କଥା କହେ ଦର୍ପଣ ଲୋ, ପଚାରୁ କାହାକୁ?

ଗପ ହେଲେ ବି ସତ #୬

ବହୁତ ଦିନ ତଳେ ଗପଟିଏ ପଢ଼ିଥିଲି। ଆଜିଯାଏଁ ଭୁଲି ପାରିନି। ଗୋଟିଏ ଝିଅର ଗାଲରେ କଟା ଦାଗଟିଏ। ଲୋକେ ତା ସାଙ୍ଗେ କଥା ହେଲାବେଳକୁ ତାକୁ କମ୍ ଆଉ ତା କଟା ଦାଗକୁ ବେଶୀ ଦେଖନ୍ତି। ଝିଅଟିକୁ ଭଲ ଲାଗେନି। ବହୁତ ଚିନ୍ତା କଲାପରେ ସେ ଗୋଟିଏ ପ୍ଲାଷ୍ଟିକ ସର୍ଜନ ପାଖକୁ ଗଲା।

ପ୍ଲାଷ୍ଟିକ ସର୍ଜନ ତା କଟା ଦାଗକୁ ବହୁତ ସମୟ ଧରି ପରୀକ୍ଷା କଲେ। ତାପରେ ତାକୁ ପଚାରିଲେ, “ଆପଣ ତାହେଲେ ଗୋଟିଏ ଫିଲ୍ମ ଆର୍ଟିଷ୍ଟ?” ଝିଅଟି ମନା କଲା। ତାପରେ ପଚାରିଲେ, “ଓଃ, ତାହେଲେ ଆପଣ ନିଶ୍ଚୟ ଜଣେ ମଡେଲ।” ଝିଅଟି ପୁଣି ମୁଣ୍ଡ ହଲେଇ ମନାକଲା। ସର୍ଜନ କହିଲେ, “ଯଦି ଆପଣ ଫିଲ୍ମ ଆର୍ଟିଷ୍ଟ ନୁହନ୍ତି ବା ମଡେଲ ନୁହନ୍ତି ତାହେଲେ ଏଠିକି କାହିଁକି ଆସିଛନ୍ତି?” ଝିଅଟି କହିଲା, “କାରଣ ସାନବେଳୁ ସମସ୍ତେ ମତେ କମ୍ ଆଉ ମୋ କଟା ଦାଗକୁ ବେଶୀ ଦେଖିଛନ୍ତି। ମୋ କଟା ଦାଗ ମୋ ପରିଚୟ ହେଇଯାଇଛି। ଏଇ କଟାଦାଗ ମୋ ଅସୁନ୍ଦରତାର ପରିଚାୟକ।” ଡାକ୍ତର ଝିଅଟିକୁ କଣ କହିଲେ ପରେ କହିବି। ଏଠି ଆଉ କିଛି କହିଦିଏଁ।

ରଜାପୁଅ ଆଉ ବାଇଅସୁରୁଣୀ କଥା ସିରିଜ ସରିବାର ଆଜିକୁ ସପ୍ତାହେ ପୁରିଗଲା। ପାଠକଙ୍କଠୁ ବହୁତ ମେସେଜ୍ ପାଇଲି ଗପଟିକୁ ନେଇ। ଆଉରି ବି ବହୁତ ମେସେଜ୍ ପାଇଲି ଗପଟିଏ ମେସେଜ୍ ଟିକୁ ନେଇ। ଏଇ ବିଷୟ ଉପରେ ବହୁତ ଦିନରୁ ଲେଖିବି ବୋଲି ଭାବିଥିଲି। କିନ୍ତୁ ସେଇ ମେସେଜ୍ ଗୁଡିକ ଦେଖିବାପରେ ଏଇଟା ଲେଖିବା ଯେମିତି ଜରୁରୀ ହେଇପଡିଲା ମୋ ପାଇଁ।

ସାନବେଳେ ସମସ୍ତଙ୍କୁ ଉଣା ଅଧିକେ ନିଜ ରୂପକୁ ନେଇ ହୀନମନ୍ୟତାର ଶିକାର ହବାକୁ ପଡିଥାଏ। ଆମ ପିତାମାତା ବନ୍ଧୁବାନ୍ଧବ ସାଙ୍ଗସାଥି ସମସ୍ତଙ୍କର ଅବଦାନ ଥାଏ ଏଇ ହୀନମନ୍ୟତାକୁ ଆଉରି ବଢ଼େଇବାରେ। “ଆରେ ତୋ ପୁଅଟା ଏମିତି କିଚିକିଚି କଳା କଣ ହେଇଛି ମ? ତାକୁ ଟିକିଏ ଫେଆର ଏଣ୍ଡ ଲଭଲି ଲଗା।” “ତୋ ଝିଅଟି ଏମତି କଣ ଚେପିନାକି? ତାକୁ କଉଠୁ ଗୋଟେଇ ଆଣିଛ କି?” “ତୋ ଭଉଣୀ ଏମିତି କଣ ଗେଣ୍ଡା ଭଳି ଫୁଲିଛି। ତାକୁ କହୁନୁ ପତଳା ହବ।” “ତୋ ଭାଇ ଏଇଠି ଠିଆ ହେଇଛି ତା ଦାନ୍ତ ଯାଇ ପଡିଶା ଘରେ ବାଜୁଛି। କହୁନୁ ବ୍ରେସ୍ ଲଗେଇବ ଦାନ୍ତରେ।” ଏମିତି କି ସାଙ୍ଗସାଥି ବି ଡାକିବେ ଆରେ କାଳୁ, ଏଇ ଟେରା, ଏଇ ଦାନ୍ତ, ଆରେ ମୋଟୁ, ଆରେ ବୁଟି (ଵାଙ୍ଗେରା) ଏଇ ଧେଡା। ଚଷମା ପିନ୍ଧିଥିଲେ ଏଇ ଚଶମିଷ୍, ଏଇ କଣା, ଏଇ କାଣୀ। ହିରୋଙ୍କର ସିକ୍ସ ପ୍ୟାକ ଦେଖି ପୁଅଟିର ମୁହଁ ଶୁଖି ଯାଉଥିବ। ଜିମ ମେମ୍ବରଶିପ୍ ନନେଲେ ଏଇ ଜୀବନ ଯେ ମୂଲ୍ୟହୀନ।

ଦୁଇଟି ସୁନ୍ଦର ଝିଅକୁ ବି କେବେ ସାଙ୍ଗ ହେବା ଦେଖିବେନି। ସୁନ୍ଦର ଝିଅଟି ବି ସାଙ୍ଗ ହେଇଥିବ ଅସୁନ୍ଦର ଝିଅଟି ସାଙ୍ଗରେ ନିଜେ ବେଶୀ ସୁନ୍ଦର ଦିଶିବାକୁ ଆଉ ଅସୁନ୍ଦର ଝିଅଟିକୁ ଆଉରି ହୀନମନ୍ୟ କରେଇ ଦେବାପାଇଁ। ପୁଣି ଖେଳୁଥିବା ବାର୍ବି କଣ୍ଢେଇ ବି ଆସିବ ନିଖୁଣ ଶରୀରଟିଏ ନେଇ। କେଉଁଠି କିଛି ଖୁଣ ପାଇବେନି। ପରୀ କାହାଣୀଟିଏ ବି ଆରମ୍ଭ ହେବ ସୁନ୍ଦରୀ ରାଜକୁମାରୀଟିଏ। ସତେ ଯେମିତି ଡେଣାକଟା ପରୀ। ଗୋଟିଏ ଚାଉଳରେ ଗଢ଼ା। ଝିଅଟିକୁ ଗପଟି ପଢୁପଢୁ ନିଜ ବିଷୟରେ ଭାବିବ। ତା ମନ କହିବ “ନା, ଇଏ ମୁଁ ନୁହେଁ। ମୁଁ କୌଣସି ଗପର ନାୟିକା ହବାକୁ ଯୋଗ୍ୟ ନୁହେଁ। ମୁଁ ଗୋଟିଏ ଚାଉଳରେ ଗଢ଼ା ନୁହେଁ। ମୁଁ ନିଖୁଣ ନୁହେଁ। ମୁଁ ଯେ ଅସମ୍ପୂର୍ଣ୍ଣ।” କଣ କରିବା ବାଇଅସୁରୁଣୀ ଯେ ସବୁ ପରୀ କାହାଣୀର ନାୟିକା ନୁହେଁ।

କିନ୍ତୁ ଏଇଠି ପ୍ରଶ୍ନ ହେଲା କିଏ ଫଇସଲା କରିବ କିଏ ସୁନ୍ଦର ଅସୁନ୍ଦର!! କିଏ କହିବ କିଏ ସମ୍ପୂର୍ଣ୍ଣ ଆଉ କିଏ ଅସମ୍ପୂର୍ଣ୍ଣ!! ଆଫ୍ରିକାରେ ଯିଏ ଯେତେ କଳା ସେ ସେତିକି ସୁନ୍ଦର। ଶରୀର ସେଇଥିବ ଡ଼ଉଲ ଡାଉଲ। କିନ୍ତୁ ପାଶ୍ଚାତ୍ୟ ଦେଶରେ ରଙ୍ଗ ଧପଧପ୍ ଗୋରା ଆଉ ଶରୀରରେ ପୁଳାଏ ବି ମାଉଁସ ନ ରହିବା ଦରକାର। ଯେତିକି ହାଡୁଆ ତୁମେ ସେତିକି ସୁନ୍ଦର। ଭାରତରେ ବଡ ଆଖି ହେଲା ମୀନାକ୍ଷୀ। କିନ୍ତୁ ଏଇ ଭାରତରେ ମଣିପୁର ମିଜୋରମ ଗଲେ ବଡ ଆଖି ଦେଖିଲେ ଡାକିବେ “ବାଇ”।ତୁମର ବଡ ଆଖି ଅସୁନ୍ଦର ଆଖି।

ଦକ୍ଷିଣ କୋରିଆରେ ଦେହର ରଙ୍ଗ ସବୁଠୁ ଜରୁରୀ। ତାପରେ ଆଖି ଆଉ ନାକ। ଥାଇଲାଣ୍ଡ ବି ସେଇଆ। ଇରାନ ପୁଣି ପୃଥିବୀର ପ୍ଲାଷ୍ଟିକ ସର୍ଜରୀ ରାଜଧାନୀ। ମଜା କଥା ହେଲା ଭାରତରେ ଗଳି ଗଳିରେ ବିଉଟି ପାର୍ଲର ଖୋଲିଲା ଭଳି ଦକ୍ଷିଣ କୋରିଆରେ ପ୍ଲାଷ୍ଟିକ ସର୍ଜରୀ କ୍ଲିନିକ। ସମସ୍ତଙ୍କ ଆଖି ଆଉ ନାକ ନକଲି। ଏମିତି ବି ହେଇଛି ଛୁଆଟିଏ ଜନ୍ମ ହେଲାପରେ ତା ଅସୁନ୍ଦର ରୂପ ଦେଖି ସ୍ୱାମୀଟି ନିଜ ସୁନ୍ଦରୀ ସ୍ତ୍ରୀ ଉପରେ ସନ୍ଦେହ କରିଛି। ଜଣା ପଡ଼ିଛି ସ୍ତ୍ରୀଟି ପ୍ଲାଷ୍ଟିକ ସର୍ଜରୀ ପରେ ପଦ୍ମିନୀ ହେଇଛି। ଆଗରୁ ଥିଲା ବାଇଅସୁରୁଣୀ। ସ୍ଵାମୀଟି ତାକୁ ଛାଡପତ୍ର ଦେଇଛି। କଣ କରିଵା ସମସ୍ତେ ରଜାପୁଅ ନୁହନ୍ତି। ସମସ୍ତେ ବାଇଅସୁରୁଣୀକୁ ଭଲ ପାଇପାରିବେନି। ଚାଇନାରେ ଛୋଟ ପାଦ ସୁନ୍ଦର। ସେଥିପାଇଁ ପାଦକୁ ସାନବେଳୁ ଚାପିକି ବାନ୍ଧିଦିଅନ୍ତି। ଭାରତରେ ସାବନା ଝିଅଟେକୁ କେତେ କଥା ଶୁଣିବାକୁ ମିଳେ। କିନ୍ତୁ ବିଟ୍ରେନ ଆଉ ବହୁତ ଇଉରୋପିଅନ ଦେଶରେ ପଇସା ଦେଇ ରଙ୍ଗ ସାବନା କରନ୍ତି ଆଉ ଗର୍ବରେ କୁହନ୍ତି ଏଇଟା ହେଲା ଫେକ୍ ଟାନ (Fake tan)।

ତେଣୁ ଏଇଠି ପ୍ରଶ୍ନ ହେଲା କିଏ କହିବ କିଏ ସୁନ୍ଦର ଆଉ କିଏ ଅସୁନ୍ଦର? ଜଣଙ୍କ ପାଇଁ ଯେଉଁଟା ସୁନ୍ଦର ଅନ୍ୟ ପାଇଁ ସେଇଟା ଅସୁନ୍ଦର। ଗୋଟିଏ ଦେଶରେ ଯେଉଁ ରୂପ ଅଲୋଡା ଅନ୍ୟ ଦେଶରେ ସେଇଟା ଲୋଭନୀୟ। ତାହେଲେ କିଏ କହିବ? କିଏ ସଠିକ୍ ଜଣେଇବ ଉତ୍ତରଟି। ଜଣେ ଅଛି। ସିଏ କହିବ। ଆଉ ସିଏ ଯେମିତି ଠିକ୍ କଥା କହିବ ସେମିତି ଆଉ କେହି କହି ପାରିବେନି। କହିଲେ ଦେଖି ସେ କିଏ? ମୁଁ କହୁଛି ସେ କିଏ। ନିଜ ବସିବା ଜାଗାରୁ ଉଠନ୍ତୁ। ଦର୍ପଣ ସାମ୍ନାକୁ ଯାଆନ୍ତୁ। ଦର୍ପଣରେ ଦେଖନ୍ତୁ। କିଏ ଜଣେ ଠିଆ ହେଇଛି। ଠିକ୍ ଦେଖିଲେ। ସେଇ ଲୋକ ହିଁ କହିବ ଆପଣ ସୁନ୍ଦର କି ଅସୁନ୍ଦର। ଆପଣ ସମ୍ପୂର୍ଣ୍ଣ କି ଅସମ୍ପୂର୍ଣ୍ଣ। ସବୁ ସେଇ ମନର ଖେଳ। ଯଦି ସେଇ ଲୋକ କହିଲା ଆପଣ ସୁନ୍ଦର ତାହେଲେ ଆପଣ ସୁନ୍ଦର। ତାପରେ ସାରା ଦୁନିଆ ଆପଣଙ୍କୁ ଯାହା କହୁ। ଯଦି ସେଇ ଲୋକ କୁହେ ଆପଣ ଅସୁନ୍ଦର ତାହେଲେ ଆପଣ ଅସୁନ୍ଦର। ଐଶ୍ୱର୍ୟା ରାୟ କି ପ୍ରିୟଙ୍କା ଚୋପ୍ରା ହୁଅନ୍ତୁ ଦୁନିଆ ପଛେ ବିଶ୍ୱସୁନ୍ଦରୀ କହୁ ଆପଣ ଯିବେ ପ୍ଲାଷ୍ଟିକ ସର୍ଜନ ପାଖକୁ। ନିଜ ପୂରା ଚେହେରା ବଦଳେଇ ଦେବେ। କାରଣ ଦର୍ପଣ ଭିତର ଲୋକ କହିଛି ଆପଣ ଅସୁନ୍ଦର।

ତେଣୁ ଭୁଲି ଯାଆନ୍ତୁ ଦୁନିଆ କଣ କହିଲା। ଲୋକେ କଣ କହିଲେ। କିଏ କଣ ସାର୍ଟିଫିକେଟ ଦେଲା। ୟା ମାନେ ନୁହେଁ ମୁଣ୍ଡରେ ଉକୁଣୀ ପଚପଚ କରି ବୁଲିବେ। ଝାଳଗନ୍ଧ ଏମିତି ହଉଥିବ ଯେ ଲୋକେ ତୁମ ପାଖରୁ ଦଉଡି଼ ଚାଲିଯିବେ ଦୂରକୁ। ମୋଟା ହବା ଦୋଷ ନୁହେଁ ବୋଲି ଅଧିକା ମୋଟା ହେଇ ରୋଗକୁ ଆମନ୍ତ୍ରଣ ଦବା ବି ଠିକ୍ ନୁହେଁ। କିନ୍ତୁ ପ୍ରଶ୍ନ ଏଇଠି ନିଜ ରୂପ ପାଇଁ ହୀନମନ୍ୟତାର ଶିକାର ହବା କେତେ ଦୂର ଯଥାର୍ଥ। ନିଜକୁ ଭଲ ପାଆନ୍ତୁ। ନିଜ ଖୁଣକୁ ଭଲ ପାଆନ୍ତୁ। ନିଜ ଅସମ୍ପୂର୍ଣ୍ଣତାକୁ ଭଲ ପାଆନ୍ତୁ। କାରଣ ସେଇ ଅସମ୍ପୂର୍ଣ୍ଣତା ରେ ହିଁ ଅଛି ସମ୍ପୂର୍ଣ୍ଣତା। ଏଇମିତି କିଛି ସେଇ ଦିନ ସେଇ ସର୍ଜନ ବି କହିଥିଲେ ବୋଧେ ସେଇ ଝିଅକୁ। ସେଇ ଅସୁନ୍ଦରତାରେ ହିଁ ଅଛି ସୁନ୍ଦରତା। ସେଇ ବନାଏ ଆପଣଙ୍କୁ ସମସ୍ତଙ୍କୁଠୁ ଅଲଗା ଆଉ ନିଆରା। ଆପଣ ନିଜକୁ ଯେମିତି ଦେଖିବେ ଦିନେ ଦୁନିଆ ବାଧ୍ୟ ହବ ଆପଣଙ୍କୁ ସେଇ ନଜରରେ ଦେଖିବାକୁ। ଦୁନିଆ ଆପଣଙ୍କ ପରିଚୟ ତିଆରି କରିବେନି ବରଂ ଆପଣ ନିଜ ପରିଚୟ ନିଜେ ତିଆରି କରିବେ। ତେଣୁ ଆଜି ଦିନଟି ହେଉ ନିଜ ଖୁଣକୁ ଭଲ ପାଇବାର। ନିଜ ଅସମ୍ପୂର୍ଣ୍ଣତାକୁ ସ୍ଵୀକାର କରିବାର ଆଉ ନିଜ ଭିତରେ ନିଜ ବାଇଅସୁରୁଣୀକୁ ଖୋଜି ତାକୁ ଆପଣେଇ ନେବାର। ହଉ ଆଜି ପାଇଁ ଏତିକି। ପୁଣି ଦେଖା ହବ। ସାନଙ୍କୁ ସ୍ନେହ, ବନ୍ଧୁଙ୍କୁ ଶୁଭେଚ୍ଛା, ଗୁରୁଜନଙ୍କୁ ପ୍ରଣାମ।

6 Replies to “କଥା କହେ ଦର୍ପଣ ଲୋ, ପଚାରୁ କାହାକୁ?”

  1. ପ୍ରିୟ ଲେଖିକା ମହୋଦୟ
    ଗପ ହେଲେ ବି ସତ ସଂଖ୍ୟା # ଛ
    ମୁଁ ପଢିବାରେ ଏଇ ଗପ ଟି ପ୍ରଥମ , କିନ୍ତୁ କହିବା ବାହୁଲ୍ୟ ଆପଣଙ୍କର ଲେଖା ଆମ ସମାଜର ଅନେକ ଦୋଷ ଦୁର୍ବଳତା ଆଗକୁ ଆଣିଛି . ସବୁଠୁ ଚିତ୍ତାକର୍ଷକ ହେଲା ଆପଣଙ୍କ ଉପସ୍ଥାପନା ର ଶୈଳୀ .
    ଧନ୍ୟବାଦ …
    ନିରୁଦ୍ଦିଷ୍ଟ ପାଠକ !

    1. Bahut bahut dhanyabaad 😊😊🙏

  2. Kalpana sahoo says: Reply

    Thik katha kahila dear..nijar khunaku val pantu….Duniya Ku Kie pachhare…mo nija katha kahuchi. Mu AMA ghara sabuthu val Jhia thili kintu mrg pare sabuthu kharap bohu…mate kichhi aseni na rupare n gunare na KaMRE sabuthire mu unfit….sabudin mu sune samastankuthu Suni Suni kana pathara hoigalini…mu sunibatuku bi mo routine kari deichI Aji kn sunibi …samaste Kuhani mo luck Keunthi bahut val govt job paijaichu kipari kintu Tu taku paibaku bi jogya nuhe..mane mane bhabe exam bele mo omr sheet re bidhe..mo luck jaiki lekhidela nahale sedin mu Jaha padhiki jaithilI taha examre asithila….

    1. Thank you so much 😊

  3. Beautiful… Bahut sunder..It’s true that, We get affected by someone,s comment s easily… thanks a lot for making us realise our own judgement is the ultimate…….

    1. Thank you so much simu. Keep reading 😊😊❤️

Leave a Reply