“ଅନେକ” ଏବଂ ଓଡ଼ିଆ ସ୍ୱାଭିମାନ

ଆସନ୍ତା ମେ ୨୭ ତାରିଖରେ ଟି-ସିରିଜ ଦ୍ୱାରା ପ୍ରାୟୋଜିତ ଏବଂ ନିର୍ଦ୍ଦେଶକ ଅନୁଭବ ସିହ୍ନାଙ୍କ ଦ୍ୱାରା ନିର୍ଦ୍ଦେଶିତ ହିନ୍ଦୀ ସିନେମା “ଅନେକ” ମୁକ୍ତିଲାଭ କରିବାକୁ ଯାଉଛି | ଫିଲ୍ମଟିର  ବିଷୟବସ୍ତୁ ହେଲା ଭାରତର ବିଭିନ୍ନତା ମଧ୍ୟରେ ଥିବା ଏକତା | ଏଣୁ ଗତ ମେ ୮ ତାରିଖରେ “ଅନେକ” ସିନେମାର ଜନସମ୍ପର୍କ ଏବଂ ପ୍ରଚାର ବିଭାଗ ତରଫରୁ ଏକ ଭିଡିଓ ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଛଡା ଯାଇଥିଲା | ସେଇ ଭିଡିଓରେ ଭାରତର ପ୍ରାୟ ସମସ୍ତ ରାଜ୍ୟର ଜଣାଶୁଣା ପ୍ରତିନିଧି ନିଜ ନିଜ ମାତୃଭାଷାରେ ଗୋଟିଏ ଧାଡି କହୁଥିଲେ- “ଜିତିବ କିଏ? ହିନ୍ଦୁସ୍ତାନ |” ଏହି ଭିଡିଓର ଅର୍ଥ ହେଲା ଯଦିଓ ଆମ ଭାରତରେ ବିଭିନ୍ନ ଭାଷାଭାଷୀ ଲୋକ ଅଛନ୍ତି କିନ୍ତୁ ପରିଶେଷରେ ଆମେ ସାମସ୍ତେ ଭାରତୀୟ | କିନ୍ତୁ ଦୁଃଖର କଥା ଏଇ ଭିଡିଓଟିରେ ଭାରତର ୬ଟି ଶାସ୍ତ୍ରୀୟ ଭାଷା ମଧ୍ୟରୁ ଗୋଟିଏ ହେବାର ମାନ୍ୟତା ପାଇଥିବା ଓଡ଼ିଆ ଭାଷାକୁ ଅନ୍ତର୍ଗତ କରାଯାଇନଥିଲା | ମାନେ “ଅନେକ” ସିନେମାର ପ୍ରଚାର ବିଭାଗ ଓଡିଶା ରାଜ୍ୟ ତଥା ଓଡ଼ିଆ ଭାଷାକୁ ସମ୍ପୂର୍ଣ ଭାବେ ଉପେକ୍ଷା କରିଥିଲେ | ଏହି ଉପେକ୍ଷା ଜାଣତରେ ଥିଲା ବା ଅଜାଣତରେ ଥିଲା ସେ କଥା ସ୍ୱୟଂ ଭଗବାନ ହିଁ ଜାଣନ୍ତି |

ଖୁସିର କଥା ଏଇଆ ଯେ ଦେଢ଼ଦିନ ଧରି ଟ୍ୱିଟର ଏବଂ ଫେସବୁକରେ ଓଡ଼ିଆ ଲୋକଙ୍କର ଏହି ଭିଡିଓ ଏବଂ ଓଡ଼ିଆ ଭାଷାର ଉପେକ୍ଷା ବିରୋଧରେ ପ୍ରତିବାଦ ହେଲା |ଶେଷରେ ଗତ ମେ ୧୦ ତାରିଖରେ “ଅନେକ” ସିନେମାର ପ୍ରଚାର ଟିମ ନୂଆ ଭିଡିଓଟିଏ ପୋଷ୍ଟ କରିଛନ୍ତି ଏବଂ ଏହି ଭିଡିଓରେ ଓଡ଼ିଆ ଭାଷାକୁ ଅନ୍ତର୍ଭୁତ କରାଯାଇଛି | ଯଦିଓ ସେମାନେ ଏଇ ସମୟ ଭିତରେ ହୁଏତ କୌଣସି ଓଡ଼ିଆ କଳାକାରଙ୍କୁ ପାଇ ନାହାନ୍ତି | ଏଣୁ ନିଜେ ସିନେମାର ନିର୍ଦ୍ଦେଶକ ଅନୁଭବ ସିହ୍ନା ଏଇ ଓଡ଼ିଆ ସଂଳାପକୁ କହିଛନ୍ତି | ହୁଏତ ସେମାନେ ଓଡ଼ିଆ କଳାକାରଟିଏ ମଧ୍ୟ ଯୋଗାଡ କରିପାରିଥାନ୍ତେ | କିନ୍ତୁ ଆମେ ନାହିଁ ମାମୁଁ ଠାରୁ କଣା ମାମୁଁ ଭଲ ନୀତିରେ ଏହାକୁ ସାଦରେ ଗ୍ରହଣ କରିଛୁ |  

ତେବେ ଏଠାରେ ପ୍ରଶ୍ନ ଉଠେ ଯେ କାହିଁକି ବାରମ୍ବାର ଜାତୀୟ କ୍ଷେତ୍ରରେ ଓଡିଶା ଏକ ରାଜ୍ୟ ହିସାବରେ ଏବଂ ଓଡ଼ିଆ ଏକ ଭାଷା ହିସାବରେ ଉପେକ୍ଷା ଏବଂ ଅବହେଳନାର ଶିକାର ହୁଏ | ଓଡ଼ିଆ ହେଉଛି ଭାରତର ପ୍ରଥମ ରାଜ୍ୟ ଯାହା ଭାଷା ଉପରେ ଭିତ୍ତି କରି ଗଢିଛି | ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପରି ଲୋକ ହେଉଛନ୍ତି ଓଡ଼ିଆ ଭାଷାର ଅସ୍ମିତା ଓ ସ୍ୱାଭିମାନ ପରିଚାୟକ | ବଙ୍ଗାଳିଙ୍କ “ଉଡ଼ିଆ ଏକ୍ଟି ସ୍ୱତନ୍ତ୍ର ଭାଷା ନଏ”ର ଉତ୍ତରରେ ଓଡିଶାକୁ ଏକ ସ୍ୱତନ୍ତ୍ର ପ୍ରଦେଶ ରୂପେ ଗଠନ କରିବାକୁ ରାତିଦିନ ଲଢ଼ିଥିଲେ ଆମ ଓଡ଼ିଶାବାସୀ |

କଳା, ସାହିତ୍ୟ, ନୃତ୍ୟ, ସଂଗୀତ, ସଂସ୍କୃତି, କ୍ରୀଡା ସବୁ କ୍ଷେତ୍ରରେ ଓଡ଼ିଶାବାସୀ ନିଜର ଅସ୍ତିତ୍ବ ଜାହିର କରିଛନ୍ତି | କଳା ଏବଂ ସଂସ୍କୃତି କ୍ଷେତ୍ରରେ ପଦ୍ମଶ୍ରୀ ରଘୁନାଥ ପାଣିଗ୍ରାହୀ, ସଂଯୁକ୍ତା ପାଣିଗ୍ରାହୀ, ସିନେମା କ୍ଷେତ୍ରରେ ସବ୍ୟସାଚୀ ମହାପାତ୍ର, ନୀଳମାଧବ ପଣ୍ଡା, କ୍ରୀଡା କ୍ଷେତ୍ରରେ ଦିଲୀପ ତିର୍କି, ଦୁତି ଚାନ୍ଦ, ସାହିତ୍ୟ କ୍ଷେତ୍ରରେ ଡ. ପ୍ରତିଭା ରାୟ, ମନୋଜ ଦାସ, ଜୟନ୍ତ ମହାପାତ୍ର ଆଦି ସାରା ଭାରତରେ ନିଜ ପ୍ରତିଭାକୁ ପ୍ରମାଣିତ କରିଛନ୍ତି | ତଥାପି ଆଜି ଭାରତର ମାନଚିତ୍ରରେ ଓଡିଶାର ସ୍ଥିତି ଦୁର୍ବଳ | ଆଜି ବି ଓଡ଼ିଆ ବାହାରେ ରହୁଥିବା ଲୋକଙ୍କୁ ଓଡିଶାର ଅବସ୍ଥିତି ଜଣେଇବାକୁ ପଶ୍ଚିମ ବଙ୍ଗ ଏବଂ ଆନ୍ଧ୍ର ପ୍ରଦେଶର ସାହାଯ୍ୟ ନବାକୁ ପଡେ | ଲୋକେ କୁହନ୍ତି- ଆମ ରାଜ୍ୟ ଓଡିଶା ଯେଉଁଟା ପଶ୍ଚିମ ବଙ୍ଗ ବା ଆନ୍ଧ୍ର ପ୍ରଦେଶ ପାଖରେ ଅଛି | ନହେଲେ ସବୁଠୁ ବଡ ସାହାଯ୍ୟର ହାତ ବଢାନ୍ତି ଆମ ମହାପ୍ରଭୁ ଜଗନ୍ନାଥ | ଲୋକେ ପୁରୀ ଜଗନ୍ନାଥ କହି ନିଜ ରାଜ୍ୟର ପରିଚୟ ଦିଅନ୍ତି | ଦୁଃଖର କଥା ଆଜି ବି ଓଡିଶାର ନାମ କେବଳ ବାତ୍ୟା, ଦାରିଦ୍ର୍ୟ ଏବଂ ଦୁର୍ଭିକ୍ଷ ସହ ସଂଯୁକ୍ତ | 

ତେବେ ଏଇଠି ଆମ ଦୋଷ ବି କିଛି କମ ନୁହେଁ | ଓଡିଶାରେ କେତେ ପରିବାର ଅଛନ୍ତି ଯେଉଁମାନେ ଓଡିଶୀ ସଂଗୀତ ବା ଓଡିଶୀ ନାଚ ଶିଖିବାକୁ ନିଜ ପିଲାଙ୍କୁ ନୃତ୍ୟ ଏକାଡେମୀକୁ ପଠାନ୍ତି? କିନ୍ତୁ ପଶ୍ଚିମ ବଙ୍ଗରେ ପ୍ରତି ଘରେ ପିଲାମାନେ ରବୀନ୍ଦ୍ର ସଂଗୀତ ଏବଂ ଓଡିଶୀ ନୃତ୍ୟ ଶିଖନ୍ତି | ସେଇଭଳି କେତେ ଜଣ ଆଧୁନିକ ପିତାମାତା ନିଜ ପିଲାଙ୍କୁ ଓଡ଼ିଆ କହିବାକୁ ପଢିବାକୁ ବା ଲେଖିବାକୁ ଶିଖାନ୍ତି? କେତେଜଣ ନିଜ ପିଲାଙ୍କ ପାଇଁ ଓଡ଼ିଆ ଗପବହି କିଣନ୍ତି? ଓଲଟା ତାଙ୍କ ପିଲା ଓଡ଼ିଆ ନ କହି ଇଂରାଜୀ ହିନ୍ଦୀ କହିଲେ ପିତାମାତାଙ୍କ ଛାତି ଗର୍ବରେ ଫୁଲିଉଠେ | କିନ୍ତୁ ତାମିଲନାଡୁ ଭଳି ରାଜ୍ୟରେ ଯେତେ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ପଢିଲେ ମଧ୍ୟ ପିଲାମାନେ ନିଜ ମାତୃଭାଷା କହିବାରେ ଲେଖିବାରେ ଏବଂ ବୁଝିବାରେ ପୋଖତ | ଆମର ଚଳଚ୍ଚିତ୍ର ମାଧ୍ୟମରେ ନିଜ ସଂସ୍କୃତି, ନିଜ ପରମ୍ପରା, ନିଜ ଖାଦ୍ୟ, ନିଜ ବେଶପୋଷାକକୁ ଏକ ଜାତୀୟ ସ୍ତରରେ ପହଞ୍ଚେଇବା ପାଇଁ ଆମେ କେତେଦୂର ଚେଷ୍ଟିତ ଅଛୁ? ବରଂ ଧୀରେ ଧୀରେ ଦକ୍ଷିଣ ଭାରତୀୟ ସିନେମାକୁ ନକଲ କରି ଆମେ ଆମ ସଂସ୍କୃତିକୁ ମଧ୍ୟ ଓଡ଼ିଆରୁ ଦକ୍ଷିଣୀ କରିଦେବାକୁ ତତ୍ପର |

ହୁଏତ ଆମେ ଆମ ଭାଷା ଓ ରାଜ୍ୟର ପ୍ରସାର ପ୍ରଚାର କରିବାରେ କେଉଁଠି କିଛି ଉଣା କରିଦେଇଛୁ | ପଖାଳ ଖାଇ ଦୁଇପହରେ ଶୋଇବା ନୀତିକୁ ଆମେ ବୋଧହୁଏ ଭାରି ଗୁରୁତ୍ୱର ସହ ନେଇଯାଇଚୁ | ପଶ୍ଚିମବଙ୍ଗ ରସଗୋଲା ପାଇଁ ଜିଆଇ ଟ୍ୟାଗ ପାଇଁ ଆବେଦନ କଲାପରେ ହିଁ ଆମ ନିଦ ଭାଙ୍ଗେ | କେଉଁ ସିନେମାର ପ୍ରମୋସନାଲ ଭିଡିଓରେ ଆମ ଭାଷାକୁ ଅନ୍ତର୍ଭୁକ୍ତ ନ କଲା ପରେ ହିଁ ଆମ ନିଦ ଭାଙ୍ଗେ | ଆମ ରାଜ୍ୟର ସୀମାନ୍ତ ଅଂଚଳ ଗୁଡିକ ଆମଠାରୁ ବିଚ୍ଛିନ୍ନ ହେଇଗଲା ପରେ ହିଁ ଆମ ନିଦ ଭାଙ୍ଗେ | ଆଜି ବି ଆମେ ଆମର ଛେନାଗଜା, ରସାବଳୀ ବା ଛେନାପୋଡ ପାଇଁ ଜିଆଇ ଟ୍ୟାଗ ପାଇଁ ଆବେଦନ କରିନାହୁଁ | ହୁଏତ ଆଉ କେଉଁ ରାଜ୍ୟ ତାହାପାଇଁ ଆବେଦନ କଲାପରେ ଆମ ନିଦ ଭାଙ୍ଗିବ | ଏଣୁ ଆଜି ଦିନ ଆସିଛି ସେଇ ନିଦ ଭାଙ୍ଗିବାର | ନିଦରୁ ଉଠି ନିଜ ରାଜ୍ୟ ନିଜ ଭାଷା ପାଇଁ କିଛି କହିବାର | ନିଜ ଓଡ଼ିଆ ଅସ୍ମିତା ଓ ଓଡ଼ିଆ ସ୍ୱାଭିମାନକୁ ବଜାୟ ରଖିବାର | “ଅନେକ” ସିନେମାର ଭିଡିଓରେ ଓଡ଼ିଆ ପ୍ରତି ହେଇଥିବା ଉପେକ୍ଷା ହୁଏତ ଆମକୁ ସେଇ ନିଦରୁ ଉଠେଇ ଦେଇପାରେ | ଆଉ ଯଦି ତଥାପି ଓଡ଼ିଆଙ୍କ ନିଦ ନ ଭାଙ୍ଗେ ତେବେ କୁଳବୃଦ୍ଧ ମଧୁବାବୁଙ୍କ ଉପରେ ଲିଖିତ କାଳଜୟୀ କବିତା “ତୁମପରି ଛୋଟ ପିଲାଟିଏ”ର କିଛି ଧାଡି ଆଜି ବି ପ୍ରାସଙ୍ଗିକ ମନେହୁଏ-

“କହିଲା ଜାତିର କାନେ କାନେ,

ଉଠିବୁ ଆଉ ତୁ କେତେ ଦିନେ?

ପୂରୁବ ଗୌରବ ପୂରୁବ ମହିମା,

ପଡ଼ୁନାହିଁ କିରେ ତତେ ମନେ?

Leave a Reply