କର୍ମ ଏବଂ ପୁନର୍ଜନ୍ମ: ଏକ ବିଶ୍ଳେଷଣ

କର୍ମ ଓ ପୁନର୍ଜନ୍ମର ସଂକଳ୍ପନା ହିନ୍ଦୁଧର୍ମ, ବୋୖଦ୍ଧଧର୍ମ, ଜୈନଧର୍ମ, ଶିଖଧର୍ମ ଇତ୍ୟାଦି ଏସୀୟ ଧର୍ମମାନଙ୍କ ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ | କିନ୍ତୁ ଅନେକ ଧର୍ମ ଯେମିତିକି ଇସଲାମ ଓ ଖ୍ରୀଷ୍ଟଧର୍ମ ପୁନର୍ଜନ୍ମରେ ବିଶ୍ୱାସ ରଖେନି ଯଦିଓ କର୍ମ ଓ କର୍ମଫଳ ଉପରେ ତାଙ୍କର ବିଶ୍ୱାସ ଅଛି | ୟା ପଛରେ ନିହିତ ଥିବା କାରଣ ସମ୍ପର୍କରେ ଆଧ୍ୟାତ୍ମିକ ଗୁରୁ ଓଶୋ କୁହନ୍ତି ପୁନର୍ଜନ୍ମ ଉପରେ ବିଶ୍ୱାସ ହିନ୍ଦୁଧର୍ମାବଲମ୍ବୀଙ୍କ ଜୀବନକୁ ଧୀରେ ଧୀରେ ଆଳସ୍ୟମୟ କରିବାରେ ଲାଗିଲା | ସେମାନେ ଜାଣପାରିଥିଲେ ଯେ ମୋକ୍ଷ ପଥରେ ଅଗ୍ରସର ହେବାକୁ ସେମାନଙ୍କ ପାଖରେ ଅସରନ୍ତି ସମୟ ଅଛି | ତେଣୁ ଇସଲାମ ଓ ଖ୍ରୀଷ୍ଟଧର୍ମର ଗୁରୁମାନେ ଗୋଟିଏ ଜୀବନ ଉପରେ ମହତ୍ତ୍ୱ ଦେଲେ | ସେମାନେ ପ୍ରଚାର କଲେ ଯେ ମଣିଷର କେବଳ ଗୋଟିଏ ଜୀବନ ଅଛି ଓ ଏଇ ଜୀବନରେରେ ହିଁ ସେ ମୋକ୍ଷପ୍ରାପ୍ତି ପାଇଁ ଚେଷ୍ଟାରତ ହେବା ନିହାତି ଆବଶ୍ୟକ |

କିନ୍ତୁ ବିଗତ ଅର୍ଦ୍ଧଶତାବ୍ଦୀରେ ଉଭୟ ଏସୀୟ ତଥା ପାଶ୍ଚାତ୍ୟ ଆଧ୍ୟାତ୍ମିକ ଗୁରୁ, ମନୋଚିକିତ୍ସକ ତଥା ସମ୍ମୋହନ ବିଶେଷଜ୍ଞ ଯଥା ଚୈତନ୍ୟ ଚରଣ, ଅଶ୍ବିତା ଗୋଏଲ, ଡ଼. ବ୍ରିଆନ ୱେଇସ, ଡ଼. ମାଇକେଲ ନିଉଟନ, ଡ଼. ତୃଜ ହାର୍ଡୋ, ଏଲିଜାବେଥ କ୍ଲେର ପ୍ରଫେଟ, ପାଟ୍ରିସିଆ ସ୍ପାଡ଼ାରୋ ସମୂହ ପୁନର୍ଜନ୍ମର ସତ୍ୟତା ଜାଣିବା ପାଇଁ ଆଗ୍ରହ ପ୍ରକାଶ କରି ଏହି ବିଷୟ ଉପରେ ଗବେଷଣା କରିଛନ୍ତି | ଏହି ଆଧ୍ୟାତ୍ମିକ ଗୁରୁ ଓ ମନୋବିଜ୍ଞାନୀମାନେ ମଣିଷର କର୍ମ ଓ ପୁନର୍ଜନ୍ମ ପରସ୍ପର ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ବୋଲି ପ୍ରମାଣିତ କରିଛନ୍ତି |

ଏଠି ଜାଣିରଖିବା ଦରକାର ଯେ କର୍ମ କେବଳ ମଣିଷର କ୍ରିୟାକୁ ବୁଝାଏ ନାହିଁ | ଏହା ମଣିଷର ଭାବନା ସାଙ୍ଗରେ ମଧ୍ୟ ସମ୍ବନ୍ଧିତ। କ୍ରିୟା ହେଉଛି ଫଳ କିନ୍ତୁ ଭାବନା ହେଉଛି କର୍ମର ବୀଜ। ତେଣୁ କର୍ମବୀଜ ସବୁବେଳେ ଫଳଠାରୁ ଅଧିକ ଗୁରୁତ୍ୱପୂର୍ଣ | ସେଇଥିପାଇଁ ହୁଏତ ଗୁରୁମାନେ ସବୁବେଳେ ସ୍ୱଚ୍ଛ ମନ ଓ ସ୍ପଷ୍ଟ ଭାବନା ଉପରେ ଗୁରୁତ୍ୱ ଆରୋପ କରିଆସିଛନ୍ତି | ତେଣୁ ମଣିଷକୁ ସବୁବେଳେ କେବଳ ନିଜ କର୍ମର ଫଳ ମିଳିଥାଏ ବୋଲି ଭାବିବା ଭୁଲ | ମଣିଷକୁ ଅନେକ ସମୟରେ ନିଜ ଭାବନାର ଫଳ ବି ମିଳିଥାଏ | ଯେତେବେଳେ ଆମେ କର୍ମର ଫଳ ବିଷୟରେ ଚିନ୍ତାକରୁ ସେତେବେଳେ ଏହା ଏକ କ୍ରୁର ନ୍ୟାୟାଧୀଶ ଭାବେ ସାମ୍ନାରେ ପ୍ରତିତ ହୁଏ | କିନ୍ତୁ ପ୍ରକୃତରେ କର୍ମଫଳ ଉଭୟ ଭଲ ଓ ଖରାପ କର୍ମ ଓ ଭାବନାର ଫଳ ଦେଇଥାଏ | କର୍ମଫଳ କେବଳ କ୍ରିୟା ଓ ଭାବନାର ପରିଣାମ ନୁହେଁ ଉପରନ୍ତୁ ଏହା ମଣିଷର ଆସକ୍ତି ସାଙ୍ଗରେ ମଧ୍ୟ ସମ୍ବନ୍ଧିତ | ତେଣୁ ଥରେ ଥରେ ଆମେ ଖାଲି ନିଜ କର୍ମଫଳ ଭୋଗୁନା | ଆମେ ନିଜ ସାଙ୍ଗରେ ଯୋଡ଼ି ହେଇଥିବା ଏମିତି ଅନେକ ବ୍ୟକ୍ତିର କର୍ମଫଳ ମଧ୍ୟ ଭୋଗୁ ଯାହା ପ୍ରତି ଆମେ ଅତ୍ୟଧିକ ଆସକ୍ତ | ମଣିଷର ଯେତିକି ଅଧିକ ଆସକ୍ତି, ସେତିକି ଅଧିକ କର୍ମଫଳ | ଆଉ ସେଇଥିପାଇଁ ସେତିକି ଅଧିକ ଶୋକ| ତେଣୁ ଏଇ ଜୀବନରେ ଯେତିକି କଷ୍ଟ ମିଳୁଛି ମଣିଷ ସେତିକି ଖୁସି ବି ହବା କଥା। କାରଣ କର୍ମଫଳର ଋଣ ଶୁଝିଶୁଝି ଯାଉଛି। ତା’ ଠାରୁ ମୁକ୍ତି ମିଳୁଛି|

ବର୍ତ୍ତମାନ କଥା ହେବା କର୍ମ ଓ ପୁନର୍ଜନ୍ମ ବିଷୟରେ | କର୍ମର ପ୍ରକୃତ ଅର୍ଥ ଏୟା ନୁହେଁ ଯେ ତୁମେ ଯାହାକୁ ମାରିଛ ସେ ଏଇ ଜନ୍ମରେ ତୁମକୁ ମାରିବ କିମ୍ବା ତୁମେ ଯାହାର ପଇସା ଲୁଟ କରିଥିଲ ସେ ତୁମର ପଇସା ଲୁଟ କରିବ | ଏଥିରେ କିଛି ମାତ୍ରାରେ ସତ୍ୟତା ଅଛି କିନ୍ତୁ କର୍ମ ମୁଖ୍ୟତଃ ବହୁପରସ୍ତ ଭାବେ କାର୍ଯ୍ୟ କରେ ଓ କର୍ମର ପ୍ରଭାବ ଜୀବନରେ ଭିନ୍ନ ଭିନ୍ନ ରୂପରେ ଦେଖିବାକୁ ମିଳେ | ଏଣୁ ପୂର୍ବଜନ୍ମର କର୍ମକୁ ସନ୍ତୁଳନ କରିବାକୁ ମଣିଷ ପୁନଶ୍ଚ ପୃଥିବୀରେ ଜନ୍ମ ନିଏ | କିନ୍ତୁ ମଣିଷ ଜନ୍ମ ନେବାର ଏହା ଏକମାତ୍ର କାରଣ ନୁହେଁ | ପୃଥିବୀରେ ପ୍ରତିଟି ଆତ୍ମାର ପ୍ରତିଟି ନୂଆଜନ୍ମ ଥାଏ କିଛିଟା ନୂଆ ଜିନିଷ ଶିଖବାର | ନୂଆ ପାଠ, ନୂଆ ଜ୍ଞାନ | ତେଣୁ ମଣିଷ ଜୀବନରେ ଗୋଟିଏ ପ୍ରକାର ଅସୁବିଧା ଆସିଥାଏ ନୂଆ କିଛି ଶିଖେଇବା ପାଇଁ | ମଣିଷ ସେଇ ଶିକ୍ଷାଟି ଲାଭ କରିଦେଲା ପରେ ସେଇ ଅସୁବିଧା ବି ଜୀବନରେ ଆସିବା ବନ୍ଦ ହେଇଯାଏ। ଏଇଟା ବି କର୍ମର ଅନ୍ୟ ଏକ ରୂପ |

ପୁନର୍ଜନ୍ମ ଉପରେ ହେଇଥିବା ଗୁରୁତ୍ୱପୂର୍ଣ୍ଣ ଗବେଷଣାରୁ ଏଇଆ ଜଣାପଡେ ଯେ ଆତ୍ମା ପ୍ରାୟତଃ ଯେବେ ନୂଆ ଜନ୍ମ ନେବାପାଇଁ ସ୍ଥିର କରେ ସେ ନିଜ କର୍ମ ସନ୍ତୁଳନ କରିବାପାଇଁ ସେଇ ଅନୁସାରେ ନିଜ ଲିଙ୍ଗ, ନିଜ ପିତାମାତା ଓ ନିଜ ନୂଆ ଜୀବନ ନିଜେ ସ୍ଥିର କରେ | ଏଣୁ ଏଇ ଜୀବନରେ ଯାହା ଘଟେ ତାହା ଦେଖିବାକୁ ଗଲେ ଆତ୍ମାଦ୍ୱାରା ସ୍ୱୟଂ ନିର୍ଦ୍ଧାରିତ | ଯାହାକୁ ଜୀବନରୁ ଯେତିକି ଅଧିକା ଶିଖିବାର ଥାଏ ସେ ସେତିକି ଅଧିକା କଷ୍ଟକର ଜୀବନ ଚୟନ କରେ | ଶାରୀରିକ ଅକ୍ଷମଙ୍କ ପ୍ରତି ଦୁରାଚାର କରିଥିବା ତାଙ୍କ କଷ୍ଟକୁ ଅନୁଭବ କରିବା ପାଇଁ ପରଜନ୍ମରେ ନିଜପାଇଁ ଏକ ପଙ୍ଗୁ ଶରୀର ଚୟନ କରିପାରେ | ସେମିତି ଅନେକ ସ୍ତ୍ରୀଲୋକଙ୍କ ଉପରେ ପାଶବିକ ଅତ୍ୟାଚାର କରିଥିବା ବ୍ୟକ୍ତି ଅତ୍ୟାଚାରର ବେଦନା ବୁଝିବା ପାଇଁ ପରଜନ୍ମରେ ନିଜପାଇଁ ଏକ ବେଶ୍ୟାର ଜୀବନ ଚୟନ କରିପାରେ | ତେଣୁ କର୍ମଫଳ କେବଳ ପୂର୍ବକର୍ମର ସନ୍ତୁଳନ ନୁହେଁ, ଏହା ଅନ୍ୟର ଦୁଃଖକୁ ନିଜେ ଅନୁଭବ କରିବାର ଏକ ସୁଯୋଗ | ପୁଣି କେବଳ ଅନ୍ୟକୁ ନୁହେଁ ନିଜକୁ କ୍ଷମା କରିବାର ସୁଯୋଗ ମଧ୍ୟ |

ସେମିତି ଆସକ୍ତି ମଧ୍ୟ କର୍ମର ଆଉ ଏକ ରୂପ | ଯିଏ ଯେଉଁ ଜିନିଷ ବା ମଣିଷ ପ୍ରତି ଆବଶ୍ୟକତାଠାରୁ ଅଧିକ ଆସକ୍ତ, କର୍ମ ତାକୁ ସେଇ ଜିନିଷ ବା ମଣିଷଠାରୁ ଦୂରେଇ ଦେଇ ତାକୁ ଅନାସକ୍ତ ହେବା ଶିଖାଏ | ପୁତ୍ର ପାଗେଳୀ ମା ଯଶୋଦାଙ୍କୁ କୃଷ୍ଣ ସବୁଦିନ ପାଇଁ ଛାଡିକି ଯିବା ଏହାର ବହୁତ ବଡ଼ ଉଦାହରଣ | ସେଇଭଳି ଯାହାକୁ ଏଇ ଜନ୍ମରେ ଯାହାକୁ ଧୈଯ୍ୟ, ଦୃଢ଼ ମନୋବଳ ଓ ଅସୀମ ପ୍ରେମର ଶିକ୍ଷା ଲାଭ କରିବାକୁ ଅଛି ସେ ହୁଏତ ଏକ ମାନସିକ ବା ଶାରୀରିକ ବିକଳାଙ୍ଗ ସନ୍ତାନର ଜନକ/ଜନନୀ ହେଇପାରନ୍ତି | ସେଇଭଳି ଯେଉଁ ଆତ୍ମାଙ୍କୁ ଆଧ୍ୟାତ୍ମିକ ପଥରେ ଅଗ୍ରସର ହେବାର ଅଛି ସେମାନେ ନିଜ ସନ୍ତାନ ସନ୍ତତିଙ୍କୁ ଅକାଳରେ ହରାଇପାରନ୍ତି | ସେଥିପାଇଁ ଏମିତି ଦୁଃଖଦ ପରିସ୍ଥିତିକୁ ସାମ୍ନା କରିଥିବା ଅନେକ ଦମ୍ପତ୍ତି ଆଧ୍ୟାତ୍ମିକ ଦିଗକୁ ଢଳି ଯାଆନ୍ତି ବା ସମାଜ ସେବାରେ ବ୍ରତୀ ହୁଅନ୍ତି | ସେଇଭଳି ଯାହା ସାଙ୍ଗରେ ସବୁଠୁ ଅଧିକା କର୍ମଫଳ ସନ୍ତୁଳନ କରିବାର ଥାଏ ସେ ମୁଖ୍ୟତଃ ମଣିଷର ସନ୍ତାନ ବା ପତି/ପତ୍ନୀ ହେଇ ଜନ୍ମ ହୁଅନ୍ତି | ଏଇ ସମ୍ପର୍କ ଗୁଡିକ ଗୁରୁତ୍ୱପୂର୍ଣ୍ଣ ତଥା ଜଟିଳ କାରଣ ଏଇ ସମ୍ପର୍କଗୁଡିକ ସାଙ୍ଗରେ ମଣିଷକୁ ସବୁଦିନ ରହିବାକୁ ପଡେ | ପ୍ରତିଦିନ ନୂଆନୂଆ ବାଧାବିଘ୍ନର ସମ୍ମୁଖୀନ ହେବାକୁ ହୁଏ | କିନ୍ତୁ ତଥାପି ମଣିଷ ନିଜ ପରିବାରକୁ ଛାଡିଯିବା କଷ୍ଟକର | ତେବେ ନିଜ ସହିଷ୍ଣୁତା ଓ ଦୃଢ଼ ବିଶ୍ୱାସ ଦ୍ୱାରା ମଣିଷ ଏଇ ପରୀକ୍ଷାରେ କୃତକାର୍ଯ୍ୟ ହେଇପାରେ ଓ ଏଇ ଜନ୍ମରେ ଶିଖିବାକୁ ଥିବା ଶିକ୍ଷାକୁ ହାସଲ କରିପାରେ |

ପୁଣି ଅନେକ ଗବେଷକ ପୁରୁଣା କୁକର୍ମର ଫଳ ନୂଆ ସୁକର୍ମ ଦ୍ୱାରା ଲିଭିଯିବ ବୋଲି ବିଶ୍ୱାସ କରନ୍ତି ନାହିଁ | ସେଥିପାଇଁ ଅନେକ ଭଲଲୋକ ନିଜ ଜୀବନରେ କଷ୍ଟଲାଭ କରିବା ଆମେ ନିଶ୍ଚିତ ଦେଖିଥିବା | କିନ୍ତୁ ଏଇ ଜୀବନର ସୁକର୍ମ ପରବର୍ତ୍ତୀ ଜନ୍ମକୁ ସୁଖମୟ କରିବ ସେଥିରେ ସନ୍ଦେହ ନାହିଁ | ଏହିପରି ପ୍ରାଚୀନ ହିନ୍ଦୁ ଓ ବୌଦ୍ଧଶାସ୍ତ୍ର ତଥା ସାମ୍ପ୍ରତିକ ବୈଜ୍ଞାନିକ ଓ ମାନସିକ ପଦ୍ଧତ୍ତିରେ ହେଉଥିବା ପୁନର୍ଜନ୍ମ ଉପରେ ଗବେଷଣା ଆତ୍ମାର ପ୍ରତିଟି ଜନ୍ମରେ ଦୁଇଟି ଜିନିଷ ଶିଖିବା ଉପରେ ଗୁରୁତ୍ୱ ଆରୋପ କରେ | ସେଇଟା ହେଲା କ୍ଷମାଶୀଳତା ଓ ନିସର୍ତ୍ତ ପ୍ରେମ କରିବା |ନିଜପର ଭାବନାରୁ ଉର୍ଦ୍ଧକୁ ଯାଇ ସମସ୍ତଙ୍କୁ ନିଜର କରିବା ଶିଖିବା | ପୁର୍ନଜନ୍ମ ଉପରେ ବିଶ୍ୱାସ କରିବା ବା ନ କରିବା ଏକ ବ୍ୟକ୍ତିଗତ ନିର୍ଣ୍ଣୟ | କିନ୍ତୁ ଯଦି ପୁନର୍ଜନ୍ମ ଉପରେ ଜ୍ଞାନ ମଣିଷକୁ ଏକ ଉତ୍ତମ ମଣିଷରେ ପରିଣତ କରେ ବା ଲୋକହିତ ପଥଗାମୀ କରାଏ ତେବେ ଏସବୁ ଶାସ୍ତ୍ରଲେଖା ଓ ଗବେଷଣା ସଫଳ ହେଇଛି କହିଲେ ଅତ୍ୟୁକ୍ତି ହେବନାହିଁ |

Leave a Reply