କଥା

 

“ମା ରେ! ରବିବାର ଦିନ ମୋର ସାଙ୍ଗମାନଙ୍କ ସାଙ୍ଗେ ମୋର ଗେଟ ଟୁଗେଦର ଅଛି। ସେଇଟା ସାରି କି ମୁଁ ଆସିଯିବି।” ବାବା କହିଲେ ଫୋନରେ। “ନାଇଁ ନାଇଁ ସେଇଟା ହେଇ ପାରିବନି। ଆଉ ମୁଁ ତାହେଲେ ସାଇକେଲଟା କେତେବେଳେ କିଣିବି?” ରୁମି ପ୍ରଶ୍ନ କଲା। “ସୋମବାର ଯାଇ ଆମେ କିଣିଦେଲେ ହବନି?” ବାବା ପଚାରିଲେ। “ନାଇଁ ସୋମବାର ମୁଁ ସ୍କୁଲ ଯିବି ନା। ମତେ ସମସ୍ତଙ୍କୁ ଚକଲେଟ ଦବାର ଅଛି ଆଉ ସେଦିନ ପାର୍ଟି ପାଇଁ ଡାକିବାର ବି ଅଛି।” ରୁମି ଉତ୍ତର ଦେଲା। “ହେଲେ ମୋ ସାଙ୍ଗମାନେ ବହୁତ ଦିନ ପରେ ଭେଟ ହେବେରେ ମା। ମୁଁ ସେଇ ଦିନ ସନ୍ଧ୍ୟାରେ ବାହାରି ପଡିବି।” ବାବା କହିଲେ। “ନାଇଁ ମୁଁ କିଛି ଶୁଣିଵିନି। ତୁମେ ଜଲଦି ଆସିକି ପହଞ୍ଚିଲ।” ରୁମି ଏତିକି କହି ଫୋନ୍ ରଖିଦେଲା ଆଉ ଡେଇଁ ଡେଇଁ ବାହାରକୁ ଗଲା। ସେ ଜାଣିଚି ବାବାଙ୍କର ଭୁବନେଶ୍ୱରରେ ବହୁତ ସାଙ୍ଗ। ସେଠିକି ଗଲେ ତାଙ୍କର ବହୁତ ପ୍ଲାନ ହେଇଯାଏ। ସପ୍ତାହେ ତଳେ ବାବା ଅଫିସ୍ କାମରେ ଗଲାବେଳକୁ ସେ ଆଗରୁ ତାଙ୍କୁ ଚେତେଇ ଦେଇଥିଲା। ଏଥର ସେ ଜମା ବି ଛାଡ଼ିବନି। ବାବା ଯେମିତି ହେଲେ ତା ଜନ୍ମଦିନ ଆଗରୁ ଆସି ପହଞ୍ଚିବେ। ଆଉ ତା ଜନ୍ମଦିନ ଗିଫ୍ଟ ପାଇଁ ବାବା ସାଇକେଲ କିଣିଦେବେ ବୋଲି ବି ତାକୁ ବହୁତ ଆଗରୁ କହିଥିଲେ। ସେ ଜନ୍ମଦିନରେ ନିଜ ନୂଆ ସାଇକେଲରେ ସ୍କୁଲ ଯିବ ବୋଲି ଭାବିଛି। ସେଇଥିପାଇଁ ବାବାଙ୍କୁ ଡାକି ଆଣୁଚି ଆଗରୁ। ବାବା ତା’ କଥା କେବେ ବି କାଟି ପାରିବେନି। ନିଜ ବୁଦ୍ଧିରେ ନିଜେ ଖୁସି ହେଇ ରୁମି ଖେଳିବାକୁ ଚାଲିଗଲା। ରବିବାର ସକାଳୁ ଘରେ ପାଟି ଶୁଣି ତା’ ନିଦ ଭାଙ୍ଗିଗଲା। ବାବା ଆସିଗଲେ ବୋଧେ। ହେଲେ ବାବା ସେଦିନ ଘରକୁ ଆସିଲେନି। ଠକିଦେଲେ ତାକୁ। ରବିବାରରେ ନୁହଁ କି ତା ଜନ୍ମଦିନରେ ବି ନୁହଁ। ହୀରାଖଣ୍ଡ ଏକ୍ସପ୍ରେସରୁୁ ତାଙ୍କ ଦେହ ବୁହା ହେଇ ଭବାନୀପାଟଣା ଆସିଲା ବେଳକୁ ବାବା କୁଆଡେ ତାକୁ ଛାଡି ବହୁତ ଦୂରକୁ ଚାଲିଯାଇଥିଲେ। କିଏ ଜଣେ କହୁଥାଏ, “ତାଙ୍କର ରବିବାର ଫେରିବାର ଥିଲା। କାଇଁ ଆସିଲେ କେଜାଣି ଶନିବାର ଦିନ!!” ରୁମି ଭାବିଲା ବାବାଙ୍କୁ ବହୁତ କିଛି କଥା କହିବ। କହିବ “ବାବା ମୁଁ ତ ମଜା କରୁଥିଲି। ତମେ ଶନିବାର କାଇଁ ଆସିଲ? ତମେ ତ ରବିବାର ଆସିଥାନ୍ତ।” ନହେଲେ କହିବ, “ବାବା ମୁଁ ତ ଏମିତିରେ କହୁଥିଲି। ମତେ ସାଇକେଲ ଦରକାର ନାହିଁ।” ନହେଲେ କହିବ, “ବାବା ଆମେ ସାଇକେଲ କିଣିବାକୁ ସୋମବାର ଦିନ ଯିବା। ତୁମେ ତରତର ହେଇ ଆସିବା ଦରକାର ନାହିଁ।” ନହେଲେ କହିବ “ବାବା ତୁମେ ଅଙ୍କଲମାନଙ୍କୁ ଭେଟିକି ଆସିବ ଏଥର। କେବେଠୁ ଭେଟିନ ପରା।” ହେଲେ ରୁମି ଏସବୁ କିଛି ବି କହି ପାରିଲାନି। ଦଉଡି ଯାଇ ମମିକୁ କୁଣ୍ଢେଇ ଧରି ଭେଁଭେଁ କରି କାନ୍ଦି ଉଠିଲା।

(A Teary Tribute to the victims of Hirakhand Express Tragedy)

One Reply to “କଥା”

  1. Ajaya Ku Sahoo says: Reply

    So sad…….

Leave a Reply