଗିଥାନ୍ତା କିନ୍ତୁ କମ୍ ନୁହେଁ | ଆଉ ଏତେ ଦୂରରୁ ଘରକୁ ଆସିଲେ କାହାକୁ ଦୁଇଦିନ ରହିବାକୁ ମନ ହୁଏ?? ପୁଣି ଆମେ ସବୁ “ତଣ୍ଡିପ” ଗୋଷ୍ଠୀ। କ୍ଲାସ ବି ମିସ୍ କରିବାର ନାହିଁ | ତେଣୁ କିଛି ଦୁଇ ଚାରିଦିନିଆ ଛୁଟି ପଡିଲେ ବାଣୀବିହାର ହଷ୍ଟେଲ ପ୍ରାୟ ଖାଲି ହେଇଯାଏ କିନ୍ତୁ ତଥାପି ସେଠି ପଛରେ ରହିଯାଉ କିଛି ଭବାନୀପାଟଣା, ରାଜଗାଙ୍ଗପୁର, ରାଉରକେଲା ପିଲା | ଛୁଟି ଆଗଦିନ ମନଦୁଃଖ ହୁଏ ପିଲାଙ୍କୁ ବ୍ୟାଗ୍ ଧରି ହସିହସି ହଷ୍ଟେଲରୁ ବାହାରିଯିବା ଦେଖିଲେ | ଭାବୁ ଆମ ଘର ବି ଏମିତି ପାଖରେ ଥାନ୍ତା କି!! ଯେବେ ଇଚ୍ଛା ସେବେ ଘରକୁ ଚାଲିଯାନ୍ତୁ | କିନ୍ତୁ ଧୀରେ ଧୀରେ ସମସ୍ତେ ଚାଲିଗଲା ପରେ ସେଇ ଶୁନଶାନ୍ ହଷ୍ଟେଲ କାଇଁ କେଜାଣି କେମିତି ଅଲଗା ଅଲଗା ଲାଗେ। ଆଉ ଅଲଗା ଅଲଗାରୁ ଧୀରେ ଧୀରେ ସେ ଲାଗେ ନିଜର ନିଜର | ଅନ୍ୟ ସମୟରେ ହଷ୍ଟେଲର ନ ଦେଖିଥିବା କୋଣ ଅନୁକୋଣ ଆମେ ଆବିଷ୍କାର କରୁ ଆଉ ସବୁ ଆବିଷ୍କାର ସାଙ୍ଗରେ ଯୋଡି ହେଇଯାଏ ନୂଆ ଗୋଟେ କାହାଣୀ | ସେଇ ଚାରିଦିନର ହଷ୍ଟେଲର ଶାନ୍ତ ପରିବେଶ, ସୌମ୍ୟ ବାତାବରଣ ଆମକୁ ଅନ୍ୟ କେଉଁ ଦୁନିଆରେ ପହଞ୍ଚେଇ ଦିଏ| ଯେଉଁ ହଷ୍ଟେଲକୁ ଏତେ ଗାଳି ଦେଉଥିଲୁ ସେଠି ରହିବାରେ ପୁଣି ଏତେ ମଜା?? ସବୁବେଳେ ରାଗିମାଗି ହେଉଥିବା ହଷ୍ଟେଲ ୱ|ଡେନ ନାନୀଙ୍କ ମନ ଭିତରର ଅକୁହା କଥା ସେତେବେଳେ ବାହାରେ | ହଷ୍ଟେଲ କିଚେନର ନନାଙ୍କ ଘରକଥା ଶୁଣୁ | ଥାଳିରେ ସେଦିନ ଗୋଟିଏ ଜାଗାରେ ଦୁଇଟି ଅଣ୍ଡା ପଡେ | ପଛରେ ଛାଡି ହେଇଯାଇଥିବା ସାଙ୍ଗମାନେ ପରସ୍ପରର ଆଉରି ନିକଟତର ଆସୁ ଆଉ ସମ୍ପର୍କ ହେଇଯାଏ ଆଉରି ନିବିଡ଼ | ଆଉ ସେତେବେଳେ ଲାଗେ ଆମେ ଏକୁଟିଆ ନୁହେଁ, ପରିବାର ଅଛି ସାଙ୍ଗରେ ସାଙ୍ଗରେ ଆଉ ଏଇ ହଷ୍ଟେଲ ଦେଇଛି ଘରଠାରୁ ଦୂରରେ ଆଉ ଗୋଟେ ଘର | ଛୁଟି ସରିଯିବାପରେ ମାଳମାଳ ହେଇ ଘରୁ ଫେରିଥିବା ପିଲାଗୁଡା ଆଖିକୁ ଲାଗନ୍ତି ଅପରିଚିତ | ତାଙ୍କର ଘରଫେରନ୍ତା କଳେରବ ସାଙ୍ଗରେ ନିଜକୁ ଖାପ ଖୁଏଇନବାକୁ ଆମ କାନକୁ ଲାଗିଯାଏ ଗୋଟିଏ ଦୁଇଦିନ | ଖୋଜିହଉ ଆମେ ସେଇ ଶାନ୍ତ ପରିବେଶ ଆଉ ନୀରବତା | କିନ୍ତୁ ତାପରେ ହେଇଯାଏ ସବୁକିଛି ଫେର ସହଜ। ଫେର ପରିଚିତ | ସେଇଟା ହିଁ ମଣିଷର ସବୁଠୁ ବଡ଼ ଭଲଗୁଣ ନୁହେଁ କି?? ସେ ସବୁ ପରିସ୍ଥିତିରେ ଧୀରେ ଧୀରେ ସହଜ ହେଇଯାଏ!!! ଆଶା କରୁଛି ପଛରେ ରହିଯାଇଥିବା ଏଇ ମୋର ଛାତ୍ରଛାତ୍ରୀମାନେ ବି ଏଇ ଛୁଟିରେ ହଷ୍ଟେଲକୁ ଏକ ନୂଆ ଦୃଷ୍ଟିରେ ଦେଖିବେ | ଏକ ନୂଆ ମାପଦଣ୍ଡରେ ତଉଲିବେ। ତା ସାଙ୍ଗରେ ବନ୍ଧୁତା କରିବେ | ତାକୁ ଆଉରି ଟିକେ ଭଲ ପାଇବେ ଆଉ ତା ଭିତରେ ଖୋଜିପାଇବେ ନୂଆ ଏକ ଘର ଆଉ ନୂଆ ଏକ ପରିବାର!! ଏଥି ସହ ମୁଁ ମୋ ଗପଟି ସାରୁଛି ଆଉ ଦଶହରାରେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ ଜ୍ଞାପନ କରୁଛି |

Leave a Reply