ଗଳ୍ପ କଥନ: ଏକ ମରିଯାଉଥିବା ପରମ୍ପରା

ସମଗ୍ର ବିଶ୍ୱର ଅନେକ ସଂସ୍କୃତିରେ ଗୋଟିଏ ବୃଦ୍ଧାଙ୍କ ଛବି ହେଉଛି ଏକ କଥାକାର ବା କାହାଣୀକାରର ସବୁଠାରୁ ଲୋକପ୍ରିୟ ଚିତ୍ର ପ୍ରତୀକ | ଯଦି ଏହାକୁ ଆମ ଭାରତୀୟ ପ୍ରସଙ୍ଗରେ ପ୍ରୟୋଗ କରାଯାଏ ତେବେ ଏହି ବୃଦ୍ଧାଙ୍କ ପ୍ରତୀକ ଭିତରେ ସମସ୍ତେ ନିଜ ଆଈ ବା ଜେଜେମା’ଙ୍କ ପ୍ରତିଛବିକୁ ପାଇପାରିବେ | ଏଇ ଆଈ ବା ଜେଜେମା ମାନେ ସେଇ ଯାଦୁକର ଥିଲେ ଯେଉଁମାନେ ନିଜ ଯାଦୁବାକ୍ସରୁ ବିଭିନ୍ନ ରକମର ପରୀ କାହାଣୀ ବାହାର କରି ମନୋରଞ୍ଜନ କରୁଥିଲେ ପିଲାମାନଙ୍କର | ମୁଁ ସମ୍ପୂର୍ଣ୍ଣ ନିଶ୍ଚିତ ଯେ ଆଜି ବି ଶୋଇବା ପୂର୍ବରୁ ଆମେ ସମସ୍ତେ ଆମର ଏକ ସୁନ୍ଦର ପିଲାଦିନର ସ୍ମୃତିକୁ ସ୍ମରଣ କରିବାକୁ ସକ୍ଷମ | ଆଜି ବି ମନେପଡେ ସେଇ କାହାଣୀଗୁଡିକ: ଲୋକକଥା, ରୂପକଥା,  ପୁରାଣ କଥା | ମନେପଡେ ରାଜକୁମାର, ରାଜକୁମାରୀ, ଯାଦୁଗର, ରାକ୍ଷସ ଏବଂ ଯୋଦ୍ଧାମାନଙ୍କର ଏକ ସୁନ୍ଦର ଦୁନିଆ | ଆଜି ବି ଗାଁକୁ ଗଲେ ମନେପଡେ ପିଲାଦିନର ସ୍ମୃତି | ସନ୍ଧ୍ୟାରେ ଆମେ ସବୁ ଭାଇ ଭଉଣୀ ସମ୍ପର୍କୀୟମାନେ ଏକାଠି ହେବା | ଅନ୍ଧାରରେ ଏକତ୍ରିତ ହେଇ ରାଜା ଏବଂ ରାଣୀ, ଭୂତ, ପ୍ରେତ, ଡାହାଣୀ, ଚିରୁଗୁଣୀଙ୍କ ଚିତ୍ତାକର୍ଷକ କାହାଣୀ ଶୁଣିବା

ଏହି ଗଳ୍ପ, ଏହି କାହାଣୀ ଏଇ ସବୁ ହିଁ ତ ହଉଚି ଆମ ଇତିହାସ | ଇତିହାସକୁ ବଞ୍ଚାଇବା, ଅତୀତକୁ ଜୀବନ୍ତ ରଖିବା ଏବଂ ଏକ ବର୍ତ୍ତମାନର ପରିବେଶରେ ନିଜର ସ୍ୱତନ୍ତ୍ର ପରିଚୟ ପ୍ରତିଷ୍ଠା କରିବା ପାଇଁ ଏହି କାହାଣୀଗୁଡିକ ଏକ ଗୁରୁତ୍ୱପୂର୍ଣ୍ଣ ଉପକରଣ ଭାବରେ କାର୍ଯ୍ୟ କରେ | ଆମ ପୁରାତନ ସଂସ୍କୃତି କାହାଣୀର ରୂପରେ ଏବଂ ମୌଖିକ ପରମ୍ପରା ମାଧ୍ୟମରେ ନିଜ ସ୍ୱର ଉତ୍ତୋଳନ କରେ ଯାହା ପ୍ରତ୍ୟେକ ପିଢ଼ି ପର୍ଯ୍ୟନ୍ତ ପହଂଚିବା ନିହାତି ଦରକାର | ଏହି ସବୁ କାହାଣୀ କହୁଥିବା କଥାକାରଟି ନିଜ ସଂସ୍କୃତି ଏବଂ ଏବଂ ଏକ ବୃହତ ସମାଜ ମଧ୍ୟରେ ଏକ ମାଧ୍ୟମ ଭାବରେ କାର୍ଯ୍ୟ କରେ | ଆଜି ବି ଯେତେବେଳେ ମୁଁ ପଛକୁ ଚାହେଁ, ମୁଁ ଏହି ସମସ୍ତ କାହାଣୀକୁ ନିଜ ଜୀବନରେ ଅନୁଭବ କରେ ଏବଂ ଏହି କାହାଣୀ ଗୁଡିକ ମତେ ଅନେକ ପ୍ରକାରର ଶିକ୍ଷା ଏବଂ ପ୍ରେରଣା ଦିଏ |

ଲୋକକଥା, ଲୌକିକ ରୀତିନୀତି, ଲୋକଗୀତ ଏବଂ ଲୋକନୃତ୍ୟ ଗଳ୍ପକଥନ ଏବଂ ମୌଖିକ ପରମ୍ପରା ଦ୍ୱାରା ନିଜକୁ ପ୍ରସାରିତ କରିଥାଏ | ଏହି ଗଳ୍ପକଥନ ଦ୍ୱାରା ଇତିହାସ ଏବଂ ବର୍ତ୍ତମାନ, ସ୍ବପ୍ନ ଏବଂ ବାସ୍ତବତା, ସତ୍ୟ ଏବଂ କଳ୍ପନା ମଧ୍ୟରେ ବୁଝାମଣା ସୃଷ୍ଟି ହେଇଥାଏ | ମୌଖିକ ପରମ୍ପରା ମାଧ୍ୟମରେ ସଂସ୍କୃତି ବଞ୍ଚିଥାଏ ଏବଂ ଗୋଟିଏ ପିଢ଼ିରୁ ଆଉ ଗୋଟିଏ ପିଢ଼ି ପର୍ଯ୍ୟନ୍ତ ପହଂଚିଥାଏ | ପ୍ରାଚୀନ ସଂସ୍କୃତି ଏବଂ ପରମ୍ପରାର ଅସ୍ତିତ୍ବ ପାଇଁ ଗଳ୍ପକଥନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ ଏବଂ ଆମ ସଂସ୍କୃତିକୁ ଜାରିରଖିବା ପାଇଁ ମୌଖିକ ପରମ୍ପରା  ଉପରେ ଆମେ ଯଥେଷ୍ଟ ନିର୍ଭରଶୀଳ |

ମୁଁ ହୃଦୟଙ୍ଗମ କଲି ଯେ ଏହିସବୁ ଗଳ୍ପକଥନ ଯାହା ଆମକୁ ଆଶା ଦିଏ କିମ୍ବା ଜୀବନ ବିଷୟରେ ଶିକ୍ଷା ଦିଏ ସେ ଆଜିକାଲି ଏକ ପ୍ରକାର କ୍ଷୀଣ ହୋଇଯାଉଛି ଏବଂ ଏହା ଉପରେ ଚର୍ଚ୍ଚା କରିବା ନିହାତି ଜରୁରୀ | ଦୁର୍ଭାଗ୍ୟବଶତଃ ଆଜିକା ପିଢୀର ଟେଲିଭିଜନ, ଇଣ୍ଟରନେଟ୍ ଏବଂ ସୋସିଆଲ୍ ମିଡିଆ ନିଶା ଯୋଗୁଁ କାହାଣୀ କହିବାର କଳା ଏକପ୍ରକାର ବିଲୁପ୍ତ ପ୍ରାୟ ହୋଇଯାଇଛି | ପିଲା ତଥା ବୟସ୍କ ମାନଙ୍କ ପସନ୍ଦ ବଦଳି ଯାଇଚି | ପିତାମାତାମାନେ ଫେସବୁକ୍, ହ୍ଵାଟ୍ସଆପ, ଟ୍ୱିଟର ଏବେମ ଇନଷ୍ଟାଗ୍ରାମରେ ବ୍ୟସ୍ତ | ସେମାନେ କ୍ୱଚିତ୍ ହିଁ ନିଜ ପିଲାମାନଙ୍କୁ କାହାଣୀ କହିବା କିମ୍ବା କାହାଣୀ ପଢିବା ପାଇଁ ସମୟ ପାଆନ୍ତି |

ନିକଟରେ ମୁଁ ଏକ ଛୋଟ ପିଲାକୁ ତା’ ମା’ଙ୍କ ଠାରୁ କିଛି କାହାଣୀ ଶିଖିକି ଆସିବାକୁ କହିଲି | ଏହାର ଉତ୍ତରରେ ପିଲାଟି କହିଲା- “ମାଙ୍କୁ କିଛି ବି କାହାଣୀ ଜଣା ନାହିଁ | ସେ ମତେ କଣ ଶିଖେଇବେ?” ପିଲାଟିର କଥାଟି ଶୁଣି ମତେ ଆଶ୍ଚର୍ଯ୍ୟ ଲାଗିଲା କାରଣ କିଛି ଦିନ ପୂର୍ବରୁ ପିଲାଟିର ମା’ ମୋ ଆଗରେ କନ୍ଦାକଟା କରୁଥିଲେ | କହୁଥିଲେ ଯେ ତାଙ୍କ ପୁଅ ସ୍କୁଲରେ ଗଳ୍ପକଥନ ପ୍ରତିଯୋଗିତାରେ ଭାଗ ନେଇଥିଲା କିନ୍ତୁ କିଛି ପୁରସ୍କାର ପାଇଲା ନାହିଁ | ମୁଁ ଏବେ ଭାବୁଥିଲି ଆମେ ନିଜେ ହିଁ ତ ଆମ ପିଲାମାନଙ୍କ ପାଇଁ ଉଦାହରଣ ସଦୃଶ ଆଉ ସେମାନେ ହିଁ ଆମର ପ୍ରକୃତ ଦର୍ପଣ ନୁହଁନ୍ତି କି? ଆମେ ଜୀବନରେ ଯାହା କରିବା ଆମ ପିଲା ବି ଆମକୁ ଅନୁସରଣ କରିବେ | ତେବେ ଆମକୁ ଯଦି ଗପ ଜଣା ନାହିଁ ଆମେ କେମିତି ପିଲାଂକଠୁ ଆଶା କରିବା ଯେ ସେମାନେ କାହାଣୀରେ ଧୁରନ୍ଧର ହୁଅନ୍ତୁ |ବର୍ତ୍ତମାନ ଏକାନ୍ନବର୍ତ୍ତୀ ପରିବାରର ଆଦର ହେତୁ ଯୌଥ ପରିବାର ଭାଙ୍ଗିଯାଇଛି | ପିଲାମାନଙ୍କ ପାଖରେ ଆଉ ସୁଯୋଗ ନାହିଁ ଯେ ସେମାନେ ନିଜ ଅଜା ଆଈ ବା ଜେଜେବାପା ଜେଜେମାଙ୍କର ଦ୍ୱାରା ତିଆରି ସେଇ ଚମତ୍କାର କାହାଣୀର ମାୟାବୀ ଦୁନିଆକୁ ଯାଇପାରିବେ ନାହିଁ |

ତେଣୁ ଏହା ହିଁ ହେଉଛି ଉଚିତ ସମୟର ଯେତେବେଳେ ଆମେ ଗଲ୍ପକାର ମାନଙ୍କୁ ପୁଣି ଫେରେଇ ଆଣିବା | କାହାଣୀ ଏବଂ ମୋୖଖିକ ପରମ୍ପରାକୁ ଆମ ସାମ୍ପ୍ରତିକୀ ଜୀବନଶୈଳୀର ପରିଧିକୁ ଫେରେଇ ଆଣିବା | ଚାଲନ୍ତୁ ଆମେ ଆମ ପିଲାମାନଙ୍କୁ କାହାଣୀ କହିବା ଏବଂ ସେମାନଙ୍କୁ କହିବା ଆମକୁ କାହାଣୀ କହିବା | ଚାଲନ୍ତୁ ସେମାନଙ୍କ ପାଇଁ ଆମେ କାହାଣୀ ପଢିବା ଏବଂ ସେମାନଙ୍କୁ କହିବା ଆମପାଇଁ କାହାଣୀ ପଢିବା ନିମନ୍ତେ | ଆମକୁ ମନେ ରଖିବାକୁ ହେବ ଯେ ଆମର ବର୍ତ୍ତମାନର ପିଢ଼ି ହିଁ ହେଉଛି ଅତୀତ ଏବଂ ଭବିଷ୍ୟତ ମଧ୍ୟରେ ଏକମାତ୍ର ସୂତ୍ର | ଯଦି ଆମେ ଆମର ଲୋକକଥା,ଆମ ଗଳ୍ପ ଓ କାହାଣୀ, ଆମ ଗଲ୍ପକାର ଓ କାହାଣୀକାରଙ୍କୁ ବଂଚେଇ ରଖିପାରିବୁ ନାହିଁ ତେବେ ଆମର ପିତୃପୁରୁଷ କିମ୍ବା ଆମର ଆଗାମୀ ବଂଶଧରମାନେ କେହି ବି ଆମକୁ କ୍ଷମା କରିବେ ନାହିଁ |

Leave a Reply