ଓଡ଼ିଆ ସିନେମା ଇଣ୍ଡଷ୍ଟ୍ରିରେ କଳାକାର ଅଭାବ: ଏକ ବିଶ୍ଳେଷଣ

ଆଜ୍ଞା ହଁ | ଓଡ଼ିଆ ସିନେମା ଇଣ୍ଡଷ୍ଟ୍ରିରେ କଳାକାରଙ୍କ ଅଭାବ | ଆଗରୁ ଲାଗୁଥିଲା ଏଇ ଇଣ୍ଡଷ୍ଟ୍ରିରେ କେବଳ ଭଲ କାହାଣୀର ଅଭାବ | ହେଲେ ନାଁ | ଏବେ ଜଣା ପଡ଼ିଲାଣି ଯେ ଏଇ ଇଣ୍ଡଷ୍ଟ୍ରିରେ ଅଭିନେତା ଓ ଅଭିନେତ୍ରୀଙ୍କର ମଧ୍ୟ ଘୋର ଅଭାବ | ଆପଣ ନିହାତି ଭାବୁଥିବେ ଏ କେମିତି କଥା? ଓଡିଶାରେ ଏତେ ସିନେମା ହଉଚି | ଏତେ ସିରିଏଲ ହଉଚି | ଏତେ ମ୍ୟୁଜିକ ଭିଡିଓ ହଉଚି | ତାହେଲେ ସେଇଠି କିଏ କାମ କରୁଛନ୍ତି?

ବାସ | ଏଇଠି ତ ଆପଣ ଭୁଲ ଭାବିଦେଲେ ଆଉ! ଆଜ୍ଞା | ଏଠି ସିନେମା ହଉଚି, ସିରିଏଲ ହଉଚି ଆଉ ମ୍ୟୁଜିକ ଭିଡିଓ ବି ହଉଚି | ହେଲେ ସେଠି କଳାକାର କାମ କରୁନାହାନ୍ତି | ଅଭିନେତା ବା ଅଭିନେତ୍ରୀ କାମ କରୁନାହାନ୍ତି | ସେଠି ଷ୍ଟାର ମାନେ କାମ କରୁଛନ୍ତି | ଇନ୍ସଟାଗ୍ରାମ ଷ୍ଟାର ଆଉ ଟିକଟକ୍ ଷ୍ଟାର ଫେସବୁକ ରିଏଲିଟି ଶୋ ଷ୍ଟାର | ତାଙ୍କର ସବୁ ବହୁତ ଫୋଲୋୟର ଅଛନ୍ତି | ସେମାନେ ଯାହା ଫୋଟୋ କି ଭିଡିଓ କରି ଛାଡିଦେଲେ ସେଠି ଲକ୍ଷ ଲକ୍ଷ ଲାଇକ, କମେଣ୍ଟ ଆଉ ଶେୟାର ଆସେ | ଆଉ ସେଇଥିପାଇଁ ସେମାନେ ନିଜକୁ ଭାରି ବଡବଡ ଅଭିନେତା ଆଉ ଅଭିନେତ୍ରୀ ବୋଲି ଭାବନ୍ତି |

ଜଣେ ଦୁଇଜଣ କଳାକାର ଅଛନ୍ତି ଯେଉଁମାନେ ଉତ୍କୃଷ୍ଟ ଅଭିନୟ କରିପାରିବେ କିନ୍ତୁ ସେମାନେ କେବେ ବି ଚରିତ୍ର ବା ସିନେମା ଚୟନରେ କେବେ ରିସ୍କ ନବାକୁ ଚାହାନ୍ତି ନାହିଁ | ସେମାନେ ନିଜ ସୁବିଧା କ୍ଷେତ୍ର (comfort zone)କୁ କେବେ ଛାଡିବା ପାଇଁ ଚାହାନ୍ତି ନାହିଁ ଆଉ ସେଇଥିପାଇଁ ତାଙ୍କଠୁ କିଛି ଆଶା କରିବା ହିଁ ବୃଥା | କିଛି ହାତଗଣତି କଳାକାର ଅଛନ୍ତି ଯେଉଁମାନେ କିଛି ନୂଆ କରିବାକୁ ଚେଷ୍ଟା କରୁଛନ୍ତି | କିନ୍ତୁ ତାଙ୍କୁ ନା ପ୍ରଡ୍ୟୁସର ସୁଯୋଗ ଦେଉଛନ୍ତି ନା ବଡ ବଡ ଚ୍ୟାନେଲ | ଆଉ ବାକି ଯେଉଁମାନେ ଅଛନ୍ତି ସେମାନେ ମନେ ମନେ ସୁପରଷ୍ଟାର | ସେମାନଙ୍କ କଥା ନ କହିଲେ ହିଁ ଭଲ | ତେବେ ଦୁଇ ଚାରିଟା ଶୋରେ ଜଜ ହେବାରୁ ବା ବିଭିନ୍ନ ଶୋରୁମରେ ରିବନ କାଟିବାରୁ ଫୁରସତ ମିଳେନି ଏଇ ସୁପରଷ୍ଟାର ମାନଙ୍କୁ | ଏମାନେ ଭାବନ୍ତି ସୁନ୍ଦର ପୋଷାକ ପିନ୍ଧିଦେଲେ ବା ଟିକିଏ ପହଲଵାନ ଭଳି ଶରୀର ରଖିଦେଲେ ବା ହୁ ହା ହେଇ ଓଭରଆକ୍ଟିଙ୍ଗ କରିଦେଲେ ସେଇଟା ତାଙ୍କୁ ଜଣେ ଭଲ କଳାକାର ଭାବେ ଗଢିତୋଳିବ |

ଦୁଃଖର କଥା ଏଇ ତଥାକଥିତ ଷ୍ଟାର ମାନଙ୍କୁ ଅଭିନୟର ‘ଅ’ ଅକ୍ଷର ମଧ୍ୟ ଜଣାନଥାଏ | ଏମାନଙ୍କୁ କେବେ ଅଭିନୟ କର୍ମଶାଳା (acting workshop)ର ଅର୍ଥ ବି ଜଣାନଥାଏ | ତାଙ୍କୁ ଯଦି କେବେ ସିନେମା ଶୁଟିଂ ଆଗରୁ କର୍ମଶାଳା ହବ ବୋଲି ଖବର ମିଳେ ସେମାନେ ପ୍ରଥମେ ପ୍ରଶ୍ନ କରନ୍ତି ଅଭିନୟ କର୍ମଶାଳା ମାନେ କଣ? ହୁଏତ ଗୁଗୁଲରେ ୟାର ଅର୍ଥ ବି ଖୋଜନ୍ତି |

କେବେ ଯଦି ସମୟ ହୁଏ ଏଇ ଷ୍ଟାର ମାନଙ୍କ ସାକ୍ଷାତକାର ବି କେବେ ଦେଖିବେ | ସେଇଠି ଖାଲି ଖଟି, ଗୁଲିଗପ ହିଁ ଶୁଣିବେ | ସେମାନେ ଖାଲି କହିବେ କେମିତି ମ୍ୟୁଜିକ ଭିଡିଓ କଲେ କି କେତେ ଦିନରେ ଫିଲ୍ମ ଶୁଟ୍ ହେଲା ବା ସେମାନେ କେମିତି ଶୁଟିଂ ସେଟରେ ମଜା କରନ୍ତି | ତାଙ୍କୁ କେବେ ଆପଣ ଅଭିନୟ ଶିଳ୍ପ (acting tenchnique) ବା ଅଭିନୟ କାରିଗରୀ (acting craft) ବିଷୟରେ କଥା ହେବା ଶୁଣିବେନି | କିଛି ନୂଆ ଶିଖିବା ବା କିଛି ନୂଆ ଜାଣିବାରେ ତାଙ୍କର ଆଦୌ ଆଗ୍ରହ ନାହିଁ | ଖାଲି ଓଡ଼ିଆ ହିନ୍ଦୀ ଇଂଲିଶ ଚୋବାଇ ଟିକଟକ୍ କି ଇନ୍ସଟାରେ ଭିଡିଓ କରିବାରେ ତାଙ୍କର ଆଗ୍ରହ | କାରଣ ତା’ଠୁ ଅଧିକ କିଛି କରିବା ତାଙ୍କୁ ଜଣା ହିଁ ନାହିଁ | ଖାଲି କଥା କଥାରେ ସେମାନେ ହଲିଉଡ଼ ଆଉ ବଲିଉଡର ସିନେମା ଓ କଳାକାରଙ୍କ ଉଦାହରଣ ଦିଅନ୍ତି | ହେଲେ ସେଇ କଳାକାରଙ୍କ ଭଳି ଅଭିନୟ ପାଇଁ ନିଷ୍ଠା ବା ପରିଶ୍ରମ କରିବା ଏଇମାନଙ୍କ ପାଇଁ କାଠିକର ପାଠ | କାରଣ ଏମାନେ ସମସ୍ତେ କେବଳ ଷ୍ଟାର ହବାକୁ ଆସିଛନ୍ତି | ଅଭିନେତା, ଅଭିନେତ୍ରୀ ବା କଳାକାର ହବାକୁ ନୁହେଁ | ଏମାନେ ଭୁଲି ଯାଇଛନ୍ତି ଯେ ଅଭିନେତା ହବାପାଇଁ ପ୍ରଥମ ଗୁଣ ହଉଚି ଅଭିନୟ ଜାଣିବା | ଖାଲି ଦେଖା ସୁନ୍ଦର ଚିକ୍କଣ ବଡ଼ି ହେଲେ ଜଣେ କଳାକାର ହେଇଯାଏନି |

ପୁଣି ଆପଣ ଦେଖିବେ ସେମାନେ ଯେଉଁ ବିଚିତ୍ର ଭାଷାରେ କଥାବାର୍ତ୍ତା କରନ୍ତି ସେମାନେ ସେଇଭଳି ସମାନ ଉଚ୍ଚାରଣ ସିନେମାରେ ମଧ୍ୟ ବ୍ୟବହାର କରିଥାନ୍ତି | ସେମାନେ ଧନୀ ଚରିତ୍ର ହଉ କି ଗରିବ ଚରିତ୍ର ହଉ, ଗାଉଁଲି ଚରିତ୍ର ହଉ କି ସହରୀ ଚରିତ୍ର ହଉ, ଐତିହାସିକ କାହାଣୀ ହଉ କି ଆଧୁନିକ କାହାଣୀ ହଉ ତାଙ୍କ କଥା କହିବା ଭଙ୍ଗୀ ସବୁବେଳେ ସେମିତି ସମାନ ହିଁ ରହିଥାଏ | ଦୁଃଖର କଥା ସେମାନେ ଅଭିନୟରେ କଣ୍ଠସ୍ୱର ଓ ଉଚ୍ଚାରଣର ଗୁରତ୍ଵକୁ ଆଜି ଯାଏଁ ବୁଝି ହିଁ ନାହାନ୍ତି | ଓଡ଼ିଆ ଇଣ୍ଡଷ୍ଟ୍ରିରେ କିଛି ନୂଆ କରିକି ଦେଖାଉଥିବା ଇଚ୍ଛା ରଖୁଥିବା କୌଣସି ନୂଆ ନିର୍ଦ୍ଦେଶକ ଯଦି କେବେ ଭଲ କାହାଣୀଟିଏ ପାଇଯାଆନ୍ତି ତାହେଲେ ବି ପ୍ରଥମ ପ୍ରଶ୍ନ ଆସେ ଏଇ ସିନେମାରେ ଅଭିନୟ କିଏ କରିବ? ଏଭଳି କାହାଣୀଟିରେ ଅଭିନୟ କରିବାକୁ ଆମ ଇଣ୍ଡଷ୍ଟ୍ରିରେ କଣ କଳାକାର ଅଛନ୍ତି? କିଏ ଅଛି ଯିଏ ଏମିତି ଚରିତ୍ରଟିଏକୁ ନିଖୁଣ ଭାବରେ ଫୁଟେଇ ପାରିବ?

ତା’ପରେ ଏଇ ସୋସିଆଲ ମିଡ଼ିଆ ଫିଲ୍ମଷ୍ଟାର ମାନଙ୍କୁ କୌଣସି ସିନେମାର ପ୍ରସ୍ତାବ ଆସିଲେ ସେମାନେ କେବେ ବି ପଚାରନ୍ତି ନାହିଁ ଯେ ଏଇ ସିନେମାର କାହାଣୀ କଣ | ତାଙ୍କର ପ୍ରଥମ ପ୍ରଶ୍ନ ଥାଏ ଏଇ କାହାଣୀର ନିର୍ଦ୍ଦେଶକ କିଏ | ଯଦି ଏଇ ସିନେମାର ନିର୍ଦ୍ଦେଶକ କେହି କପିପେଷ୍ଟ ମାଷ୍ଟର ତାହେଲେ ତାଙ୍କର ଖୁସିର ସୀମା ହିଁ ରୁହେନି | କାରଣ ଏମିତି ସିନେମା ପାଇଁ କିଛି ବି ପରିଶ୍ରମ ଯେ କରିବାକୁ ପଡ଼ିବନି | ଖାଲି କପି ହଉଥିବା ସିନେମାକୁ ଥରେ ଦୁଇଥର ଦେଖିଦେଇ ସେଇ ସିନେମାର ହିରୋ ବା ହିରୋଇନର ହନୁକରଣ କରିଦେଲେ କାମ ସରିଲା | କିଏ ସେ ପରିଶ୍ରମ କରି ଅଭିନୟ କର୍ମଶାଳାକୁ ଯିବ | ନୂଆ ଚରିତ୍ରକୁ ବୁଝିବାକୁ ଚେଷ୍ଟା କରିବ | ନିଜକୁ ସେଇ ଚରିତ୍ରରେ ପରିଣତ କରିବାକୁ ପଡିବ | ନିଜ ଭାଷା, କଣ୍ଠସ୍ୱର, ଉଚ୍ଚାରଣ ଉପରେ କାମ କରିବାକୁ ପଡିବ | କାହା ପାଖରେ ଏତେ ସମୟ ଅଛି ଯେ? ସେତିକି ଭିତରେ ୨୦ଟା ଟିକଟକ୍ ଭିଡିଓ ଭିଡିଓ ତିଆରି ହେଇଯିବ ଆଉ ୨୦୦୦ ଫୋଲୋଓର ଆଉରି ବଢ଼ିଯିବେ ସୋସିଆଲ ମିଡ଼ିଆରେ |   ମନେପଡେ ଆମ ପୁରୁଖା ମହାନ ଓଡ଼ିଆ କଳାକାରଙ୍କ କଥା | ମାନେ ପଡ଼ିଯାଏ ଗୌର ଘୋଷ, ପାର୍ବତୀ ଘୋଷ, ଝରଣା ଦାଶ, ଶରତ ପୂଜାରୀ, ହେମନ୍ତ ଦାସ, ଶ୍ରୀରାମ ପଣ୍ଡା, ଦୁଃଖୀରାମ ସ୍ୱାଇଁ, ଦେବୁ ବୋଷ, ଅଜିତ ଦାସ, ହର ପଟ୍ଟନାୟକ, ଅନିତା ଦାସ, ଗ୍ଲୋରିଆ ମହାନ୍ତି, ଗୀତା ରାଓ, ବିଜୟ ମହାନ୍ତି, ଉତ୍ତମ ମହାନ୍ତି, ଅପରାଜିତା ମହାନ୍ତି, ମହାଶ୍ୱେତା ରାୟ, ମିହିର ଦାସ, ଆଉ ସିଦ୍ଧାନ୍ତ ମହାପାତ୍ରଙ୍କ (ସମସ୍ତ ଭଲ ପୁରୁଖା କଳାକାରଙ୍କ ନାମ ନେଇ ପାରିନଥିବାରୁ କ୍ଷମା ଯାଚନା) ନିଖୁଣ ଅଭିନୟ ଓ ଓଡ଼ିଆ ସିନେମା ଇତିହାସର ଗୌରବମୟ ଅତୀତ | ଦୁଃଖ ଲାଗେ ଯେ ଓଡ଼ିଆ ସିନେମାର ଉତ୍ତର ଦାୟାଦମାନେ ଯେ ଏମିତି ଅଯୋଗ୍ୟ, ଅକ୍ଷମ ଓ ଅସମର୍ଥ ବାହାରିବେ ବୋଲି ଓଡିଶାର ଚଳଚିତ୍ର କିମ୍ବଦନ୍ତୀମାନେ ସ୍ୱୟଂ ସ୍ବପ୍ନରେ ସୁଦ୍ଧା ଭାବିନଥିବେ ଆଉ ଏଇ ଟିକଟକ୍ ଷ୍ଟାରମାନଙ୍କୁ ନେଇ ହିଁ ଓଡ଼ିଆ ଚଳଚିତ୍ର କେତେ ଆଗକୁ ଯିବାକୁ ତାହା କେବଳ ଦେଖିବାକୁ ବାକିରହିଲା | ଶେଷରେ ଏତିକି କହିବି ଯେ ଓଡ଼ିଆ ସିନେମା ଓ ଓଡ଼ିଆ କଳାକାରଙ୍କୁ ନେଇ ମୋ ବିଶ୍ଳେଷଣକୁ ବା ମୋ ମତାମତକୁ କେହି ଭୁଲ ବୋଲି ପ୍ରମାଣିତ କରିଦେବ ତାହେଲେ ସବୁଠୁ ବେଶୀ ମୁଁ ହିଁ ଖୁସି ହେବି | ଜୟ ଜଗନ୍ନାଥ | ଜୟ କଳା |

Leave a Reply